ଶିରିନ, ପ୍ରେମିକାର ଶତ ସହସ୍ର ଆଖି

ଇରାନର ମହାନ ସିନେମା ନିର୍ମାତା ଆବ୍ବାସ କିଆରୋସ୍ତୋମୀଙ୍କ ଚର୍ଚ୍ଚିତ ସିନେମା "ଶିରିନ" ଦେଖିଲା ପରେ, ଏ ଲେଖା । ଗୋଟେ ସିନେମା ଯେ ପୃଥିବୀର ସବୁଠୁ ସୁନ୍ଦର ପ୍ରେମ କବିତା ହୋଇପାରେ, ତାକୁ ଦେଖିଲେ ଯାଇ ବୁଝିହେବ ।


ଫଟୋ - କିଆରୋସ୍ତୋମୀ ଫାଉଣ୍ଡେସନ

ଆପଣ ନବେ ମିନିଟ ଧରି କେବଳ ଆଖିକୁ ଇ ଦେଖୁଛନ୍ତି ।
ନୀଳ, ସୁନ୍ଦର ଓ ଭାବନାରେ ଭିଜା ଭିଜା ଆଖିର ଶୋଭାଯାତ୍ରା ।
ଉଦାସ ଓ ବିଷାଦରେ ଓଦା ଓଦା ହଳେ ଆଖି ।
ଉଦବିଗ୍ନ ଓ ଉଲ୍ଲସିତ ହଳେ ଆଖି ।
ଉତ୍କଣ୍ଠିତ ଓ ଉଦବେଳିତ ଯୋଡେ ଆଖି ।
ଲୁହରେ ଡବ ଡବ କରୁଣା ଛଳଚ୍ଛଳ ଆହୁରି କିଛି ଆଖି ।
ଅଧା ହସ ଓ ଅଧା ଲୁହର ବିଚିତ୍ର ରସାୟନରେ ଚମକି ଉଠୁଥିବା ଅନେକ ଅନେକ ଆଖି ।
ବିଚଳିତ ଆଉ ବିଷର୍ଣ୍ଣ ସେଇ ଆଖି ।
କେବଳ ଆଖି, ଆଖି ଓ ଆଖି ।

ନବେ ମିନିଟର ଗୋଟେ ସିନେମାରେ ଆପଣ କେବଳ ଆଖି ଇ ଦେଖୁଛନ୍ତି । ଅଧା ଆଲୁଅ - ଅଧା ଅନ୍ଧାରର ଗୋଟେ ସିନେମାହଲରେ ଏଇ ଆଖିମାନେ ଇ ସିନେମା । ସବୁ ଆଖି ସୁନ୍ଦର କାରଣ ସମସ୍ତେ ଇରାନର ଖ୍ୟାତନାମା ଚିତ୍ର ତାରକା । ତାଙ୍କ ଭିତରେ ଅଛନ୍ତି ବି ଫ୍ରାନ୍ସର ପ୍ରସିଦ୍ଧ ଅଭିନେତ୍ରୀ ଜୁଲିଏଟ ବିନୋଚେ । ପୂରା ସିନେମାରେ କେବଳ ଏଇ ଆଖି ଓ ମୁହଁର କାହାଣୀ ।

ନେପଥ୍ୟରେ ଶୁଭୂଛି ଗୋଟେ ପ୍ରେମକାହାଣୀ । କାହାଣୀ କେବଳ ଶୁଭୁଛି, କିଛି ଦେଖା ଯାଉନି । ତେବେ ଏ ପ୍ରେମକାହାଣୀ ବହୁ ପୁରୁଣା । ଶିରିନ - ଫରହାଦ ଓ ଖୁସ୍ରୋଙ୍କ ପ୍ରେମକାହାଣୀ । ଆରବର ପ୍ରସିଦ୍ଧ ଲୋକକବି ନିଜାମି ଗଞ୍ଜାବୀଙ୍କର ପ୍ରସିଦ୍ଧ ପ୍ରେମକଥା “ଶିରିନ - ଖୁସ୍ରୋ - ଫରହାଦ”। ପୃଥିବୀର ଦୁଇ ପ୍ରସିଦ୍ଧ ପ୍ରେମକାହାଣୀ ଲେୟଲା - ମଜନୁ ଓ ଶିରିନ - ଫରହାଦର କବି ନିଜାମି ଗଞ୍ଜାବୀ । ଶିରିନ, ମୂଳତଃ ଏକ ତ୍ରିକୋଣୀୟ ପ୍ରେମକାହାଣୀ । ଏ କାହାଣୀରେ ପ୍ରେମର ଚିତ୍ର ବଡ ଜଟିଳ । ପ୍ରେମ ଓ କ୍ଷମତା ଭିତରେ ସଙ୍ଘାତକୁ ନେଇ ଏହାର ସଂରଚନା ।

ସେଇ କାହାଣୀ ଆଧାରରେ ଏଇ ସିନେମା “ଶିରିନ” । ନିର୍ମାତା ଓ ନିର୍ଦ୍ଦେଶକ ଆବ୍ବାସ କିଆରୋସ୍ତୋମୀ । ପୃଥିବୀର ସିନେମାରେ ଯଦି ପାଞ୍ଚଜଣ ଶ୍ରେଷ୍ଠ ସିନେମା ନିର୍ମାତାଙ୍କ ନାଁ ନିଆଯାଏ, ସେଥିରେ କିଆରୋସ୍ତୋମୀ ଅବଶ୍ୟ ରହିବେ । ସୀମା ଭିତରେ ଅସୀମ କାହାଣୀ ରଚନା କରିପାରିବାର ଅପୂର୍ବ ଦକ୍ଷତା କିଆରୋସ୍ତୋମୀଙ୍କର ରହିଥିଲା । ତାଙ୍କର ଅନ୍ଯାନ୍ଯ ସିନେମା ତୁଳନାରେ “ଶିରିନ” ଗୋଟେ ବ୍ୟତିକ୍ରମ, ଗୋଟେ ଅଲଗା କାହାଣୀ ।

କିଏ ସେ ଶିରିନ ?

ଶିରିନ, ଆର୍ମେନିଆର ରାଜକୁମାରୀ । ସୁନ୍ଦରୀ ଓ ବିଚକ୍ଷଣା । ଗୋଟେ କାଠପିତୁଳିର ପ୍ରେମରେ ପଡେ ଶିରିନ । ଅପୂର୍ବ ସୌନ୍ଦର୍ଯ୍ୟ ଓ ସାହସର ଏ ପିତୁଳା କିଏ ? ଆରମ୍ଭ ହୁଏ ତଲାସ । ଜଣାପଡେ, ଏ ପିତୁଳାର ନାୟକ ପାରସ୍ୟର ରାଜା ଖୁସ୍ରୋ । ଶିରିନ ଯେମିତି ପ୍ରେମରେ, ଖୁସ୍ରୋ ବି ଶିରିନର ପିତୁଳା ଦେଖି ବାତୁଳ ହୋଇ ତାକୁ ଖୋଜୁଛି । ଶିରିନ ଓ ଖୁସ୍ରୋ ପରସ୍ପରକୁ ବିପରୀତ ଦିଗରେ ଖୋଜି ଖୋଜି ଚାଲିଛନ୍ତି । ଦୁହେଁ ଦୁହିଙ୍କ ଲାଗି ଅଜଣା ହେଲେ ପରସ୍ପରର ନିବିଡ ପ୍ରେମରେ । ଏ ପ୍ରେମ ଭିତରେ ଅନୁପ୍ରବେଶ କରୁଛି ରାଜନୀତି । ଖୁସ୍ରୋର ରାଜ୍ୟ ଚାଲିଯିବାର ଭୟ ଆସୁଛି । ରୋମ ସମ୍ରାଟଙ୍କ ସାହାଯ୍ୟରେ ଖୁସ୍ରୋ ନିଜ ରାଜ୍ୟ ବଞ୍ଚାଉଛନ୍ତି, ହେଲେ ତାଙ୍କୁ ହରେଇବାକୁ ପଡୁଛି ଶିରିନର ପ୍ରେମ । ଖୁସ୍ରୋ ବାଧ୍ୟ ହୋଇ ବିବାହ କରୁଛନ୍ତି ରୋମର ରାଜକନ୍ୟା ମରିୟମଙ୍କୁ । କ୍ଷମତାର ଯୂପକାଠରେ ପ୍ରେମ ସବୁବେଳେ ବଳି ପଡିଛି । ବିବାହ ପରେ ବି ଶିରିନ ଓ ଖୁସ୍ରୋର ପ୍ରେମ ଅବ୍ଯାହତ ରହୁଛି ।

ତାରି ଭିତରେ ଆସୁଛି ଆଉ ଜଣେ ପ୍ରେମିକ । ନାଁ ତାର ଫରହାଦ । ବୃତ୍ତି ଓ ପ୍ରବୃତ୍ତିରେ ଶିଳ୍ପୀ । ପଥର କାଟି ସେ ମୂର୍ତ୍ତି ଗଢେ । କଳ୍ପନାରେ ସେ ପ୍ରେମ କରେ । ଶିରିନକୁ ଦେଖି ସେ ହରେଇବସେ ନିଜତ୍ଵ । ତାର ଜୀବନ ଶିରିନ । ଶିରିନ ଲାଗି କ୍ଷୀର ସାଗର ବୁହାଇବାକୁ ସେ ଖୋଳିଚାଲେ ପର୍ବତ । ଫରହାଦର ପ୍ରେମ ବିଚଳିତ କରେ ଖୁସ୍ରୋକୁ । ଶିରିନର ମୃତ୍ୟୁ ଗୁଜବ ପ୍ରଚାର କରେ ଖୁସ୍ରୋ । ଶିରିନ ନଥିବାର ଖବରରେ ପ୍ରାଣତ୍ୟାଗ କରେ ଫରହାଦ । ଛଳନାର ଜୟ ହୁଏ । ପ୍ରେମିକ ମରେ । କ୍ଷମତା ଓ ଛଳନାର ଶିକାର ଦିନେ ଖୁସ୍ରୋ ବି ହୁଏ । ନିଜ ପୁଅର ଷଡଯନ୍ତ୍ରରେ ଖୁସ୍ରୋ ବି ନିହତ ହୁଏ । ସିଂହାସନର ଷଡଯନ୍ତ୍ର ଆଗରେ ଶିରିନ ବଖାଣୁଥାଏ ନିଜ ବିଷାଦଗାଥା ।

କାହାଣୀ ଏତିକି । କିଆରୋସ୍ତୋମୀଙ୍କ ସିନେମାରେ ଆପଣ କେବଳ ଏ କାହାଣୀ ଶୁଣୁଛନ୍ତି । ହେଲେ ପୂରା କାହାଣୀ ଦିଶୁଛି ଦର୍ଶକମାନଙ୍କ ଆଖିରେ । ସବୁ ଦର୍ଶକ ଭିତରେ ଶିରିନର ଆତ୍ମା । ତାର ବିଷାଦ ଓ ବିବାଦ, ତାର ପ୍ରେମ ଓ ପ୍ରତାରଣା, ତାର ଜୀବନ ଓ ପରାଜୟ - ସବୁକିଛି ଦର୍ଶକଙ୍କ ଆଖିରେ ଦେଖେଇବାର ଗୋଟେ ବିଚିତ୍ର ଦୁଃସାହସ କରିଛନ୍ତି କିଆରୋସ୍ତମୀ । କାହାଣୀ କହିବାର ବା ଦେଖେଇବାର ଏମିତି ଏକ ଶୈଳୀ ପୃଥିବୀର ସିନେମାରେ ଏକ ବିପ୍ଲବ ବୋଲି ଇ କୁହାଯାଇପାରେ । ସବୁଠୁ ମଜା କଥା ହେଉଛି, ଏ ସିନେମା ତିଆରି ସାରିବା ଯାଏଁ କିଆରୋସ୍ତୋମୀ ଏହାର କାହାଣୀ ଲେଖି ନଥିଲେ । ସେ କେବଳ ଅଭିନେତା ଓ ଅଭିନେତ୍ରୀଙ୍କୁ ଡାକି ତାଙ୍କର “କ୍ଲୋଜ-ଅପ” ଶୁଟ କରିଥିଲେ । ଅଭିନେତା ଓ ଅଭିନେତ୍ରୀଙ୍କୁ ଜଣାନଥିଲା ସେମାନେ କଣ ଦେଖୁଛନ୍ତି ଓ କି ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି । ଗୁଡାଏ “କ୍ଲୋଜ-ଅପ” ଜମା ହେଲା ପରେ ଏହାର ଚିତ୍ରରୂପ ସ୍ପଷ୍ଟ ହୋଇଥିଲା । “ସିନେମା ହେଉଛି ନିର୍ଦ୍ଦେଶକର ଖେଳ” - ଏ କଥା କିଆରୋସ୍ତୋମୀ ଏହି ସିନେମାରେ ପ୍ରମାଣିତ କରିଛନ୍ତି । ଅଭିନେତା ଓ ଅଭିନେତ୍ରୀ କାହାଣୀ ବା ସଂଳାପ ବିଷୟରେ କିଛି ନ ଜାଣି ବି ଗୋଟେ ମହାନ ସିନେମା ତିଆରି କରିହେବ ସେ କଥା କିଆରୋସ୍ତୋମୀ ପ୍ରମାଣିତ କରିଛନ୍ତି ।

ଆଖିର ଚମକ ଓ ଛାଇ ଆଲୁଅର ଖେଳ ଭିତରେ ଏ ପ୍ରେମକାହାଣୀର ସର୍ଜନା । ଗୋଟେ ସିନେମା ଯେ କବିତା ପରି ହଠାତ ଲେଖି ହୋଇଯାଏ ସେ କଥା “ଶିରିନ” ଦେଖିଲେ ଆପେ ଆପେ ବୁଝି ହୋଇଯିବ । ସିନେମା କରିବାକୁ କାହାଣୀ ଅପେକ୍ଷା କବିତାର ଆବଶ୍ୟକତା ବେଶୀ, ସେ କଥା ବି କିଆରୋସ୍ତୋମୀ ଆମକୁ ଶିଖେଇଛନ୍ତି । ତାଙ୍କ ସିନେମା ସବୁ କବିତା ପରି । ବେଳେବେଳେ ସେ କବିତାକୁ ସିଧା ସିଧା ସିନେମାରେ ପ୍ରୟୋଗ କରନ୍ତି । “ଶିରିନ” କେବଳ ଏକ ପ୍ରେମ କବିତା ଓ ସେ କବିତାର ଶବ୍ଦ ସବୁ ଦର୍ଶକର ଆଖିରେ ଲେଖା ହୋଇରହିଛି ।

(ଆପଣ ଏ ସିନମାଟିକୁ ଦେଖିବାକୁ ଚାହିଁଲେ ସହଜରେ ଦେଖିପାରିବେ । ଯୂଟ୍ଯୂବରେ ଏହା ଆଜି ବି ଉପଲବ୍ଧ । )