ଫଟୋ - ୱିକିପିଡିଆ

ଜଣେ ଆଧୁନିକ କଳାକାର ଭାବରେ ପିକାଶୋଙ୍କ ବିଶ୍ୱବ୍ୟାପି ଜନପ୍ରିୟତା ବେଶ୍ ଈର୍ଷଣୀୟ । ନିଜ ଜୀବନକାଳ ଭିତରେ ଏତେ ପ୍ରସିଦ୍ଧି ପାଇବା ଖୁବ୍ କମ୍ କଳାକାରଙ୍କ ଭାଗ୍ୟରେ ମିଳେ । କଳାକାର ଯେ କେବଳ ପ୍ରଖ୍ୟାତ ହୁଅନ୍ତି ସେକଥା ନୁହେଁ, ପ୍ରସିଦ୍ଧ କଳାକାରଙ୍କ କିଛି କଳାକୃତି ମଧ୍ୟ ବିଶ୍ୱବିଖ୍ୟାତ ହୋଇଥାଏ । ପିକାଶୋଙ୍କର ଅନେକ ପ୍ରସିଦ୍ଧ କଳାକୃତି ମଧ୍ୟରେ ‘ଲେ ଡିମୋଜେଲ୍ ଡାଭିନ୍ୟୁ’ ନାମକ ବିଶାଳ ଛବିଟି ଯେତିକି ପ୍ରସିଦ୍ଧ କଳା ଇତିହାସରେ ସେତିକି ବିବଦମାନ ଓ ଯୁଗାନ୍ତକାରୀ ମଧ୍ୟ ।

ପିକାଶୋ ଏ ଛବିଟି ୧୯୦୭ରେ ଆଙ୍କିଥିଲେ । ଏବେ ‘ଲେ ଡିମୋଜେଲ୍ ଡାଭିନ୍ୟୁ’ ଛବିଟି ମ୍ୟୁଜିୟମ୍ ଅଫ୍ ମଡର୍ଣ୍ଣ ଆର୍ଟ’ର ସ୍ଥାୟୀ ସଂଗ୍ରହରେ ରହିଛି । ଛବିରେ ଚିତ୍ରିତ ହୋଇଛି ମାନିକୁଇନ୍ ପରି ଛିଡ଼ା ପାଞ୍ଚଜଣ ବେଶ୍ୟାଙ୍କ ନଗ୍ନ ରୂପ, କିଛି କପଡ଼ା ଓ କିଛି ଫଳ । କ୍ୟାନଭାସ୍ ଉପରେ ତୈଳରଙ୍ଗରେ ଅଙ୍କିତ ଏହି ଛବିଟିର ଆକାର ହେଲା ଆଠ ଫୁଟ୍‌ରେ ସାଢେ଼ ସାତ ଫୁଟ୍ । ଏତେ ବଡ଼ କ୍ୟାନଭାସ୍ ପିକାଶୋ ଆଗରୁ କେବେ ଭିଡ଼ି ନଥିଲେ । ଛବିକୁ ଆଙ୍କିବା ପାଇଁ ପିକାଶୋ ଆରମ୍ଭରୁ ହିଁ ବେଶ୍ ପରିଶ୍ରମ କରିଥିଲେ । ଏଇ ଛବିଟି କରିବାର ପ୍ରସ୍ତୁତିରେ ଶିଳ୍ପୀ ଶହେରୁ ଅଧିକ ପ୍ରାରମ୍ଭିକ ସ୍କେଚ୍ ଓ ଷ୍ଟଡି କରିଥିଲେ । ଛବିଟିକୁ ଶେଷ କରିବାକୁ ତାଙ୍କୁ ପାଖାପାଖି ଛଅ ମାସ ସମୟ ଲାଗିଥିଲା । ପିକାଶୋ ତାଙ୍କ ଜୀବନକାଳରେ ସୃଷ୍ଟି କରିଥିବା କଳାକୃତିମାନଙ୍କ ମଧ୍ୟରୁ କୌଣସି କଳାକୃତି ପାଇଁ ଏତେମାତ୍ରାରେ ପ୍ରାକ୍ ପ୍ରସ୍ତୁତି କରିନଥିଲେ । ପ୍ରାଥମିକ ଯୋଜନାରେ ପିକାଶୋ ‘ଲେ ଡିମୋଜେଲ ଡାଭିନ୍ୟୁ’ ଛବିରେ ପାଞ୍ଚ ଜଣ ନଗ୍ନ ନାରୀଙ୍କ ସହ ଦୁଇ ଜଣ ପୋଷାକ ପିନ୍ଧା ପୁରୁଷଙ୍କୁ ବି ଆଙ୍କିବାର ଯୋଜନା ରଖିଥିଲେ । ସେମାନେ ଥିଲେ ପେଟେ ଲେଖା ମଦ ପିଇ ମାତାଲ୍ ଅବସ୍ଥାରେ ଥିବା ଦୁଇ ଚରିତ୍ର । ଦୁଇଜଣରୁ ଜଣେ ଥିଲେ ନାବିକ ଓ ଅନ୍ୟ ଜଣେ ଡାକ୍ତରୀ ପାଠ ପଢୁଥିବା ଛାତ୍ର । ଯୋଜନା ଥିଲା ଛବିର ବାମ ପଟରେ ହିଁ ଡାକ୍ତରୀ ଛାତ୍ର ଜଣକ ହାତରେ ଗୋଟେ ଖପୁରି ଧରି ବେଶ୍ୟାଳୟକୁ ପଶିବାର ଛବି ଅଙ୍କାଯାଇଥା’ନ୍ତା । କିନ୍ତୁ କ୍ୟାନଭାସ୍‌ରେ ଛବି ଆଙ୍କିଲାବେଳକୁ ଶେଷରେ ଦୁଇ ପୁରୁଷ ବାଦ୍ ପଡ଼ିଲେ ଓ ସିଧାସଳଖ ଦର୍ଶକଙ୍କ ସହ ଆଖି ମିଶାଇ କେବଳ ପାଞ୍ଚ ନାରୀ ହିଁ ରହିଲେ । ତେବେ କେହି କେହି ଏକଥା ମଧ୍ୟ କୁହନ୍ତି ଯେ ପିକାଶୋ ଛବିଟିକୁ ଶେଷ ନକରି ଅଧପନ୍ତରିଆ କରି ଛାଡ଼ି ଦେଇଛନ୍ତି । ପରବର୍ତ୍ତୀ ସମୟରେ ପିକାଶୋ ବିଶ୍ୱ କଳା ଇତିହାସରେ ଯେଉଁ କ୍ୟୁବିଜିମ୍ ପାଇଁ ପ୍ରସିଦ୍ଧ ହୋଇଥିଲେ ତା’ର ଅୟମାରମ୍ଭ ଏଇ ଛବିରୁ ହିଁ ହୋଇଥିଲା । ୨୦୦୩ରେ ବୈଜ୍ଞାନିକ ପ୍ରଣାଳୀରେ ପରୀକ୍ଷା କଲା ପରେ ଜଣାପଡ଼ିଲା ଯେ, ପିକାଶୋ ‘ଲେ ଡିମୋଜେଲ ଡାଭିନ୍ୟୁ’ ଛବିରେ ଲେଡ୍ ଧଳା, ବୋନ୍ କଳା, ଭରମିଲନ୍, କାଡମିୟମ୍ ହଳଦୀ, କୋବାଲ୍ଟ ନୀଳ, ଏମରଲ୍ଡ ସବୁଜ, ଅକର ଓ ବ୍ରାଉନ୍ ରଙ୍ଗ ବ୍ୟବହାର କରିଥିଲେ ।

କୁହାଯାଏ, ପିକାଶୋ ଏହି ଛବିରେ ସେଜାଁଙ୍କ ‘ଲାର୍ଜ ବାଥରର୍ସ’ ଛବି ଦ୍ୱାରା ପ୍ରଭାବିତ ଥିଲେ । ସେଜାଁଙ୍କ ଛବିରେ ଅଙ୍କିତ ନାରୀମାନେ କିନ୍ତୁ ଅନ୍ୟ ଦିଗକୁ ସେମାନଙ୍କ ଚାହାଣି ରଖିଥିବାବେଳେ ପିକାଶୋଙ୍କ ଏହି ଛବିରେ ଅଙ୍କିତ ନାରୀମାନେ ସିଧାସଳଖ ଦର୍ଶକଙ୍କୁ ଅନେଇ ରହିଛନ୍ତି । ସାଧାରଣରେ ଆମ ସାହିତ୍ୟ ଓ ଚିତ୍ରକଳା ଏବଂ ଭାସ୍କର୍ଯ୍ୟରେ ନାରୀମାନଙ୍କୁ ଯେଉଁ ଭାବରେ ଉପସ୍ଥାପିତ କରାଯାଏ ଏଠାରେ ସେମିତି କରାଯାଇନି । ସିଧାସଳଖ, ସ୍ପଷ୍ଟ ଓ ତୀକ୍ଷ୍ଣ ପାଞ୍ଚ ନାରୀଙ୍କ ଏମିତି ଚାହାଣିକୁ ସେତେବେଳେ ଅନେକ ପସନ୍ଦ କରିନଥିଲେ । ତତ୍କାଳୀନ ୟୁରୋପୀୟ ସମାଜରେ ନାରୀମାନଙ୍କ ଆଚାର ବ୍ୟବହାର ଓ ଚାଲିଚଳନ ନେଇ କିଛି କମ୍ ରକ୍ଷଣଶୀଳ ପରିବେଶ ନଥିଲା । ୧୯୦୭ରେ ଅଙ୍କା ହେଇଥିଲେ ମଧ୍ୟ ଛବିଟି ୧୯୧୬ ଜୁଲାଇ ୩୧ରେ ସାଲୋନ୍ ଡି ଆଣ୍ଟିନ୍ ଯାଇ ପ୍ରଦର୍ଶିତ ହେଇଥିଲା । କାରଣ ନିକଟତମ ବନ୍ଧୁ ଓ ପାଖ ଲୋକମାନଙ୍କ ନକାରାତ୍ମକ ମତାମତ ପାଇଁ ସେ ଛବିଟିକୁ ପିକାଶୋ ଅନେକ ବର୍ଷ ପର୍ଯ୍ୟନ୍ତ ନିଜ ପାଖରେ ରଖିଥିଲେ । ଲେ ଡିମୋଜେଲ୍ ଡାଭିନ୍ୟୁ ଛବି ପ୍ରଥମ କରି ଗେଲେଟ୍ ବର୍ଗେସ୍‌ଙ୍କ ଏକ ପ୍ରବନ୍ଧରେ ଛପା ଯାଇଥିଲା । ଛବିଟିକୁ କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ଓ ୧୯୨୦ରେ ଆନ୍ଦ୍ରେ ବେତୋଁ ତାଙ୍କର ଏକ ପ୍ରବନ୍ଧରେ ଛବିକୁ ପୁଣି ଥରେ ଛାପିଲା ପରେ ଧିରେଧିରେ ଅନ୍ୟମାନେ ଛବିକୁ ନେଇ ସହଜ ହେବାକୁ ଆରମ୍ଭ କଲେ । ପରେ ଛବିଟି ପଚିଶ ହଜାର ଫ୍ରାଙ୍କ୍ ରେ ବିକ୍ରି ହେଇଯାଇଥିଲା ।

ସ୍ପେନୀୟ ଚିତ୍ରଧାରା ଓ ଆଇବେରିଆନ୍ ଭାସ୍କର୍ଯ୍ୟର ପ୍ରଭାବ ଥିବା ଏହି ଛବିରେ ଆଫ୍ରିକୀୟ ଆଦିବାସୀଙ୍କ ମୁଖାର ସ୍ପଷ୍ଟ ପ୍ରଭାବ ମଧ୍ୟ ରହିଛି ବୋଲି କଳା ସମାଲୋଚକମାନେ କୁହନ୍ତି । ପିକାଶୋ ସ୍ୱୟଂ କିନ୍ତୁ ଏପ୍ରକାର ପ୍ରଭାବକୁ ସ୍ୱୀକାର କରନ୍ତିନି । କିନ୍ତୁ କଥା ହେଲା, ପିକାଶୋ ୧୯୦୬ରେ ମାତିଜ୍‌ଙ୍କ ପାଖରେ ଥିବା କଙ୍ଗୋର ‘ଟେକେ’ ପ୍ରାଚୀନ ଅଧିବାସୀଙ୍କ ରୂପକୁ କପି କରିଥିଲେ । ପିକାଶୋଙ୍କର କେବଳ ଆଫ୍ରିକାର ପ୍ରାଚୀନ ଚିତ୍ରକଳା ନୁହେଁ ତା’ ସାଙ୍ଗରେ ସ୍ପେନ୍ ଓ ପର୍ତ୍ତୁଗାଲ୍‌ର ପୁରାତନ କଳା ପ୍ରତି ମଧ୍ୟ ଦୁର୍ବଳତା ଥିଲା । ପ୍ରାଚୀନ କଳାର ସରଳ ରୂପ ଓ ସହଜ ଆକାର ଏବଂ ଜ୍ୟାମିତିକ ତଥା ସାବଲୀଳ ପରିପ୍ରକାଶକୁ ଖୁବ୍ ପସନ୍ଦ କରୁଥିଲେ ପିକାଶୋ ।

‘ଲେ ଡିମୋଜେଲ୍ ଡାଭିନ୍ୟୁ’ ଛବିରେ ପିକାଶୋ ସବୁଗୁଡ଼ା ଚରିତ୍ରଙ୍କୁ ଅଲଗା ଅଲଗା କରି ଆଙ୍କିଛନ୍ତି । ୧୯୭୨ରେ କଳା ସମାଲୋଚକ ଲେ ଷ୍ଟେନ୍‌ବର୍ଗ ସେଇ ଛବିକୁ ନେଇ ଅନେକ ନୂଆ କଥା ସବୁ କହିଲେ । ତାଙ୍କ ମତରେ, ଛବିରେ ଥିବା ପାଞ୍ଚ ଜଣ ଚରିତ୍ର ପରସ୍ପରଙ୍କ ସହ ଆଦୌ ସମ୍ପର୍କିତ ନୁହଁନ୍ତି । ସେମାନେ ସେମାନଙ୍କ ନିଜ ନିଜ ବାଟରେ ଦର୍ଶକଙ୍କ ସହ ସମ୍ପର୍କ ଯୋଡୁଛନ୍ତି ।

କପଡ଼ା ଟେକି ଧରିଥିବା ଡାହାଣ ପଟ ଉପରକୁ ଥିବା ସ୍ତ୍ରୀ ଲୋକଟି ଜ୍ୟାମିତିକ ଆକାରରେ ବହଳ ବର୍ଣ୍ଣ ପ୍ରୟୋଗରେ ଅଙ୍କା ଯାଇଛି । ପାଞ୍ଚଜଣ ଲୋକଙ୍କ ଭିତରେ ଏଇ ଜଣଙ୍କ ମୁହଁରେ ଘନବାଦର ସବୁଠୁଁ ଅଧିକ ପ୍ରଭାବ ରହିଛି । ନିଜ ନିଜକୁ ପ୍ରଦର୍ଶିତ କରିବାର ଭଙ୍ଗୀରେ ଠିଆ ଏଇ ପାଞ୍ଚ ସ୍ତ୍ରୀ ଲୋକଙ୍କ ଭିତରେ କିଏ ଇଜିପ୍ଟିଆନ୍ ପରି ବେଶ ପଡିଛି ତ କିଏ ସ୍ପେନୀୟ ମୂଳ ବାସିନ୍ଦା ପରି । ଲାଗୁଛି, ଅଲଗା ଅଲଗା ଭୂଖଣ୍ଡରେ ବସବାସ କରୁଥିବା ନାରୀମାନେ ଏକାଠି ଠାଏ ଠିଆ ହୋଇଯାଇଛନ୍ତି । ଡାହାଣ ପଟର ଦୁହିଁଙ୍କ ମୁହଁ ଦିଶୁଛି ଆଫ୍ରିକାର ମୁଖା ପରି । ପିକାଶୋ ଏହି ଛବିରେ ପର୍‌ସ୍ପେକ୍ଟେଭି ବା ପରିପ୍ରେକ୍ଷକୁ ବ୍ୟବହାର କରିନାହଁନ୍ତି । କୌଣସି ଭାନିସିଂ ପଏଣ୍ଟ ବି ରଖିନାହାଁନ୍ତି । ମଣିଷର ରୂପକୁ ଜ୍ୟାମିତିକ ଆକାର ଭିତରକୁ ଆଣି ପିକାଶୋ ଆମ ପରମ୍ପରାରେ ମଣିଷ ଶରୀର ଓ ରୂପକୁ ଯେଉଁ ଭାବରେ ଆଗରୁ ଦେଖାଯାଇଥିଲା ତାକୁ ଅନ୍ୟ ଏକ ବାଟରେ ନେଇଯାଇଛନ୍ତି । ଛବିଟି ଅନେକ ଦିଗରୁ ଯୁଗାନ୍ତକାରୀ ଥିଲା ଓ ପ୍ରାରମ୍ଭିକ ପର୍ଯ୍ୟାୟରେ ବିବଦମାନ ହେଇଥିଲେ ମଧ୍ୟ ପରେ ବିଶ୍ୱ କଳା ଇତିହାସକୁ ବିଭିନ୍ନ ଭାବରେ ପ୍ରଭାବିତ କରିଥିଲା ।

ଏ କଥା ସତ ଯେ, ଛବିଟିକୁ ଅନେକ ପସନ୍ଦ କରୁନଥିଲେ ଓ ଖୋଲାଖୋଲି ସମାଲୋଚନା କରୁଥିଲେ । ଏମିତିକି ସେ ସମୟର ପ୍ରସିଦ୍ଧ ଚିତ୍ରଶିଳ୍ପୀ ମାତିଜ୍ ଛବିଟିକୁ ଖରାପ ଜୋକ୍ ବୋଲି କହିଥିଲେ । ସେ ଭାବୁଥିଲେ ତାଙ୍କ ଛବି ‘ବ୍ଲୁ ନ୍ୟୁଡ୍’ ଓ ଅନ୍ୟ କିଛି ଛବିରୁ ଆଇଡିଆ ଚୋରି କରିଛନ୍ତି ପିକାଶୋ । ଘନବାଦର ଅନ୍ୟତମ ସ୍ରଷ୍ଟା ଜର୍ଜ ବ୍ରାକ୍ ମଧ୍ୟ ପିକାଶୋଙ୍କ ଏହି ଛବିଟିକୁ ପସନ୍ଦ କରିନଥିଲେ । ‘ଲେ ଡିମୋଜେଲ୍ ଡାଭିନ୍ୟୁ’ ଛବି ଉପରେ ପୂର୍ବବର୍ତ୍ତୀ ଅନେକ କଳାକୃତିଙ୍କର ପ୍ରଭାବ ରହିଥିଲା । ଫରାସୀ ଚିତ୍ରଶିଳ୍ପୀ ପଲ୍ ଗଗାଁଙ୍କ ୧୯୦୬ର ପ୍ରଦର୍ଶନୀରେ ପ୍ରଦର୍ଶିତ ତାହିତି ଦ୍ୱୀପର ଦେବୀଙ୍କ ଭାସ୍କର୍ଯ୍ୟ ଦେଖି ପିକାଶୋ ସେହି ବର୍ଷ ସେରାମିକ୍ ଓ ଉଡ୍‌କଟ୍‌ରେ ସେମିତି କିଛି କରିବାକୁ ଚେଷ୍ଟା କରିଥିଲେ । ସମାଲୋଚକମାନଙ୍କ କହିବା କଥା ହେଲା, ଗଗାଁଙ୍କ ଆଦିମତାକୁ ଭଲପାଇବା ଓ ତାକୁ ନେଇ ଛବି କରିବା ଏବଂ ଆଦିମ ମଣିଷମାନଙ୍କ ସାଙ୍ଗରେ ମିଶି ରହିବା ଘଟଣାରେ ପିକାଶୋ ବେଶ୍ ପ୍ରଭାବିତ ଥିଲେ । ପିକାଶୋ ଛବିର ନାମ ପ୍ରଥମେ ରଖିଥିଲେ Le Demoiselles d’ Avignon କିନ୍ତୁ କଳା ସମାଲୋଚକ ଆଁନ୍ଦ୍ରେ ସାଲମୋନ୍ ଚିତ୍ର ପ୍ରଦର୍ଶନୀରେ ତା’ର ନାମକୁ ବଦଳାଇ Les Demoiselles d’ Avignon କରିଦେଇଥିଲେ । ପିକାଶୋଙ୍କୁ କିନ୍ତୁ ଆଁନ୍ଦ୍ରେ ଦେଇଥିବା ନାମଟି ଭଲ ଲାଗିନଥିଲା ।

ସେମିତି ଦେଖିବାକୁ ଗଲେ ଡାଭିନ୍ୟୁ ନାମରେ କିଛି ସହର କିମ୍ବା ପ୍ରଦେଶ ନଥିଲା । ପ୍ରକୃତରେ ବାର୍ସେଲୋନା’ର ବେଶ୍ୟାପଡ଼ାର ଏକ ଗଳିର ନାମ ଥିଲା ଡାଭିନ୍ୟୁ । ପିକାଶୋ ସେଇଠୁ ନାମଟି ଉଠେଇଥିଲେ ।