ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ ପଥିକ ଭାଗ - ୪

ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ "ପଥିକ"ର ଏକ ଆଲୋଚନା । ଚତୁର୍ଥ ଭାଗ ।


ଫଟୋ - "ପଥିକ"

ପରିଶେଷରେ ଆସନ୍ତୁ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ନଟ ଭୂମିକାରେ ଭେଟିବା ତାଙ୍କ ଆତ୍ମଜୀବନୀ 'ପଥିକ'ରେ । ଅଳ୍ପ ହେଲେ ବି ନଟ ଜୀବନର ଆରମ୍ଭ ହବାର ରହସ୍ୟକୁ ସେ ଏଥିରେ ଉନ୍ମୋଚନ କରିଛନ୍ତି । ସେହିପରି ଆଉ କିଛି ଦିଗ ପ୍ରତି ଆଲୋକପାତ କରିବା ।

ପଥିକର ସର୍ଜନ ଯାତ୍ରା

'ପଥିକ'ର ନାୟକ ଓଡିଆ ନାଟ୍ୟଜଗତର ଶ୍ରଦ୍ଧେୟ ସ୍ରଷ୍ଟା ଗୋପାଳ ଛୋଟରାୟ ଅଳ୍ପ ହେଲେ ମଧ୍ୟ ସ୍ବକୀୟ ଜୀବନ ନାଟକରେ ଚରିତ୍ରଟିଏ ସାଜିବା ପୁଣି ଚରିତ୍ର ସାଜି ନାଟକ ରଚିବାର କାହାଣୀ ରହିଛି । ବ୍ରଜସୁନ୍ଦର ଦାସଙ୍କ ସହିତ ତାଙ୍କର ସାକ୍ଷାତ ଗୋପାଳ ବାବୁଙ୍କ ଜୀବନକୁ ବିଶେଷ କରି ନାଟ୍ୟ ଜୀବନକୁ ନୂଆମୋଡ ଦେଇଛି । ତାଙ୍କର ପ୍ରଥମ ନାଟକର ରଚନା କାଳ ହେଉଛି ୧୯୪୨-୪୩ ମସିହା । ଦ୍ବିତୀୟ ମହାଯୁଦ୍ଧରେ ଭାରତ ବ୍ରିଟିଶ ସରକାରକୁ ସମର୍ଥନ କରିଛି ଭାବି ଜାପାନ ଭାରତ ଉପରେ ଆକ୍ରମଣ କରିବାର ଆଶଙ୍କା ଉପୁଜୁଥିବା ସମୟରେ କଂଗ୍ରେସ ଯୁଦ୍ଧରେ ଭାରତ ବ୍ରିଟିଶକୁ ଯୁଦ୍ଧରେ ସମର୍ଥନ କରିବ ନାହିଁ ବୋଲି ଜଣାଇ ଦେଇଥିଲା । ତାରି ପ୍ରତିକାରରେ ଦେଶର ନରମପନ୍ଥୀ ନେତାମାନଙ୍କ ସହଯୋଗରେ National War Front ନାମକ ସଂସ୍ଥା ସ୍ଥାପନ କଲେ ଯାହାର ଉଦ୍ଦେଶ୍ୟ ହେଉଛି ହିଟଲର୍ ସାମ୍ରାଜ୍ୟବାଦ ବିରୋଧରେ ମିତ୍ରଶକ୍ତି ଏକ ଗଣଯୁଦ୍ଧ କରୁଛି ବୋଲି ପ୍ରଚାର କରିବା । ଓଡିଶାର ଏହାର ମୁଖ୍ୟ କର୍ତ୍ତା ହେଲେ ବ୍ରଜସୁନ୍ଦର ଦାସ । ପ୍ରାୟ ଚବିଶ ପଚିଶ ବର୍ଷର ଯୁବକ ଗୋପାଳ ଛୋଟରାୟ ନାଟକ ଲେଖି ତାଙ୍କ ପାଖକୁ ଯାଇ ପଢି ଶୁଣାଇଛନ୍ତି । ବ୍ରଜସୁନ୍ଦର ଦାସ ମୁଗ୍ଧ ହୋଇ ଘୋଷିତ ପୁରସ୍କାର ରାଶି ୨୫ଟଙ୍କା ବଦଳରେ ୩୫ଟଙ୍କା ପ୍ରଦାନ କରିଛନ୍ତି ଏବଂ ନାଟକର ନାମ 'ସହଧର୍ମୀଣି' ରଖିଛନ୍ତି । ଏହା ହିଁ ହେଉଛି ଗୋପାଳ ଛୋଟରାୟଙ୍କ ଆଦ୍ୟ ନଟ ଜୀବନର ଇତିହାସ । ଏହା ପୂର୍ବରୁ ସେ କାହ୍ନୁଚରଣ ମହାନ୍ତିଙ୍କ 'ନିଷ୍ପତ୍ତି' ଉପନ୍ୟାସର ନାଟ୍ୟରୂପ ଦେବାର ପ୍ରୟାସ ମଧ୍ୟ କରିଥିଲେ ।

ପଥିକରେ ସେ ନିଜର ସ୍ରଷ୍ଟା ଜୀବନର ସଂକ୍ଷିପ୍ତ ଇତିହାସ ମଧ୍ୟ ଦେଇଛନ୍ତି । ପ୍ରକାଶିତ ପୁସ୍ତକ ସଂଖ୍ୟା (ଆତ୍ମଜୀବନୀ ଲେଖିବା ଯାଏ) ପଞ୍ଚାବନ । ୩୫ଟି ନାଟକ ୧୭ଟି ଗୀତିନାଟ୍ୟ. ଦୁଇଟି ଗଳ୍ପ ସଂକଳନ ଇତ୍ୟାଦି । ଏହା ବ୍ୟତୀତ 'ବେତାର ନାଟକ', ଦୂରଦର୍ଶନ ନାଟକ, କଟକ ଆକାଶବାଣୀ ପାଇଁ ଗୀତ ରଚନା, ଚଳଚିତ୍ରର ଚିତ୍ରରୂପ ଓ ସଂଳାପ ରଚନାରେ ମଧ୍ୟ ସେ ହାତ ଦେଇଛନ୍ତି । ଗୋପାଳ ଛୋଟରାୟଙ୍କ ସର୍ଜନଦୃଷ୍ଟି ବହୁମୁଖି ଓ ପ୍ରସାରିତ । 'ସମ୍ମାନ ଓ ପୁରସ୍କାର' ନାମକ ପରିଚ୍ଛେଦରେ ସେ ୧୩ଟି ସମ୍ମାନର ତାଲିକା ଦେଇଛନ୍ତି ଯଉଥିରେ କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର ସାମିଲ୍ ।

ସାହିତ୍ୟ, ରାଜନୀତି ଓ ମହାଭାରତୀୟ ମୁକ୍ତି ସଂଗ୍ରାମ ବ୍ୟତୀତ ଆହୁରି ଅନେକ ଘଟଣା ସହ ଗୋପାଳ ଛୋଟରାୟ ସଂଶ୍ଲିଷ୍ଟ ଥିବା ଦେଖିବାକୁ ମିଳେ । କିଛି ତିକ୍ତ ମଧୁର ଅନୁଭୂତି, କିଛି ଉତ୍କଳୀୟ ମହନୀୟତା ସ୍ବତନ୍ତ୍ରତା ପ୍ରିତୀ, କିଛି କ୍ରୀଡା ପ୍ରତି ଆସକ୍ତି ଏହି ଆତ୍ମଜୀବନୀରୁ ଦେଖିବାକୁ ମିଳେ । ଓଡିଶାର ଫୁଟବଲ୍ ଖେଳାଲିଙ୍କ ଚମକ, ବାରବାଟୀ ଷ୍ଟାଡିଅମ୍ ନିର୍ମାଣ, ୧୯୫୦ ଭାରତୀୟ ଅଲମ୍ପିକ୍ ଓ ଡିକାଥିଲନରେ ଓଡିଶାର ନନ୍ଦକୃଷ୍ଣଦାସଙ୍କ ବିଜୟ ଇତ୍ୟାଦି ଘଟଣା କଥା କହିଲାବେଳେ ଗୋପାଳଛୋଟରାୟଙ୍କ ଭିତରେ ଥିବା ସ୍ପୋର୍ଟସମ୍ୟାନ୍ ସ୍ପଷ୍ଟ ବାରିହୁଏ ।

ବହୁକ୍ଷେତ୍ରରେ ଓଡିଶା କିପରି ଉପେକ୍ଷିତ ହୋଇଛି, କିପରି ଓଡିଶାର ସଂସ୍କୃତିକୁ ଖାଦ୍ୟପେୟକୁ ଜାଣିଶୁଣି ଅଣଦେଖା କରାଯାଏ ସେ ସବୁ ବିଷୟରେ ମଧ୍ୟ 'ପଥିକ' କଥା କହିଛି । ଏଇ ନିକଟରେ ଅନେକ ଝଡ ତୋଫାନ ପରେ ଓଡିଶାର ରସଗୋଲା ଜି.ଆଇ ମାନ୍ୟତା ପାଇଛି । ଗୋପାଳ ଛୋଟରାୟ କଲିକତା ରସଗୋଲା ଓ ଓଡିଶୀ ରସଗୋଲା ମଧ୍ୟରେ ପାର୍ଥକ୍ୟ ଦେଖାଇବା ସହ ଓଡିଶାକୁ ଦୁଗ୍ଧ ଉପାଦାନରେ ପ୍ରସ୍ତୁତ ମିଷ୍ଟାନ୍ନର ପୀଠସ୍ଥଳୀ ଭାବରେ ପରିଚିତ କରାଇଛନ୍ତି । ନିଜର ଅସ୍ମିତାକୁ ଓଡିଶା ଚିରକାଳ ଅନ୍ୟଙ୍କ ସାମ୍ନାରେ ଚିହ୍ନାଇ ନପାରିବା ଓ ସର୍ବଭାରତୀୟ ସ୍ତରରେ ଉପେକ୍ଷିତ ହେବା କଥାକୁ ଆତ୍ମଜୀବନୀରେ ଇଙ୍ଗିତ କରିଛନ୍ତି ।

ଭାରତୀୟ ଖାଦ୍ୟ ଓ ଭୋଜନର ସ୍ବାଦ ସଂର୍ପକରେ ଆଲୋଚନା କରିଥିବା ବଙ୍ଗୀୟ ନୀରଜ ଚୌଧୁରୀ ବଙ୍ଗାଳୀଙ୍କୁ ମିଷ୍ଟାନ୍ନ ପ୍ରିୟ ଓ ରସଗୋଲା ତାଙ୍କର ପ୍ରିୟଖାଦ୍ୟ କହି ଅନେକ ଆଲୋଚନା କରିଥିଲେ ମଧ୍ୟ ବଙ୍ଗର ପଡୋଶୀ ରାଜ୍ୟ ଓଡିଶା ସଂର୍ପକରେ କିଛି ହେଲେ ଉଲ୍ଲେଖ କରି ନଥିବାରୁ ଗୋପାଳ ଛୋଟରାୟ କ୍ଷୁବ୍ଧ ହୋଇଛନ୍ତି । କେବଳ ସେତକ ନୁହଁ 'କିଏ କାହାର' (ଯାହାର ଲେଖକ ସ୍ବୟଂ ଗୋପାଳ ଛୋଟରାୟ ଥିଲେ) ଚଳଚ୍ଚିତ୍ରରେ କଟକ ସହରର ମିଷ୍ଟାନ୍ନ ସଂର୍ପକରେ ଦୃଷ୍ଟି ଆକର୍ଷଣ କରାଇ ତାର ଉତ୍କର୍ଷ ବିଷୟ ଉଲ୍ଲେଖ କରିଥିଲେ ।

ଜଗତସିଂହପୁର ଜିଲ୍ଲାର ପୁରୁଣାଗଡ ଗ୍ରାମରେ ୧୯୧୬ ମସିହାରେ ଜନ୍ମିତ ଗୋପାଳ ଛୋଟରାୟ ଓଡିଆ ନାଟକ ରଚନା କ୍ଷେତ୍ରରେ ଅପୂର୍ବ କୃତିତ୍ବ ଅର୍ଜନ କରିପାରିଥିଲେ । ଲେଖକ ଏଗାର ବର୍ଷ ଏକ ସ୍ବାୟତ୍ତ ଶାସନ କାର୍ଯ୍ୟାଳୟ ଓ କୋଡିଏ ବର୍ଷ କଟକ ଆକାଶବାଣୀ କେନ୍ଦ୍ରରେ ନିଜର କର୍ମମୟ ଜୀବନ ବିତାଇଥିଲେ । ଏହି କାର୍ଯ୍ୟାଳୟ ଭିତରେ ମଧ୍ୟ ସେ ସାହିତ୍ୟକୁ ବିଶେଷ କରି ନାଟ୍ୟ ରଚନାକୁ ମୂଖ୍ୟସ୍ଥାନ ଦେଇଛନ୍ତି । ବ୍ୟସ୍ତତା ଭିତରେ ବି ସାହିତ୍ୟ ହିଁ ତାଙ୍କ ଆତ୍ମାର ନିକଟବର୍ତ୍ତୀ ହୋଇପାରିଛି । ତାଙ୍କରି ସେହି ଦିବ୍ୟଜୀବନର କିଛି ମହତ୍ତ୍ବପୂର୍ଣ୍ଣ ଘଟଣା ହିଁ 'ପଥିକ' । ପୁସ୍ତକଟି ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ ହେଲେ ହେଁ ଭାରତର ସ୍ବାଧିନତା ପ୍ରାପ୍ତି, ଓଡିଶାର କଂଗ୍ରେସ, ଲକ୍ଷ୍ମୀର ସହର କଟକ, ନିର୍ବାଚନ ପ୍ରଚାର ଇତ୍ୟାଦି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇଛି । ପାରିବାରିକ ଜୀବନ ଅପେକ୍ଷା ସାମାଜିକ ଦର୍ପଣ ପାଲଟିଛି 'ପଥିକ' । ସେହି ଦୃଷ୍ଟିରୁ ଓଡିଆ ଆତ୍ମଜୀବନୀ କ୍ଷେତ୍ରରେ ପଥିକ ଏକାନ୍ତ ଭାବରେ ଏକ ମହତ୍ତ୍ବପୂର୍ଣ୍ଣ ଆତ୍ମଜୀବନୀ ।

ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ 'ପଥିକ' ଭାଗ - ୩