ଫଟୋ ସୌଜନ୍ଯ - ଅନିନ୍ଦିତା ଭଟ୍ଟାଚାର୍ଯ୍ଯ

ଘଣ୍ଟା ଘଣ୍ଟା ଧରି ହେଣ୍ଡମେଡ୍ ପେପର୍ ଉପରେ ଝୁଙ୍କିପଡ଼ି ହାତରେ କଟର୍ ଧରି କୁନି କୁନି ସୁନ୍ଦର ଜାଲି କାମ ଓ ସୁନ୍ଦର ଚିତ୍ର ସବୁ କେବଳ ଅନିନ୍ଦିତା ହିଁ ଆଙ୍କିପାରନ୍ତି ବୋଲି ମୁଁ ଭାବେ । ମୋତେ ଆଶ୍ଚର୍ଯ୍ୟ ଲାଗେ କେମିତି ଏତେ ସମୟ ଧରି ବସି ରହିପାରୁଛନ୍ତି ସେ ! ଏକାଥରେ ଅଧଘଣ୍ଟା ବି ଯଦି ଚିତ୍ର କରିବାକୁ କି ଲେଖିବାକୁ ମୁଁ ବସିଯାଏ ତେବେ ମୋ ଗୋଡ଼, ହାତ ଝିଣିଝିଣି କି ଅଣ୍ଟା ପିଣିପିଣି ହୋଇଯାଏ !

ଅନିନ୍ଦିତା ଭଟ୍ଟାଚାର୍ଯ୍ୟ । ଜନ୍ମ ୧୯୮୫ରେ । ପୂର୍ବପୁରୁଷ ଅବିଭକ୍ତ ଭାରତର ବାଂଲାଦେଶର ମୂଳ ବାସିନ୍ଦା । କିନ୍ତୁ ତାଙ୍କ ପରିବାର ରହିଆସିଛନ୍ତି ଆଜମେର୍, ରାଜସ୍ଥାନରେ । ରାଜସ୍ଥାନ ଏମିତି ଏକ ଜାଗା ଯେଉଁଠି ଅନେକ ପୁରାତନ ପରମ୍ପରା ଏବେବି ବଞ୍ଚିରହିଛି । ଅନିନ୍ଦିତାଙ୍କ ପଢ଼ାପଢ଼ି ସବୁ ସେଇଠି । ଖୁବ୍ ପିଲାଦିନରୁ ସେ ଚିତ୍ର ଆଙ୍କୁଛନ୍ତି । ସାନପିଲା ଥିବା ବେଳୁ ଏକା ଏକା ବସି ଛବି ଅଙ୍କା କାମଟି ତାଙ୍କର ପସନ୍ଦ । ଛୋଟ ପିଲାଟାର ଚିତ୍ରରେ ଏତେ ଆଗ୍ରହ ଦେଖି ବଡ଼ମାନେ ଯିଏ ଯେତେବେଳେ ଘରକୁ ଆସନ୍ତି ଅନିନ୍ଦିତାଙ୍କ ପାଇଁ ଚିତ୍ର ଆଙ୍କିବା ଲାଗି କାଗଜ, ରଙ୍ଗ ନହେଲେ ଚିତ୍ର ସମ୍ପର୍କିତ ବହି ଧରି ଆସନ୍ତି; ସେ ହେଉପଛେ କଳା ସମ୍ପର୍କିତ ତତ୍ତ୍ୱପୂର୍ଣ୍ଣ ବହି ଅବା ବିଶ୍ୱ କଳା ଇତିହାସର ବହି । ତେଣୁ ଏସବୁ ବହି ସେ ସ୍କୁଲ୍ ବେଳୁ ପଢ଼ିବାର ସୁଯୋଗ ପାଇପାରିଛନ୍ତି । ବହିର ଅକ୍ଷର ପଢିଶିଖିବା ଆଗରୁ ଘରେ ଥିବା ଅନେକ ବିଶ୍ୱବିଖ୍ୟାତ ଚିତ୍ରଶିଳ୍ପୀଙ୍କ କଳାକୃତି ସେ ସେଇସବୁ ବହିରୁ ଦେଖୁଥିଲେ । ଅତି କମ୍ ବୟସରେ ସେଇଥିପାଇଁ ତାଙ୍କ ଆଗରେ ବିଶ୍ୱ କଳାଜଗତକୁ ଜାଣିବାର ଗବାକ୍ଷଟେ ଖୋଲି ହୋଇଯାଇଛି । ସେ ଗବାକ୍ଷ ଆହୁରି ବିଶାଳ ହୋଇଛି ଯେତେବେଳେ ସେ ୨୦୦୪ରେ ମହାରାଜା ସୟାଜି ରାଓ ୟୁନିଭର୍ସିଟି, ବରୋଦାରେ ଫାଇନ୍ ଆର୍ଟରେ ସ୍ନାତକ ଓ ସ୍ନାତକୋତ୍ତର କରିବାର ସୁଯୋଗ ପାଇଛନ୍ତି । ସ୍ନାତକୋତ୍ତର ସରିଛି ୨୦୦୯ରେ । ତା’ ପରଠୁ ଦିଲ୍ଲୀରେ ଆରମ୍ଭ ହୋଇଛି ଚିତ୍ରଶିଳ୍ପୀର ଜୀବନ ।

ଅନିନ୍ଦିତା ମନେ ପକାଇ କୁହନ୍ତି; “ସାନ ଥିଲାବେଳେ ସେ କାଗଜରେ ତ ଛବି କରୁଥିଲେ; ତା’ ସାଙ୍ଗରେ ତାଙ୍କ କୋଠରୀରେ କାନ୍ଥ, ଚଟାଣ କିଛି ଛାଡୁନଥିଲେ ।” ଚିତ୍ରମାନେ ଶୀଘ୍ର ଶୀଘ୍ର ଆଙ୍କିପକାଉଥିବା ଚିତ୍ର ନୁହେଁ ବରଂ ଚରମ ଧୈର୍ଯ୍ୟର ସହ ଧିରେଧିରେ କରି ଟିକିନିଖି ଚିତ୍ର ସେ ଆଙ୍କୁଥିଲେ । ବଡ଼ କଥା ହେଲା ଘରେ ବାପା ଓ ମା’ ତାଙ୍କ ଛବି ଆଙ୍କିବାର ଆଗ୍ରହକୁ ବିରୋଧ କରୁନଥିଲେ । କେବଳ ଯେ ବାପାମାଆଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ତାଙ୍କୁ ଏ ପ୍ରକାର ସ୍ୱାଧୀନତା ମିଳିଥିଲା ସେକଥା ନୁହେଁ ବରଂ ତାଙ୍କ ବାପାମାଆ ନିଜ ପିଲାର ଆଗ୍ରହକୁ ହିଁ ସର୍ବାଗ୍ରେ ରଖିଥିଲେ ଓ ସେଇ ଦିଗରେ ପିଲାକୁ ଯିବାକୁ ସହଯୋଗ କରିବା ସହ ଉତ୍ସାହିତ ବି କରୁଥିଲେ ।

ସ୍କୁଲ୍ ପଢ଼ା ସରି ଆସିବାବେଳକୁ ଅନିନ୍ଦିତାଙ୍କ ଚିତ୍ର ଆଗ୍ରହ ଦେଖି କେହି କେହି ତାଙ୍କୁ କଳା ବିଦ୍ୟାଳୟରେ ପଢ଼ିବାକୁ କହିଥିଲେ । ସେତେବେଳକୁ ସେ କଳା ବିଦ୍ୟାଳୟ କହିଲେ କେବଳ ଶାନ୍ତିନିକେତନରେ ଏକ କଳା ମହାବିଦ୍ୟାଳୟ ଥିବା କଥା ଜାଣିଥିଲେ । କିନ୍ତୁ ତାଙ୍କ ବିଦ୍ୟାଳୟର କଳା ଶିକ୍ଷକ ତାଙ୍କୁ ବରୋଦାରେ ଆବେଦନ କରିବାକୁ କହିଥିଲେ । ପ୍ରଥମ ପ୍ରୟାସରେ ହିଁ ତାଙ୍କୁ ସ୍ଥାନ ମିଳିଯାଇଥିଲା ।

୨୦୦୭ ମସିହାର କଥା । ଭାରତୀୟ କଳା ରାଜ୍ୟରେ ପ୍ରବଳ ହଟଚମଟ । ଛବି କିଣାବିକାର ବଜାର ଏକଦମ୍ ଗରମ । ଭାରତୀୟ ସମସାମୟିକ କଳାର ବୁମ୍ ପିରିଅଡ୍‌ର ସମୟ ଇଏ । ବରୋଦାରେ ସେଇଠି ପାଠ ପଢିସାରିଥିବା ଚିତ୍ରଶିଳ୍ପୀଙ୍କ ସହ ଦେଶର ଅନ୍ୟ ସ୍ଥାନରୁ ମଧ୍ୟ ଅନେକ ଚିତ୍ରଶିଳ୍ପୀ ଆସି ଡେରା ପକାଇଥାନ୍ତି । ବହୁତ କିଛି ଓଲଟ ପାଲଟ ହେଉଥାଏ ଚିତ୍ର ରାଜ୍ୟରେ । ଭାରତୀୟ ଚିତ୍ରଧାରାରେ ଫଟୋ ରିଆଲିଜିମ୍ ସହ ଯୋଡି ହେଉଥାଏ ଭିଡିଓ ଆର୍ଟ, ପରଫରମାନ୍ସ ଆର୍ଟ, ଇନଷ୍ଟଲେସନ୍ ଆର୍ଟ ଓ ଆହୁରି ଅନେକ ବିକଳ୍ପ କଳାର ଅଭ୍ୟାସ । ୨୦୦୯ରେ ଅନିନ୍ଦିତାଙ୍କ ସ୍ନାତକ ସରିଲାବେଳକୁ କିନ୍ତୁ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା କବଳରେ ପଡ଼ିଯାଇଥିଲା । ରାତାରାତି ପ୍ରବଳ ଜୁଆରରେ ମତୁଆଲା ଭାରତୀୟ କଳାବଜାରରେ ହଠାତ୍ ଭଟ୍ଟା ଆସିଯାଇଥିଲା । ସହପାଠୀମାନେ ବିକଳ୍ପ କଳାର ରାସ୍ତାରେ ପାଦ ଦେଇ ଚାଲି ଶିଖିଲାବେଳକୁ ଅନିନ୍ଦିତା ଚୁପ୍ ଚାପ୍ ଧୀରସ୍ଥିର ହେଇ ଶିଖୁଥିଲେ ତୈଳ ରଙ୍ଗର କୌଶଳ । ଅସଫଳ ହେଉଥିଲେ କିନ୍ତୁ ଜିଦ୍ ଛାଡୁନଥିଲେ । ଏସବୁ କଥା ପାଖରୁ ଥାଇ ନିରୀକ୍ଷଣ କରୁଥିଲେ ତାଙ୍କ ଶିକ୍ଷକ ବାସୁଦେବନ୍ ଅକ୍କିଥମ୍ ଓରଫ ବାସୁ ସାର୍ । ଶେଷ ପରୀକ୍ଷା ଆଗରୁ ଶିକ୍ଷାର୍ଥୀମାନଙ୍କୁ ଦୁଇ ମାସ ପାଇଁ ଇନଟର୍ଣ୍ଣ କରିବାକୁ ହୁଏ । ହଠାତ୍ ଦିନେ ଅନିନ୍ଦିତାଙ୍କୁ ବାସୁ ସାର୍ ତାଙ୍କର କହିଲେ; “ଅନିନ୍ଦିତା ! ତୁମେ ଏଇ ଦୁଇ ମାସ ଯାଇ ପାରମ୍ପରିକ ମିନିଏଚର୍ ଶିଖ ।” ଅନିନ୍ଦିତା ବୁଝିପାରିଲେନି ସେ ମିନିଏଚର୍ ଅଙ୍କା କାହିଁକି ଶିଖିବେ । ସେ ତ ପ୍ରାଣପଣେ ଲାଗିପଡିଛନ୍ତି ତୈଳ ରଙ୍ଗର କଳା କୌଶଳ ଶିଖିବାରେ । ତେବେ ଶିକ୍ଷକଙ୍କ କଥା ମାନି ସେ ବାହାରିଗଲେ କିଶନଗଡ ।

ଅଷ୍ଟାଦଶ ଶତାବ୍ଦୀରୁ ଆରମ୍ଭ ରାଜସ୍ଥାନ ଶୈଳୀର ମିନିଏଚର୍ ଛବି କିଶନଗଡ଼ରେ ଏବେବି ପାରମ୍ପରିକ ଭାବରେ ଅଙ୍କାଯାଏ । ସେଠାକାର ଛବିର ‘ବନି ଠନି’ ଖୁବ୍ ପ୍ରସିଦ୍ଧ । ଅନିନ୍ଦିତା ମିନିଏଚର୍ ଛବି ଅଙ୍କା ଶିଖିବା ସହ ସେଥିରେ ବ୍ୟବହୃତ ହେଉଥିବା ରଙ୍ଗ ସବୁ କିପରି ତିଆରି ହୁଏ, କିପରି ତିଆରି ହୁଏ କାଗଜ, କେମିତି ସୁନା ଜରି ଲଗାଯାଏ ଓ କେମିତି ଏବଂ କେଉଁ କେଉଁ ପର୍ଯ୍ୟାୟ ଦେଇ ଛବି ଅଙ୍କାଯାଏ ସେସବୁ ସେଇଠି ଶିଖିଲେ । ଦୁଇ ମାସ ପରେ ଅନିନ୍ଦିତା ଯେତେବେଳେ କିଶନଗଡ଼ରୁ ଫେରିଲେ ସେତେବେଳେ ସେ ମାତ୍ର ଗୋଟେ ଦୁଇଟା ଡ୍ରଇଂ ଓ କିଛି ସ୍କେଚ୍ ଏବଂ ବହୁତ ଗୁଡେ ଅନୁଭୂତି ନେଇ ଆସିଥିଲେ । ବିଗତ ଦୁଇ ମାସରେ ଅନ୍ୟ ସହପାଠୀମାନେ ଆକାରରେ ବଡ଼ ବଡ଼ ପୁଳେ ପୁଳେ ଛବି ଆଙ୍କିଥାନ୍ତି, ଅଥଚ ତାଙ୍କ ପାଖରେ ଶିକ୍ଷକମାନଙ୍କୁ ଦେଖାଇବାକୁ କିଛି ନାହିଁ ଯେ । କିନ୍ତୁ ସେ ବର୍ଷ ଶେଷ ପରୀକ୍ଷାରେ ଅନିନ୍ଦିତା ସବୁଠାରୁ ଅଧିକ ନମ୍ବର ରଖି ସ୍ୱର୍ଣ୍ଣପଦକ ପାଇଥିଲେ ଓ ଅନେକ ବର୍ଷ ହେଲାଣି ଭଲ କାମ କରୁଥିବା ପିଲାମାନଙ୍କୁ ମିନିମାଲିଷ୍ଟ ବିଶିଷ୍ଚ ଚିତ୍ରଶିଳ୍ପୀ ନାସରିନ୍ ମହମ୍ମଦିଙ୍କ ନାମରେ ଦିଆଯାଉଥିବା ସମ୍ମାନଜନକ ପୁରସ୍କାର ବି ପାଇଲେ ।

ଠିକ୍ ଏଇ ମୋଡରୁ ନିଜ କଳା ଅଭ୍ୟାସର ରାସ୍ତା ବଦଳାଇଲେ ଅନିନ୍ଦିତା । କିଛିଦିନ ପରେ ପଛକୁ ବୁଲି ଯେବେ ଚାହିଁ ଦେଖିଲେ, ଜାଣିପାରିଲେ ତାଙ୍କର ମାନସିକତା ପ୍ରକୃତରେ ଜଣେ ମିନିଏଚର୍ ଶିଳ୍ପୀର । ଶାନ୍ତ ସରଳ ଧୀର ସ୍ଥିର ହୋଇ ନାଟି ନୁଟି ସେ ଘଣ୍ଟା ଘଣ୍ଟା ଛବି କରିପାରନ୍ତି । ଅନିନ୍ଦିତା ତାଙ୍କ ଛବିରେ ସୂକ୍ଷ୍ମ ଅଙ୍କନ ସାଙ୍ଗରେ କାଗଜକୁ କାଟି ଜାଲି ପରି କରିଦିଅନ୍ତି । ଜାଲି ଉପରେ ଓ ଖାଲି ଜାଗାରେ ଅଙ୍କାଥାଏ ମିନିଏଚର୍ ଚିତ୍ର ସବୁ । କିଛି ଛବି କିଛି ଡିଜାଇନ୍ । ଛବିକୁ କାନ୍ଥଠାରୁ ଟିକେ ଛାଡି ଡିସ୍‌ପ୍ଲେ କରନ୍ତି ସେ । ଫଳରେ ଜାଲି କଟାର ଛାଇ କାନ୍ଥରେ ପଡେ଼ । ଏବେ କାଗଜ ଉପରେ ଅଙ୍କା ଛବି, କାଗଜ କଟା ଜାଲି ଓ ତା’ର ଛାଇ ସବୁକିଛି ମିଶି ତାଙ୍କ କଳାକୃତି ସମଗ୍ର ହୋଇଉଠେ ।

ବରୋଦା ସ୍କୁଲ୍‌ର ପ୍ରମୁଖ ଶିଳ୍ପୀ ଗୁଲାମ୍ ମହମ୍ମଦ ଶେଖ୍ ଓ ନୀଳିମା ଶେଖ୍ ମିନିଏଚର୍‌କୁ ନେଇ ଆଧୁନିକ ଛବି ସବୁ ଆଙ୍କିଛନ୍ତି । ଭୂପେନ୍ ଖାକର୍ ଓ ଆନନ୍ଦଜିତ୍ ରାୟଙ୍କ ଛବିରେ ମଧ୍ୟ ମିନିଏଚର୍‌ର ପ୍ରଭାବ ରହିଛି । କିନ୍ତୁ ଅନିନ୍ଦିତା ବରୋଦାରେ ପଢୁଥିବାବେଳେ ବିକଳ୍ପ କଳା ଅଭ୍ୟାସର ଧାରାରେ ମିନିଏଚର୍ ପଛକୁ ଚାଲିଯାଇଥିଲା । କିନ୍ତୁ ସେହି ସମୟରେ ପାକିସ୍ଥାନରେ ଅନେକ ସମସାମୟିକ ଚିତ୍ରଶିଳ୍ପୀ ମିନିଏଚର୍‌ର ଚିତ୍ରଭାଷାକୁ ବ୍ୟବହାର କରି ଚମତ୍କାର ଚିତ୍ର ଆଙ୍କି ବିଦେଶୀ ଗ୍ୟାଲେରୀ ଓ ମ୍ୟୁଜିଅମ୍ ମାନଙ୍କରେ ପ୍ରଦର୍ଶନୀ କଲେ । ଭାରତରେ ସେହି ଧାରା ଧରିସାରିଥିଲେ ଅନିନ୍ଦିତା । କୌଣସି ଏକ ପାରମ୍ପରିକ ପୁରୁଣା ଛବିର ଚିତ୍ରଭାଷାକୁ ବ୍ୟବହାର କରି ନିଜ ସମୟକୁ ବ୍ୟକ୍ତ କରିବା କିଛି ସହଜ କଥା ନୁହେଁ । ସେଥିରେ ଅନେକ ସମସ୍ୟା ଥାଏ । ଟିକିଏ ଏପାଖ ସେପାଖରେ ଛବି ନା ଏପଟର ହେବ ନା ସେପଟର ହେବ ବୋଲି ଜଗିବାକୁ ହୁଏ ।

ଭାରତରେ ଅନେକ ସମସାମୟିକ ଚିତ୍ରଶିଳ୍ପୀ ସେମାନଙ୍କ ଛବିରେ କୌଣସି ଏକ ପାରମ୍ପରିକ ଛବିରୁ କିଛି କିଛି ଧାର୍ କରି ଆପଣା ଛବିରେ ବ୍ୟବହାର କରନ୍ତି । କିନ୍ତୁ ଅନିନ୍ଦିତା କୁହନ୍ତି, ଜଣେ ଯଦି କୌଣସି ପୁରୁଣା ଭାରତୀୟ ଛବିକୁ ତା’ ଛବିରେ ବ୍ୟବହାର କରୁଛି ତେବେ ତାକୁ ସେ ଛବିର କଳା କୌଶଳ ନିଶ୍ଚୟ ଶିଖିବାକୁ ପଡିବ । ସବୁ ପରମ୍ପରାର ଏକ ନିର୍ଦ୍ଧିଷ୍ଟ ରାସ୍ତା ଅଛି ଓ ତୁମେ କେବଳ ସେହି ରାସ୍ତାରେ ହିଁ ଯାଇ ତାକୁ ଭାଙ୍ଗିପାରିବ । ମିନିଏଚର୍‌କୁ ତାଙ୍କ ଛବିରେ ବ୍ୟବହାର କରୁଥିବା ଅନିନ୍ଦିତା ଏବେବି ସମୟ ପାଇଲେ ସେହି ମିନିଏଚର୍‌ ଶିଳ୍ପୀମାନଙ୍କ ପାଖକୁ ଚାଲିଯାଆନ୍ତି । ପୁଣି କିଛି କଳା କୌଶଳ ଶିଖି ଫେରିଆସନ୍ତି ।

ଅନ୍ୟମାନଙ୍କଠାରୁ ଅଲଗା ହୋଇ ସେଦିନ ଅନିନ୍ଦିତା ଯେଉଁ ଅଲଗା ବାଟ ଧରିଥିଲେ ସେଥିରେ ଆଜି ସେ ସଫଳ ହୋଇଛନ୍ତି । ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ପାଇଛନ୍ତି ସମ୍ମାନ ଓ ପୁରସ୍କାର । ଯୋଡ଼ି ହୋଇଯାଇଛି ଅନେକ ବ୍ୟକ୍ତିଗତ ଓ ଦଳଗତ ପ୍ରଦର୍ଶନୀ । ୨୦୧୯ରେ ଦିଲ୍ଲୀର ଥ୍ରେସହୋଲ୍ଡ ଗ୍ୟାଲେରୀରେ ହୋଇଥିବା ତାଙ୍କ ସୋଲୋ ସୋ କ୍ୟାରିଅନ୍ କଲଚର୍ ଏଣ୍ଡ ଅଦର୍ ଷ୍ଟୋରିଜ୍, ୨୦୧୯ରେ ଇଣ୍ଡିଆନ୍ ଆର୍ଟ ଫେୟାର୍ ସେଥିରୁ କେତୋଟି । ଏଥିସହ ଦେଶ ବିଦେଶର ଅନେକ ଜାଗାରେ ହୋଇଛି ତାଙ୍କର ଚିତ୍ର ପ୍ରଦର୍ଶନୀ । ଲଣ୍ଡନ, ଆମେରିକା, ଲାହୋର, ସିଙ୍ଗାପୁର, ଅଷ୍ଟ୍ରେଲିଆ ଆଦିରେ ପ୍ରଦର୍ଶିତ ହୋଇଛି ଚିତ୍ର । ୨୦୧୭ରେ ସେ ମୋଗଲ୍ ଏଣ୍ଡ ପର୍ସିୟାନ୍ ମିନିଏଚର୍ ପେଣ୍ଟିଙ୍ଗ୍‌ର କର୍ମଶାଳାରେ ଯୋଗ ଦେବାକୁ ଲଣ୍ଡନ ବି ଯାଇଛନ୍ତି ।

ଅନିନ୍ଦିତା ଏଇ ଅଳ୍ପଦିନ ତଳେ ଓଡ଼ିଶା ଆସିଥିଲେ । ଭୁବନେଶ୍ୱରର ଉତ୍ସ ଫାଉଣ୍ଡେସନ ଓ ଆର୍ଯ୍ୟ ଆଇରନ୍, ବଡ଼ବିଲ୍ ଠାରେ ଡିସେମ୍ବର ୫ ରୁ ୧୧ ଯାଏଁ ମିଳିତ ଭାବରେ ଆୟୋଜିତ କରୁଥିବା ବଡବିଲ୍ ଆର୍ଟ ପ୍ରୋଜେକ୍ଟରେ ଅନ୍ୟତମ କଳାକାର ଭାବରେ ଯୋଗ ଦେଉଛନ୍ତି ସେ । ଏଥର ପ୍ରକଳ୍ପର ଯୋଜନା ଅନୁସାରେ ଜଣେ ସମସାମୟିକ ଚିତ୍ରଶିଳ୍ପୀଙ୍କ ସହ ଓଡ଼ିଶାର ଜଣେ ପାରମ୍ପରିକ ଶିଳ୍ପୀ ମିଶି କାମ କରିବେ । ସେହି କ୍ରମରେ ଓଡ଼ିଶାର ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିଜୟ ପରିଡ଼ାଙ୍କ ସହ ମିଶି କାମ କରୁଛନ୍ତି ଅନିନ୍ଦିତା । ଏବେ ଅପେକ୍ଷା ରହିଲା ରାଜସ୍ଥାନର ପାରମ୍ପରିକ କିଶନଗଡ଼ର ମିନିଏଚର୍ ଶିଖିଥିବା ତଥା ବରୋଦାରେ ସମସାମୟିକ ଚିତ୍ରଶିକ୍ଷା କରିଥିବା ଅନିନ୍ଦିତା ଓ ଓଡ଼ିଶୀ ଛବି ଆଙ୍କୁଥିବା ବିଜୟ ପରିଡ଼ାଙ୍କ ଯୁଗଳବନ୍ଦୀରେ କ’ଣ ବାହାରିକି ଆସୁଛି ଦେଖିବାକୁ ।