(ପୂର୍ବ ପ୍ରକାଶିତ ଉତ୍ତାରୁ)

ମେଟାଭର୍ସ୍ ଯେ ଅଗଣତାନ୍ତ୍ରିକ ଦୁନିଆଟିଏ ହବ, ଏକଥା ବିଶ୍ବାସ କରିବା ପାଇଁ ଯଥେଷ୍ଟ କାରଣ ଆମ ପାଖରେ ଅଛି ଫେସବୁକର ବର୍ତ୍ତମାନର ପରିଚାଳନା ନିୟମ ଭିତରେ । ଏ ପରିଚାଳନା ନିୟମ ଭିତରେ "କମ୍ୟୁନିଟି ଷ୍ଟାଣ୍ଡାର୍ଡ୍ସ" ବୋଲି ଗୋଟିଏ ଜିନିଷ ଅଛି ଯାହା ବିଷୟରେ ହୁଏତ ଆପଣ ଶୁଣିଥିବେ । ନାମକରଣ ଶୁଣି ଲାଗିବ ଯେ ଏହା ସତେଯେମିତି ଏକ ମାନକ ଫେସବୁକର ଅଧିବାସୀମାନଙ୍କ ପାଇଁ (ଯେଉଁମାନେ ସମସ୍ତେ ସତେ ଯେମିତି ଗୋଟିଏ କମ୍ୟୁନିଟି ବା ଗୋଷ୍ଠୀର ଅଂଶ) । ତେବେ ଏଇ ଅଧିବାସୀମାନଙ୍କର ଏ ମାନକ ସ୍ଥିର କରିବାରେ କୌଣସି ଭୂମିକା ନାହିଁ । ଫେସବୁକରେ ଗ୍ରୁପ୍ ତିଆରି କରିବା ପାଇଁ ଯେଉଁ ସୁବିଧାଟି ଅଛି, ସେଥିରେ ଗ୍ରୁପର ଆଡମିନ୍ ଚାହିଁଲେ ଏକ ନିର୍ଦ୍ଦିଷ୍ଟ ଫେସବୁକ ଗ୍ରୁପ ପାଇଁ କିଛି ମାନକ ନିୟମ ସ୍ଥିର କରିପାରିବ ଏବଂ ସେ ନିୟମ ଭାଙ୍ଗୁଥିବା ପୋଷ୍ଟ ସବୁକୁ ହଟେଇ ଦେଇପାରିବ । ଅନେକ ସମୟରେ କିନ୍ତୁ ଏ ଗ୍ରୁପର ସଦସ୍ୟମାନେ ଊଣା ଅଧିକେ ଏକାପରି ଭାବୁଥିବା ମଣିଷ ହିଁ ହେଇଥାଆନ୍ତି । ଅସୁବିଧା ଉପୁଜେ ସେଇଠି ଯେଉଁଠି ଆପଣ ଏଭଳି ଏକ ଗ୍ରୁପ୍ ବାହାରେ ନିଜ ୱାଲରେ ଏମିତି ଏକ ପୋଷ୍ଟ ଦେଖନ୍ତି ଯାହା ଅତିମାତ୍ରାରେ ଘୃଣା ଉଦ୍ରେକକାରୀ । ଧରାଯାଉ, ସାମ୍ପ୍ରଦାୟିକ ହିଂସାକୁ ପ୍ରଶ୍ରୟ ଦଉଥିବା ଭିଡ଼ିଓଟିଏ । ଏ ଭିଡ଼ିଓଟି ନିଶ୍ଚୟ ଫେସବୁକ୍ "କମ୍ୟୁନିଟି ଷ୍ଟାଣ୍ଡାର୍ଡ୍ସ" ବିରୁଦ୍ଧରେ ଯିବ ବୋଲି ଆପଣ ଭାବିବେ । ଭିଡ଼ିଓଟିକୁ "ରିପୋର୍ଟ" କରିବେ ଏବଂ ଅପେକ୍ଷା କରିବେ ଫେସବୁକର ସମୀକ୍ଷା ଓ ନିଷ୍ପତ୍ତିକୁ । ଅନେକ ଜାଗାରେ ଆପଣ ନିରାଶ ହେବେ ।

ଆପଣ ଏକେଲା ନୁହନ୍ତି, ଅନେକେ ଏଇମିତି ନିରାଶ ହେଇଆସୁଚନ୍ତି ଓ ହେବେ । କାହିଁକି ନା ଏ "କମ୍ୟୁନିଟି ଷ୍ଟାଣ୍ଡାର୍ଡ୍ସ"ର ମାନକ ସବୁ ଏକବାରେ ହାଲକା ଓ ନମନୀୟ । ଯଦି ହଜାରେ ଆକାଉଣ୍ଟ ଗୋଟିଏ ଭିଡ଼ିଓକୁ ଘୃଣା ଉଦ୍ରେକକାରୀ ବୋଲି ରିପୋର୍ଟ କଲେ ଏବଂ ତିନି ହଜାର ଆକାଉଣ୍ଟ ସେ ଭିଡ଼ିଓକୁ ଲାଇକ୍ କି ଶେଆର୍ କରିଚନ୍ତି, ତାହେଲେ ଫେସବୁକ୍ ସେ ଭିଡ଼ିଓକୁ ହଟେଇବାର ସମ୍ଭାବନା ପ୍ରାୟ ଶୂନ । ଯଦିଓ ଫେସବୁକ ଜାଣିଥିବ ଯେ ଏ ତିନି ହଜାର ଆକାଉଣ୍ଟ ଭିତରେ ଅଧିକାଂଶ ଫେକ୍ ଆକାଉଣ୍ଟ ଯାହା ତିଆରି ହେଇଚି ସଂଘବଦ୍ଧ ଭାବେ କେବଳ ଅନ୍ୟକୁ ଗାଳି ଦବାକୁ ଓ ସଂଖ୍ୟାର ଖେଳରେ ଜିତିବାକୁ, ଯଦିଓ ଫେସବୁକ୍ ଜାଣିଥିବ ଯେ ଏ ତିନି ହଜାର ଆକାଉଣ୍ଟ ଭିତରୁ ଅଧିକାଂଶ ଆକାଉଣ୍ଟ ନାଁରେ ରୋଜ୍ ଏଭଳି ରିପୋର୍ଟ ସବୁ ଆସୁଚି, ତଥାପି ଫେସବୁକ୍ ସେ ଭିଡ଼ିଓ ହଟେଇବ ନାହିଁ । ଏଠି ସଂଖ୍ୟାଗତ ଗରିଷ୍ଠତାର ଗୋଟିଏ ଭ୍ରମ ସୃଷ୍ଟି କରି ହୁଏତ ଗଣତାନ୍ତ୍ରିକ ପରିବେଶର ଆଭାସ ସୃଷ୍ଟି କରାଯାଇପାରେ । କିନ୍ତୁ ଏ କ୍ଷେତ୍ରରେ ଲୋକମାନଙ୍କର ଗରିଷ୍ଠତା ନୁହେଁ, ବରଂ ଅଧିକ କ୍ଲିକ୍ ତିଆରି କରିପାରୁଥିବା ପୋଷ୍ଟ ହିଁ "କମ୍ୟୁନିଟି ଷ୍ଟାଣ୍ଡାର୍ଡ୍ସ" । ବାସ୍ତବ (ବା ଭି.ଆର୍.) ଜୀବନରେ ୟାର ଅର୍ଥ ହବ ଅନେକ ଲୋକ ଏକାଠି ରୁଣ୍ଡ ହେଇ ଘୋ - ଘା କରୁଥିବେ ବା ଆପତ୍ତିଜନକ କଥା କହୁଥିବେ ଆପଣଙ୍କ ଗଳିରେ । ଅବଶ୍ୟ ଏକଥା ସତ ଯେ ଫେସବୁକରେ ଆପଣ ଚାହିଁଲେ ଏବେ ବି ସେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଅନଫଲୋ କି ବ୍ଲକ୍ କରିପାରିବେ । ଯାହା ଫଳରେ ଆଉ ଦିଶିବନି ଆପଣଙ୍କୁ ଘୃଣା ଭର୍ତ୍ତି ସେ ପୋଷ୍ଟ ସବୁ । ମେଟାଭର୍ସରେ ଏହାର ରୂପ ହବ ଏଇମିତି ଯେ ଆପଣଙ୍କ ଗଳିରୁ ଉଭେଇ ଯିବେ ଗାଳିଗୁଲଜ କରୁଥିବା ଲୋକମାନେ, ଆପତ୍ତିଜନକ ଭାଷାରେ ଧମକଚମକ ଦଉଥିବା ଟ୍ରଲମାନେ । କିନ୍ତୁ କେବଳ ଆପଣଙ୍କ ପାଇଁ । ଆପଣଙ୍କ ସାଙ୍ଗରେ ଚାଲୁଥିବା କି ଠିଆହେଇଥିବା ଆପଣଙ୍କ ମେଟାଭର୍ସ ପଡ଼ୋଶୀ କି ଝିଅ କି ସାଙ୍ଗଙ୍କ ଗଳିରେ ସେମାନେ ସେଇମିତି ଦିଶୁଥିବେ ଓ ଶୁଭୁଥିବେ କିନ୍ତୁ । କାହିଁକି ନା ସେମାନଙ୍କ ଗାଳିଗୁଲଜ ଓ ଧମକଚମକ ସବୁରୁ ବେଶ୍ ହିଟ୍ ମିଳୁଥିବ ଫେସବୁକକୁ ।

ଏଠି ଆଉ ଗୋଟିଏ କଥା କହିବା ନିହାତି ଜରୁରୀ । ତାହା ହେଲା ଅନଲାଇନ ଟ୍ରଲିଂ ଓ ମିଛ ଖବର ପ୍ରସାରଣ ଦିଗରେ ଫେସବୁକର ନିଜସ୍ୱ ଭୂମିକା । ଫେସବୁକ ଯେ କେବଳ ଅନ୍ୟ ଆକାଉଣ୍ଟର ଏ ଧରଣର କାର୍ଯ୍ୟକଳାପକୁ ପ୍ରତିହତ କରେ ନାହିଁ ସେତିକି ନୁହେଁ, ଅନେକ ସ୍ଥଳରେ ଫେସବୁକ ନିଜେ ଏ ଧରଣର କାମ କରିବାର ନଜିର ରହିଚି । ଖୋଦ ଜୁକରବର୍ଗ ସ୍ଵୀକାର କରିଚନ୍ତି (ଅବଶ୍ୟ ଆମେରିକାନ୍ କଂଗ୍ରେସର କଡ଼ା ତଦନ୍ତ ବସିଲା ପରେ) ଯେ ଏକାଧିକ ଦେଶର ନିର୍ବାଚନବେଳେ ରାଜନୀତିକ ଦଳଙ୍କଠାରୁ ବେଶ୍ ମୋଟା ଅଙ୍କର ପଇସା ନେଇ ଫେସବୁକ୍ ବିଜ୍ଞାପନ ନାଁରେ ସେଇ ଦଳକୁ ସୁହାଇଲା ପରି ବିଭାଜନକାରୀ ଓ ଘୃଣା ଉଦ୍ରେକ କଲା ଭଳି ପୋଷ୍ଟ ସବୁର ଟ୍ରାଫିକ୍ ବଢ଼େଇଚି । ତା' ପୁଣି ଯୋଜନାବଦ୍ଧ ଭାବରେ ନିର୍ଦ୍ଦିଷ୍ଟ ଫେସବୁକ୍ ବ୍ୟବହାରକାରୀଙ୍କୁ ଲକ୍ଷ୍ୟରେ ରଖି । ୟାର ନାଁ ଦିଆହେଇଚି 'ଟାର୍ଗେଟେଡ୍ ପ୍ରମୋସନ୍' । ଇନଷ୍ଟାଗ୍ରାମରେ ବି ଏ ଧରଣର ସୁବିଧା ଅଛି । ଧରନ୍ତୁ ଆପଣ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ମତର ବିଶ୍ବାସୀ । ନିର୍ବାଚନ ପୂର୍ବରୁ ଆପଣଙ୍କୁ ସିଧାସଳଖ ସେଇ ମତକୁ ସୁହାଇଲା ଭଳି ସବୁଠାରୁ ଅଧିକ ବିଷାକ୍ତ ଭିଡ଼ିଓ ଦିଶିବ ଫେସବୁକ ୱାଲରେ । ଏ ଭିଡ଼ିଓ ସିଧାସଳଖ ଅମୁକ ରାଜନୀତିକ ପାର୍ଟିର ହେଇନଥିବ କିନ୍ତୁ ସେଇ ରାଜନୀତିକ ପାର୍ଟିଠାରୁ ପଇସା ନେଇ ଫେସବୁକ ଏ କାମ କରୁଥିବ । ଏଇଟି କେବଳ ଆପଣଙ୍କ ଭିତରେ ଥିବା ନିମ୍ନସ୍ତରର ଭାବନାକୁ ବ୍ୟବହାର କରିବା ଓ ତାର କିଣାବିକା କରିବା ମାତ୍ର ନୁହେଁ । ଏଥିରେ ଏସବୁ ପ୍ରକ୍ରିୟାକୁ ଘୋଡେ଼ଇ ପକେଇବାର ଏକ ମାରାତ୍ମକ ଉପାଦାନ ବି ଅଛି । ଧରାଯାଉ, ଆପଣ ଅମୁକ କମ୍ପାନୀର ଏକ ବାଇକ୍ ବିଜ୍ଞାପନ ଦେଖିଲେ - ଫେସବୁକରେ ହଉ କି ଅନ୍ୟ କୋଉଠି - ସେଠି ଆପଣ ଜାଣିଚନ୍ତି ବିଜ୍ଞାପନ କିଏ ଦେଇଚି । ଏଠି ଆପଣ ଭିଡ଼ିଓଟିଏ ଦେଖିଲେ ଏବଂ ଭାବିଲେ ଯେ ଆପଣଙ୍କ ସ୍ୱାଦ ଓ ପସନ୍ଦ ଅନୁସାରେ ଫେସବୁକ ତାହା ଆପଣଙ୍କୁ ଦେଖଉଚି ମାତ୍ର ବାସ୍ତବରେ ତାହା ଏକ ପଇସାଖିଆ ଅଥଚ ଗୁପ୍ତ ବିଜ୍ଞାପନ ହିସାବରେ ଦିଶୁଚି ଆପଣଙ୍କୁ । ମେଟାଭର୍ସରେ ୟାର ରୂପ କଳ୍ପନା କରନ୍ତୁ - ଆପଣଙ୍କ ଗଳିରେ ଚଳପ୍ରଚଳ କରୁଥିବା, ଆପଣଙ୍କର ଭଲ ବନ୍ଧୁ ହେଇସାରିଥିବା ଏବଂ ଆପଣଙ୍କର ଭଲମନ୍ଦ ଜାଣୁଥିବା ଅବତାରଟିଏ ବାସ୍ତବରେ ହେଇଥିବ ଅମୁକ ରାଜନୀତିକ ଦଳର ଭଦ୍ରଲୋକ ମୁଖା ପିନ୍ଧା ଭଡାଟିଆ ଗୁଣ୍ଡା ।

ବିଶ୍ୱସନୀୟତାର ଅଭାବ, ବ୍ୟବହାରକାରୀମାନଙ୍କ ଡାଟାର କିଣାବିକା ଏବଂ ବିବେକଶୂନ୍ୟ "କମ୍ୟୁନିଟି ଷ୍ଟାଣ୍ଡାର୍ଡ୍ସ" - ଏସବୁ ସମସ୍ୟା ଫେସବୁକ୍ ସହ ଆଜିର ଦିନରେ ବି ଜଡ଼ିତ । ଏ ସମସ୍ୟା ସବୁ ଆହୁରି ଅଧିକ ହେବ ଜୀବନ୍ତ ମେଟାଭର୍ସରେ । ସମସ୍ୟା ସିନା ଆମ ପାଇଁ, ଫେସବୁକ୍ ପରି ସଂସ୍ଥା ପାଇଁ ଏଇ ତ ଆୟର ପନ୍ଥା, ଏଇ ସେମାନଙ୍କର ବ୍ୟବସାୟର ମଡେଲ । ଏସବୁ ଆହୁରି କୁଶଳ ଭାବେ ଲୁଚେଇ ଦିଆହବ ମେଟାଭର୍ସରେ । ଆପଣ ନିଜେ ଭାବନ୍ତୁ, ଯୋଉ ପ୍ଲାଟଫର୍ମରେ ବଳାତ୍କାର କି ହତ୍ୟା ଧମକ ଦେଲା ପରେ ବି କମ୍ୟୁନିଟି ଷ୍ଟାଣ୍ଡାର୍ଡ୍ସ ଉଲ୍ଲଂଘନ ହୁଏ ନାହିଁ, ଅଥଚ ସରକାରଙ୍କ ସମାଲୋଚନା କଲେ ସେ ପୋଷ୍ଟ ହଟେଇଦିଆଯାଏ ବା ତା'ର ପହଞ୍ଚ କମ କରିଦିଆଯାଏ ଆଲଗୋରିଦିମ ଦ୍ୱାରା, ସେଭଳି ପ୍ଲାଟଫର୍ମ ଦ୍ୱାରା ତିଆରି ଆଭାସୀ ବିଶ୍ୱଟିଏ କେମିତି ଦିଶିବ ! କି ଧରଣର ଅବତାର ସବୁ ଚଳପ୍ରଚଳ ହବାର ସୁଯୋଗ ପାଇବେ ସେଠି ! ଏବଂ କି ପ୍ରକାର ଆଭାସୀ ବାସ୍ତବତା ସବୁ ବଢ଼ି ଡାଳପତ୍ର ମେଲେଇବାକୁ ସୁଯୋଗ ପାଇବେ ସେଠି !

ଏଯାଏଁ ଆମେ କଥା ହେଇଆସିଲେ ଆମ ବାସ୍ତବ ଦୁନିଆର ବ୍ୟବହାର ଭିତ୍ତିରେ କେମିତି ଦିଶିବ ଆମ ଭି.ଆର୍. ଦୁନିଆଟି । ଏବେ ଭାବି ଦେଖିବା ଏହାର ଅପରପକ୍ଷଟି । ଅର୍ଥାତ୍, ମେଟାଭର୍ସର ଆଭାସୀ ଦୁନିଆରେ ଆମ ଅବତାର ସବୁ ଆମର ଯେଉଁ ବ୍ୟକ୍ତିତ୍ୱ ନେଇ ଉଭା ହେବେ, ତା' ଦ୍ୱାରା ଆମ ବାସ୍ତବ ଜୀବନର ବ୍ୟକ୍ତିତ୍ୱ କେମିତି ପ୍ରଭାବିତ ହବ । ମେଟାଭର୍ସ କେମିତି ପ୍ରଭାବିତ କରିବ ଆମ ସତସତିକା ଦୁନିଆର ବାସ୍ତବତାକୁ ?

(କ୍ରମଶଃ...)