ସାତ ନମ୍ବର ପ୍ଲାଷ୍ଟିକ୍‌କୁ ରଙ୍ଗ ଭାବେ ବ୍ୟବହାର କରୁଥିବା ଚିତ୍ରଶିଳ୍ପୀ ମନବୀର୍ ସିଂ

ସମୁଦ୍ରରେ ବଢୁଥିବା ପ୍ଲାଷ୍ଟିକ୍ ପ୍ରଦୂଷଣରେ କଇଁଛମାନେ ଆଜି ବିପଦରେ । ମନବୀର ପୁରୀ ସମୁଦ୍ରକୂଳରେ ମାଛଧରା ଧୀବର ଓ ସାଧାରଣ ଲୋକମାନଙ୍କ ସଚେତନତା ପାଇଁ ପ୍ଲାଷ୍ଟିକ୍‌ରେ ତିଆରିଥିବା ଦୁଇଶହ ଛୋଟ ଛୋଟ କଇଁଛକୁ ନେଇ ସମୁଦ୍ର ଆଡକୁ ମୁହାଁଇଥିବା ପନ୍ଦର ଫୁଟିଆ ଏକ ବଡ଼ କଇଁଛ ତିଆରି କରିଥିଲେ।


ଫଟୋ - ସୁମିତ୍ରା ପାଢୀ

ଚିତ୍ରଶିଳ୍ପୀ ମନବୀର୍ ସିଂଙ୍କୁ ଖାଲି ବସିରହିଥିବାର ମୁଁ କେବେ ଦେଖିନାହିଁ । ସବୁବେଳେ ସେ କିଛି ନା କିଛି କରୁଥାଆନ୍ତି; ସେ ଚିତ୍ର ହେଉ, ସ୍ଥାପତ୍ୟ ହେଉ ଅବା ଭିଡିଓ ଇନଷ୍ଟଲେସନ୍ । ତାଙ୍କ କାମରେ ଗୋଟେ ଲାଗି ରହିବାର ଭାବ ଓ ପ୍ରକୃତି ପ୍ରତି ନିବିଡ଼ ଆନ୍ତରିକତା ସ୍ପଷ୍ଟ ଦିଶେ ସବୁବେଳେ । ଏବେ ଏଇ ମାସେ ହେଲା ଗୋଟିଏ ରେସିଡେନ୍ସିରେ ଯୋଗ ଦେଇଥିବାରୁ ସେ ଅଛନ୍ତି ଭୁବନେଶ୍ୱର ସ୍ଥିତ ଉତ୍ସ ଫାଉଣ୍ଡେସନ୍‌ରେ । ରେସିଡେନ୍ସିର ନାଁ ‘ମେଟିସ୍ ଇନିସିଏଟିଭ୍ ଅନ୍ ପ୍ଟାଷ୍ଟିକସ୍ ଏଣ୍ଡ ଇଣ୍ଡୋ-ପାସିଫିକ୍ ଓସିଏନ୍’ । ଫ୍ରେଞ୍ଚ ଡେଭ୍‌ଲପ୍‌ମେଣ୍ଟ ଏଜେନ୍ସି ଓ ଉତ୍ସ ଫାଉଣ୍ଡେସନ୍ ଫର୍ କଣ୍ଟେମ୍ପରାରୀ ଆର୍ଟର ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଛି । କେବଳ ଯେ ଏମିତି ଏକ ପ୍ରୟାସ ଭାରତରେ ଆୟୋଜିତ ହୋଇଛି ସେକଥା ନୁହେଁ, ଇଣ୍ଡୋନେସିଆ ଓ ମରିସସ୍‌ରେ ମଧ୍ୟ ଏକ ସମୟରେ ଏହା ଚାଲିଛି । ଉଦ୍ଦେଶ୍ୟ ପ୍ଲାଷ୍ଟିକ୍ ବ୍ୟବହାର କରି ଆମେ ଯେଉଁ ଆମ ପରିବେଶ, ଜଳ, ସମୁଦ୍ରକୁ କ୍ଷତି ପହଞ୍ଚାଉଛନ୍ତି, ସାମୁଦ୍ରିକ ଜୀବଜନ୍ତୁଙ୍କ ଜୀବନକୁ ଯେଉଁ ବିପନ୍ନ କରୁଛନ୍ତି, ସେ ସମ୍ପର୍କରେ ଲୋକମାନଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇବା । ଉତ୍ସ ଫାଉଣ୍ଡେସନ୍ ତରଫରୁ ଏଥିପାଇଁ ଓପନ୍ କଲ୍ କରାଯାଇଥିଲା । ସାରା ଭାରତରୁ କଳାକାରମାନେ ଆବେଦନ କରିଥିଲେ । ଦୁଇ ଥାକିଆ ମନୋନୟନ ପ୍ରକ୍ରିୟାରେ ଶେଷକୁ ମନବୀରଙ୍କୁ ଏହି ସମ୍ମାନଜନକ ରେସିଡେନ୍ସି ମିଳିଥିଲା ।

ମନବୀରଙ୍କ ଜନ୍ମ ହରିଦ୍ୱାର ନିକଟବର୍ତ୍ତୀ ଏକ ଗାଁରେ କୃଷକ ପରିବାରରେ ହୋଇଥିଲା । ଆର୍ଥିକ ପରିସ୍ଥିତି ଏତେଟା ସ୍ୱଛଳ ନଥିଲା । ଅଳ୍ପ କିଛି ଜମିରେ ବାପା ତାଙ୍କର ଚାଷ କରି ପରିବାର ଚଳାଉଥିଲେ । ପିଲାଦିନରୁ ମନବୀରଙ୍କ ଚିତ୍ର ପ୍ରତି ଆକର୍ଷଣ ଥିଲା । ମନବୀରଙ୍କ ଚିତ୍ରଶିକ୍ଷା ହୋଇଥିଲା ଦିଲ୍ଲୀ କଲେଜ ଅଫ୍ ଆର୍ଟରେ । ଚିତ୍ରକଳା ଶିକ୍ଷା ପରେ ସେ ତାଙ୍କ ସମସାମୟିକ କଳାକାର ଓ ବନ୍ଧୁମାନଙ୍କ ପରି କଳାରାଜ୍ୟର ସ୍ୱପ୍ନ ପ୍ରବଣତାରେ ଭାସି ନଯାଇ ଜୀବନର ବାସ୍ତବତାର ଦିଗକୁ ବେଶି ବେଶି ଦେଖିବାକୁ ଚେଷ୍ଟା କରିଥିଲେ । ଭାରତର ରାଜଧାନୀ ଦିଲ୍ଲୀ ମହାନଗରୀର ପ୍ରଦୂଷଣ ତାଙ୍କୁ ପର୍ଯ୍ୟାବରଣ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କଲା । ଆମ ମହାନଗରୀ ଆଗ ପଟରୁ ଯେତେ ଚିକ୍କଣ ଓ ଚିକିଚିକିଆ ଦିଶନ୍ତି ପଛପଟେ ତାଠାରୁ ଅଧିକ ଅସନା ଅପରିଷ୍କାର ଥାଆନ୍ତି । ଆଧୁନିକ ଜୀବନଶୈଳୀରେ ପୃଥିବୀକୁ ସବୁଠାରୁ ଅଧିକ ଅଳିଆ ଓ ପ୍ରଦୂଷିତ କରୁଥିବା ପ୍ଳାଷ୍ଟିକ୍ ବ୍ୟବହାର ସବୁଠୁ ଅଧିକା । ହଜାର ହଜାର ବର୍ଷ ଧରି ନଷ୍ଟ ହୋଇନଥିବା ଏତେ ପରିମାଣର ପ୍ଳାଷ୍ଟିକ୍ ଯିବ କୁଆଡେ? ଦିଲ୍ଲୀ ଆଜାଦପୁରରେ କେବଳ ପ୍ଲାଷ୍ଟିକ୍ ଅଳିଆରେ ମଣିଷ ତିଆରି ପାହାଡ଼କୁ ଦେଖିଲେ ଯେ କୌଣସି ପରିବେଶ ସଚେତନ ମଣିଷର ହୋସ୍ ଉଡ଼ିଯିବ ।

ଆଜି ଆମେ ଏମିତି ଏକ ପରିସ୍ଥିତିରେ ପହଞ୍ଚି ସାରିଛେ, ଯେଉଁଠି ଜଳ, ସ୍ଥଳ, ଆକାଶ ସବୁଠି ପ୍ଲାଷ୍ଟିକ୍ର ଉପସ୍ଥିତି ଓ ପ୍ରଦୂଷଣ । ଧୀରେ ଧୀରେ ଆମେ ଯେମିତି ପ୍ଲାଷ୍ଟିକ ଦାନବର କବଳକୁ ଚାଲିଯାଉଛେ । ପରିସ୍ଥିତିକୁ ପାଖରୁ ଦେଖି ଓ ବୁଝିଲା ପରେ ଏମିତି ଏକ ସମୟରେ ଜଣେ କଳାକାରର ଦାୟିତ୍ୱ କ’ଣ ହେବା କଥା? ଯାହା ହେବା କଥା ଠିକ୍ ସେଇଆ ହିଁ କରିଛନ୍ତି ମନବୀର । କ୍ୟାନ୍‌ଭାସ୍, ରଙ୍ଗ ଓ ତୂଳୀର ଯାଗା ନେଇଛି ପ୍ଲାଷ୍ଟିକ୍ । ରଙ୍ଗ ବେରଙ୍ଗ ପ୍ଳାଷ୍ଟିକ୍ କୁ ସଂଗ୍ରହ କରି ପ୍ଲାଷ୍ଟିକ୍ ପ୍ରଦୂଷିତ ଭୁଦୃଶ୍ୟ ତିଆରିଛନ୍ତି ସେ । ପ୍ରକ୍ରିୟା ଭିତରେ ଜାଣିଛନ୍ତି ପ୍ଲାଷ୍ଟିକ୍ କେତେ ପ୍ରକାରର । ଆମ ନିତିଦିନିଆ ବ୍ୟବହାରରେ ଆମେ କେଉଁ କେଉଁ ପ୍ରକାରର ପ୍ଲାଷ୍ଟିକ୍ ବ୍ୟବହାର କରୁଛେ । କୋଉ ପ୍ଲାଷ୍ଟିକ୍ ରିସାଇକ୍ଲିଙ୍ଗ ହୋଇପାରୁଛି ଓ କୋଉ ପ୍ଲାଷ୍ଟିକ୍ ଅପସାଇକ୍ଲିଙ୍ଗ ହେବାର ସମ୍ଭାବନା ରଖୁଛି । ମନବୀରଙ୍କ କହିବା ଅନୁସାରେ, ଆମେ ବଜାରରୁ କିଣି ଘରକୁ ଆଣୁଥିବା ପ୍ଲାଷ୍ଟିକ୍ ଭିତରେ ଖାଇବା ଜିନିଷ ଥିବା ପ୍ୟାକେଟ୍‌ର ପ୍ଲାଷ୍ଟିକ ସବୁଠାରୁ ଅଧିକ ପ୍ରଦୂଷଣ କରୁଛି । ବିଶେଷ କରି ଏହି ପ୍ଲାଷ୍ଟିକ୍ ସବୁ ରିସାଇକିଲ୍ ହୋଇ ଆଉଥରେ ବ୍ୟବହାର ହୁଏନି । ସେଥିପାଇଁ ସେ ଏହି ଫୁଡ୍ ପ୍ୟାକେଜିଂ ପ୍ଲାଷ୍ଟିକ୍ କୁ ସଂଗ୍ରହ କରିବା ଆରମ୍ଭ କରିଥିଲେ । ଦିଲ୍ଲୀରେ ସେ ଘର ଘର ବୁଲି ପ୍ରଥମେ ପ୍ଲାଷ୍ଟିକ୍ ସଂଗ୍ରହ ଆରମ୍ଭ କରିଥିଲେ । ସେଥିପାଇଁ କାଠ ଓ ପ୍ଲାଷ୍ଟିକ୍ ଜାଲରେ ସେ ଛୋଟ ଛୋଟ ବାକ୍ସ ତିଆରି କରିଥିଲେ । ବାକ୍ସର ନାଁ ଦେଇଥିଲେ ହେବିଟ୍ ଚେଞ୍ଜର ବକ୍ସ । ବାକ୍ସଗୁଡିକୁ ଲୋକଙ୍କ ଘରେ ପହଞ୍ଚାଇ ପ୍ଲାଷ୍ଟିକ୍ ର ଅପକାରିତା ବିଷୟରେ ବୁଝାଇ ଅନୁରୋଧ କରୁଥିଲେ ନିତିଦିନ ଘରୁ ବାହାରୁଥିବା ପ୍ଲାଷ୍ଟିକ୍ କୁ ହେବିଟ୍ ଚେଞ୍ଜର ବକ୍ସରେ ରଖିବାକୁ । ପରେ ପୁଣି ସେ ବାକ୍ସକୁ ଲୋକଙ୍କ ଘରୁ ସଂଗ୍ରହ କରୁଥିଲେ । ପ୍ଲାଷ୍ଟିକ୍ ଜରିକୁ ଭଲରେ ଧୋଇ ଶୁଖାଉଥିଲେ ଓ ରଙ୍ଗ ହିସାବରେ ଅଲଗା ଅଲଗା କରି ରଖୁଥିଲେ । ତାପରେ ପାଖ ବସ୍ତିର ସ୍ତ୍ରୀଲୋକମାନଙ୍କୁ ସେ ଜରିକୁ ଭାଙ୍ଗି ଚଉତି ଅଲଗା ଅଲଗା ଷ୍ଟାପଲିଂ କରାଉଥିଲେ । ଶେଷରେ ସେଥିରୁ ତିଆରି କରୁଥିଲେ ଆପଣାର କଳାକୃତି ।

ଚଳିତ ଏ.ଏଫ୍.ଡି ଓ ଉସ୍ô ରେସିଡେନ୍ସିରେ ମନବୀର ଭୁବନେଶ୍ୱରରେ ଚାଳିଶରୁ ଅଧିକ ହେବିଟ୍ ଚେଞ୍ଜର ବକ୍ସ ବାଣ୍ଟିଥିଲେ । ସେଥିରୁ ସଂଗୃହିତ ପ୍ଲାଷ୍ଟିକ୍‌ରେ ସେ ତିଆରି କରିଛନ୍ତି ଦୁଇଶହରୁ ଅଧିକ ଛୋଟ ବଡ଼ ଅଲିଭ୍ ରିଡ୍‌ଲେ କଇଁଛ । ଅଲିଭ ରିଡ୍‌ଲେ କଇଁଛ ଶହ ଶହ ମାଇଲ୍ ସମୁଦ୍ର ପଥ ଅତିକ୍ରମ କରି ଓଡ଼ିଶାର ଗହୀରମଥା ଓ ସୁବର୍ଣ୍ଣରେଖା ନଦୀ ମୁହାଣରେ ଅଣ୍ଡା ଦେବାକୁ ଆସନ୍ତି । ସମୁଦ୍ରରେ ବଢୁଥିବା ପ୍ଲାଷ୍ଟିକ୍ ପ୍ରଦୂଷଣରେ କଇଁଛମାନେ ଆଜି ବିପଦରେ । ଜେଲି ମାଛ ଭାବି ସେମାନେ ପ୍ଲାଷ୍ଟିକ୍ ଜରିକୁ ଖାଇ ସିଧା ମୃତ୍ୟୁମୂଖରେ ପଡୁଛନ୍ତି । ସେଥିପାଇଁ ମନବୀର ପୁରୀ ସମୁଦ୍ରକୂଳରେ ମାଛଧରା ଧୀବର ଓ ସାଧାରଣ ଲୋକମାନଙ୍କ ସଚେତନତା ପାଇଁ ପ୍ଲାଷ୍ଟିକ୍‌ରେ ତିଆରିଥିବା ଦୁଇଶହ ଛୋଟ ଛୋଟ କଇଁଛକୁ ନେଇ ସମୁଦ୍ର ଆଡକୁ ମୁହାଁଇଥିବା ପନ୍ଦର ଫୁଟିଆ ଏକ ବଡ଼ କଇଁଛ ତିଆରି କରିଥିଲେ । ଯାହାକି ସେଦିନ ସମୁଦ୍ର କୂଳକୁ ବୁଲି ଆସିଥିବା ପର୍ଯ୍ୟଟକ, ସ୍ଥାନୀୟ ଲୋକ ଓ ବୁଲା ବିକାଳୀମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା ।

ଆଗାମୀ ୨୮ ତାରିଖ ରବିବାର ସନ୍ଧ୍ୟା ୬.୦୦ଟାରେ ମଧ୍ୟ ସେ ପୁଣିଥରେ ଗୋଟିଏ ଆର୍ଟ ଇନଷ୍ଟଲେସନ୍ କରିବେ ଉତ୍ସ ଫାଉଣ୍ଡେସନ୍ ପରିସରରେ । ସେଦିନ ଆଉ କିଛି ଜାଣିବାକୁ ମିଳିବ ଓଡ଼ିଶାରେ ତାଙ୍କ ଅନୁଭୂତି ବିଷୟରେ । ତେବେ ଏତିକି କହି ରଖିବି ୨୭ ବର୍ଷୀୟ ମନବୀର୍ ପ୍ଲାଷ୍ଟିକ୍ କୁ ନେଇ ଏଇ ଅଳ୍ପ କେତେଦିନ ହେଲା କାମ କରିବା ଆରମ୍ଭ କରିଥିଲେ ହେଁ ଏ ଭିତରେ ୩୫୦ କେ.ଜି ରୁ ଉର୍ଦ୍ଧ୍ୱ ରିସାକିଲ୍ ହୋଇପାରୁନଥିବା ସାତ ନମ୍ବର ପ୍ଲାଷ୍ଟିକ୍‌କୁ ଅପ୍ ସାଇକିଲ୍ କରିସାରିଲେଣି ।

Report an Error