ମଲ୍ଲିକା

ମଲ୍ଲିକାରେ, ଏ ଫାଲ୍ଗୁନ ବଡ ଇ ନିର୍ମମ
ଦିନେ ତ ସମୟ ଥିଲା ଆମେ ଦୁହେଁ ଯାଉଥିଲୁ ବୁଲି
ଅବଶ୍ୟ ବାହାରେ ଯାଇ ବେଶୀ କିଛି ଲାଭ ନାଇଁ
ଖାଲି ଯାହା ନୂଆ ନୂଆ ଫ୍ରକ ତୋର ନଷ୍ଟ ହୁଏ
ଜମି ଜମି ପେଟ୍ରୋଲ ଓ ଧୂଳି ।

ମଲ୍ଲିକା, ଦେଖିଛି ତୋତେ କେତେ ରାତି କେତେ ଦ୍ଵିପହରେ
ଯୀଶୁଙ୍କର କ୍ରଶ ପରି ନିଷ୍ଠା ତୋର ମୋ ଆଖି ଓଠରେ
ମୋ ପିତା ଓ ପ୍ରପିତାମହଙ୍କ ରକ୍ତଠାରୁ ଆହୁରି ପ୍ରାଚୀନ
ସତରଟି ହାୟାସିନ୍ଥ ଫୁଲ ରହସ୍ୟର ଡୋରିଆ ସୂତାରେ
ଆରବ୍ୟ ରଜନୀ ପରି ତୋତେ ପରା ଯୋଡନ୍ତି ମଲ୍ଲିକା
ମଲ୍ଲିକାରେ, ଏ ଫାଲ୍ଗୁନ ବଡ ଇ ନିଷ୍ଠୁର
ସିମେଣ୍ଟରେ ପଦ୍ମା ଲେଖେ, ଅର୍କେଷ୍ଟ୍ରାରେ ଝରାଏ ଶ୍ୟାମଳ ।

ତୋର କଣ ମନେ ଅଛି ଆମେ ଦୁହେଁ ଛୋଟ କ୍ଵାର୍ଟରରେ
ତମ ବାପା ଆମ ବାପା ପାଖାପାଖି ରହୁଥିବାବେଳେ
ଗୀର୍ଜା ଆଡେ ବୁଲିଯାଉ, ନିସ୍ତୁକ ସନେଟ ପଢୁ ଜହ୍ନ ଆଲୁଅରେ
ଓ କେବେ ହଠାତ କେଉଁ ଅନ୍ଧକାର ସିଡି ବାରଣ୍ଡାରେ
ତୋ ଦେହ ଜାବୁଡି ଧରି କାଉଣ୍ଟ ଅଫ ମଣ୍ଟେକ୍ରୀଷ୍ଟୋ ପରି
ମୁଁ କେବେ ଖାଇଲେ ଚୁମା, ବୁଜୁଥିଲୁ ତୁ ତୋ ଦୁଇ ଆଖି (ସିନେମାରୁ ଶିଖି) ।

ମଲ୍ଲିକାରେ, ଏ ଫାଲ୍ଗୁନ ବଡ ଇ କର୍କଶ
ପ୍ରେମଠାରୁ ମୃତ୍ୟୁ ସତ୍ୟ, ପ୍ରାଣଠାରୁ ପରିଣାମ ସତ୍ୟ
ପ୍ରେମ ହିଁ ପ୍ରଥମ ମୃତ୍ୟୁ, ମୃତ୍ୟୁ ଏକ ଅଭିଶପ୍ତ ପ୍ରେମ
ମଲ୍ଲିକାରେ, ଏ ରାତିରେ କାର୍ତ୍ତିକର ହିମ ।

ମନେପଡେ

ତୋର ଖୋଲା ଦେହ ପରି ଅକପଟ ଉଦାସ ଆକାଶ
ଭିଜାଏ ଶିମୁଳିଗଛ । ଟୁପଟାପ ଲୁହର କାକର
ରାତିର ଧୂସର ପାଦ ମନେପଡେ, ପାଉଁଜ ଓ ବାଲିର ପାହାଚ
ମନେପଡେ ତା’ କଥା, ଯେମିତି ସେ କରୁଣ ମିଶର ।

ମନେପଡେ କଥା ତା’ର, ଯା’ର ଦୁଇ ଆଖିର ଆକାଶେ
ଶ୍ରାବଣର ସବୁ ମେଘ ସବୁ ନଦୀ ହ୍ରଦ ହୋଇ ଭାସେ
ଯା’ ଦେହର ମ୍ଳାନ ଋତୁ ଯନ୍ତ୍ରଣାରେ କ୍ରମନୀଳ ହୋଇ
ବିଷର୍ଣ୍ଣ ପତ୍ରଟି ପରି ଶ୍ୟାମ - କୃର କୁହୁଡିରେ ମିଶେ ।

ଆକ୍ରୋଶର ରାତି ପରି ତା’ ଦେହରୁ ହେବନି କି ଶେଷ
ଭଲ ପାଇବାର ଗ୍ଲାନି, ଛାୟାଛନ୍ନ ନିବିଡ ପ୍ରଦୋଷ ।

ବସନ୍ତ

ବସନ୍ତ ଅଟକିଯାଏ ତଣ୍ଟି ପାଖେ । ଢୋକି ହୁଏ ନାହିଁ
ଗର୍ଭରେ ବ୍ୟାପଇ ଚେର, ଫୁଲ ଫୁଟେ ଆଖିଡୋଳା ସାରା
ପିଠି ଓ ଛାତିରେ ଉଠେ ନୀଳଘାସ । ଅରଣ୍ୟର ଈର୍ଷା ଅତ୍ୟାଚାର
କୁର୍ତ୍ତା ସାରା ଲାଗିଥାଏ କିଛି ଚୈତ୍ର କିଛି ଜାଇଫୁଲ ।

ଚରିତ୍ରହୀନର ଋତୁ ଏଣେ ଆସି ଏଣେ ଚାଲିଯାଏ
କେଉଁଠାରେ ରକ୍ତ ଜମେ, କେଉଁଠାରେ ମହୁ ଉଡିଯାଏ ।