ଫଟୋ - ୱିକି କମନ୍ସ

**[ ଆପାତତଃ ଫକୀରମୋହନଙ୍କ 'ରେବତୀ' ଗପଟି ସରିଗଲା ପରି ମନେ ହେଲାବେଳକୁ ଶ୍ୟାମବନ୍ଧୁ ମହାନ୍ତିଙ୍କ ସ୍ତ୍ରୀ ଅର୍ଥାତ୍ ରେବତୀମା' କଥା ମନେ ପଡେ । ଆମରଣ ଗପର ପ୍ରତିଟି ଦୃଶ୍ୟରେ ତା'ର ଉପସ୍ଥିତି ଥିଲେ ବି ପାଠକଟିଏ ସେ ଚରିତ୍ରର ଚେହେରାକୁ ସ୍ପଷ୍ଟ ଭାବରେ ଦେଖିପାରେ ନାହିଁ । 'ଆହା, ମାଆ ଛେଉଣ୍ତଟି କ'ଣ ଖାଏ, କିଏ ତା କଥା ଦେଖୁଛି'', "ହଉ ହଉ ପଢିବୁ" ଏମିତି ଦି'ପଦ କଥାର ଅବଲମ୍ବନରେ ହିଁ ପାଠକଟିଏ ରେବତୀମା'କୁ ପ୍ରତ୍ୟକ୍ଷ କରିବାର ସୁଯୋଗ ପାଏ ଯାହା ।

ରେବତୀମା' ଦୁନିଆଯାକର ମା'ଙ୍କ ପରି ପ୍ରତ୍ୟକ୍ଷ ହେଉ ବା ପରୋକ୍ଷ ଭାବରେ ସୁଖରେ ସନ୍ତାନର ଶୁଭକାମନା ମନାସିଛନ୍ତି ଦୁଃଖରେ ସନ୍ତାନର ମୁଣ୍ତ ଆଉଁସି ତାର ମନ ଭିତରେ ସୁବର୍ଣ୍ଣ ସକାଳଟିଏ ହେବାର ସମ୍ଭାବନା ସଞ୍ଚାର କରିଛନ୍ତି । ଶାନ୍ତିଦାୟିନୀ, ପ୍ରେମମୟୀ, ଆନନ୍ଦମୟୀ ମାତାଙ୍କର ଅଭୟାମୂର୍ତ୍ତି ଯାହାକି ରେବତୀକୁ ତାର ଜୀବନର ଶେଷବେଳାରେ କୋଳେଇ ନବାକୁ ହାତଠାରି ଡାକୁଥିଲା, ସେହି ଅନୁଭବର ମାତୃସତ୍ତାକୁ ରୂପଟିଏ ଦେବାର ପାଠକୀୟ ଇଚ୍ଛାକୁ ରୋକିପାରିଲିନି । ଚରିତ୍ର ଓ ପାଠକ ମଧ୍ୟରେ ରହିଥିବା ବ୍ୟବଧାନକୁ ଭାଙ୍ଗିବାର ଅପସାହସକୁ ସ୍ରଷ୍ଟାର ଉଦାରପଣରେ କ୍ଷମାପ୍ରଦାନ କରିବେ ବୋଲି ଫକୀରମୋହନଙ୍କୁ ବିନୀତ ଅନୁରୋଧ କରି ତାଙ୍କରି ଗଳ୍ପକୁ ଅବଲମ୍ବନ କରି ରେବତୀମା'ର ସମ୍ଭାବ୍ୟ କାହଣୀଟିଏ ପ୍ରସ୍ତୁତ କରୁଛି । ]**

ଅଗିଲି ପିଛିଲି ଚାରିବଖରା ଘର ଓ ଆଗକୁ ଦାଣ୍ତଦୁଆର ପଛକୁ ବାଡି ଦୁଆର ସଫାସୁତୁରା କରୁକରୁ, ଖଞ୍ଜା ପାଚିରି ଚାଳିଆର ଢେଙ୍କିଶାଳରେ ଧାନକୁ ଚାଉଳ କରୁକରୁ, ଅଗଣା କୂଅରୁ ପାଣି କାଢୁକାଢୁ, ଝିଅ ରେବତୀର ଅଳିଅର୍ଦ୍ଦଳି ସହୁସହୁ, ସ୍ବାମୀ ଶ୍ୟାମବନ୍ଧୁଙ୍କ ହେଲା ନହେଲା ବୁଝୁବୁଝୁ, ଶାଶୁଙ୍କ ଆଦେଶ ଉପଦେଶ ଶୁଣୁଶୁଣୁ ରେବତୀମା'ଙ୍କ ପାହାନ୍ତିଆ କେତେବେଳେ ସଂଜ ହୋଇଯାଏ ଜଣାପଡେନି । ରେବତୀମା' ନିରନ୍ତର ଜୀବନର ଦୌଡରେ ଆଗମୁହାଁ ହୋଇ ଦୌଡୁଥାନ୍ତି, ଦୌଡିବା ଭିତରେ ସୁଖ - ଦୁଃଖ ଯାହା ମିଳେ ସବୁକୁ ସେ ପଣତକାନିରେ ଗଣ୍ଠି ପକାଇ ସାଇତି ରଖନ୍ତି ।

ଶ୍ୟାମବନ୍ଧୁଙ୍କ ପରି ସାଧାସିଧା, ସରଳ, ନିଷ୍କପଟ ଓ ନ୍ୟାୟବନ୍ତ ମଣିଷର ସ୍ତ୍ରୀ ଭାବରେ ରେବତୀମା' ମନେମନେ ଗର୍ବ କରନ୍ତି, ଅଞ୍ଚଳଟା ଯାକର ଲୋକ ଶ୍ୟ‍ାମବନ୍ଧୁ ବାବୁଙ୍କ ପ୍ରଶଂସା କରନ୍ତି ବୋଲି ତାଙ୍କ ଛାତି କୁଣ୍ତମୋଟ ହୋଇଉଠେ । ଗାଁ ମାଇକିନାଙ୍କ ମେଳରେ ସୁଖଦୁଃଖ ହେଲାବେଳେ ରେବତୀର ବାପା ଯେମିତି ସେମିତି କହି ରେବତୀମା' ଶ୍ୟାମବନ୍ଧୁ ପଟ୍ଟନାୟକଙ୍କ ଗୁଣଗାନ କରି ବୁଲନ୍ତି । ତାଙ୍କର ସେହି କଥାରେ କଥା ମିଶେଇ ବନାସେଠୀର ବୋଉ କୁହେ 'ହଁ ଲୋ ରେବବୋଉ, ଆମ ଶ୍ୟାମ ପରି ସତ ମଣିଷଟିଏ ଏ ଖଣ୍ତମଣ୍ତଳରେ ନଥିବେ । କହିଲୁ ଭଲା କିଏ ଲୋକଙ୍କ ଦୁଆର ଦୁଆର ବୁଲି ବାପାରେ ଧନରେ କହି ଖଜଣା ଅସୁଲ କରେ । ଏଇ ଆମ ଶ୍ୟାମ କେବେ କାହାରିଠୁ ଅଧରମରେ ପଇସାଟିଏ ନିଏନି ବୋଲି ସିନା ଲୋ ରେବବୋଉ ପ୍ରଜାଏ ତାକୁ ସୁଖପାନ୍ତି, ସମ୍ମାନ ଦିଅନ୍ତି, ଶରଧା କରନ୍ତି । 'ବନା'ବଉର କଥା ଶୁଣି ମେଳିବାନ୍ଧିଥିବା ମାଇକିନାମାନେ ସହମତିର ଭାବଭଙ୍ଗୀ ପ୍ରଦର୍ଶନ କରିବା ସମୟରେ ରେବତୀ'ମାଙ୍କ ମୁହଁ ସ୍ବାମୀଙ୍କ ଗୌରବବୋଧର ଆଲୋକରେ ଦାଉଦାଉ ହୋଇ ଦିଶେ ।

ସଞ୍ଜବେଳେ ପିଣ୍ତାରେ ବସି ଶ୍ୟାମବନ୍ଧୁବାବୁ କୃପାସିନ୍ଧୁ ଭଜନ ଗାଇଲାବେଳେ ରେବତୀମା' ଚଉରା ମୂଳେ ଦୀପଟିଏ ଜାଳିଦେଇ ଜୁହାର ହୁଅନ୍ତି । ରୋଷେଇ ଘରୁ ମେଘପରି ଧୂଆଁ ଛୁଟିବାର ଦେଖି ଦଉଡି ଯାଇ ଲିଭିଯାଇଥିବା ଚୂଲୀରେ କାଠଖଣ୍ତେ ଲଗେଇ ଦେଇ ଫୁଙ୍କ ମାରନ୍ତି । ଅଧାସିଝା ଡାଲି ପୁଣିଥରେ ଗଦ୍ ଗଦ୍ ଫୁଟିଲା ବେଳକୁ କୃପାସିନ୍ଧୁ ବଦନ ଭଜନ ସରି ଭାଗବତ ଆରମ୍ଭ ହୋଇସାରିଥାଏ । ଝିଅ ରେବତୀ ପାଖରେ ବସି ଆଗ୍ରହର ସହ ସବୁ ଶୁଣୁଥାଏ । ଏଇମିତି ଶୁଣିଶୁଣି ରେବତୀ ମୁହେଁମୁହେଁ ଢେର୍ ଭଜନ ଶିଖିଛି, ତା ଦେଖି ରେବତୀମା'ର ମନ ପୂରିଲା ପୂରିଲା ଲାଗେ । ଘରକୁ କେବେ କେମିତି କେହି ବନ୍ଧୁବାନ୍ଧବ କି ସାହି ପଡିଶା ଆସିଲେ ଝିଅକୁ କୁହନ୍ତି -' ଆଲୋ ରେବ, ମାଉସୀକୁ 'କା ଆଗେ କରିବି ଗୁହାରୀ, ତୁମେ ନ ଚାହିଁଲେ ନାଥ ଗରିବ ଯିବ ସରି' ଭଜନଟିକେ ଗାଇ ଶୁଣେଇ ଦଉନୁ ।' ମା ମୁହଁରୁ କଥା ନ ସରୁଣୁ ରେବତୀ ଗାଏ -

"କା' ଆଗରେ କରିବି ଗୁହାରୀ ?
ତୁମେ ନ ଚାହିଁଲେ ନାଥ ଗରିବ ଯିବ ସରି ।
କର ବା ନକର ତ୍ରାଣ ପଦେ ସମର୍ପିଛି ପ୍ରାଣ
ହୃଦେ ଅଛି ତମ ନାମ ଧରି ।
ତୁମ୍ଭେ ବିନା ତ୍ରିଜଗତ ଶୂନ୍ୟ ହେ ହରି ।
ଶୀତଳ କର ଜୀବନ ପ୍ରେମାମୃତ ଦାନ କରି ।"

ରେବତୀର ପିଲା ମୁହଁକୁ ଭଜନଗୁଡା ଭଲମାନେ ବୋଲି ଶୁଣୁଥିବା ଲୋକଟି ଆହ୍ଲାଦିତ ହୋଇ ପ୍ରଶଂସାରେ ଶତମୁଖର ହୋଇ ଉଠିଲାବେଳେ ରେବତୀମା' ଆନନ୍ଦରେ ଝିଅକୁ କୋଳରେ ବସାଇ ମୁଣ୍ତ ଆଉଁସି କପାଳରେ ଥରକୁ ଥର ଚୁମା ଦିଅନ୍ତି । ଯେତେ ଯାହାହେଲେ ବି ମା'ଟିଏ ପାଇଁ ତାର ସନ୍ତାନର ଗୌରବ ହିଁ ତ ସବୁକିଛି !

ପାଟପୁର ଅପର ପ୍ରାଇମେରୀ ସ୍କୁଲ୍ ରେ ଶିକ୍ଷକ ଭାବରେ ବାସୁଦେବ ଯୋଗଦିଏ । ଡଉଲ ଡାଉଲ ଚେହେରା ସତେକି ଗୋଟିଏ ଚାଉଳରେ ଗଢା । ଶ୍ୟାମବନ୍ଧୁ ବାବୁଙ୍କ ପାଖରୁ ରେବତୀମା' ଯେବେଠୁ ଶୁଣିଛନ୍ତି ବାସୁଦେବ ପିଲାକାଳରୁ ମା ବାପା ଛେଉଣ୍ତ ତାଙ୍କ ଭିତରର ମାତୃପ୍ରାଣଟି ଦୟାଭାବରେ କାନ୍ଦି ଉଠିଛି । ବାସୁଦେବ ପ୍ରତି ଅହେତୁକ ମମତ୍ଵବୋଧର ଝରଣାରେ ରେବତୀମା'ର ହୃଦୟ ଭରିଯାଇଛି । ସେ ଶ୍ୟାମବାବୁଙ୍କୁ କହିଛନ୍ତି "ଆହା ମା' ଛେଉଣ୍ତଟି କ'ଣ ଖାଏ, କିଏ ତା ଖାଇବା ଦେଖୁଛି ! ପିଲାଟାକୁ ପରବ ପରବାଣୀରେ ଘର ଆଡେ ଡାକି ଆଣୁଥିବ ।"

ଶ୍ୟାମବନ୍ଧୁ ବାବୁଙ୍କ ମୁରବିପଣିଆ, ରେବତୀର ସରାଗ ଓ ରେବତୀମା'ଙ୍କ ମମତା ଡୋରିରେ ବାସୁଦେବ ଛନ୍ଦି ହୋଇଛି । ଏଣିକି ସେ ପ୍ରତିଦିନ ସଞ୍ଜବେଳା ଘରକୁ ଆସିଛି । ବାସୁ ଭାଇ ଅଇଲେ ବାସୁ ଭାଇ ଅଇଲେ ବୋଲି ରେବତୀର ପାଟିଶୁଣି କ'ଣ ଟିକେ ଭଲମନ୍ଦ ଯୋଗାଡିବାକୁ ରେବତୀମା' ରୋଷେଇ ଘରକୁ ଦଉଡନ୍ତି । ପିଲାଟା ସକାଳୁ କ'ଣ ଖାଇଥିବ କେ ଜାଣି ? ପୋଡପିଠା ମାଣ୍ତିଆ ଜାଉ ନହେଲେ ବିରିଲଗା ସରୁ ଚକୁଳି ପିଠା ସହ ଗୁଡଟିକେ ବାସୁ ଆଗରେ ଥୋଇ ଦେଇ କୁହନ୍ତି - ଖା ପୁଅ ଖା, ନିଜ ଘରେ ଲାଜ କଣ ? ବୋଉର ପାଳିଆ ଧରି ରେବତୀ ବି କୁହେ ଖାଅ ବାସୁଭାଇ ପେଟ ପୂରା ଖାଅ । ବାସୁଭାଇ ପ୍ରୀତି ଦେଖି ରେବତୀମା' ମୁରୁକି ମୁରୁକି ହସନ୍ତି ।

ସେଦିନ ରେବତୀ ଖୁସିରେ ନାଚିନାଚି ଖବର ଦେଲା 'ମୁ ପଢିବି ମୁ ପଢିବି' । ଝିଅର ଖୁସି ଦେଖି ରେବତୀମା' ବି ଗେଲରେ କହିଲେ ହଉ ହଉ ତୁ ପଢିବୁ କିନ୍ତୁ ସେ ଦେଖିଲେ ଜେଜୀମାର ମନରେ ହରସ ନାହିଁ । ଜେଜୀମା ବି ରେବତୀର ମୁହଁରେ ଶୁଣେଇଦେଲା -"ପାଠ କ'ଣ ଲୋ ! ମାଇକିନିଆ ଝିଅଟା ପାଠ କ'ଣ ? ରନ୍ଧାବଢା ଶିଖ, ପିଠାପଣା କରିବାକୁ ଶିଖ, ଝୋଟିଦିଆ ଶିଖ, ଦହି ମୁହାଁ ଶିଖ, ପାଠ କଣ ? ।" ଶାଶୁଙ୍କ ବିରକ୍ତପଣ ଦେଖି ରେବତୀମା' ନୀରବ ରହିଲେ । ସେ ଜାଣିପାରୁଥିଲେ ଝିଅ ପାଠପଢୁ ବୋଲି ଶାଶୁ ଚାହୁଁନାହାନ୍ତି । ସେମିତିରେ ସେ ନିଜେ ଝିଅକୁ ହଉ ହଉ ପଢିବୁ କହି ସମର୍ଥନ କରିଥିବାରୁ ଜେଜୀମା ରାଗରେ ଗରଗର ହେଉଛନ୍ତି । ରେବତୀମା' ଶାଶୁଙ୍କ କଥା ଓ ରାଗକୁ ତୁନି ହୋଇଗଲେ ସିନା କିନ୍ତୁ ସେ ନିଜ ସମର୍ଥନରେ ତଥାପି ଅଟଳ ଥିଲେ । ସେ ନିଜ ଝିଅ ପାଠପଢିବ ଭାବି ଅନ୍ତରରୁ ଖୁସି ଅନୁଭବ କରୁଥିଲେ ।

ରାତିରେ ଶ୍ୟାମବନ୍ଧୁବାବୁ ରେବତୀକୁ ପାଖରେ ବସାଇ ଭାତ ଖାଇଲାବେଳେ ବୁଢୀ ଆଗରେ ରେବତୀମା'କୁ ହୁକୁମ ଝାଡୁଥାଏ ଭାତ ପୁଞ୍ଜାଏ ଆଣେ , ଡାଲିପାଣି ଟିକେ ପକାଇଯା, ଲୁଣଟିକେ ଦେ ଇତ୍ୟାଦି ଇତ୍ୟାଦି । ଶାଶୁଙ୍କ ଏ ହୁକୁମ ଦବା ଢଙ୍ଗରୁ ରେବତୀ'ମାଁ ଠିକ୍ ବୁଝିପାରୁଥିଲେ ଯେ ଝିଅର ପାଠପଢା କଥାରେ ଏବେ ବି ସେ ଘାଣ୍ଟିଚକଟି ହେଉଛନ୍ତି । ଏ ସମୟରେ କଥାରେ କଥାରେ ବୁଢୀ କହିଲା -"ହଁ ରେ ଶ୍ୟାମ ! ରେବୀ ପାଠ ପଢିବ । ପାଠ କ'ଣରେ, ତିରିଳା ଝିଅର ପାଠ କ'ଣ ?" ମାଁ କଥା ଶୁଣି ଶ୍ୟାମବାବୁ ସେଇମିତି ଅବିଚଳିତ ଭାବରେ ଭାତ ଖାଉ ଖାଉ ଜଣାଇଦେଲେ ଝିଅ ପଢିବି କହୁଛି ତ ପଢୁ, ଝଙ୍କଡ ପଟ୍ଟନାୟକ ଘରର ଝିଅମାନେ ତ ପୁଣି ଭାଗବତ ବୋଲିପାରନ୍ତି, ବୈଦେହୀଶ ବିଳାସ ଛାନ୍ଦ ଗାଆନ୍ତି । ରେବତୀମା'ଙ୍କ ଆଖି ଉତ୍ସାହରେ ଚମକି ଉଠିଲା, ଗୋଟାପଣେ ତାଙ୍କ ମନକଥାକୁ ସ୍ବାମୀ ଛଡାଇ ନେଲେ । ପଟ୍ଟନାୟକ ଘର ଝିଅଙ୍କ ଭାଗବତ ଗାଇବା ପ୍ରଶଂସା ଓ ଜ୍ଞାନଗରିମା କଥା ଲୋକଙ୍କଠୁ ଶୁଣି ରେବତୀମା'ର ବି କେବେଠୁ ଇଚ୍ଛାଥିଲା ତାଙ୍କ ଝିଅବି ସେମିତି ଗୌରବର ଅଧିକାରିଣୀ ହେଉ, ଭାଗବତ ପଢି ଶୁଣାଉ, ବୈଦେହୀଶ ବିଳାସ ଗାଇ ତାର ଅର୍ଥ ବୁଝାଉ, ଚିଠିପତ୍ର ଲେଖିଶିଖୁ କିନ୍ତୁ ଶାଶୁମା'ଙ୍କ ଯୋଗୁଁ କେବେ ପାଟି ଖୋଲି ପାରି କହି ପାରୁ ନଥିଲେ ଯାହା । ପୁଅର ଇଚ୍ଛାରେ ଜେଜୀମା ମୌନ ରହିଲେ କିନ୍ତୁ ରେବତୀମା' ଜାଣିପାରୁଥିଲେ ଶାଶୁଙ୍କ ଏଇ ମୌନତାରେ ସମ୍ମତି ଲକ୍ଷଣ ଆଦୌ ନଥିଲା ।

ତହିଁ ଆରଦିନ ବାସୁଦେବ ସୀତାନାଥବାବୁଙ୍କ ପ୍ରଥମପାଠ ଖଣ୍ତିଏ ଦେଇଯାଇଛି ଯେ ରେବତୀ ବହିର ଏ ମୁଣ୍ତରୁ ସେମୁଣ୍ତ ଓଲଟାଇ ପାଲଟାଇ ହାତୀ ଘୋଡା ଗାଇ ଛବି ଦେଖି ଢେର୍ ଖୁସି ହେଲା । ଝିଅ ପରି ରେବତୀମା' ବି ଉତ୍ସାହରେ ଦି' ଚାରିଥର ବହିଟିକୁ ଦେଖି ସାରିଲେଣି । ଶ୍ୟାମବନ୍ଧୁବାବୁ ତାଙ୍କୁ ଜଣାଇ ଦେଇଥିଲେ ଆସନ୍ତା ଶ୍ରୀପଞ୍ଚମୀ ଦିନ ଝିଅର ପାଠପଢା ଆରମ୍ଭ ହେବ । ଶ୍ରୀପଞ୍ଚମୀ ଦିନ ପାହାନ୍ତିଆରୁ ଝିଅକୁ ଉଠାଇ ଗାଧେଇ ଦେଲେ, କାଠବାକ୍ସରୁ ନୂଆଲୁଗା ଖଣ୍ତେ କାଢି ପିନ୍ଧାଇ ଦେଇ କାଠପାନିଆରେ ମୁଣ୍ତ କୁଣ୍ତାଇ ଝିଅକୁ ସଜକଲେ । ଖୁସିରେ ମା ଝିଅଙ୍କ ପାଦ ମାଟିରେ ଲାଗୁନି ତଥାପି ବୁଢୀ ଭୟରେ ସେ ଉଡାଣ ଭାବ ସତ୍ତ୍ବେ ସଂଯମ ଓ ସତର୍କତା ବର୍ତ୍ତିବାକୁ ପଡୁଥାଏ । ସେଥିପାଇଁ ତ ବିଦ୍ୟାରମ୍ଭର କୌଣସି ଆୟୋଜନ କରିନାହାନ୍ତି । ବେଳ ଛ'ଘଡି ସମୟରେ ବାସୁଦେବ ଆସିଲା । ରେବତୀମା'ଙ୍କ ପାଦଛୁଇଁ ଜୁହାର ହେଲା । ରେବତୀକୁ କହିଲା 'ଆଲୋ ରେବତୀବୋଉର ପାଦଛୁଇଁ ଆଶୀର୍ବାଦ ନେ ପାଠ ଆରମ୍ଭ କରିବା । ଅନ୍ୟଦିନ ହୋଇଥିଲେ ରେବତୀ ମା'କୁ ଜୁହାର ହେବାକୁ ଲାଜ କରନ୍ତା କିନ୍ତୁ ଆଜି ଏତେ ଖୁସି ଯେ ସଂଗେସଂଗେ ଜୁହାର ହେଲା । ରେବତୀମା' ଝିଅର ମୁଣ୍ତରେ ହାତ ରଖି ଆଶୀର୍ବାଦ କଲେ ବୁଢୀଟେ ହୋଇଥାଲୋ ମା । ପାଠ ଆରମ୍ଭ ହେଲା ସ୍ବରେ - ଅ, ସ୍ବରେ - ଆ , ହ୍ରସ୍ବ-ଇ ,ଦୀର୍ଘ-ଈ ......ଶ୍ୟାମବନ୍ଧୁଙ୍କ ଘରଟାଯାକ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଲାପରି ଲାଗିଲା । ଝିଅର ପାଠପଢା ଦେଖି ରେବତୀମା'କୁ ଭିଡରୁ ଭିଡ କାମ ବି ସହଜ ହୋଇଯାଉଛି । ବାସୁଦେବ ଗଲାପରେ ଝିଅଠୁ ମଧୁବାବୁଙ୍କ ଛାନ୍ଦମାଳା ଶୁଣି ସେ ଆନନ୍ଦ ସାଗରରେ ଭାସିଲାପରି ଅନୁଭବ କରନ୍ତି ।

ରେବତୀମା' ପ୍ରତିଦିନ ପରି ଚୂଲୀମୁଣ୍ତରେ ବସି ଭାତ ଖାଇବାକୁ ଦେଇ ମା' ପୁଅଙ୍କ କଥା ଶୁଣୁଥିଲେ । ସବୁଦିନର ଭଲମନ୍ଦ କଥା ତୁଳନାରେ ଆଜିକା କଥା ଟିକେ ଅଧିକ ଗୁରୁତ୍ବ ଥିଲା ପରି ମନେହେଉଥାଏ । ସେ ମା' ପୁଅଙ୍କ କଥାକୁ ଅଚାନକ ଧରିପାରିଲେନି ବୋଧେ ଦି'ଜଣ ଆଗରୁ ଏ ବିଷୟରେ କଥା ହୋଇଥିଲେ ଏବଂ ଆଜି ତା'ର ଶେଷ ଫଇସଲା ହେଲା । କଥାକୁ କିଛି ସମୟ ଧ୍ୟାନର ସହ ଶୁଣିବାରୁ ରେବତୀମା' ବୁଝିଲେ ତାଙ୍କ ଝିଅ ସହ ବାସୁଦେବର ବାହାଘର ପ୍ରସ୍ତାବ ସଂପର୍କରେ ସ୍ବାମୀ ଓ ଶାଶୁଙ୍କର ଏ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତାଟି ଚାଲିଛି । ସେ ମନେମନେ ଆନନ୍ଦିତ ହେଲେ । ହେବେନି କେମିତି ଯେ ବାସୁ ପରପୁଅ ହୋଇଥିଲେ ବି ତାକୁ ସେ କେବେବି ନିଜ ପୁଅଠୁ କମ୍ ଭାବି ନାହାନ୍ତି କି ସ୍ନେହ ଶରଧାରେ ଉଣା କରିନାହାନ୍ତି । ତାପରେ ତାଙ୍କ ଝିଅ ସହ ବାହାଘରଟା ହୋଇଗଲେ ବାସୁ ତ ଗୋଟେପଣେ ତାଙ୍କର, ବାସୁ ପରି ପୁଅଟିଏ ନାହିଁ ବୋଲି ଯଉ ଅବସୋସଟିକକ ମନରେ ଥିଲା ତା ଆଉ ରହିବନି । ମା' ପୁଅଙ୍କ କଥା ଶୁଣି ରେବତୀମା' ଖୁସି ହେବା ସ୍ବାଭାବିକ କଥା ମାତ୍ର ତା ସହିତ ସେ ସ୍ବାମୀ ଶ୍ୟାମବନ୍ଧୁଙ୍କ ଉପରେ ଅଭିମାନ ବି କଲେ । ତାଙ୍କ ଝିଅକୁ ନେଇ ଏତ ବଡ କଥାଟେ ଚିନ୍ତା କଲେ ସ୍ତ୍ରୀ ଭାବରେ ନହେଲା ନାଇ ଝିଅର ମା' ହିସାବରେ ତ ତାଙ୍କୁ ବୁଝିଥାନ୍ତେ, ସେତକ କହିବାକୁ ବି ସେ ଠିକ୍ ମନେ କଲେ ନାହିଁ । ତାଙ୍କର କ'ଣ କିଛି ଅଧିକାର ନାହିଁ ପରିବାରର ସବୁ ଭଲମନ୍ଦ ଜାଣିବାରେ କି ନିଷ୍ପତ୍ତି ନବାରେ । ଏମିତି ଅନେକ କଥା ମନକୁ ଆନ୍ଦୋଳିତ କରୁଥିଲା ବେଳେ ରେବତୀ ମା' ନିଜ ମନକୁ ବୁଝାଇ କହିଲେ ଛି ଛି ଏତେ ବଡଖୁସି କଥାରେ ଏମିତି କଳିଆଣୀ ପରି ଚିନ୍ତାଗୁଡା କାଇଁ କରୁଛି କେଜାଣି, ଯାହା ହେଇଛି ଭଲ ତ ହୋଇଛି ମୋତେ ପଚାରିଥିଲେ ବି ମୁଁ କଣ ଅରାଜି ହୋଇଯାଇଥାନ୍ତି କି ?

ରେବତୀମା'ର ଅଭିମାନକୁ ସୁଖଟିଏ ଅତିକ୍ରମ କରିଗଲା ।

ସେଇଦିନଠୁ ରେବତୀର ଭାବଭଙ୍ଗୀରେ ପରିବର୍ତ୍ତନକୁ ମା' ଠଉରାଇ ପାରୁଥିଲେ । ଶ୍ୟାମବାବୁଙ୍କ ଆଗରେ ବାସୁଦେବ ପାଠ ପଢାଇଲାବେଳେ ରେବ ଲାଜରେ ମୁହଁ ପୋତିଦବା, ବାସୁଭାଇ ଆସିଲେ ଆଗପରି ଦାଣ୍ତଦୁଆରକୁ ଗର୍ଜନ ତର୍ଜନରେ ଉଠାଇ ପକାଇ ଦଉଥିବା ଝିଅ ତୁନି ହୋଇ ଘରେ ଲୁଚି ବସିବା, ଅକାରଣେ ସକାରଣେ ସବୁବେଳେ ହସ ମାଡିଲେ ମୁଣ୍ତ ତଳକରି ଦୃଢ ଓଠ ବୁଜି ହସିବା, ପ୍ରତିଦିନ ସଞ୍ଜରେ ଦୁଆର କବାଟରେ ବାଟ ଚାହିଁ ବସିବା ଏମିତି ଏମିତି ଅନେକ କଥାକୁ ରେବତୀ ବୋଉ ଠଉରାଇ ସାରିଥିଲେ । ତାଙ୍କ ଭିତରେ ସୁଖ ସମୁଦ୍ର ଲହଡି ଜୁଆର ଭାଙ୍ଗେ । ସେ ସ୍ବପ୍ନ ଦେଖନ୍ତି ଝିଅ ଜ୍ବାଇଁ ନାତିନାତୁଣୀଙ୍କ ଏକ ପୂରିଲା ସଂସାରର ।

ଦେଖୁଦେଖୁ ପଞ୍ଚମୀକୁ ପଞ୍ଚମୀ ଦି'ବରଷ । ବାସୁ ଶ୍ୟାମବାବୁଙ୍କ ଘରର ନିୟମିତ ସଦସ୍ୟ ହୋଇ ସାରିଲାଣି । ବାସୁଦେବ ପ୍ରତି ରେବତୀମା'ଙ୍କ ଭଲପାଇବା ଆଗ ଅପେକ୍ଷା ଆହୁରି ଗଭୀର ହେଲାଣି । ରେବତୀ ଓ ବାସୁ ତାଙ୍କ ଦି'ଟା ଆଖିର ଅଞ୍ଜନ । ରେବତୀର ପାଠ ସହ ମା' ତାକୁ ଘର କାମଦାମ ବି ଶିଖାଇଲେଣି । ବାହାଘର ପାଇଁ ନଥ, କାନଫୁଲ, ହାର ପରି କିଛି ସୁନା ଜିନିଷ ବି ଗଢେଇଲେଣି । ଜୀବନର ଏକ ମଧୁମୟ ମୂହୁର୍ତ୍ତର ଅପେକ୍ଷାରେ ଖୁସିବାସିରେ ଦିନ ସବୁ ଗଢିଯାଉଛନ୍ତି ବିନା ବାଧାବିଘ୍ନରେ ।

ବେଙ୍ଗ କହେ ବେଙ୍ଗୁଲୀ ଲୋ ଜୀବନ କ୍ଷଣେ କ୍ଷଣେ କେ ଆନ ! ସମୟ କଡ ଲେଉଟାଇଲେ ଧନୀ ହୁଏ ଦରିଦ୍ର, ସଭାଗା ହୁଏ ଅଭାଗା, ପୂରାଗଢା ଚାନ୍ଦ ବି ହୁଏ ଖଣ୍ତିଆ । ଫଗୁଣ ମାସିଆ ଦିନ । ସକାଳୁ ସକାଳୁ ଶ୍ୟାମବାବୁଙ୍କ ଘରେ ଅକାଳ ଚଡକ ପଡିଲା, ଆଶଙ୍କିତ ପ୍ରାଣରେ ଘରଟା ଜଡ ପାଲଟି ଯାଉଥିଲା । ଗାଁ'ଟା ଯାକ ରାଷ୍ଟ୍ର ହୋଇଗଲା ଶ୍ୟାମବାବୁଙ୍କୁ ବାଡି ଧରିଛି । ଗାଁ'ଟାଯାକର ସମସ୍ତେ ତାଟି କବାଟ ବନ୍ଦ କରିଦେଇ ଘର ଭିତରେ ରହିଗଲେ । ଦୁଆର ମୁହଁ ଚାହିବାକୁ କାହାରି ଆସିବାର ନାହିଁ । ରେବତୀମା' କାହା ହାତରେ ଖବର ପଠେଇବାରୁ ବାସୁଦେବ ସ୍କୁଲ୍ ଛାଡି ଦଉଡି ଅଇଲା ...ବହୁତ ସେବାଯତ୍ନ କଲା ହେଲେ କିଛି କାମ ଦେଲାନି । ଶ୍ୟାମବାବୁଙ୍କ ପ୍ରାଣପକ୍ଷୀ ଦେହଛାଡି ଫୁରକିନା ଉଡିଗଲା । ପୃଥିବୀର ରହସ୍ୟମୟ ନିରବତା ଭିତରେ କ୍ରମଶଃ ରେବତୀମା' ମଧ୍ୟ ନୀରବ ଶବ୍ଦରେ ରୂପାନ୍ତରିତ ହୋଇଯାଉଥିଲା । କେମିତି ନିଜ ସ୍ବାମୀଙ୍କ ଶବ ମଶାଣି ପହଞ୍ଚିଲ‍ା ସତ୍କାର ହେଲା କିଛି ମନେପଡୁନଥାଏ, ଘରକୁ ଫେରିଲାବେଳକୁ କୁଆଁ ତରା ଉଇଁଲାଣି । ଘରର ଗୋଟେ କାନ୍ଥରେ ଆଉଜି ବସିଥିବା ରେବତୀମା'ର ଆଖିରୁ ଶିରାବଣ ଧାରା ପରି ଲୁହ ନିଗିଡୁଛି, ହୃଦବିଦାରି ଚିତ୍କାରଟିଏ କରିବାକୁ ଜୁ ଟିକକର ଅଭାବରେ ଜୀବନ୍ତଦେହ ଶବ ପରି ମ୍ଲାନ ଦେଖାଯାଉଛି...

ଲୁହର ଅତଡା ଠେଲି ବିଗତଦିନର ସ୍ମୃତିରେ ରେବତୀମା'ର ଲୁହ ଭର୍ତ୍ତି ଆଖି ଚମକି ଉଠିଲା, ବାସୁଦେବକୁ ଥରେ ଅନାଇ ଆଖି ଫେରାଇ ରେବତୀ ଆଡକୁ ଚାହିଁଲାବେଳକୁ ଚାହାଣି ସ୍ଥିର ହୋଇଗଲା, ସେ ଚାହିଁବାରେ ସ୍ନେହ ନଥିଲା ଶରାଗ ନଥିଲା କି ପ୍ରାଣ ବି ନଥିଲା....