ଡାକୁଚି କିଏ ଜଣେ ମୋତେ
କେଦାର ! ହେ କେଦାର !
ଟିକେ ଶୁଣିବ, ରହିବ ଏଇ ପଥରପାଖେ କି !
ତାକୁ ନା ମୁଁ କହିପାରୁଚି ମୁଁ ନୁହଁ କେଦାର
ନା ପାରୁଚି ଅଟକି !

ଘରେ ତିନିବର୍ଷର ଝିଅ ବସିଥିବ ଚାହିଁ
ବାପା ଆଣିଥିବ ହିଂଗିଲି ମିଠେଇ
ତା' ମାଆ ଅନେଇଥିବ ପରିବା ତେଜରାତି
ଇଆଡ଼େ ଅଧା ସରିଲାନି ବରା ଘୁଗୁନି,
କା'ର କି ଯାଏ
ଛପରଉଡ଼ିଗଲେ ପବନରେ;
ପିଠି କି ଜାଣିବ ପେଟ ପୋଡ଼ିଗଲେ
ବାଟ କି ବୁଝିବ ବାଟୋଇ କଷଣ
ହାତରୁ ମୁଂଡରୁ ପାଣି ବୋହିଗଲେ !

ଜଗତ ଗୋଟାକ ଏଇଆ
ଯିଏ ଯା' ପାଇଁ ଠିଆ ବାଇଆ !

ଏଇନେ ଲାଗୁଚି କଣ୍ଠଟା ଚିହ୍ନିଲା ପରି
ଭାବୁଚି ସିଏ ପଢ଼ୁଥିଲା ମୋ ସାଥିରେ ନବମରେ
ତା'ପରେ ଶୁଣିଲି ଗୋଟେ ଗୀତ ହେଇଯାଇଛି ସିଏ
ତା'ପରେ ମାର୍କେଟ୍ କାଳେ ହେଲା ଏମିତି ଯେ
ତାକୁ ନେଇଗଲେ ବିଦେଶୀ କେତେ !
ମିଛସତ କେତେ ଖୋଜିବା ଆଗରୁ
ବୋଝ ପଡ଼ିଗଲା ମୁଂଡେ ।

ଇଏ ଯଦି ସିଏ, କେମିତି ଡାକିଲା ଭୁଲ୍ ?
ଯିଏ ମୋ' ନାଁ' ଲେଖି ଗାଧୋଉଥିଲା ସାବୁନରେ
ପାଖୁଡ଼ାରେ ଲେଖି ଫୁଲ ଝୁଲଉଥିଲା ବେଣୀରେ
କାଗଜ ରକେଟରେ ପଠଉଥିଲା ଚୁମା ଶ୍ରେଣୀଭିତରେ !
ମୋର ହେଇପାରେ ଗୋଳମାଳ
ଭୁଲିପାରେ ବା ମୁଁ ପେଟ ବାଉଳାରେ !!

ଏତେବାଟ ଆସିଲିଣି ଯେ ମୁସ୍କିଲ୍ ଚାହିଁବା ବୁଲି
ମୂଷାମାନେ ବୁଲିଲେଣି ପେଟରେ
ଝିଅ ମୁହଁ ଦିଶିଲାଣି ତା' ବୋଉକୋଳରେ !

ପୁଣି ଡାକୁଚି କିଏ
କେଦାର ! ହେ କେଦାର, ରହରେ !?