ଫଟୋ - ୱିକି କମନ୍ସ

ଫକୀରମୋହନଙ୍କ ସାହିତ୍ୟ ରଚନାର ଉଦ୍ଦେଶ୍ୟ କେବଳ ରସାଳ ଭାବାବେଗରେ ଆହ୍ଲାଦିତ କରିବାର ନଥିଲା, ତେଣୁ ତାଙ୍କ ସାହିତ୍ୟର ସମୀକ୍ଷା କେବଳ ବିମୁଗ୍ଧ ଦୃଷ୍ଟିରେ କରାଯାଇପାରିବ ନାହିଁ । ଫକୀରମୋହନଙ୍କ ସମକାଳୀନ ସାହିତ୍ୟ ରଚନାର ମୁଖ୍ୟ ଉଦ୍ଦେଶ୍ୟଥିଲା ଏକ ସଂସ୍କାର ସଂପନ୍ନ ସମାଜ ଗଠନ ଯେଉଁଠି ନବଚେତନାର ପ୍ରତିଷ୍ଠାକରି ମାନବତାର ଜୟଗାନ କରିହେବ । ଅନ୍ଧାରରୁ ବାହାରି ଆସି ମାନବୀୟ ବିଚାରବୋଧର ଆଲୋକରେ ନିଜକୁ ନିଜେ ଚିହ୍ନିହେବ । ଫକୀରମୋହନଙ୍କ ସମୟରେ ସୃଷ୍ଟିହୋଇଥିବା ନବଚେତନାର ସାହିତ୍ୟ ଶହଶହ ବର୍ଷର ପରମ୍ପରାବୋଧ ବିରୁଦ୍ଧରେ ସଂଘର୍ଷ କରୁଥିବାବେଳେ ଲେଖକର ଦାୟିତ୍ବବୋଧ ଓ ଅଙ୍ଗୀକାରବଦ୍ଧତା ଜନିତ ଶୃଙ୍ଖଳାବୋଧ ଏକାନ୍ତ ଆବଶ୍ୟକ ଥିଲା । ସାମାଜିକ ଆବେଦନ ଘେନି ସାହିତ୍ୟର ଏବଂ ସାହିତ୍ୟିକ ଅବବୋଧ ଘେନି ସମାଜର ଭାଗ୍ୟ ନିର୍ଦ୍ଧାରିତ ହେଉଥିଲା । ସାହିତ୍ୟ ଓ ସମାଜ ପ୍ରତି ଉଭୟ ନୂତନତା ଓ ପ୍ରାଚୀନତାର ତୀକ୍ଷ୍ଣ ନଜର ଥିଲା । ଲେଖକର ସାମାନ୍ୟ ମାତ୍ର ତ୍ରୁଟି ଏକ ବିଶାଳ ଭାବବୋଧକୁ ନଷ୍ଟ କରିଦେବା ପାଇଁ ଯଥେଷ୍ଟ ଥିଲା । ଏ ସମୟରେ ଲେଖାଯାଇଥିବା ସାହିତ୍ୟର ସମୀକ୍ଷାରେ ରସସୌନ୍ଦର୍ଯ୍ୟର ଉତ୍କର୍ଷ ଅପକର୍ଷ ଚିହ୍ନାଇଦେବା ଅପେକ୍ଷା ସାମାଜିକ ଆବେଦନକୁ ଗୁରୁତ୍ବାରୋପ କରାଯାଏ । ଏହି ଦୃଷ୍ଟିକୋଣରୁ ଫକୀରମୋହନଙ୍କ ରେବତୀରୁ ଗାରୁଡିମନ୍ତ୍ର ଗଳ୍ପଯାଏ ରହିଥିବା ନାରୀଶିକ୍ଷାର ସାମାଜିକ ଆବେଦନକୁ ଆଲୋଚନା କରାଯାଇପାରେ ।

​'ଲୋ ରେବୀ, ଲୋ ନିଆଁ, ଲୋ ଚୁଲି' ସଂଳାପ ସହ ପିଲାବେଳେ ଅନେକ ଥର ପରିଚୟ ହୋଇଛି । ଯେତେଥର ରେବତୀ ଗଳ୍ପ ଶୁଣିଛି ଆଉ ପଢିଛି ସେତେଥର ନିଜକୁ ପଚାରିଛି ସତରେ କ'ଣ ଏମିତି ହୋଇପାରେ ? ଝିଅଟିଏ ପଢିବାରେ ଗୋଟିଏ ପରିବାରର ଏମିତି କରୁଣ ବିପର୍ଯ୍ୟୟ ଘଟିପାରେ ? ହୋଇପାରେ ଓଡିଆ କଥାସାହିତ୍ୟର ଶ୍ରେଷ୍ଠ ବିନ୍ଧାଣୀ ଫକୀରମୋହନ ସେନାପତି ଲେଖିଛନ୍ତି ମାନେ ଏମିତି ହୋଇପାରେ । ଏହାହିଁ ଥିଲା ରେବତୀ ଗଳ୍ପ ପ୍ରତି ମୋର ପ୍ରତିକ୍ରିୟା । ଏହି ପ୍ରତିକ୍ରିୟା କେବଳ ମୋର ନଥିଲା ବରଂ ମୋର ଅନ୍ୟାନ୍ୟ ସାଙ୍ଗମାନଙ୍କର ମଧ୍ୟ ଥିଲା । ଯଦି ଏକବିଂଶ ଶତାବ୍ଦୀର ବୈଜ୍ଞାନିକ ସଭ୍ୟତାରେ (ଯେଉଁ ସମୟରେ କି ନାରୀ ଅନ୍ତରୀକ୍ଷରେ ପାଦଥାପି ସାରିଛି ) ମଧ୍ୟ ରେବତୀ ଗଳ୍ପର ମାର୍ମିକ ଯନ୍ତ୍ରଣାକୁ ଅନୁଭବ ନକରି ଝିଅଟିଏର ପାଠପଢା ପ୍ରତି ସନ୍ଦେହର ଚାହାଣୀଟେ ଚାହିଁ ହୁଏ ତାହେଲେ 'ରେବତୀ' ଗଳ୍ପ ରଚନା କରାଯାଇଥିବା ତତ୍କାଳୀନ ଅନ୍ଧବିଶ୍ବାସ ଓ କୁସଂସ୍କାର ଭର୍ତ୍ତି ସାମାଜିକ ପରିବେଶରେ ରେବତୀ କେତେମାତ୍ରାରେ ଜନମାନସକୁ ଜୟକରି ନିଜର ପାଠପଢା ପାଇଁ ସମର୍ଥନ ଯୋଗାଡ କରିପାରିଥିବ ?

ଫକୀରମୋହନ ସେନାପତି ନିଜର 'ଆତ୍ମଚରିତ' ପୁସ୍ତକରେ ଉଲ୍ଲେଖ କରିଛନ୍ତି - "ସେ ସମୟରେ ହିନ୍ଦୁ ସମାଜରେ ସ୍ତ୍ରୀଶିକ୍ଷା ଗୋଟାଏ ଭୀଷଣ ଦୁଷ୍କାର୍ଯ୍ୟ ମଧ୍ୟରେ ଗଣ୍ୟ ହେଉଥିଲା । ସ୍ତ୍ରୀ ମହଲରେ କୁସଂସ୍କାର, ଝିଅ ପାଠ ପଢିଲେ ବିଧବା ହୋଇଯାଏ । ତାହାର ରନ୍ଧାତିଅଣ ଲୁଣି ବା ଅଲଣା ହୁଏ । ତା ହାତରେ ତରକାରୀ ଭଲ ସିଝେ ନାହିଁ । ଅତି ବୁଦ୍ଧିମାନ ପୁରୁଷମାନଙ୍କ କଥା ଝିଅ ପାଠପଢି ଗୋମାସ୍ତାଗିରି କରିବେ ନା କଚେରୀରେ ଅମଲାଗିରି କରିବେ ?" ଏଥିରୁ ଆମେ ଗାଳ୍ପିକ ସେନାପତି ମହୋଦୟ ଜୀବନ ବଞ୍ଚୁଥିବା ସମାଜର ସ୍ତ୍ରୀଶିକ୍ଷା ବିରୋଧି ମନ୍ତବ୍ୟ ତଥା କଟାକ୍ଷକୁ ସ୍ପଷ୍ଟ ଅନୁଭବ କରିପାରିବା । ଏଭଳି ଅନ୍ଧକାର ବୋଲି ହୋଇଥିବା କୁସଂସ୍କାରକୁ ନିଜର ପୋଷାକ କରି ପିନ୍ଧିଥିବା ସମାଜ ଯେତେବେଳେ ରେବତୀର କାହାଣୀ ଶୁଣିଥିବ, ତା ପ୍ରତି ସମ୍ବେଦନଶୀଳ ହୋଇ ଆହାଃ ପଦେ କହିପାରିଥିବା ନା ଜେଜେମା ପରି 'ଆପଣା କିଆ ତହିଁକି ଇଲାଜ କିଆଁ' ପରି ମନ୍ତବ୍ୟଟେ ଦେଇଥିବ ? ଏହାକୁ ଗଭୀର ଭାବେ ନିରପେକ୍ଷ ଚିନ୍ତନ କରିବା ନିତାନ୍ତ ଆବଶ୍ୟକ ପରି ମନେହୁଏ ।

ଓଡିଆ ସାହିତ୍ୟରେ କ୍ରାନ୍ତିକାରୀ ସ୍ରଷ୍ଟା ଭାବରେ ପରିଚିତ ଫକୀରମୋହନ ସେନାପତି ଯେତେବେଳେ ସ୍ତ୍ରୀଶିକ୍ଷା ପରି ଏକ ପରମ୍ପରା ଏବଂ ସମାଜ ବିରୋଧି ବିଷୟକୁ ହିଁ ସମାଜରେ ପ୍ରତିଷ୍ଠା ଦେବାକୁ ପ୍ରଚେଷ୍ଟା କରୁଛନ୍ତି ସେତେବେଳେ ତାଙ୍କ କ୍ରାନ୍ତିରେ ଶିଥିଳତା ପଡିଯାଉନି କି ? ପହଞ୍ଚିବାକୁ ଥିବା ଲକ୍ଷ୍ୟଠୁ ବିଚ୍ୟୁତ ହୋଇଯାଇ ନାହାନ୍ତି କି ? ଫକୀରମୋହନ ସେନାପତି 'ଆତ୍ମଚରିତ'ରେ ଲେଖୁଛନ୍ତି "ଏପରି ଦୁର୍ଯୋଗ ସମୟରେ ସ୍ତ୍ରୀଶିକ୍ଷା ସମ୍ବନ୍ଧରେ ପ୍ରସ୍ତାବ କରିବା ଊଣା ସାହସ କଥା ନୁହେଁ ।" ଉକ୍ତ ମନ୍ତବ୍ୟରୁ ଆମେ ହୃଦବୋଧ କରିପାରିବା ଯେ କେଉଁଠିନା କେଉଁଠି ଏହି ବିଷୟ ପ୍ରତି କ୍ରାନ୍ତିକାରୀ ଫକୀରମୋହନଙ୍କର ଭୟ ସଂପୂର୍ଣ୍ଣ ଭାବରେ ଦୂରହୋଇ ପାରିନଥିଲା । ଯାହାଫଳରେ ତାଙ୍କ ଗଳ୍ପଗୁଡିକରେ ନାରୀଶିକ୍ଷା ପ୍ରତି ଏକ ଅନୁକୂଳ ବାତାବରଣର ବାର୍ତ୍ତା ସୃଷ୍ଟି ହୋଇପାରିନଥିଲା ।

ଫକୀରମୋହନ ସେନାପତି ଯେ ବାସ୍ତବ ଜୀବନରେ ନାରୀଶିକ୍ଷା ପ୍ରତି ରହିଥିବା ଅନ୍ଧତାକୁ ସମର୍ଥନ କରୁଥିଲେ ତାହା ନୁହେଁ । ମାତ୍ର ଗାଳ୍ପିକ ଫକୀରମୋହନ ଯେ ନାରୀଶିକ୍ଷାକୁ ସମାଜରେ ସଠିକ୍ ସମ୍ମାନ ଦେବାରେ ବିଫଳ ହେବା ସହିତ ନାରୀଶିକ୍ଷା ପ୍ରତି ରହିଥିବା ଦୃଷ୍ଟିଭଙ୍ଗୀକୁ ବିରୋଧ ନକରି ତାକୁ ଆହୁରି ଶକ୍ତ, କଠୋର କରିଥିଲେ ଏଥିରେ ସନ୍ଦେହ ନାହିଁ । କାରଣ ତତ୍କାଳୀନ ସମୟରେ ଫକୀରମୋହନ ସେନାପତି ଯେଉଁ ଦୃଷ୍ଟିରେ ରେବତୀ ଗଳ୍ପକୁ ଲେଖିଛନ୍ତି ସେହିଦୃଷ୍ଟିରୁ ପଢି, ବୁଝି ତାକୁ ଗ୍ରହଣ କରିବା ସମାଜରେ ସବୁପାଠକ ତଥା ମଣିଷ ପକ୍ଷରେ ସମ୍ଭବ ହୋଇ ନପାରେ । ଏ ଯୁକ୍ତିକୁ ସୁଦୃଢ କରିବା ପାଇଁ ସ୍ବୟଂ ଗାଳ୍ପିକ ଫକୀରମୋହନଙ୍କ 'ଅଜାନାତି କଥା' ଯାହାକି ଏକ ସତ୍ୟଘଟଣା ଉପରେ ଆଧାରିତ ବୋଲି ସେ ଲେଖିଛନ୍ତି ତାକୁ ନିଆଯାଇପାରେ । ଗାଳ୍ପିକଙ୍କ ସମୟରେ ସୃଷ୍ଟି ହୋଇଥିବା ନବଚେତନାର ସାହିତ୍ୟ ପ୍ରତି ସାଧାରଣ ପାଠକଙ୍କ ପ୍ରତିକ୍ରିୟା କିପରି ଥିଲା ଉକ୍ତ 'ଅଜାନାତି କଥା'ରୁ ଆମେ ବୁଝିପାରିବା, ଯେଉଥିରେ କି 'ମୌନାମୌନି' ନାମକ ଗଳ୍ପ ପଢିସାରିବା ପରେ ଅଜା ସେ ଗଳ୍ପରେ ବର୍ଣ୍ଣିତ ଘଟଣାର ସତ୍ୟାସତ୍ୟ ଖୋଜୁଛନ୍ତି ଏବଂ ନାତିକୁ ପ୍ରଶ୍ନ କରୁଛନ୍ତି ମିଥ୍ୟା ଗେଜେଟ୍ କାହିଁକି ପଢୁଛି ? ତେବେ ଯେଉଁ ସମାଜରେ ସାହିତ୍ୟକୁ ସମ୍ବାଦ ଭାବରେ ପାଠକ ପଢେ ଏବଂ ତାକୁ ସତ ଭାବିନିଏ ସେ ସମୟରେ ରେବତୀ ଗଳ୍ପ ପଢି ତାର ଭାବନା କଣ ହୋଇଥିବ ? ସେହିଦୃଷ୍ଟିରୁ ଦେଖିଲେ ଫକୀରମୋହନ ସେନାପତି ତତ୍କାଳୀନ ସମାଜରେ ରେବତୀକୁ ଏବଂ ତାର ପଢିବା ପ୍ରୀତି ପ୍ରତି ଉଚିତ ନ୍ୟାୟ ନଦେଇ ଏକ ଅପରାଧ କରିଥିଲା ପରି ମନେହୁଏ, ସେହିଦୃଷ୍ଟିରୁ ସେନାପତିଙ୍କ ସ୍ତ୍ରୀଶିକ୍ଷା ବିଷୟବସ୍ତୁ ରହିଥିବା ଏବଂ ଉଚିତ ନ୍ୟାୟ ଦେଇ ନଥିବା ଗଳ୍ପଗୁଡିକୁ ଅନୁଧ୍ୟାନ କରି କିପରି ଭାବରେ ଅନ୍ତିମ ପର୍ଯ୍ୟାୟରେ ତାର ଏକ କ୍ଷୀଣ ଅନୁତାପ ଦେଖିବାକୁ ମିଳେ ତାକୁ ଆଲୋଚନା କରାଯାଇପାରେ ।

ରେବତୀ ଯେ ସାହିତ୍ୟିକ ରସାଳ ରସସୌନ୍ଦର୍ଯ୍ୟରେ ଲାଭକରିଛି ଅମାପ ପାଠକୀୟ ଆଦୃତି ତଥା ସାରସ୍ବତ ସାର୍ଥକତା, ଏକଥାକୁ ସ୍ବୀକାର କରିବାରେ ତିଳେ ହେଲେ କୁଣ୍ଠାନାହିଁ । ମାତ୍ର ସାମାଜିକ ମୂଲ୍ୟବୋଧ ତଥା ସାମାଜିକ ପ୍ରତିବଦ୍ଧତା ଦୃଷ୍ଟିରୁ ରେବତୀ ଗଳ୍ପରେ ଗାଳ୍ପିକଙ୍କ ନାରୀଶିକ୍ଷା ପରି ଏକ ଗୁରୁତ୍ବପୂର୍ଣ୍ଣ ଦିଗକୁ ଉପସ୍ଥାପନ କରିବା ସମୟରେ ଲେଖକଙ୍କ ଯେତିକି ପ୍ରତିବଦ୍ଧତା ରହିବା କଥା ସେତିକି ରହିପାରିନି । ଗଳ୍ପଟିରେ ଗାଳ୍ପିକଙ୍କ ପ୍ରତିବଦ୍ଧତା ଶ୍ୟାମବନ୍ଧୁ ମହାନ୍ତିଙ୍କ ପ୍ରଭାହୀନ ଗୋଟିଏ ଦି'ଟା ସଂଳାପ ଭିତରେ ହିଁ ଶେଷ ହୋଇଯାଇଛି । ଆଉ ତା ପରେ ଆରମ୍ଭ ହୋଇଛି ପରମ୍ପରାର ରେଳଗାଡି । ଯେଉଁ ରେଳଗାଡି ଚକତଳେ ବିଦୀର୍ଣ୍ଣ ହୋଇଯାଇଛି ସ୍ତ୍ରୀଶିକ୍ଷା ପ୍ରତି ରହିଥିବା ସମର୍ଥନ ଟିକକ । ବିଜୟଲାଭ କରୁଛି ଅନ୍ଧତା, ପରମ୍ପରା, କୁସଂସ୍କାର । ବିଶିଷ୍ଟ ସାହିତ୍ୟ ସମାଲୋଚକ ନଟବର ସାମନ୍ତରାୟଙ୍କ 'ଫକୀରମୋହନ ସାହିତ୍ୟ ସମୀକ୍ଷା' ଗ୍ରନ୍ଥରେ ରେବତୀ ଗଳ୍ପ ସଂର୍ପକରେ ରହିଥିବା ଉଦ୍ଧୃତିଟିଏ ମୋର ବକ୍ତବ୍ୟକୁ ସୁଦୃଢ କରିବା ପାଇଁ ଉଦ୍ଧାର କରାଯାଇପାରେ - "ପ୍ରଥମେ ଅନ୍ଧତାକୁ ବିଦ୍ରୂପ କରିବାକୁ ଯାଇ ଗଳ୍ପ ଅବତାରଣ କରିଛନ୍ତି । କିନ୍ତୁ ତାଙ୍କ ସୃଷ୍ଟି ଏଇ ପ୍ରଥମ ଅନ୍ଧତାକୁ ଅନୁସରଣ କରି ଦ୍ବିତୀୟ ଅନ୍ଧତାରେ ଉପନୀତ ହୋଇଛି । ଫଳରେ ଆପାତ ଦୃଷ୍ଟିରେ ଯାହାଥିଲା ଅତିହେୟ ବିଦ୍ରୂପରେ କେନ୍ଦ୍ର ତାହା ଆମକୁ ନେଇଯାଇଛି ଏକ ଜୀବନ୍ତ ସତ୍ୟ ନିକଟକୁ । ପ୍ରଥମଟି ଥିଲା ଲକ୍ଷ୍ୟ; କିନ୍ତୁ ଏଇ ଲକ୍ଷ୍ୟର ଚରମ ସାର୍ଥକତା ଘଟିଛି ଏକ ସାହିତ୍ୟିକ ରସସୌନ୍ଦର୍ଯ୍ୟ ପ୍ରତିଷ୍ଠାରେ ।" ଉକ୍ତ ମନ୍ତବ୍ୟକୁ ଆଧାର କରି ଆମେ କହିପାରିବା ଯେ ରେବତୀ ଗଳ୍ପର ଲକ୍ଷ୍ୟ ଯେଉଁ ଉଚ୍ଚାଙ୍ଗ ଦିଗ ପ୍ରତି ଥିଲା ତାହା ନହୋଇ ଏକ ସାହିତ୍ୟିକ ରସସୌନ୍ଦର୍ଯ୍ୟ ପ୍ରତିଷ୍ଠା ହୋଇଛି । ନାରୀଶିକ୍ଷା ସମାଜ ପାଇଁ ମଙ୍ଗଳଦାୟକ ତଥା ଉନ୍ନତିର ଶ୍ରେଷ୍ଠ ମାଧ୍ୟମ ଏକଥାକୁ ବାସ୍ତବ ଜୀବନରେ ଉପଲବ୍ଧି କରିଥିଲେ ମଧ୍ୟ ତାକୁ ଗଳ୍ପରେ ପାଳନ କରି କହିବାର ସତସାହସ କି ସତ୍ ମାର୍ଗଟେ ନପାଇ ପରମ୍ପରାବାଦୀ ହୋଇପଡିଛନ୍ତି ଫକୀରମୋହନ ସେନାପତି ।

ରେବତୀ ଗଳ୍ପ ପ୍ରକାଶ ପାଇବାର ଷୋହଳ ବର୍ଷ ପରେ ଅର୍ଥାତ୍ ୧୯୧୪ ମସିହାରେ ଲେଖିଥିବା ଆଉ ଗୋଟେ ଗଳ୍ପ 'ସଭ୍ୟଜମିଦାର'ରେ ଫକୀରମୋହନ ସେନାପତି କଲିକତାର ଜଣେ ଶିକ୍ଷିତା ନାରୀ ନୟନତାରାର ଦୁଃଖ ପାସୋରାକୁ ଆଣି ତା ମାଧ୍ୟମରେ ଯାହା ସବୁ କରାଇଛନ୍ତି ତାହା ଓଡିଶାର ଲୋକଜୀବନକୁ ନାରୀଶିକ୍ଷା ପ୍ରତି ଆଉ ଏକ ବିଦ୍ବେଷୀ ଭାବନା ପହଞ୍ଚାଇ ଦିଏ । ସେଭଳି କିଛି ଘଟଣା ଯେ ଘଟି ନଥିବ ତାହା କୁହାଯାଇ ପାରିବ ନାହିଁ । ମାତ୍ର ଫକୀରମୋହନଙ୍କ ପରି ଜଣେ ସମାଜ ସଂସ୍କାରକ କିପରି ଏପରି ଏକ କାହାଣୀକୁ ବିଷୟବସ୍ତୁ ଭାବରେ ଚୟନ କରି ପରିବେଷଣ କରିପାରନ୍ତି । ତତ୍କାଳୀନ ସମାଜରେ ନାରୀଶିକ୍ଷାର ସୁପ୍ରଭାବ ପ୍ରତି ସମାଜର ସୁଦୃଷ୍ଟି ଆକର୍ଷଣ କରାଇପାରିନଥିବା ଗାଳ୍ପିକ ନାରୀଶିକ୍ଷାର କୁପ୍ରଭାବ ଦେଖାଇ ନାରୀଶିକ୍ଷା ପ୍ରତି ହିଁ ସମାଜର କୁଦୃଷ୍ଟି ଆକର୍ଷଣ କରାଇବା ତାଙ୍କ ରେବତୀ ରଚନାକାଳୀନ ଅପରାଧ ତାଲିକାରେ ଆଉ ଏକ ଅପରାଧ ଯୋଡି ଦେଇଛନ୍ତି ।

ନିଜର ଅଜାଣତରେ ହେଉ ବା ବାଧ୍ୟବାଧକତାରେ ହେଉ ସମସାମୟିକ ସମାଜର ମୂଲ୍ୟବୋଧ ପ୍ରତି କରିଥିବା ଅନ୍ୟାୟ ଫକୀରମୋହନଙ୍କ ଗୋଚରରେ ଥିଲା । ତେଣୁ ସଭ୍ୟଜମିଦାର ରଚନାର ଏକବର୍ଷ ପରେ ଏବଂ ରେବତୀ ରଚନାର ଦୀର୍ଘ ୧୭ ବର୍ଷ ପରେ ଅର୍ଥାତ୍ ୧୯‍୧୫ ମସିହାରେ ସେ ଲେଖୁଛନ୍ତି ଆଉ ଏକ ନାରୀଶିକ୍ଷା ଆଧାରିତ ଗଳ୍ପ 'ପାଠୋଇ ବୋହୁ' । ଗଳ୍ପଟିର ନାୟକ ଗୋପାଳଚରଣ ନିଜ ସ୍ତ୍ରୀ ଗଳ୍ପନାୟିକା ସରସ୍ବତୀଙ୍କୁ ପାଠ ପଢାଇବାର ପ୍ରୟାସ କରିଛନ୍ତି । ଏ ଭିନ୍ନକଥା ଯେ ସରସ୍ବତୀ ଅ, ଆ ରୁ ଇ ଯାଏଁ ବଢି ପାରିନାହାନ୍ତି କିନ୍ତୁ ନାରୀଶିକ୍ଷା ପ୍ରତି ଗୋଟେ ସୁଦୃଷ୍ଟିଭଙ୍ଗୀ ଆଲୋଚ୍ୟ ଗଳ୍ପଟିରେ କ୍ଷୀଣ ହେଲେ ମଧ୍ୟ ଦେଖିବାକୁ ମିଳିଥାଏ । କାରଣ ଗଳ୍ପର ନାରୀର ମୁର୍ଖତା, ଅଶିକ୍ଷିତା ହେବା ଯେ କେତେ ଚିନ୍ତାର ବିଷୟ ହୋଇପାରେ ତାହା ପାଠକ ତଥା ସମାଜ ବ୍ୟଙ୍ଗବିଦ୍ରୂପ ମାଧ୍ୟମରେ ମର୍ମେମର୍ମେ ଅନୁଭବ କରିପାରେ । ଏ ଗଳ୍ପ ସଂର୍ପକରେ ଚିନ୍ତାମଣି ଦାସ ତାଙ୍କର 'ସାହିତ୍ୟ ସାଧକ ଫକୀରମୋହନ' ପୁସ୍ତକରେ କହିଛନ୍ତି - "ଏଥିରେ 'ରେବତୀ' ଗଳ୍ପପରି ନାରୀ ସମାଜର ରକ୍ଷଣଶୀଳତା କୌଣସି ବେଦନାଦାୟକ ଘଟଣାର ଅନ୍ତରାଳରେ ପ୍ରଚ୍ଛନ୍ନ ହୋଇରହିନାହିଁ । ପାଠୋଇ ବୋହୂର ନାମକରଣ ହିଁ ଅତି ବ୍ୟଙ୍ଗାତ୍ମକଭାବରେ ଏ ଗଳ୍ପର ବିଷୟବସ୍ତୁର ଇଙ୍ଗିତ ସୁସ୍ପଷ୍ଟ । 'ରେବତୀ' ଗଳ୍ପରେ ଗୋଟିଏ ବୃଦ୍ଧାଥିଲା ତାଙ୍କର ବ୍ୟଙ୍ଗବିଦ୍ରୂପର ଶିକାର । ଏ ବ୍ୟଙ୍ଗ ପୁଣି କରୁଣ ରସାସ୍ରିତ । କିନ୍ତୁ 'ପାଠୋଇ ବୋହୂ'ରେ ଫକୀରମୋହନ ଜଣେ ନିର୍ଭୀକ ସମାଜସଂସ୍କାରକ । ଏ ଗଳ୍ପ କେବଳ ହାସ୍ୟରସରେ ମାଧୁର୍ଯ୍ୟ ନୁହଁ, ଏଥିରେ ଅଶିକ୍ଷିତା କୁଳବଧୂର ନିର୍ବୁଦ୍ଧିତା ଉପରେ ଶାଣିତ ବ୍ୟଙ୍ଗ । ବ୍ୟଙ୍ଗ, ହାସ୍ୟରସ, ବିଦ୍ରୂପ, କୌତୁକ, ରଙ୍ଗ ରହସ୍ୟ, ତିର୍ଯ୍ୟକ୍ ବାକଭଙ୍ଗୀ ଓ ବକ୍ରୋକ୍ତିର ମଧୁର ସମନ୍ବୟରେ ଏହାର ଦୀର୍ଘାୟତନ ସତ୍ତ୍ବେ ଏ ଗଳ୍ପଟି ଓଡିଆ ସାହିତ୍ୟର ଗୋଟିଏ ହୃଦ୍ୟ ଓ ଉପଭୋଗ୍ୟ ସାମଗ୍ରୀ ।"

୧୮୯୮ ମସିହାରେ ପ୍ରଥମକରି ସାହିତ୍ୟରେ ଗୋଟିଏ ଝିଅ ପାଠପଢିବା ପାଇଁ ପାଦ କଚାଡି କଚାଡି ନିଜର ପରିବାରକୁ, ନିଜର ଜୀବନକୁ ରସାତଳଗାମୀ କରି, ୧୯‍୧୪ରେ ବିଶୃଙ୍ଖଳିତ ନାରୀର ମର୍ଯ୍ୟାଦା ପାଇ, ୧୯୧୫ରେ ସ୍ବାମୀ ତଥା ସମାଜ ଦ୍ବାରା ଉପହସିତ ହୋଇ ପରିଶେଷରେ ତାର ମନସ୍କାମନା ପୂର୍ଣ୍ଣ ହେଉଛି ୧୯୧୬ ମସିହାରେ ଗାଳ୍ପିକ ଫକୀରମୋହନ ସେନାପତିଙ୍କ ଶେଷଗଳ୍ପ 'ଗାରୁଡିମନ୍ତ୍ର'ରେ । ମୋତେ ଲାଗେ ରେବତୀରେ ହୋଇଥିବା ଭୁଲକୁ ସୁଧାରିବା ପାଇଁ ହିଁ ଗାରୁଡିମନ୍ତ୍ରର ପରିକଳ୍ପନା କାରଣ ଗଳ୍ପଟିର ଛତ୍ରଛତ୍ରେ ଅନ୍ଧତା, କୁସଂସ୍କାର, ଅନ୍ଧବିଶ୍ବାସ ଭର୍ତ୍ତି ପୁରାତନ ଚେତନାକୁ ବ୍ୟଙ୍ଗ, ବିଦ୍ରୂପ, ତାତ୍ସଲ୍ୟ କରି ନାରୀଶିକ୍ଷା ଓ ସ୍ବାଧିନତା ପରି ନୂତନ ଚେତନାର ଜୟଗାନ କରିବା ପ୍ରଶଂସନୀୟ । ଗଳ୍ପଟିର ଶିକ୍ଷିତ ନାୟକ ମଦନମୋହନଙ୍କ ମାଧ୍ୟମରେ ଫକୀରମୋହନ ନିଜର ପ୍ରକୃତ ଆଦର୍ଶର ପ୍ରତିଫଳନ କରାଇପାରିଛନ୍ତି । ବାଲେଶ୍ବରରେ ସ୍ଥାପନ କରିଥିବା ବାଳିକା ବିଦ୍ୟାଳୟରେ ସେ ପ୍ରଥମକରି ନିଜର ଗଳ୍ପନାୟିକା 'ମୋହିନୀ'ର ନାମ ଲେଖାଇଛନ୍ତି ଏବଂ ଶିକ୍ଷକ ଭାବରେ ମଦନମୋହନଙ୍କୁ ନିଯୁକ୍ତ କରିଛନ୍ତି । ରେବତୀ ଗଳ୍ପରେ ଯେପରି ନାରୀଶିକ୍ଷାର ପ୍ରତିନିଧିମାନେ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲେ, ଠିକ୍ ସେହିପରି ଦଶା ଭୋଗିଛନ୍ତି 'ଗାରୁଡିମନ୍ତ୍ର' ଗଳ୍ପର ପରମ୍ପରାର ପ୍ରତୀକ ପଦି । ଫକୀରମୋହନ ସେନାପତି ଗାଳ୍ପିକ ଭାବରେ କରିଥିବା ଦିବ୍ୟଅପରାଧର ଦିବ୍ୟ ପ୍ରାୟଶ୍ଚିତ କରିପାରିଛନ୍ତି 'ଗାରୁଡିମନ୍ତ୍ରରେ' ।

ସହାୟକ ଗ୍ରନ୍ଥ:

୧. ଆତ୍ମଚରିତ - ଫକୀରମୋହନ ସେନାପତି

୨. ଫକୀରମୋହନ ଗ୍ରନ୍ଥାବଳୀ, ଗଳ୍ପମାଳା - କଇଳାଶ ପଟ୍ଟନାୟକ

୩. ଫକୀରମୋହନ ସାହିତ୍ୟ ସମୀକ୍ଷା - ନଟବର ସାମନ୍ତରାୟ

୪. ସାହିତ୍ୟ ସାଧକ ଫକୀରମୋହନ - ଚିନ୍ତାମଣି ଦାଶ