୨୦୨୧ ବର୍ଷ ପାଇଁ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ଘୋଷଣା

କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ଘୋଷିତ । ଚଳିତ ବର୍ଷ ପାଇଁ ହୃଷୀକେଶ ମଲ୍ଲିକ, ଦିଗରାଜ ବ୍ରହ୍ମା ଓ ଦେବବ୍ରତ ଦାସ ପୁରସ୍କୃତ ହେବେ ।


ଫଟୋ - ଫେସବୁକ

୨୦୨୧ ବର୍ଷ ପାଇଁ 'ସରିଯାଇଥିବା ଅପେରା' କବିତା ପୁସ୍ତକ ପାଇଁ ବିଶିଷ୍ଟ କବି ତଥା ଓଡିଶା ସାହିତ୍ଯ ଏକାଡ଼େମୀର ସଭାପତି ହୃଷୀକେଶ ମଲ୍ଲିକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର, 'ଗୀତ କହେ ମାଟିର କଥା' ପାଇଁ ଆଲୋଚକ ଏବଂ ଶିଶୁ ସାହିତ୍ୟିକ ଦିଗରାଜ ବ୍ରହ୍ମାଙ୍କୁ ବାଳ-ସାହିତ୍ୟ ପୁରସ୍କାର ଏବଂ 'ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ' ପାଇଁ ଯୁବ କଥାଶିଳ୍ପୀ ଓ କବି ଦେବବ୍ରତ ଦାସଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିବାକୁ ଯାଉଛି । ଆଜି କେନ୍ଦ୍ର ସାହିତ୍ଯ ଏକାଡେମୀ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ଘୋଷଣା କରାଯାଇଛି ।

ସାହିତ୍ଯ ଏକାଡେମୀ ପୁରସ୍କାର ଚୟନ ଲାଗି ତରୁଣକାନ୍ତି ମିଶ୍ର, ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ ବଂଶୀଧର ଷଡଙ୍ଗୀ ବିଚାରକ ରହିଥିବା ବେଳେ, ଯୁବ ପୁରସ୍କାର ପାଇଁ ପ୍ରତିଭା ରାୟ, ଦୀପକ ସାମନ୍ତରାୟ ଓ ସବିତା ପ୍ରଧାନ ବିଚାରକ ରହିଥିଲେ । ସେହିପରି ବାଳ ସାହିତ୍ଯ ପୁରସ୍କାର ଚୟନ ଲାଗି ବୀରେନ୍ଦ୍ର ସାମନ୍ତରାୟ, ଗୌରହରି ଦାସ ଓ ମନୋରମା ମହାପାତ୍ର ବିଶ୍ଵାଳ ବିଚାରକ ରହିଥିଲେ ।

ସାହିତ୍ଯ ଏକାଡେମୀ ମୁଖ୍ୟ ପୁରସ୍କାର ଲାଗି ସର୍ବାଧିକ ୧୭ଟି ବହି ଚୂଡାନ୍ତ ପର୍ଯ୍ୟାୟରେ ବିଚାର ପାଇଁ ରହିଥିଲା । ପୁରସ୍କୃତ ହୃଷୀକେଶ ମଲ୍ଲିକଙ୍କ ସମେତ ଏହି ପର୍ଯ୍ୟାୟରେ ପଦ୍ମଜ ପାଳ, ଅମରେଶ ପଟ୍ଟନାୟକ, ଅରବିନ୍ଦ ପଟ୍ଟନାୟକ, ଗାୟତ୍ରୀବାଳା ପଣ୍ଡା, ଇତି ସାମନ୍ତ, ନିତ୍ଯାନନ୍ଦ ନାୟକ, ବିପିନ ବିହାରୀ ମିଶ୍ର, ରଞ୍ଜନ କୁମାର ଦାଶ, ଆନନ୍ଦ ଚନ୍ଦ୍ର ପହି, ବିଜଯ କୁମାର ଶତପଥି ଓ ପଂଚାନନ ମିଶ୍ରଙ୍କ ବହି ରହିଥିଲା । ସେହିପରି ଯୁବ ପୁରସ୍କାର ଚୟନର ଚୂଡାନ୍ତ ପର୍ଯ୍ୟାୟରେ ପୁରସ୍କୃତ ଦେବବ୍ରତ ଦାସଙ୍କର ଦୁଇଟି "ମାୟା" ଓ "ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ" ରହିଥିଲା । ଦେବବ୍ରତ ଦାସଙ୍କ ବ୍ଯତୀତ ଏହି ପର୍ଯ୍ୟାୟରେ ନିଖିଳେଶ ମିଶ୍ର, ସୁଜାତା ସାହାଣୀ, ସୁଜିତ କୁମାର ଶତପଥି, ସୁଧୀର କୁମାର ଧାଙ୍ଗଡାମାଝି, ଶ୍ରୀକାନ୍ତ ବାରିକ, ପବିତ୍ର ବ୍ରହ୍ମପୁତ୍ର ନାୟକ ଓ ତନ୍ମୟୀ ରଥଙ୍କ ବହି ରହିଥିଲା ।