ଫଟୋ - କେଦାର ମିଶ୍ର

ସେତେବେଳେ ଲାଗୁଥିଲା ଅଛି ଆକାଶ
ଅଛି ମାଟି ପାଣି ପବନ ନିଆଁ ନିଃଶ୍ବାସ
ଯେତେବେଳେ ଅଖିଳ ଲେଖୁଥିଲା ଚିଠି
ମାସେ ଦି'ମାସରେ "ଜୁ'ଇ" " ଜୁ'ଇ" ଡାକି;
କିଛି ହଜିଯାଇଚି, ରହିଚି ବି କିଛି
ଶବ୍ଦଂକର ଫିକାଫିକା ଲୁହ ଆଉ ତାତି !

ହେ ମୋର ଦ୍ଵିତୀୟ ପ୍ରେମର ପ୍ରଥମ ଅକ୍ଷର
ହେ ମୋର ଜଳଂତା ଛାତିର ଜ୍ଯା - ମୁକ୍ତ ତୀର
ହେ ମାଟିରେ ପଡ଼ିପଡ଼ି ଶୁଖିଥିବା ରକ୍ତର ଅଂଗାର
ହେ ମୋର ମୋର ବୋଲି କହିବାର ଅଧିକାର
ହେ ମୋର ଯୌବନର ଖରା ବର୍ଷା ଶୀତ କାକରର ଘର
ହେ ମୋର ସଖା, ହେ ମୋର ସହୋଦର !
ବୁଝିବି ବୁଝିବି ହେଇ ବଢ଼ିଗଲା ସମୟ ଅଥଚ
ବୁଝିବା ହେଲାନି ଏଯାଏଁ
କେମିତି ଅଛଂତି ଏବେ ଭଂଜବିହାର କ୍ଯାଂପସର ତାରାଏ
କେମିତି କଟୁଚି ଦିନ ରାତିମାନଂକର ନିରୋଳା ରାସ୍ତାରେ
ଅଛଂତି ନା ନାଇଁ ସେମିତି ବିଅର୍ ବୋତଲମାନେ
ଗୋପାଳପୁର ବେଳାଭୂମିର ବାଲିଘର ତଳେ
ଠିକଠିକ ଦିଆହଉଚି ନା ନାଇଁ ପାଣି କଲମୀ - ଗଛରେ
ବଣଭୋଜି ହବାର ଅଛି କେବେ ସାଲୁର୍ ଘାଟିରେ !

ଗୋଟିଏ ଖଟ ଗୋଟିଏ ବଖରା ଗୋଟିଏ ଥାଳି
ଗୋଟିଏ ଅକ୍ଷର ଗୋଟିଏ ଶବ୍ଦ ଗୋଟିଏ ଧାଡ଼ି
ଗୋଟିଏ ଡଂଗା ଗୋଟିଏ ସୁଅ ଗୋଟିଏ ନଈ
ବଡ଼ ଅଜବ୍ ଥିଲା ସେସବୁ ଦିନ, ଅଜବ୍ ଥିଲା ଜୀବନ
କେହି ନ ଥିଲେ କିଛି ନଥିଲା ବଡ଼ ଆମ ପାଇଁ:
ତୁ ପଶ୍ଚିମ, ମୁଁ ପୂର୍ବ
ଗୋଟିଏ ମୁଦ୍ରା
ଦୁଇଟି ପାର୍ଶ୍ବ,
ଛକ ଏକ
ଅଥଚ ରାସ୍ତା ଦୁଇ;
କିଏ ଅଖିଳ କିଏ ଅଜୟ
କିଏ ଶବ କିଏ ଜୁଇ
ଚିହ୍ନିପାରିଲା ନାଇଁ ବି ସମୟ !

ଦିନେ
ବୟସ ଦେଇଥିଲା ରଂଗ
ଆୟୁଷ ଦେଲା ବଦଳେଇ,
ବଦଳିଯାଇଚି ଗୋଟି ବଦଳିଯାଇଚି ପାଲି
ବିଦ୍ରୁପ କରୁଚଂତି ସାଂଗସାଥି ଗୋଡ଼ିମାଟି
ଲାଗୁଚି:
ମୋ ଭିତରେ ଭାଂଗିଯାଉଚି ଗୋଟେ ସଜନାଡାଳ
ଉଡ଼ିଯାଉଚି ଆକାଶକୁ ଗୋଟେ ପ୍ରଜାପତି !

(ପ୍ରିୟ ଅଖିଲ୍'କୁ)