ଫଟୋ - ୱିକି କମନ୍ସ

ସୁଦୀପ୍ତ ଫେରିଯିବା ପରେ ଛନ୍ଦା ତାର ଶୂନ୍ୟ ଶୋଇବା ଘରକୁ ପଶିଲା ଓ ଦର୍ପଣରେ ମୁହଁ ଦେଖିଲା । ସେ କଣ ସତରେ ହାଲିଆ ଦିଶୁଛି ? ସୁଦୀପ୍ତ କହିଲା ଯେ ! ସେ କିନ୍ତୁ ନିଜକୁ ବେଶ ଯତ୍ନ କରିଥିଲା ସୁଦୀପ୍ତ ଆସିବ ବୋଲି । ଛନ୍ଦା ହଠାତ୍ ଲକ୍ଷ୍ୟ କଲା ସୁଦୀପ୍ତ ରୁମାଲ ଛାଡ଼ି ଯାଇଛି, ସେଇ ଦର୍ପଣ ପାଖରେ । ତାକୁ ଥଣ୍ଡା ହେଇଥିଲା, ଛିଙ୍କ ହେଉଥିଲା, ଆଖିରୁ ପାଣି ବାହାରୁ ଥିଲା । ଛନ୍ଦାକୁ ଦୋଷୀ ଲାଗିଲା । କାରଣ ସେ ହିଁ ବାଧ୍ୟ କରି ସେଇ ମନ୍ଦିରକୁ ନେଇଯାଇଥିଲା । ନହେଲେ ସୁଦୀପ୍ତର ଏସବୁ ଦେବଦେବୀଙ୍କ ଉପରେ ଧାର୍ମିକ ବିଶ୍ୱାସ ନଥିଲା । ପଡିଶା ଘର ଝିଅ ରୁମା ତାକୁ ଦିନେ କହିଥିଲା ଅମୁକ ଗାଁରେ କାଳୀ ମନ୍ଦିର ଅଛି । ଦଶ ମହାବିଦ୍ୟା ଠାକୁରାଣୀ ବି ଅଛନ୍ତି । ବଡ଼ ପ୍ରତ୍ୟକ୍ଷ । ସେ ଜାଗାରେ ସବୁ ମାନସିକ ପୂରଣ ହୁଏ । ବଡ ରହସ୍ୟମୟ ସ୍ପନ୍ଦନ ।

ଛନ୍ଦାର ମନେ ହେଲା ସେଇ ଅଜଣା ମନ୍ଦିରର ଦେବୀମାନଙ୍କୁ ଦେଖାକରିବା ଉଚିତ ହେବ ସୁଦୀପ୍ତ ସଂଗେ । ବହୁଦିନୁ ଏକାଠି ଯାଇନାହାନ୍ତି କୁଆଡେ । ପ୍ରଥମେ ସୁଦୀପ୍ତ ମନା କଲା । ପୁଣି ରାଜି ହେଲା ।

ସୁଦୀପ୍ତ ବିବାହିତ କି ନା, ଯଦିବା ବିବାହିତ ତାର ପିଲା ଓ ପତ୍ନୀ ପାଖରେ ରହୁଥିଲେ କି ନା, ସେ ଛନ୍ଦାର ସ୍ଥିତି ବିଷୟରେ ସଚେତନ ଥିଲେ କି ନା ସେ ବିିଷୟରେ ଆଲୋଚନା ଆବଶ୍ୟକ ନୁହେଁ । ଛନ୍ଦାର ଏକୁଟିଆ ବୁଲିବାରେ କାହିଁକି ଅବାଧ ସ୍ୱାଧୀନତା ରହିଥିଲା ସେ ବିଷୟରେ ବି କହିବା ଦରକାର ନାହିଁ । ମୋଟ ଉପରେ ସେ ଦୁହେଁ ଏକ ସ୍ଥାନ କାଳ ବହିର୍ଭୂତ ଜାଗାରେ ରହୁଥିଲେ ଓ ସେଦିନ ସେ ମନ୍ଦିର ଦର୍ଶନ ପାଇଁ ବାହାରିଲେ ।

ସହରଠାରୁ ପ୍ରାୟ ୩୫ କି.ମି ଦୂରରେ ସେହି ଜାଗା ଯେଉଁଠି ଥିଲେ ସେହି ଦେବୀ କେତେଜଣ । ଦେବୀ ଦୁର୍ଗାଙ୍କର ଦଶଟି ରୂପ ସହିତ ।

ଅତି ଉଦାସ ଓ ନୀରବ ଟାକ୍ସି ଡ୍ରାଇଭର କିଛି କଥା କହୁନଥିଲା । ଯାହା ପଚାରିଲେ "ହଁ" ଟିଏ କି "ନାହିଁ" ଟିଏ ତାଠୁ ଆଦାୟ କରିବା କଷ୍ଟକର ଥିଲା । ଛନ୍ଦା ଭାବିଲା ତାର କିଛି ଅସୁବିଧା ଥିବ । ହୁଏତ ତା ପିଲାକୁ ଜଣ୍ଡିସ ହେଇଥିବ । ସହରରେ ଜଣ୍ଡିସ ହେଉଛି ଏବେ, ପିଲା ଗୁଡା ମରି ଯାଉଛନ୍ତି । ସେ ସହାନୁଭୂତିଶୀଳ ହୋଇ ପଚାରିଲା "ତୁମ ନାଁ କଣ ?" ବେଶ କିଛି କାଳ ପରେ ଡ୍ରାଇଭର କହିଲା "ଗୋବିନ୍ଦ ନାୟକ" । ଛନ୍ଦା ଅଧିକ କିଛି ପଚାରିପାରିଲା ନାହିଁ । ସୁଦୀପ୍ତ ଭାବିଲା ଏମିତି ଲୋକ ଭଲ, ଅଯଥା କୌତୂହଳ ନାହିଁ ।

ଟିକିଏ ପରେ ଛନ୍ଦାର ମନେହେଲା ସେମାନେ ଗୋଟିଏ ଅଣଓସାରିଆ ରାସ୍ତାରେ ଯାଉଛନ୍ତି, ଅନ୍ଧାର ହୋଇଗଲାଣି । କେଉଁଠି ବି ବିଜୁଳି ଖୁଣ୍ଟ ନାହିଁ । ଲାଗିଲା ଅନେକ ବେଳ ଧରି ସେମାନେ ଯାଉଥିଲେ ବି ୩୫ କିମି ବାଟ ଅତିକ୍ରମ କରି ନାହାନ୍ତି । ଏ ଡ୍ରାଇଭର ଯଦି ଆତଙ୍କବାଦୀ ହୋଇଥିବ ?

ଛନ୍ଦାକୁ କିଛି ଡର ଲାଗିବା ସତ୍ତ୍ବେ ଖୁସି ବି ଲାଗିଲା । ଭାରି ଇଣ୍ଟରେଷ୍ଟିଂ ହେବ । କିଛି ତ ଗୋଟେ ହେବ । ଏଇ ଯେ କିଛି ନଘଟୁଥିବାର ଜୀବନ....ବିତାଇବା କି କଷ୍ଟ ।

ସୁଦୀପ୍ତ କିନ୍ତୁ ଭୁଲି ଯାଇଥିଲା ଯେ ସେମାନେ କାରରେ ଯାଉଛନ୍ତି । ସତେ କି କଲେଜ ପଡ଼ିଆରେ ସେମାନେ ଚାଲୁଛନ୍ତି ତ ଚାଲୁଛନ୍ତି । ନୀଳ ଲୋହିତ ଆଲୁଅ ଭିତରେ ଅପରୂପା ଦିଶୁଚି ଛନ୍ଦା । ତାର ଖୋଲା ବାଳ ପଡିଛି ପିଠିରେ, ଉନ୍ନତ ଛାତିରେ । ସୁଦୀପ୍ତ ତା ମୁହଁକୁ ଅନାଇବାକୁ ବି ଅଯୋଗ୍ୟ ମନେ କରୁଚି ନିଜକୁ ।

କିନ୍ତୁ ପ୍ରକୃତ କଥା ହେଉଛି ଅପରାହ୍ନ ୪.୩୦ ରେ ଖୁବ କମ ସମୟରେ ସେମାନେ ପହଞ୍ଚିଲେ ସେମାନଙ୍କ ପାଇଁ ଅଜଣା ସେଇ ମନ୍ଦିରରେ । ଓସ୍ତ ଆମ୍ବ ବେଲ କନିଅରଗଛ....ମନ୍ଦିରରେ ଥିବା ଚିରାଚରିତ ଗଛଗୁଡିକ ପାଖରେ ଥିଲା ଦୁଇଟି ଭୋଗ ଦୋକାନ । ସେଇଠୁ ବାହାରି ଆସିଲା ଜଣେ ହସ ହସ ପୂଜାରୀ । ସତେକି ସେ ସେମାନଙ୍କୁ ବହୁଦିନୁ ଜାଣିଚି ସେଇପରି ସ୍ୱାଗତ କରି ଡାଲାଏ ଭୋଗ ଫୁଲ ନେଇ ଆଗେ ଆଗେ ଚାଲିଲା ।

ଛୋଟ ମନ୍ଦିର । ମନ୍ଦିର ଗାତ୍ରରେ ଅନେକ କାରୁକଳା । ଠାକୁରାଣୀଙ୍କ ମୂର୍ତ୍ତି । ଚଣ୍ଡୀ ପୀଠ ମଝିରେ । ଚାରିପାଖେ ଘେରି ରହିଛନ୍ତି ଦଶ ମହାବିଦ୍ୟା । ଗୋଟି ଗୋଟି ସବୁ ଦେଖିଲେ ଦୁହେଁ । ପୂଜାରୀ ସବୁ ବୁଝାଇ ଦେଲା । ଦଶ ମହାବିଦ୍ୟା: କାଳୀ, ତାରା, ତ୍ରିପୁରା ସୁନ୍ଦରୀ, ଭୁବନେଶ୍ଵରୀ, ଛିନ୍ନମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ, କମଳାତ୍ମିକା -- ପ୍ରତି ଦେବୀଙ୍କ ସହିତ ଵିଷ୍ଣୁଙ୍କର ଗୋଟିଏ ଅବତାର ସଂଯୁକ୍ତ । କଣ ଗୋଟିଏ ରହସ୍ୟ ଘୂରିବୁଲୁଚି । କିଛି ଥର ଥର ଭାବ, ଅଚିହ୍ନା ଶିହରଣ । ଛନ୍ଦା ଓ ସୁଦୀପ୍ତ ପରସ୍ପରକୁ ଚାହିଁଲେ ସତେକି ଭିତରୁ ଝଲସି ଆସୁଛି ମୁଠେ ଆଲୁଅ ।

ଦେବୀମାନଙ୍କୁ ଦୀପ ଦିଆ ହେଲା ।

"କେଉଁଠି ପୂଜା କରିବେ ?" ପୂଜାରୀ ପଚାରିଲା । ଛନ୍ଦା ଦେଖିଲା ଜଣଙ୍କ ପାଖେ ପୂଜା ହେଇଛି ଫୁଲ ପଡିଚି "ଏଇଠି, ଇଏ କିଏ ? "ଛିନ୍ନମସ୍ତା"
"ଏଇଠି ପୂଜା କରନ୍ତୁ"
"କାହିଁକି ?" ବୋଲି ପଚାରିଲା ନାହିଁ ସୁଦୀପ୍ତ । ସେ ଅନ୍ୟମନସ୍କ ଥିଲା ।
ପୂଜାରୀ ଉଚ୍ଚ ସ୍ୱରରେ କରି ମନ୍ତ୍ର ପଢ଼ିିଲା । ଛନ୍ଦା ଧୀରେ ଧୀରେ ନିଜକୁ ଭୁଲି ଯାଉଥିଲା । ଛିନ୍ନମସ୍ତାଙ୍କର ପରିଚୟ ସେ ଜାଣିଥିଲା । ତାଂକ ହାତରେ ଥିବା ତାଙ୍କ ନିଜର କଟା ମୁଣ୍ଡ ହସୁଥିଲା କାହିଁକି ?

ପୂଜାରୀ ପଚାରିଲା "ଗୋତ୍ର?"
"କୌଶିକ" ଉତ୍ତର ଦେଲା ଛନ୍ଦା ସୁଦୀପ୍ତର ଗୋତ୍ର କଣ ସେ ଜାଣି ନଥିଲା ।
"ନାମ"
"ଛନ୍ଦା, ସୁଦୀପ୍ତ"
"ପିଲାଙ୍କ ନାମ ?" ପୂଜାରୀ ପଚାରିଲା । ଏଯାଏଁ ଅନ୍ୟମନସ୍କ ସୁଦୀପ୍ତ ଚାହିଁଲା ଛନ୍ଦା ଆଡେ ।

ପିଲା ? ଦୁହିଁଙ୍କର ପିଲା ?

ଛନ୍ଦା ଭାବିଲା କୋଉଠି ଥିବ ସେ ? ମାଂସ ପିଣ୍ଡୁଳାଟି, କେତେ ରକ୍ତ ସହିତ କିମିତି କେଉଁଠି ଢାଳି ଦେଇଥିବେ ସେମାନେ ହସ୍ପିଟାଲ ବେସିନରେ, ଡଷ୍ଟବିନରେ ? ସେ କାନ୍ଦିଥିବ ? ମାଂସ ପିଣ୍ଡୁଳାଟି କାନ୍ଦେ ? ଡାକିଥିବ କି ମାଆ ବୋଲି ? ସେ ତ ହସ୍ପିଟାଲରେ କାହାକୁ ପଚାରିନଥିଲା ସେତେବେଳେ !

ସୁଦୀପ୍ତ ଚମକି ପଡିଲା । ଛନ୍ଦା ଆଡକୁ ଚାହିଁ ଦେଖିଲା, ଛନ୍ଦା ସେଠି କେଉଁଠି ନାହିଁ । କେଉଁଠି ଅଛି ଛନ୍ଦା ? ତାର କୋଳରେ ମୁଣ୍ଡ ଦେଇ ଶୋଇଛି କି ଏବେବି ? କେତେବେଳେ ଶୋଇଥିଲା ସେଦିନ ? ନିଦ ପାଇଁ ଇଂଜେକସନ ଦିଆ ହୋଇଥିଲା । ତାର କୋଳରେ ଛନ୍ଦା...ଥରଟେ ଆଖି ଖୋଲି କହିଥିଲା "ତାର ନାଁ କଣ ଦେବା ସୁଦୀପ୍ତ ? ତମ ନାଁ ମୋ ନାଁ ମିଶାଇ କିଛି ?" ସୁଦୀପ୍ତ ତାର ଅଲରା ବାଳକୁ ଆଉଁଶି ଦେଇ କହିଲା "ଟିକେ ଶୋଇପଡ ସୁନାଟି ।" ତାର ଆଖିରୁ ନାକରୁ ଝରିଥିବା ପାଣିକୁ ପୋଛି ଦେଇ ସେ ଛନ୍ଦାର କପାଳରେ ଚୁମା ଦେଲା । ଛନ୍ଦା ଆଖି ବୁଜିଲା ପୁଣି ।

କିଛି ଉତ୍ତର ନପାଇ ପୂଜାରୀ ମନ୍ତ୍ର ପଢିଲା।".......ସୁଦୀପ୍ତ ତସ୍ୟ ଭାର୍ଯ୍ୟା ଛନ୍ଦା.... ଶୁଭମସ୍ତୁ, ଶୁଭମସ୍ତୁ ଶୁଭମସ୍ତୁ ।" ସୁଦୀପ୍ତର କପାଳରେ ସେ ସିନ୍ଦୁର ମିଶା ଚନ୍ଦନ ଲଗାଇ ଦେଲା । ଟିପାଟିଏ ବେକରେ ଲଗାଇଲା ଛନ୍ଦା । କଣ ଭାବିଲା ପୂଜାରୀ କହିଲା "ସକଳ ମନସ୍କାମନା ପୂର୍ଣ୍ଣ ହେଉ।"

କଣ ମନାସିବ ଛନ୍ଦା ? ତାର ଓ ସୁଦୀପ୍ତର ଏକତ୍ର ଜୀଵନ, ଏକତ୍ର ମରଣ, ଏକତ୍ର ପୁନର୍ଜନ୍ମ ? ସୁଦୀପ୍ତ ଭାବିଲା କଲେଜର ଆନୁଆଲ ଡେ ରେ ନାଚୁଥିଲା ଛନ୍ଦା । "ଦିବ୍ୟ କୁଣ୍ଡଳ ହାରମୁଜ୍ଜଳ" ଶିବ ବନ୍ଦନା । 'କି ଲାଳିତ୍ୟରେ ଭାଙ୍ଗିଭୁଙ୍ଗି ଯାଉଥିଲା ତାର ଅବୟବ । ସତେକି ସେ ନିଜେ ଆରାଧନାରେ ପରିଣତ ହୋଇ ଯାଇଥିଲା । ସେତିକିବେଳେ ସେ ସ୍ଥିର କରିଥିଲା ଛନ୍ଦାକୁ ତା ମନ କଥା କହିଦେବ ନିଶ୍ଚେ, ଏ କାମନାକୁ, ଏ ପ୍ରେମକୁ ସମାହିତ କରିବାକୁ ହେବ । ନାଚ ସରିବା ପରେ ସୁଦୀପ୍ତର ମୁଗ୍ଧ ଆବେଶ ଦେଖି ଛନ୍ଦାର ମନେ ହେଲା ଏଇ ମଣିଷଟି ମୋର । ସେ ନିଶ୍ଚେ ଏ ଭିତରେ ମନ କଥା କହିଦେବ । ଘରେ କଥାଟା ପକାଇ ଦେବା କିଂତୁ କିଛି ହୋଇପାରିଲା ନାହିଁ । ପରୀକ୍ଷା ଆସିଗଲା । ସରିଗଲା।

ବହୁତ ପରେ ସେମାନେ ଜାଣିଲେ, ଭୁଲ ଟ୍ରେନରେ ବସି ଭୁଲ ଷ୍ଟେସନରେ ପହଁଚିଲା ପରେ । ଏବେ ଯେ ଭୁଲ ପ୍ଲାଟଫର୍ମରେ ଦେଖା ହୁଏ, ବେଳେବେଳେ ଯେ, ସେହି ସମୟର ଅମରତ୍ୱ ମାଗିବ କି ସେ ଏଇ ଶକ୍ତିଶାଳୀ ଦେବୀଙ୍କୁ ?

ଘରେ ପହଂଚିବା ପରେ ସୁଦୀପ୍ତ ଛନ୍ଦାକୁ ଆଲିଙ୍ଗନ କରି ଗାଢ ଚୁମ୍ବନରେ ବୁଡାଇ ଦେଲା । ଦୁହେଁ ପରସ୍ପରର ଆଖିକୁ ଚାହିଁ ରହିଲେ ଅନେକ ବେଳ । ପୃଥିବୀ ଘୁଞ୍ଚି ଗଲା ନମ୍ରଭାବରେ । ଦିହେଁ ତରଳି ଯାଇ ଆକାଶକୁ ଉଠିଗଲେ, ପୁଣିଥରେ ବର୍ଷା ହୋଇ ଝରିପଡ଼ିଲେ ଏ ବିଶ୍ୱର କୋଣ ଅନୁକୋଣରେ।

ତାପରେ ସୁଦୀପ୍ତ ସେଇ ସ୍ଥାନ କାଳ ବହିର୍ଭୂତ ଘରୁ ବାହାରି ଯାଇ ହଜିଗଲା ଏକ ଧୂଳି ଧୂସର ସହରର ନିୟମବଦ୍ଧ, ସ୍ବୀକୃତି ପୂର୍ଣ୍ଣ, ଦମ୍ଭ, ଧନସମ୍ପଦ ପୂର୍ଣ୍ଣ ଗୋଟିଏ ଦୁଇ ମହଲା ଘରେ ।

ଛନ୍ଦା ଦର୍ପଣରେ ନିଜ ମୁହଁକୁ ଦେଖିଲା । ସୁଦୀପ୍ତର ସ୍ପର୍ଶର ରଙ୍ଗରେ ଏକ ଛାୟାଲୋକ ତିଆରି ହୋଇଛି ତା ମୁହଁ ଚାରି ପାଖରେ । ହଠାତ୍ ଦେଖିଲା ସୁଦୀପ୍ତ ରୁମାଲ ଛାଡି ଯାଇଛି । ସୁଦୀପ୍ତର ବାସ୍ନା । ଆରେ, ଏ ରୁମାଲରେ ସିନ୍ଦୁର ଲାଗିଛି । ସୁଦୀପ୍ତ ମୁହଁ ପୋଛି ସବୁ କିଛି ଲିଭାଇ, ରୁମାଲ ଛାଡି ଯାଇଛି ଜାଣିଜାଣି ?

ଭୟ ? ସାଂସାରିକ ନିରାପତ୍ତା ?
ଛନ୍ଦା ଦୁଇହାତରେ ମୁହଁକୁ ଘୋଡାଇ ବସିରହିଲା । କି ଯେ ଭାଗ୍ୟ ।
ତାର ଦୀର୍ଘଶ୍ଵାସ ହାହାକାର ଛାତିରୁ ନିଗିଡି ସୁଦୀପ୍ତର ଛାତିରେ ବାଜିଲା । କେତେ ଲୋକ ଆଖପାଖରେ ଥିବା ସତ୍ତ୍ୱେ ସୁଦୀପ୍ତ ଚମକି ପଡି ଛାତିକୁ ଆଉଁସି ଦେଲା ଓ ବୁଝିଗଲା ।

ଛନ୍ଦା ଆଖି ଖୋଲି ପୁଣି କହିଲା "କି ଯେ ଭାଗ୍ୟ ।" ହଠାତ ଦେଖିଲା ଡ୍ରେସିଙ୍ଗ ଟେବୁଲ ଉପରେ ଆଲୋକିତ ରୁମାଲଟି ଠିଆ ହୋଇଛି । ଜୀବନ୍ତ ସିନ୍ଦୁର ବୋଳା ରୁମାଲ। ଦର୍ପଣ ପର୍ଯ୍ୟନ୍ତ ଲମ୍ବା । କପାଳରେ ରୂପାର ଟୀକା, ସୁନାର ଆଖି, ନାଲି ଶାଢ଼ୀ ହଳଦିଆ ଜରି ଧଡି । ଗୋଟିଏ ହାତରେ ଅଭୟ ମୁଦ୍ରା, ଆର ହାତରୁ ଝରି ପଡୁଛି ସିନ୍ଦୂର । ଇଏ କିଏ ? ଛିନ୍ନମସ୍ତା ତ ନୁହେଁ । ଲଳିତା, ତ୍ରିପୁରା ସୁନ୍ଦରୀ । ବିସ୍ମିତ ଅଭିଭୂତ ଛନ୍ଦା ହାତ ଯୋଡ଼ିଲା ।

ସୁଦୀପ୍ତକୁ ସେଇଠି ସ୍ପନ୍ଦିତ କରିଦେଇ ସେ କହିଲା "ଆମେ ପୂଜାରୀକୁ ଜମା ୬୦୦ ଟଙ୍କା ଦେଲେ, ଏଇ ଅତୁଳନୀୟ ଉତ୍ସବର ମୂଲ୍ୟ କେତେ ହୋଇଥାନ୍ତା କହିଲ ?"

ସୁଦୀପ୍ତ ଉତ୍ତର ଦେଲା "ହୁଣ୍ଡି ଝିଅ, ଏ ଉତ୍ସବ ଯେଉଁଠି ଘଟିଲା ସେଠି ଏଇ ଟଙ୍କାର କିଛି ମୂଲ୍ୟ ନାହିଁ, ଜାଣିନ ?"