ମଂସା ଓ ମୁସାର କାହାଣୀ

କାହାଣୀ ଦୁନିଆର ସବୁଠୁ ଧନୀ ବ୍ୟକ୍ତିର, ଯିଏ ନିଜ ଦରିଆ ଏ ଦିଲ୍ ଯୋଗୁଁ କାଙ୍ଗାଳ କରି ଦେଇଥିଲା ଏକ ଦେଶ ।


ଫଟୋ - ୱିକିପିଡିଆ

ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଜଣା ପଡ଼ିଥାଏ ଯେ ରାଜାରାଜୁଡ଼ାଙ୍କ ନିକଟରେ ଅମାପ ଧନସମ୍ପତ୍ତି ଥିଲା । ସୁନା, ରୂପା, ହୀରା - ନୀଳା, ମୋତି-ମାଣିକରେ ଭରି ରହିଥିଲା ରାଜକୋଷ । ରାଜାମାନେ ଖୁସି ହେଉଥିଲେ ଦାନ କରି ଦେଉଥିଲେ ପିନ୍ଧା ଅଳଙ୍କାର । ଆଜିର ଆଲେଖରେ ଏମିତି ଏକ ରାଜାଙ୍କ କାହାଣୀ । ସେ ରାସ୍ତାରେ ଯାଉଥିଲେ ତ ବାଣ୍ଟି ବାଣ୍ଟି ଯାଉଥିଲେ ସୁନା । ହଁ ଏତେ ସୁନାର ମାଲିକ ଥିଲେ ସେ । ବିଶ୍ୱର ଅଧା ସୁନା ଥିଲା ତାଙ୍କ ନିକଟରେ । ସେ ହିଁ ଥଲେ ବାସ୍ତବରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ।

ଧନ - ସମ୍ପତ୍ତି ହିଁ ଏପରି । କାହାକୁ ବା ଲୋଭ ନୁହେଁ । କିଏ ବା ଜୀବନରେ ଧନୀ ହେବାକୁ ନଚାହେଁ । କିଏ ବା ଭୋଗିବାକୁ ନଚାହେଁ ସକଳ ଐଶ୍ୱର୍ଯ୍ୟ । ଯାହା ନିକଟରେ ଯେତେ ପଇସା ଥାଉ ନା କାହିଁକି ଜୀବନରେ ସେ ଆହୁରି ଅଧିକ ଧନ ଆହରଣ କରିବାର ଅହରହ ପ୍ରୟାସ ଜାରି ରଖିଥାଏ । ଏଇନା ତ ସତେ ଯେପରି ଧନୀ ତଥା ଅତିଧନୀମାନଙ୍କ କ୍ଷେତ୍ରରେ ଏ ନେଇ ଏକ ରିତିମତ ପ୍ରତିଯୋଗିତା ଜାରି ରହିଛି । ରହିଲା ପୁଞ୍ଜିବଜାର କଥା । ସେଠିତ ଆଜି କେହି ଖସିଗଲାଣି ତ କାଲି କିଏ ଉଠିଗଲାଣି । ତୀବ୍ର ପ୍ରତିଯୋଗିତା । ଶେୟାର୍ସର ଖେଳ । ଆଜି ଜେଫ୍ ବେଜୋସ୍ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତ କାଲି ଏଲନ୍ ମସ୍କ । ଭାରତରେ ଆଦାନୀ ଓ ଅମ୍ବାନୀ ମଧ୍ୟରେ ଉପରକୁ ଉଠିଯିବାର ଚାଲିଛି ପ୍ରତିଯୋଗିତା । କିନ୍ତୁ କ’ଣ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହେବା ପରେ ବି ଏମାନେ ପ୍ରକୃତରେ ସର୍ବଶ୍ରେଷ୍ଠ ହୋଇପାରିବେ ? ଯଦି ଇତିହାସକୁ ନଜର ପକାଯାଏ ତ ଏମାନେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ନୁହନ୍ତି ।

ତେବେ କିଏ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ?

ଇତିହାସ ପୃଷ୍ଠାରେ ଏପରି ଜଣଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି, ଯିଏ କି ଜେଫ୍ ବେଜୋସ୍ ଓ ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତିରୁ ଅଧିକ ସମ୍ପତ୍ତିର ମାଲିକ ଥିଲେ । ତାଙ୍କ ନିକଟରେ ଏତେ ପରିମାଣର ସମ୍ପତ୍ତି ଥିଲା କି ଆଜିଯାଏ କେହି ବି ଆକଳନ କରି ପାରିନାହାନ୍ତି । ଏହି ଅଗଣିତ ଧନରାଶି ମାଲିକାନା ହିଁ ତାଙ୍କର ସର୍ବଶ୍ରେଷ୍ଠ ଧନୀ ହେବାର ପ୍ରମାଣ । ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ ପଶ୍ଚିମ ଆଫ୍ରିକାର ବାଦଶାହା ୧୨୮୦ ମସିହାରେ ଜନ୍ମିତ ଟିମ୍ବକୁର ରାଜା ମଂସା ମୁସା, ୧୪ଶହ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ । ମଂସା ମୁସାଙ୍କ ବଡ଼ ଭାଇ ମଂସା ଅବୁ ବକ୍ର ୧୩୧୨ ମସିହା ପର୍ଯ୍ୟନ୍ତ ଶାସନଭାର ସମ୍ଭାଳିଥିଲେ । ପରେ ସେ ଏକ ଲମ୍ବାଯାତ୍ରାରେ ଯିବା ପରେ ମଂସା ମୁସା ଶାସନଭାର ଗ୍ରହଣ କରିଥିଲେ ।

ମନି ମାଗାଜିନ୍ ଅନୁସାରେ ମଂସା ମୁସା ଶାସନଭାର ଗ୍ରହଣ କରିବା ସମୟରେ ସାରା ଦୁନିଆରେ ସୁନାର ଚାହିଦା ଖୁବ୍ ଅଧିକ ଥିଲା । ଅପରପକ୍ଷରେ ସେତେବେଳେ ସାରା ଦୁନିଆର ଅର୍ଦ୍ଧାଧିକ ସୁନା ମଂସା ମୁସାଙ୍କ ନିକଟରେ ଥିଲା । ମଂସା ମୁସାଙ୍କ ଅସଲ ନାମ ମୁସା କୀଟା ପ୍ରଥମ ଥିଲା । ମଂସା ବାଦଶାହଙ୍କୁ କୁହାଯାଉଥିଲା । ଅତଏବ୍ ସେ ଶାସନଭାର ଗ୍ରହଣ କଲା ପରେ ହିଁ ତାଙ୍କୁ ମଂସା କୁହାଯାଇଥିଲା । ବିବିସି ରିପୋର୍ଟ ଅନୁସାରେ ଆଜିର ମାରିଟୋନିଆ, ସେନେଗାଲ, ଗାମ୍ବିଆ, ଗିନିଆ, ବୁର୍କିନାଫାସୋ, ମାଲୀ, ନାଇଜର୍‌, ଚାଡ଼୍ ଓ ନାଇଜେରିଆ ଆଦି ଦେଶ ମୁସାଙ୍କ ସାମ୍ରାଜ୍ୟର ଅଂଶବିଶେଷ ଥିଲା । ଆଶ୍ଚର୍ଯ୍ୟଚକିତ କଥା ଏୟା କି ମଂସାଙ୍କ ଦୟାଳୁ ମନ ପାଇଁ ହିଁ ସମଗ୍ର ଦେଶର ଅର୍ଥବ୍ୟବସ୍ଥା ଧାରାଶାୟୀ ହୋଇଯାଇଥିଲା । ଅନୁମାନ ଏୟା କି ମଂସାଙ୍କ ମୋଟ ସମ୍ପତ୍ତିର ପରିମାଣ ୪୦୦ ବିଲିୟନ୍ ଡଲାର୍‌ରୁ ଅଧିକ ଥିଲା । ଅନେକ ଇତିହାସବିତ୍ ଏହାକୁ କେବଳ ଏକ ଅନୁମାନ ବୋଲି କହିଛନ୍ତି । ବାସ୍ତବ କ୍ଷେତ୍ରରେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ଏହଠୁ ଆହୁରି ଅଧିକ ଥିଲା ।

କୁହାଯାଇଥାଏ କି ମଂସା ୧୩୨୪ରେ ମକ୍କା ଯାତ୍ରା କରିଥିଲେ । ଏହି ଯାତ୍ରାରେ ସେ ୬,୫୦୦ କିମି ପଥ ଅତିକ୍ରମ କରିଥିଲେ । ମଂସାଙ୍କ ଏହି ଯାତ୍ରା ସମୟରେ ଯାତ୍ରାପଥରେ ତତ୍‌କାଳନୀ ଜନତା ଏହି ବିଶାଳ ବାହିନୀକୁ ଦେଖି ଆଚମ୍ଭିତ ହୋଇଯାଉଥିଲେ । ମଂସାଙ୍କ ଯାତ୍ରାରେ ୬୦ ହଜାର ଲୋକ ସାମିଲ୍ ଥିଲେ । ୧୨ ହଜାର କେବଳ ମଂସାଙ୍କ ବ୍ୟକ୍ତିଗତ ଅନୁଚର ଥିଲେ । ମଂସାଙ୍କ ଘୋଡ଼ା ଆଗରେ ୫୦୦ ଲୋକ ରେଶମୀ ପୋଷାକ ପିନ୍ଧି ସୁନାର ଛଡ଼ି ଧରି ଯାତ୍ରା କରୁଥିଲେ । କେବଳ ସେତିକି ନୁହେଁ, ୮୦ ଓଟ ପିଠିରେ ୧୩୬ କିଲୋ ସୁନା ଲଦା ହୋଇଥିଲା ।

ତାଙ୍କର ଏହି ଯାତ୍ରା ସମୟରେ ତତ୍କାଳୀନ ମିଶର ରାଜ୍ୟ ଦେଇ ଗଲା ସମୟରେ ସେଠାକାର ଗରିବ ଲୋକମାନଙ୍କୁ ଏତେ ପରିମାଣରେ ସୁନା ଦାନ ଦେଇଦେଲେ ଯେ ସମଗ୍ର ଦେଶରେ ସୁନାର ଚାହିଦା କମିଗଲା । ଦେଶର ଅର୍ଥବ୍ୟବସ୍ଥା ଧ୍ୱଂସ ପାଇଗଲା । ଅଚାନକ୍ ଦେଶରେ ଦରଦାମ୍ ବଢ଼ିଗଲା । ପ୍ରଜାମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବା ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିବାକୁ ଲାଗିଲେ । ମଂସାଙ୍କ ସୁନା ବାଣ୍ଟିବାର କାହାଣୀ ୟୁରୋପ୍ ପର୍ଯ୍ୟନ୍ତ ବ୍ୟାପିଥିଲା । କେବଳ ତାଙ୍କୁ ଦେଖିବା ପାଇଁ ହିଁ ୟୁରୋପ୍‌ରୁ ପରିବ୍ରାଜକମାନେ ମାଲି ସାମ୍ରାଜ୍ୟ ପରିଭ୍ରମଣରେ ଆସିବାକୁ ଲାଗିଲେ, ଏହା ଜାଣିବା ପାଇଁ କି ମଂସାଙ୍କ ସମ୍ବନ୍ଧରେ ବ୍ୟାପିଥିବା ଖବରର ସତ୍ୟତା କେତେ ? ଶେଷରେ ସେମାନେ ନିଜ ଆଖିରେ ଦେଖି ବିଶ୍ୱାସ କରିଥିଲେ କି ବ୍ୟାପିଥିବା ଖବର ହିଁ ସତ୍ୟ । ମଂସା ମୁସାଙ୍କ ନିକଟରେ ଥିଲା ବେସୁମାର ଧନ - ଦୌଲତ୍ ।

ଏହି ଖିଆଲି ରାଜା, ବାଦ୍‌ଶାହ ମଂସା ମୁସା ମାତ୍ର ୫୭ ବର୍ଷ ବୟସରେ ପରଲୋକଗମନ କରିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ସାମ୍ରାଜ୍ୟର ପତନ ଘଟିଥିଲା ।