ନାଟ୍ଯ ରଚନା ଓ ନାଟ୍ଯ ମଞ୍ଚାୟନ

ନାଟକ ଲେଖା ଜରୁରୀ । ନାଟକର ମଞ୍ଚାୟନ ଜରୁରୀ । ନିକଟରେ ଆମ ଓଡ଼ିଆ ଭାଷାରେ କିଛି ନାଟକ ପୁସ୍ତକ ଉନ୍ମୋଚନ ହେବାର ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେବା ଦୃଷ୍ଟିକୁ ଆସିଛି । ଆଶା ରଖିବି ଏହି ନାଟକଗୁଡ଼ିକୁ ନାଟ୍ୟକର୍ମୀମାନେ ପଠନ କରନ୍ତୁ ।


ଫଟୋ: ଫେସବୁକ

ବର୍ଷ ୨୦୨୧ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ସରିଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରେ ପୁରସ୍କାରକୁ ନେଇ ଖୁସି, ଆନନ୍ଦ ସମେତ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ସେ ପ୍ରସଙ୍ଗ ଆଜିର ଅଲୋଚନାର ବିଷୟ ନୁହେଁ । ହିନ୍ଦୀ ସାହିତ୍ୟ ପାଇଁ ଦୟା ପ୍ରକାଶ ସିହ୍ନାଙ୍କୁ ସମ୍ମାନିତ କରାଯାଇଛି । ଦୟା ପ୍ରକାଶ ସିହ୍ନାଙ୍କ ନାଟକ ‘ସମ୍ରାଟ ଅଶୋକ’ ପାଇଁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ହିନ୍ଦୀ ସାହିତ୍ୟର ଏକ ଗୋଷ୍ଠୀ ଆନନ୍ଦ ପ୍ରକାଶ କରି ସିହ୍ନା ସାହେବଙ୍କୁ ବଧାଇ ଦେଉଥିବା ବେଳେ କିଛି ଗୋଷ୍ଠୀ ଅସନ୍ତୋଷ ମଧ୍ୟ ପ୍ରକଟ କରିଛନ୍ତି । ସେ ଅଲଗା କଥା । ଭାଷା ସାହିତ୍ୟରେ ନାଟକ ପାଇଁ ଏହା ଏକ ସମ୍ମାନଜନକ କଥା । ଆମ ଓଡ଼ିଆ ଭାଷାରେ ମଧ୍ୟ ଏକ ନାଟକ ଚୁଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଥିଲା । ଏହା ନିଶ୍ଚିତ ଭାବେ ଓଡ଼ିଆ ନାଟକ ପାଇଁ ଗୌରବର କଥା ।

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଦୟା ପ୍ରକାଶ ସିହ୍ନା ଭାରତୀୟ ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ । ସେ ଜଣେ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର ଓ ନାଟ୍ୟବିତ୍ ଭାବେ ସୁପରିଚିତ । ଭାରତୀୟ ନାଟ୍ୟଜଗତକୁ ତାଙ୍କ ଅବଦାନ ଅବିସ୍ମରଣୀୟ । ଦୀର୍ଘ ୫ ଦଶନ୍ଧି ଧରି ସେ ନାଟକ ପାଇଁ ନିଜକୁ ସମର୍ପିତ କରିଆସିଛନ୍ତି । ଉଚ୍ଚ ପଦରେ ଅବସ୍ଥାପିତ ସିହ୍ନା ସାହେବ ସଫଳତାର ସହିତ ଜୀବନ-ଜୀବିକା ଓ ନାଟକ ମଧ୍ୟରେ ତାଳମେଳ ତଥା ସନ୍ତୁଳନ ବଜାୟ ରଖି ପାରିଛନ୍ତି । ତାଙ୍କ ଦ୍ୱାରା ରଚିତ ଅନେକ ନାଟକ ଦେଶର ବିଭିନ୍ନ ପ୍ରାନ୍ତରେ ପରିବେଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ସମକାଳୀନ ନାଟ୍ୟକାରଙ୍କ ମଧ୍ୟରେ ସିହ୍ନା ସାହେବଙ୍କ ନାମ ପ୍ରମୁଖତାର ସହିତ ଉଚ୍ଚାରିତ ହୋଇଥାଏ । ସାହିତ୍ୟ ଏକାଡେମୀ ପୁରସ୍କାର ଇତିହାସରେ ଦ୍ୱିତୀୟଥର ପାଇଁ କୌଣସି ହିନ୍ଦୀ ନାଟକକୁ ପୁରସ୍କୃତ କରାଯାଇଛି । ପୂର୍ବରୁ ରମେଶ କୁନ୍ତଳଙ୍କୁ ଏହି ସମ୍ମାନ ମିଳିଥିଲା । କୁନ୍ତଳଙ୍କ ରଚିତ ‘ବିଶ୍ୱ ମିଥକ୍ ସରିତ ସାଗର’ ନାଟକ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସମ୍ରାଟ ଅଶୋକର ମଧ୍ୟ ଅନେକ ଥର ମଞ୍ଚାୟନ ହୋଇଛି । ସମ୍ରାଟ ଅଶୋକ ଭାରତୀୟ ଇତିହାସରେ ଏପରି ଏକ ଚରିତ୍ର, ଯାହାଙ୍କୁ ନେଇ ଅନେକ ଗଳ୍ପ, ଉପନ୍ୟାସ ଓ ନାଟକ ରଚନା କରାଯିବା ସହିତ ସିନେମା ଓ ଧାରାବାହିକ ମଧ୍ୟ ନିର୍ମାଣ କରାଯାଇଛି । କିନ୍ତୁ ଏହି ତଥ୍ୟକୁ ଅସ୍ୱୀକାର କରାଯାଇ ନପାରେ କି ସିହ୍ନା ସାହେବଙ୍କ ଦ୍ୱାରା ଲିଖିତ ସମ୍ରାଟ ଅଶୋକ ଅନ୍ୟାନ୍ୟ ସମସ୍ତ ରଚନା ଠାରୁ ଅଲଗା ନିଶ୍ଚୟ । ନା ସିହ୍ନା ସାହେବଙ୍କ ରଚନାରେ କଳିଙ୍ଗ ଯୁଦ୍ଧର ଅବତାରଣା ରହିଛି ନା କୌଣସି ରାଜ୍ୟ ଜୟର । ନା ରହିଛି ସାମ୍ରାଜ୍ୟ ପ୍ରସାରର ବିବରଣୀ ନା ସିଂହାସନ ଆରୋହଣର ଷଡ଼ଯନ୍ତ୍ର । ସମ୍ରାଟ ଅଶୋକ ନାଟକରେ ରହିଛି ଜଣେ ରାଜନେତା, ଜଣେ ପ୍ରଶାସକ ଅଥବା ଜଣେ ଶାସକର ସହଜ ପ୍ରତିବିମ୍ବ । ଏହି ଦୃଷ୍ଟିରେ ହିଁ ନାଟକ ସର୍ବଦା ସାର୍ଥକ, ସମକାଳୀକ ଓ ସର୍ବକାଳୀନର ମାନ୍ୟତା ପାଇଛି ।

ନାଟ୍ୟକାର ଅଶୋକଙ୍କ ମାଧ୍ୟମରେ ଜୀବନର ନିରର୍ଥକତା, ଅସହାୟତା ଓ ଅସଙ୍ଗତତାକୁ ଚିତ୍ରଣ କରିଛନ୍ତି । ଯାହା ହିଁ ସାର୍ବଭୌମିକ ସତ୍ୟ । ଯାହା ହିଁ ସିଦ୍ଧାର୍ଥ ନାମକ ଜଣେ ଯୁବରାଜଙ୍କୁ ବୁଦ୍ଧରେ ପରିବର୍ତ୍ତିତ କରିଥିଲା । ଏହି ପରିପ୍ରେକ୍ଷୀରେ ନାଟକ ସାହିତ୍ୟିକ ମୂଲ୍ୟବୋଧରେ ଭରପୂର ଏକ ସାର୍ଥକ ତଥା କାଳଜୟୀ ରଚନା । ପ୍ରତ୍ୟେକ ଦୃଷ୍ଟିକୋଣରେ ଏକ ସଫଳ ତଥା ଉତ୍କୃଷ୍ଟ କୃତି । ଏଥିରେ ଅଶୋକଙ୍କ ଦ୍ୱାରା ବୌଦ୍ଧ ଧର୍ମକୁ ଗ୍ରହଣ କରିବା ଏହି ଧର୍ମର ପ୍ରସାର କରିବା ମଧ୍ୟ ନାହିଁ । ଏପରି କୌଣସି ଉପଲବ୍‌ଧିକୁ ମୁଖରିତ କରାଯାଇନାହିଁ ଏହି ନାଟକରେ । ବୋଧହୁଏ ଅଶୋକଙ୍କ ଜୀବନୀକୁ ନେଇ ଏହା ରଚନା କରାଯାଇଥିବା ପ୍ରଥମ ନାଟକ ଯେଉଁଥିରେ ଅଶୋକଙ୍କ ସିଂହାସନ ଆରୋହଣ ପରଠାରୁ ତାଙ୍କର ଶେଷ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସମୟକୁ ସଂଯୋଜିତ କରିବାର ଏକ ସଫଳ ପ୍ରୟାସ କରାଯାଇଛି । ଯେଉଁଠାରେ ସେ ତୁଗଲକ୍ ଓ ଶାହାଜହାଁ ପରି ଏକାନ୍ତ ତଥା ନିଭୃତ କଠୋରୀରେ ଅଥବା କୁହାଯାଇପାରେ କି ନିଜକୁ ବନ୍ଦୀ କରି କାରାଗାରରେ ନିକ୍ଷେପ କରି ଏକ ବନ୍ଦୀ ଜୀବନ ଅତିବାହିତ କରୁଥିବା ଅସହାୟ ସମ୍ରାଟ ଅଶୋକର କାହାଣୀ । ଯେଉଁଠାରେ ସେ ନିତାନ୍ତ ଏକୁଟିଆ । ଜଣେ ମଣିଷ ଜୀବନରେ ଘଟିଯାଇଥିବା ସମସ୍ତ ଉଜ୍ଜ୍ୱଳ ଓ ଅନ୍ଧାର ପକ୍ଷକୁ ଉଜାଗର କରିଛି ଏହି ନାଟକ । ସେ ଯଥାର୍ଥରେ କହିଛନ୍ତି କି ନାଟକର ଜନ୍ମ ଲେଖକର ହୃଦୟରୁ ହୋଇଥାଏ । ନାଟକ ଟି ସେପର୍ଯ୍ୟନ୍ତ ପୂର୍ଣ୍ଣତା ପାଇ ନଥାଏ, ଯେପର୍ଯ୍ୟନ୍ତ ଏହା ସଫଳତାର ସହିତ ପରିବେଷଣ ହୋଇ ନଥାଏ । ଏହା ସାମାଜିକ ଓ ସାହିତ୍ୟିକ ଦୃଷ୍ଟିକୋଣରୁ ଶ୍ରେଷ୍ଠ ହେବା ସହିତ ମଞ୍ଚରେ ସଫଳତାର ସହିତ ପୂର୍ଣ୍ଣ ହେବା ଜରୁରୀ ।

ନାଟକ ଲେଖା ଜରୁରୀ । ନାଟକର ମଞ୍ଚାୟନ ଜରୁରୀ । ନିକଟରେ ଆମ ଓଡ଼ିଆ ଭାଷାରେ କିଛି ନାଟକ ପୁସ୍ତକ ଉନ୍ମୋଚନ ହେବାର ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେବା ଦୃଷ୍ଟିକୁ ଆସିଛି । ଆଶା ରଖିବି ଏହି ନାଟକଗୁଡ଼ିକୁ ନାଟ୍ୟକର୍ମୀମାନେ ପଠନ କରନ୍ତୁ । ସେହି ନାଟକଗୁଡ଼ିକ କେଉଁଠି ନା କେଉଁ ମଞ୍ଚରେ ସଫଳତାର ସହିତ ମଞ୍ଚାୟନ ହେଉ । ଆହୁରି ନାଟକ ଲେଖା ହେଉ । ନୂଆ ବର୍ଷରେ ଏହା ହିଁ ଅପେକ୍ଷା ।