ଶୀତରାତି

ଜୀବନର ଗୋଟିଏ ମାତ୍ର ଶୀତରାତି ଯିଏ କାଇଦା କରି ମାଗି ନେଲା ମୋ ଠୁ ସେ ଆଉ ଫେରାଇଲା କୋଉଠି ? - ଫେରା ହୋଇନଥିବା ସେ ଶୀତରାତିର କାହାଣୀ ସବୁବେଳେ ଏମିତି ।


ଜୀବନର ଗୋଟିଏ ମାତ୍ର ଶୀତରାତି
ଯିଏ କାଇଦା କରି ମାଗି ନେଲା ମୋ ଠୁ
ସେ ଆଉ ଫେରାଇଲା କୋଉଠି ?

ନା ନା ଏମିତି ତା ନାଁରେ
ଅଭିଯୋଗ କରିବା ଠିକ୍ ହେବନି
ସିଏ ମାଗିନେଲା ନା ମୁଁ ଯାଚି ଦେଲି
ମୋର ପରା ଠିକ୍‌ରେ ମନେ ପଡୁନି ?

ସିଏ କାହିଁ କୋଉ ଯୁଗର କଥା
ଦାଉ ଦାଉ ହେଇ ଜଳୁଥିଲା
ଅଘି ନିଆଁ
ଜଳୁଥିଲୁ ମୁଁ ଆଉ ସିଏ
ଜଳୁଥିଲା ତମାମ୍ ଦୁନିଆଁ ।

ସମ୍ପୂର୍ଣ୍ଣ ପୋଡ଼ି ଯିବା ଯାଏଁ
କଥା ଯାଇଥାନ୍ତା ଭଲା ?
ନିଆଁ ଭିତରୁ ହାତ ପୁରେଇ
ଭିଡ଼ି ଆଣିଲେ ଆମ ଗାଁ ଟୋକା
ଲାଜରେ କଳା ପଡ଼ିବା ଅପେକ୍ଷା
କାହିଁକି ଜଳି ଗଲାନି ସେଦିନ,
ଆମ ନିର୍ଲଜ ଦେହ ଦିଇଟା ?

ଆଜି ଭାବିଲେ
ଭାରି ଲାଜ ଲାଗେ
ସେ ପିଛିଲା ଦିନର କଥା
କେମିତି ହେଇ ପାରଲି ମୁଁ
ଏତେ ନିର୍ଲଜ-ବେହିଆ ?

ଜୀବନସାରା ଶୀତକୁ
ସେତିକି ଜାଳେଣି
ହଅ ମ ! ଆଉ ଲାଜ କ’ଣ ?
ଜୀବନର ଗୋଧୂଳି ପରା
ଏବେ ମଶାଣିର ପାଖାପାଖି ହେଲାଣି ?