ଫଟୋ - ୱିକି ମିଡିଆ

(ଆଇଜାକ୍ ବାଶେଭିସ୍ ସିଙ୍ଗର୍ ବିଶ୍ବ ସାହିତ୍ୟର ଅତୁଳନୀୟ ପ୍ରତିଭା । ନିଜ ଲେଖାରେ ସାଧାରଣ ଲାଗୁଥିବା ବର୍ଣ୍ଣନାଶୈଳୀ ଭିତରେ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭବ ସବୁକୁ ପାଠକ ସାମ୍ନାରେ ରଖିବାର ଯେଉଁ ସାମର୍ଥ୍ୟ ସିଙ୍ଗରଙ୍କର ଅଛି, ତାହା ଏକବାରେ ବିରଳ । ପଢ଼ନ୍ତୁ ୧୯୭୮ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ସେହି ଲେଖକଙ୍କର ଏକ ଅବିସ୍ମରଣୀୟ ଗପ, "The Key"ର ଓଡ଼ିଆ ଅନୁବାଦ ।)

ମୂଳ ୟିଦ୍ଦିଶ୍ - ଆଇଜାକ୍ ବାଶେଭିସ୍ ସିଙ୍ଗର୍
ଇଂରାଜୀ ଅନୁବାଦ - ଆଇଜାକ୍ ବାଶେଭିସ୍ ସିଙ୍ଗର୍ ଏବଂ ଇଭଲିନ୍ ଟର୍ଟନ୍ ବେକ୍
ଓଡ଼ିଆ ଅନୁବାଦ - ନିଖିଳେଶ ମିଶ୍ର

(୧)

ଉପରବେଳା ତିନିଟା ପାଖାପାଖି ବେସି ପପକିନ୍ ଘରୁ ଗଳିକୁ ବାହାରିବାକୁ ସଜ ହେଲେ । ବାହାରକୁ ଯିବାରେ ଅବଶ୍ୟ ତାଙ୍କର ଅନେକ ଅସୁବିଧା ଥିଲା, ଖାସ୍ କରି ଏଇଭଳି ଅସମ୍ଭବ ଖରା ହଉଥିବା ଗୋଟିଏ ଦିନରେ । ଏକେ ତ ନିଜ ମୋଟା ଦେହକୁ କଷ୍ଟେମଷ୍ଟେ ପିନ୍ଧିବାକୁ ଥିବା କର୍ସେଟ୍ ଭିତରେ ପୂରାଅ, ନିଜର ଫୁଲିଲା ଫୁଲିଲା ପାଦକୁ ଜୋତାରେ ଭର୍ତ୍ତି କର ଆଉ ମୁଣ୍ଡ କୁଣ୍ଡାଅ ... ବେସି ନିଜ ଚୁଟିକୁ ନିଜେ ହିଁ ଘରେ ରଙ୍ଗଉଥିଲେ - ହଳଦିଆ, କଳା, ଧୂସର ଆଉ ଲାଲ୍ ରଙ୍ଗରେ - ଆଉ ଏମିତି ଅନାବନା ହେଇ ସେ ଚୁଟି ବଢ଼ିଥିଲା ଯେ ନକହିବା ଭଲ । ଦ୍ଵିତୀୟ ଅସୁବିଧା ହେଲା ଏକଥା ସୁନିଶ୍ଚିତ କରିବା ଯେ ସିଏ ବାହାରକୁ ଯାଇଥିଲାବେଳେ ତାଙ୍କ ପଡ଼ୋଶୀମାନେ ଯେମିତି ତାଙ୍କ ଆପାର୍ଟମେଣ୍ଟକୁ ପଶି ନ ଯାଆନ୍ତି, ଆଉ ପଶିଯାଇ ତାଙ୍କ ଲୁଗାପଟା କି କାଗଜପତ୍ର ଚୋରି ନ କରନ୍ତି କି ଖାଲି ଜିନିଷଗୁଡ଼ାକୁ ଖେଳେଇ ମେଳେଇ ଏପଟ ସେପଟ କରି ହଜେଇ ନ ଦିଅନ୍ତି ।

ବେସିଙ୍କୁ ହଇରାଣ କଲାବାଲାଙ୍କ ଭିତରେ ତ ଖାଲି ମଣିଷ ନଥିଲେ, ଭୂତ, ପିଶାଚ ଆଉ ସଇତାନୀ ଶକ୍ତିମାନଙ୍କ ଦୌରାତ୍ମ୍ୟ ବି ଅତିଷ୍ଠ କରି ରଖିଥିଲା ତାଙ୍କୁ । ରାତିରେ ତାଙ୍କ ଚଷମା ଯଦି ସିଏ ଶେଯ ପାଖ ଟେବୁଲ ଉପରେ ଥୋଉଥିଲେ ତାହେଲେ ସକାଳକୁ ତାହା ମିଳୁଥିଲା ଯାଇ ତାଙ୍କ ଚପଲ ପାଖରେ । ଚୁଟିର ରଙ୍ଗ ଥିବା ବୋତଲଟି ଯଦି ସିଏ ଔଷଧ ଥୁଆ ହେଇଥିବା ଥାକରେ ଥୋଉଥିଲେ ତାହେଲେ କିଛି ଦିନ ପରେ ସେଇଟି ତକିଆ ତଳୁ ପାଉଥିଲେ । ଥରେ କଣ ହେଲା ନା ସିଏ ଫ୍ରିଜ୍ ଭିତରେ ଗିନାଏ ସୁପ୍ ରଖିଥିଲେ । ହେଲେ ସେଇ ଅଦୃଶ୍ୟ ଶକ୍ତି ତାକୁ ନେଇଗଲା ଆଉ ଅନେକ ଖୋଜାଖୋଜି ପରେ ବେସି ସେ ସୁପ୍ ଗିନାକୁ ପାଇଲେ ତାଙ୍କ ଲୁଗାପଟା ରଖୁଥିବା ଆଲମାରୀ ଥାକରୁ । ଆଉ ସେ ସୁପ୍ ଉପରେ ବହଳିଆ ଘିଅ ପରି ପରସ୍ତେ ବସିଯାଇଥିଲା ଯାହା ମଲା ପଶୁର ଚମଡ଼ା ପରି ଗନ୍ଧଉଥିଲା ।

ତାଙ୍କୁ କେତେ କଣ ଭୋଗିବାକୁ ପଡ଼ୁଥିଲା, ତାଙ୍କ ସହ କି କି ପ୍ରକାରର ଚାଲାକୀ ଖେଳାଯାଉଥିଲା ଆଉ କି ଧରଣର ପରିଶ୍ରମ କରି ସେ ନିଜକୁ ନଷ୍ଟ ବା ପାଗଳ ହେଇଯିବାରୁ ଏଯାଏଁ ବଞ୍ଚେଇପାରିଥିଲେ, ଏକଥା କେବଳ ଈଶ୍ବର ଜାଣନ୍ତି । ସେ ଟେଲିଫୋନ ବ୍ୟବହାର କରିବା ବନ୍ଦ କରିଦେଇଥିଲେ କାରଣ ତାଙ୍କୁ ଦିନରାତି ବାରମ୍ବାର ଫୋନ କରି ଠକ ଆଉ ନଷ୍ଟଚରିତ୍ର ଲୋକମାନେ ତାଙ୍କର ସବୁ ଗୋପନୀୟ ତଥ୍ୟ ଆଦାୟ କରିବାକୁ ଚେଷ୍ଟା କରୁଥିଲେ । ପୁଏର୍ଟୋରିକୀୟ କ୍ଷୀରବାଲାଟା ଥରେ ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲା । ତେଜରାତି ଦୋକାନରୁ ଜିନିଷ ଆଣି ପହଞ୍ଚଉଥିବା ଟୋକାଟା ସିଗାରେଟ୍ ନିଆଁରେ ତାଙ୍କର ଜିନିଷପତ୍ର ସବୁ ପୋଡ଼ିଦବାକୁ ଚେଷ୍ଟା କରିଥିଲା । ଆଉ ସେ ପଇଁତିରିଶ ବର୍ଷ ହେଲା ଯୋଉ ଆପାର୍ଟମେଣ୍ଟରେ ଭଡ଼ାରେ ରହିଆସୁଚନ୍ତି, ସେଠୁ ତାଙ୍କୁ ତଡ଼ିଦବା ପାଇଁ କମ୍ପାନୀ ଆଉ ସୁପରିଟେଣ୍ଡେଣ୍ଟ ମିଶି ତାଙ୍କ ଘର ଭିତରକୁ ମୂଷା ଆଉ ଅସରପାମାନଙ୍କର ଦଳ ଛାଡ଼ିଦେଇଥିଲେ ।

ବେସି ଅନେକ ଦିନ ତଳୁ ହୃଦୟଙ୍ଗମ କରିସାରିଥିଲେ ଯେ ପ୍ରତିହିଂସା ପରାୟଣ ହବାକୁ ଶପଥ କରିଥିବା ଶକ୍ତିମାନଙ୍କର ପ୍ରତିରୋଧ ପାଇଁ ଯେତେ ସାଧନ ଯୋଗାଡ଼ କଲେ ବି ନିଅଣ୍ଟ । ଲୁହାର କବାଟ, ମଜବୁତ ତାଲା କି ଦରଖାସ୍ତ - ପୋଲିସକୁ ହଉ କି ମେୟର କି ଏଫବିଆଇ, ଏମିତି କି ଆମେରିକା ରାଷ୍ଟ୍ରପତିଙ୍କୁ ହଉ ପଛେ, କିଛି ବି ଯଥେଷ୍ଟ ନୁହେଁ । କିନ୍ତୁ ଯେଯାଏଁ ନିଃଶ୍ୱାସ ପ୍ରଶ୍ବାସ ଚାଲୁଚି ସେଯାଏଁ ବଞ୍ଚିବାକୁ ତ ପଡ଼ିବ । ଝରକା, କବାଟ ଆଉ ସ୍କାଇଲାଇଟ ବନ୍ଦ ଅଛି କି ନାଇଁ ସୁନିଶ୍ଚିତ କରିବାରେ, ଡ୍ରୟରରେ ତାଲା ପଡ଼ିଚି କି ନାଇଁ ଦେଖିବାରେ ଅନେକ ସମୟ ଗଲା ତାଙ୍କର । କାଗଜ ନୋଟ୍ ସବୁ ସେ ଏନସାଇକ୍ଲୋପିଡ଼ିଆ ଖଣ୍ଡ, ନ୍ୟାସନାଲ ଜିଓଗ୍ରାଫିକ୍ ପତ୍ରିକା ଆଉ ତାଙ୍କ ସ୍ୱାମୀ ସାମ୍ ପପକିନ୍ ଙ୍କ ପୁରୁଣା ହିସାବ ଖାତା ଭିତରେ ରଖିଲେ । ତାଙ୍କର ଷ୍ଟକ୍ ଆଉ ବଣ୍ଡ୍ କାଗଜସବୁରୁ କିଛି ସେ ଆଗରୁ ରଖିଦେଇଥିଲେ ନିଆଁ ପୋଇଁବା ପାଇଁ ଥିବା ଉହ୍ମେଇର କାଠଗଡ଼ସବୁ ଭିତରେ । ଏ କାଠସବୁକୁ ସେ କେବେ ବି ବ୍ୟବହାର କରୁନଥିଲେ । ବାକିତକ ରଖିଥିଲେ ଚଉକିର ଗଦିତଳେ । ତାଙ୍କ ଗହଣା ସବୁକୁ ସେ ଶେଯରେ ପଡ଼ିଥିବା ଗଦି ଭିତରେ ପୂରେଇ ସିଲେଇ କରିଦେଇଥିଲେ ଆଗରୁ ହିଁ । ଗୋଟେ ସମୟ ଥିଲା ଯେତେବେଳେ ବେସିଙ୍କର ବ୍ୟାଙ୍କରେ ସୁରକ୍ଷା ବାକ୍ସ ଥିଲା କିନ୍ତୁ ଅନେକ ଦିନ ତଳୁ ସେ ଜାଣିସାରିଥିଲେ ଯେ ବ୍ୟାଙ୍କର ସୁରକ୍ଷାକର୍ମୀମାନଙ୍କ ପାଖରେ ତାଙ୍କ ସୁରକ୍ଷା ବାକ୍ସର ନକଲି ଚାବି ଥିଲା ।

ଉପରବେଳା ପ୍ରାୟ ପାଞ୍ଚଟା ପାଖାପାଖି ବେସିଙ୍କ କାମ ସରିଲା ଆଉ ସେ ବାହାରକୁ ଯିବା ପାଇଁ ପ୍ରସ୍ତୁତ ଥିଲେ । ସିଏ ନିଜକୁ ଆଉଥରେ ଆଇନାରେ ଦେଖିନେଲେ - ଛୋଟ ଅଥଚ ପ୍ରଶସ୍ତ କପାଳ, ଚେପଟା ନାକ ଆଉ ଟଣାଟଣା ପ୍ରାୟ ଅଧାବୁଜା ଆଖି, ଠିକ ଯେମିତି ଚୀନର ଲୋକଙ୍କର ଥାଏ । ତାଙ୍କ ଚିବୁକରେ ଗୋଟେ ଅଧେ ଧଳା ରୁମ ଉଠିଥିଲା । ସିଏ ଫିକା ରଙ୍ଗର ଗୋଟେ ଫୁଲପକା ଡ୍ରେସ୍ ପିନ୍ଧିଥିଲେ ଆଉ ମୁଣ୍ଡରେ ନାଇଥିଲେ ଅବାଗିଆ ଝୋଟ ଟୋପିଟିଏ ଯୋଉଥିରେ କାଠର ଅଙ୍ଗୁର ଆଉ ଚେରୀ ସବୁ ଲାଗିଥିଲା । ତା' ସାଙ୍ଗକୁ ପିନ୍ଧିଥିଲେ ପୁରୁଣା ଜୋତା ହଳେ । ଘରୁ ଯିବା ପୂର୍ବରୁ ସେ ଆଉଥରେ ରୋଷେଇଘର ଆଉ ବାକି ବଖରା ସବୁକୁ ଭଲ ଭାବରେ ନିରୀକ୍ଷା କରି ଦେଖିନେଲେ । ସବୁଆଡ଼େ ଲୁଗାପଟା, ଜୋତା ଆଉ ଖୋଲା ହେଇନଥିବା ଚିଠି ଗଦା ହେଇ ପଡ଼ିଥିଲା । ବେସିଙ୍କ ସ୍ୱାମୀ ସାମ୍ ପପକିନ୍, ଯିଏ ପ୍ରାୟ କୋଡ଼ିଏ ବର୍ଷ ତଳୁ ମରିସାରିଥିଲେ, ମରିବା ପୂର୍ବରୁ ତାଙ୍କର କୋଠାବାଡ଼ିର ବ୍ୟବସାୟକୁ ବନ୍ଦ କରିଦେଇଥିଲେ କାରଣ ତାଙ୍କର ଯୋଜନା ଥିଲା ଅବସର ନେଇ ଫ୍ଲୋରିଡ଼ା ଚାଲିଯିବେ ବୋଲି । ମରିଗଲା ପରେ ସେ ବେସିଙ୍କ ପାଇଁ ନିଜ ଷ୍ଟକ୍, ବଣ୍ଡ୍ ଆଉ ବ୍ୟାଙ୍କ ଜମାଖାତାତକ ତ ଛାଡ଼ିଯାଇଥିଲେ ହିଁ, କିଛି ବନ୍ଧକ ବି ଛାଡ଼ିଯାଇଥିଲେ । ଆଜିଯାଏଁ ଅନେକ ଫାର୍ମରୁ ବେସିଙ୍କ ପାଖକୁ ସେସବୁର ରିପୋର୍ଟ ଆସେ, ଚେକ୍ ବି । ଆୟକର ବିଭାଗ ତାଙ୍କ ପାଖରୁ କର କାଟିନିଏ । କିଛି ସପ୍ତାହକୁ ଥରେ ନିୟମିତ ଭାବରେ ଆଜିଯାଏଁ ତାଙ୍କ ପାଖକୁ ଗୋଟେ ଅନ୍ତିମ ସଂସ୍କାର କରୁଥିବା କମ୍ପାନୀ ପାଖରୁ ଚିଠି ଆସେ ଯେ କୋଉ ଏକ 'ଖୋଲା କବରସ୍ଥାନ'ରେ ଆଉ ଗୋଟିଏ ପ୍ଲଟ୍ ବିକ୍ରି ହେଲା । ପ୍ରଥମେ ପ୍ରଥମେ କେଇବର୍ଷ ବେସି ଚିଠି ସବୁର ଉତ୍ତର ଫେରଉଥିଲେ, ନିଜ ଆୟ ଓ ବ୍ୟୟର ହିସାବ ରଖୁଥିଲେ । କିନ୍ତୁ ଏବେ ସେସବୁ ପ୍ରତି ସେ ଥିଲେ ଏକବାରେ ଉଦାସୀନ । ସେ ଖବରକାଗଜ ସୁଦ୍ଧା କିଣିବା ବନ୍ଦ କରିଦେଇଥିଲେ ଆଉ ସେଥିରେ ବାହାରୁଥିବା 'ବିତ୍ତୀୟ ପୃଷ୍ଠା'କୁ ପଢ଼ିବା ବି ।

ବାରଣ୍ଡାକୁ ବାହାରିଲା ପରେ ବେସି ତାଙ୍କ କବାଟ କଣରେ କେତୋଟି କାର୍ଡ ଖୋସିଲେ । ସେଥିରେ ସାଙ୍କେତିକ ଭାଷାରେ କିଛି ଲେଖା ହେଇଥିଲା ଯାହା କେବଳ ବେସି ହିଁ ଚିହ୍ନିପାରିବେ । ତାଲାର ମୁହଁକୁ ସେ ଜଉ ଦେଇ ବନ୍ଦ କଲେ । କଣ ବା ଆଉ ସେ କରିପାରିବେ - ଏକୁଟିଆ ବିଧବା ସ୍ତ୍ରୀଲୋକଟିଏ ଯାହାର ପିଲାଛୁଆ, ସାଙ୍ , ସମ୍ପର୍କୀୟ କେହି ବୋଲି କେହି ନାହାନ୍ତି ? ଗୋଟେ ସମୟ ଥିଲା ଯେତେବେଳେ ପଡ଼ୋଶୀମାନେ ନିଜ ନିଜର କବାଟ ଖୋଲି ତାଙ୍କର ଏ ଅତ୍ୟଧିକ ସତର୍କତା ଦେଖି ହସୁଥିଲେ । କିଛି ଲୋକ ତାଙ୍କୁ ନେଇ ଥଟ୍ଟାମଜା କରୁଥିଲେ । ସେ ସମୟ କେବେଠୁଁ ଗଲାଣି । ଏବେ ଆଉ ବେସି କାହା ସହ କଥା ହଉନଥିଲେ । ତାଙ୍କ ଆଖିକୁ ବି ଆଉ ଭଲ ଦିଶୁନଥିଲା । ଏତେ ବର୍ଷ ଧରି ଯୋଉ ଚଷମା ସେ ପିନ୍ଧିଆସିଥିଲେ ଏବେ ଆଉ ତା'ର କିଛି ଅର୍ଥ ନଥିଲା । ଏବେ ପୁଣିଥରେ ଆଖି ଡାକ୍ତର ପାଖକୁ ଯାଇ ଆଖି ପରୀକ୍ଷା କରେଇ ନୂଆ ଚଷମା ଆଣିବା ତାଙ୍କୁ ଖୁବ୍ ଅଧିକା ପରିଶ୍ରମ ବୋଲି ଲାଗୁଥିଲା । ସବୁ କିଛି କଷ୍ଟ ଲାଗୁଥିଲା - ଏମିତି କି ଲିଫ୍ଟ ଭିତରକୁ ପଶିବା ଆଉ ସେଠୁ ବାହାରକୁ ବାହାରିବା ବି । ଲିଫ୍ଟର କବାଟ ସବୁବେଳେ ଧମ୍ ଆୱାଜ୍ କରି ବନ୍ଦ ହଉଥିଲା ।

ବେସି ପ୍ରାୟ ତାଙ୍କ ଘରଠାରୁ ଦୁଇରୁ ଅଧିକା ଗଳି ଦୂରକୁ ଯାଉନଥିଲେ । ବ୍ରଡୱେରୁ ରିଭରସାଇଡ୍ ଡ୍ରାଇଭ୍ ଆଡ଼କୁ ପଡ଼ିଥିବା ଗଳି ଦିନକୁ ଦିନ ଅଧିକା ଅସନା ଆଉ ଅଧିକା ହୋ - ହାଲ୍ଲାରେ ଭରପୂର ହେଇଉଠୁଥିଲା । ଦଳ ଦଳ ଲଙ୍ଗଳା ଛୁଆ ବାଟସାରା ଧାଁ - ଦଉଡ କରୁଥିଲେ । ମାଟିଆ ରଙ୍ଗ ଆଉ କୁଞ୍ଚକୁଞ୍ଚିଆ ଚୁଟି ଥିବା ପୁରୁଷମାନେ ଗର୍ଭବତୀ ଗେଡୀ ସ୍ତ୍ରୀଲୋକମାନଙ୍କ ସହ ସ୍ପାନିଶ୍ ଭାଷାରେ ଝଗଡ଼ା କରୁଥିଲେ । ସ୍ତ୍ରୀଲୋକମାନେ ବି କିଳିକିଳା ସ୍ୱରରେ ଉତ୍ତର ଫେରଉଥିଲେ । କୁକୁରମାନେ ଭୋ - ଭୋ ଭୁକୁଥିଲେ, ବିଲେଇମାନେ ମିଆଁଉ - ମିଆଁଉ ବୋବଉଥିଲେ । କୋଉଠି ନା କୋଉଠି ନିଆଁ ଲାଗିଯାଉଥିଲା ଆଉ ଦମକଳ ଗାଡ଼ି, ଆମ୍ବୁଲାନ୍ସ ଏବଂ ପୋଲିସ ଜିପ୍ ସବୁ ରାସ୍ତାରେ ଦୌଡ଼ୁଥିଲେ । ବ୍ରଡୱେରେ ପୁରୁଣା ତେଜରାତି ଦୋକାନ ଜାଗାରେ ସୁପର୍ ମାର୍କେଟ୍ ସବୁ ମୁଣ୍ଡ ଟେକିସାରିଥିଲେ ଯୋଉଠି ନିଜ ସଉଦା ନିଜେ ହିଁ ଉଠେଇ ଗୋଟିଏ ଠେଲାଗାଡ଼ିରେ ପକେଇବାକୁ ପଡୁଥିଲା ଆଉ ତାକୁ ପେଲିପେଲି ଯାଇ ପୁଣି ଧାଡ଼ିରେ କ୍ୟାସିଅର୍ ସାମ୍ନାରେ ଠିଆ ହବାକୁ ପଡୁଥିଲା ।

ସ୍ଵର୍ଗର ଈଶ୍ବର ସାକ୍ଷୀ - ସାମ୍ ମରିବା ପରଠାରୁ ଖାଲି ନ୍ୟୁୟର୍କ କାହିଁକି, ପୂରା ଆମେରିକା - ବୋଧେ ପୂରା ଦୁନିଆଟା ହିଁ ବିନାଶ ଆଡ଼କୁ ଯାଉଥିଲା ଯେମିତି । ସବୁ ଭଦ୍ରଲୋକ ବେସିଙ୍କ ଗଳି ଛାଡ଼ି ଚାଲିଯାଇଥିଲେ ବା ସେମାନଙ୍କୁ ତଡ଼ିଦେଇ ସେମାନଙ୍କ ଜାଗା ମାଡ଼ିବସିଥିଲେ ପଞ୍ଝେ ଚୋର, ଦଳେ ଡକାୟତ ଆଉ ପଲେ ବେଶ୍ୟା । ତିନିଥର ବେସିଙ୍କ ପକେଟ୍ ବୁକ୍ ଚୋରି ହେଇସାରିଥିଲା । ଯେତେବେଳେ ସେ ପୋଲିସ ଷ୍ଟେସନ ଯାଇ ଏକଥା କହିଥିଲେ, ସେମାନେ ଖାଲି ହସିଥିଲେ । ପ୍ରତିଥର ରାସ୍ତା ପାର ହେଲାବେଳେ ସତେ ଯେମିତି ନିଜ ଜୀବନକୁ ବାଜି ଲଗେଇବାକୁ ପଡ଼ୁଥିଲା । ବେସି ପାଦେ ଆଗକୁ ଗଲେ କିନ୍ତୁ ରହିଗଲେ । ତାଙ୍କୁ କିଏ ଜଣେ କହିଥିଲା ବାଡ଼ି ଖଣ୍ଡେ ଧରି ଚାଲିବାକୁ, ହେଲେ ସେ ନିଜକୁ ବୁଢ଼ୀ ବା ବିକଳାଙ୍ଗ ବୋଲି ମାନିବା ପାଇଁ ଆଦୌ ପ୍ରସ୍ତୁତ ନଥିଲେ । ପ୍ରତି କିଛି ସପ୍ତାହକୁ ଥରେ ସେ ନିଜ ନଖ ସବୁରେ ଲାଲ୍ ରଙ୍ଗ ଲଗଉଥିଲେ । ବେଳେବେଳେ ଯେତେବେଳେ ଆଣ୍ଠୁଗଣ୍ଠି ବିନ୍ଧା ତାଙ୍କୁ କିଛିକ୍ଷଣ ପାଇଁ ଶାନ୍ତିରେ ଛାଡ଼ିଦଉଥିଲା, ସେ ନିଜର ପୁରୁଣା ଡ୍ରେସ୍ ସବୁକୁ ଆଲମାରୀରୁ କାଢ଼ି ପିନ୍ଧୁଥିଲେ ଆଉ ନିଜକୁ ଆଇନାରେ ଦେଖୁଥିଲେ ।

ସୁପର୍ ମାର୍କେଟର କବାଟ ଖୋଲିବା ଅସମ୍ଭବ ଥିଲା । ବେସିଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ସେଯାଏଁ ଯେଯାଏଁ କେହି ଜଣେ ...

(କ୍ରମଶଃ...)