ଆଉ ଜଣେ ଶିଳ୍ପୀ, ଆଉ ଏକ ପାଗଳାମୀର ବିଷାଦ ସଙ୍ଗୀତ

"ଶେଷସ୍ପର୍ଶ" ଏକ ପ୍ରକାର ସମ୍ପାଦକୀୟ । ଜୀବନର ରାସ୍ତାରେ ଭେଟ ହେଉଥିବା ଅସାଧାରଣ ଚରିତ୍ର, ସେମାନଙ୍କ କାହାଣୀ ଓ ସେସବୁର ଚିତ୍ରାୟନ ପାଇଁ ଏକ ପ୍ରୟାସ ।


ଚିତ୍ର - ୱିକି କମନ୍ସ

ହାତର ଆଙ୍ଗୁଠି ସବୁ ତରଳି ଯାଉଛି । ସେଇ ତରଳି ଯାଉଥିବା ଆଙ୍ଗୁଠିକୁ ନେଇ କେବେ ପାଉଁଶରେ ପୁଣି କେବେ ନର୍ଦ୍ଦମା ପାଣିରେ ସେ ଚିତ୍ର ଆଙ୍କୁଛନ୍ତି । ସେ ଚିତ୍ର ଇ ଆଙ୍କୁଛନ୍ତି ପବନରେ, କ୍ଷତରେ, ନିଜ ଦେହର ଘା’ ରେ । କେବେ ଦିନେ ସେ ଚିତ୍ରକର ଥିଲେ, ଆଜି ବଦ୍ଧପାଗଳ । କେବଳ ପାଗଳ ନୁହନ୍ତି, ତାଙ୍କ ଦେହରେ ଚରି ଯାଉଛି ଗଳିତ କୁଷ୍ଠ ରୋଗର ଜୀବାଣୁ । ହାତ ଓ ଗୋଡର ଆଙ୍ଗୁଠି ସବୁ ଛିଣ୍ଡି ପଡୁଛି । ଦେହ ଲାଗୁଛି ଗୋଟେ ପୁରୁଣା ଫଟା ମାଦଳ ପରି । ଅନ୍ୟ ପାଗଳଙ୍କ ପରି ସେ ହିଂସ୍ର ନୁହନ୍ତି । ସେ ତାଙ୍କ ଜୀବନରେ ଏବେ ତିନୋଟି କାମ କରୁଛନ୍ତି । ଗୀତ ଗାଉଛନ୍ତି, ଚିତ୍ର ଆଙ୍କୁଛନ୍ତି ଓ ଲକ୍ଷ୍ୟହୀନ ଭାବରେ ଦଉଡୁଛନ୍ତି । ସେ ପାଗଳ ହେବା ଆଗରୁ ବି ଏଇ ତିନୋଟି କାମ କରୁଥିଲେ । ଚମତ୍କାର ତାଙ୍କର ଗଳା । ଟିକେ ଭାରି, ହେଲେ ମଧୁର । ଚିତ୍ର ଆଙ୍କୁଥିବା, ଗୀତ ଗାଉଥିବା ଓ ଦଉଡୁଥିବା ଲୋକଟି ତା’ହେଲେ ପାଗଳ କେମିତି ହେଲା ?

ସେ ଆଉ ଏକ କାହାଣୀ । ସେ ଗୋଟେ ଗାୟକ ଯିଏ ନିଜର ସୁର ଖୋଜି ଖୋଜି ପାଗଳ ହୋଇଗଲେ । ସେ ହୁଏତ ନିଜ ଚିତ୍ର ଭିତରେ ଏମିତି କିଛି ଆଙ୍କିବାକୁ ଚାହୁଁଥିଲେ ଯାହାପାଇଁ ମଣିଷ ପାଗଳ ହେବା ଜରୁରୀ । ସେ ହୁଏତ ଅସ୍ଥିର ଭାବରେ କିଛି ଗୋଟେ ଖୋଜୁଥିଲେ, ଯାହାକୁ ପାଇବାକୁ ହେଲେ ନିରନ୍ତର ଦଉଡିବାକୁ ପଡିବ । ମୁଁ ତାଙ୍କୁ ଦୁଇଟି ଯାକ ଅବସ୍ଥାରେ ଦେଖିଛି । ଯେବେ ସେ ଭଲ ଥିଲେ ଓ ଆଜି ଯେବେ ସେ ବହୁତ ଇ ଖରାପ ସ୍ଥିତିରେ ଅଛନ୍ତି । ମୁଁ ଛାତିରେ ହାତ ଦେଇ କହିପାରେ, ତାଙ୍କ ଭଳି ଭଲ ମଣିଷ ମୁଁ ମୋ ଜୀବନରେ ବହୁତ କମ ଦେଖିଛି । ଦରଦୀ, ପରୋପକାରୀ, ସଚ୍ଚୋଟ ଏବଂ ସତ୍ୟବାଦୀ । ସେ ଆମ କଲେଜରେ ଏକାଉଣ୍ଟେଣ୍ଟ ଥିଲେ । ପୁରୁଣା କଲେଜ କୋଠାର ଗୋଟେ ବିରାଟକାୟ ଝରକା ସେପାଖେ ସେ ବସନ୍ତି । ପିଲାଙ୍କ ଫି ଆଦାୟ କରି ସେ ରସିଦ କାଟନ୍ତି । ଭୋଳା ଲୋକ, ଅନେକ ସମୟରେ ପଇସା ଗଣିବା ଭୁଲ ହୁଏ । ପିଲା ବି କମ ପଇସା ଦେଇ କହନ୍ତି, ଠିକ ଦେଇଛି । ସେ ହସି ହସି ମାନିଯାନ୍ତି – ତମେ ଠିକ ଦେଇଥିବ, ମୋ ଗଣିବା ଭୁଲ ଥିବ ।

ସେ ଜାଣିଥିଲେ, ତାଙ୍କର ଗଣିତ ସବୁବେଳେ ଭୁଲ । ସେଥିଲାଗି ସେ ଖଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟକୁ ଆସିଥିଲେ ଚିତ୍ରକଳା ପଢିବା ପାଇଁ । ତାଙ୍କ ହାତର ରେଖା ଅଦ୍ଭୁତ ଭାବେ ସୁନ୍ଦର । ସେ ଶିଳ୍ପୀ ହେବାକୁ ପାଠ ପଢିଥିଲେ, ତାଙ୍କୁ ଏକାଉଣ୍ଟେଣ୍ଟ କଲା କିଏ ? ସୋନପୁର ଭଳି ଛୋଟ ସହରରେ ଅଶି ଦଶକରେ ଶିଳ୍ପୀ ହେବାର ଅର୍ଥ ସାଇନବୋର୍ଡ ଆଂକିବା ବା ମୂର୍ତ୍ତିରେ ଚିତ୍ର ବୋଳିବା ଇ ବୁଝା ଯାଉଥିଲେ । ସେଥିରେ ୟାଙ୍କ ଚିତ୍ର ସବୁ ଉଦ୍ଭଟ । ମୋର ସୌଭାଗ୍ୟ, ମୁଁ ତାଙ୍କର ଚିତ୍ର ଆଂକିବା ଦେଖିଛି । ସେ ବଡ କାନଭାସରେ କାମ କରୁଥିଲେ । ତାଙ୍କ କାନଭାସର ଆକାର ସବୁବେଳେ ଲାଇଫ ସାଇଜ । ସେ ପ୍ରାୟତଃ ନ୍ୟୁଡ ଆଙ୍କୁଥିଲେ ଆଉ ସେଟା ଇ ତାଙ୍କ ପାଇଁ ଗୋଟେ ପ୍ରକାର ଅଭିଶାପ ପାଲଟି ଯାଇଥିଲା । ଛୋଟ ସହରରେ ନ୍ୟୁଡ ଆଙ୍କିବାର ଅର୍ଥ ଗୋଟେ ପ୍ରକାର ପାଗଳାମୀ । କେହି କେହି ତାଙ୍କୁ ଦେଖି ନାକ ବି ଟେକନ୍ତି, ସେ କିନ୍ତୁ ନିର୍ବିକାର ।

ଅନେକଙ୍କର ସନ୍ଦେହ ଯେ ସେ ଚିତ୍ର ଫିତ୍ର କିଛି ପଢିନାହାନ୍ତି । ତାଙ୍କ ମାନସିକ ବିକୃତିକୁ ସେ ନ୍ୟୁଡ କହି ଆଙ୍କୁଛନ୍ତି । ହେଲେ ତାଙ୍କ ଶିଳ୍ପୀ ପତିଆରା ହଠାତ ଦିନେ ବଢିଗଲା, ଯେବେ ଗୋଟେ ସାହିତ୍ଯ ସଭାରେ ଭୁବନେଶ୍ବରରୁ ଆସିଥିବା କବି ଓ ଚିତ୍ରଶିଳ୍ପୀ ଛନ୍ଦା ଆଚାର୍ଯ୍ଯ (ସେ ବି ଆତ୍ମହତ୍ୟା କରିଥିଲେ ନବେ ଦଶକର ପ୍ରଥମ ଭାଗରେ) କହିଲେ, ନିରଞ୍ଜନ ମୋ ସାଙ୍ଗ ଓ ତା ଚିତ୍ରଶୈଳୀକୁ, ତା ହାତକୁ ମୁଁ ବହୁତ ଭଲପାଏ । ହଁ, ତାଙ୍କ ନାଁ ନିରଞ୍ଜନ ସାବତ, ଘର ମଝିପଡା, ସୋନପୁର । ନବେ ଦଶକରେ ସୋନପୁରରେ ଗୋଟେ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ହେଉଥିଲା । ସେଥିରେ ନିରଞ୍ଜନଙ୍କ ଛବି ଯେ ଦେଖିଛି, ସେ ଚକିତ ହୋଇଛି । ନାରୀ ଦେହର ମୁକୁଳା ପିଠି ଯେ ଗୋଟେ ବିଷାଦର କାହାଣୀ କହିପାରେ, ସେକଥା ସେ ଚିତ୍ର ଯେ ଦେଖିଛି, ସେ ବୁଝିଛି । ସେତେବେଳେ ମୁଁ ଅମୃତା ଶେରଗିଲଙ୍କ ଛବି ଦେଖିନଥିଲି । ଏବେ ବୁଝୁଛି, ଅମୃତାଙ୍କ ଚିତ୍ରଶୈଳୀର ଗଭୀର ପ୍ରଭାବ ତାଙ୍କ ଉପରେ ରହିଥିଲା ।

ଚିତ୍ରକଳାରେ ସ୍ନାତକ କରିଥିବା ଗୋଟେ ଛାତ୍ର କଲେଜରେ କିରାଣୀ ହେଲା ଓ ସେଇଠି ଇ ତାଙ୍କ ଜୀବନରେ ସବୁ ବିପର୍ଯ୍ଯୟର ଆରମ୍ଭ । ସେ ଶିଳ୍ପୀ, ଭାବଭୋଳା ଶିଳ୍ପୀ । ତାଙ୍କର ହିସାବ କିତାବ ସବୁବେଳେ ଭୁଲ । ଏତେ ସରଳ ବିଶ୍ଵାସୀ ଯେ ସବୁ ଲୋକ ତାଙ୍କୁ ଠକିବାକୁ ଭଲ ପାଇଲେ । କିଏ ପଇସା ନ ଦେଇ କହିଲା, ଦେଇଛି । ଆଉ କିଏ ତାଙ୍କଠୁ ପଇସା ନେଇ ପଳେଇଲା । କଲେଜରେ ସେ ସବୁବେଳେ ଭୋଳା ଓ ଭକୁଆ । ତାଙ୍କ ପାଖକୁ ଗଲେ ସେ ଟେବୁଲ ବାଡେଇ ଗୀତ ଗାଉଥାନ୍ତି, ନଚେତ ଡ୍ରଇଂ କରୁଥାନ୍ତି । ଅନେକ ପିଲାଙ୍କୁ ସେ ମାଗଣାରେ ଚିତ୍ର ଶିଖାନ୍ତି । (ସେ ଶିଖାଇଥିବା ପିଲାଙ୍କ ଭିତରେ ବିଶିଷ୍ଟ ସିନେମା ନିର୍ମାତା ନୀଳମାଧବ ପଣ୍ଡା ଅନ୍ଯତମ । ନୀଳମାଧବ ସୋନପୁର କଲେଜରେ ପଢୁଥିବାବେଳେ କିଛି ଦିନ ନିରଞ୍ଜନ ସାବତଙ୍କ ପାଖରେ ଚିତ୍ର ଶିଖୁଥିଲେ ।) ସବୁ ଭିତରେ ସେ ଭୋଳାଶଙ୍କର ହୋଇକି ରହିଥାନ୍ତି । ସନ୍ଧ୍ୟାରେ ସେ କୀର୍ତ୍ତନ ମଣ୍ଡଳୀରେ ଗୀତ ଗାଆନ୍ତି । ଗୋଟେ ଛୋଟିଆ ସଙ୍ଗୀତ ବୈଠକି ବି ତାଙ୍କର ଥିଲା ।

ସବୁ ଠିକଠାକ ଚାଲିଥିବାବେଳେ, ହଠାତ ଆମେ ଶୁଣିଲୁ ତାଙ୍କୁ ଚାକିରିରୁ ବିଦା କରି ଦିଆଯାଇଛି । ତାଙ୍କ ହିସାବ ସବୁବେଳେ ଭୁଲ ଓ ସରକାରୀ ଭାଷାରେ ସେ ସବୁ ଅର୍ଥ ହେରଫେର । ସେ ଲୋକଙ୍କୁ ଯିଏ ଜାଣିଛି, ସେ ଭଗବାନ କହିଲେ ବି ବିଶ୍ଵାସ କରିବ ନାହିଁ ଯେ ସେ ଟଙ୍କା ଖାଇଥିବେ । ସାରା ଜୀବନ ଅନ୍ୟକୁ ଦେଇଥିବା ଲୋକଟି ଟଙ୍କା ଖାଇବ କେମିତି ? ତାଙ୍କୁ ଅଧ୍ୟକ୍ଷ ପଚାରିଲେ, “ବାକି ସବୁ ଟଙ୍କା କୁଆଡେ ଗଲା” । ତାଙ୍କର ଉତ୍ତର – “ମୋତେ ପିଲା ଯାହା ଦେଇଛନ୍ତି, ସେତିକି ମୁଁ ଜମା କରିଛି”। ହିସାବ ଓ ନଗଦରେ ପ୍ରାୟ ତାଳମେଳ ନ ଥିଲା ଓ ସେଇ କାରଣରୁ ତାଙ୍କର ଚାକିରି ଚାଲିଗଲା ।

ପରବର୍ତ୍ତୀ ଘଟଣା, କେବଳ ଅନ୍ଧକାରର ଏକ ଦୀର୍ଘ ରାସ୍ତା । ଆସ୍ତେ ଆସ୍ତେ ସେ ଘରୁ ବାହାରିଲେ ନାଇଁ । ନିଜ ଭିତରେ କେବଳ ନିଜ ସହ ସେ କଥାବାର୍ତ୍ତା କରୁଥିଲେ । ଚିତ୍ର ସବୁ ଚିରିଦେଲେ । ଘରେ ତାଙ୍କର ଏମିତି କେହି ନଥିଲେ, ଯିଏ ତାଙ୍କ ଦାୟିତ୍ଵ ନେବ । ଆମ ସମାଜ ବି ବଡ ଭୟଙ୍କର । ମାନସିକ ଅବସାଦ ଭୋଗୁଥିବା ଲୋକ ପ୍ରତି ଆମେ ଅଧିକ ନିଷ୍ଠୁର । ଯିଏ ପାଗଳ ହୁଏ ତାକୁ ଅଧିକ ପାଗଳ କରିଦେବାରେ ଆମର ଆନନ୍ଦ । ମାନସିକ ସଙ୍କଟରେ ଥିବା ଲୋକ ଯେ ଆମର ସହଯୋଗ ପାଇବା ଉଚିତ, ସେକଥା ଆମେ ବିଚାର କରିପାରୁନା । ସମୟକ୍ରମେ ଗୋଟେ ଚମତ୍କାର ଶିଳ୍ପୀ ପାଗଳ ହୋଇ ରାସ୍ତାରେ ବୁଲିଲେ । ଖାଲି ପାଗଳାମୀ ନୁହଁ, ତାଙ୍କୁ କେବେ ଗୋଟେ କୁଷ୍ଠରୋଗର ଜୀବାଣୁ ଆକ୍ରାନ୍ତ କଲା । ଆଜି ସେ କେବଳ ପାଗଳ ଓ ରୋଗାକ୍ରାନ୍ତ ।

ବେଳେବେଳେ ମୁଁ ଭାବେ, ଗୋଟେ ସତ୍ୟବାଦୀ ଓ ଦୟାଳୁ ମଣିଷ ଏତେ କଷ୍ଟ ପାଇଲା କାହିଁକି ? ଜୀବନରେ କେବେ ବି କାହାର ଅନିଷ୍ଟ କରିନଥିବା ଓ ସତ୍ୟ ବ୍ଯତୀତ ଆଉ କିଛିକୁ ଜାଣିନଥିବା ଗୋଟେ ଶିଳ୍ପୀ ଭାଗ୍ୟରେ ଏମିତି ଭୟଙ୍କର ଦୁଃଖ ଲେଖିଲା କିଏ ? ଗୋଟେ ସଚ୍ଚା ଶିଳ୍ପୀର ପୁରସ୍କାର କ'ଣ ଏୟା ?

ଆଜି ନିରଞ୍ଜନ ସାବତ, କେବଳ ଅନ୍ଧାର ଭିତରେ ଯନ୍ତ୍ରଣାର ଚିତ୍ର ଆଙ୍କୁଥିବା ପାଗଳ । ତେବେ ତାଙ୍କର ଚିତ୍ର ସବୁ ଏବେ କାନଭାସରେ ନୁହଁ, କେବଳ ଶୂନ୍ୟତାରେ ଇ ଅଙ୍କା ହେଉଛନ୍ତି ।