ଧନ୍ଯ ସେହୁ କବି, ଧନ୍ଯ ସେହୁ ପୁରୀ

ଆଜି ଓଡିଆ ଅନାମ କବିତା ଆନ୍ଦୋଳନର ମହାନାୟକ କୁମାର ମହାନ୍ତିଙ୍କ ପୁଣ୍ୟତିଥି । ଓଡିଆ କବିତାରେ ଦ୍ରୋହ - ମିଶା ରହସ୍ୟର ଚିତ୍ରକାର ଭାବରେ କୁମାର ମହାନ୍ତିଙ୍କର ଏକ ବିଶେଷ ଭୂମିକା ରହିଥିଲା । ଆଜିର "ଶେଷ ସ୍ପର୍ଶ" କୁମାର ମହାନ୍ତିଙ୍କ ପାଇଁ ।


ଫଟୋ ସୌଜନ୍ଯ - ମନୁ ଦାଶ

ସେ କବିର ନାଁ ନାଇଁ, ସେ ଅନାମ । ସେ ଅଲେଖ ପରମ୍ପରାର କବି, ଯାହାର କିଛି ଲେଖା ନାଇଁ । ସବୁ ନାଁ ଥିବା କବିଙ୍କ ଭିତରେ ସେ ଅଛନ୍ତି, ଅନାମ ହୋଇ । ସେ ସାରଳା ଦାସ ଓ ଅଚ୍ୟୁତାନନ୍ଦ, ସେ ସାଲବେଗ ଓ ଭୀମ ଭୋଇ, ସେ ଦୀନକୃଷ୍ଣ ଦାଶ ଓ ହରିହର ମିଶ୍ର । ସେ ସର୍ବନାମ, ହେଲେ ଅନାମ । ସେ ସବୁ ପରିଚୟକୁ, ପୁରସ୍କାରକୁ, ପ୍ରସିଦ୍ଧିକୁ “ଭାଗ ବେ ଶଳା” କହି ଶୂନ୍ୟ ହେଇକି ରହିଛନ୍ତି । ସେ ମରଣଶୀଳ ମଣିଷର କବି, ତେଣୁ ଅମରତ୍ଵ ପ୍ରତି ତାଙ୍କର ଘୋର ଅନାସ୍ଥା । ଆଜି ତାଙ୍କ ମରିବାର ୨୬ ବର୍ଷ ପରେ ତାଙ୍କ ବିଷୟରେ ଲେଖିଲାବେଳେ ମୋତେ ଲାଗୁଛି, ମୁଁ କାଇଁ ଲେଖୁଛି । ସେ କିଏ କି ମୋର ? ସେ ପରା ନିଜେ ଅନାମ ! ସେ ପରା ନିଜେ କହିଥିଲେ - “ମଣିଷର ମୂଲ ଅଛି ଅନାମରେ !!” ଯେ ନିଜେ ଅନାମ ହେବାର ଜିଦରେ ନିଜ ନାଁକୁ ଲିଭେଇ ଚାଲିଗଲେ, ତାଙ୍କୁ ନାଁ ଦେବାକୁ ଆମେ କିଏ ?

ମୁଁ ପିଲାବେଳୁ ଗୋଟେ କାହାଣୀ ଶୁଣି ଆସିଛି । ଆମ ସୋନପୁରର ଇଷ୍ଟଦେବତା ସୁବର୍ଣ୍ଣମେରୁଙ୍କ ମନ୍ଦିର ତୋଳାଇ ସାରି ନେଉଳି ମହାଜନ କୁଆଡେ ପ୍ରଭୁଙ୍କୁ ବର ମାଗିଥିଲେ - “ପ୍ରଭୁ !! ଏ ଦେଉଳର ଯଶ ଭୋଗିବାକୁ ମୋ କୁଳରେ କେହି ନ ରହନ୍ତୁ । ମୋର ବଂଶ ବୁଡେଇ ଦିଅ । “ଏ କଥା ବଡଦେଉଳ ଗଢିସାରି କୁଆଡେ ରଜା ଇନ୍ଦ୍ରଦ୍ଯୁମ୍ନ ବି କହିଥିଲେ !! ଏଇ ଯଶ - ଉଦାସୀନ ଓଡିଶୀ ପରମ୍ପରାର କବିତା ହେଉଛି “ଅନାମ କବିତା” ଓ ସେ ପରମ୍ପରାର ଅଧିନାୟକ “କୁମାର ମହାନ୍ତି” । ୧୯ ଡିସେମ୍ବର, ୧୯୯୫ରେ କବି କୁମାର ମହାନ୍ତିଙ୍କ ପରଲୋକ ଘଟିଲା । ଓଡିଆ କବିତାରେ ଯିଏ ମଲା ସିଏ ଗଲା । ହୁଏତ କୁମାର ମହାନ୍ତିଙ୍କ ମୃତ୍ୟୁ ଖବର ଖବର କାଗଜର କେଉଁ ଏକ କୋଣରେ ବାହାରିଥିବ ନିଶ୍ଚୟ । ସେ ତ ବହୁ ପୁରସ୍କୃତ କବି ନଥିଲେ । ଜୀବନ ସାରା ପୁରସ୍କାର ଓ ସ୍ଵୀକୃତିପ୍ରାପ୍ତ କବିତାଧାରା ବିରୋଧରେ ଲଢି ଲଢି ସେ ନିଜେ ଏକ ବିକଳ୍ପ ଗଢିଥିଲେ । ସେ ସେଇ “ଅନାମ କବିତା” ର ନାୟକ ଓ ସୈନିକ । କୁମାର ମହାନ୍ତି ଓ ଅନାମମାନେ ସଂକଳ୍ପ କରିଥିଲେ, କୌଣସି ପୁରସ୍କାର ନେବେ ନାଇଁ ବୋଲି । ସେଇ ସଂକଳ୍ପ ଭାଙ୍ଗି କେହି କେହି ଯେବେ ପୁରସ୍କାର ଗ୍ରହଣ କଲେ, ସେମାନେ କୁମାର ମହାନ୍ତିଙ୍କ ବିଶୁଦ୍ଧ ଦୋ ଅକ୍ଷରୀ ଶୁଣି ମୁହଁ ଲୁଚେଇଲେ । ସଂକଳ୍ପ ଓ ବିଚାର ନ ଭାଙ୍ଗିଲେ ପୁରସ୍କାର ତ ମିଳେନାଇଁ । ଯେଉଁମାନେ ପୁରସ୍କାର ଖୋଜିଲେ, ସେମାନଙ୍କର ନାମ ହେଲା । ସେମାନେ “ଅନାମ”କୁ ଛାଡିଲେ, କୁମାର ମହାନ୍ତିଙ୍କୁ ବି ଛାଡିଲେ । ଜୀବନର ଶେଷ ବେଳକୁ କୁମାର ମହାନ୍ତି ଥିଲେ ପ୍ରଥମ ଓ ଅନ୍ତିମ “ଅନାମ କବି” ।

ଅନାମ କବିତା ପ୍ରସଙ୍ଗରେ ମୁଁ ଆଗରୁ କିଛି କିଛି ଲେଖିଛି । ବାରମ୍ବାର ମୁଁ କହିଛି - କୁମାର ମହାନ୍ତିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଓଡିଆ କବିତାର “ଅନାମ ଆନ୍ଦୋଳନ” ଓଡିଆ ସାହିତ୍ୟରେ ଅଳ୍ପ ଚର୍ଚ୍ଚିତ, କିନ୍ତୁ ଅତ୍ୟନ୍ତ ପ୍ରଭାବଶାଳୀ ଏକ ଧାରା । ଆଧୁନିକ ଓଡିଆ କବିତା ଲାଗି ସମକାଳର କବିମାନେ ଯେତେବେଳେ ଟି. ଏସ. ଇଲିୟଟ କି ଡିଲାନ ଟମାସଙ୍କ ପାଖରୁ ପ୍ରେରଣା ଖୋଜୁଥିଲେ, ସେତେବେଳେ ଅନାମମାନେ ଆମ ଅଲେଖ ପରମ୍ପରାର କବିତାକୁ ନିଜର ମୂଳ ବୋଲି ଘୋଷଣା କଲେ । ଅନାମ ଥିଲା ଓଡିଆ କବିତାରେ ଦେଶୀ ଚେତନାର ଏକ ବିଶୁଦ୍ଧ ଧାରା । କବିତାର ଛନ୍ଦ ଓ ଭାଷାରେ ଓଡିଆ ଲୋକଗୀତର ଠାଣିକୁ ଗୋଟେ ନୂଆ ପରିଚୟ ଅନାମ କବିତା ବାଟ ଦେଇ ପୁଣିଥରେ ଫେରି ଆସିଲା । ଓଡିଆ କବିତାର ପରମ୍ପରାରେ ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ, ସାଲବେଗ ଓ ଭୀମ ଭୋଇଙ୍କୁ ଏହି ଆନ୍ଦୋଳନର ମୂଳରେ ରଖାଗଲା । କବିତାରେ ଆଧୁନିକତା ଏକ ଆମଦାନୀକରା ଚେତନା ନୁହେଁ, ବରଂ ଏହା ନିଜ ଅନ୍ତରର ରହସ୍ୟମୟ ଅଭିବ୍ୟକ୍ତି ବୋଲି ଏହି କବିମାନେ ପ୍ରମାଣିତ କଲେ ।

ଅନାମ କବିତାରେ ଓଡିଆ ଲୋକବୃତ୍ତ ସହିତ ଲୋକଜୀବନର ଏକ ଉଦାତ୍ତ ମିଶ୍ରଣ ଘଟିଲା । ପରମ୍ପରାକୁ ପୁରୁଣା ପାଠ ବୋଲି ନଭାବି, ପରମ୍ପରା ଭିତରେ ନୂଆ ସମୟର ସ୍ପନ୍ଦନକୁ ଖୋଜିବା ଲାଗି ଏହି ଧାରା ସବୁଠୁ ଶକ୍ତିଶାଳୀ ଭାବପୀଠ ନିର୍ମାଣ କରିଥିଲା । ଅନାମର ଭାବପୀଠରେ ଗୀତିମୟତା ସହିତ ଉଗ୍ର ପ୍ରତିବାଦର ଧାରା ବି ରହିଲା । ସେହି ସମୟର ସବୁଠୁ ଉଗ୍ର ପ୍ରଗତିବାଦୀ ସ୍ଵର ବୋଲି ଅନାମକୁ କୁହାଯାଇପାରେ । ତେବେ ପ୍ରଗତିବାଦ ଓ ପରମ୍ପରାବାଦ ଭିତରେ ଅନାମ ଏକ ମଧ୍ୟବର୍ତ୍ତୀ ଧାରା । ପ୍ରଗତିବାଦର ମୂଳ ପ୍ରେରଣା ମାର୍କ୍ସଙ୍କ ସାମ୍ୟବାଦରେ ରହିଥିବାବେଳେ ଅନାମର ପ୍ରେରଣା ବେଦାନ୍ତରୁ ଆରମ୍ଭ କରି ଶୂନ୍ୟବାଦୀ ବୈଷ୍ଣବ ଚେତନାରୁ ଆସିଥିଲା । ହିନ୍ଦୁଧର୍ମର ପାଖଣ୍ଡ ଓ ବର୍ଚ୍ଚସ୍ଵବାଦ ବିରୋଧରେ ଅନାମର ସ୍ଵର ତୀବ୍ର ରହି ଆସିଛି । ତେବେ ବେଦାନ୍ତର ମୈତ୍ରୀ, ତାନ୍ତ୍ରିକ ବୌଦ୍ଧ ପରମ୍ପରାର ଉଦାରତା, ସହଜିଆ ବୈଷ୍ଣବ ପରମ୍ପରାର ସ୍ଵାଭାବିକ ସାମ୍ୟ ଏବଂ ମହିମା ଧର୍ମର ସତ୍ତାଦ୍ରୋହୀ ଚେତନା, ଅନାମର ମୂଳସ୍ରୋତ ।

କବିତାର ତତ୍ତ୍ଵ ନିର୍ମାଣ ସହିତ ଓଡିଆ ଜାତିର ସାଂସ୍କୃତିକ ଇତିହାସ ନିର୍ମାଣ ପାଇଁ ଏକ ସ୍ଵତନ୍ତ୍ର ଗଦ୍ୟଶୈଳୀ କୁମାର ମହାନ୍ତିଙ୍କର ଥିଲା । ତାଙ୍କର ଗଦ୍ୟରଚନାର ସଂକଳନ “ଧନ୍ଯ ସେହୁ ପୁରୀ” ଓଡିଶାର ସାଂସ୍କୃତିକ ଇତିହାସ ରଚନା କ୍ଷେତ୍ରରେ ଏକ ବିକଳ୍ପ ଧାରା । କଥା, ଜନଶ୍ରୁତି, ଆସ୍ଥା ଓ ଇତିହାସର ଏକ ବାସ୍ତବ ମିଶ୍ରଣ ଏ ବହିରେ ରହିଛି । ଆଜିର ତାରିଖରେ ୱିଲିୟମ ଡାର୍ଲିମ୍ପ୍ଲ କିମ୍ବା ଦେବଦତ୍ତ ପଟ୍ଟନାୟକମାନେ ଯେଉଁ ଧାରାରେ ମିଥ୍ ଏବଂ ଇତିହାସର ତର୍ଜମା କରୁଛନ୍ତି, କୁମାର ମହାନ୍ତି ସେ ଧାରାକୁ ଓଡିଆରେ ଆରମ୍ଭ କରି ସାରିଥିଲେ । କୌଣସି ଘୋଷାପାଠ ବା ଧାରକରା ତଥ୍ୟ ଆଧାରରେ ସାଂସ୍କୃତିକ ଇତିହାସ ନିର୍ମାଣ ଅପେକ୍ଷା ଜୀବନ୍ତ ଲୋକଙ୍କର ବାକ୍ୟ ଭିତରୁ ସେ ଇତିହାସକୁ ଖୋଜିଛନ୍ତି । “ଧନ୍ଯ ସେହୁ ପୁରୀ” ବହିର ଭାଷା ସ୍ଵତନ୍ତ୍ର । ସେଠି ତତ୍ତ୍ଵର ଆଲୋଚନା ଅଛି, ହେଲେ ସେ ଲୋକତତ୍ତ୍ଵ । ଲୋକଭାଷାରେ ଲୋକଙ୍କ ଜୀବନ ଦର୍ଶନର ନିର୍ମାଣ । ଅନାମର ସିଦ୍ଧି ନାମହୀନତାରେ । ପରିଚୟ ଲିଭିଯାଉ । କୁମାର ମହାନ୍ତି ଭୁଲି ହୋଇ ଯାଆନ୍ତୁ । ହେଲେ କୁମାର ମହାନ୍ତିଙ୍କ କବିତା ଲିଭିବ କେମିତି ? ପାଣି ଉପରେ ନିଆଁର କଲମ ଚଳେଇ ଯେଉଁ କବି ଲେଖିଛି -

ଦୁଃଖ ଦର କେତେ କହ ସାହୁକାର
ସୁଖ ଦର କେତେ କହ
ଜୀବନ ମରଣ ଦର ତ କଷିଲ
ପରମର ଦର କହ ସାହୁକାର
ସର୍ଜନାର ଦର କହ।

କିମ୍ବା

କଥା କହିବିନି କିପରି
ଜନମକାଳରେ କୁଆଁରାବଠାରୁ
କଥା ଯାଏ ନଈ ପହଁରି ।

ମାଲିକ ଦଲାଲ ମେଳି ହୋଇଲେ
ପିଲା ମୁହୁଁ କ୍ଷୀର ଲୁଟ କଲେ
କୁଲି ଠିକାଦାର ଏବେ ଦେଖୁଛି
ପଖାଳହାଣ୍ଡି ବି ଛଡେଇ ନେଲେ
କିପରି ରହିବି ଚୁପ ଭଲା
ନେଲେ ବାନ୍ଧି ନେଇ ପୁଲିସିବାଲାରେ
ପୁଲିସିବାଲା ।

ଏ ଧାଡି ସବୁ ଲିଭିବ କେମିତି ? ଦ୍ରୋହ ଏବଂ ବେଦନାର ଏ ଚମତ୍କାର କବିତା ସବୁ କେବେ ନା କେବେ ଇତିହାସ ପାଖରୁ ନିଜର ଦାବୀ ହାସଲ କରିବେ । ଓଡିଆ କବିତାର ଇତିହାସରେ ଅନାମ ଆନ୍ଦୋଳନକୁ ହୁଏତ ଉପେକ୍ଷା କରି କେହି କେହି କିଛି ସମୟ ଅନ୍ଧାରରେ ରଖି ପାରନ୍ତି, ହେଲେ ଏ କବିତା ସବୁ ଗୋଟେ ସମୟରେ ଆମ କବିତାର ମୂଳସ୍ରୋତ ହୋଇ ନିଶ୍ଚୟ ଫେରିବେ ।

ଅନାମ କବିତାର ମହାଗାୟକ କୁମାର ମହାନ୍ତିଙ୍କୁ ପ୍ରଣାମ ।

(ନିକଟରେ ଧଉଳି ବୁକ୍ସର ପ୍ରକାଶକ ତଥା ଅନାମ ଆଂଦୋଳନର କନିଷ୍ଠତମ କବି ମନୁ ଦାଶ କୁମାର ମହାନ୍ତିଙ୍କର କବିତା ସଂକଳନ “ଅନାମ ଛନ୍ଦ”, “ଅନାମ ବାୟାର ଗୀତ” ଓ ଗଦ୍ୟ ସଂକଳନ “ଧନ୍ଯ ସେହୁ ପୁରୀ” କୁ ପୁଣିଥରେ ପ୍ରକାଶ କରିଛନ୍ତି ।)