ସାଇକେଲ୍ ଚାଲେ ସର୍-ସର୍ (୧)

ସ୍କୁଲ୍ ଜୀବନର ମୋ'ର ଏମିତି ଅନେକ ଅନୁଭୂତି ଅଛି ଯୋଉଠି ମତେ କାନ୍ଦ ଲାଗିଥିବ । ସେଇ ସକାଶେ ଅନେକ ଲୋକ ଯୋଉଭଳିଆ ସ୍କୁଲ୍ ଜୀବନକୁ ଖୁବ ବେଶୀ ଗୋଟେ ରୋମାଣ୍ଟିସାଇଜ୍ କରନ୍ତି, ମୁଁ ସେଇଟା ବୁଝିପାରେନି ।


ଫଟୋ - ୱିକି କମନ୍ସ

ମୋ ଜେଜେବାପା (ଯାହାଙ୍କୁ ଆମେ ନାତି - ନାତୁଣୀମାନେ "ବାପା" ବୋଲି ଡାକୁଥିଲୁ) ପଞ୍ଚାନବେ ବର୍ଷ ବଞ୍ଚିଥିଲେ । ଏବଂ ପଞ୍ଚାଅଶୀ ଛୟାଅଶୀ ବର୍ଷ ଯାଏ ସେ ସାଇକେଲ୍ ଚଲେଇପାରୁଥିଲେ । ପଞ୍ଚାଅଶୀ ବର୍ଷ ବୟସରେ ବି ସେ ଗାଁରୁ ବାର କିଲୋମିଟର ଦୂର ଜଗତସିଂହପୁର ଯାଏ ସାଇକେଲ ଚଲେଇ ପେନସନ ଆଣିବାକୁ ଯାଉଥିଲେ ଏବଂ ହାଟ ସଉଦା କରି ସେସବୁ ଆଣି ସାଇକେଲରେ ହିଁ ଫେରିଆସୁଥିଲେ । ଜୀବନର ଶେଷ ଦଶ ବର୍ଷ ଖଣ୍ଡେ ସାଇକେଲ ଚଲେଇବା ଦୂରକଥା ଭଲଭାବରେ ଚଲାବୁଲା କରିନପାରିବା ତାଙ୍କର ଗୋଟେ ବଡ଼ ଦୁଃଖ ଥିଲା । ପ୍ରାୟ ସମୟ ସେ କହୁଥିଲେ, "ମୁଁ ଅକର୍ମଣ୍ୟ ହେଇଗଲି ।"

ପିଲାବେଳେ ଯେତେବେଳେ ବାପା (ଯାହାଙ୍କୁ ମୁଁ ଆଉ ମୋ ଭାଇ "ନନା" ବୋଲି ଡାକୁ) ସନ୍ଧ୍ୟାବେଳେ ଘରକୁ ଫେରୁଥିଲେ, ଆମେ ତାଙ୍କ ସାଇକେଲ୍ ଘଣ୍ଟି ଶୁଣି ହିଁ ଜାଣିପାରୁଥିଲୁ ସେ ଆସିଗଲେ ବୋଲି ଆଉ ଦାଣ୍ଡକୁ ଦୌଡ଼ିଯାଉଥିଲୁ । ଘର ପାଖାପାଖି ହେଲେ ତାଙ୍କର ସାଇକେଲ ଘଣ୍ଟି ବଜେଇବା ଥିଲା ଅନିବାର୍ଯ୍ୟ ଏବଂ ସେଥିରେ ବ୍ୟତିକ୍ରମ ହଉନଥିଲା । ଉଭୟ ବାପାଙ୍କର ଆଉ ନନାଙ୍କର ସାଇକେଲ ଥିଲା ହିରୋ ଜେଟ୍ ସାଇକେଲ୍ । ପରେ ଅବଶ୍ୟ ଆମର ଆଉ ଗୋଟେ ହରକ୍ୟୁଲିସ୍ ସାଇକେଲ ବି କିଣାହେଲା । ମୋ' ନିଜର ପ୍ରଥମ ସାଇକେଲ ମତେ ମିଳିଥିଲା ମୋ ବ୍ରତଘର ବେଳେ, ୨୦୦୬ ମସିହାରେ । ସେତେବେଳେ ମୋ' ଉଚ୍ଚତା ମୋ' ବୟସର ପିଲାଙ୍କ ତୁଳନାରେ ନିହାତି କମ୍ ଥିଲା । ଅତଏବ ଗୋଡ଼ ତଳକୁ ପାଉନଥିବା ଆଗ କ୍ୟାରିଅର ବାଲା ସାଇକେଲ ନମିଳି ମତେ ମିଳିଥିଲା ଏମିତି ସାଇକେଲଟିଏ ଯାହାକୁ ସମସ୍ତେ "ଲେଡ଼ିଜ୍ ସାଇକେଲ୍" ବୋଲି କହୁଥିଲେ । ସ୍କୁଲରେ ସାଙ୍ଗମାନେ ଓ ଉପର ଶ୍ରେଣୀର ପିଲାମାନେ (ଏମିତି କି ସ୍ଥଳବିଶେଷରେ ତଳ ଶ୍ରେଣୀର ପିଲାମାନେ ବି) ମତେ 'ଏହେ, ଲେଡ଼ିଜ୍ ସାଇକେଲ ଚଲଉଚିରେ' ବୋଲି କହି ବେଶ୍ ଚିଡଉଥିଲେ । ମତେ ଭାରି ଖରାପ ଲାଗୁଥିଲା, କାନ୍ଦ ଲାଗୁଥିଲା । ସ୍କୁଲ୍ ଜୀବନର ମୋ'ର ଏମିତି ଅନେକ ଅନୁଭୂତି ଅଛି ଯୋଉଠି ମତେ କାନ୍ଦ ଲାଗିଥିବ । ସେଇ ସକାଶେ ଅନେକ ଲୋକ ଯୋଉଭଳିଆ ସ୍କୁଲ୍ ଜୀବନକୁ ଖୁବ ବେଶୀ ଗୋଟେ ରୋମାଣ୍ଟିସାଇଜ୍ କରନ୍ତି, ମୁଁ ସେଇଟା ବୁଝିପାରେନି । ଦୁନିଆର ବଡ଼ଲୋକମାନେ କହନ୍ତି ପିଲାମାନଙ୍କର କିଛି ଚିନ୍ତାଦକ ନଥାଏ, ବଡ଼ ହେଲେ ସଂସାରର ବୋଝ ପଡ଼େ ଇତ୍ୟାଦି ଇତ୍ୟାଦି । କଥାଟି ଠିକ ବି, ଆଉ ଭୁଲ ବି । ପିଲାମାନଙ୍କର ବି ନିଜସ୍ୱ ଚିନ୍ତା ଚେତନା ଥାଏ, ନିଜସ୍ୱ ଦୁନିଆଟିଏ ଥାଏ । ସେ ଦୁନିଆର ସମସ୍ୟା ସବୁ ବଡ଼ଲୋକଙ୍କ ଦୁନିଆର ସମସ୍ୟାଠାରୁ ନ୍ୟୂନତର ନୁହେଁ ଜମାରୁ ବି । ଅନେକ ସମୟରେ ଯେହେତୁ ଆମେ ଆମର ପିଲାଦିନର ଘଟଣା ଗୁଡ଼ିକୁ ବଡ଼ ହେଲାପରେ ସ୍ମୃତିର ବହଳିଆ ପରସ୍ତ ଦେଇ ଦେଖୁ ଏବଂ ହେଜୁ, ଆମେ ସେ ଦୁନିଆରେ ବଡ଼ଲୋକଙ୍କର ରଙ୍ଗ ବୋଳିଦଉ । ସ୍ମୃତି ତ ଆଉ ଗୋଟେ ସ୍ଥିର ଜିନିଷ ନୁହେଁ ! ମଣିଷ ବଦଳିବା ସାଙ୍ଗେସାଙ୍ଗେ, ବୟସ ବଢ଼ିବା ସାଙ୍ଗେସାଙ୍ଗେ ସେଇ ସମାନ ସ୍ମୃତିର ରଙ୍ଗ ବଦଳିଯାଏ , ବେଳେବେଳ ଆମୂଳଚୂଳ ରୂପ ଆଉ ଭେକ ବି ।

ହଁ, ତ ମୁଁ କହୁଥିଲି 'ଲେଡ଼ିଜ୍ ସାଇକେଲ୍ ଚଲଉଚି' କହି ଚିଡ଼ଉଥିବା ପିଲାଙ୍କ କଥା । ସେଇ ପିଲାମାନଙ୍କ ଭିତରୁ ଜଣେ ଅଧେ ଅବଶ୍ୟ ମୋ ନୂଆ ସାଇକେଲ ନେଇ ଘେରାଏ ବୁଲିଆସୁଥିଲେ ଆଉ ଚାବି ଫେରେଇଲା ବେଳେ କହୁଥିଲେ, 'ଜେଣ୍ଟସ ସାଇକେଲ ହେଇଥିଲେ ଆହୁରି ମଜା ହେଇଥାନ୍ତା ! ମୁଁ ତ ବଡ଼ ଜେଣ୍ଟସ ସାଇକେଲ ବି ଚଲେଇପାରୁଚି । ଗୋଡ଼ଗଳା ନୁହଁ, ସିଟ୍ । ତୋ' ଗୋଡ଼ କିନ୍ତୁ ପାଇବନି, ହେଁ ହେଁ, ଏଡ଼ିକି ଏଡ଼ିକି ଗୋଡ଼ ! ଗେଟମାଟା ଆଉ, ହେଁ ହେଁ !' ମୁଁ କୋହ ଜାକୁଥିଲି ଆଉ ମନେମନେ ଶପଥ କରୁଥିଲି ଏ ଧରଣର ପିଲାମାନଙ୍କୁ ମୋ ସାଇକେଲ କେବେ ଚଢ଼ିବାକୁ ଦେବିନି ବୋଲି । ଅବଶ୍ୟ ସେମାନଙ୍କର ଯେ ସାଇକେଲ ନଥିଲା ତା' ନୁହଁ, ଖାଲି ନୂଆ ସାଇକେଲ ଦେଖିଲେ ତାଙ୍କ ଗୋଡ଼ର ମାଂସପେଶୀ କୁଣ୍ଡେଇ ହଉଥିଲା ଯାହା !

କମଳା ଦାସଙ୍କର ଗୋଟିଏ କବିତା ମନକୁ ଆସୁଚି, ଯାହାର ନାଁ ହେଲା "ପନିଶମେଣ୍ଟ ଇନ୍ କିଣ୍ଡରଗାର୍ଟେନ୍" । ତା'ର ଆରମ୍ଭ ଧାଡ଼ିଟି ହେଉଚି, "Today the world is a little more my own." ("ଆଜି ଦୁନିଆଟି ଆଉ ଟିକେ ଅଧିକା ନିଜର ମୋ'ର ।") କବିତାରେ କମଳା ଦାସ ପିଲାଦିନେ ପାଇଥିବା ଅତି ଗଭୀର ଓ ସୂକ୍ଷ୍ମ ମାନସିକ ଆଘାତ ବିଷୟରେ ଲେଖିଚନ୍ତି । କବିତାର ଶେଷ ଆଡ଼କୁ କମଳା ଦାସ କହୁଚନ୍ତି ଯେ ଏବେ ତ ସିଏ ଜୀବନରେ ଗୋଟେ ପ୍ରକାରର "ବଡ଼ ଲୋକଙ୍କର ଶାନ୍ତି" ("Adult peace") ପାଇଯାଇଚନ୍ତି, ଅତଏବ ପିଲାଦିନର ସେ ଅପମାନଜନକ ଘଟଣା ସବୁ ମନେ ପକେଇବାର କିଛି ଆବଶ୍ୟକତା ନାହିଁ । କହୁଚନ୍ତି ଆଉ ମନେ ପକଉଚନ୍ତି ପିଲାଦିନର ଘଟଣା ସବୁକୁ , ଅବଶ୍ୟ ଏଇଆ କହି ଯେ ଏବେ ଆଉ ଅମୁକ ଘଟଣା ମନେ ପକେଇବା ଦରକାର ନାହିଁ, ସମୁକଟି ବି ନାହିଁ ଇତ୍ୟାଦି ଇତ୍ୟାଦି । କହିବାର ତାତ୍ପର୍ଯ୍ୟ ହେଲା ଯେତେ ବୟସର ରଙ୍ଗୀନ କି କଳା ଜରିକାମ ଦେଇ ଘୋଡେ଼ଇ ପକେଇଲେ ବି ପିଲାଦିନର ଆଘାତ ସବୁ ଥାଏ ହିଁ - ଆମ ଅବଚେତନରେ, ବେଳେବେଳେ ସଚେତନରେ ବି ।

ଅତଏବ , ମୋ'ର ମନେ ଅଛି କେମିତି ସ୍କୁଲରେ ପିଲାମାନେ ମତେ ସାଇକେଲ ସକାଶେ ଚିଡଉଥିଲେ, କେମିତି ଥରେ ପିଲାଦିନେ ଗୋଟେ ସାଙ୍ଗ ମତେ ପଛ କ୍ୟାରିଅରରେ ବସେଇ ସାଇକେଲ ଛୁଟଉଥିଲାବେଳେ ମୁଁ ଖସିପଡ଼ିଥିଲି ଆଉ ଦି'ଟା ଯାକ ଆଣ୍ଠୁର ଚମ (ଆଉ ମାଂସ) ଭଲକି ଛିଡ଼ିଯାଇଥିଲା, କେମିତି ଥରେ ଶିବଙ୍କ ଭୋଗ କଦଳୀ ଭିତରେ ଭାଙ୍ଗ ମିଶେଇ ଗୋଟେ ସାଙ୍ଗ ମତେ ଦେଇଦେଲା ଯେ ଫେରିଲା ବେଳକୁ ମୁଁ ସାଇକେଲ ସହ ରାସ୍ତା ଉପରୁ ସିଧା ବିଲ ଭିତରକୁ ଗଡ଼ିଗଲି, କେମିତି ମୋ ମୁହଁ ଲାଜରେ ଲାଲ୍ ପଡ଼ିଯାଉଥିଲା ଯେତେବେଳେ ଏପଟକୁ ଫାଳେ ଝୁଙ୍କି ସେପଟକୁ ଫାଳେ ଝୁଙ୍କି ମୁଁ ପେଡାଲ୍ ମାରୁଥିଲି ସାଇକେଲର କାହିଁକି ନା ଗୋଡ଼ ପାଉନଥିଲା ତଳଯାଏଁ ଆଉ ମୋ'ରି "ସାଙ୍ଗ"ମାନେ ହେଁ ହେଁ ହେଇ ହସୁଥିଲେ ... ଇତ୍ୟାଦି ଇତ୍ୟାଦି । ଅବଶ୍ୟ, ମନେ ବି ଅଛି ଯୋଉଦିନ ବାପାଙ୍କ (ଅର୍ଥାତ୍ , ଜେଜେବାପାଙ୍କର) ସାଇକେଲରେ ପ୍ରଥମ ଥର ପାଇଁ ଗୋଡ଼ଗଳାରେ ପୂରା ପେଡାଲ୍ ମାରିପାରିଲି ସେଦିନ କି ଖୁସି ହେଇଥିଲି ! ପେଡାଲ୍ ବୋଲି ଗୋଟେ ଜିନିଷ ଯାହା ସେତେବେଳ ଯାଏଁ ପାଦକୁ ଛାଟିଦଉଥିଲା ଯେ ମୋ ଆୟତ୍ତରେ ରହିପାରେ ଆଉ ଏକବାରେ ତିନି ଶହ ଷାଠିଏ ଡିଗ୍ରୀ ଘୂରିଯାଇପାରେ ମୋ ପାଦତଳେ, ପୁ'ଣି ଥରେ ନୁହଁ ବାରମ୍ବାର ... ସେତେବଳେ ଅତି ବିରାଟ କୃତିତ୍ୱ ବୋଲି ଲାଗିଥିଲା ଏଇଟା । ଯଦିଓ ମୋ'ର ପ୍ରାୟ ସମବୟସ୍କ ("ସାଙ୍ଗ" ବୋଲି ଯାହା କହିଥାନ୍ତି, ଏ ଲେଖା ଲେଖିଲା ପରେ ଆଉ କହିହଉନି) ସେତେବେଳକୁ ଗୋଡ଼ଗଳା ଶିଖିସାରିଥିଲେ ଆଉ କିଛି ଡେଙ୍ଗା ପିଲା ସିଟ୍ ବି, ମୁଁ ସେମାନଙ୍କ ସାମ୍ନାରେ ସୁଯୋଗ ପାଇଲେ ଘେରାଏ ଗୋଡ଼ଗଳା ବୁଲେଇଦଉଥିଲି । ଅବଶ୍ୟ ଯେମିତି ସଚରାଚର ହୁଏ , ପିଲାମନର ଆତ୍ମବିଶ୍ବାସ ଭାଙ୍ଗିବାକୁ ଖାଲି ଆଉ ଗୋଟେ ପିଲାର ନିଷ୍ଠୁର ହସ ହିଁ ଯଥେଷ୍ଟ । ପୁଣି ହସୁଥିବା ପିଲାଟି ଯଦି ତାଳଗଛ ଉଚ୍ଚା ହେଇଥାଏ ଆଉ ଯାହା ଉପରେ ହସାହଉଚି ସେ ପିଲାଟି ମଲ୍ଲୀଗଛ ଉଚ୍ଚା, ତାହେଲେ ତାଳଗଛର ହସରେ ପୋତିହେଇପଡ଼ିବା ହିଁ ମଲ୍ଲୀଗଛର ଭବିତବ୍ୟ । କିମ୍ବା ମାଟିରୁ ନିଜ ଚେର ଉପାଡ଼ି ଧାଇଁଯାଇ କୋଉ କଣରେ ଲୁଚି କାନ୍ଦିବା । ଆପଣ ହୁଏତ ମନଦୁଃଖ କରିବେଣି ଏ କରୁଣ କାହାଣୀ ଶୁଣି କିମ୍ବା ବିରକ୍ତ ହେବେଣି ମୋ' ଉପରେ ଗଛ ମେଟାଫରଟିକୁ ଚେର ଉପୁଡ଼ାରେ ସାରିଦେଇଥିବାରୁ । କିନ୍ତୁ ପରବର୍ତ୍ତୀ ଭାଗରେ ମୁଁ ଆଉ ମନଖରାପର ମଲ୍ଲୀଫୁଲ ନଫୁଟେଇ କହିବି କେବଳ ଖୁସିର କଥା ... କେବଳ ନହେଲେ ବି, ମୋଟାମୋଟି ଖୁସିର କଥା ।

(କ୍ରମଶଃ)