ଛ’ ମାଣ ଚାଉଳର ଭାତ ଓ ଅସରନ୍ତି ଆଶାର ମଣିଷ

"ଶେଷସ୍ପର୍ଶ" ଏକ ପ୍ରକାର ସମ୍ପାଦକୀୟ । ଜୀବନର ରାସ୍ତାରେ ଭେଟ ହେଉଥିବା ଅସାଧାରଣ ଚରିତ୍ର, ସେମାନଙ୍କ କାହାଣୀ ଓ ସେସବୁର ଚିତ୍ରାୟନ ପାଇଁ ଏକ ପ୍ରୟାସ ।


ତାଙ୍କୁ ଆମ ସହର ସାରା ସମସ୍ତେ ଜାଣନ୍ତି “ଛ’ ମାଣିଆ” ନାଁରେ । ଏ ନାଁ ପଛର କାହାଣୀଟି ଯେତିକି ମଜାଦାର, ସେତିକି କରୁଣ ମଧ୍ୟ । “ଛ’ ମାଣିଆ” ର ଆକ୍ଷରିକ ଅର୍ଥ ହେବ, ଯିଏ ଏକାସାଙ୍ଗରେ ଛ’ ମାଣ ଚାଉଳର ଭାତ ଖାଇପାରନ୍ତି । ଗୋଟେ ବକତରେ ଛ’ ମାଣ ଚାଉଳର ଭାତ ଖାଇ ପାରିବାର ପେଟଟେ ତାଙ୍କର ଥିଲା, ଏକଥା ତାଙ୍କୁ ଦେଖିଥିବା କେହି ବି ବିଶ୍ଵାସ କରିବେ ନାହିଁ । କାହାଣୀ ଭିତରକୁ ଯିବା ପୂର୍ବରୁ ଆପଣଙ୍କୁ କହିଦିଏ ଏ “ମାଣ”ଟି କଣ । ଓଡିଆରେ ମାଣ ଶବ୍ଦର ଅନେକ ଅର୍ଥ । ଏହା ଅନେକ ସ୍ଥାନରେ ଭୂମିର ମାପକ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଶସ୍ଯର ମାପକ ଭାବରେ ବ୍ୟବହାର ହୋଇଥାଏ । ପୁରୁଣା ସୋନପୁର ଗଡଜାତରେ ଶସ୍ଯର ମାପକ ଭାବେ ମାଣ ଓ ତାମ୍ବିର ବ୍ୟବହାର ରହିଥିଲା । ଚାରି ମାଣ ଧାନ ବା ଚାଉଳରେ ଗୋଟିଏ ତାମ୍ବି । ଏଇ ମାଣ ଇ ମାର୍ଗଶୀର ଗୁରୁବାରରେ ମହାଲକ୍ଷ୍ମୀ ରୂପରେ ପୂଜା ପାଆନ୍ତି । ଆଧୁନିକ ମାପରେ ତିନିମାଣରେ ଗୋଟେ କିଲୋ ଚାଉଳ ଏବଂ ସ୍ଵାଭାବିକ ଭାବେ ଛ’ ମାଣରେ ଦୁଇ କିଲୋ । “ଛ’ ମାଣିଆ” ଅତି କମରେ ଦି’ କିଲୋ ଚାଉଳର ଭାତ ଖାଇଯାଆନ୍ତି । ଏହାକୁ ଆପଣ ଖାଦ୍ୟଲୋଭ, ଆସକ୍ତି ବା ପେଟ ପାଇଁ ଆବଶ୍ୟକତା, କିଛି ବି ଭାବିପାରନ୍ତି । ଏତେ ପରିମାଣରେ ଭାତ ଖାଉଥିବା ଲୋକଟା ଦେଖିବାକୁ କେମିତି ହୋଇଥିବ ବୋଲି ଆପଣ ଭାବୁଛନ୍ତି ? ତାଙ୍କ ଓଜନ ପଚାଶ କେଜିରୁ ଅଧିକ ହେବନାଇଁ । ଶରୀର ବାଉଁଶ କଣି ପରି ପତଳା । ଚମ ଧୁଡୁ ଧୁଡୁ । ପେଟ ଓ ପିଠି ପ୍ରାୟ ଲାଗିକି ଥାଏ ।

ଏମିତି ଏକ ବିଚିତ୍ର ବିରୋଧାଭାସ ମୁଁ ମୋ ଜୀବନରେ ଆଉ କେବେ ଦେଖିନାଇଁ । ଭାତ ରଙ୍କୁଣା ଲୋକଟାର ପେଟରେ ଭାତ ସବୁ କୁଆଡେ ହଜିଯାଏ କେଜାଣି !! ତାଙ୍କର ଖାଦ୍ୟକୁ ଦେଖି ଅନେକ ଟାହି ଟାପରା କରନ୍ତି । ଲୋକେ ତାଙ୍କୁ ଭଲ ଆଖିରେ ଦେଖନ୍ତି ନାଇଁ । ସେ ଯେ ଏ କଥା ଜାଣନ୍ତି ନାଇଁ, ତା ନୁହେଁ । ସେ ଲୋକଙ୍କ କଥାକୁ ଖାତିର କରନ୍ତି ନାଇଁ । ସହରର ସବୁ ଭୋଜିରେ ସେ ନିଶ୍ଚୟ ପହଞ୍ଚିବେ । କେବଳ ପତ୍ର ପଡିଲା ବେଳେ ଖାଇବାକୁ ପହଞ୍ଚିବା ତାଙ୍କର ସ୍ଵଭାବ ନଥିଲା । ସେ ସକାଳୁ ସକାଳୁ ଖନ୍ଦାଶାଳରେ ପହଞ୍ଚନ୍ତି । ତାଙ୍କୁ କେହି କେବେ ନିମନ୍ତ୍ରଣ ଦେଇନଥାନ୍ତି । ସେ ନିର୍ବିକାରରେ କର୍ତ୍ତାଙ୍କ ଘରେ ପଶି କାମ କରିବା ଆରମ୍ଭ କରନ୍ତି । ସେ ଯେଉଁ କାମଟି କରନ୍ତି, ତାହା କିଛି କମ ପରିଶ୍ରମ ନୁହେଁ । ମହାନଦୀ ଘାଟରୁ କାନ୍ଧରେ ଗରା ଗରା ପାଣି ବୋହି ସେ ରାନ୍ଧୁଣିଆକୁ ଯୋଗାନ୍ତି । ଆମ ସହରରେ ନବେ ଦଶକ ଯାଏଁ ପାଇପ ଯୋଗେ ପାଣି ଆସୁନଥିଲା । ତେଣୁ ଟଙ୍କା ଦେଇ ନଦୀ ଘାଟରୁ “ପାନ୍ତି” ମାନେ ଘରେ ଘରେ ପାଣି ଯୋଗାନ୍ତି । ବାହାଘର, ବ୍ରତଘର ବା ଶ୍ରାଦ୍ଧ ଭୋଜିରେ “ଛ’ ମାଣିଆ” ପ୍ରାୟ ମୁଖ୍ୟ ପାଣି ଯୋଗାଣିଆ କାମଟି କରନ୍ତି ।

ସତ କହିଲେ, ସେ ଖଟି ଖଟି ଭାତ କିଛି ଅଧିକ ଖାଇବାକୁ ଅପେକ୍ଷା କରିଥାନ୍ତି । ଗରିବ ବ୍ରାହ୍ମଣ ବୋଲି କେବଳ ଖାଇଦେଇ ଚାଲିଯିବାର ଅଭ୍ଯାସ ତାଙ୍କର ନଥିଲା । ସେ ବୋଧେ ମୋ ଜୀବନର ଭେଟିଥିବା ପ୍ରଥମ ବ୍ରାହ୍ମଣ ଯିଏ ଶ୍ରମ ଦେଇ ଖାଇବା ଆଶାରେ ରହୁଥିଲେ । ଭୋଜିରେ ପ୍ରଥମ ପତ୍ର ପକାଇ ବସିବା ବି ତାଙ୍କର ଅଭ୍ଯାସ ନଥିଲା । ସେ ଭୋଜି ଶେଷ ଯାଏଁ ଅପେକ୍ଷା କରନ୍ତି । ଶେଷରେ ଯାହା ବଳେ ସେସବୁ ତାଙ୍କର । ଅନେକ ଭୋଜିରେ କିଛି ବଳେ ନାଇଁ । ସେଥିରେ ତାଙ୍କୁ ନିରାଶ ହେବାର ବା ଅସନ୍ତୁଷ୍ଟ ହେବାର କେହି କେବେ ଦେଖିନି । ଯଦି ଖାଦ୍ଯ ସରିଯାଏ, କର୍ତ୍ତା ଆସି କହିବେ- ଆଜ୍ଞା, ଖାଦ୍ଯ ତ ସରିଯାଇଛି କଣ କରିବା !! ବଡ ଉଦାର ଭାବରେ ସେ ଉତ୍ତର ଦେବେ, ବାବା, ଏଥର ନ ହେଲେ ଆର ଭୋଜିକୁ ନିଶ୍ଚୟ ପାଇବା ।

ସମସ୍ତେ ତାଙ୍କୁ ଟାପରା କରି କହନ୍ତି, ଲୋକଟା ଗୋଟେ ବିରାଟ “ଆଶା” । ଖାଦ୍ଯ ମୁଠାଏ ଲୋଭରେ ସେ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥାଏ । ତାଙ୍କୁ ଟାପରା କରୁଥିବା ଲୋକ ଜାଣନ୍ତି ନାହିଁ, ସେ ଲୋକ ପରଜୀବୀ କି ଲୋଭୀ ବ୍ରାହ୍ମଣ ନୁହଁ । ସେ ପରିଶ୍ରମ କରେ କେବଳ ଛ’ ମାଣ ଚାଉଳର ଭାତ ଖାଇବ ବୋଲି । ତା ପରିଶ୍ରମର ମୂଲ୍ୟ ମାତ୍ର ଛ’ ମାଣ ଚାଉଳର ଭାତ । ସେଥିରେ ବି କେବେ ତାଙ୍କୁ ପେଟ ପୂରା ଖାଇବାକୁ ମିଳେନି । କାନ୍ଧରେ ପୂରନ୍ତା ଗରା ବୋହି, ଘାଟର ପାହାଚ ଚଢି, ଅନବରତ ପାଣି ଯୋଗାଉଥିବା ଲୋକର ପରିଶ୍ରମ କାହା ଆଖିକୁ ଦିଶେନାଇଁ । ସମସ୍ତେ ଦେଖନ୍ତି, ସେ ଲୋକ ପର୍ବତ ପ୍ରମାଣେ ଭାତ ଗଦା କରି ଗେଫି ଯାଉଛି । କେହି ଦେଖନ୍ତି ନାଇଁ ଯେ, ଏ ଭାତ ଗେଫିବାକୁ ସାରା ଦିନ ସେ ଗଧ ଖଟଣି ଖଟିଛି । ସମସ୍ତେ ତାଙ୍କ “ଆଶାବାଦ”କୁ ନେଇ ବ୍ୟଙ୍ଗ କରନ୍ତି, ହେଲେ କେହି ଜାଣନ୍ତି ନାଇଁ ଯେ ଜୀବନରେ ଏତିକି ସକାରାତ୍ମକତା ବା ପଜିଟିଭିଟି ଆସିଗଲେ ମଣିଷ ଈଶ୍ଵର ପାଲଟି ଯାଏ ।

ଆମ ସହରରେ ତାଙ୍କ ନାଁ ସହିତ ଆଶା ଶବ୍ଦଟି ଯୋଡି ହୋଇ ରହିଛି । ଲୋକେ ଆଜି ବି ତାଙ୍କୁ ମନେ ପକାନ୍ତି, ଅମୁକ ଆଶା ବୋଲି । ମୁଁ ତାଙ୍କ ନାଁ ଲେଖୁନାଇଁ । କାରଣ ତାଙ୍କ ପୁଅଝିଅ ସବୁ ଏବେ ବହୁତ ବଡଲୋକ ଓ ସେମାନେ ତାଙ୍କ ବାପାଙ୍କ ଏ ଚରିତ୍ରକୁ ଗ୍ରହଣ କରି ପାରନ୍ତି ନାଇଁ । ମୋତେ କିନ୍ତୁ ସବୁବେଳେ ଲାଗିଛି, ଏମିତି ମଣିଷର କୌଣସି ବିକଳ୍ପ ନାଇଁ । ଶ୍ରମକୁ ଓ ଖାଦ୍ୟକୁ ଗୋଟେ ମର୍ଯାଦା ଦେବାର ଅଭୀପ୍ସା ତାଙ୍କ ଭିତରେ ଥିଲା । କିଏ ଖାଇବାକୁ ନ ଦେଲେ ଅସନ୍ତୁଷ୍ଟ ହୋଇ ଅଭିଶାପ ଦେବାର କି ଅଭିମାନ କରିବାର ଅହଂକାର ତାଙ୍କର ନଥିଲା । କେଉଁ ଲୋକ ପଚାଶ ଗରା ପାଣି ବୋହି ଭୋଜି ଶେଷରେ ଖାଦ୍ଯ ସରିଗଲେ, ଉଦାର ଚିତ୍ତରେ କହିପାରିବ ଯେ, ଏଥର ନହେଲା ନାଇଁ, ଆର ଭୋଜିରେ ଖାଇବାକୁ ନିଶ୍ଚୟ ପାଇବା !!

ମୁଁ ଅନେକ ସମୟରେ ଭାବେ, ସେ ମଣିଷ ନଥିଲେ, ବରଂ ମଣିଷ ବେଶରେ ସେ ଥିଲେ ଆଶାର ଈଶ୍ଵର, ଆଉ ଆମେ ସବୁ ମଣିଷ ବେଷୀ ଈଶ୍ଵରଙ୍କୁ ସବୁବେଳେ ଟାହି ଟାପରା କରି ଅଣଦେଖା କରିଥାଉ ।

Report an Error