ଫଟୋ - ସିଙ୍ଗରଙ୍କ ବେଞ୍ଚ, ୱିକି କମନ୍ସ

(ଆଇଜାକ୍ ବାଶେଭିସ୍ ସିଙ୍ଗର୍ ବିଶ୍ବ ସାହିତ୍ୟର ଅତୁଳନୀୟ ପ୍ରତିଭା । ନିଜ ଲେଖାରେ ସାଧାରଣ ଲାଗୁଥିବା ବର୍ଣ୍ଣନାଶୈଳୀ ଭିତରେ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭବ ସବୁକୁ ପାଠକ ସାମ୍ନାରେ ରଖିବାର ଯେଉଁ ସାମର୍ଥ୍ୟ ସିଙ୍ଗରଙ୍କର ଅଛି, ତାହା ଏକବାରେ ବିରଳ । ପଢ଼ନ୍ତୁ ୧୯୭୮ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ସେହି ଲେଖକଙ୍କର ଏକ ଅବିସ୍ମରଣୀୟ ଗପ, "The Key"ର ଓଡ଼ିଆ ଅନୁବାଦ । ତୃତୀୟ ଭାଗ ।)

ମୂଳ ୟିଦ୍ଦିଶ୍ - ଆଇଜାକ୍ ବାଶେଭିସ୍ ସିଙ୍ଗର୍
ଇଂରାଜୀ ଅନୁବାଦ - ଆଇଜାକ୍ ବାଶେଭିସ୍ ସିଙ୍ଗର୍ ଏବଂ ଇଭଲିନ୍ ଟର୍ଟନ୍ ବେକ୍
ଓଡ଼ିଆ ଅନୁବାଦ - ନିଖିଳେଶ ମିଶ୍ର

(ପୂର୍ବ ପ୍ରକାଶିତ ଉତ୍ତାରୁ)

ଯେତେବେଳେ ବେସି ଗଳି ଭିତରକୁ ପୁଣି ପାଦ ପକେଇଲେ, ରାତି ହେଇସାରିଥିଲା । ରାସ୍ତାକଡ଼ ନର୍ଦ୍ଦମାରେ ପାଣି ଭର୍ତ୍ତି ହେଇ ରାସ୍ତା ଉପରକୁ ଉଛୁଳୁଥିଲା । ସେଇ କଳା ମଚମଚ ପାଣିରେ ରାସ୍ତାକଡ଼ ଆଲୁଅ ସବୁର ପ୍ରତିଛବି ଦିଶୁଥିଲା । ପାଖରେ କୋଉଠି ପୁଣି ନିଆଁ ଲାଗିଯାଇଥିଲା । ବେସି ଦୂରରୁ ଆସୁଥିବା ସାଇରନ ଆଉ ଦମକଳ ଗାଡ଼ିର ଇଞ୍ଜିନର ଖଟଖଟ ଶବ୍ଦ ଶୁଣିପାରୁଥିଲେ । ତାଙ୍କ ଜୋତା ଓଦା ହେଇସାରିଥିଲା । ସେ ବ୍ରଡୱେ ଉପରକୁ ଆସିଲେ ଆଉ ହଠାତ୍ ଦଲକାଏ ଝାଞ୍ଜି ପବନ ତାଙ୍କ ତାଙ୍କ ଦେହରେ ଏମିତି ବାଜିଲା ଯେମିତି ଫାଳେ ଟିଣ ନେଇ କେହି ତାଙ୍କୁ ପାହାରେ ପକଉଚି । ତାଙ୍କୁ ତ ଦିନବେଳା ବି ଦେଖିବାକୁ ଅସୁବିଧା ହଉଥିଲା, ରାତିରେ ତ ଯାହା କହନ୍ତି ସେ ପ୍ରାୟ ଅନ୍ଧ ହିଁ ଥିଲେ । ଦୋକାନଗୁଡ଼ାକରେ ଆଲୁଅ ଜଳୁଥିଲା କିନ୍ତୁ କୋଉ ଦୋକାନ ଆଗରେ କଣ ଲେଖା ହେଇଚି ବେସି କିଛି ପଢ଼ି ପାରୁନଥିଲେ । ବାଟରେ ଯାଉଥିବା ଲୋକମାନେ ତାଙ୍କ ଦେହରେ ପିଟିହେଇଯାଉଥିଲେ ଆଉ ବେସି ବାଡ଼ି ଖଣ୍ଡେ ଆଣିନଥିବାରୁ ଅନୁତାପ କରୁଥିଲେ । ସେ ଯାହା ହଉ, ଦୋକାନ ସବୁର ଝରକା କଡ଼େକଡ଼େ ବେସି ଆଗକୁ ଆଗକୁ ଚାଲିଲେ । ଗୋଟେ ଔଷଧ ଦୋକାନ, ଗୋଟେ ପାଉଁରୁଟି ଦୋକାନ, ଗୋଟେ ମସିଣା ଦୋକାନ, ଗୋଟେ ଅନ୍ତିମ ସଂସ୍କାରର ସରଞ୍ଜାମ ବିକୁଥିବା ଦୋକାନ ଅତିକ୍ରମ କରିଗଲା ପରେ ବି ସେ ହାର୍ଡୱେର୍ ଦୋକାନର ଚିହ୍ନବର୍ଣ୍ଣ କୋଉଠି ପାଇଲେ ନାହିଁ । ବେସି ଆଗକୁ ଚାଲିଲେ । ତାଙ୍କ ବଳ ଆଉ ପ୍ରାୟ ନଥିଲା କିନ୍ତୁ ସେ ମନେମନେ ନିଶ୍ଚିତ କରିଥିଲେ ଯେ ହାର ମାନିବେ ନାହିଁ । ଜଣଙ୍କର ଯଦି ଚାବି ଭାଙ୍ଗିଯାଏ , ତାହେଲେ ସେ କଣ କରିବ - ମରିଯିବ ? ବୋଧେ ପୋଲିସକୁ କହିଲେ ହୁଅନ୍ତା । ନିଶ୍ଚେ ଏମିତି କିଛି ସଂସ୍ଥା ଥିବ ଯିଏ ଏମିତି ଅଘଟଣ ବେଳେ ସାହାଯ୍ୟ କରିପାରିବ । କିନ୍ତୁ କୋଉଠି କାହିଁ ?

ଆଗରେ ନିଶ୍ଚୟ ଗୋଟେ ଦୁର୍ଘଟଣା ଘଟିଥିଲା । ଫୁଟପାଥ୍ ଉପରେ ଅନେକ ଲୋକ ଜମା ହେଇଥିଲେ । ଗଳିରେ ପୋଲିସ୍ କାର୍ ଆଉ ଆମ୍ବୁଲାନ୍ସ୍ ରାସ୍ତା ବନ୍ଦ କରି ଠିଆ ହେଇଥିଲେ । କିଏ ଜଣେ ଆଲକାତରା ଢାଳୁଥିଲା ଗଳିରାସ୍ତା ଉପରେ , ବୋଧେ ରକ୍ତ ଲିଭେଇବା ପାଇଁ । ବେସିଙ୍କୁ ଲାଗିଲା ଯେମିତି ସେଠି ଠିଆହେଇଥିବା ସବୁ ଦେଖଣାହାରୀଙ୍କ ଆଖିରେ ଗୋଟେ ଭୟଙ୍କର ସନ୍ତୋଷ ଲାଖି ରହିଥିଲା । ସେମାନେ ଅନ୍ୟର ଦୁର୍ଭାଗ୍ୟ ଦେଖି, ବିପର୍ଯ୍ୟୟ ଦେଖି ମଜା ପାଆନ୍ତି, ସେ ଭାବିଲେ । ଏ ଦୟନୀୟ ସହରରେ ଏଇ ବୋଧେ ସେମାନଙ୍କର ଏକମାତ୍ର ମଜା । ନା , ଏଠି ତାଙ୍କୁ ସାହାଯ୍ୟ କଲା ଭଳି କେହି ମିଳିବେ ନାହିଁ ।

ସେ ଗୋଟେ ଗୀର୍ଜା ପାଖରେ ଆସି ପହଞ୍ଚିଲେ । କେତୋଟି ପାହାଚ ଚଢ଼ିଲେ ଗୀର୍ଜାର କବାଟ । କବାଟ ବନ୍ଦ ଥିଲା ଆଉ ସେଠି ଗୋଟେ ବଡ଼ ପରଦା ଝୁଲୁଥିଲା । ଅନ୍ଧାର ଆଉ ଛାଇ ସହ ମିଶି ସେ ପରଦା ଆହୁରି ଅନ୍ଧାରୁଆ ଦିଶୁଥିଲା । ବେସି କଷ୍ଟେମଷ୍ଟେ ସେଇଠି ବସିପଡ଼ିଲେ । ତାଙ୍କ ଆଣ୍ଠୁ ଠକଠକ ଥରୁଥିଲା । ପିନ୍ଧିଥିବା ଜୋତା ତାଙ୍କ ପାଦର ଆଙ୍ଗୁଠିଗୁଡ଼ାକୁ ଆଉ ଗୋଇଠିକୁ କାମୁଡ଼ି ଧରିଥିଲା । ତାଙ୍କ କର୍ସେଟ୍ ଡ୍ରେସର ଗୋଟେ କାଠି ଭାଙ୍ଗିଯାଇଥିଲା ଆଉ ଭାଙ୍ଗିଯାଇ ତାଙ୍କ ମାଂସପେଶୀରେ ଗଳିଯାଇଥିଲା । "ହଉ ! ଆଜି ତାହେଲେ ସଇତାନର ସମଗ୍ର ସେନା ମୋ' ବିରୁଦ୍ଧରେ ଲାଗିଚନ୍ତି ।" ତାଙ୍କୁ ଭୋକ ବି କରୁଥିଲା ଆଉ ବାନ୍ତି ବି ଲାଗୁଥିଲା । ତାଙ୍କର ଗୋଟେ ଆମ୍ବିଳା ହାକୁଟି ଉଠିଲା । "ହେ ସ୍ୱର୍ଗର ପରମ ପିତା ! ଏଇ ମୋର ଶେଷ ।" ସେ ଗୋଟେ ପୁରୁଣା ୟିଦ୍ଦିଶ୍ ରୂଢ଼ି ମନେ ପକେଇଲେ, "ଯଦି ଜଣେ ଗଣନା ନକରି ଜୀବନ ବଞ୍ଚେ, ତାହେଲେ ସେ ସ୍ବୀକାରୋକ୍ତି ନକରି ହିଁ ମରିବ ।" ସେ ତ ନିଜ ଉଇଲ୍ ବି ଲେଖିବାରେ ଅବହେଳା କରିଥିଲେ ।

(୨)

ବେସି ନିଶ୍ଚେ ଘୁମେଇ ପଡ଼ିଥିବେ କାରଣ ଯେତେବେଳେ ସେ ଆଖି ଖୋଲିଲେ ଚାରିଆଡ଼େ ଅଧରାତି ପରର ସ୍ଥିରତା ଥିଲା । ଗଳି ଅଧା ଖାଲି ହେଇଯାଇଥିଲା ଆଉ ପୂରା ଅନ୍ଧାର । ଦୋକାନର ଝରକାଗୁଡ଼ାକରେ ଆଉ ଆଲୁଅ ଜଳୁନଥିଲା । ଗଳିର ସବୁ ତାତି ଉଡ଼ିଯାଇସାରିଥିଲା ଆଉ ପିନ୍ଧିଥିବା ଡ୍ରେସ୍ ଭେଦି ବେସିଙ୍କ ଦେହରେ ଶୀତ ବାଜୁଥିଲା । ଗୋଟେ ମୁହୂର୍ତ୍ତ ପାଇଁ ସେ ଭାବିଲେ ଯେ ତାଙ୍କ ପକେଟ୍ ବୁକ୍ ବୋଧେ ଚୋରି ହେଇଯାଇଚି, କିନ୍ତୁ ତଳ ପାହାଚରେ ସେଇଟି ପଡ଼ିଥିଲା । ବୋଧେ ଖସିଯାଇଥିଲା ତାଙ୍କ ହାତରୁ । ବେସି ତାଙ୍କ ହାତ ବଢ଼େଇ ସେଇଟି ଆଣିବାକୁ ଚେଷ୍ଟା କଲେ । ତାଙ୍କ ହାତ ବଧିରା ହେଇଯାଇଥିଲା । ତାଙ୍କ ମୁଣ୍ଡ, ଯୋଉଟି କି କାନ୍ଥକୁ ଆଉଜି ରହିଥିଲା , ଖଣ୍ଡେ ପଥର ଭଳି ଓଜନିଆ ଲାଗୁଥିଲା । ତାଙ୍କ ଗୋଡ଼ ଦୁଇଟି ସତେ ଯେମିତି କାଠ ହେଇଯାଇଥିଲା । ତାଙ୍କ କାନ ଭିତରେ ପାଣି ଭର୍ତ୍ତି ହେଇଥିଲା ପରି ତାଙ୍କୁ ଲାଗୁଥିଲା । ସେ ଗୋଟେ ଆଖିପତା ଖୋଲି ଆକାଶକୁ ଚାହିଁଲେ ଆଉ ଜହ୍ନକୁ ଦେଖିଲେ । ଜହ୍ନ ଆକାଶରେ ବେଶ୍ ତଳେ ଥିଲା ପରି ଦିଶୁଥିଲା, ଠିକ ସାମ୍ନାର ଗୋଟେ ଛାତ ଉପରୁ ଅଳ୍ପ ଦୂରରେ ଥିଲା ପରି । ଜହ୍ନ ପାଖରେ ଗୋଟେ ସବୁଜ ରଙ୍ଗର ତାରା ଚିକମିକ କରୁଥିଲା । ବେସି କାବା ହେଇ ଚାହିଁ ରହିଲେ । ସେ ପ୍ରାୟ ଭୁଲିଯାଇଥିଲେ ଯେ ଏ ଦୁନିଆରେ ଆକାଶଟିଏ ଅଛି, ଜହ୍ନଟିଏ ଅଛି, ତାରାମାନେ ଅଛନ୍ତି । ବର୍ଷ ପରେ ବର୍ଷ ବିତିଯାଇଥିଲା ଆଉ ଦିନେ ବି ମୁଣ୍ଡ ଉଠେଇ ସେ ଉପରକୁ ଚାହିଁନଥିଲେ - ସବୁବେଳେ ଖାଲି ତଳକୁ । କାଳେ ରାସ୍ତା ଆରପଟେ ଥିବା ଗୋଇନ୍ଦାମାନେ ତାଙ୍କୁ ଦେଖିଦେବେ ସେଇ ସକାଶେ ତାଙ୍କ ଝରକାରେ ସବୁବେଳେ ମୋଟା ପରଦା ଝୁଲୁଥିଲା । ଆଚ୍ଛା, ଯଦି ଆକାଶଟିଏ ଅଛି, ତାହେଲେ ବୋଧେ ଈଶ୍ବର ବୋଲି ଜଣେ କିଏ ବି ଥିବେ, ଦେବଦୂତମାନେ ବି ଥିବେ, ସ୍ୱର୍ଗ ବି ଥିବ ବୋଧେ । ନହେଲେ ତାଙ୍କ ବାପାମା'ଙ୍କ ଆତ୍ମା କୋଉଠି ବିଶ୍ରାମ କରୁଥିବେ ପୁଣି ? ସାମ୍ କୋଉଠି ଥିବେ ବର୍ତ୍ତମାନ ?

ବେସି ତାଙ୍କର ସବୁ କର୍ତ୍ତବ୍ୟ ପ୍ରତି ଅବହେଳା କରିଥିଲେ । ସେ କେବେ ହେଲେ ବି କବ୍ରିସ୍ତାନ ଯାଇ ସାମ୍ ଙ୍କ କବର ପାଖରେ ଘଡ଼ିଏ ବସିନଥିଲେ । ତାଙ୍କ ଶ୍ରାଦ୍ଧବାର୍ଷିକୀରେ ସେ ମହମବତୀଟିଏ ବି ଲଗଉନଥିଲେ । ନୀଚ ଶକ୍ତିମାନଙ୍କ ସହ ଯୁଝିବାରେ ସେ ଏତେ ବୁଡ଼ି ରହୁଥିଲେ ଯେ ଉଚ୍ଚ ଶକ୍ତି ବୋଲି ବି କେହି ଅଛନ୍ତି ଏକଥା ସେ ପାଶୋରି ଦେଇଥିଲେ । ଅନେକ ବର୍ଷ ପରେ ଆଜି ବେସିଙ୍କର ମନେ ହେଲା ସେ ବସି ପ୍ରାର୍ଥନାଟିଏ ପଢ଼ିବା ଦରକାର । ଈଶ୍ବର ନିଶ୍ଚେ ତାଙ୍କ ଉପରେ କରୁଣା କରିବେ ଯଦିଓ ସେ ଏ କରୁଣାର ହକଦାର ନୁହଁନ୍ତି । ସ୍ଵର୍ଗରେ ଥିବା ତାଙ୍କ ବାପାମା' ବୋଧେ ବେସିଙ୍କ ପକ୍ଷ ନେଇ ଈଶ୍ବରଙ୍କୁ କହିବେ । ତାଙ୍କ ଜିଭ ଅଗରୁ କିଛି ହିବ୍ରୁ ଶବ୍ଦ ଝୁଲୁଥିଲା କିନ୍ତୁ ସେମାନଙ୍କୁ ସେ ମନେ ପକେଇ ବାହାର କରିପାରୁନଥିଲେ । ହଠାତ୍ ତାଙ୍କର ମନେ ପଡ଼ିଲା । "ଶୁଣ, ହେ ଇସ୍ରାଏଲ୍ ।" କିନ୍ତୁ ତା'ପରେ କ'ଣ ? "ଈଶ୍ବର ମତେ କ୍ଷମା କର", ବେସି କହି ପକେଇଲେ, "ମୋ ସହ ଯାହାସବୁ ଘଟୁଚି, ଠିକ ହେଇଚି ମତେ, ଆଚ୍ଛା ହେଇଚି ।"

ବେଳକୁ ବେଳ ଆହୁରି ଥଣ୍ଡା ପଡ଼ିଲା, ଆହୁରି ବଢ଼ିଲା ଚାରିଆଡ଼ର ନୀରବତା । ଟ୍ରାଫିକ୍ ଆଲୁଅ ଲାଲରୁ ସବୁଜ ହେଲା କିନ୍ତୁ ରାସ୍ତା ଉପରେ କାର୍ ଯିବାଆସିବା କରୁନଥିଲା । କୋଉଠୁ ଗୋଟିଏ ଆଫ୍ରିକୀୟ ଲୋକ ଆସିଲା । ସେ ଝୁଲିଝୁଲି ଚାଲୁଥିଲା । ବେସିଙ୍କଠାରୁ ଅଳ୍ପ ଦୂରରେ ଅଟକିଗଲା ଆଉ ତାଙ୍କ ଆଡ଼କୁ ଚାହିଁଲା । ତା'ପରେ ସେ ନିଜ ବାଟରେ ଚାଲିଗଲା । ବେସି ଜାଣିଥିଲେ ଯେ ତାଙ୍କ ବ୍ୟାଗରେ କେତେ କଣ ମୂଲ୍ୟବାନ କାଗଜପତ୍ର ସବୁ ଅଛି କିନ୍ତୁ ପ୍ରଥମ ଥର ପାଇଁ ନିଜ ସମ୍ପତ୍ତି ବିଷୟରେ ସେ ଜମାରୁ ଚିନ୍ତା କରୁନଥିଲେ । ସାମ୍ ତ ଏତେ ସବୁ ସମ୍ପତ୍ତି ଛାଡ଼ିଯାଇଥିଲେ, କଣ ଲାଭ ହେଲା ! ବେସି ବି ଏମିତି ତାଙ୍କ ବୁଢ଼ୀବେଳ ପାଇଁ ସଞ୍ଚୟ କରିଚାଲୁଥିଲେ ଯେମିତି ଏବେ ବି ତାଙ୍କର ବୟସ ହେଇନି । "କେତେ ବୟସ ହେଲାଣି ମତେ ?" ସେ ନିଜକୁ ପଚାରିଲେ । "ଏତେ ବର୍ଷରେ କଣ ବା କରିପାରିଲି ମୁଁ ? କାହିଁକି କୋଉଠିକି ଗୋଟେ ବୁଲିବାକୁ ଗଲିନାହିଁ, କାହିଁକି ମୋ ପଇସା ଖର୍ଚ୍ଚ କରି ଖୁସି ହେଲିନାହିଁ, କାହିଁକି ଜଣକୁ କାହାକୁ ବି ସାହାଯ୍ୟ କଲିନାହିଁ ?" ତାଙ୍କୁ ଲାଗିଲା ଯେମିତି ତାଙ୍କ ଭିତରୁ ଜଣେ କେହି ହସୁଚି । "ମୋ ଉପରେ ନିଶ୍ଚେ କେହି ଜଣେ ସବାର ହେଇଥିଲା । ମୁଁ ବୋଧେ ମୁଁ ହେଇ ଆଉ ନଥିଲି । ନହେଲେ ଏମିତି କେମିତି ହେଲା ?" ବେସି ଏବେ ବି ଆଶ୍ଚର୍ଯ୍ୟ ହେଇ ବସି ରହିଥିଲେ । ତାଙ୍କୁ ଲାଗୁଥିଲା ଯେମିତି ସେ ଅନେକ ଦିନର ଶୋଇବା ପରେ ଆଜି ଉଠିଚନ୍ତି । ଭଙ୍ଗା ଚାବିଟି ହିଁ ତାଙ୍କ ମସ୍ତିଷ୍କର ସେଇ କବାଟ ଖୋଲି ଦେଇଚି ଯାହା ସାମ୍ ଚାଲିଗଲା ପରେ ବନ୍ଦ ହେଇଯାଇଥିଲା ।

ଜହ୍ନ ବର୍ତ୍ତମାନ ଛାତର ଆରପଟକୁ ଚାଲିଯାଇଥିଲା । ଅନ୍ୟଦିନଠାରୁ ଜହ୍ନ ଅଧିକା ବଡ଼ ଆଉ ଅଧିକା ଲାଲ ଦିଶୁଥିଲା ହେଲେ ତା' ମୁହଁ ଝାପ୍ସା ଦିଶୁଥିଲା । ଜୋରଦାର ଥଣ୍ଡା ପଡ଼ୁଥିଲା । ବେସି ଥରୁଥିଲେ । ସେ ଜାଣିପାରୁଥିଲେ ଯେ ବର୍ତ୍ତମାନ ତାଙ୍କୁ ନିମୋନିଆ ହେଇଯିବା କିଛି ବିଚିତ୍ର କଥା ନୁହେଁ କିନ୍ତୁ ମରିବା ପାଇଁ ତାଙ୍କର ଆଉ ଡର ନଥିଲା । କି ବାସହୀନ ହବାର ଡର ବି ନଥିଲା । ହଡସନ୍ ନଈ ଉପରୁ ଥଣ୍ଡା ପବନ ବହି ଆସୁଥିଲା । ଆକାଶରେ ନୂଆ ତାରା ସବୁ ଦିଶିବାକୁ ଆରମ୍ଭ କରିଥିଲେ । ଗଳିର ଆରପଟୁ ଗୋଟେ କଳା ବିଲେଇ ତାଙ୍କ ଆଡ଼କୁ ଆସୁଥିଲା । କିଛି ସମୟ ପାଇଁ, ସେ ବିଲେଇ ଫୁଟପାଥ ଦାଢ଼ରେ ଠିଆହେଲା । ତା' ସବୁଜ ଆଖି ଦୁଇଟିରେ ସେ ସିଧାସଳଖ ବେସିଙ୍କୁ ଚାହିଁ ରହିଲା । ତା'ପରେ ଆସ୍ତେ ଆସ୍ତେ ସତର୍କ ଭାବରେ ସେ ତାଙ୍କ ପାଖକୁ ଆସିଲା । ବର୍ଷବର୍ଷ ଧରି ବେସି ସବୁ ପଶୁପକ୍ଷୀଙ୍କୁ ଘୃଣା କରିଆସୁଥିଲେ - କୁକୁର ,ବିଲେଇ, ପାରା, ଏମିତି ଘରଚଟିଆମାନଙ୍କୁ ବି । ସେମାନେ ରୋଗ ନେଇ ଆସୁଥିଲେ । ସେମାନେ ସବୁଆଡ଼ ଅସନା କରିଦଉଥିଲେ । ବେସି ବିଶ୍ବାସ କରୁଥିଲେ ଯେ ପ୍ରତି ବିଲେଇ ଭିତରେ ରାକ୍ଷସଟିଏ ଅଛି । ଖାସକରି କଳା ବିଲେଇମାନେ, ଯୋଉମାନେ ସଇତାନର ଆସିବାର ସଙ୍କେତ, ସେମାନଙ୍କ ସାମ୍ନାକୁ ବି ଯିବାକୁ ସେ ଡରୁଥିଲେ । କିନ୍ତୁ ଏବେ ଏ ବିଚରା ଜୀବଟି ପାଇଁ ତାଙ୍କ ମନରେ ଖାଲି ଭଲପାଇବା ଆସିଲା । ଏ ବିଲେଇର ଘର ନଥିଲା, ସମ୍ପତ୍ତି ନଥିଲା, କବାଟ ନଥିଲା କି ଚାବି ବି ନଥିଲା । ସେ ଈଶ୍ବରଙ୍କ ଦୁନିଆରେ ରହୁଥିଲା । ବେସିଙ୍କ ପାଖକୁ ଆସିବା ପୂର୍ବରୁ ବିଲେଇଟି ତାଙ୍କ ବ୍ୟାଗ୍ ଶୁଙ୍ଘିଲା । ତା'ପରେ ଆସି ତାଙ୍କ ଗୋଡ଼ରେ ଘଷିହେଲା, ଲାଞ୍ଜ ହଲେଇଲା ଆଉ ମିଆଁଉ ମିଆଁଉ କଲା । ବିଚରାକୁ ଭୋକ ଲାଗୁଚି ! ତାକୁ ଖାଇବାକୁ ଦବାକୁ ଭଲା ମୋ ପାଖରେ କିଛି ଥାଆନ୍ତା ! ଏ ବିଚରା ଛୁଆକୁ କିଏ ବା କେମିତି ଘୃଣା କରିପାରିବ, ବେସି ଭାବିଲେ । "ମା' ଲୋ ! ମୋ' ମା' ! ମତେ ବୋଧେ କିଏ ଗୁଣି କରିଦେଇଥିଲା ଲୋ ମା' ! ମୁଁ ନୂଆ ଜୀବନ ଆରମ୍ଭ କରିବି ଲୋ ମା' ।" ହଠାତ୍ ତାଙ୍କ ମୁଣ୍ଡକୁ ଗୋଟେ କଥା ଆସିଲା ଆଉ ସେ ଭାବିଲେ ଏମିତି ଗୋଟେ ବିଶ୍ୱାସଘାତକତା କରିବେ କି ? ଆଉଥରେ ବାହା ହେଇଯିବେ କି ? ...

(ଅବଶିଷ୍ଟ ଓ ଅନ୍ତିମ ଅଂଶ ପରବର୍ତ୍ତୀ ଭାଗରେ)