ତମେ ନ ଥିବା ସହର

ତମେ ନଥିବା ସହର ଆଉ କୋଉ ସହର ହେଇ ଅଛି ଯେ - ସେ ନଥିବାର ସହର ବୋଲି କିଛି ନଥାଏ, ନଥାଏ ବି ସେ ନଥିବାର କବିତା !!


ତମେ ନଥିବା ସହର
ଆଉ କୋଉ ସହର ହେଇ ଅଛି ଯେ !
କିଛି କିଛି ରାସ୍ତା ଉପରେ ଆଲକାତରା ଢ଼ଳା ହେଇଛି
ରାସ୍ତା କଡରେ ଥିବା ଗଛସବୁଙ୍କୁ ହତ୍ୟା କରାସରିଲାଣି
କିଛି ଗାଡି ଚାଲିଛି, ରିକ୍ସା ବଦଳରେ ଅଟୋ ଗଡୁଛି
ଯୁଆଡେ ଅନେଇଲେ, ଧୂଆଁ ।

ନିଆଁ ଖୋଜା ଚାଲିଛି
ନିଆଁମାନଙ୍କ ବୟସ, ଏଇ ଅଠର ରୁ ଉଣେଇଶି
ସୁଦୁ ବେକାରୀ, ମଦ ପାଉଜ, ନହେଲେ ଡ୍ରଗ
କିଛି ନ ମିଳିଲେ କୋରେକ୍ସ କପ୍ ସିରପ
ଶହେ ଦି ଶହ ଟଙ୍କା ପାଇଁ କଥା କଥାରେ ହତ୍ୟା ।

ସଭିଏଁ ଅପେକ୍ଷା କରିଛନ୍ତି କାଳିଆ ଟଙ୍କାକୁ
ସଭିଏଁ ଧାଡି ଲଗେଇଛନ୍ତି ଆହାର ବୋର୍ଡ ସାମ୍ନାରେ
ଯୁଆଡେ ଦେଖ ବଡ ବଡ ହୋର୍ଡିଙ୍ଗ, ଉଦଘାଟନୀ ଉତ୍ସବ
ଯୁଆଡେ ଦେଖ କ୍ଯାଣ୍ଡେଲ ଶୋଭାଯାତ୍ରା
ପାଣି ଅସ୍ତ୍ର ଏବେ
ଖାଦ୍ୟ ନିର୍ବାଚନୀ ଇସ୍ତାହାର ।
ଛୁଆଙ୍କୁ ପୋଷାକ, ବଡଙ୍କୁ ସାନିଟାରୀ ନାପକିନ୍
ଯୋଜନା ଆଉ ଯୋଜନା, ଉଜ୍ବଳା, ଆୟୁଷ୍ମାନ ।

ତମେ ନ ଥିବା ସହରରେ ସବୁକିଛି ଥାଏ, ହେଲେ ସହରଟିଏ ନଥାଏ
ଗଛ ଥାଏ, ଡାଳ ଥାଏ, ହେଲେ ପତ୍ର ଜମା ନଥାଏ
ପକ୍ଷୀମାନେ ନଥାନ୍ତି
ମୃତ ନଈ, ମୃତ କଇଁ, ଜହ୍ନ ବି ମୃତ
ଓଠ ସବୁରେ ହସ ମୃତ
ତେବେବି କେହିଜଣେ ବୁଲି ବୁଲି କହୁଛି କୁଆଡେ ବସନ୍ତ ଆସୁଛି
ନୂଆଁ ପତ୍ର ପଲ୍ଲବିବ, କୋଇଲି ଗୀତ ଗାଇବ !

ହେଲେ ମୁଁ କଣ ମୋ କେଶରେ ରଙ୍ଗ ଲଗେଇବି ଆଉଥରେ
ଦର୍ପଣ କୁ ଅନେଇବି !
ଖତେଇହେବ ମୁଁ ଜାଣେ ।
ଆକାଶ କୁ ଅନେଇବି, ଏକା ଏକା ଲାଗିବ
ଯିବା ଆସିବା ମୁହଁମାନଙ୍କୁ ଅନେଇବି, ଅଚିହ୍ନା ଲାଗିବେ ।
ଗୋଟାଏ ଛକରୁ ଆଉ ଏକ ଛକକୁ ଯିବି
ଝାଉଁଳି ଯାଉଥିବେ ପତ୍ରସବୁ ମୋ ମୁହଁରେ
ପକ୍ଷୀଟିକୁ ଖୋଜିବି ମୁଁ
ମୋତେ ପକ୍ଷୀ ଖୋଜିବ
ଖୋଜିବାରେ ବିତିଯିବା ଆମେ ଆମର ଆୟୁଷ ।

ତମେ ନଥିବା ସହରର ବୟସକୁ
ଠଉରେଇ ଜମା ପାରୁନି ମୁଁ
କେହିଜଣେ କହିଦେଉ ମୋତେ ଅନ୍ତତଃ ମୋରି ବୟସ !