ଫଟୋ - ୱିକି କମନ୍ସ

'ତାପରେ କ'ଣ ହେଲା ?' ପରି ଶିଶୁ ସୁଲଭ ମନର ଜିଜ୍ଞାସା ମେଣ୍ଟାଇବାକୁ ଯାଇ କିଏ ଜଣେ କହିଯାଇଥିବା ଅଲିଖିତ ଉତ୍ତରମାନେ କେତେବେଳେ ଲୋକମାନଙ୍କ ପାଇଁ ଗପ ହୋଇଯାଏ ତା'ର ସାକ୍ଷୀ ଓ ପ୍ରମାଣ କେହି ଦେଇପାରିବେ ନାହିଁ । କେବେ ତା'ର ସୃଷ୍ଟି, କିଏ ତାର ସ୍ରଷ୍ଟା ଚିରକାଳ ଅଜ୍ଞାତ ବୋଲି ବୋଧେ ସେ ଗପ ଆଜିବି ସାଧାରଣ ଜନତାଙ୍କର ପ୍ରିୟ । ଗପକୁ ଭଲପାଉଥିବା ଜନତାଙ୍କ ପାଇଁ ଲୋକକାହାଣୀ ନିଜ ପୂର୍ବପୁରୁଷଙ୍କ ଦ୍ବାରା ପ୍ରଦତ୍ତ ଅମୂଲ୍ୟ ସମ୍ପଦ, ଯାହା ସଞ୍ଚୟରେ ନୁହଁ ସଞ୍ଚରଣରେ ବଢେ । ଲୋକଗପର କୁହୁକ କଳ୍ପନା ବି ତାର ଶ୍ରୋତା ପାଇଁ ଏକ ବିରାଟ ସତ୍ୟ ରୂପରେ ଠିଆହୋଇଥାଏ, ଅଗଣିତ କାଳ ପୂର୍ବରୁ ଆରମ୍ଭ ହୋଇଥିଲେ ବି ବର୍ତ୍ତମାନର ଶ୍ରୋତାଟେ ସେ କାହାଣୀକୁ ଶୁଣି ଉଲ୍ଲସିତ ହୋଇଥାଏ, ରୋମାଞ୍ଚିତ ହୁଏ । ହେଲେ କାହିଁକି ଓ କେମିତି ? ଏଇପରି ପ୍ରଶ୍ନ ଯେତେବେଳେ ମନକୁ ଆସେ ଆରମ୍ଭ ହୁଏ ଲୋକଗପକୁ ବୁଝିବାର, ତା ସଂର୍ପକରେ ଜାଣିବାର ଅଧ୍ୟୟନ । ସେଥିରୁ ବାହାରିଥାଏ ନୂଆ ତଥ୍ୟ ଓ ତତ୍ତ୍ବ । ଲୋକକଥା କାହିଁକି ଲୋକଙ୍କର ଏତେ ଆପଣାର ଖୋଜୁଖୋଜୁ ଗବେଷକମାନେ ଆମ ସାମ୍ନାରେ ରଖିଦେଇଯାନ୍ତି ଅନେକ ପ୍ରାମାଣିକ ମତ - ମନ୍ତବ୍ୟ ଏବଂ ଆମକୁ ଚେତେଇ ଦିଅନ୍ତି ଲୋକକଥାର ଅନେକ ବିଶେଷତ୍ଵ ସଂର୍ପକରେ । କେତେକ ବିଶେଷତ୍ବ ସଂର୍ପକରେ ପୁଙ୍ଖାନୁପୁଙ୍ଖ ଆଲୋଚନା, ଗବେଷଣା ହୋଇଥିବାବେଳେ ଆଉ କେତେକର ଆଲୋଚନା ଅଳ୍ପ । ଲୋକକଥା ଶୁଣୁଥିବା ପ୍ରତ୍ୟେକ ମଣିଷ ସେଥିରେ ଥିବା ପଦ୍ୟମୟତାକୁ ଅନୁଭବ କରିଥିବେ । ସେମାନଙ୍କୁ ଲୋକଗଳ୍ପରେ ପଦ୍ୟର ଭୂମିକା ଅତୁଳନୀୟ କହିଲେ ସ୍ବୀକାର ମଧ୍ୟ କରିବେ । ତେବେ ଲୋକଗଳ୍ପରେ ପଦ୍ୟର ପ୍ରୟୋଗକୁ ନେଇ ଆଲୋଚନା କରାଯାଇପାରେ ।

ଲୋକଗଳ୍ପ ସହିତ ପଦ୍ୟର ଏକ ନିବିଡ ସଂର୍ପକ ରହିଛି । ଗଳ୍ପ ଆରମ୍ଭରୁ ଗଳ୍ପସାଗର ବା ଗଳ୍ପକଥକ କହୁଥିବା 'କଥାଟିଏ କହୁ, କଥାଟିଏ କହୁ, କି କଥା ? ଖିରୀକଥା, ଖିରୀ କିଏ ନେଲା' ପରି କଥାନିରୁ ଆରମ୍ଭ କରି ଗପ ସମାପ୍ତିରେ 'ମୋ କଥାଟି ସରିଲା ଫୁଲଗଛଟି ମରିଲା' ପଦ୍ୟୋକ୍ତି ମଝିରେ ରହିଥିବା କାହାଣୀ ପର୍ଯ୍ୟନ୍ତ ପଦ୍ୟମୟତାର ପ୍ରଭାବ ସୁସ୍ପଷ୍ଟ । କେତୋଟି ସ୍ଥଳରେ ଏହି ପଦ୍ୟ କେବଳ ଗପର ସହାୟକ ଉପାଦାନ ଭାବରେ ବ୍ୟବହୃତ ହୋଇଥିବାବେଳେ ଆଉ କେତୋଟି ସ୍ଥଳରେ ପଦ୍ୟ ହିଁ ଗପରେ ରୂପାନ୍ତରିତ ହୋଇଥାଏ । 'ବଗବଗୁଲୀ ଗପ', 'ତୋତେ ବୋଲଇ ଫୁଲ କୁଆଁରୀ ଲୋ' ଇତ୍ୟାଦି ଗପରେ ପଦ୍ୟ ହିଁ ମୁଖ୍ୟ ଉପଜୀବ୍ୟ । କଥା ବଦଳରେ ପଦ୍ୟମୟତାକୁ ଉକ୍ତ ଗପଗୁଡିକରେ ଗୁରୁତ୍ବ ଦିଆଯାଇଛି । ବଗବଗୁଲୀ ଗପରେ ମୂଳ ପଦ୍ୟାଂଶ ସହ ଆଉ କିଛି ପଦ ଘଟଣାଚକ୍ରରେ ଯୋଡିହୋଇ ଏକ ପୂର୍ଣ୍ଣାଙ୍ଗ ପାଇଛନ୍ତି ।

ସାଧାରଣ ଭାବରେ କହିଲେ ଲୋକକଥାରେ ପଦ୍ୟର ପ୍ରୟୋଗ ଫଳରେ କଥକ ବା କଥାସାଗର ଶ୍ରୋତାକୁ ଏକ ରସାଳ, ଶ୍ରୁତିମାଧୁର୍ଯ୍ୟ, ସ୍ମରଣ ରଖିବାର ପରିବେଶ ପ୍ରଦାନ କରେ ଏବଂ କାହାଣୀର ମାୟାଜାଲରେ ଛନ୍ଦି ରଖେ । ପୁଣି ଆଲୋଚନାତ୍ମକ ଭାବରେ ଲୋକକଥାରେ ପଦ୍ୟର ପ୍ରୟୋଗକୁ ନେଇ ତାତ୍ତ୍ବିକ ଆଲୋଚନା କରାଯାଇପାରେ ଏବଂ ଲୋକକଥାରେ ପଦ୍ୟର ପ୍ରୟୋଗ ଫଳରେ କିପରି କାହାଣୀର କେଉଁପରି ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ ଆଲୋକପାତ କରାଯାଇପାରେ ।

ପ୍ରଥମତଃ, ଗପର ପ୍ରବାହମାନତା ତଥା ଗତିଶୀଳତାକୁ ପଦ୍ୟ ନିୟନ୍ତ୍ରିତ କରେ । ଅନାବଶ୍ୟକ ବର୍ଣ୍ଣନା ବଦଳରେ ଗଳ୍ପସାଗର ପଦ୍ୟର ସାହାଯ୍ୟ ନେଇ ଗପର ଗତିଶୀଳତାକୁ ନିୟନ୍ତ୍ରିତ କରନ୍ତି ଏବଂ ଦି'ଟା ଘଟଣାକୁ ମଧ୍ୟ ପରସ୍ପର ଯୋଡିବାର କାମ କରନ୍ତି । ଘଟିଯାଇଥିବା ଘଟଣାର ବିବରଣୀ ଆଉ କାହାକୁ ବଖାଣିବା ପାଇଁ କିମ୍ବା ଏକାନ୍ତରେ ସ୍ମୃତିଚାରଣ ପାଇଁ ଗପର ଚରିତ୍ର ଦୀର୍ଘ କଥାକୁ ପରିହାର କରେ ଏବଂ ବିସ୍ତୃତକୁ ସଂକ୍ଷିପ୍ତ କରିବାର କୌଶଳ ଥିବା ପଦ୍ୟର ସାହାଯ୍ୟରେ ଅଳ୍ପରେ କହିଦିଏ । ଯାହାଫଳରେ କାହାଣୀର ପ୍ରବାହମାନତାରେ ଗୋଟିଏ ଘଟଣାର ଦୁଇଥର ଅବିକଳ ଭାବରେ ବର୍ଣ୍ଣନା ହୁଏ ନାହିଁ ଏବଂ ଗପର ଗୌରବ ବୃଦ୍ଧିରେ ସହାୟକ ହୁଏ । 'ବିଲୁଆ ଆଉ ଟମ୍ ଟମ୍ କଥା'ରେ ଆମେ ଏହାର ସ୍ପଷ୍ଟତା ପାଇଯିବା । ବିଲୁଆ ଓ ଠେକୁଆ ଦି' ସଙ୍ଗାତ ନଈରେ ଗାଧୋଇଲାବେଳେ ଠେକୁଆର ପାଦ ଖସିଛି । ବିଲୁଆ ମନଦୁଃଖ କରି ନଈକୁ ରାଗିବାରୁ ନଈବିଲୁଆକୁ ସେଉଳ ମାଛଟିଏ ଦେଇଛି । ସେଉଳକୁ କୂଳରେ ରଖିଦେଇଥିବା ସମୟରେ ଛଞ୍ଚାଣଟେ ମାଛକୁ ଧରି ଚମ୍ପଟ ମାରିଛି । ଗୋଡାଇ ଗୋଡାଇ ଛଞ୍ଚାଣକୁ ଧରି ପକାଇବାରୁ ମାଛ ବଦଳରେ କୁରାଢୀଟେ ପାଇଛି । ଏଇମିତି ଘଟଣା ଚକ୍ରରେ ହଡାବଳଦ ବଦଳରେ ଢୋଲଟେ ପାଇଛି ଏବଂ ପୂର୍ବସ୍ମୃତି ବା ଘଟଣା ସଂର୍ପକରେ ମନେପକାଇ ବିଲୁଆ ଢୋଲଟିକୁ ବଜାଇ ବଜାଇ ଗୀତଗାଇଛି -

ସଙ୍ଗାତ ନଈରେ ବୁଡିମଲା, ଟମ୍ ଟମ୍
ସେଉଳ ମାଛକୁ ଛଞ୍ଚାଣ ନେଲା, ଟମ୍ ଟମ୍
କାଠଗୋଛାକୁ ଗୁଡିଆ ନେଲା, ଟମ୍ ଟମ୍
ଖଜାମିଠାଇ ବହୁତ ଦେଲା, ଟମ୍ ଟମ୍
ଖଜାମିଠାଇ କିଏ ଖାଇଲା ? ଟମ୍ ଟମ୍
ଗଉଡ ପିଲା ଲୁଟି ଖାଇଲା, ଟମ୍ ଟମ୍
ହଡାବଳଦ ଗୋଟିଏ ଦେଲା, ଟମ୍ ଟମ୍
ହଡାବଳଦ କିଏ ଖାଇଲେ ? ଟମ୍ ଟମ୍
ସାତ ନଅଅଙ୍କିଆ ଡମ ଖାଇଲେ, ଟମ୍ ଟମ୍
ଏ ଫଟା ଢୋଲଟା ମୋ କପାଳେ ଥିଲା, ଟମ୍ ଟମ୍, ଟମ୍ ଟମ୍

ଉପରୋକ୍ତ ପଦ୍ୟଟିକୁ ଶୁଣିବା ପରେ ପୂର୍ବଘଟଣା ସଂକ୍ଷିପ୍ତରେ ସ୍ମରଣ ହୋଇଯିବା ସହ ଗପର ସୁସ୍ଥକର ଗତିଶୀଳତା ମଧ୍ୟ ଅକ୍ଷୁର୍ଣ୍ଣ ରହେ ଏବଂ ଶ୍ରୋତାମଣ୍ଡଳୀଙ୍କୁ ଆହ୍ଲାଦିତ କରେ ।

ଦ୍ବିତୀୟତଃ, ଚରିତ୍ରମାନଙ୍କର ପରସ୍ପର ବାର୍ତ୍ତାଳାପ ସମୟରେ ମଧ୍ୟ ପଦ୍ୟର ସାର୍ଥକ ପ୍ରୟୋଗ ଘଟେ । ନିରସ ତଥା ଦୀର୍ଘ ସଂଳାପ ଲୋକକଥାର କାହାଣୀ ଭାଗକୁ ଦୁର୍ବଳ କରିଦେଇପାରେ ଏବଂ ଶ୍ରୋତାର ରସଭଙ୍ଗ, ଧୈର୍ଯ୍ୟହାନି ଘଟାଇପାରେ, ତେଣୁ ଅଧିକାଂଶ ଗପରେ ଆବଶ୍ୟକତା ଅନୁସାରେ ଚରିତ୍ରଙ୍କ ଆଳାପ ସଂଳାପରେ ପଦ୍ୟର ପ୍ରୟୋଗ ହୋଇଥାଏ । 'ମାକେଡି ଓ ମହାଜନ ଝିଅ କଥା' ଏହାର ଏକ ପ୍ରକୃଷ୍ଟ ଉଦାହରଣ । ପଦ୍ୟରେ ପଦ୍ୟରେ ଚରିତ୍ରମାନେ କିପରି କଥାବାର୍ତ୍ତା କରନ୍ତି ତା'ର ଏକ ନମୁନା ଉକ୍ତ ଗପରୁ ନିଆଯାଇପାରେ -

"ରଜା - 'ବଣର ମାଲତୀ ମଲ୍ଲୀ ଫିଟାଅ ଦ୍ବାର ଗୋ
ଫିଟାଅ ଦୁଆର
ମହାଜନ ଝିଅ - ମୁ ଅତି ଅବଳାନାରୀ ସାହା ନାଇ ମୋର
ସାହା ନାଇ ମୋର
ରଜା - ଅନ୍ଧାର ଆସୁଛି ଘୋଟି ଧୂମାଳ ପବନ ଗୋ
ଅଗନାଗ୍ନିବନ
ମହାଜନ ଝିଅ - ମୁ ଅତି ଅବଳା ନାରୀ ଅଗନାଗ୍ନି ବନ ହେ
ଅଗନାଗ୍ନି ବନ
ରଜା - ଏ ବଳିତା ନିଭିଯିବ ରଖ ଅଢୁଆଳ ହେ
ପଣତ ଘୋଡାଇ
ମହାଜନ ଝିଅ - ମୁଁ ଅତି ଅବଳାନାରୀ ସାହା କେହି ନାହଁ ହେ
ସାହା କେହି ନାହିଁ
ରଜା - ତୁମର ସାହାସାଥି ଫିଟାଅ ଦୁଆର ହେ
ଫିଟାଅ ଦୁଆର
ମହାଜନ ଝିଅ - କିଏ ତୁମେ ?
ରଜା - କୁଣିଆ ମୁଁ, ଅନ୍ଧାର ଧୂମାଳ ହେ"

ତୃତୀୟତଃ, ସାଙ୍କେତିକ ଲୋକଗପରେ ପଦ୍ୟର ଭୂମିକା ଏକାନ୍ତ ପ୍ରଣିଧାନଯୋଗ୍ୟ । ଏହା ପାଠକକୁ/ଶ୍ରୋତାକୁ ଯେତିକି ରସାପ୍ଲୁତ କରେ ସେତିକି ଗପର କଳାତ୍ମକତାକୁ ମଧ୍ୟ ମହିମାମଣ୍ତିତ କରେ । ସାଙ୍କେତିକ ଲୋକଗପର ପଦ୍ୟରେ ଥାଏ ଅନେକ ଗୁଢ ପ୍ରଶ୍ନ ଓ ତାର ଉତ୍ତର । ଏପରିକା ଗପରେ ଅଧିକାଂଶ ସ୍ଥଳରେ ପଦ୍ୟର ଶବ୍ଦଜାଲ ବୁଣାଯାଇଥାଏ । ସେ ଶବ୍ଦଜାଲ ଛିଣ୍ତେଇ ଅର୍ଥ ବାହାର କରିବା ହିଁ ଗପର ବିଷୟବସ୍ତୁ । ଅର୍ଥାତ୍, ପଦ୍ୟରୂପରେ ଥିବା ପ୍ରହେଳିକା ବା ପ୍ରତୀକାତ୍ମକ ପ୍ରଶ୍ନର ଗ୍ରନ୍ଥିମୋଚନ ହିଁ ସମ୍ପୂର୍ଣ୍ଣ କାହାଣୀର ନିୟନ୍ତ୍ରଣ ସ୍ଥଳ । ଉଦାହରଣ ଭାବରେ "ବାଳ ମୁକୁଳା ଛାଇ" ଲୋକଗପକୁ ନିଆଯାଉ ।

'ବାଳମୁକୁଳା ଛାଇ' ସାଙ୍କେତିକ ଗୋଷ୍ଠୀର ଲୋକଗପ । ଗପରେ ଗୋଟେ ବଣିଆ ଝିଅ ନଇରୁ ପାଣି ବୋହିକି ଆସିଲାବେଳେ ତାକୁ ଯୁବକ ପଥିକଟେ ରାତ୍ରିଯାପନ କରିବା ପାଇଁ ଉତ୍ତମ ଜାଗା ସଂର୍ପକରେ ପଚାରିଛି । ଉତ୍ତରରେ ବଣିଆ ଝିଅ ଚତୁରତାର ସହ କହିଛି -

'ବାଳମୁକୁଳା ଛାଇ
ଶୀତଳ ଛାମଣ୍ତ ଘର
ଶୀତ ନଛାଡିବା ନିଆ ।'

ଏହି ପଦଟିରେ ଲୁଚି ରହିଥିବା ଉତ୍ତର ବାହାର କରିବା ହିଁ ଉକ୍ତ ଗପର ବିଷୟ । ବଣିଆଝିଅ ଚତୁରତାର ସହିତ ପଦରେ ନିଜର ଠିକଣା ଯୁବକକୁ ପଠେଇଛି ବୋଲି ଶ୍ରୋତାମାନେ ଯେତେବେଳେ ଜାଣନ୍ତି ପଦଟିକୁ ଉତ୍କଣ୍ଠା ଓ ଆଗ୍ରହର ସହ ମନେ ରଖିପକାନ୍ତି । ଠିକ୍ ସେହିପରି ଏକ ଜଟିଳ ପ୍ରହେଳିକାର ସରଳ ବର୍ଣ୍ଣନା କରି ଗଳ୍ପସାଗର ଆତ୍ମଶ୍ଲାଘା ଅନୁଭବ କରେ ଏବଂ ଆମୋଦିତ ହୁଏ ।

ଚତୁର୍ଥତଃ, ରସ ସୃଷ୍ଟିରେ ମଧ୍ୟ ପଦ୍ୟର ଭୂମିକା ଅତୁଳନୀୟ । ବୁଢୀ ଅସୁରୁଣୀର ବିକଟାଳରୂପ ବର୍ଣ୍ଣନ ସମୟରେ ପଦ୍ୟ ଅଭ୍ୟୁତରସ ଜଗାଏ, ରାଜକୁମାରୀ ଅପହରଣ ହେଲାବେଳେ ସୃଷ୍ଟି ହୁଏ କରୁଣ ରସ, ଗୋପାଳ ଭଣ୍ତ ପରି ଚରିତ୍ରଙ୍କ ପଦ୍ୟ ସଂଳାପରେ ଝରେ ହାସ୍ୟରସ । ଅର୍ଥାତ୍ ରସ ସୃଷ୍ଟି ପାଇଁ ପଦ୍ୟର ପ୍ରୟୋଗ ମହତ୍ତ୍ବପୂର୍ଣ୍ଣ ଅଟେ ।

ଯଦିଓ ଲୋକଗପର ମୁଖ୍ୟ ଉଦ୍ଦେଶ୍ୟ ଶ୍ରୋତାର ମନୋରଞ୍ଜନ ତଥା ହୃଦୟଆହ୍ଲାଦ କରିବାପାଇଁ ଉଦ୍ଧିଷ୍ଟ ତଥାପି ଏଥିରେ ଥିବା ଜୀବନ ଦର୍ଶନ ଓ ନୈତିକତାର ଶିକ୍ଷାକୁ ଅସ୍ବୀକାର କରାଯାଇପାରିବ ନାହିଁ । ଦର୍ଶନ ଯେ କେବଳ କଠିନ ଶବ୍ଦ ସମ୍ଭାର, ବୌଦ୍ଧିକ ଚିନ୍ତନ ଓ ଗାମ୍ଭୀର୍ଯ୍ୟର ବ୍ୟାପାର ନୁହଁ, ବରଂ ସାଧାରଣ ଢଙ୍ଗରେ, ସାଧାରଣ ଭାଷାରେ ଖୁସି ମଜାରେ ମଧ୍ୟ ପ୍ରକାଶ କରାଯାଇପାରେ, ଏକଥା ଲୋକଗଳ୍ପରୁ ଜାଣିପାରିବା । ବିଶେଷତଃ ଲୋକଗପରେ ନୈତିକତାର ଶିକ୍ଷା, ଉପଦେଶ ଏବଂ ଜୀବନ ଦର୍ଶନର ପରିବେଷଣ ପରି ଗୁରୁଦାୟିତ୍ବ ନିର୍ବାହ ପାଇଁ ପଦ୍ୟର ସାହାଯ୍ୟ ନିଆଯାଏ । ସିଧାସାଧା ପଦ ଭିତରେ କଥକ ନିଖୁଣତାର ସହ ନୈତିକତାର ବାର୍ତ୍ତାଟିକୁ ପଦ୍ୟମୟତାର ସହ ଶ୍ରୋତାର ହୃଦୟକୁ ସଂଚରି ଦିଏ । ଏଠି ଆଉଗୋଟେ କଥା ମଧ୍ୟ ବିଚାର୍ଯ୍ୟ ଯେ ଅଧିକାଂଶ ନିତିବାଣୀ ବା ଉପଦେଶ ଆମର ଶାସ୍ତ୍ରଗ୍ରନ୍ଥରୁ ମଧ୍ୟ ଅଣାଯାଇଥାଏ ।

ଲୋକକଥାରେ ନାଟକୀୟତା ସୃଷ୍ଟି କରିବା, ଚରିତ୍ରମାନଙ୍କ ରୂପ ବର୍ଣ୍ଣନା, ବେଶଭୂଷା ବର୍ଣ୍ଣନା ପାଇଁ ମଧ୍ୟ ପଦ୍ୟର ବ୍ୟବହାର ହୋଇଥାଏ । ଏହି ପଦ୍ୟକୁ ପ୍ରୟୋଗକରି ଗପ କହିଲାବେଳେ ଅନେକ ଗପରେ ସେହି ସମୟର କିଛି ସାମାଜିକ ଚାଲିଚଳଣିର ଦୃଶ୍ୟପଟ ଅଙ୍କିତ ହୋଇଯାଏ । ଉଦାହରଣ ସ୍ବରୂପ 'କାଇଁଚ ମାଲୀ" ଗପର ପଦ୍ୟୋକ୍ତିକୁ ନିଆଯାଉ -

"ମାଁ ମାଇଲା ଖୁଆ ବାଡି, ବାପା ମାଇଲା ଛନ୍ଦବାଡି
କାଇଁଚ ମାଳି ଦେଇ ସାଧବ ବିଭା ହୋଇଲେ ଗୋ
ସୁତାନଟି ଦେଇ ସାଧବାଣୀ ବନେ ଛାଡିଲେ ଗୋ
ଛ'ସଉତୁଣୀ ନାଗମୁଣ୍ତ ଚୁରି ପକାଇଲେ ଗୋ ।"

ବୋହୂ ପ୍ରତି ଶାଶୁର ଅତ୍ୟାଚାର କାହାଣୀ ଅତି ପୁରୁଣା । ସେହିପରି ଏକ ସାମାଜିକ ପ୍ରତିଛବି ଏଠାରେ ଅଙ୍କିତ ।

ସାମଗ୍ରିକ ଭାବରେ ଲୋକକଥାକୁ ବିଚାର କଲେ ପଦ୍ୟର ଭୂମିକା ସଂର୍ପକରେ ଅବଗତ ହୋଇପାରିବ । ଲୋକସାହିତ୍ୟ ସହ ପଦ୍ୟର ନିବିଡ ସଂର୍ପକ ଓ ମହତ୍ତ୍ବକୁ ବୁଝି ପାରିବା । ଏହି ପଦ୍ୟ ଶ୍ରୋତାର ମନୋରଞ୍ଜନ ସହ କଥକକୁ କାହାଣୀ କହିବାରେ ମଧ୍ୟ ସହାୟକ ହୁଏ । ତାତ୍ତ୍ବିକ ଦୃଷ୍ଟିରୁ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, କାହାଣୀର ଗତିଶୀଳତା, ଚରିତ୍ର ତଥା ପରିବେଶର କଳାତ୍ମକ ଏବଂ ପାତ୍ରପୋଯୋଗୀ ବର୍ଣ୍ଣନ, କାହାଣୀରେ ଉତ୍କଣ୍ଠା ସୃଷ୍ଟି ସହ ସାମାଜିକ ଚଳଣି ଓ ଭାବାବେଗକୁ ସରଳତାର ସହ ପରିବେଷଣ କରେ । ସୁତରାଂ ଲୋକକଥାରେ ପଦ୍ୟର ପ୍ରୟୋଗ ଏକାନ୍ତ ଭାବରେ ଉଲ୍ଲେଖନୀୟ ଓ ପ୍ରଣିଧାନଯୋଗ୍ୟ ।