ସମାଧିର ରଙ୍ଗ ଗାଢ ନୀଳ

କବି ଅଖିଳ ନାୟକଙ୍କ କବିତାର ଜନବାଦୀ ଧାରା ଓ କବିତାର ଏକ ଭିନ୍ନଦୃଷ୍ଟି ।


ଫଟୋ - ବ୍ଲାକ ଇଗଲ ଏବଂ ରଜନୀ ମିଶ୍ର

ଏଇଠି ନୈର୍ବ୍ୟକ୍ତିକତାର ରଙ୍ଗ ଗାଢ ନୀଳ । ଏଇଠି ଅନୁପସ୍ଥିତିର ରଙ୍ଗ ଗାଢ ନୀଳ । ଏଇଠି ଆମର ସମସ୍ତ ପର୍ଯ୍ୟବେକ୍ଷଣ ଆଉ ଶବ୍ଦସୁଲଭ ଅଭିବ୍ୟକ୍ତିର ରଙ୍ଗ ଗାଢ ନୀଳ । ଏବଂ ଏଇଠି ଏକ ଅପାର୍ଥିବ ଚରିତ୍ର ସହିତ ସଂପର୍କ ସ୍ଥାପନ କରିବାବେଳର ଅସହଜ ଆଉ ଅଣନିଃଶ୍ୱାସୀ ହୋଇଯିବାର ରଂଗ ବି ଗାଢ ନୀଳ ।

ସେଇଠି ଅଛି ସମାଧିଟି । ସମାଧିର ରଙ୍ଗ ଗାଢ ନୀଳ । ସେହିଭଳି ଗାଢ ନୀଳରଙ୍ଗକୁ ଆମେ ଇଂରେଜୀରେ କହିବୁ ଇଣ୍ଡିଗୋ ବ୍ଲୁ । ସମାଧିଟିକୁ ଦେଖିଲେ ପ୍ରଥମ ଦେଖାରୁ ମନେ ହେବ କୌଣସି ସମାଧି ଅନ୍ତତଃ ସେମିତି ରଙ୍ଗର ହେବା ଉଚିତ ନୁହଁ । ତାହାର ମାନେ କ'ଣ ଯେ ଆମେ ଚାହୁଁଛୁ ଆମର ଆଖିରେ ପଡୁଥିବା ସମାଧିମାନ ସବୁବେଳେ ଖାଲି ଧୂସର ରଙ୍ଗରେ ବିଷର୍ଣ୍ଣ ଦିଶୁ ବା ଏମିତି ଗୋଟିଏ ରଙ୍ଗର ଦିଶୁ ଯେଉଁ ରଙ୍ଗକୁ କେହି କେବେହେଲେ ନିଜର ଅନ୍ତିମ ସ୍ଥଳକୁ ରଞ୍ଜିତ କରିବା କାମରେ ବ୍ୟବହାର ଯୋଗ୍ୟ ବୋଲି କେବେ ମନେ କରିବ ନାହିଁ ? ଅନ୍ତିମ ସ୍ଥଳ ହେଉଛି ଏକ ଅବଧାରିତ ସତ୍ୟ ଯାହାକୁ ଆମେ ଆମର ଟାଣପଣ ଥିବା ଯାଏଁ ମିଛ ମିଛ ବୋଲି ଏଡାଇ ଆସୁଥାଉ ଆଉ ସେଇଥିପାଇଁ ସେହି ସ୍ୱାଭାବିକତା ପ୍ରତି ଆମର ଏକ ସହଜାତ ଅନାକର୍ଷଣ । ସେହି ଫିନିଶିଂ ଲାଇନ୍ ରେ ପହଞ୍ଚିଗଲା ପରେ ଆମେ ତ ଆଉ ନଥିବୁ ମାତ୍ର ସେଥିପ୍ରତି ଆମର ଯାହା ଯାହା ଅନାଗ୍ରହ ଆଉ ଅବଜ୍ଞା ରହିଥିଲା ତାହାକୁ ନିଜ ସାଥିରେ ଧରି ଆଉ ଯେଉଁମାନେ ଯେଉଁଠି ଉପସ୍ଥିତ ଥିବେ ସେମାନେ ସେଇଠି ପହଞ୍ଚିଯିବେ । ସମାଧିର ରଙ୍ଗ ଅସଲରେ କେମିତି ହେବ ତାହା ସମସ୍ତ ଉପସ୍ଥିତିର ବିଚାର ।

ତାହାହେଲେ ଏଇଠି ପ୍ରଶ୍ନ ଉଠିବ ସମାଧି ହେଉଛି କ'ଣ ଆମର ବସବାସ କରୁଥିବା ଘରମାନଙ୍କର ଭଳି ଏକ ବିକଳ୍ପ ଯେଉଁଠି ଆମେ ଚିରସ୍ଥାୟୀ ଭାବରେ ବସବାସ କରିବୁ ? ସେଇଠି ଆମେ ଏମିତି ଏକ ଜୀବନରେ ବସବାସ କରିବୁ ଯେଉଁଠି ସଂପର୍କ କହିଲେ ଆମେ ଏଠାରେ ଯାହା ବୁଝୁ ସେମିତି କିଛି ନଥାଏ । ସେଠାରେ ସ୍ମୃତି ନଥାଏ, ରୂପ ନଥାଏ, ଥାଏ କେବଳ ଶୂନ୍ୟତାକୁ ପହଁରେଇ ଦେଉଥିବା ଗୋଟିଏ ଅବସ୍ଥିତି ।

ସେମିତି ସେଇଠି ଗୋଟିଏ ଗାଢ ନୀଳରଙ୍ଗର ସମାଧିରେ ସମାହିତ ଆମ କବି ।

ସମାଧିର ସୂଚନା ଫଳକରେ କବିଙ୍କ ଜନ୍ମ ମୃତ୍ୟୁ ଆଉ ନାଆଁର ନଥିଭୁକ୍ତ ସୂଚନା ରହିଛି । ନାଆଁର ଅଭ୍ୟନ୍ତରରେ ନଥିଭୁକ୍ତ ଚନ୍ଦ୍ରର ଅବସ୍ଥିତି ହୁଏତ କବିଙ୍କର ପସନ୍ଦ ନଥିଲା । ଆଉ ଯାହାକିଛି ହେଉନା କାହିଁକି ଚନ୍ଦ୍ର ସହିତ ମୁଲାୟମ ଆଉ ସୁନ୍ଦର ପଣ ରହିଛି । ନିଜର ଅବର୍ତ୍ତମାନରେ କବି ଅଖିଳ ନାୟକ ଏହିଭଳି ଏକ ଚନ୍ଦ୍ରର ଅନୁପ୍ରବେଶକୁ ମାନି ନେବାକୁ ହୁଏତ ନିରୁପାୟ ।

ଆକାଶ ଆଉ ସମୁଦ୍ରର ରଙ୍ଗ ନୀଳ । ନୀଳରଙ୍ଗ ସହିତ ଏମିତି ପରିଚିତ ଗଭୀର ବିସ୍ତାରକୁ ଆମେ ଚିରକାଳ ଗ୍ରହଣ କରି ଆସିଛୁ । ପୃଥିବୀର ସବୁଠୁ ଅଧିକ ଜନପ୍ରିୟ ରଙ୍ଗ ହେଉଛି ନୀଳ । ଆଉ ଭାରତର ସ୍ୱାଧୀନତାର ଇତିହାସ ପରାଧୀନ ନୀଳଚାଷୀଙ୍କ ଯନ୍ତ୍ରଣାର କରୁଣତମ ନୀଳଦର୍ପଣ । ଏମିତି ନୀଳରଙ୍ଗର ସପକ୍ଷରେ ଅନେକ କଥା କୁହାଯାଇପାରେ ।

ଗାଢ ନୀଳରଙ୍ଗର ଏକ ସମାଧିରେ ଏବେ ସମାହିତ ଆମ କବି । ଏବେ ତାଙ୍କୁ ସ୍ମରଣ କରିବାକୁ ହେଲେ ସେଇଭଳି ଏକ ସ୍ଥିର ଚିତ୍ରର ସାହାଯ୍ୟ ଆମକୁ ନେବାକୁ ହେବ।

ତାହାହେଲେ ଜଣେ କବିକୁ ତାହାର ଅବର୍ତ୍ତମାନରେ ସ୍ମରଣ କରିବାକୁ ହେଲେ ତାହାର ସମାଧି କ'ଣ ହେଉଛି ଏକ ଅତ୍ୟାବଶକୀୟ ସ୍ଥିର ଚିତ୍ର ? ଏହିଭଳି ପ୍ରଶ୍ନର ଉତ୍ତର ଆମେ ନଚାହୁଁଥିଲେ ବି "ହଁ" ହି ହେବ । କାରଣ ଏହିଭଳି ସମାଧିରେ ଆମେ ସମାହିତ କରି ରଖିବାକୁ ଚାହିଁବୁ କେବଳ କବିର ପାର୍ଥିବ ଅବଶେଷ ନୁହଁ, ତାହା ସହିତ ଆମର ସମସ୍ତ ବ୍ୟକ୍ତିଗତ ସ୍ମୃତି ଏବଂ ତାହା ସହିତ କବିଙ୍କର ସମସ୍ତ ପଦ୍ୟକୃତି ଏବଂ ତାହା ଉପରେ ଆମର ଧାରଣା ସବୁ ସେଇଠି ଗୋଟିଏ ସ୍ଥିରଚିତ୍ରରେ ସମାହିତ ହୋଇ ରହିଅଛି । କବିର ସମାଧି ହେଉଛି ଅସଲରେ ଏମିତି ଏକ ସତର୍କ ସ୍ମାରକ ଯାହା ଆମର ଜୀବନ ପାଣ୍ଡୁଲିପିରେ କିଛି କିଛି ଗୁରୁତ୍ୱପୂର୍ଣ୍ଣ ସମୟରେ ଆମର ଯଦି କିଛି ଅସ୍ୱାଭାବିକ ବିସ୍ମରଣ ହୁଏ ତେବେ ସେ ଅସଲ ଖିଅ ଆମକୁ ଧରାଇ ଦେବାରେ ସାହାଯ୍ୟ କରେ । ଆମେ ତାହାର ଭରସାରେ ନଥାଉ ମାତ୍ର ତାହାର ସତର୍କ ଦୃଷ୍ଟି ଆମ ଉପରେ ରହିଥାଏ ।

ସାଧାରଣତଃ ଏଇଠି ଲୁଚି ରହିଛି ସଂପର୍କର ଏକ ଜଟିଳ କଥା । ଜଣେ କବି ସହିତ ଆମର ସଂପର୍କ କେବଳ ନୈର୍ବ୍ୟକ୍ତିକତା ଉପରେ ହିଁ ପ୍ରତିଷ୍ଠିତ । ଆମ ପାଖରେ କବି କେବେ ଶରୀରରେ ନଥାଏ । ଶରୀରରେ ଯଦି କିଏ କେତେବେଳେ ରହିଥିଲା ସେ ହେଉଛି ଆମର ପାର୍ଥିବ ସୋଦର । ସେହିଭଳି କୌଣସି ପାର୍ଥିବ ସୋଦରର ଅନୁପସ୍ଥିତି ଆମକୁ ବିୟୋଗର ଯାତନାରେ ଜୁଡୁବୁଡୁ କରୁଥାଏ । ସେ କିନ୍ତୁ ଆମର ଅନ୍ତରଂଗ ଚୌହଦୀର ଶୂନ୍ୟସ୍ଥାନକୁ ପୂରଣ କରି ପୃଥ୍ୱୀରେ ଆତଯାତ ହେଉଥିଲା ମାତ୍ର ସେତେବେଳେ ସେ ଆଉ ଯାହା ହେଉନା କାହିଁକି, ସେ କିନ୍ତୁ କବି ନୁହଁ । ସେତେବେଳେ ବି ସେ ଅଶରୀରୀ ଭାବରେ ରହିଥିଲା, ଯାହାକୁ ଆମେ କବି ବୋଲି ବି କହୁଥିଲୁ ।

କବି ସହିତ ନୈର୍ବ୍ୟକ୍ତିକ ସଂପର୍କକୁ ଉଜାଗର କଲାବେଳେ ମନକୁ ଊନବିଂଶ ଶତାବ୍ଦୀର ଆଦ୍ୟ ଭାଗର ଜଣେ ଜର୍ମାନ କବିର ପ୍ରସଙ୍ଗ ମନକୁ ଆସୁଛି । କବିର ନାଆଁ ହେନରିଖ୍ ହାଇନି । ଏମିତିରେ କହିଲେ କବି ହେନରିଖ୍ ହାଇନି ଆଉ ଆମର କବି ଅଖିଳଙ୍କ ଭିତରେ ସେମିତି କୌଣସି କବିତାସୁଲଭ ସାଦୃଶ୍ୟ ନାହିଁ । ହେନେରିଖ୍ ଙ୍କ ଉଲ୍ଲେଖ ଏଇଥିପାଇଁ ଯେ ଜଣେ କବିର ଅନୁପସ୍ଥିତିକୁ ତାହାର ସମକାଳୀନ ସମାଜ ଯଦି ଉପେକ୍ଷା କରିବାର ଆଗ୍ରହ ରଖେ ତେବେ ତାହା କେଉଁ ପରିମାଣରେ ନିଷ୍ଠୁର ହୋଇପାରେ ତାହାର ଏକ ଅଦ୍ଭୁତ ଦଲିଲ ହେଉଛନ୍ତି କବି ହେନରିଖ୍ ହାଇନି । ହେନେରିଖ୍ ଜଣେ ଇହୁଦୀ ମାତ୍ର ନିଜକୁ ସେ ସବୁବେଳେ ଜଣେ ଅନ୍ୟ ସଭ୍ୟ ଜର୍ମାନଙ୍କ ଭଳି ଆଚରଣ କରୁଥିଲେ । ତଥାପି ଜର୍ମାନୀର ସମକାଳୀନ ବୌଦ୍ଧିକ ଜଗତରେ ନିଜର ବିଚାର ଏବଂ କବିତା ପାଇଁ ସେ ଅସ୍ୱୀକୃତ ହେଲେ । ସେହି ଉପେକ୍ଷାକୁ ସହ୍ୟ କରିବା ତାଙ୍କ ପକ୍ଷରେ ସହଜ ନହେବାରୁ ସେ ୧୮୩୧ ଖ୍ରୀଅରେ ଫ୍ରାନ୍ସକୁ ପଳାୟନ କରିଥିଲେ । ତାହାପରଠାରୁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଦୀର୍ଘ ପଚିଶ ବର୍ଷ ସେ ପାରିସ୍ ରେ ବସବାସ କରିଥିଲେ । ସେ ବୈଚାରିକ ଦୃଷ୍ଟିରୁ ପ୍ରତିବାଦୀ "ୟଙ୍ଗ ଜର୍ମାନୀ" ଆନ୍ଦୋଳନ ସହ ସଂପୃକ୍ତ ରହିଥିଲେ ଏବଂ ଏହି ବିଚାରଧାରା ତାଙ୍କର ଜୀବନର ଶେଷ ଯାଏଁ ତାଙ୍କ ସହିତ ରହିଥିଲା । ସେହି କାରଣରୁ ସେ ଜର୍ମାନୀ ଛାଡି ଫ୍ରାନ୍ସକୁ ଯିବା ପରେ ପରେ ତାଙ୍କର ରଚିତ ପୁସ୍ତକଗୁଡିକ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଥିଲା । ଅନ୍ୟ ପକ୍ଷରେ ଫ୍ରାନ୍ସ ରେ ରହିବା ସମୟ କବି ହେନରିଖ୍ ହାଇନିଙ୍କ ପାଇଁ ସେମିତି ସୁଖକର ନଥିଲା । କବି ହିସାବରେ ତାଙ୍କୁ ସେଠାରେ କୌଣସି ଉଲ୍ଲେଖଯୋଗ୍ୟ ଆଦୃତି ମିଳି ନଥିଲା । କୌଣସି କବି ପକ୍ଷରେ ଯୋଜନାବଦ୍ଧ ଉପେକ୍ଷାକୁ ସହିଯିବା ବଡ କଷ୍ଟକର କଥା ମାତ୍ର ତାଙ୍କ ପାଇଁ ପାରିସ୍ ରେ ସବୁଠୁ ବଡକଥା ଥିଲା ତାଙ୍କର ଧାର୍ମିକ ଅଙ୍ଗୀକାରବଦ୍ଧତାକୁ ନେଇ ବିବାଦ । ହେନେରିଖ୍ ଖ୍ରୀଷ୍ଟଧର୍ମର ଲୁଥେରାନିଜମ୍ ରେ ଦୀକ୍ଷିତ ଥିଲେ । ଏବଂ ସେ ସମୟର ଫରାସୀ ସାହିତ୍ୟ ଜଗତ ତାଙ୍କୁ ସବୁବେଳେ ତାଙ୍କର ଏହି ପ୍ରୋଟେଷ୍ଟାଣ୍ଟ ଆନୁଗତ୍ୟ ପାଇଁ ଖ୍ରୀଷ୍ଟଧର୍ମ ପରିପ୍ରେକ୍ଷ୍ୟରେ ବିଚାର କରୁଥିଲା । ଜଣେ କବିକୁ ବିଶେଷ ଭାବରେ ଉପେକ୍ଷା କରାଯାଉଥିବ ଆଉ ଯଦି କେତେବେଳେ ବା ତାହାର ଉଲ୍ଲେଖ ହେଉଥିବ ତାହା କେବଳ ତାହାର ଧର୍ମଚିନ୍ତାକୁ ନେଇ ହେଉଥିବ, ତେବେ ସେଇଭଳି କ୍ଷେତ୍ରରେ ସେଇ କବିର ମାନସିକ ସ୍ଥିତି କେଉଁ ଭଳି ଥିବ ତାହା ସହଜରେ ଅନୁମେୟ । ହେନରିଖ୍ ତାଙ୍କର ଜଣେ ବନ୍ଧୁଙ୍କୁ ଗୋଟିଏ ପତ୍ରରେ ଯାହା ଲେଖିଥିଲେ ତାହା ଏହିଭଳି ଥିଲା:

"ତମକୁ ଅଧିକ କିଛି କହିବାର ନାହିଁ ବନ୍ଧୁ, କେବଳ ଏତିକି ଯେ ମୁଁ ବଞ୍ଚିଛି ଆଉ ମୁଁ ତଥାପି ତମକୁ ଭଲପାଏ । ଏହି ଶେଷ କଥାଟି ଠିକ୍ ସେତିକି ସମୟ ରହିଥିବ ଯେତିକି ସମୟ ପ୍ରଥମଟି ଅବ୍ୟାହତ ଥିବ । ଜୀବନର ପରବର୍ତ୍ତୀ କାଳରେ ମୋର ଆଉ କୌଣସି ପ୍ରତିଶ୍ରୁତି ଦେବାର ନାହିଁ । ଶେଷ ନିଃଶ୍ୱାସ ବାହାରିଗଲା ପରେ ସବୁକିଛି ଶେଷ - ଆନନ୍ଦ, ପ୍ରେମ, ବେଦନା, ଗଛବୃଚ୍ଛ, ମଣିଷ ସହ ସଂପର୍କର ଯେତେକ ସାମର୍ଥ୍ୟ, ଗୁଲିଖଟି, ମଦ, ସବୁକିଛି।"

ଜଣେ କବି ସହିତ ଆମର ନୈର୍ବ୍ୟକ୍ତିକ ସଂପର୍କକୁ ସ୍ଥାପନ କରିବାର ସ୍ୱରୂପ କଥାକୁ ବୁଝିବା ପାଇଁ ହେନରିଖ୍ ହାଇନିଙ୍କ ଏଇ ଚିଠିର ଉଲ୍ଲେଖ କରାଯାଇଛି । ଶେଷ ନିଃଶ୍ୱାସ ବାହାରିଗଲା ପରେ ଯେଉଁ ସବୁ ସଂପର୍କର ଶେଷ ହୋଇଗଲା ବୋଲି ସେ ଉଲ୍ଲେଖ କରିଛନ୍ତି ସେ ସବୁକୁ ବାଦ ଦେଇ ଯେଉଁ ପ୍ରକାର ସଂପର୍କର ସାମର୍ଥ୍ୟକୁ ଆମେ ଆକଳନ କରିପାରିବା ତାହାହିଁ ମୋଟାମୋଟି ଭାବରେ ଆମର ନୈର୍ବ୍ୟକ୍ତିକ କବି - ସଂପର୍କର ଆଧାର ।

ପାରିସ୍ ରେ ଖ୍ରୀଅ ୧୮୫୬ ରେ ତାଙ୍କର ଦେହାବସାନ ହୁଏ । ମଣ୍ଟେମାତ୍ରେ ଠାରେ ତାଙ୍କର ଧାର୍ମିକ ପ୍ରତିବଦ୍ଧତାକୁ ସଂପୂର୍ଣ୍ଣ ଉପେକ୍ଷା କରି ଗୋଟିଏ "କାଥୋଲିକ" କବରରେ ତାଙ୍କୁ ସମାହିତ କରାଯାଏ । ଏବଂ ସମାନ ସମୟରେ ତାଙ୍କର ଜନ୍ମଭୂମି ଦସେଲଦର୍ଫ, ଜର୍ମାନୀଠାରେ ଗୋଟିଏ ବିରାଟ ଉତ୍ସବ ହୁଏ । ସେହି ଉତ୍ସବରେ ସମସ୍ତେ କବି ହେନରିଖ୍ ହାଇନିଙ୍କର ସମସ୍ତ ପ୍ରକାଶିତ ବହିକୁ ଆହୁତି ଦିଅନ୍ତି ନିଆଁରେ । ଜଣେ କବିର ଅବର୍ତ୍ତମାନରେ ଏଇଭଳି ପ୍ରତିକୂଳତା ନିଶ୍ଚିତ ଭାବରେ ଅକଳ୍ପନୀୟ । ତଥାପି ଏହିଭଳି ପ୍ରତିକୂଳତାକୁ ଜଣେ କବି ଅତିକ୍ରମ କରି ନିଜକୁ ପ୍ରତିଷ୍ଠିତ କରିପାରେ ଯଦି ତାହାର ବାହାରର ସଂପର୍କଟି ସୁଦୃଢ ନୈର୍ବ୍ୟକ୍ତିକତା ଉପରେ ପ୍ରତିଷ୍ଠିତ ହୋଇଥାଏ । ଆଜି ଯଦି କେତେବେଳେ ବି ହେନରିଖ୍ ହାଇନି ବୋଲି କବିର ଉଲ୍ଲେଖ ହେଉଛି ତେବେ ତାହା ସେମିତି ଏକ ନୈର୍ବ୍ୟକ୍ତିକ ସଂପର୍କର ଆଧାର ବୋଲି ମନେକରିବାକୁ ହେବ।

ତେଣୁ ଆଜି ଅଖିଳଙ୍କ ଅନୁପସ୍ଥିତିକୁ କେତେଦିନ ହେଲା, ସେଭଳି ଏକ ପ୍ରଶ୍ନର ଉତ୍ତରକୁ ସଂପୂର୍ଣ୍ଣ ବ୍ୟକ୍ତିଗତ ସ୍ତରରେ ରଖି କବିଙ୍କ ସହ ଏକ ଅନ୍ତରଙ୍ଗ ନୈର୍ବ୍ୟକ୍ତିକତାକୁ ଉଲ୍ଲେଖ କରିବାକୁ ଗଲାବେଳେ ଉପସ୍ଥିତ ଲେଖକ ତିନୋଟି ଉଦ୍ଧୃତିର ସାହାଯ୍ୟ ନେଉଛି ।

ପ୍ରଥମ ଉଦ୍ଧୃତିଟି ଚିନ୍ତକ ରୋଲାଣ୍ଡ ବାର୍ଥେସ୍ ଙ୍କ ଲେଖାରୁ ଗୃହୀତ: "ଲେଖକର ମୃତ୍ୟୁ ହୁଏ, ଲେଖା ଆରମ୍ଭ ହୁଏ।"

ଦ୍ୱିତୀୟ ଉଦ୍ଧୃତିଟି ଆମେରିକୀୟ କବି ଥିଓଡର୍ ରୋଏଥକେଙ୍କର: "କବିତା ଲେଖିବାକୁ ହେଲେ ତମକୁ ମରିବାକୁ ହେବ ।"

ଶେଷ ଉଦ୍ଧୃତିଟି କବିଙ୍କ ରଚିତ ଶେଷ କବିତା ସଂକଳନ "ଖେତ ପୁରାଣ" ରେ ସଂଯୋଜିତ ହୋଇଥିବା ତଥା ସଂକଳନର କବିତା - ପ୍ରବେଶ ଭଳି ଯେଉଁ ଉଚ୍ଚମାନର ଲେଖାଟି ସଂଯୋଜିତ ହୋଇ ରହିଛି ସେଥିରୁ କେତୋଟି ଧାଡି । ଏହି ଲେଖାଟିକୁ ଲେଖିଛନ୍ତି ଆମସମୟର ବିଶିଷ୍ଟ ଜନବାଦୀ ଚିନ୍ତକ ତଥା "ଭୋକଭୂଇଁ" ର କବି ଶ୍ରଦ୍ଧେୟ ଲେନିନ୍ କୁମାର:

"ଖେତ ପୁରାଣ" ପ୍ରଚଣ୍ଡ ପ୍ରତିସ୍ପର୍ଦ୍ଧା ସହ ନିମ୍ନଜନର ସାଂସ୍କୃତିକ ସୌନ୍ଦର୍ଯ୍ୟଶାସ୍ତ୍ରକୁ କେବଳ ରୁଦ୍ଧିମନ୍ତ କରେ ନାହିଁ, ବ୍ରାହ୍ମଣବାଦୀ - ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ଏକ ଜୀବନ୍ତ ପ୍ରତିରୋଧକୁ ଆଗେଇ ନେବାର କାବ୍ୟିକ ସାମର୍ଥ୍ୟ ରଖେ । "ଖେତ ପୁରାଣ" ରେ ମୂଳନିବାସୀର ଅସ୍ମିତାବୋଧ ଏକ ଶ୍ରେଣୀ ସଂଘର୍ଷରେ ପ୍ରତିଷ୍ଠିତ ହୁଏ ।"

ଏହି ତିନୋଟି ଉଦ୍ଧୃତିରୁ ଯେଉଁ ନୈର୍ବ୍ୟକ୍ତିକତାକୁ ଦେଖାଯିବ ସେଇଠି କିନ୍ତୁ କବି ଅଖିଳ ନାୟକ ଆଉ କବିତା ଲେଖୁ ନାହାଁନ୍ତି । ଯାହା ଯାହା କବିତା ଲେଖା ହେଉଛି ବା ହେବ ସେଇଠି ସେ ଏକ ଜାରଣ ବିନ୍ଦୁ । ସେଇ ଭୂମିକାରେ ସେ କେତେ ଆଉ କେଉଁଭଳି ତାହା ଯେଉଁମାନେ ତାଙ୍କ ସହିତ ନୈର୍ବ୍ୟକ୍ତିକ ସଂପର୍କ ସ୍ଥାପନ କରିଥିବେ ସେମାନେ ଜାଣନ୍ତି ।

ଟିକିଏ ଆଗରୁ କହିଛି, କବି ଅଖିଳ ନାୟକଙ୍କ ଦେହାବସାନ ଆଜିକୁ ଏତେଦିନ ହୋଇଗଲା ତାହା ସେମିତି କୌଣସି ବଡକଥା ନୁହଁ । ଅସଲ କଥାଟି ହେଉଛି ସେହି ନିର୍ଦ୍ଦିଷ୍ଟ ଅନୁପସ୍ଥିତିର ସ୍ୱରୂପ ଆମ ଆଗରେ କେମିତି ରହିଅଛି ? ନା ଏହା ଭିତରେ ଅନେକ ଅନେକ ନୂତନ ଅନୁପସ୍ଥିତି ଆମକୁ ପୁରୁଣା ଅନୁପସ୍ଥିତିମାନଙ୍କୁ ଗାଢ ଅନ୍ଧାରକୁ ଠେଲି ଦେଇ ସାରିଲାଣି ? ମିଲାନ କୁନ୍ଦେରାଙ୍କ "ଲାଫେବଲ୍ ଲଭସ୍" ର ଏକ କାହାଣୀ ଭଳି ଆମେ ସବୁବେଳେ ନୂତନ ଶବମାନଙ୍କୁ ପୁରୁଣା ଶବ ରହିଥିବା ସମାଧିରେ ସମାହିତ କରିଦେଇଥାଉ । ଏହାକୁ ଏଇଭଳି ବି କହିଲେ ଚଳିବ ଯେ ପୁରୁଣା ଶବମାନେ ନୂଆ ଶବମାନଙ୍କ ପାଇଁ ବାଟ ଛାଡିଦେଇଥାଏ । ଆଉ ସେଇଥିପାଇଁ ଆମର ଉତ୍ସାହ ସବୁବେଳେ ନୂଆ ନୂଆ ଶବକୁ ନେଇ, ତାହାକୁ ଆମର ଚେତନାରେ ସମାହିତ କରିରଖିବା ପାଇଁ । ଏହିଭଳି ଅପରିହାର୍ଯ୍ୟ ପ୍ରବାହରେ ନିତ୍ୟ ନୂତନ ଶବ ସଂସ୍କାର କରିବା ପ୍ରକ୍ରିୟାରେ ଆମେ ଅନେକ ସମୟରେ ନୂତନତାର ଆନୁଷ୍ଠାନିକତାରେ ଆଚ୍ଛନ୍ନ ହୋଇପଡୁ । ଆମକୁ ଲାଗେ ଯେମିତି ଏହିଭଳି ନୂତନ - ଶବ ସଂଲଗ୍ନ ଔପଚାରିକତାରେ ହିଁ ଆମେ ଆମର ସମକାଳକୁ ହିଁ ଦେଖୁଥାଉ । ଅନ୍ୟ ଭାବରେ କହିଲେ ଏହାଫଳରେ ନିଜକୁ ସମକାଳୀନ ବୋଲି ପ୍ରତିଷ୍ଠିତ କରିବା ଆମ ପକ୍ଷରେ ସହଜ ହୁଏ । କିନ୍ତୁ ଆମର ଚେତନାକୁ ସମୃଦ୍ଧ କରିବାପାଇଁ ପୁରୁଣା - ଶବ ଆଉ ନୂତନ - ଶବ ମଧ୍ୟରେ ଯେଉଁ ସମୃଦ୍ଧ ସଂବାଦ - ବିସମ୍ବାଦ ତଥା ପରିଚର୍ଚ୍ଚା ରହିବା ଆବଶ୍ୟକ, ତାହା ଭିତରେ ଯେମିତି ରହିଯାଏ ଏକ ଗଭୀର ଗଡଖାଇ ।

କହିବା କଥା ହେଉଛି ଆମକୁ କୌଣସି ଅନୁପସ୍ଥିତି ଆଲୋଡିତ କରୁଥାଏ ଯଦି ସେହି ଅନୁପସ୍ଥିତିର ପଛରେ ଏକ ପାରପାଂରିକତା ଉତ୍ସ ସଂପୃକ୍ତ ଥାଏ । ଯଦି ତାହା ପଛରେ ସେମିତି କିଛି ମୂଳାଧାର ନାହିଁ ତେବେ ତାହା କୌଣସି ଯାଦୁକରର ଶୂନ୍ୟରେ ପାରା ଉଡାଣର ଆବେଶ ଯେତିକି ରହିଥାଏ ଠିକ୍ ସେତିକି ସମୟର ବିଚ୍ଛୁରଣ । ଅନ୍ୟପକ୍ଷରେ ଯଦି କେହି ପାରପାଂରିକତାକୁ ସାହିତ୍ୟର ଏକମାତ୍ର ଆଧାର ମନେ କରୁଥାଏ ତେବେ ପ୍ରକାଶ୍ୟ ସୂର୍ଯ୍ୟାଲୋକରେ ରାଜରାସ୍ତାରେ ତାହାର ଝଲମଲ ନାଟ - ପୋଷାକ ଆଖିକୁ ବହୁତ ଦୃଷ୍ଟି ଲାଗେ ।

ସବୁ କବି ସବୁ ସମୟରେ ପରଂପରା ବିରୁଦ୍ଧରେ ଏକ ସମକାଳୀନ ପ୍ରତିବାଦ।

କୌଣସି କବି ସହିତ ନିଜର ନୈର୍ବ୍ୟକ୍ତିକ ସଂପର୍କକୁ ସ୍ଥାପନ କଲାବେଳେ ଏକମାତ୍ର କଥା ହେଉଛି ପରଂପରା ସହିତ ସମକାଳକୁ ଯୋଡିବା ପ୍ରକ୍ରିୟାରେ ଯଥାସମ୍ଭବ ସେହି କବିକୁ ସମାହିତ କରିବା । ସେଇଠି ହିଁ ଥାଏ କବିର ଅସଲ ସମାଧି । ଗାଢ ନୀଳରଙ୍ଗର ସମାଧି । ତାହାର ଅବୟବହୀନ ଦେହରେ ସେଇଠୁ ବାହାରି ଆସେ କବି ଆଉ ପୁଣି କେତେବେଳେ ଯାଇ ସେଇଠି ଚୁପଚାପ ଶୋଇ ପଡେ ତାହା ଲେଖନ ସମୟର ଉପସ୍ଥିତ କବି ଏବଂ ଅନୁପସ୍ଥିତ କବି ଉଭୟଙ୍କୁ ହୁଏତ ଗୋଚର ଥାଏ ବା ନଥାଏ ।

କବି ଅଖିଳଙ୍କୁ ସମାହିତ କରିଥିବା ସେଇ ଗାଢ ନୀଳରଙ୍ଗର ସମାଧିଟି ରହିଛି ଏବେ । କାଳକବଳିତ ହୋଇ ସେଇ ଗାଢ ରଙ୍ଗଟି ହୁଏତ ପରେ ଆଉ ସେମିତି ନ ରହି ପାରେ । କବି ଜୀବନାନନ୍ଦଙ୍କ ଭାଷାରେ କହିଲେ, ଆମେ ହୁଏତ ସେତେବେଳକୁ ବଣି କି ଘରଚଟିଆର ବେଶ ଧାରଣ କରି ଏଇ ପୃଥିବୀକୁ ବୁଲି ଆସୁଥିବୁ । ଆମର ସାମାନ୍ୟତମ ଅକ୍ଷର ଜ୍ଞାନ କି ଅକ୍ଷର ସଂପର୍କ ନଥିବ । ହୁଏତ ସେତେବେଳେ କେଉଁ ତରୁଣ କବି ଜଣେ ଏଇ ବିଷର୍ଣ୍ଣ ସମାଧି ପାଖରେ ପହଞ୍ଚିବ । ହୁଏତ ସେ ତାହାର ସୌଖୀନ ଚଷମାକୁ ସଜାଡି ନେଇ ସମାଧି ଫଳକରୁ ପଢିବ, ଜନ୍ମ ଆଉ ମୃତ୍ୟୁ ତାରିଖ ସହ ଏକ ନାଆଁ ସେହି ସମାଧିମଣିଷର, ଅଖିଳ ଚନ୍ଦ୍ର ନାୟକ । ସେ ସେମିତି କିନ୍ତୁ ଉତ୍ସାହିତ ହେବନାହିଁ ସେଥିରେ ।

ହଠାତ୍ ସେଇ ତରୁଣ କବିର ଆଖି ଝଲମଲ ହୋଇଉଠିବ ଯେତେବେଳେ ସେ ଭେଟିବ ସେହି ଦୁଇଟି ଶବ୍ଦକୁ ଅର୍ଥାତ୍ ଜନବାଦୀ କବି । ତାହାପରେ ହୁଏତ କବି ଅଖିଳ କେଉଁ ରୂପରେ ଉପସ୍ଥିତ ହୋଇଯିବେ ତାହା ଆଗରେ ସେଠାରେ କିଏ ଜାଣେ । କିନ୍ତୁ ଉପସ୍ଥିତ ହେବେ ନିଶ୍ଚିତ ।

କୌଣସି କବି ଯେତେବେଳେ ନୈର୍ବ୍ୟକ୍ତିକ ସେ ସେତେବେଳେ ଜନବାଦୀ ।

ଆଗରୁ ଉଲ୍ଲେଖ କରାଯାଇଥିବା ଜର୍ମାନ୍ କବି ହେନରିଖ୍ ହାଇନିଙ୍କ ସଂପର୍କରେ ଗୋଟିଏ ଆପ୍ତବାକ୍ୟ ପ୍ରଚଳିତ ଥିଲା । ସେ ସବୁବେଳେ ସତର୍କତାର ସହ ନିଃଶ୍ୱାସପ୍ରଶ୍ୱାସ ନେବା ଆଣିବା କରୁଥାନ୍ତି ।

ପ୍ରକୃତ କବି ହେଉଛି ଜନବାଦୀ । ଆଉ ଜନବାଦୀମାନେ ହିଁ, କହିବା ବାହୁଲ୍ୟ, ପ୍ରତିବାଦ । ଆଉ ପ୍ରତିବାଦମାନେ ହିଁ ତମକୁ ସମକାଳରେ ନିଃଶ୍ୱାସ ପ୍ରଶ୍ୱାସରେ ସତର୍କ ହେବାକୁ ପଡିବ ।

ଆମର ନୈର୍ବ୍ୟକ୍ତିକ କବିଙ୍କୁ ସେକଥା ପଚରାଯିବ ନିଶ୍ଚେ।