ମଣିଷପଣର ମହାଶ୍ଵେତା, ପୁଣ୍ୟପ୍ରଭା ଦେବୀ

ଆଜିର "ଶେଷ ସ୍ପର୍ଶ" ନିବେଦିତ ପୁଣ୍ୟପ୍ରଭା ଦେବୀଙ୍କ ପାଇଁ । ସାହିତ୍ୟରେ ସେ ଯେତିକି ସାର୍ଥକ ମଣିଷପଣରେ ସେ ତା ଠୁ ଅଧିକ ଉଜ୍ଜଳ । ତାଙ୍କର ବିଦାୟ, ମାନବିକତା ଲାଗି ଏକ ଶୂନ୍ୟସ୍ଥାନ ।


ଫଟୋ - ଫେସବୁକ ପ୍ରୋଫାଇଲ

ସେମାନେ ଥିଲେ ଚାରି ଭଉଣୀ । ବାସନ୍ତୀ, ବିଦ୍ୟୁତପ୍ରଭା, ସ୍ଵର୍ଣ୍ଣ ଓ ପୁଣ୍ୟପ୍ରଭା । ଚାରି ଜଣ ଯାକ କବି । ବିଦ୍ୟୁତପ୍ରଭା ଦେବୀଙ୍କୁ ଓଡିଆ ସାହିତ୍ୟରେ ପ୍ରାୟ ସମସ୍ତେ ଜାଣନ୍ତି । ଓଡିଆ କବିତାର ସେ ଅନ୍ଯତମ ମାଇଲଖୁଣ୍ଟ । ଗୋଟେ ପରିବାର ଭିତରେ ଚାରି ଭଉଣୀ କବିତା ଲେଖିବା ଗୋଟେ ବିରଳ ଇତିହାସ । ସେ ପରିବାରରେ ଏ ଚାରି ଭଉଣୀଙ୍କର ଭାଉଜ ବି ଥିଲେ କବି । ତାଙ୍କ ନାଁ ହେମନ୍ତ କୁମାରୀ ଦେବୀ । ଓଡିଆ ସାହିତ୍ଯର ନମସ୍ୟ ଲେଖକ ଓ ସଂଗ୍ରାହକ ନିମାଇଁ ଚରଣ ଦାସ, ତାଙ୍କର ସବୁ ଝିଅ ଓ ବୋହୁଙ୍କୁ ଲେଖିବାର ପ୍ରେରଣା ଯୋଗେଇ ଦେଉଥିଲେ । ସେଇଟା ଇ ଗୋଟେ ବିପ୍ଲବ । ସେଇ ପରିବାରରେ ସବୁ ଭଉଣୀଙ୍କ ଭିତରେ ପୁଣ୍ୟପ୍ରଭା ସାନ । ସବୁଠୁ ସାନ, ହେଲେ ସବୁଠୁ ସ୍ନେହୀ । ବିଦ୍ୟୁତପ୍ରଭାଙ୍କ ଠାରୁ ପୁଣ୍ୟପ୍ରଭା ବାର ବର୍ଷ ସାନ । ସେ ପ୍ରଥମେ ପିଲାଙ୍କ ଲାଗି ଲେଖିବା ଆରମ୍ଭ କରିଥିଲେ । ପିଲାଙ୍କ ପାଇଁ କବିତା ଲେଖୁ ଲେଖୁ ସେ ଗୋଟେ ବିଶାଳ ପରିବାର ଗଢିଥିଲେ । ସେ ଥିଲେ ଓଡିଆ ସାହିତ୍ଯର ଶତ ସହସ୍ର ଲେଖକ ଲେଖିକାଙ୍କର ମା ଓ ମାଉସୀ । ସେ ପୁଣ୍ୟପ୍ରଭା ଦେବୀ, ସମସ୍ତଙ୍କ ଆଦରର ମା । ସବୁ ଲେଖକ ଲେଖିକାଙ୍କୁ ସେ କେବଳ ପଢୁନଥିଲେ, ସେମାନଙ୍କୁ ଭଲ ପାଉଥିଲେ। ବଡ ଆଦରରେ ସମସ୍ତଙ୍କୁ ସେ ଡାକୁଥିଲେ, ପୁଅ ବା ଝିଅ । ଓଡିଆ ସାହିତ୍ଯର ସେ ଏକ ମମତାଧାରା । ସେ ଧାରା ଟି ହଠାତ ଶୁଖିଗଲା । ପୁଣ୍ୟପ୍ରଭା ଦେବୀ ୨୦୨୧ ବର୍ଷର ଅନ୍ତିମ ଦିନ ଆମଠୁ ସବୁଦିନ ପାଇଁ ବିଦାୟ ନେଲେ ।

ଫେସବୁକରେ ସାହିତ୍ୟକୁ ନେଇ ଆମେ କେତେ ନର୍ଦ୍ଦମା ତିଆରି କରୁ, ହେଲେ ସେ ନର୍ଦ୍ଦମା ଭିତରେ ସବୁଠୁ ପବିତ୍ର ଉପସ୍ଥିତି ଥିଲା ପୁଣ୍ୟପ୍ରଭା ଦେବୀଙ୍କର । ସେ ପ୍ରାୟ ଓଡିଶାରେ ରହି ନାହାନ୍ତି, ହେଲେ ଓଡିଶାର ସବୁ ଲେଖକ ଲେଖିକା ତାଙ୍କ ପରିବାରର ଲୋକ । ମୁଁ ବି ତାଙ୍କୁ କେବେ ଦେଖିନି । ଅଥଚ ସେ ଥିଲେ ସବୁଠୁ ପ୍ରିୟ ମଣିଷ । କେବେ ହେଲେ ନ ଦେଖି, ଜଣେ ମଣିଷର ସ୍ନେହ ଓ ଆଶୀର୍ବାଦକୁ ସତରେ କଣ ଏତେ ନିବିଡ ଭାବରେ ଅନୁଭବ କରିହୁଏ ! ଫେସବୁକ ଖୋଲିଲେ ତାଙ୍କ ବାକ୍ୟ ସବୁ ଛାତି ଭିତରକୁ ପଶି ଆସନ୍ତି । ବ୍ୟକ୍ତିଗତ ଜୀବନର ନିବିଡ ଅନୁଭବକୁ ଅତ୍ୟନ୍ତ ସହଜ ଭାବରେ ସେ କହି ଦିଅନ୍ତି । ଗତ ଦୁଇ ବର୍ଷ ଭିତରେ ସ୍ବାମୀ ଓ ପୁଅଙ୍କ ମୃତ୍ୟୁ, ସେ ନିଜେ କ୍ୟାନ୍ସରରେ ଆକ୍ରାନ୍ତ ହେବା ଭଳି ଦାରୁଣ ଖବର ସବୁକୁ ସେ ଜୀବନର ଆହ୍ଵାନ ଭଳି ଲେଖିଛନ୍ତି । ମୁଁ ଜୀବନରେ ଏମିତି ସ୍ଥିତପ୍ରଜ୍ଞା ଥିବା ମଣିଷଙ୍କୁ ବହୁତ କମ ଦେଖିଛି ।

ତାଙ୍କ ବୟସରେ ସୋସିଆଲ ମିଡିଆ କି ଇଣ୍ଟରନେଟର ଜଟିଳ ମାନଚିତ୍ରକୁ ବୁଝିବା ଆଦୌ ସହଜ ନଥିଲା । ସେ ସୋସିଆଲ ମିଡିଆରେ ସହଜ ଭାବେ କେବଳ ପଶିଥିଲେ ତା ନୁହେଁ, ସୋସିଆଲ ମିଡିଆକୁ ଜୀବନ ପାଇଁ ଏକ ସମ୍ମିଳନୀ ଭାବେ ବ୍ୟବହାର କରିବାର ବିରଳ ଦୃଷ୍ଟାନ୍ତ ସେ ସୃଷ୍ଟି କରି ଯାଇଛନ୍ତି । ସେ ନିଜେ ଲେଖୁଥିଲେ, ହେଲେ ଅନ୍ୟମାନଙ୍କୁ ପ୍ରଚୁର ପଢୁଥିଲେ । ସାନ ବଡ ଲେଖକର ଭେଦ ତାଙ୍କର ନଥିଲା । ସମସ୍ତଙ୍କୁ ପଢିବା ଓ ସେମାନଙ୍କୁ ସେ ବିଷୟରେ ଜଣାଇବାର ବିରଳ କାମଟି ବଡ ନିଷ୍ଠାର ସହ ସେ କରୁଥିଲେ ।

ନିଜ ଆତ୍ମଜୀବନୀକୁ ପ୍ରାୟ ପଚାଶ ଭାଗରେ ସେ ଫେସବୁକରେ ଲେଖିଥିଲେ । ଆତ୍ମଜୀବନୀ ଆରମ୍ଭ କରିବାର ଅଳ୍ପ ଦିନ ପରେ ସେ କ୍ୟାନ୍ସର ଆକ୍ରାନ୍ତ ହେଲେ । ତାଙ୍କ ଜୀବନର ସବୁ ଦୁଃଖ ଓ ସୁଖକୁ ସେ ନିର୍ବିକାର ଭାବରେ ଲେଖି ଚାଲିଥିଲେ । ତାଙ୍କ ଗଦ୍ୟ ଭାଷାଟି ଅତ୍ୟନ୍ତ ସରଳ ଓ ନିବିଡ । ଜଟିଳ ଜୀବନ ତତ୍ତ୍ଵକୁ ସହଜ ଭାଷାରେ କହି ପାରିବାର ଅପୂର୍ବ ଦକ୍ଷତା ତାଙ୍କର ଥିଲା । ତାଙ୍କ ଆତ୍ମଜୀବନୀରେ ସେ ବାପା ଓ ଈଶ୍ବରଙ୍କ ସଂପର୍କକୁ ନେଇ ଗୋଟେ ଚମତ୍କାର କଥା ଲେଖିଛନ୍ତି –

“ଆମର ବାପା ରଘୁନାଥଂକର ପରମ ଭକ୍ତ ଥିଲେ । ପିଲାଦିନରୁ ଦେଖିଛି ଆମଘରେ ସମସ୍ତେ ସେହି ରଘୁନାଥଂକୁ ପୂଜା କରୁଥିଲୁ । ଯଦିଓ ବିଦୁ ଅପା ପରେ ପରେ ଶ୍ରୀ ଅରବିନ୍ଦ ଓ ଶ୍ରୀମାଂକର ଭକ୍ତ ପାଲଟି ଯାଇ ରଘୁନାଥଂକୁ ପୂଜା କରିବା ଛାଡି ଦେଇଥିଲା । ସେଥିପାଇଁ ବାପା ବହୁତ ଆଘାତ ପାଇଥିଲେ ସେତେବେଳେ । ବାପା ଯେତେବେଳେ ଘରୁ ବାହାରକୁ ଯାଉଥିଲେ ରଘୁନାଥଂକ ପାଖରେ ପ୍ରଣାମ କରିଲା ପରେ ଯାଇଁ ଯାଉଥିଲେ । ଆଉ ମୋ ବଡ ଅପାର ଯେତେବେଳେ ପ୍ରସବ ଯନ୍ତ୍ରଣା ହେଉଥିଲା ବାପା ରଘୁନାଥ ଠାକୁରଂକ ପାଖରେ ଅଧିଆ ପଡି ଡାକ ଦେଉଥିଲେ - ହେ ରଘୁନାଥ ମୋର ଯଦି ନାତିଟିଏ ଜନ୍ମ ହେବ ନା, ମୁଁ ତାର ନାମ ରଖିବି ରଘୁନାଥ । ବାପାଙ୍କର ସେଇ ରଘୁନାଥ ନାମକ ନାତିଟିଏ ପରେ କେମେଷ୍ଟ୍ରି ପ୍ରଫେସର ହୋଇ ରେଭେନ୍ସାରୁ ଶିକ୍ଷା ନିବୃତ୍ତି ପରେ ଏବେ ଶଯ୍ଯାଶାୟୀ କ୍ଯାନ୍ସରରେ । ବାପା ଯେତେବେଳେ ସହରର ବାହାରକୁ ଯାଉଥିଲେ ଠାକୁରଙ୍କ ପାଖରେ ପଇସା କିଛି ରଖିଦେଇ ଯାଉଥିଲେ । ସେତେବେଳେ ତ ଖାଲି କଏନ୍ ହିଁ ଥିଲା । ଆଉ ମନରେ କିଛି ମାନସିକ କରୁଥିଲେ ବି ସେମିତି ପଇସା ରଖି ଦେଉଥିଲେ ଠାକୁରଂକୁ ପାଖରେ । ଯେତେବେଳେ ବେଶୀ ଗୁଡିଏ ଟଂକା ହୋଇ ଯାଉଥିଲା ତାକୁ ମନି ଅର୍ଡର କରି ପଠେଇ ଦେଉଥିଲେ ଓଡଗାଁ ର ରଘୁନାଥଂକ ପାଖକୁ । ମଜାର କଥା ହେଲା ବେଳେବେଳେ ଠାକୁରଂକ ପାଖରେ ରହିଥିବା ଟଂକାରୁ ବାପା କିଛି ଉଧାର ନେଉଥିଲେ ଓ କିଛିଦିନ ପରେ ସୁଧ ସହିତ ସେଠାରେ ପୁଣି ରଖି ଦେଉଥିଲେ । ତାକୁ ଦେଖି ଆମେମାନେ ହସୁଥିଲୁ ମନେ ମନେ।“ (ପୁଣ୍ୟସ୍ମୃତି-୩୯)

ବ୍ୟକ୍ତିଗତ ଭାବେ ଅନ୍ତତଃ ଥରେ ତାଙ୍କୁ ଦେଖିଥିଲେ ଭଲ ଲାଗିଥାନ୍ତା । ହେଲେ ତାଙ୍କ ଶବ୍ଦ ସବୁ ଏତେ ଅନ୍ତରଙ୍ଗ ଯେ ତାଙ୍କୁ ଦେଖି ନଥିବାର ଅବସୋସ କେବେ ବି ରହିବ ନାଇଁ । ଫେସବୁକରେ ନିୟମିତ ସେ ଚାଟ କରନ୍ତି । ତାଙ୍କ ଭାଉଜ ହେମନ୍ତ କୁମାରୀ ଦେବୀଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେରେ ମୁଁ ସେ ବହିର ସମୀକ୍ଷା କରିଥିଲି । ମାଉସୀଙ୍କର ବାର୍ତ୍ତା ଆସିଲା – “ଆପଣ ଭାଉଜଙ୍କ ବିଷୟରେ ବହୁତ ଭଲ କହିଲେ ବୋଲି ଶୁଣିଲି । ଆଶୀର୍ବାଦ କରୁଛି “। ତାଙ୍କର ଶେଷ ଧାଡିଟି ସବୁବେଳେ ଆଶୀର୍ବାଦରେ ସରେ ଆଉ ସେଇ ଆଶୀର୍ବାଦଟା ମୋ ଜୀବନର ସବୁଠୁ ବଡ ପୁଣ୍ୟ ।

ଓଡିଆ ସାହିତ୍ୟରେ ସେ କେତେ ଲେଖିଥିଲେ, କେତେ ପୁରସ୍କାର ପାଇଥିଲେ, ତାଙ୍କ ଲେଖାକୁ ନେଇ କେତେ କଣ ଆଲୋଚନା ହୋଇଛି, ସେ ତ ଅଲଗା କଥା । ମଣିଷ ଭାବରେ, ମା ଭାବରେ ଓ ଜୀବନର ସବୁଠୁ ସାର୍ଥକ ପ୍ରୟୋଗ କ୍ଷେତ୍ରରେ ପୁଣ୍ୟପ୍ରଭା ଦେବୀଙ୍କର କୌଣସି ବିକଳ୍ପ ନାହିଁ ।