ଫଟୋ - ନୋବେଲ ଡଟ ଓଆରଜି

(ଆଇଜାକ୍ ବାଶେଭିସ୍ ସିଙ୍ଗର୍ ବିଶ୍ବ ସାହିତ୍ୟର ଅତୁଳନୀୟ ପ୍ରତିଭା । ନିଜ ଲେଖାରେ ସାଧାରଣ ଲାଗୁଥିବା ବର୍ଣ୍ଣନାଶୈଳୀ ଭିତରେ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭବ ସବୁକୁ ପାଠକ ସାମ୍ନାରେ ରଖିବାର ଯେଉଁ ସାମର୍ଥ୍ୟ ସିଙ୍ଗରଙ୍କର ଅଛି , ତାହା ଏକବାରେ ବିରଳ । ପଢ଼ନ୍ତୁ ୧୯୭୮ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ସେହି ଲେଖକଙ୍କର ଏକ ଅବିସ୍ମରଣୀୟ ଗପ , "The Key"ର ଓଡ଼ିଆ ଅନୁବାଦର ପରବର୍ତ୍ତୀ ଅଂଶ ।)

ମୂଳ ୟିଦ୍ଦିଶ୍ - ଆଇଜାକ୍ ବାଶେଭିସ୍ ସିଙ୍ଗର୍
ଇଂରାଜୀ ଅନୁବାଦ - ଆଇଜାକ୍ ବାଶେଭିସ୍ ସିଙ୍ଗର୍ ଏବଂ ଇଭଲିନ୍ ଟର୍ଟନ୍ ବେକ୍
ଓଡ଼ିଆ ଅନୁବାଦ - ନିଖିଳେଶ ମିଶ୍ର

(ପୂର୍ବ ପ୍ରକାଶିତ ଉତ୍ତାରୁ)

ସୁପର୍ ମାର୍କେଟର କବାଟ ଖୋଲିବା ଅସମ୍ଭବ ଥିଲା । ବେସିଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ସେଯାଏଁ ଯେଯାଏଁ କେହି ଜଣେ କବାଟଟି ଖୋଲି ତାଙ୍କ ପାଇଁ ଧରି ନ ରଖିଲା । ସୁପର୍ ମାର୍କେଟ୍ ଗୋଟେ ଏମିତି ଜାଗା ଥିଲା ଯାହାର ଉଦ୍ଭାବନ ନିଶ୍ଚେ ସଇତାନ୍ ନିଜେ କରିଥିବ । ଆଖିକି ଜାଳିଦେଲା ଭଳି ଆଲୁଅ ଜଳୁଥିଲା । ଲୋକମାନେ ନିଜ ସଉଦାପତ୍ର ସବୁ ଠେଲାରେ ପକେଇ ଏମିତି ଯାଉଥିଲେ ଯେ ସେମାନଙ୍କ ବାଟରେ କେହି ପଡ଼ିଲେ ତାକୁ ଧକ୍କା ମାରି ତଳେ ପକେଇ ଦେବେ । ଜିନିଷ ସବୁ ଥୁଆହେଇଥିବା ଥାକସବୁ ବହୁତ ଉଚ୍ଚା ଥିଲା ନହେଲେ ବହୁତ ତଳେ ଥିଲା । କାନ ଅତଡ଼ା ପକେଇଲା ଭଳିଆ ଶବ୍ଦ ହଉଥିଲା ସୁପର୍ ମାର୍କେଟ୍ ଭିତରେ । ତା'ସାଙ୍ଗକୁ ବାହାରେ ଏତେ ଗରମକୁ ଏଠି କି ହେମାଳ ! ବେସିଙ୍କୁ ଯେ ଏଯାଏଁ ନିମୋନିଆ ହେଇନଥିଲା ତାହା ନିଶ୍ଚେ ଚମତ୍କାର ହିଁ ଥିଲା । ବାକି ସବୁ କଥା ଛାଡ଼, ବେସିଙ୍କ ସବୁଠୁ ବଡ଼ କଷ୍ଟ ଥିଲା ଯେ ସେ ସ୍ଥିର କରିପାରୁନଥିଲେ କ'ଣ ନେବେ । ପ୍ରତି ଜିନିଷକୁ ସେ ଥରଥର ହାତରେ ଉଠଉଥିଲେ ଆଉ ତା ଉପରେ ଲାଗିଥିବା ଷ୍ଟିକରକୁ ପଢ଼ୁଥିଲେ । ତାଙ୍କ ପାଖରେ ଯୁବାବେଳର ଲୋଭ ନଥିଲା, ଥିଲା ବୟସର ଅନିଶ୍ଚିତତା । ବେସି ସ୍ଥିର କରି ଆସିଥିଲେ ଯେ ଆଜିର କିଣାକିଣି ସକାଶେ ପଇଁଚାଳିଶ ମିନିଟରୁ ଅଧିକା ସମୟ ନେବେ ନାହିଁ ହେଲେ ଦୁଇ ଘଣ୍ଟା ବିତିଗଲା ପରେ ବି ବେସିଙ୍କ କିଣାକିଣି ସରିନଥିଲା । ଶେଷରେ ଯେତେବେଳେ ସେ ତାଙ୍କ ଠେଲା ଆଣି କ୍ୟାଶିଅର୍ ସାମ୍ନାକୁ ଆସିଲେ ତାଙ୍କର ମନେ ପଡ଼ିଲା ଯେ ଓଟ୍ ମିଲ୍ ଡବା ଆଣିବାକୁ ସେ ଭୁଲିଯାଇଚନ୍ତି । ସେ ପୁଣି ଫେରିକି ଗଲେ ଆଉ ଜଣେ ସ୍ତ୍ରୀଲୋକ ଧାଡ଼ିରେ ତାଙ୍କ ଜାଗା ନେଇଗଲା । ପରେ ଯେତେବେଳେ ସେ ପଇସା ଦବାକୁ ଗଲେ ପୁଣି ଅଲଗା ଅସୁବିଧା ମୁଣ୍ଡ ଟେକିଲା । ବେସିଙ୍କର ଠିକ ମନେ ଥିଲା ଯେ ନୋଟ୍ ତକ ସେ ପର୍ସର ଡାହାଣ ପଟେ ରଖିଥିଲେ କିନ୍ତୁ ସେଠି କିଛି ନଥିଲା । ଗୁଡ଼ାଏ ଦରାଣ୍ଡିଲା ପରେ ଯାଇ ସେ ନୋଟତକ ପାଇଲେ, ପର୍ସର ଆରପଟେ, ଗୋଟିଏ ଛୋଟ ଚେନ୍ ଭିତରେ ଖୁଚୁରା ପଇସା ସାଙ୍ଗରେ । ହଁ , କିଏ ବିଶ୍ବାସ କରିବ ଯେ ଏମିତି ଆଶ୍ଚର୍ଯ୍ୟ କଥା ସତରେ ସମ୍ଭବ ? ଯଦି ସେ କାହାକୁ କହିବେ, ତାହେଲେ ସେ ଲୋକ ଭାବିବ ବେସି ପାଗଳଗାରଦକୁ ଯିବା ପାଇଁ ଏକବାରେ ପ୍ରସ୍ତୁତ ।

ଯେତେବେଳେ ବେସି ସୁପର୍ ମାର୍କେଟ୍ ଭିତରକୁ ଯାଇଥିଲେ ଦିନ ବାକି ଥିଲା; ଏବେ ଦିନ ସରିସରି ଆସୁଥିଲା । ଯୋଉ ସୂର୍ଯ୍ୟ ଅଳ୍ପ ଟିକେ ପୂର୍ବରୁ ହଳଦିଆ ଆଉ ସୁନେଲି ଦିଶୁଥିଲା ଏବେ ଧୀରେଧୀରେ ହଡସନ୍ ନଈ ଉପର ଦେଇ ନ୍ୟୁ ଜର୍ସି ଆଡ଼କୁ ଢଳିବାକୁ ଆରମ୍ଭ କରିଥିଲା । ବ୍ରଡୱେ ଉପରେ ଥିବା ଘର ସବୁ ଦିନସାରା ଶୋଷିଥିବା ସୂର୍ଯ୍ୟର ଉତ୍ତାପତକ ଛାଡ଼ିବାକୁ ଆରମ୍ଭ କରିଥିଲେ । ଅଣ୍ଡରଗ୍ରାଉଣ୍ଡରେ ଯୋଉଠି ଟ୍ରେନ ଚାଲେ ତାହାର ଲୁହା ରେଲିଂ ଭିତରୁ ବାଜେ ଗନ୍ଧବାଲା ଧୂଆଁ ଉଠୁଥିଲା । ବେସି ଗୋଟେ ହାତରେ ଖାଇବା ଜିନିଷର ସଉଦା ଥିବା ଓଜନିଆ ବ୍ୟାଗ୍ ଧରିଥିଲେ ଆଉ ଆର ହାତରେ ମଜବୁତ କରି ମାଡ଼ି ବସିଥିଲେ ନିଜ ପକେଟ୍ ବୁକକୁ । ଆଗରୁ କେବେ ବି ବ୍ରଡୱେ ତାଙ୍କୁ ଏତେ ଜଙ୍ଗଲୀ, ଏତେ ଅସନା ଲାଗିନଥିଲା । ଚାରିଆଡୁ ଖାଲି ଓଦା ଆଲକାତରା, କିରୋସିନ, ପଚା ଫଳ ଆଉ କୁକୁରଙ୍କ ଝାଡ଼ାର ଗନ୍ଧ ଆସୁଥିଲା । ଫୁଟପାଥ୍ ଉପରେ ପଡ଼ିଥିବା ଚିରା ଖବରକାଗଜ ଆଉ ସିଗାରେଟ୍ ମୁଣ୍ଡି ସବୁ ଉପରେ ପାରାମାନେ ଚଲାବୁଲା କରୁଥିଲେ, ଡେଉଁଥିଲେ । ବେସି ବୁଝିପାରୁନଥିଲେ ଏ ବିଚରା ଚଢ଼େଇଗୁଡ଼ାକ କେମିତି ରାସ୍ତାକୁ ମନ୍ଥି ପକେଇ ଚାଲିଯାଉଥିବା ଲୋକମାନଙ୍କ ପାଦ ତଳେ ଦଳି ହେଇଯିବାରୁ ନିଜକୁ ବଞ୍ଚଉଚନ୍ତି । ନିଆଁ ପରି ଜଳୁଥିବା ଆକାଶରୁ ସୁନେଲି ରଙ୍ଗର ଧୂଳିକଣା ସବୁ ଝରୁଥିଲା । ଗୋଟେ ଦୋକାନ ଆଗରେ ନକଲି ଘାସ ଲାଗିଥିଲା ଆଉ ସେଇଠି ଦଳେ ଝାଳୁଆ ସାର୍ଟ ପିନ୍ଧା ମଣିଷ ଏମିତି ତରବର ହେଇ ଅମୃତଭଣ୍ଡା ଜୁସ୍ ଆଉ ସପୁରୀ ଜୁସ୍ ପିଇଯାଉଥିଲେ ସତେ ଯେମିତି ତାଙ୍କ ଭିତରେ କୋଉଠି ନିଆଁ ଲାଗିଚି ଆଉ ଏ ଜୁସ୍ ଯାଇ ସେ ନିଆଁକୁ ଲିଭେଇବ । ସେମାନଙ୍କ ମୁଣ୍ଡ ଉପରେ ଦୋକାନ ଆଗରେ ମଣିଷ ଆକାରରେ ଖୋଦେଇ ହେଇଥିବା ବଡ଼ ବଡ଼ ନଡ଼ିଆ ଝୁଲୁଥିଲା । ତା' କଡ଼ରେ ଗୋଟେ ଗଳିରେ କିଛି କଳା ଓ ଗୋରା ଛୁଆ ମିଶି ରାସ୍ତାକଡ଼ର ଗୋଟେ ପାଣିକଳ ଫିଟେଇ ସେଇଠି ସେ ନର୍ଦ୍ଦମାରେ ଲଙ୍ଗଳା ହେଇ କୁଦା ମାରୁଥିଲେ । ସେଇ ବାମ୍ଫର ଲହର ଭିତରେ ଗୋଟେ ମାଇକ୍ ଲଗା ଟ୍ରକ୍ ଗଳିସବୁ ଦେଇ ଘୁରି ବୁଲୁଥିଲା । ସେ ମାଇକରୁ କାନ ତାବଦା କରିଦେଲା ଭଳି ଉଚ୍ଚା ସ୍ୱରରେ କର୍କଶ ଗୀତସବୁ ବାଜୁଥିଲା ଆଉ କୋଉ ଗୋଟେ ନେତାକୁ ଭୋଟ୍ ଦବା ପାଇଁ ପ୍ରଚାର ହଉଥିଲା । ଟ୍ରକ୍ ର ଡାଲାରେ ଠିଆହେଇଥିଲା ଗୋଟେ ଝିଅ ଯାହାର ଚୁଟିସବୁ ତାର ଭଳି ଠିଆହେଇଥିଲା ଆଉ ସେଇ ଝିଅଟି ଗଳି ଭିତରକୁ ଚାରିଆଡ଼େ ପ୍ରଚାରପତ୍ର ସବୁ ଫୋପାଡୁଥିଲା ।

ରାସ୍ତା ପାରି କରିବା, ଲିଫ୍ଟ ପାଇଁ ଅପେକ୍ଷା କରିବା, ଆଉ ତାପରେ ଲିଫ୍ଟ କବାଟ ଧମ୍ କରି ବନ୍ଦ ହେଇଯିବା ପୂର୍ବରୁ ପଞ୍ଚମ ମହଲାରେ ଲିଫ୍ଟ ଭିତରୁ ବାହାରିବା - ଏଇଥିରେ ବେସିଙ୍କର ସବୁ ବଳ ସରିଗଲା । କବାଟ ପାଖରେ ସଉଦାତକ ଥୋଇ ସେ ପର୍ସ ଭିତରେ ତାଙ୍କ ଚାବି ଦରାଣ୍ଡିଲେ । ନିଜ ନଖକଟାରେ ସେ ତାଲା ଭିତରୁ ଜଉତକ ଖୋଳି ବାହାର କଲେ । ତା'ପରେ ସେଠି ଚାବି ପୂରେଇ ମୋଡ଼ିଲେ । କିନ୍ତୁ ଏ କଣ, ଚାବିଟା ଭାଙ୍ଗିଗଲା । ଖାଲି ଚାବିର ମୁଣ୍ଡ ପଟଟା ତାଙ୍କ ହାତରେ ରହିଗଲା ଆଉ ବାକିତକ ତାଲା ଭିତରେ । ତାଙ୍କ ଉପରେ କି ଧରଣର ବିପତ୍ତି ପଡ଼ିଚି ସେକଥା ବୁଝିବା ପାଇଁ ବେସିଙ୍କୁ ଟିକେ ସମୟ ଲାଗିଲା । କୋଠାର ବାକି ଲୋକଙ୍କର ଚାବିର ଗୋଟେ ଲେଖାଁ ନକଲି ଚାବି ସୁପରିଟେଣ୍ଡେଣ୍ଟ ଅଫିସରେ ଝୁଲୁଥିଲା । ହେଲେ ବେସି ତ କାହାକୁ ଭରସା କରୁନଥିଲେ । ତେଣୁ ବେଶ୍ କିଛି ଦିନ ତଳେ ସେ ଗୋଟେ ମଜବୁତ ନୂଆ ତାଲା ବରାଦ କରି ଆଣିଥିଲେ ଯାହାକୁ କୌଣସି ନକଲି ଚାବି ଖୋଲିପାରିବନି ବୋଲି ସେ ନିଶ୍ଚିତ ଥିଲେ । ତାଙ୍କ ପାଖରେ ଅବଶ୍ୟ ଏ ତାଲାର ଆଉଗୋଟେ ଚାବି ଥିଲା । କିନ୍ତୁ ସେଇଟି ଥିଲା ଡ୍ରୟରରେ , ଘର ଭିତରେ । ନିଜ ସହ ସେ କେବଳ ଏଇ ଗୋଟେ ଚାବି ନେଇ ହିଁ ବାହାରିଥିଲେ । "ଏଇ ତାହାଲେ ସର୍ବନାଶର ବେଳା !" ସେ ବଡ଼ପାଟିରେ କହି ଉଠିଲେ ।

ସାହାଯ୍ୟ ମାଗିବା ପାଇଁ ବେସିଙ୍କର କେହି ନଥିଲେ । ପଡ଼ୋଶୀମାନେ ତ ଥିଲେ ତାଙ୍କର ଘୋର ଶତ୍ରୁ । ସୁପରିଟେଣ୍ଡେଣ୍ଟ ତ ଚାହିଁ ବସିଥିଲା କୋଉଦିନ ସିଏ ମରିବେ ବୋଲି । ବେସିଙ୍କ ତଣ୍ଟି ଏତେ ଅଧିକା ଶୁଖିଯାଇଥିଲା ଯେ ସେ କାନ୍ଦି ବି ପାରିଲେ ନାହିଁ । ସେ ଚାରିଆଡ଼କୁ ଚାହିଁଲେ, କାଳେ ଏ ବିପତ୍ତି ଘଟେଇଥିବା ସଇତାନ ତାଙ୍କୁ ଦିଶିଯିବ ବୋଲି ! ଅନେକ ଦିନ ତଳୁ ହିଁ ବେସି ମୃତ୍ୟୁ ସହିତ ବୁଝାମଣା କରିନେଇଥିଲେ । ହେଲେ ସେ ଏମିତି ଏ ପାହାଚ ଉପରେ କି ଗଳିରେ ପଡ଼ି ମରିଯିବେ ଏକଥା ତାଙ୍କୁ ଭାରି ନିଷ୍ଠୁର ଲାଗିଲା । କିଏ ଜାଣିଲା କେତେ ସମୟ ଏ କଷ୍ଟ ଏମିତି ରହିବ ? ସେ ଭାବିବାକୁ ଆରମ୍ଭ କଲେ । ଏବେ କଣ ଆଉ ଏଠି କୋଉଠି ଏମିତିକା ଦୋକାନଟିଏ ଖୋଲା ଥିବ ଯୋଉଠି ଚାବି ତିଆରି ହଉଥିବ ? ଯଦି ଥିବ ବି, କୋଉ ଚାବିରୁ ନକଲ କରିବ ଚାବି ତିଆରି କଲାବାଲା ? ତାକୁ ଏଇଠିକି ହିଁ ଆସିବାକୁ ପଡ଼ିବ ତା' ସାଜସରଞ୍ଜାମ ନେଇ । ଆଉ ଏ ମଜବୁତ ତାଲା ପାଇଁ ତ କେବଳ ତାଲା ତିଆରି କଲା କମ୍ପାନୀର ନିଜ ମେକାନିକ୍ ହିଁ ଲୋଡ଼ା । ସେତିକି ପଇସା ଭଲା ତାଙ୍କ ପାଖରେ ଥାଆନ୍ତା ! କିନ୍ତୁ ଯେତିକି ତାଙ୍କର ଖର୍ଚ୍ଚ ପାଇଁ ଦରକାର, ତା'ଠୁ ଅଧିକା ପଇସା ସେ କେବେ ବି ପାଖରେ ରଖି ବାହାରୁନଥିଲେ । ସୁପର ମାର୍କେଟର କ୍ୟାଶିଅର୍ ତାଙ୍କୁ ମାତ୍ର କୋଡ଼ିଏ ପଚିଶ ସେଣ୍ଟ୍ ଖୁଚୁରା ହିଁ ଫେରେଇଥିଲା । "ମା' ଲୋ ! ମୁଁ ଆଉ ଏଠି ବଞ୍ଚିବାକୁ ଚାହୁଁନି !" ବେସି ୟିଦ୍ଦିଶ୍ ଭାଷାରେ କହିଲେ ଆଉ କହିସାରି ଆଶ୍ଚର୍ଯ୍ୟ ହେଲେ ଯେ ହଠାତ୍ କେମିତି ଅଧା ଭୁଲିଯାଇଥିବା ତାଙ୍କ ନିଜ ଭାଷାକୁ ଫେରି ଆସିଲେ ସିଏ ।

ବେଶ୍ କିଛି ସମୟ ଥଙ୍ଗମଙ୍ଗ ହେଲା ପରେ ଶେଷରେ ବେସି ସ୍ଥିର କଲେ ଯେ ସେ ପୁଣି ଗଳିକୁ ଫେରିବେ । ହୁଏତ ଏବେ ବି କୋଉଠି ଗୋଟେ ହାର୍ଡୱେର୍ ଦୋକାନ କି ଛୋଟ ଚାବି ତିଆରି ଦୋକାନ ଖୋଲା ଥିବ । ତାଙ୍କର ମନେ ପଡ଼ିଲା ଯେ ପାଖରେ ଗୋଟେ ଚାବି ତିଆରି ଦୋକାନ ଥିଲା, ଅନେକ ଦିନ ତଳେ । ଆଜିକାଲି ବି ତ ବାକି ଲୋକଙ୍କର ଚାବି ନିଶ୍ଚେ ଭାଙ୍ଗୁଥିବ ! କିନ୍ତୁ ଖାଇବା ଜିନିଷର ସଉଦାକୁ କଣ କରିବେ ? ଏତେ ଓଜନ ନେଇ ଚାଲିବେ କେମିତି ? ଆଉ କିଛି ବିକଳ୍ପ ନଥିଲା । ତେଣୁ ସେ ବ୍ୟାଗ୍ ଟି କବାଟ ବାହାରେ ହିଁ ଛାଡ଼ିଦେଇ ଗଲେ। "ସେମାନେ ତ ଏମିତିରେ ବି ଚୋରି କରି ନେବେ", ବେସି ନିଜେ ନିଜକୁ କହିଲେ । କିଏ ଜାଣେ, ହୁଏତ ପଡ଼ୋଶୀମାନେ ହିଁ ଜାଣିଜାଣି ତାଙ୍କ ତାଲାକୁ ମୋଡ଼ାମୋଡ଼ି କି ପିଟାପିଟି କରି ଖରାପ କରିଦେଇଥିବେ ଏଇ ଲକ୍ଷ୍ୟରେ ଯେ ବେସି ତାଙ୍କ ଆପାର୍ଟମେଣ୍ଟକୁ ପଶିପାରିବେନି ଆଉ ସେଇ ମଉକାରେ ସେମାନେ ଆସି ତାଙ୍କ ଜିନିଷପତ୍ର ଚୋରି କରିନେବେ କି ଛିନ୍-ଛତ୍ର କରିଦେବେ ।

ଗଳିକୁ ବାହାରିବା ପୂର୍ବରୁ ବେସି ଥରେ ତାଙ୍କ କବାଟରେ କାନ ଲଗେଇ ଶୁଣିବାକୁ ଚେଷ୍ଟା କଲେ । ଭିତରୁ କିଛି ଶୁଭୁନଥିଲା ଖାଲି ଗୋଟେ କଳକଳ ଶବ୍ଦ ବ୍ୟତୀତ । ଏ କଳକଳ ଶବ୍ଦ ଅବଶ୍ୟ କେବେ ବି ବନ୍ଦ ହଉନଥିଲା, ସବୁବେଳେ ଶୁଭୁଥିଲା ଆଉ ବେସି ବୁଝିପାରୁନଥିଲେ ଏ ଶବ୍ଦ ଆସୁଚି କୋଉଠୁ ଆଉ କାହିଁକି । ବେଳେବେଳେ ଏ ଶବ୍ଦ ଶୁଭୁଥିଲା ଘଣ୍ଟାର ଟିକ୍ ଟିକ୍ ପରି, ପୁଣି ବେଳେବେଳେ ଶୁଭୁଥିଲା ଗୁଣୁଗୁଣୁ ଶବ୍ଦ ପରି , ଆଉ କେତେବେଳେ ଏମିତି ଶୁଭୁଥିଲା ଯେମିତି କାନ୍ଥ କି ପାଣି ପାଇପ୍ ଭିତରୁ କେହି ଜଣେ ଧୀମା ସ୍ୱରରେ ଆଃ ଉଃ କରୁଚି । ନିଜ ମନ ଭିତରେ ବେସି ବ୍ୟାଗରେ ଥିବା ଖାଇବା ଜିନିଷସବୁକୁ ବିଦାୟ କହିସାରିଥିଲେ । ଏସବୁ ରେଫ୍ରିଜରେଟରରେ ରହିସାରିବା କଥା ଥିଲା ଏତେବେଳକୁ, ଏଠି ଏମିତି ଗରମରେ ଥୁଆ ହେଇ ରହିବାର ନଥିଲା । ଏଠି ରହିଲେ ତ ଲହୁଣୀତକ ତରଳିଯିବ, କ୍ଷୀର ଆମ୍ବିଳା ହେଇଯିବ । "ନିହାତି ମତେ ଦଣ୍ଡ ମିଳୁଚି ! ମୁଁ ଅଭିଶାପ ପାଇଚି ! ଅଭିଶାପ !" ବେସି ଗୁଣୁଗୁଣେଇଲେ । ଜଣେ ପଡ଼ୋଶୀ ଲିଫ୍ଟରେ ତଳକୁ ବାହାରୁଥିବାର ସେ ଦେଖିଲେ । ବେସି ତାକୁ ହାତରେ ଇସାରା କଲେ ଲିଫ୍ଟ କବାଟ ଧରି ଅଟକେଇବାକୁ । ବୋଧେ ସେ ଏଇ ଚୋରମାନଙ୍କ ଦଳ ଭିତରୁ ହିଁ ଜଣେ ଥିଲା । ବୋଧେ ସେ ତାଙ୍କୁ ମାଡ଼ି ବସିବ କି କଣ , ତାଙ୍କୁ ମାରଧର କରିବ କି ଅତ୍ୟାଚାର କରିବ ତାଙ୍କ ସହ । ଲିଫ୍ଟ ତଳେ ପହଞ୍ଚିଲା । କବାଟ ଖୋଲିଲା ପରେ ସେ ଲୋକଟି କବାଟ ଧରି ରଖିଲା ବେସିଙ୍କ ପାଇଁ । ବେସି ଭାବିଲେ ତାକୁ ଧନ୍ୟବାଦ ଦେବେ ବୋଲି । ହେଲେ ଚୁପ ରହିଲେ । କାହିଁକି ବା ନିଜ ଶତ୍ରୁଙ୍କୁ ଧନ୍ୟବାଦ ଦେବେ ସିଏ ? ଏଇ ତ ସେମାନଙ୍କର ଫନ୍ଦି ଫିକର ।

ଯେତେବେଳେ ବେସି ଗଳି ଭିତରକୁ ପାଦ ପକେଇଲେ ... (କ୍ରମଶଃ...)