ଫଟୋ - ସୁମିତ୍ରା ପାଢୀ

ସୋମ୍ୟ, ସୌମ୍ୟା, କାମ୍ୟା, ଜୀବନ, ପ୍ରଦୀପ ପରି ଅନେକ ପିଲାଙ୍କର ବାପା ମାଆ ବିଦ୍ୟାଳୟରେ ଗଣିତ, ଇଂରାଜୀ ଉପରେ ଅଧିକ ଜୋର ଦିଆଯାଉନି ବୋଲି ସେମାନଙ୍କୁ ଅନ୍ୟ ବିଦ୍ୟାଳୟକୁ ନେଇଗଲେ । ଘର ପାଖରେ ରହି ସ୍କୁଲ୍ ସମୟ ପରେ ବ୍ୟକ୍ତିଗତ ଟ୍ୟୁସନ ଦେଲେ ଓ ନିଜେ ତଦାରଖ କଲେ ପିଲା ଦଶମରେ ନବେ ପ୍ରତିଶତରୁ ଅଧିକ ରଖିବ ବୋଲି ଆଶା, ଲକ୍ଷ୍ୟ ପିଲା ଭଲ ରୋଜଗାର କରିବ, ବଡ଼ ଚାକିରି କରିବ, ବାପା ମାଆଙ୍କ କଥା ବୁଝିବ ଓ ପିଲା ବିଦେଶରେ ଚାକିରି କରୁଛି କହିବାର ଗୌରବ ବି ମିଳିବ ଅନ୍ୟମାନଙ୍କ ପରି ।

ଆମ ବିଦ୍ୟାଳୟର ଆରମ୍ଭ ସମୟରେ ପଢ଼ୁଥିବା ସୁଜିତ୍ ର ବାପାଙ୍କ ସହ ମୋର ଭେଟ ହୋଇଗଲା ବସ୍ ରେ । ତାଙ୍କୁ ଏବେ ସତୁରୀ । ପୁଅ ତାଙ୍କର ପାଠଶାଠ ପଢ଼ି ସାରି ଜର୍ମାନରେ ଚାକିରି କରିଥିଲା । ସ୍ତ୍ରୀ ପିଲାଙ୍କୁ ନେଇ ସେଇଠି ରହୁଥିଲା । ଏବେ କିଛି ଦିନ ତଳେ ଫେରି ରାଜଧାନୀରେ ଘର କିଣି ରହୁଛି । ଘର କିଣିଲାବେଳେ ବାପାଙ୍କ ଜି.ପି.ଏଫ୍ ଓ ଅନ୍ୟାନ୍ୟ ପଇସା ସବୁ ନେଇଯାଇ ଥିଲା । ଏବେ ତେଣୁ ପେନସନ୍ ବ୍ୟତୀତ ଆଉ କିଛି ବି ଅର୍ଥ ଗଚ୍ଛିତ ହୋଇ ନାହିଁ ବାପାଙ୍କ ପାଖେ । ପୁଅ, ବୋହୂ, ନାତି ସେଇ ଥରେ ଗାଁକୁ ବୁଲିବାକୁ ଆସିିଥିଲେ ଯେ ତା’ପରଠୁ ତିନି, ଚାରି ବର୍ଷ ଭିତରେ ଆଉ ଥରେ ବି ଆସି ନାହାନ୍ତି । ବୁଢ଼ୀ ମାଆଟିକୁ ଦେଖିବା ଲାଗି ବି ନୁହେଁ । ଗାଁର ପରିବେଶ ଅପରିଷ୍କାର ବୋଲି ଆଉ ଆସିବେନି ବୋଲି ମନା ବି କରି ଯାଇଛନ୍ତି ।

ଏବେ ବାପାଙ୍କର ଅଭିଯୋଗ ଯେ, “ପୁଅ ମୋର ଆମକୁ ଦେଖୁନି ସେବା ଯତ୍ନ ବି ଟିକେ କରିବାକୁ ଆସୁନି । ସବୁବେଳେ ବ୍ୟସ୍ତ । ଫୋନ୍ କରି ଭଲମନ୍ଦ ବି ଟିକେ ବୁଝୁନି । ମଣିଷପଣିଆ ଆଉ ନାହିଁ ତା’ ଭିତରେ ।” ମୁଁ ତାଙ୍କର ପୁଅ ଆଡ଼କୁ ଦୋଷ ସବୁ ଠେଲି ଦେବାର ଦେଖି ପଚାରିଲି ସୁଜିତ୍ ଏମିତି ହେବାର କାରଣ କ’ଣ ?” ସେ ଚଟାପଟ୍ କହିଲେ, “ସମାଜର ଅବସ୍ଥା ଦେଖୁ ନାହାନ୍ତି କି ? କ’ଣ ଆଉ କହିବି ଆଜ୍ଞା । ସବୁ ସେଇ ବାହାର ଦୁନିଆର ପ୍ରଭାବ ।” ମୁଁ “ଆପଣ ବି କ’ଣ ଏଥିପାଇଁ ଦାୟୀ ନୁହଁନ୍ତି କି” ପଚାରିବାରୁ ସେ ସିଧାସିଧି ନାହିଁ କରିଦେଲେ । ମୋ ପ୍ରଶ୍ନର ଉଦ୍ଦେଶ୍ୟ ବୁଝି ପାରିଲେନି ଜାଣିବା ପରେ ମୁଁ ଏଥର କଥା ନ ବୁଲାଇ ସିଧା ପଚାରିଲି । “ସୁଜିତ୍ ପିଲା ଥିବାବେଳେ ସେ କ’ଣ କରୁ ବା କ’ଣ ହେଉ ବୋଲି ଆପଣ ଚିନ୍ତା କରିଥିଲେ ବା ଚାହିଁଥିଲେ ଟିକେ ମନେ ପକାଇ କହିଲେ ।“ ସେ କିଛି ସମୟ ନୀରବ ରହିଗଲେ । ତା’ ପରେ ଗମ୍ଭୀର ହୋଇ କହିଲେ, ‘ଆଶା ଥିଲା ଭଲ ପଇସା କମାଉ, ବଡ଼ ଚାକିରି କରୁ, ବିଦେଶରେ ରହୁ ।’ ମୁଁ କହିଲି ‘ଆପଣ ଯାହା ଚାହିଁଥିଲେ ଗୋଟି ଗୋଟି କରି ସେ ତ ଆପଣଙ୍କର ସବୁ ଇଚ୍ଛାକୁ ପୂରଣ କରି ସେଇଆ ହୋଇଛି । ଏଥିରେ ଆପଣ ଅସନ୍ତୁଷ୍ଟ କାହିଁକି ହେଉଛନ୍ତି ? ଦୁନିଆର ବା ଏଥିରେ କ’ଣ ଭୂମିକା ରହିଲା ?’ ଏଥର ସେ ଆଉ ଅନ୍ୟମାନଙ୍କ ପରି ନିଜ ବିଷୟରେ ସଫେଇ ଦେବାକୁ ଯାଇ ଆଉ କହିଲେନି ଯେ “ମୁଁ ସେ ଭଲମଣିଷ ହେଉ ବୋଲି ବି ତ ଚାହୁଁଥିଲି ।” ବୋଧହୁଏ ଦୁନିଆ ଓ ଘଟଣା ସବୁକୁ ଅତି ପାଖରୁ ଦେଖିସାରିବା ପରେ ଏ ପ୍ରାପ୍ତ ବୟସରେ ସେକଥା ସେ ବୁଝିଯାଇଥିଲେ । ଯଦିବା ଏକଥା କହିଥା’ନ୍ତେ ତେବେ ମୁଁ ନିଶ୍ଚୟ ପଚାରିଥା’ନ୍ତି, “ଚାକିରି, ଭଲ ରୋଜଗାର, ଭଲ ମାର୍କ ରଖିବା ପାଇଁ ତ ସ୍କୁଲ, ଘନାଘନା ଟ୍ଯୁସନ୍, ବହି, ଖାତା ସବୁ ଯୋଗାଇ ଦେଉଥିଲେ, ଚବିଶି ଘଣ୍ଟାରୁ ଅଠର, କୋଡ଼ିଏ ଘଣ୍ଟା ସମୟର ରୁଟିନ୍ ବି ଖଞ୍ଜିଥିଲେ । ହେଲେ ଭଲ ମଣିଷ କି ସୁଖି ରହିବା ପାଇଁ କ’ଣ ସବୁ କରିଥିଲେ ? କେତେ ସମୟ ଦେଇଥିଲେ ?” ଆମ ମନରେ ଯଦି ଏ ସନେ୍ଦହ ଥାଏ ତେବେ ଆମେ ବି ଟିକେ ପ୍ରଶ୍ନଟିକୁ ନିଜକୁ ଥରେ ପଚାରିବା ।

ଏ ଅସୁବିଧା କେବଳ ସୁଜିତ୍ ବାପାଙ୍କର ନୁହେଁ, ଏହା ୫୧ ପ୍ରତିଶତ ଭାରତୀୟଙ୍କ ଅସୁବିଧା । ଏଚ୍.ଏସ୍.ବି.ସି. ର ଏକ ଗବେଷଣାତ୍ମକ ପ୍ରବନ୍ଧରେ ଦର୍ଶାଯାଇଥିଲା ଯେ, ସର୍ବାଧିକ ୫୧ ପ୍ରତିଶତ ଭାରତୀୟ ପିଲା ଲାଗି ସଫଳ କ୍ୟାରିଅର୍, ୩୩ ପ୍ରତିଶତ ସୁସ୍ଥ ଜୀବନ ଶୈଳୀ, ୨୨ ପ୍ରତିଶତ ଆରାମଦାୟକ ଜୀବନ ପାଇଁ ବହୁତ ଅର୍ଥ ଦରକାରକୁ ପ୍ରାଧାନ୍ୟ ଦିଅନ୍ତି । ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ର ଯଥା; ଇଂଲଣ୍ଡ, ଆମେରିକା, ଚାଇନା, ତାଇୱାନ, ହଙ୍କଙ୍ଗ୍, ଅଷ୍ଟ୍ରେଲିଆରେ ପିଲାଙ୍କ ଲାଗି ସଫଳ କ୍ୟାରିଅର ଚାହୁଁଥିବା ଲୋକଙ୍କ ସଂଖ୍ୟା ୧୫ ରୁ ୨୦ ପ୍ରତିଶତ ଭିତରେ ।

ସବୁଠୁ ଆଖିଦୃଶିଆ କଥାଟି ହେଉଛି, ଡଜନେରୁ ଅଧିକ ଦେଶର ଲୋକଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଖୁସି ରହିବା । ଇଣ୍ଡୋନେସିଆ (୫୬%), ହଂକଂ (୫୮%), ୟୁ.ଏ.ଇ (୬୦%), ୟୁ.କେ (୭୭%), କାନାଡ଼ା (୭୮%) ଏବଂ ଫ୍ରାନ୍ସରେ ସର୍ବାଧିକ ୮୬% ପ୍ରତିଶତ । ସେମାନଙ୍କ ଲାଗି ନିଜ ପିଲା ଖୁସି ରହିବାଟା ଏକମାତ୍ର ଲକ୍ଷ୍ୟ ହୋଇଥିବାବେଳେ ମାତ୍ର ୪୯ ପ୍ରତିଶତ ଭାରତୀୟଙ୍କ ଅଭିଭାବକଙ୍କ ଲାଗି ତିନୋଟି ମୁଖ୍ୟ ଲକ୍ଷ୍ୟ (ପ୍ରଥମ- କ୍ୟାରିଅର, ଦ୍ୱିତୀୟ - ଅର୍ଥ, ତୃତୀୟ - ଖୁସି) ଭିତରୁ ଏହା କେବଳ ଗୋଟିଏ, ତାହା ପୁଣି ସର୍ବଶେଷ ।

ଭାରତୀୟ ଅଭିଭାବକମାନେ ଉଚ୍ଚଶିକ୍ଷା, ପି.ଜି, ବିଶ୍ୱବିଦ୍ୟାଳୟ ଶିକ୍ଷା, ଅତିରିକ୍ତ ଟ୍ଯୁସନ ଓ ବିଷୟ ବାଛିବା ବିଷୟରେ ମଧ୍ୟ ଅନ୍ୟଦେଶମାନଙ୍କ ଠୁ ଖୁବ୍ ଭିନ୍ନ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଭାରତୀୟ ବାପାମାନେ ଇଞ୍ଜିନିୟରିଂକୁ ବିଷୟ ଓ କ୍ୟାରିଅର ଭାବେ ଅଗ୍ରାଧିକାର ଦେବା ସତ୍ତ୍ୱେ ଭାରତ ବୈଷୟିକ କ୍ଷେତ୍ରରେ ସବୁଠୁ ଦୁର୍ବଳ । କିନ୍ତୁ ଚାଇନିଜ୍ ବାପା, ମାଆ ଇଞ୍ଜିନିୟରିଂକୁ ସବୁଠୁ କମ୍ ଗୁରୁତ୍ୱ ଯଦିଓ ଦିଅନ୍ତି, ତାଙ୍କ ଦେଶ କିନ୍ତୁ ବିଶ୍ୱରେ ସବୁଠୁ ବଡ଼ ଉତ୍ପାଦନ କେନ୍ଦ୍ର ହିସାବରେ ମାନ୍ୟତା ପାଇଛି ।

ଭାରତୀୟ ଅଭିଭାବକଙ୍କର ବିଷୟ ନିର୍ବାଚନ କଥାକୁ ଯଦି ବିଚାରକୁ ନିଆଯାଏ, ତେବେ ତାଙ୍କ ପିଲା ଇଞ୍ଜିନିୟରିଂ (୨୩%), ମ୍ୟାନେଜମେଣ୍ଟ ଓ ଫାଇନାନ୍ସ (୨୨%), କମ୍ପ୍ୟୁଟର ଓ ଇନଫରମେସନ୍ ସାଇନ୍ସ (୧୬%), ମେଡିସିନ୍ (୧୪%) ଏବଂ ଲ (୧୪%) ପଢ଼ୁ ବୋଲି ଚାହାନ୍ତି । ଯାହା ଅନ୍ୟ ଦେଶମାନଙ୍କଠାରୁ ଖୁବ୍ ଭିନ୍ନ । ୮୮ ପ୍ରତିଶତ ଭାରତୀୟ ତାଙ୍କ ପିଲା ସ୍ନାତକୋତ୍ତର ଓ ତଦୁର୍ଦ୍ଧ ପ୍ରମାଣପତ୍ର ହାସଲ କରୁ ବୋଲି ଚାହାନ୍ତି, ଯେତେବେଳେ କି ଆମେରିକାରେ ଏହା ମାତ୍ର ଏକତ୍ରିଂଶ ପ୍ରତିଶତ ।

ଅନ୍ୟମାନଙ୍କ ସହ ଅତିରିକ୍ତ ଟ୍ୟୁସନ, ବିଦେଶରେ ଶିକ୍ଷା ଓ ପ୍ରତିଶତ ପରିମାପ କ୍ଷେତ୍ରରେ ଆମେ କେଉଁଠି ଅଛନ୍ତି ତାହା ନିଶ୍ଚୟ ଏତକରୁ ବୁଝି ହେଉଥିବ ବୋଲି ଆଉ ଅଧିକ କହୁନି । ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ ପିଲାର ଖୁସି କେବେ ଆଉ ଆମକୁ ବଡ଼ ହୋଇ ଦେଖାଯିବ ? କେତେଦିନ ଆଉ ନିଜ ଖୁସି ଓ ନିଜକୁ ସୁରକ୍ଷିତ ରଖିବା ନାଆଁରେ ପିଲାକୁ ବ୍ୟବହାର କରି ଚାଲିଥିବା ? ଆମେ ପିଲାକୁ କିଛି ଶିଖଉନୁ ସେ ଆପେ ଆପେ ଶିଖୁଛି ବୋଲି ଅନ୍ୟମାନଙ୍କ ଆଗରେ ଶୁଆ ପରି କଥାକୁହାଇ ନିଜେ ଖୁସି ହେଉଥିବା, ବାହାବାଃ ନେଉଥିବା ?