କଥା ୧୯୮୮ କି ୮୯ର । ଧୁଳ ମଉସା ସେତେବେଳେ ଥାଆନ୍ତି ହଂସୁରା ହାଇସ୍କୁଲର ପ୍ରଧାନଶିକ୍ଷକ । ମାଟ୍ରିକ ପରୀକ୍ଷା ସମୟ । ତାଙ୍କର ଜଣେ ଦୂର ସମ୍ପର୍କୀୟ ବିନି ନାନୀଙ୍କର ସେଣ୍ଟର ପଡିଥାଏ ହଂସୁରା ହାଇସ୍କୁଲରେ । ବିନି ନାନୀଙ୍କ ବାପା ତାଙ୍କୁ ଆଣି ଧୁଳ ମଉସାଙ୍କ ଘରେ ଛାଡି ଦେଇଗଲେ । ବିନି ନାନୀ ମଉସାଙ୍କ ଘରେ ରହି ମାଟ୍ରିକ ପରୀକ୍ଷା ଦେବ । ସେଣ୍ଟର ସୁପରିଟେଣ୍ଡେଣ୍ଟ ହେଉଛନ୍ତି ଧୁଳ ମଉସା । ତିନି ଚାରିଦିନ ପରୀକ୍ଷା ପରେ ବିନି ନାନୀ ଦିନେ କାନ୍ଦି କାନ୍ଦି ଘରକୁ ଫେରିଲା । ମାଉସୀ ଡରିଗଲେ, କଣ ହେଲା ପିଲାଟାର, କିଏ କଣ କହିଲା କି ? ଧନଲୋ, ମାଆଲୋ ବୋଲି ଯେତେ ଗେହ୍ଲା କରି କହିଲେ ବି ବିନି ନାନୀ କିଛି କହୁନଥାଏ । ଖାଲି କାନ୍ଦି କାନ୍ଦି ଗଡୁଥାଏ।

ଘଣ୍ଟେ ଦୁଇ ଘଣ୍ଟା ପରେ ଘରକୁ ଆସିଲେ ମଉସା । ମାଉସୀ ବ୍ୟସ୍ତ ହୋଇ ତାଙ୍କୁ କହିଲେ ବିନିର କଣ ହେଇଛି କେଜାଣି ପରୀକ୍ଷାରୁ ଫେରିବା ପରଠୁ ଖାଲି କାନ୍ଦୁଛି, ପଚାରିଲେ କିଛି ବି କହୁନି । ମଉସା ଏ କଥାର କୌଣସି ଉତ୍ତର ନଦେଇ ଚୁପ ରହିଲେ । ମାଉସୀ ଏଥର ଟିକେ ଜୋରରେ ପଚାରିଲେ, ପିଲାଟି ଆମ ଭରସାରେ ଏଠି ଅଛି, ଆସିଲା ବେଳଠୁ କାନ୍ଦୁଛି, ପଚାରିଲେ ଉତ୍ତର ନାଇଁ, ତମେ ଟିକେ ଯାଇ ବୁଝେଇବ କି ପଚାରିବ କଣ, ଚୁପ ହେଇ ବସିଛ ? ମଉସା କହିଲେ ଚୁପ ହେଇ ବସିବିନି ତ କରିବି କଣ ? ମାଉସୀ କହିଲେ ଛୁଆଟାକୁ ବୁଝେଇ ପାରିବନି ? ତାପରେ ତମେ ସୁପରିଟେଣ୍ଡେଣ୍ଟ, ତମେ କେମିତି ଜାଣିପାରିଲନି ପିଲାଟାର କଣ ହେଲା ବୋଲି ? ମଉସା ଉତ୍ତର ଦେଲେ କିଏ କହିଲା ମୁଁ ଜାଣିନି ବୋଲି ? ମାଉସୀ କହିଲେ ଜାଣିଛ ଯଦି କହୁନ ସିଏ କାହିଁକି କାନ୍ଦୁଛି ? ମଉସା କିଛି ସମୟ ଚୁପ ରହିଲେ, ତାପରେ ଗମ୍ଭୀର ସ୍ୱରରେ କହିଲେ ବିନି କପି କରୁଥିଲାବେଳେ ଧରା ପଡିଛି, ଏମପି (malpractice) ହେଇଛି।

ମାଉସୀ ହଠାତ କିଛି ବୁଝି ପାରିଲେନି, କହିଲେ ଏମପି ହେଇଛି ? ତାକୁ କିଏ ଏମପି କଲା ? ତା ବାପା ତାକୁ ଆମ ଦାୟିତ୍ୱରେ ଛାଡିକି ଗଲା, ଯଦି ପିଲାଟା କଣ ଟିକେ ଟିପି ଲେଖୁଥିଲା, ତାକୁ ଏମପି କରିଦେବେ ? ତମେ ବା ସୁପରିଟେଣ୍ଡେଣ୍ଟ, ଯୋଉ ସାର ଧରିଲେ, ତାଙ୍କୁ ଟିକେ କହିଦେଲନି ? ମଉସା ଏଥରକ ଚମକେଇଲା ଭଳି ଉତ୍ତରଟେ ଦେଲେ । କହିଲେ ବିନିକୁ ମୁଁ ଧରିଛି କପି କଲାବେଳେ । ମାଉସୀଙ୍କ ଆଖିରେ ଆଶ୍ଚର୍ଯ୍ୟ । ଧୀରକଣ୍ଠରେ କହିଲେ, ତା ବାପା କେତେ ଭରସାରେ ଏଠି ଛାଡି କି ଗଲା, ତମକୁ ଆଉ କେହି ମିଳିଲେନି, ନିଜ ପିଲାଟି ଉପରେ ହିଁ ଦାଉ ସାଧିଲ ? ମଉସା ନିର୍ବିକାର କଣ୍ଠରେ ଉତ୍ତର ଦେଲେ ମୁଁ ଚେକ କଲାବେଳକୁ ଚାରିଜଣ ଧରା ପଡିଲେ, ତିନି ଜଣଙ୍କୁ ଏମପି କରିଥାନ୍ତି ଆଉ ବିନି ମୋ ସମ୍ପର୍କୀୟ ବୋଲି ଛାଡି ଦେଇଥାନ୍ତି ? ଭଲ କଥା ମତେ ଶିଖାଉଛ ତମେ ?

ମାଉସୀ ସେତେବେଳକୁ ପୂରା କାନ୍ଦକାନ୍ଦ। ଏପରି ଅସହାୟତାର କାରଣ ବି ଥିଲା । କାରଣଟି ହେଉଛି ବନ୍ଧୁବାନ୍ଧବ କହିବେ କଣ ? ଯାହା ଭରସାରେ ଝିଅଟି ଆସିଲା ପରୀକ୍ଷା ଦେବାକୁ ସେ ହିଁ ତାକୁ ଅଯୋଗ୍ୟ ଘୋଷିତ କଲେ । ଏଥର ମାଉସୀ କହିଲେ, ଝିଅ ପିଲାଟା, ମାଟ୍ରିକ ଖଣ୍ଡକ ପାସ କରି ଯାଇଥିଲେ ବାପ ତା’ର ଭଲ ଜାଗା ଦେଖି ବାହାଘର କରି ଦେଇଥାନ୍ତା । ତା ବାପ ଯେତେବେଳେ ଆସିବ, କି ଉତ୍ତର ଦେବି ମୁଁ ତାକୁ ? ବନ୍ଧୁବାନ୍ଧବରେ କାହାକୁ ମୁହଁ ଦେଖାଇବା ଯୋଗ୍ୟ ମତେ ରଖିଲ ତ ତୁମେ ? ଏଥର ମଉସା ଦୃଢ଼ ସ୍ୱରରେ କହିଲେ, ତା ବାପାକୁ ଯାହା ଉତ୍ତର ଦେବାର ଅଛି ମୁଁ ଦେବି । ତାପରେ କୋଉ ଶାସ୍ତ୍ରରେ ଲେଖା ଅଛି ଝିଅପିଲା କେବଳ ମାଟ୍ରିକ ଯାଏ ପଢିବେ ଆଉ ତାପରେ ବାହା ହେଇଯିବେ ବୋଲି ?

ପରୀକ୍ଷା ସରିଲା, ବିନି ନାନୀର ବାପା ଆସିଲେ, ମଉସାଙ୍କ ଘରେ ତୁମୁଳକାଣ୍ଡ ହେଲା । ହେଲେ ଗଲାବେଳକୁ ବିନି ନାନୀଙ୍କ ବାପା ଏକା ଫେରିଲେ, ମଉସାଙ୍କ ଘରେ ରହିଲା ବିନି ନାନୀ । ତା ପରବର୍ଷ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କଲା ବିନି ନାନୀ, ତାପରେ ଆଇ ଏ, ବିଏ, ଏମଏ । ଏବେ ବିନି ନାନୀ ଅଧ୍ୟାପିକା ଏକ ସରକାରୀ ମହାବିଦ୍ୟାଳୟରେ, ଜଣେ କଡା ଆଉ ଛାତ୍ରବତ୍ସଳ ଅଧ୍ୟାପିକା ହିସାବରେ ତାର ଭାରି ସମ୍ମାନ । ଧୁଳ ମଉସା ଏଇ କିଛି ମାସ ତଳେ ଚାଲିଗଲେ । ଶୁଦ୍ଧିଘରକୁ ଦେଖାହେଲା ବିନି ନାନୀ ସହ, ଛୁଆଙ୍କ ଭଳି କାନ୍ଦୁଥାଏ । ମୁଁ ତାକୁ ବୋଧ ଦେଲାବେଳକୁ କହିଲା, ଆଜି ଦିନଟା କାନ୍ଦିବାକୁ ଦେ । ଶେଷ ଥର କାନ୍ଦିଥିଲି ଯେତେବେଳେ ମାଟ୍ରିକ ପରୀକ୍ଷାରେ କପି କରି ଏମପି ହେଇଥିଲି । ତାପରେ ଗୋଟାଏ ବର୍ଷ ଭିତରେ ମଉସା ମତେ ଏତିକି ଦୃଢ଼ କରିପାରିଥିଲେ ଯେ ଜୀବନରେ ସବୁ ଝଡ଼ଝଞ୍ଜାକୁ ସାହସର ସହ ସାମ୍ନା କରିଛି, କେବେ ଭାଙ୍ଗି ପଡିନି । ଆଜି ସେଇ ସାହସର ମୂଳପିଣ୍ଡଟି ଚାଲିଗଲା, ମନଭରି କାନ୍ଦିବାକୁ ଦେ । ବିନି ନାନୀକୁ ଆଉ କିଛି କହିବା ମୁଁ ଠିକ ବୋଲି ଭାବିନଥିଲି ।

ମୋର ବ୍ୟକ୍ତିଗତ ମତ ହେଲା, ହଜାରେ ମହାପୁରୁଷଙ୍କ ଜୀବନ କାହାଣୀ, ମହତବାଣୀ ଆମ ପିଲାକୁ ଯେତିକି ଶିଖେଇ ନପାରିବ, ତାଠାରୁ କେତେ ଗୁଣ ଅଧିକ ଶିକ୍ଷା ଦେଇ ପାରିବ ଆମ ନିଜ ଆଚରଣ । ଜହ୍ନରେ ବି ଖୁଣ ଅଛି, ଆମ ଭିତରେ ବି ରହିବ । ତାପରେ ଚବିଶ କ୍ୟାରେଟ ସୁନାରେ କଣ ଅଳଙ୍କାର ଗଢି ହୁଏ ? ହେଲେ ଆମ ଆଚରଣରେ ଜ୍ୟୋତ୍ସ୍ନା ଅଧିକ ରହିଲେ, ସୁନାର ଭାଗ ଅଧିକା ରହିଲେ, ଆମ ପିଲାମାନଙ୍କୁ ଆମେ ଉତ୍ତରାଧିକାରରେ ଦେଇପାରିବା ଗୋଟେ ଉଜ୍ଜ୍ୱଳ ଓ ସୁନ୍ଦର ଭବିଷ୍ୟତ ।