ଫଟୋ - କେଦାର ମିଶ୍ର

ପାରଦ କୁଂଡରେ
ମିଳେଇ ଯାଉଥିବା ମୁଖା ମୁହଁ ସବୁ ।

ନିଃଶବ୍ଦ ବିଗଳନ ।

କେବଳ କିଛି ବୁଦବୁଦ ଉଦଗମ ଯାହା !

ଛାୟାବହୁଳ ଶରୀରରେ ସଂଚରିଷ୍ଣୁ ସୂକ୍ଷ୍ମ ସ୍ଫୁଲିଂଗ ।

ଆଃ...

ନୀଳରଂଗର ରକ୍ତଛିଟିକା ସିଡ଼ିସାରା,
ବିଷମ ଅବସ୍ଥା ଏହା
ଆରୋହୀ ପାଇଁ ଯେତିକି,
ଅବରୋହୀ ପାଇଁ ତତୋऽଧିକ ।

ସ୍ଫଟିକିତ ସ୍ଵପ୍ନ - ଚିରୁଡ଼ା ସବୁ
ନିଶ୍ଚିହ୍ନ ହେବା ଅସଂଭବ ।

ବାଂଛିତଠାରୁ ଦୂରତ୍ଵ ଇ ମୋର କାରା,
ଦିଗଂତର ତାରବାଡ଼ରେ ଲଟକି ଥିବା ସୂର୍ଯ୍ଯ
ପ୍ରୀତି ଓ ମୁକ୍ତିରେ ଓଲଟ - ପ୍ରତୀକ ମୋର
ଦୁଃଖଭୋଗର ଉଲ୍ଲାସ !

ସେଇ ମୁହଁ
ଯାହାର ନିର୍ମିତି ପାଇଁ
ବାଷ୍ପ ଆଉ ବୈଦୁର୍ଯ୍ଯଚୂର୍ଣ୍ଣ ପବନ ଆଉ କଂକର
ଶିଖା ଆଉ କିଶଳୟ ଧରି ମୁଁ
ଅପେକ୍ଷା କରିଛି ବହୁ କାଳରୁ ।

ଜାଲିଜାଲିକା ଆକାଶରେ ସେଇ ଠାର,
ସେଇ ଅଂତର୍ହିତ ସଂଳାପର ଧୂମାବଶେଷ,
ଖିନଭିନ୍ ଶୀତଳ ପ୍ରତିବିଂବସବୁ ମୋର,
କୋମଳ ଅଂଧ - ଓଢ଼ଣା ଉହାଡ଼ରୁ
ଉଂକି ମାରୁଥିବା ଅପେକ୍ଷମାଣତା ।

ଶୃଂଗସ୍ଥ ପାରଦକୁଂଡରେ ଭରପୂର ପବିତ୍ରତା,
ସ୍ଫୁଲିଂଗଉକୁଟା ପାଇଁ
ଯଥେଷ୍ଟ ଘର୍ଷଣ ଏଇ
ଛାୟା - ଶିଳାଯୁଗ୍ମରେ ଆମର ।

ନୀଳ ରଂଗର ଆକାଶଛିଟା ସିଡ଼ିସାରା,
ନା ଚଢ଼ୁ ଆମେ ନା ଓହ୍ଲାଉ ।
ମୁହଁର ନିର୍ମାଣ କରୁ, ପିଂଧୁ ଆଉ
ଚିହ୍ନାଚିହ୍ନି, ଚୁମାଚୁମି ହେଉ ।

ଦୂରତ୍ଵ ତିଳତଂଡୁଳିତ ହୁଏ ସାନ୍ନିଧ୍ୟରେ,
ଅସଂଖ୍ୟ 'ମୁଁ' ମୋର
ଏକୀଭୂତ ହୋଇଯାଆଂତି
ଅଦ୍ଵୈତ ବିଂଦୁରେ,
ପ୍ରୀତିମୁକ୍ତିର ଭେଦାତୀତ ବିଶ୍ଵବଳୟରେ ।