ଗୋଟେ ଝୁମା ଝୁମା ଗୋଲାପୀ ବେଳାର କାହାଣୀ

ଓଡିଆ ଗୀତର ମରଣ କଥା ମୋତେ ବେଶୀ ବେଶୀ କଷ୍ଟ ଦେଉଛି, କାରଣ ଏଇ ଶବାଧାରରେ ମୁଁ ସରୋଜ ପଟ୍ଟନାୟକଙ୍କୁ ଦେଖୁଛି । ଓଡିଆ ସିନେମାରେ ଖୁବ ଅଳ୍ପ, କିନ୍ତୁ ଖୁବ ଚମତ୍କାର ଗୀତ ତିଆରି କରିଥିବା ସରୋଜ ପଟ୍ଟନାୟକଙ୍କ ମୃତ୍ୟୁର ଦର୍ପଣରେ ଓଡିଆ ଗୀତର ମରଣ ମିଶି ଯାଇଛି ।


ଫଟୋ - ଗୀତିକାର ସଂଗ୍ରାମ ମହାନ୍ତି, ସଂଗୀତକାର ସରୋଜ ପଟ୍ଟନାୟକ ଓ ଗାୟିକା ଅନ୍ତରା, ସୌଜନ୍ଯ - ମୋହିତ ଚକ୍ରବର୍ତ୍ତୀ

ଆମ ସମୟର ଓଡିଆ ଗୀତ କେତେ ଓଡିଆ ସତରେ ? ଏ ପ୍ରଶ୍ନର ଉତ୍ତର ଖୋଜିଲା ବେଳକୁ ମୁଁ ଦେଖୁଛି ମୋ ଆଖି ଆଗରେ ଗୋଟେ ଶବାଧାର ଚାଲିଛି । ଶବ ହୋଇ ଛ’ ଖଣ୍ଡ କାଠରେ ଯିଏ ଶୋଇଛି, ସେ ଓଡିଆ ଗୀତ । ଓଡିଆ ଗୀତ ମରିଯାଇଛି ବୋଲି କହିଲେ କେହି କେହି ମୋ ଉପରେ ରାଗିପାରନ୍ତି । ରାଗନ୍ତୁ, ମୋତେ କିନ୍ତୁ ଯାହା ଦିଶୁଛି, ମୁଁ ସେୟା କହିବି । ଓଡିଆ ଗୀତର ମରଣ କଥା ମୋତେ ବେଶୀ ବେଶୀ କଷ୍ଟ ଦେଉଛି, କାରଣ ଏଇ ଶବାଧାରରେ ମୁଁ ସରୋଜ ପଟ୍ଟନାୟକଙ୍କୁ ଦେଖୁଛି । ଓଡିଆ ସିନେମାରେ ଖୁବ ଅଳ୍ପ, କିନ୍ତୁ ଖୁବ ଚମତ୍କାର ଗୀତ ତିଆରି କରିଥିବା ସରୋଜ ପଟ୍ଟନାୟକଙ୍କ ମୃତ୍ୟୁର ଦର୍ପଣରେ ଓଡିଆ ଗୀତର ମରଣ ମିଶି ଯାଇଛି । ଦିନେ କେଉଁ ଗୋଟେ ଟେଲିଭିଜନରେ ସାକ୍ଷାତକାର ଦେଇ ସରୋଜ ପଟ୍ଟନାୟକ କହିଥିଲେ, “ମୋ ନାଁ କିଏ ଜାଣିଛି ନା ମନେ ରଖିଛି କି” । ଓଡିଆ ସାଂସ୍କୃତିକ ଇତିହାସରେ ଏଇଟା ହିଁ ଆମର ଦୁର୍ଭାଗ୍ୟ । ଆମେ ସରୋଜ ପଟ୍ଟନାୟକଙ୍କୁ ତାଙ୍କ ଜୀବନକାଳରେ ମନେ ରଖିନଥିଲୁ । ହେଲେ ସେ ଏମିତି କିଛି ଗୀତ ତିଆରି କରିଥିଲେ, ଯାହାକୁ ସମୟ ମାରି ପାରି ନାହିଁ କି ପାରିବ ନାହିଁ । ସେ ଯେଉଁ ଗୀତର ମରଣ କଥା ଆମକୁ ବାରମ୍ବାର କହୁଥିଲେ, ତାଙ୍କ ମୃତ୍ୟୁ ସହିତ ଗୋଟେ ଯୁଗର ସଙ୍ଗୀତ ବି ମରି ଯାଉଛି ।

ମରଣର ଶୋଭାଯାତ୍ରାରେ କିନ୍ତୁ ଆପଣ କେମିତି ଭୁଲିବେ, “ଏଇ ଝୁମା ଝୁମା ଗୋଲାପୀ ବେଳାରେ” ଗୀତକୁ ? ୧୯୮୩ରେ ନିର୍ମିତ “ଅଭିଳାଷ” ସିନେମାର ଏ ଗୀତ । ବହୁ ଦୃଷ୍ଟିରୁ ଏ ସିନେମା ଗୋଟେ ଇତିହାସ । ସେତେବେଳେ ମୁମ୍ବାଇରେ ଅଭିନେତା ଭାବେ ପ୍ରତିଷ୍ଠା ପାଇ ସାରିଥିବା ସାଧୁ ମେହେରଙ୍କର ନିର୍ଦ୍ଦେଶକ ଭାବେ ଏଇଟା ଥିଲା ଦ୍ଵିତୀୟ ଓଡିଆ ସିନେମା । ଏଇ ସିନେମାରେ ଦ୍ଵିତୀୟଥର ଲାଗି ନାୟକ ହେବାର ସୁଯୋଗ ପାଇଥିଲେ ଉତ୍ତମ ମହାନ୍ତି । ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ଲାଗି ବି ଏଇ ଥିଲା ଦ୍ଵିତୀୟ ସୁଯୋଗ । ସଙ୍ଗୀତରେ ଆଦୌ ପାଠ ପଢିନଥିବା ସରୋଜ ପଟ୍ଟନାୟକ ଏଇ ସିନେମାରେ ନୂଆ ଇତିହାସ ସୃଷ୍ଟି କଲେ । “ଏଇ ଝୁମା ଝୁମା ଗୋଲାପୀ ବେଳାରେ” ଏବଂ “ଚଗଲା, କାନି ମୋ ଚଗଲା” ର ସାଉଣ୍ଡ ଟ୍ରାକ କାଳଜୟୀ ହୋଇଗଲା । ଅନେକ ସମୟରେ ସରୋଜ ପଟ୍ଟନାୟକ କହିଛନ୍ତି, “ଏଇ ଝୁମା ଝୁମା .......“ ଗୀତଟି ନିର୍ଦ୍ଦେଶକ ସାଧୁ ମେହେରଙ୍କର ଆଦୌ ପସନ୍ଦ ନଥିଲା । ଜିଦ କରି ଏ ଗୀତଟିକୁ ସେ ହରିହରନ ଓ ଆରତୀ ମୁଖାର୍ଜୀଙ୍କ କଣ୍ଠରେ ରେକର୍ଡ କରିଥିଲେ । ଗୀତଟି ରହିଲା ପରେ, ବାକି ଯାହା ହେଲା, ତାହ ଆଜି ଇତିହାସ । ଏଇ ଗୋଟିଏ ଗୀତ ସରୋଜ ପଟ୍ଟନାୟକଙ୍କ ସ୍ଵାକ୍ଷର ସଙ୍ଗୀତ ହୋଇ ରହିଗଲା । ଏ ଗୀତର ଲେଖକ ସଂଗ୍ରାମ ମହାନ୍ତି ସେତେବେଳେ ପୂରା ଅପରିଚିତ । ହେଲେ ଏଇ ଗୀତ ସହିତ ଗୋଟେ ଭାଷାରେ ପ୍ରେମର ନୂଆ ସୁର ତିଆରି ହୋଇଗଲା ।

୧୯୭୭ରେ ସରୋଜ ପଟ୍ଟନାୟକ କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ନିଜର ପତିଆରା ସାବ୍ୟସ୍ତ କରି ସାରିଥିଲେ । ସେଇ ବର୍ଷ “ଅଭିମାନ” ସିନେମାରେ ରାଧାକୃଷ୍ଣ ଭଞ୍ଜ ଓ ସରୋଜ ପଟ୍ଟନାୟକଙ୍କ ସଙ୍ଗୀତ ଚହଳ ପକାଇଥିଲା । ଅକ୍ଷୟ ମହାନ୍ତିଙ୍କ କଣ୍ଠରେ “ଭାସମେଘ ମୁଁ ଯେ ଭାସିଯାଏ ଦୂରେ........”, ସେତେବେଳେ ଗୋଟେ ନୂଆ ପ୍ରଭାବ ତିଆରି କରିଥିଲା । ଓଡିଆ ସିନେମାରେ ବାରିପଦାର ତିନିଜଣ ସଂଗୀତକାର ଗୋଟେ ନୂଆ ସ୍କୁଲ ତିଆରି କରିଥିଲେ: ଶାନ୍ତନୁ ମହାପାତ୍ର, ରାଧାକୃଷ୍ଣ ଭଞ୍ଜ ଓ ସରୋଜ ପଟ୍ଟନାୟକ । ଏ ତିନିଜଣ ଗୀତ ରଚନାରେ ଓ ସ୍ଵର ସଂଯୋଜନାରେ ଯେତିକି ଓଡିଆ, ଗାୟକ ନିର୍ବାଚନରେ ସେତିକି ପେସାଦାର । ମହମ୍ମଦ ରଫି, ଲତା ମଙ୍ଗେସ୍କର, ଉଷା ମଙ୍ଗେସ୍କର, ହରିହରନ, ଆରତୀ ମୁଖାର୍ଜୀଙ୍କ ଭଳି ନାମୀ କଣ୍ଠଶିଳ୍ପୀଙ୍କୁ ଏମାନେ ନିଚ୍ଛକ ଓଡିଆ ଗୀତ ଗୁଆଇଛନ୍ତି । ଓଡିଆ ଜନଜୀବନର ସ୍ଵର ଓ ପ୍ରକୃତିର ସୌନ୍ଦର୍ଯ୍ଯ ଏମାନଙ୍କ ଗୀତରେ ଫୁଟି ଉଠିଛି ।

ସରୋଜ ପଟ୍ଟନାୟକଙ୍କ ଗୀତର ମାଧୁରୀ ଓ ଚାତୁରୀ ଟିକେ ଅଲଗା । ସେ ତାଙ୍କ ଗୀତରେ ଶବ୍ଦର ଯାଦୁକରୀକୁ ବୁଝନ୍ତି ଓ ତାର ସାର୍ଥକ ପ୍ରୟୋଗ କରନ୍ତି । “ଏଇ ଝୁମା ଝୁମା ଗୀତର” କିଛି ଧାଡି, ଆମ କବିତାର ସବୁଠୁ ଲାଳିତ୍ୟଭରା ସମ୍ପଦ । “ମୁଁ ଯେ ଗୀତି ତମେ ସୁର ପ୍ରିୟତମ ମୋର”/ ତଟିନୀ ମୁଁ ତମେ ମୋ ସାଗର......./ ମୋର ମନ ଦରପଣେ ବିମ୍ବିତ ଲାଜେ ତୁମରି ସେ ରଙ୍ଗୀନ ମନ/........ଏ ସବୁ ପଦରେ ଓଡିଆ କବିତାର ସୁକୁମାରପଣ ଓ ମର୍ମଭେଦୀ ଅନୁଭବ ଆମେ ପାଉଥିଲେ । ଦୁର୍ଭାଗ୍ୟକୁ ଏ ଶବ୍ଦ ଓ ପଦ ସବୁ ଆମ ଗୀତରୁ ମାରି ସାରିଛନ୍ତି । ଏବେ ଯେଉଁ ଭାଷାରେ ଆମେ ଓଡିଆ ଗୀତ ଶୁଣୁଛୁ, ସେଠି ଓଡିଆ ଭାଷାର ମୁର୍ଦ୍ଦାର ଇ ଦିଶୁଛି ।

ଗୋଟେ ବିବାହ ଗୀତରେ କେତେ ପ୍ରକାର ପ୍ରୟୋଗ କରାଯାଇପାରିବ, ତାର ଉଦାହରଣ ଆପଣ ଦେଖିବେ – “ଚୁପି ଚୁପି କରି କାନେ କହିଯାଏ ମହୁରୀ” ଗୀତରେ । ଏ ଗୀତର ପ୍ରଥମ ଆବେଦନ ବେଶ ମନ ମତାଣିଆ ଉତ୍ସବ ପରି । ହେଲେ ଅନ୍ତରାକୁ ଯାଉ ଯାଉ ଆପଣ ପଣ୍ଡିତ ଘନଶ୍ୟାମ ପଣ୍ଡାଙ୍କ କଣ୍ଠରେ ଶୁଣୁଛନ୍ତି “ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ” ଗୀତକୁ । ଓଡିଶୀ ଏବଂ ଆଧୁନିକ ଗୀତର ଏ ଚମତ୍କାର ରସାୟନ ପ୍ରସ୍ତୁତ କରିଥିବା ସରୋଜ ପଟ୍ଟନାୟକଙ୍କୁ ଆମେ ଅଧିକ ଗୀତ କରିବାର ସୁଯୋଗ ଦେଲେନି, ସେଇଟା ଆମର କ୍ଷତି ।

ସରୋଜ ପଟ୍ଟନାୟକ ତାଙ୍କ ସଙ୍ଗୀତରେ ପଣ୍ଡିତ ଘନଶ୍ୟାମ ପଣ୍ଡାଙ୍କୁ ଅନେକ ଥର ବ୍ୟବହାର କରିଛନ୍ତି । ଘନଶ୍ୟାମ ପଣ୍ଡାଙ୍କ ସ୍ଵରଟି କଞ୍ଚା ଓଡିଆ ଓ ସେଥିରେ ମାଟିର ମହକ ପ୍ରବଳ । ହେଲେ ଏତେ ମହାନ ଶିଳ୍ପୀଙ୍କୁ ଆମ ସିନେମାରେ କ୍ଵଚିତ ଆମେ ଶୁଣିବାର ସୁଯୋଗ ପାଇଛୁ । ସରୋଜ ପଟ୍ଟନାୟକ ଓ ଘନଶ୍ୟାମ ପଣ୍ଡା ଯୋଡିର ଆଉ ଏକ ଯାଦୁକରୀ ଗୀତ ହେଉଛି – “କାହିଁ ଗଲେ ବନ୍ଧୁରେ, ରାଧାରାଣୀ ଝୁରି ମରେ.......” । ଶବ୍ଦ ଓ ଭାବର ଆବେଦନକୁ ଏ ଗୀତରେ ସରୋଜ ପଟ୍ଟନାୟକ ଯେମିତି ଗୁନ୍ଥିଛନ୍ତି, ତାହା ଅନନ୍ୟ ।

ସରୋଜ ପଟ୍ଟନାୟକଙ୍କ ବିୟୋଗରେ ଓଡିଶାର ସାମାଜିକ ଜୀବନରେ ହୁଏତ ପତ୍ରଟିଏ ହଲିବ ନାହିଁ । ହେଲେ ତାଙ୍କ ସହିତ ଯେ ଏ ଜାତିର ଗୋଟେ ସୁକୁମାର ଭାବନା ମରିଯାଇଛି ଓ ସେ ଭାବନାର ମୃତ୍ୟୁ ଆମକୁ ଆହୁରି ଦରିଦ୍ର କରିଦେବ, ଏ କଥା ଆମେ ବୁଝିବା ଦରକାର ।