ନୂଆ ଦୁନିଆର ଦ୍ୱାରଦେଶରେ (?) (୪)

ଯୋଉ ମେଟାଭର୍ସରେ ମୋ ଅବତାର ରହିବ, ସେଇ ମେଟାଭର୍ସରେ ମୋ ବ୍ୟାଙ୍କ ଆକାଉଣ୍ଟ ବି ଥିବ, ମୋ ଡିଜିଟାଲ ଚିହ୍ନ ସବୁ ବି ଥିବେ । ସେସବୁ ବ୍ୟବହାର କରି ସେ ଯେ ମେଟାଭର୍ସରେ "ଅସଲ ମୁଁ" ବୋଲାଇବାକୁ ଚାହିଁବ ଏ ଭାବନା କାଳ୍ପନିକ ମନେ ହେଲେ ହେଁ ଅଯୌକ୍ତିକ ନୁହେଁ ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

(ଅନ୍ତିମ ଭାଗ)

କିଛିଦିନ ତଳେ ଏଇ ଲେଖାର ପ୍ରଥମ ଭାଗ ଲେଖିସାରିଲା ପରେ ମୁଁ ସ୍ବପ୍ନଟିଏ ଦେଖିଲି । ସ୍ୱପ୍ନରେ ମୁଁ ଭି.ଆର୍. ହେଡସେଟ ପିନ୍ଧିଚି ଓ ମେଟାଭର୍ସ ଭିତରେ ମୋ ଅବତାର ଜରିଆରେ ନାନା ପ୍ରକାର ଗେମ୍ ଖେଳୁଚି । କୋଉଠି ପାହାଡ଼ ଚଢ଼ୁଚି ତ , କୋଉଠି ସମୁଦ୍ର ଭିତରକୁ ଡିଆଁ ମାରୁଚି ନିଆଁ ଲାଗିଯାଉଥିବା ଜାହାଜରୁ । କୋଉଠି ଶାହରୁଖ ଖାନଙ୍କ ଅବତାର ସହ ଚା' ପିଉଚି ତ କୋଉଠି କ୍ରିକେଟ ଖେଳୁଚି ରାହୁଲ ଦ୍ରାବିଡ଼ଙ୍କ ଅବତାର ସହ । ତେବେ ହଠାତ୍ କଣ ହଉଚି ନା କୋଉ ଗୋଟେ ରୁମ୍ ଭିତରେ ମୋ ଅବତାର କୋଉ ଗୋଟେ ଫାଇଟ୍ ଗେମ୍ ମଝିରେ ବନ୍ଧୁକରେ ନିଜେ ନିଜ ମୁଣ୍ଡକୁ ଗୁଳି କରିଦଉଚି ଆଉ ମରିଯାଉଚି । ସେତିକିରେ ମୋ ନିଦ ଭାଙ୍ଗିଗଲା । ମୁଁ ଏ ଅବାନ୍ତର ସ୍ବପ୍ନର ଅର୍ଥ ଖୋଜିବାକୁ ଚେଷ୍ଟା କଲି । କିନ୍ତୁ ପାଇଲିନି । ଗୋଟାଏ କଥା ଯାହା ମୋ ମନକୁ ଅଧିକ ଆନ୍ଦୋଳିତ କରି ରଖିଲା ତାହା ହେଲା ସ୍ୱପ୍ନ ଭିତରେ ଭି.ଆର୍. ହେଡସେଟ ପିନ୍ଧା ବାସ୍ତବ ମୁଁ ବୋଲି ଯୋଉ ମଣିଷଟି - ତା ବିନା ଅନୁମତିରେ କେମିତି ସ୍ୱପ୍ନ ଭିତରେ ମୋ ଅବତାର ନିଜକୁ ନିଜେ ଗୁଳି ମାରିଦେଇ ପାରିଲା !

'ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ' ନାଁ ସହ ଆପଣ ଉଣା ଅଧିକେ ପରିଚିତ ଥିବେ ବୋଲି ମୁଁ ଭାବୁଚି । ଯେମିତି ଭର୍ଚୁଆଲ୍ ରିଅଲିଟିକୁ ଆମେ ଭି.ଆର୍. କହୁ, ସେମିତି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସଂକ୍ଷିପ୍ତ ନାଁ ହେଲା ଏ.ଆଇ. (A.I.) । ଏ.ଆଇ.ର କାମ କଣ ଏକଥା ଅତି ସରଳ ଉଦାହରଣଟିଏ ଦେଲେ ଆପଣ ବୁଝିପାରିବେ । ଧରନ୍ତୁ ଆପଣଙ୍କୁ କୋଡ଼ିଏ ହଜାର ତିନି ଶହ ଅଣତିରିଶ ଗୁଣନ ତିନି ଶହ ସତାବନ କେତେ ବାହାର କରିବାର ଅଛି । ଆପଣ କାଗଜ କଲମ ବାହାର ନକରି ନିଜ ସ୍ମାର୍ଟଫୋନରେ ସେ ହିସାବଟି କରିବେ । ଆଖି ପିଛୁଳାକେ ଆପଣଙ୍କ ଫୋନ ପରଦାରେ ଦିଶିଯିବ ଉତ୍ତର : ବାସ୍ତରି ଲକ୍ଷ ସତାବନ ହଜାର ଚାରିଶହ ତେପନ (କିଛି ବ୍ୟସ୍ତ ହବାର ନାହିଁ, ମୁଁ ବି ସ୍ମାର୍ଟଫୋନ ଦେଖି ହିଁ ଲେଖିଚି ଉତ୍ତର) । ବଡ଼ ଜଟିଳ ଦିଶୁଥିଲେ ବି ଏ ଗୁଣନ ହଉଚି ଅତି ସରଳ ଗାଣିତିକ କ୍ରିୟାଟିଏ । ଏହାଠାରୁ ଅପେକ୍ଷାକୃତ ଢେର ଅଧିକ ଜଟିଳ ଅନେକ ଗାଣିତିକ ବା ବୈଜ୍ଞାନିକ ପ୍ରକ୍ରିୟା ଯାହା ମଣିଷକୁ ହାତରେ କଲେ ବହୁ ବର୍ଷ ଲାଗିଯିବ , ତାହା ମଧ୍ୟ କମ୍ପ୍ୟୁଟର ମାଧ୍ୟମରେ ଅତି ଅଳ୍ପ ସମୟରେ କରାଯାଇପାରେ । କେବଳ ଗଣିତ କି ବିଜ୍ଞାନ ନୁହେଁ, ଆପଣ ସମସ୍ତେ ଗୁଗଲ୍ ଟ୍ରାନ୍ସଲେଟ ବିଷୟରେ ଜାଣିଥିବେ । ଗୋଟିଏ ଭାଷାରୁ ଆର ଭାଷାକୁ ଯୋଗାଯୋଗ କରିହେଲା ଭଳି ଚଳନୀୟ ଅନୁବାଦ ଏଥିରେ କରିହବ । ଇଲେକ୍ଟ୍ରୋନିକ୍ ଯନ୍ତ୍ରମାନଙ୍କର ଏ ବୁଦ୍ଧିମତ୍ତା ଆସିଚି ମଣିଷଠାରୁ ହିଁ, ପ୍ରୋଗ୍ରାମ୍ ମାଧ୍ୟମରେ । ଅତଏବ ନାଁଟି କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଯାଏଁ କଥା ଭାରି ଭଲ ଶୁଭୁଚି: ଆମର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆମର ମୂଲ୍ୟବାନ ସମୟ ବଞ୍ଚଉଚି; ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଅନେକ କଷ୍ଟ କାମକୁ ସରଳ କରିଦିଆଯାଇପାରୁଚି । କିନ୍ତୁ ଏଥିରେ ଗୋଟିଏ ବିପଜ୍ଜନକ ଦିଗ ବି ରହିଚି । ତାହା ହେଲେ, ବୈଜ୍ଞାନିକମାନେ ଲକ୍ଷ୍ୟ କରିଚନ୍ତି ଯେ କୃତ୍ରିମ ବୁଦ୍ଧିମତ୍ତାର ଏକ ବିଶେଷ ଦିଗ ହେଲା ଏହା ସୀମିତ ନୁହେଁ । ଅର୍ଥାତ୍, ଯେତିକି କାମ କରିବାର ସାମର୍ଥ୍ୟ ତାକୁ ପ୍ରୋଗ୍ରାମ୍ ମାଧ୍ୟମରେ ଦିଆଯାଇଚି, ସେତିକିରେ ହଉଥିବା ଭୁଲକୁ ସୁଧାରିବା ପାଇଁ ବି ସେଥିରେ ସୁବିଧା କରାଯାଇଚି । ଏଇ ସୁଧାରିବା କଥାଟି କୃତ୍ରିମ ବୁଦ୍ଧିମତ୍ତାକୁ ଆପେ ଆପେ ବିକଶିତ ହବାରେ ସହାୟକ ହେଉଚି । ଦିଆହେଇଥିବା ପ୍ରତି କାମ କରିସାରିଲା ପରେ ଏ.ଆଇ. ନିଜର ଅଭିଜ୍ଞତାରେ ଆହୁରି ପରିପୁଷ୍ଟ ହବାର ସୁବିଧା ଅଛି । ଏକଥାର ଉଦ୍ଦେଶ୍ୟ ଅବଶ୍ୟ ମଣିଷର କାମ ସବୁକୁ ଆହୁରି ସହଜ କରିବା । କିନ୍ତୁ ଆପେ ଆପେ ବିକଶିତ ହଉଥିବା ଜିନିଷଟି ଯେ ଆମ କଳନା ଶକ୍ତିଠାରୁ ଅଧିକ ଜୀବନ୍ତ ହେଇଯାଇପାରେ ତାହା ବି ବୁଝିବା ଦରକାର ।

ଅତି ସରଳ ଉଦାହରଣଟିଏ ନିଅନ୍ତୁ । ୟୁଟ୍ୟୁବରେ ଆପଣ ଗୋଟିଏ ଭିଡ଼ିଓ ଦେଖିସାରିଲା ପରେ ତଳେ ଆଉ କିଛି ଭିଡ଼ିଓ ଦେଖିବା ପାଇଁ ପରାମର୍ଶ ଦିଏ ୟୁଟ୍ୟୁବ୍, ଆପଣଙ୍କ ପସନ୍ଦ ଭିତ୍ତିରେ । ସେଠି ଆପଣ ଗୋଟିଏ ଭିଡ଼ିଓ ବାଛିଲେ କି ନାହିଁ, ଯଦି ବାଛିଲେ କେଉଁଟି ବାଛିଲେ, ଏବଂ କେତେ ସମୟ ଏମିତି ଏ ବଛା ଓ ଦେଖା ଚାଲିଲା - ଏସବୁର ହିସାବ ରଖୁଚି ୟୁଟ୍ୟୁବର ଏ.ଆଇ. । ମଣିଷ ନାହାନ୍ତି କେହି ହିସାବ ରଖିବା ପାଇଁ, ମେସିନ୍ ଭିତରର ପ୍ରୋଗ୍ରାମ୍ ନିଜେ ରଖୁଚି ଏ ହିସାବ । ଆପଣଙ୍କ ପ୍ରତିଟି କ୍ଲିକ୍ ଏ.ଆଇ. ପାଇଁ ଖୋରାକ ଯାହାକୁ ଆତ୍ମସାତ୍ କରି ପରିପୁଷ୍ଟ ହଉଚି ସିଏ । ଏ କଥାଟି କେବଳ ୟୁଟ୍ୟୁବ୍ ପାଇଁ ନୁହେଁ , ସବୁ ସୋସିଆଲ ମିଡ଼ିଆ ପାଇଁ ସତ । ସବୁ ୱେବସାଇଟ ଯୋଉମାନେ କୁକିସ୍ (cookies) ବ୍ୟବହାର କରନ୍ତି ସେମାନଙ୍କ ପାଇଁ ସତ । ପ୍ରତିଟି କ୍ଲିକ୍ ସହ ଆପଣ ନିଜ ଜୀବନଶୈଳୀର , ନିଜ ପରିଚୟର ଏକ ଡିଜିଟାଲ୍ ଚିହ୍ନ ବା imprint ଛାଡ଼ୁଚନ୍ତି ଇଣ୍ଟରନେଟରେ ଯାହା ବ୍ୟବହାର କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆପଣଙ୍କୁ ଆହୁରି ଭଲଭାବରେ ବୁଝିବାକୁ ସମର୍ଥ ହଉଚି ଓ ହବ । ଧରନ୍ତୁ, ସ୍ବଚାଳିତ ଟେସଲା ଗାଡ଼ି ସବୁ ଯାହା ବଜାରକୁ ଆସିଲାଣି ସେଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହିଁ ଗୁଗଲ ମ୍ୟାପ୍ସ ଜରିଆରେ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚେଇ ଦେଇପାରିବ । ଆପଣ ଖାଲି ଯାହା ଡ୍ରାଇଭର ସିଟରେ ବସିବେ । ଅବଶ୍ୟ ଏବେ ବି ସେ ପ୍ରକ୍ରିୟାରେ ଡ୍ରାଇଭରର "ସୁପରଭିଜନ" ଲୋଡ଼ା । ତେବେ ଖୁବଶୀଘ୍ର ଏହାର ବି କିଛି ଆବଶ୍ୟକତା ପଡ଼ିବ ନାହିଁ କାରଣ ମଣିଷମାନଙ୍କର ଟ୍ରାଫିକ ହାବଭାବ ବୁଝି ସେ ଅନୁସାରେ ନିଷ୍ପତ୍ତି ନବାକୁ ଏ.ଆଇ.କୁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ ।

ଆଇଜାକ୍ ଆସିମଭଙ୍କ ବହିସବୁ ଆପଣ ଯଦି ଏଯାଏଁ ପଢ଼ିନାହାନ୍ତି, ତାହେଲେ ନିହାତି ପଢ଼ନ୍ତୁ । ୧୯୪୨ ମସିହାରେ ଆସିମଭ ନିଜର ଏକ କ୍ଷୁଦ୍ରଗଳ୍ପ "ରନଆରାଉଣ୍ଡ"ରେ ରୋବୋଟିକ୍ସର ତିନୋଟି ନିୟମ ଦେଇଥିଲେ ଯାହାକୁ ପରବର୍ତ୍ତୀ ସମୟରେ ଏ.ଆଇ. ନିର୍ମାଣ କରୁଥିବା ପ୍ରତି କମ୍ପାନୀ ନିଜ ଉତ୍ପାଦରେ ସାମିଲ କରିଚନ୍ତି । ଏ ନିୟମ ତିନୋଟି ଦେଖନ୍ତୁ:

ପ୍ରଥମ ନିୟମ: କୌଣସି ରୋବୋଟ୍ କେବେ ବି ନିଜ କାମ କରିବା ଦ୍ୱାରା ବା ନକରିବା ଦ୍ୱାରା କୌଣସି ମଣିଷକୁ କ୍ଷତି ପହଞ୍ଚାଇପାରିବ ନାହିଁ ।

ଦ୍ଵିତୀୟ ନିୟମ: ରୋବୋଟଟିଏ କେବେ ହେଲେ କୌଣସି ମଣିଷର ଆଦେଶର ଅବମାନନା କରିବ ନାହିଁ । କେବଳ ପ୍ରଥମ ନିୟମ ଭଙ୍ଗ ହେଉଥିଲେ ଏଭଳି ଅବମାନନା କରାଯାଇପାରିବ ।

ତୃତୀୟ ନିୟମ: ରୋବୋଟଟିଏ ଯଥାସମ୍ଭବ ନିଜର ରକ୍ଷା କରିବ , ଯେ ପର୍ଯ୍ୟନ୍ତ ଏ ଧରଣର ରକ୍ଷା ସକାଶେ ପ୍ରଥମ ବା ଦ୍ଵିତୀୟ ନିୟମ ଭଙ୍ଗ ହେଉନଥାଏ ।

ଏ ନିୟମ ସବୁ ଯଦିଓ ଆସିମଭ ସେତେବେଳେ ନିଜର କାଳ୍ପନିକ ଗପ ଓ ଉପନ୍ୟାସର ରୋବୋଟମାନଙ୍କ ପାଇଁ ଲେଖିଥିଲେ , ଆଜିର ସତସତିକା ଏ.ଆଇ. ଓ ଏ.ଆଇ.କୁ ତିଆରି କରୁଥିବା ମଣିଷମାନଙ୍କ ପାଇଁ ଏହା ଅକାଟ୍ୟ ନିୟମ ପରି ଉଭା ହେଇଚି । କିନ୍ତୁ ସବୁ ପରେ ବି, ଏସବୁ କୌଣସି ଦେଶର ଆଇନ ବହିର ନିୟମ ନୁହେଁ । ଏହାକୁ ଅମାନ୍ୟ କରି ଏ.ଆଇ. ନିର୍ମାଣ କରି ଘୋଡେ଼ଇ ପକେଇବାର ହଜାରେ କୌଶଳ ଅନେକ ଉଦ୍ୟୋଗୀଙ୍କ ପାଖରେ ଥିବାରେ କିଛି ଆଶ୍ଚର୍ଯ୍ୟ ନାହିଁ ।

ଏବେ ଫେରି ଆସିବା ମୋ' ସ୍ୱପ୍ନ ପାଖକୁ । ମୋ'ର ମେଟାଭର୍ସର ଅବତାର ବିଚରା ଯିଏ ମୋ ବିନା ଅନୁମତିରେ ନିଜକୁ ଗୁଳି ମାରିଦେଇ ପାରିଲା, ସେ ମୋ ବିନା ଅନୁମତିରେ ଅନେକ କିଛି କରିପାରିବ । ଯୋଉ ମେଟାଭର୍ସରେ ମୋ ଅବତାର ରହିବ, ସେଇ ମେଟାଭର୍ସରେ ମୋ ବ୍ୟାଙ୍କ ଆକାଉଣ୍ଟ ବି ଥିବ, ମୋ ଡିଜିଟାଲ ଚିହ୍ନ ସବୁ ବି ଥିବେ । ସେସବୁ ବ୍ୟବହାର କରି ସେ ଯେ ମେଟାଭର୍ସରେ "ଅସଲ ମୁଁ" ବୋଲାଇବାକୁ ଚାହିଁବ ଏ ଭାବନା କାଳ୍ପନିକ ମନେ ହେଲେ ହେଁ ଅଯୌକ୍ତିକ ନୁହେଁ । ଯେତେ ଯେତେ ଆମେ ଭର୍ଚୁଆଲ ରିଅଲିଟି ଭିତରକୁ ଯିବା, ସେତେ ସେତେ ଆମ ନିଜ ବ୍ୟକ୍ତିତ୍ୱ ଓ ଆମ ଅବତାରର ବ୍ୟକ୍ତିତ୍ୱ ଭିତରର ପ୍ରଭେଦ କମିଯିବ - ଅନ୍ତତଃ ମେଟାଭର୍ସରେ । ଏବଂ ଆମେ ନିଜେ ଯଦି ଏ ଦୁନିଆରେ ଥାଇ ସେ ଆଭାସୀ ଦୁନିଆର ଅନୁଭବ ପାଇପାରୁଥିବା, ଆମ ଅବତାର ପାଇଁ ସେ ଆଭାସୀ ଦୁନିଆ ଭିତରେ ରହି ଆମ ଚିନ୍ତା, ଚେତନା, ଭାବନା ଓ କଥାବାର୍ତ୍ତା ଜରିଆରେ ଏ ବାସ୍ତବ ଦୁନିଆର ଅନୁଭବ ପାଇପାରିବା କିଛି ବିଚିତ୍ର କଥା ନୁହେଁ । ଯାହା ହେଲେ ବି ଏ ଅବତାରମାନଙ୍କୁ ତ ମଣିଷର ବୁଦ୍ଧିମତ୍ତାର ମଡେଲ ଦେଇ ହିଁ ଗଢ଼ା ହବ । ଏ.ଆଇ.ର ସବୁଠୁ ବଡ଼ ଶକ୍ତି ହେଲା ଏହାର ସ୍ମୃତିଶକ୍ତି ଓ ଯାନ୍ତ୍ରିକ ଭାବରେ ତୁରନ୍ତ ସେ ସ୍ମୃତିଶକ୍ତିକୁ ବ୍ୟବହାର କରି କୌଣସି କାମ ଅନାୟାସରେ କରିପାରିବା । ମହାନ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କର ଶେଷ ବହି 'Brief Answers to the Big Questions' , ଯାହା ତାଙ୍କ ମୃତ୍ୟୁ ପରେ ପ୍ରକାଶ ପାଇଲା, ଅଛି ସତର୍କବାଣୀଟିଏ , ଯାହାର ମର୍ମାନୁବାଦ ହେଲା: ଏ.ଆଇ. ହୁଏତ ଆମେ ତିଆରି କରିଥିବା ସବୁଠୁଁ ଚମତ୍କାର ଜିନିଷ ହବ, ନହେଲେ ହବ ସବୁଠୁଁ ଭୟଙ୍କର । ଆମେ ସତର୍କ ନହେଲେ ଏ.ଆଇ. ହିଁ ହବ ଆମର ଅନ୍ତିମ ଉଦ୍ଭାବନ ।