ଫଟୋ - ୱିକିପିଡିଆ

ଶୀର୍ଷକଟି ଟିକେ ଲମ୍ବା ହେଇଗଲା । କଣ ଆଉ କରାଯାଏ, ଏହାଠୁ କମ୍ ଶବ୍ଦରେ କହିହେଲା ନାଇଁ । କଥା ହେଲା, ଆଜିକାଲି ଆମେ ସମସ୍ତେ ବୋଧେ ସକାଳୁ ଉଠୁଚୁ ହିଁ ଅପମାନିତ ବୋଧ କରିବାର ଏକ ସୁପ୍ତ ଆଗ୍ରହଟିଏ ନେଇ ଆଉ ନିଜ ଦିନଟି ସରିବା ପୂର୍ବରୁ ଏଥିପାଇଁ କାରଣଟିଏ ଖୋଜି ନେଉଚୁ । ଏବଂ ବିଶେଷକରି ଯେହେତୁ ଆମର ଅଧିକାଂଶ ସମୟ ସୋସିଆଲ ମିଡ଼ିଆରେ କି ମୋବାଇଲ / କମ୍ପ୍ୟୁଟରରେ "କଣ୍ଟେଣ୍ଟ" ଉପଭୋଗ କରିବାରେ ଯାଉଚି, ଅତଏବ ଏଇଠି ହିଁ ମିଳୁଚି ଆମକୁ ଯଥେଷ୍ଟ କାରଣ, ଅପମାନିତ ବୋଧ କରିବା ପାଇଁ । ଗୋଟେ ଖୋଜିଲେ ମିଳୁଚି ଗଦାଗଦା ।

ଧରନ୍ତୁ କୋଉ ସିନେମାରେ ଭିଲେନ୍ ଯଦି ଓକିଲଟିଏ (କି ଶିକ୍ଷକ / ପୋଲିସ / ନେତା / ବ୍ୟବସାୟୀ), ମୋର ଯେମିତି ଦାୟିତ୍ୱ ମୁଁ ତମାମ୍ ଓକିଲ/ଶିକ୍ଷକ/ପୋଲିସ/ନେତା/ବ୍ୟବସାୟୀ ସମାଜ ତରଫରୁ ଅପମାନିତ ବୋଧ କରିବି ସେ ଫିଲ୍ମ ଦେଖି ! ଧରନ୍ତୁ କୋଉ ୱେବ୍ ସିରିଜରେ ହିରୋଇନର ସାଙ୍ଗିଆ ମିଶ୍ର (କି ମହାନ୍ତି କି ରାଠୋର କି ଫର୍ନାଣ୍ଡିସ୍) ଏବଂ ସେ ସିଗାରେଟ୍ ଟାଣୁଚି, ମୋର ନିହାତି ଦାୟିତ୍ୱ ତମାମ୍ ସମାଜ ପାଇଁ, ସ୍ତ୍ରୀ ଜାତି ପାଇଁ, ଏବଂ ମିଶ୍ର (କି ମହାନ୍ତି କି ରାଠୋର କି ଫର୍ନାଣ୍ଡିସ୍) ଜାତୀୟ ସମ୍ଭ୍ରାନ୍ତ ପରିବାର ସମୂହ ତରଫରୁ ମୁଁ ଅପମାନିତ ବୋଧ କରେ ! ଧର୍ମ କଥା ତ କହିବା ବାହୁଲ୍ୟ । ଧର୍ମ ନାଁରେ ଅପମାନିତ ବୋଧ କରିବା ସବୁଠୁଁ ସହଜ ଆଉ ସବୁଠୁଁ ଭୟଙ୍କର ଆମ ଏଠି । ଏଇ ନିକଟରେ 'ଆଶ୍ରମ' ୱେବ୍ ସିରିଜ୍ ଶୁଟିଂବେଳେ ବରିଷ୍ଠ ନିର୍ଦ୍ଦେଶକ ପ୍ରକାଶ ଝା ଏବଂ ତାଙ୍କ ସହକର୍ମୀମାନଙ୍କ ଉପରେ ଆକ୍ରମଣ କଥା ସମସ୍ତେ ଜାଣନ୍ତି । ହିନ୍ଦୁ ଧର୍ମର ପ୍ରତିନିଧି ବୋଲାଇ କିଛି ଗୁଣ୍ଡା ଏ ଆକ୍ରମଣ କଲେ । ଅବଶ୍ୟ ସେମାନଙ୍କୁ ହିନ୍ଦୁଧର୍ମର ପ୍ରତିନିଧି କିଏ ନିଯୁକ୍ତ କଲା କି ହିନ୍ଦୁଧର୍ମକୁ ସେମାନେ କେତେ ମାମୁଲି ଭାବୁଛନ୍ତି ଯେ ଗୋଟେ ୱେବ ସିରିଜ୍ ଆସିଲେ ସେ ଧର୍ମର ହାନି ହେଇଯିବ, ସେକଥାର ଉତ୍ତର ହୁଏତ ସେମାନେ ଦେଇପାରିବେ । ମଜାକଥା ହେଲା, କେଇବର୍ଷ ତଳେ ଯେତେବେଳେ ଦେଶସାରା (ସିନେ ମହଲରେ ବି) ଅସହିଷ୍ଣୁତାକୁ ନେଇ ଜୋରଦାର ବିତର୍କ ହଉଥିଲା, ଏଇ ପ୍ରକାଶ ଝା କହିଥିଲେ ଦେଶରେ କୋଉଠି ଅସହିଷ୍ଣୁତା ନାହିଁ, ଖାଲି କରନ ଜୋହରଙ୍କ କଳ୍ପନାରେ ଅଛି । ଆଶା, ନିଜ ଉପରେ ହେଇଥିବା ଏ ନିନ୍ଦନୀୟ ଆକ୍ରମଣ ପରେ ସେ ନିଶ୍ଚେ ଭେଟିଥିବେ ଅସହିଷ୍ଣୁତାକୁ ।

ମନୋଜ ଦାସ ନିଜର ଗୋଟିଏ ନିବନ୍ଧରେ ଲେଖିଥିଲେ (ଧାଡ଼ିତକ ଅବିକଳ ଏଇଆ ନୁହେଁ, କିନ୍ତୁ ଭାବନା ଏଇଆ) ଯେ ମଣିଷ ନିଜ ଭଗବାନଙ୍କୁ ଠିକ ନିଜ ପରି କଳ୍ପନା କରେ, ନିଜ ଆଲୋକରେ ଗଢ଼େ ତାଙ୍କ ସ୍ୱରୂପ ମନ ଭିତରେ । ସେ ଭାବେ ଯେ ମୋ ପରି ମୋ ଈଶ୍ବର ବି ଅହଂ- ସମ୍ପନ୍ନ ହେଇଥିବେ, ତାଙ୍କୁ ବି ଫରକ ପଡ଼ୁଥିବ କିଏ ତାଙ୍କ ବିଷୟରେ କଣ କହିଲା, ସେ ବି କଥାକଥାକେ ଅପମାନିତ ବୋଧ କରୁଥିବେ । ଅତଏବ, ମୋ ଭଗବାନଙ୍କୁ ସୁରକ୍ଷା ଲୋଡ଼ା ଏବଂ ମୁଁ ହିଁ ଦେବି ସେ ସୁରକ୍ଷା ! ଧର୍ମ ନାଁରେ ଏ ଯୋଉ ନାଟକବାଜି ଧର୍ମର ଠିକାଦାରମାନେ କରନ୍ତି, ତାହା ଖାଲି "ସାମଗ୍ରିକ ଅହଂ"ର ପରିପ୍ରକାଶ ବୋଲି ମନୋଜ ଦାସ ସେଠି ଲେଖିଥିଲେ । ଧର୍ମ ଉପରେ ହେଉ ବା ଅନ୍ୟ କେଉଁ ବିଷୟରେ ହେଉ, ସମ୍ବେଦନଶୀଳତା ହରେଇ ବସି ଯାହା ନାହିଁ ତାହା ସହିଯିବା ଅଲଗା କଥା ଏବଂ ଜବରଦସ୍ତି ସବୁକଥାରେ ଅପମାନିତ ବୋଧ କରିବା ଅଲଗା କଥା । ମତେ ବ୍ୟକ୍ତିଗତ ଭାବରେ (ବା ସାମୂହିକ ଭାବରେ) କିଛି ଗୋଟେ କଥା ଭଲ ନଲାଗିଲେ, ରୁଚିହୀନ ଲାଗିଲେ, ମୁଁ ସେକଥା କହିବି, କଡ଼ା ଭାଷାରେ ସମାଲୋଚନା କରିବି - ସେକଥା ଗ୍ରହଣୀୟ । କିନ୍ତୁ ମତେ ଭଲ ନଲାଗିବା ଜିନିଷଟି ବନ୍ଦ ହେଇଯାଉ, ନଷ୍ଟ ହେଇଯାଉ, ଜଳିପୋଡ଼ି ପାଉଁଶ ହେଇଯାଉ, ସେ ଜିନିଷ ସହ ଜଡ଼ିତ ପ୍ରତି ମଣିଷକୁ ଘୃଣା କରାଯାଉ, ସେମାନଙ୍କୁ ସର୍ବସାଧାରଣରେ କଥାରେ କି ଜୋତା ମାରି ବେଜିତ୍ କରାଯାଉ - ଏସବୁ ଭାରି ଭୟଙ୍କର ଅଭ୍ୟାସ ନୁହେଁ କି ? ପ୍ରଖ୍ୟାତ ଫରାସୀ ଦାର୍ଶନିକ ଭୋଲତେଆର୍ ଙ୍କ ଜୀବନୀରେ ତାଙ୍କ ଦର୍ଶନକୁ ବୁଝେଇବାକୁ ଯାଇ ଇଭଲିନ୍ ବିଟ୍ରିସ୍ ହଲ୍ ଯେଉଁ ପ୍ରସିଦ୍ଧ ଉକ୍ତିଟି କହିଥିଲେ, ସେତକ ଆମେ ନିହାତି ମନେ ରଖିବା କଥା । ଉକ୍ତିଟି ହେଲା , "ତମେ ଯାହା କହୁଚ , ସେଥିରେ ମୁଁ ତିଳେମାତ୍ର ସହମତ ନୁହଁ ହେଲେ ମୁଁ ମଲାଯାଏ ଏକଥା ସୁନିଶ୍ଚିତ କରିବି ଯେ ତମେ ତମ କଥା କହିବାର ଅଧିକାର ଯେମିତି ନ ହରାଅ ।"

କହିବାର ତାତ୍ପର୍ଯ୍ୟ ହେଲା, ଅପରର କଥା କହିବାର ଅଧିକାର ଟିକକ ଛଡ଼େଇ ନବାର ଅଭ୍ୟାସଟି ଆମେ କରିଚାଲିଚୁ ପ୍ରାୟ ଅନେକ କ୍ଷେତ୍ରରେ । ଆମ ଟିଭି ଖବର ଖୋଲିଲେ ଯାତ୍ରା ଭିଲେନଠାରୁ ଚାରି ଡେସିବେଲ୍ ଉଚ୍ଚା ସ୍ୱରରେ ଚିତ୍କାର କରୁଥିବା ସାମ୍ବାଦିକମାନଙ୍କର ଭିଡ଼, ସୋସିଆଲ ମିଡ଼ିଆ ଖୋଲିଲେ 'ଅମୁକଙ୍କ ସମ୍ପାଦିତ କବିତା ସଂକଳନ ତୁରନ୍ତ ବାତିଲ ହେଇଯାଉ', 'ସମୁକଙ୍କର କି ଦୁଃସାହସ ସେ ଓଡ଼ିଆ ଅସ୍ମିତାକୁ ଅପମାନ କଲେ କବିତାରେ' ଜାତୀୟ ଚିତ୍କାର । ଆମେ ନିଜେ ଏଭଳି ଫମ୍ପା ରଣହୁଙ୍କାର ଦେବାରେ ବା ଶୁଣିବାରେ ବେଶ୍ ଅଭ୍ୟସ୍ତ, ପଛେ କାହା ହକ୍ ପାଇଁ କି କୋଉ ଅନ୍ୟାୟ ବିରୁଦ୍ଧରେ ଆମ ପାଟି ଫିଟୁ କି ନ ଫିଟୁ । ଅପମାନିତ ବୋଧ କରିବା ପାଇଁ ଆମେ ସବୁବେଳେ ତିଆର । ନିଜକୁ ଏକବାରେ ଠିକ ଏବଂ ହଁରେ ହଁ ମିଶଉନଥିବା ଲୋକକୁ ଜୀବନର ଚିରଶତ୍ରୁ ଭାବୁଥିବା ଆମେମାନେ କିନ୍ତୁ ଗୋଟିଏ କଥା ଭୁଲିଯାଉଚେ: ଯେ ମାନସିକ ହିଂସା ଓ ସମବେଦନା - ରହିତ ଏ କାର୍ଯ୍ୟକଳାପ ସବୁ ଆମ ନିଜକୁ ବି ଧୀରେ ଧୀରେ ଅନ୍ତଃସାରଶୂନ୍ୟ କରିଲାଗିଚି । କାଲିକି ଆମେ ନିଜେ ଯେ ଆମ ସହ ମେଳ ଖାଉନଥିବା ଆଉ କୋଉ ଗୋଟେ ଜାତି / ଧର୍ମ / ପରିଚୟର ମଣିଷର ଘର ଜଳେଇବା ପାଇଁ ପ୍ରସ୍ତୁତ ହଉଥିବା ଭିଡ଼ରେ ଠିଆହେଇନଥିବା କିଏ କହିବ !

ଏଇ ନିକଟରେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଦଳ ହାରିଗଲା ପରେ ଟ୍ୱିଟରରେ କେହି ଜଣେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଦଶମାସର ଝିଅକୁ ବଳାତ୍କାର କରିବାର ଧମକ ଦେଇଚି । ଅତି ଉଚ୍ଚ ଶିକ୍ଷିତ ଲୋକଟିଏ ! ବଳତ୍କାରର ଧମକ ସବୁ ଟ୍ୱିଟରରେ କିଛି ନୂଆ ନୁହଁ ଅବଶ୍ୟ । ସରକାରଙ୍କୁ ସମାଲୋଚନା କରୁଥିବା ମହିଳା କର୍ମୀ ହୁଅନ୍ତୁ କି ନାଗରିକ, ଏମିତି କି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ କି ରାଜନେତ୍ରୀ ସୁଦ୍ଧା ହୁଅନ୍ତୁ , ଅନେକେ ନିୟମିତ ଭାବରେ ଏଭଳି ଧମକ ପାଇଚାଲିଚନ୍ତି ଟ୍ୱିଟରରେ । ଏଠି ସିନା ଲୋକଟିର ପରିଚୟ ଜଣା ପଡ଼ିଗଲା, ଅଧିକାଂଶ କ୍ଷେତ୍ରରେ ଧମକ ଦେଉଥିବା ଲୋକ ଛଦ୍ମନାମ ବିଶିଷ୍ଟ ଏବଂ ନିଜ ପ୍ରୋଫାଇଲରେ ନିଜ ଧର୍ମ / ଆଦର୍ଶ ଇତ୍ୟାଦିର ଉଗ୍ର ରୂପ ଥିବା ଫଟୋ ମଣ୍ଡିତ ଟ୍ରଲ୍ । ଏ ଧରଣର କୁକର୍ମ ଅନେକ ସ୍ଥଳରେ ସଂଗଠିତ ଭାବେ ଏବଂ ରାଜନୀତିକ ପୃଷ୍ଠପୋଷକତାରେ ଘଟୁଚି, ଏକଥା ବି ପ୍ରମାଣିତ । ମୁଁ ଆଶା କରେ, ଆମ ଭିତରୁ କେହି ଏ ଜାତୀୟ ଲୋକଙ୍କ ଜାଗାରେ ବାସ୍ତବ ଜୀବନରେ ନିଜକୁ ଦେଖିପାରିବ ନାହିଁ । ଆମକୁ ଲାଗିବ ଏ କାମ କି ଘୃଣ୍ୟ ! କିନ୍ତୁ ଟିକେ ନିରିଖେଇ ଦେଖିଲେ ଆପଣ ଜାଣିପାରିବେ ଯେ ଏଠି ବି କାମ କରୁଚି ଆମ ଭିତରେ ଉଙ୍କି ମାରୁଥିବା ସେଇ ଅପମାନିତ ବୋଧ କରିବାର ଭାବ ଟିକକ - ନିଜ ସଂଗଠନ ପାଇଁ, ରାଷ୍ଟ୍ର ପାଇଁ, ଆଦର୍ଶ ପାଇଁ । ଏକୁଟିଆ ଜଣେ ଯାହା କରିବାକୁ ଡରିଥାନ୍ତା ବିବେକ ଦ୍ୱାହିରେ, ଏକ ବିଶାଳତର ଏକକ (ରାଷ୍ଟ୍ର/ ଜାତି / ସମୁଦାୟ)ର ସୁରକ୍ଷା ଓ ସମ୍ମାନର ଦ୍ୱାହି ଦେଇ ସେକଥା କରି ଜଣେ ମୁହଁ ଲୁଚେଇବା ପରିବର୍ତ୍ତେ ଏଠି ଓଲଟା ଗର୍ବ ଅନୁଭବ କରୁଚି ।

ଏଠି ଆଉ ଏକ ଜିନିଷ ଅଛି ଯାହା ଲକ୍ଷ୍ୟ କରିବାର କଥା । ତାହା ହେଲା ମାନବିକତା ଓ ସମ୍ବେଦନଶୀଳତାର ମୃତ୍ୟୁ । ବଡ଼ ଦୁଃଖର କଥା ଅଥଚ ବାସ୍ତବତା: ଯେ ନିଜ ଅହଂର ଶାଣ ପଜେଇବା ପାଇଁ ଆମେ ଯେତେ ଯେତେ ଏଇମିତି ଅପମାନିତ ବୋଧ କରିବାର ଠିକା ନେଇଚାଲିବୁ, ସେତେ ସେତେ ସଂକୀର୍ଣ୍ଣ ହେଇ ଚାଲିବ ଆମ ମାନବିକତା ଓ ଅପର ପ୍ରତି ଆମର ସମ୍ବେଦନଶୀଳତା । ହୁଏତ ଦିନ ଆସିବ (ଆସିଲାଣି କି କ'ଣ), ନିଜ ଦେଶ ନାଁରେ, ଜାତି ନାଁରେ, ଧର୍ମ ନାଁରେ, ଆଦର୍ଶ ନାଁରେ ଆମେ ବି ଅପରକୁ ଏଇମିତି ଘୃଣ୍ୟ ଧମକ ସବୁ ଦବା ଆରମ୍ଭ କରିବୁ । ଦିନ ଆସିବ, ଏପରି କାମ କରି ମୁହଁ ଲୁଚେଇବାର ତିଳେମାତ୍ର ଆବଶ୍ୟକତା ବି ଆମେ ଆଉ ଅନୁଭବ କରିବୁ ନାହିଁ । କାରଣ ଅପମାନିତ ବୋଧ କରିବାର ଦ୍ୱାହି ଦେଇ ଆମେ ଆମର ସବୁ କୁକର୍ମକୁ ଯଥାର୍ଥ ବୋଲି ଦେଖେଇଦବୁ । ବେଳହୁଁ ସାବଧାନ ହୁଅନ୍ତୁ । ଆଜି ହିଁ ଦେଖି ନିଅନ୍ତୁ ନିଜକୁ ଆଇନାରେ, ଆପଣଙ୍କ ପାଇଁ ସେ ଦିନଟି ଆସିଗଲାଣି କି ?