ରୂପାନ୍ତର

ସ୍ଵପ୍ନ ଗୋଟେ ଅଛିଣ୍ଡା ସୂତ୍ର । ଗୋଟେ ଜୀବନରୁ ଆଉ ଗୋଟେ ଜୀବନକୁ ଲମ୍ବି ଯାଉଥିବା ସ୍ଵପ୍ନର ଅସରନ୍ତି ସୂତ୍ରକୁ ଅକ୍ଷରା ଦେଇଥିବା ଏ କବିତା ।


ଫଟୋ - ୱିକି କମନ୍ସ

ମୋ ଶାଶୁ ସାରା ରାତି ସ୍ୱପ୍ନ ଦେଖନ୍ତି
ରାତି ସାରା ।

ତାଙ୍କ ସ୍ୱପ୍ନରେ ଗୋଳେଇ ହେଇଚାଲେ ସମୟ
କ୍ଷୀରର ସର ଭଳି,

କୁହୁଡ଼ି ଭଳି ଏ ସମୟ ।

ଏବେର ଝରଣାକୁ
ସେ ପଠାନ୍ତି ସେବେର ଦୁଲା ଗୌଡ଼ ପାଖକୁ
ଛତୁଆ ଛଡ଼ା କୁଆଡ଼େ ପେଟ ପୂରେନି
ତାଙ୍କ କୋଡ଼ ପୋଛା ଛୁଆର ।

ଡେରି ହେଲାଣି ତାଙ୍କ ଶଶୁରଙ୍କ ଖାଇବା
ଆମେ ସବୁ ଏତେ ଅଳସୁଆ !
ତାଙ୍କ ହାତ ଗୋଡ଼ ଚାଲୁନି
ନହେଲେ
ସେ ନିଜେ ବାଢ଼ି ଦିଅନ୍ତେ ନ ତୁଅଣ, ଛ ଭଜା !

ସାରା ରାତି ସେ ଡାକ ପକାନ୍ତି
ଅନ୍ନକୁ, ପରିଆକୁ, ଦୁଲାକୁ, କାଶୀ ବୋଉକୁ...

ଆସନ୍ତି କି ସେମାନେ ?
ଅତୀତର ଏରୁଣ୍ଡି ଡେଇଁ
ଟୁକ କିନା ପଳେଇ ଆସନ୍ତି କି ବର୍ତ୍ତମାନକୁ ?
କେଜାଣି !

ସେ ସାରା ରାତି ସ୍ବପ୍ନ ଦେଖନ୍ତି ।
ମୁଁ ତାଙ୍କୁ ଅନେଇ ଥାଏ ରାତି ସାରା ।

ମୋ ନିଦୁଆ ଆଖିରେ
ତାଙ୍କ ସ୍ବପ୍ନ ସବୁ ଧୀରେ ଧୀରେ ଚାରିତ ହୁଅନ୍ତି ।

ମତେ ଦିଶେ
ତାଙ୍କ ଦାଣ୍ଡ କବାଟ, ମାଟି କାନ୍ଥ ।
ମତେ ଦିଶେ ମୋ ଦେଢଶୁରଙ୍କ କଲମ,
ଶଶୁରଙ୍କ ସାଇକେଲ,
ସ୍ୱାମୀଙ୍କ ସ୍କୁଲ ବ୍ୟାଗ ।

ଧୀରେ ଧୀରେ, ଅତି ଧୀରେ
ମୁଁ ଶୋଇ ଯାଏ ମୋ ଶାଶୁଙ୍କ ବିଛଣାରେ ।

ଗୋଳେଇ ହେଇ ଚାଲେ ସମୟ ।

ପ୍ୟାରିସରେ ଥିବା ମୋ ଝିଅ,
ମୋ ଚାରିପାଖର ଫାଙ୍କା କୋଠରୀ,
ବାରଣ୍ଡାରେ ମୋ ସ୍ୱାମୀଙ୍କ ଖୁଁ ଖୁଁ କାଶ,
ଗୋଟେ ମେଘ ଭଳି ଶୂନ୍ୟତା...

ମୁଁ ସ୍ବପ୍ନ ଦେଖେ ସାରା ରାତି
ରାତି ସାରା…