ଜରୁରୀ ନାଟ୍ୟ ପଠନ

ରେଡିଓ ନାଟକ ରଚନା ସମୟରେ ଧ୍ୱନିର ଇଫେକ୍ଟ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ । ସିନେମା ଓ ଧାରାବାହିକରେ କ୍ୟାମେରା ତଥା ଦୃଶ୍ୟ । ମାତ୍ର ନାଟକରେ ମଞ୍ଚ, ଦର୍ଶକ, ଅଭିନେତା, ସମୟ ସୀମିତ ଆଲୋକ, ଧ୍ୱନି ଆଦି ଅନେକ କଥାକୁ ଧ୍ୟାନ ଦିଆଯିବା ଦରକାର ।


ଫଟୋ - ଦେବଦତ୍ତ ପତି

କବିତା, ଗପ, ଉପନ୍ୟାସ ଓ ନାଟକ ରଚନା ମଧ୍ୟରେ ଅନେକ ପାର୍ଥକ୍ୟ ରହଛି । କବିତା, ଗଳ୍ପ, ଉପନ୍ୟାସରେ ଭାବନାକୁ ସାଧାରଣତଃ ବର୍ଣ୍ଣନା ଶୈଳୀରେ ଉପସ୍ଥାପନ କରାଯାଇଥାଏ । ଗଢ଼ଣ ଚାତୁରୀରୁ ଏହା ଅନନ୍ୟ ରୂପ ନେଇଥାଏ । ନାଟକ ରଚନା ଅନେକାଂଶରେ ଭିନ୍ନ । ନାଟକ ହେଉ, ଅବା ସିନେମା ପଟ୍ଟକଥା ଲିଖନ ପାଇଁ ଅଧିକ ସଚେତନ ଓ ଚତୁରତା ଜରୁରୀ । ଆମେରିକା ଆଦି ଦେଶର ଅନେକ ଶିକ୍ଷାନୁଷ୍ଠାନରେ ଏନେଇ ଅନେକ ପାଠ୍ୟକ୍ରମ ରହିଛି । ଭାରତରେ ବଦଳିନି ପରିଦୃଶ୍ୟ । ଆମ ଭାଷାରେ ମଧ୍ୟ ସେପରି କିଛି ଉପାଦେୟ ପୁସ୍ତକ ମଧ୍ୟ ନାହିଁ । ଆମର ଏଠି ସାଧାରଣତଃ କୁହାଯାଇଥାଏ କି ରଚନା ଯେପରି ବି ହେଉନା କାହିଁକି ତାହା ଶିଖା ଯାଇ ନଥାଏ । କେବେ କେବେ ଆମେ ବି ଏହା ମାନିଥାଉ କି ରଚନା କେବେ ଶିଖା ଯାଇ ନପାରେ । ଆମ ଏଠି କୁହା ଯାଇଥାଏ କି ସାହିତ୍ୟରେ କେହି ଗୁରୁ ନଥାନ୍ତି । ଏଥିପାଇଁ କୌଣସି ଶିକ୍ଷାପ୍ରଣାଳୀ ନାହିଁ । ସେଥିପାଇଁ ସାହିତ୍ୟରେ, ଲିଖନରେ କେହି ଗୁରୁ - ଶିଷ୍ୟ ନଥାନ୍ତି । ପ୍ରକୃତରେ ଏହା ଭ୍ରାମକ । ଏପରି ଚିନ୍ତନ ଦ୍ୱାରା ଏୟା ହେଇଛି କି ଏଠାରେ ଗୀତ, ସଂଗୀତ, ରେଡିଓ ନାଟକ, ସିନେମା, ଧାରାବାହିକ ଅବା ମଞ୍ଚ ନାଟକ, କେହି ଅଧିକ ଦିନ ପାଇଁ ଏହି ବିଭାଗରେ ତିଷ୍ଠି ପାରି ନାହାନ୍ତି । ଅବଶ୍ୟ ଏହା ସାର୍ବଜନୀନ ସତ୍ୟ ନୁହେଁ । ଏହି ସମସ୍ତ କ୍ଷେତ୍ରରେ ଶିଖରକୁ ଯାଇଥିବା ଅନେକ ପ୍ରତିଭାଶାଳୀ ଲେଖକ ଏହି ଚିନ୍ତାଧାରାକୁ ଭୁଲ୍ ପ୍ରତିପାଦନ କରିଛନ୍ତି ।

ଅନେକ ଭାବନ୍ତି କି ସେମାନଙ୍କୁ ଯେପରି ଲେଖି ଆସେ, ସେମାନେ ସେପରି ଲେଖିବେ । କିନ୍ତୁ ଏହା ସତ୍ୟ ନୁହେଁ । ସତ୍ୟ ନୁହେଁ ଏଥିପାଇଁ କି ତାହା ପରିବେଷଣ ଉପଯୋଗୀ ହେବ ନାହିଁ । ନାଟକ, ସିନେମା, ଧାରାବାହିକ ଏ ସମସ୍ତ ବିଧାର ମାଧ୍ୟମ ଅଲଗା ଅଲଗା । ଅଲଗା ଅଲଗା ବିଶେଷତା । ଯେପରିକି ଜଣେ ସାମ୍ବାଦିକ ଘଟଣାକୁ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କଲାବେଳେ ଅନାବଶ୍ୟକ ଭାବେ ଏହାକୁ ଅତିରଞ୍ଜିତ କରି ନଥାଏ । ମାତ୍ର ଗାଳ୍ପିକ କିମ୍ବା ଔପନ୍ୟାସିକ ରଚନା କଲାବେଳେ ଆବଶ୍ୟକତା ଅନୁସାରେ ଘଟଣାକୁ ବର୍ଣ୍ଣନା କଲାବେଳେ ରଙ୍ଗ, ରସ ଓ ପୁଟ ଦେଇଥାଏ । ଜରୁରୀ ମଧ୍ୟ । ନିଜର କଳ୍ପନାକୁ ଯଥାର୍ଥ ଭାବେ ରଙ୍ଗ ଦେଇ ସାହିତ୍ୟର ଉତ୍କୃଷ୍ଟ ସ୍ତରକୁ ନେଇ ଯାଇଥାଏ ।

ସାହିତ୍ୟରେ ସୁବିଧା ଥାଏ କି ଶବ୍ଦର ସାହାରା ନେଇ ଯେ କୌଣସି ଘଟଣାକୁ ବର୍ଣ୍ଣନା କରିହୁଏ । ପାତ୍ରର ଭାବନାକୁ ଉଖାରିହୁଏ । ପାତ୍ର କଣ ଭାବୁଛି ? କଅଣ ସ୍ୱପ୍ନ ଦେଖୁଛି ? ପରିସ୍ଥିତି କ’ଣ ରହିଛି ? ମନସ୍ଥିତି କ’ଣ ? ଅନ୍ୟ ପାତ୍ର ସହିତ ସମ୍ବନ୍ଧ କ’ଣ ? ଅନ୍ୟ ପାତ୍ର କ’ଣ ଚିନ୍ତା କରୁଛି ଏ ସବୁୁକୁ ରଚନାକାର ନିଜ ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରିପାରେ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠି ପାଠକ, ଏହାକୁ ଥରେ ପଠନ କଲାପରେ ଯଦି ବୁଝି ନପାରେ, ତେବେ ବାରମ୍ବାର ପଢ଼ିବାର ସୁଯୋଗ ରହିଥାଏ । ପାଲା, ଦାସ୍‌କାଠିଆ ଆଦିରେ କଠିନ ଶବ୍‌ଦ କିମ୍ବା ବାକ୍ୟ ଆସିଲେ କଥାବାଚକ ଏହାକୁ ଆଉଥରେ ସରଳ ଶବ୍ଦରେ ବୁଝାଇଥାଏ । ମାତ୍ର ନାଟକରେ ସେ ସବୁର ଅବକାଶ ନଥାଏ ।

ରେଡିଓ ନାଟକ ରଚନା ସମୟରେ ଧ୍ୱନିର ଇଫେକ୍ଟ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ । ସିନେମା ଓ ଧାରାବାହିକରେ କ୍ୟାମେରା ତଥା ଦୃଶ୍ୟ । ମାତ୍ର ନାଟକରେ ମଞ୍ଚ, ଦର୍ଶକ, ଅଭିନେତା, ସମୟ ସୀମିତ ଆଲୋକ, ଧ୍ୱନି ଆଦି ଅନେକ କଥାକୁ ଧ୍ୟାନ ଦିଆଯିବା ଦରକାର ।

ସାହିତ୍ୟ ପଢ଼ା ଯାଇଥାଏ, ରେଡିଓ ନାଟକ ଶୁଣା ଯାଇଥାଏ, ଧାରବାହିକ କିମ୍ବା ସିନେମାରେ ଦୃଶ୍ୟର ପ୍ରାଧାନ୍ୟ ରହିଥାଏ । ମାତ୍ର ରଙ୍ଗମଞ୍ଚରେ ଏହା ଅନ୍ୟ ଏକ ପରିଦୃଶ୍ୟରେ ପରିବର୍ତ୍ତିତ ହୋଇଥାଏ । ଏ ସମସ୍ତ ଘଟଣାକୁ ଏକାଠି କରି ବୁଣିବାକୁ ପଡ଼ିଥାଏ । ଭବ୍ୟରୁ ଅତି ଭବ୍ୟ ମଞ୍ଚରେ ମଧ୍ୟ ଟାଇଟାନିକ୍ ଜାହାଜ ବୁଡ଼ିଯାଉଥିବା ଦୃଶ୍ୟ କିମ୍ବା କଳିଙ୍ଗ ଯୁଦ୍ଧକୁ ସଠିକ୍ ଢଙ୍ଗରେ ଦେଖା ଯାଇପାରିବ ନାହିଁ । ସେଥିପାଇଁ ନାଟକ ରଚନା ସମୟରେ ସଂଳାପର ଗୁରୁତ୍ୱ ଅଧିକ ବଢ଼ି ଯାଇଥାଏ । ବେଳେବେଳେ ତ ବିନା ସଂଳାପରେ ମଧ୍ୟ ଅନେକ କଥା କହି ହୁଏ । ଏକ ବଙ୍ଗଳା ନାଟକ ଦେଖିଥିଲି । ପୁତୁଲୁ ବାବୁ ଫିଲ୍ମିଷ୍ଟାର । ନାଟକର ମୁଖ୍ୟ ଚରିତ୍ର ପୁତୁଲୁ ବାବୁ ‘ଆହ୍‌’ ଶବ୍ଦକୁ ୨୪ ପ୍ରକାର କହି ଦର୍ଶକଙ୍କୁ ଅଭିଭୂତ କରି ଦେଇଥିଲେ । କାହାଣୀ, ଚରିତ୍ର, ଘଟଣା, ତର୍କ, ଦୃଶ୍ୟ ଆଦିକୁ ଗୁନ୍ଥି ସୀମିତ ସମୟ ଓ ଗୋଟିଏ ମଞ୍ଚରେ ଏହାକୁ ମଞ୍ଚାୟନ କରିବାକୁ ପଡ଼ିଥାଏ । ଏହି ସମସ୍ତ କଥାକୁ ପଟ୍ଟକଥା ଆକାରରେ ରଙ୍ଗମଞ୍ଚରେ ଯିଏ ପରଷି ଦିଅନ୍ତି ସେମାନେ ହେଲେ ଅଭିନେତା । ଆଉ ଏହି ଅଭିନେତା ସମେତ ସମ୍ପୂର୍ଣ୍ଣ ନାଟକକୁ ଯିଏ ଆଗେଇ ନିଅନ୍ତି ସେ ହେଲେ ନିର୍ଦ୍ଦେଶକ । ନିର୍ଦ୍ଦେଶକ ହିଁ ଗୋଟି, ସଫଳ ନାଟକର ହର୍ତ୍ତାକର୍ତ୍ତା ।

ଆଜି ନିର୍ଦ୍ଦେଶକଙ୍କ ନିକଟରେ ପ୍ରାଚୀନ ନାଟ୍ୟକଳା ଅତିରିକ୍ତ ଗ୍ରୀକ୍‌, ଚୀନ୍‌, ଜାପାନ, ରୁଷ, ପୋଲାଣ୍ଡ, ଜର୍ମାନୀ ତଥା ବିଶ୍ୱର ଅନେକ ଦେଶର ନାଟ୍ୟ ପରିବେଷଣ କଳା ମହଜୁଦ୍ । ଅନେକ ବିଦେଶୀ ନାଟ୍ୟବିଦ୍ ଯେପରିକି ସ୍ତାନିସ୍ଲାବିସ୍କି, ବ୍ରେଖ୍‌ତ, ମେୟରହୋଲ୍ଡ, ଚେଖବ୍ ଆଦି ନିର୍ଦ୍ଦେଶକଙ୍କ ସମକାଳୀନ ଶୈଳୀ ଉପଲବ୍‌ଧ । ଯଦିଓ ଏମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଆମ ନିଜ ନାଟ୍ୟ ପରମ୍ପରା ଅନେକାଂଶରେ ଅବହେଳିତ ଅବା ହଜି ଯାଉଛି ।

ମନେ ରଖିବାକୁ ହେବ, ଆମର ଇତିହାସ ‘ହିଷ୍ଟ୍ରୀ’ ନୁହେଁ । ପାଶ୍ଚାତ୍ୟ ପରମ୍ପରାରେ ହିଷ୍ଟ୍ରୀ ଶବ୍ଦର ଅର୍ଥ, ତଥ୍ୟ ଓ ତିଥି ଆଧାରିତ ଘଟଣା । ସେମାନଙ୍କ ନିକଟରେ ତ ଇସାଙ୍କ ଜନ୍ମ ପରର ଘଟଣା ରହିଛି । ସେମାନେ ସେଥିପାଇଁ ତା ପୂର୍ବର ଜୀବନକୁ ସ୍ୱୀକାର କରନ୍ତିନି । ସେମାନେ ଆମର ଇତିହାସର ଅବଧାରଣାକୁ ସ୍ୱୀକାର କରି ପାରିବେନି । ଆମ ଇତିହାସ ବିତି ଯାଇଥିବା ଘଟଣା ନୁହେଁ । ଏହା ଆମ ନିକଟରେ ପ୍ରତ୍ୟକ୍ଷ ଭାବର ସହିତ ଠିଆ ହୋଇଛି ।

ସାମ୍ପ୍ରତିକ ପରିସ୍ଥିତିରେ ଜାତୀୟ ସ୍ତରରେ ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଳିତ ଏକ ନୂଆ ପ୍ରୟୋଗ ମଧ୍ୟ ଆରମ୍ଭ ହୋଇଛି । ନାଟ୍ୟରଚନା ହେଉ ଅବା ନିର୍ଦ୍ଦେଶନା, ପରୀକ୍ଷା ନିରୀକ୍ଷା ଜାରି ରହିଛି । ନିକଟରେ ନାଟକ ପଠନକୁ ନେଇ କିଛି କିଛି ମନ୍ତବ୍ୟ ଫେସ୍‌ବୁକ୍ ୱାଲ୍‌ରେ ଦେଖିବାକୁ ମିଳୁଛି । ନାଟକ ପଢ଼ିବାର ଅଭ୍ୟାସ ଆଉ ଆମର ନାହିଁ । ଗଳ୍ପ ଉପନ୍ୟାସ ଓ ନାଟକ ଆଦି ପଠନ କରିବା ଜରୁରୀ । ଏହା ବ୍ୟତୀତ ଜଣେ କିପରି ନାଟକ ଲେଖିପାରିବ ?

କୋଭିଡ୍ କାଳରେ ଜାତୀୟ ସ୍ତରରେ ଅନେକ ନାଟ୍ୟପଠନ ଅଧିବେଶନ ଅନ୍‌ଲାଇନ୍‌ରେ ସମ୍ପନ୍ନ ହୋଇଥିଲା । ଆମର ଏଠି ଯଦିଓ ଅନେକ କବିତା ଆବୃତ୍ତି ଓ ଗଳ୍ପ ପଠନ ଜାରି ରହିଛି । ମାତ୍ର ତାହା ସୀମିତ । ନାଟକ ପଠନ ତ ଆଦୌ ନାହିଁ କହିଲେ ଚଳେ । ଆଗ ନାଟକ ପଠନ ଆରମ୍ଭ ହେଉ । ପରେ ନାଟକ ରଚନା ପ୍ରତି ଯୁବ ରଚନାକାରଙ୍କ ମନରେ ଆଗ୍ରହ ସୃଷ୍ଟି କରିବା କଥା ଚିନ୍ତା କରିବା ।

ବାକି ଆରଥରକୁ..