ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ 'ପଥିକ' ଭାଗ - ୩

ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ "ପଥିକ"ର ଏକ ଆଲୋଚନା । ତୃତୀୟ ଭାଗ ।


ଫଟୋ - "ପଥିକ ପ୍ରଚ୍ଛଦ"

ପୂର୍ବଭାଗରେ ଆମେ ଗୋପଳ ଛୋଟରାୟଙ୍କ ଆତ୍ମଜୀବନୀ 'ପଥିକ'ରେ ସମକାଳୀନ ସାହିତ୍ୟିକ ପାଣିପାଗ ସଂପର୍କରେ ପଢିଥିଲେ । ଏହି ଭାଗରେ ଆସନ୍ତୁ 'ପଥିକ'ରେ ଉତ୍କଳୀୟ ରାଜନୀତି ସହ ଭାରତୀୟ ରାଜନୀତିର ପ୍ରବାହକୁ ଅନୁଭବ କରିବା ଏବଂ ସେଥିରୁ ବର୍ତ୍ତମାନ ପାଇଁ ପ୍ରାସଙ୍ଗିକ ଉପାଦାନକୁ ସଂଗ୍ରହ କରିବା । ଏତଦ୍ ବ୍ୟତୀତ ଏହି ଆତ୍ମଜୀବନୀରେ ଲେଖକ କିପରି ଭାବରେ ଯୁଗଜନ୍ମା ପୁରୁଷଙ୍କ ସାନିଧ୍ୟ ପାଇଥିଲେ ପ୍ରତ୍ଯକ୍ଷ ବା ପରୋକ୍ଷରେ ସେ ପ୍ରତି ବି ନଜର ଦେବା ।

ରାଜନୀତିକ ପଥର ପଥିକ -

ଗୋପାଳ ଛୋଟରାୟଙ୍କ 'ପଥିକ'କୁ ଏକ ରାଜନୈତିକ ଆତ୍ମଜୀବନୀ କହିଲେ ବି ଚଳିବ । ଗାନ୍ଧୀଙ୍କଠୁ ଆରମ୍ଭ କରି ମଧୁବାବୁ ଗୋପବନ୍ଧୁ ଦାସ, ମାଳତୀ ଦେବୀ, ନୀଳକଣ୍ଠ ଦାସ, ବିଜୁ ପଟ୍ଟନାୟକ, ନୀଳମଣି ପ୍ରଧାନ, ରାଜକିଶୋର ବୋଷ, ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ବଙ୍କ ଘଟଣାବଳୀ ଉଣା ଅଧିକେ ପଥିକରେ ରହିଛି । ନିଜେ ଗୋପାଳ ଛୋଟରାୟ ମଧ୍ୟ ଛାତ୍ରଜୀବନରେ ତଥା ପରବର୍ତ୍ତୀ ସମୟରେ ବିଭିନ୍ନ ରାଜନୈତିକ ଆନ୍ଦୋଳନରେ ସାମିଲ ହବାର ଦୃଷ୍ଟାନ୍ତ ଉକ୍ତ ଆତ୍ମଜୀବନୀରୁ ଦେଖିବାକୁ ମିଳିଥାଏ ।

ଉଣେଇଶିଶହ ତିରିଶି ମସିହାର ଲବଣ ସତ୍ୟାଗ୍ରହ, ଖଦଡ ପିନ୍ଧାରୁ ଜେଲ୍ ଓ ହଷ୍ଟେଲ୍ ରୁ ବହିଷ୍କୃତ, ଉତ୍କଳ ଗୌରବଙ୍କ ଧଳା ପଗଡି, ଏସ୍ ପିଲେନ୍ ସାହେବଙ୍କ ସାମ୍ନାରେ ବିଜୁ ପଟ୍ଟନାୟକଙ୍କ ଅଲ୍ ରାଇଟ, ଆଇ ସେଲ୍ ସି ୟୁ' କହିବାର ସାହାସିକତା, ପ୍ରଥମ ପ୍ରାଦେଶିକ ନିର୍ବାଚନରେ ସରଳା ଦେଇ ଓ ଲତିକା ଦେବୀଙ୍କ ଲଢେଇ ଏବଂ ସଚ୍ଚୋଟତାର ସହ ସରଳା ଦେଇଙ୍କ ବିଜୟ, ଉତ୍କଳ ପ୍ରଦେଶ ଗଠନ, ଏମିତି ଆହୁରି ଅନେକ ପ୍ରସଙ୍ଗ ପଥିକ ଆତ୍ମଜୀବନରେ ସ୍ଥାନିତ ଯାହାକି ଆମକୁ ସେ ସମୟର ରାଜନୈତିକ ବାତାବରଣ ସଙ୍ଗେ ପରିଚୟ କରାଏ । ଏଥିରେ ଏମିତି ଅନେକ କିଛି ରାଜନୀତିକୁ ନେଇ ରହିଛି ଯାହାର ପ୍ରାସଙ୍ଗିକତା ଆମ ସମୟର ରାଜନୀତି ପାଇଁ ଯଥେଷ୍ଟ ।

ପ୍ରଥମତଃ, ପ୍ରଦେଶ ଗଠନ ହେବା ପରେ ପ୍ରଥମ ପ୍ରାଦେଶିକ କଟକ ସହର ପାଇଁ କଂଗ୍ରେସ ପ୍ରାର୍ଥୀ ଭାବରେ ଲେଖିକା ସରଳା ଦେଇ ଠିଆ ହେଲେ । ବିପକ୍ଷରେ ଠିଆ ହୋଇଥିଲେ ଲତିକା ଦେବୀ । ଲତିକା ଦେବୀଙ୍କ ଅସାଧୁ କର୍ମ, ମୁସଲିମମାନେ କଂଗ୍ରେସକୁ ସମର୍ଥନ କରିବେନି ବୋଲି ପ୍ରଚାରିତ କଥାରେ ସରଳା ଦେଇ ଅସହାୟ ଅନୁଭବ କରୁଥିଲେ । ଆତ୍ମହତ୍ୟା କରିବାର ଉଦ୍ୟମ ମଧ୍ୟ କରିଥିଲେ । ଏହି ନିର୍ବାଚନ ସମୟରେ ଘଟିଥିବା ମନମୁଗ୍ଧକର ଘଟଣାକୁ ଆତ୍ମଜୀବନୀକାର ଗୋପାଳ ଛୋଟରାୟ 'ଲାଲ୍ ପିଲା ପ୍ରସଙ୍ଗ' ଓ 'ଭୋଟ ଗ୍ରହଣ ଆରମ୍ଭ' ନାମରେ ଯୋଡିଛନ୍ତି । ଏହି ଘଟଣାରେ ଜଣେ ବୟସ୍କା ମୁସଲିମ୍ ମହିଳା ଓ ତାଙ୍କ ପୁଅ ମଧ୍ୟରେ ଘଟିଥିବା କଥାବାର୍ତ୍ତା ଓ ସେ ଭିତରେ ରହିଥିବା ଚମତ୍କାର ବାର୍ତ୍ତାଟିକୁ ଲେଖକ ପରିବେଷଣ କରିଛନ୍ତି । ଉଭୟଙ୍କ ଭିତରେ ହୋଇଥିବା କଥାବାର୍ତ୍ତାକୁ ଲେଖକ ଉଦ୍ଧାର କରିଛନ୍ତି - "- ପୁଅ ପଚାରିଲା କ୍ୟା ହୁଆ ?
ନିଜ ହାତମୁଠା ଅଧାଖୋଲି ପୁଅକୁ ଦେଖାଇ ଟିକଏ ନିମ୍ନ ସ୍ବରରେ ମାଁ କହିଲେ - ଏଇ ଦେଖ୍ ।
ଜାନେ ଦୋ । ଅଉର୍ କ୍ୟା ବୋଲେ ?
ହାତ ମୁଠାରେ ଧରିଥିବା ଦ୍ରବ୍ୟକୁ ପଣତ କାନିରେ ବାନ୍ଧି ମା କହିଲେ - ବୋଲେ ପରା - ବୋଲେ କି, ଲାଲ୍ ମେ ଡାଲୋଗେ । ଏଥିରେ ପୁଅ ଯେମିତି ଆଦେଶ ଦେବା ଭଙ୍ଗୀରେ କହିଲା, ନେହିଁ ଲାଲ୍ ମେ ନହିଁ ପିଲେ ମେ ଡାଲୋଗେ
ଆରେ ବେଟା ହମାରେ ବସ୍ତିବାଲେ ପରା ସବ୍ କୁଆଡେ ଲାଲ୍ ମେ.... ବାଧା ଦେଇ ଯୁବକ ପୁଅ ତୃପ୍ତ କଣ୍ଠରେ କହିଲା - ମାରୋ ଗୁଲି ବସ୍ତି ବାଲୋକୋ । ମୁଁ କହୁଛି- ତୁମ୍ ପିଲାମେ ଡାଲୋଗେ
ଠିକ୍ ହେ ପିଲେ ମେ ସହି ।

ପ୍ରକୃତ କଥା ହେଉଛି ସେଇ ନିର୍ବାଚନରେ ଲତିକା ଦେଇଙ୍କ ନିର୍ବାଚନ ଚିହ୍ନ ଲାଲ୍ ଓ ସରଳାଦେଇଙ୍କ ପିଲା ମାନେ ହଳଦିଆ । ବସ୍ତିର ମୁସଲମାନ୍ ଙ୍କୁ ଲତିକା ଦେଇ ଟଙ୍କା ଦେଇ ନିଜ ଆଡକୁ ଆଣିବାର ପ୍ରୟାସ କରିଛନ୍ତି ଓ ଅନେକାଂଶରେ ସଫଳ ହୋଇଛନ୍ତି । ମାତ୍ର ସେହି ଯୁବକ ନିଜର ଅଧିକାରକୁ ଗୋଷ୍ଠୀ ଓ ଅର୍ଥ ପାଇଁ ମାରି ନଦେଇ ସମସ୍ତ ବିବେଧତାକୁ ଭୁଲି ହଳଦିଆ ଅର୍ଥାତ କଂଗ୍ରେସ୍ କୁ ଭୋଟ୍ ଦେବା ସହ ନିଜ ମାଁକୁ ମଧ୍ୟ ତାଗିଦ୍ କରିଛି । ପରବର୍ତ୍ତୀ ସମୟରେ ସରଳା ଦେଇ ଦୁଇ ହଜାର ଭୋଟ୍ ରେ ଜୟଲାଭ କରିଛନ୍ତି । ଏ ପ୍ରସଙ୍ଗକୁ ଆତ୍ମଜୀବନୀରେ ଉପସ୍ଥାପନ କରିବା ସହ ତା ସଂପର୍କରେ ଲେଖକ ଗୋପାଳ ଛୋଟରାୟ କୁହନ୍ତି "ଦେଇ ଦୁଇହଜାର ଭୋଟରେ ଜିତିଲେ । ହୁଏତ ଏମିତି ହୋଇଥାନ୍ତା, ଦେଇ ମାତ୍ର ଗୋଟିଏ ଭୋଟ୍ ରେ ଜିତିଥାନ୍ତା ତେବେ କଂଗ୍ରେସ୍ ଦଳ ଓ ନିଜେ ଦେଇ ହୁଏତ ଦୁଃଖ ଓ ଶାେଚନାରେ ଭାଙ୍ଗି ପଡିଥାନ୍ତେ । କିନ୍ତୁ ମୁଁ ? ସେଦିନ କଚେରୀ ହତାରେ ମୋ ଉପସ୍ଥିତିରେ ଯେଉଁ ଲାଲ - ପିଲା ପ୍ରସଙ୍ଗଟି ଘଟିଗଲା, ସେ ମୁସଲମାନ ଯୁବକଟି ଯେମିତି ଛଳନା ବିହୀନ ନିର୍ବିକାର ଚିତ୍ତରେ ତା' ମା'କୁ କହିଥିଲା ହଳଦିଆ ବାକ୍ସରେ ଭୋଟ ଦବାକୁ, ସେଥିରୁ ସୂତ୍ର ଗ୍ରହଣ କରି ମୁଁ ଏଇ ସିଦ୍ଧାନ୍ତରେ ପହଞ୍ଚିଥାନ୍ତି ଯେ, ଦେଇ ଯେଉଁ ଗୋଟିକ ଭୋଟରେ ଜୟ ଲାଭ କଲେ, ସେଇ ଭୋଟଟି ଦେଇଥିଲେ ସେ ବୟସ୍କା ମୁସଲମାନ୍ ମହିଳା - ଆଉ ସେ ଭୋଟ୍ ଟି ହଉଛି ବ୍ରିଟିସ୍ ସରକାର ଏ ଦେଶ ଛାଡିଯିବା ପୂର୍ବରୁ ଯେଉଁ ସାଂପ୍ରଦାୟିକ ଲିଗାସି ସୃଷ୍ଟି କରୁଛନ୍ତି, ତାକୁ ବ୍ୟର୍ଥ କରିବା ପାଇଁ ଏକ ଡିସାଇଡିଙ୍ଗ୍ ଫ୍ୟାକ୍ଟର - ତା ବିରୁଦ୍ଧରେ ଏକ ନିର୍ମମ ଉପହାସ । "ଆପଣମାନେ ଥରେ ଭାବନ୍ତୁ ବର୍ତ୍ତମାନ ସମୟରେ ନିର୍ବାଚନବେଳେ ଘଟୁଥିବା ସାଂପ୍ରଦାୟିକତାର ଘୃଣ୍ୟ ପରମ୍ପରା ପ୍ରତି ଏହା ଏକ ଶକ୍ତ ଜବାବ୍ ନୁହଁ କି ?

ଏଥିରେ ରହିଥିବା ଆଉ ଏକ ନିର୍ବାଚନର କଥା ଉଲ୍ଲେଖ କରାଯାଇପାରେ । ୧୯୫୩ ମସିହା ଗଣତାନ୍ତ୍ରିକ ଭାରତ ପ୍ରଥମ ସାଧାରଣ ନିର୍ବାଚନରେ ଜଗତସିଂହପୁର କଂଗ୍ରେସ ପ୍ରାର୍ଥୀ ଭାବରେ କଂଗ୍ରେସର ଭୀଷ୍ମଦେବ ଆଜୀବନ ସତ୍ ମାର୍ଗ ଯାତ୍ରୀ ଯୋଗଜନ୍ମା ନୀଳମଣି ପ୍ରଧାନ ଠିଆ ହୋଇଥାନ୍ତି । ଓଡିଶା ସ୍ବତନ୍ତ୍ର ପ୍ରଦେଶ ହବାଠାରୁ ଯେତେଥର ଆସେମ୍ଲି ନିର୍ବାଚନ ହୋଇଛି ପ୍ରତିଥର ସେ ଜୟଯୁକ୍ତ ହୋଇଛନ୍ତି । ଏହି ପ୍ରଥମ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ହରିଜନ ବସ୍ତିମାନଙ୍କରେ ଲଣ୍ଠନ ଛତା ଚାଦର ପ୍ରଭୃତି ବଣ୍ଟନ କରାଯାଇଛି । ଏ କଥାରେ ବ୍ୟଥିତ ଗୋପାଳ ଛୋଟରାୟ ଅଭିମାନ ଓ ରାଗରେ ନୀଳମଣି ପ୍ରଧାନଙ୍କୁ ଇଏ ଆପଣ କଣ କଲେ ବୋଲି ପ୍ରଶ୍ନ କରିଥିଲେ । ବିପକ୍ଷ ପକ୍ଷ ଜନତାଙ୍କୁ ଟଙ୍କା ବଣ୍ଟନ କରିବା ଯୋଗୁଁ କଂଗ୍ରେସ ଭିତରେ ଭୟ ସଂଚାର ହୋଇଛି ତେଣୁ ଉପରୁ ଲଣ୍ଠନ ଛତା ଚାଦର ବଣ୍ଟନର ନିର୍ଦ୍ଦେଶ ଦିଆଯାଇଛି । ମାତ୍ର କେଇଟା ଟଙ୍କା ସାମ୍ନାରେ କଂଗ୍ରେସର ଭୟ ଲେଖକଙ୍କୁ ଆଘାତ ଦେଇଛି । ଦୀର୍ଘବର୍ଷ ଧରି ଯଉ କଂଗ୍ରେସ ଶୃଙ୍ଖଳା, ନୈତିକତା, ସୁନା ସଂସାର କଥା କହି ଆସିଛି ସେ କେମିତି ବିଶୃଙ୍ଖଳିତ ହୋଇପାରେ । ନିଷ୍ଠାପର ଭାବରେ ଦେଶସେବା ଜନସେବା କରିଥିବା କଂଗ୍ରେସ ସାମାନ୍ୟ ଅସାଧୁତା ଆଗରେ ସେଦିନ ନିଜର ଆତ୍ମବିଶ୍ବାସକୁ କେମିତି ଜଳାଞ୍ଜଳି ଦେଇପାରେ । ଏଇପରି ଏକ ଆଦର୍ଶର ସାମାନ୍ୟ ପଥଭ୍ରଷ୍ଟତାକୁ ନେଇ ଗୋପାଳ ଛୋଟରାୟ ଯଉ ଗଭୀର ପ୍ରତିକ୍ରିୟା ରଖିଛନ୍ତି ଆତ୍ମଜୀବନୀରେ ତାହା ଗଣତନ୍ତ୍ରର ନେତୃତ୍ବର ମହାନ ପରାକାଷ୍ଠାକୁ ସୂଚାଏ ।

ପଥିକ ଆତ୍ମଜୀବନୀରେ ସନ୍ନିବେଶିତ ରାଜନୈତିକ ଘଟଣାବଳୀରେ କେବଳ ଭାରତ କି ଓଡିଶା ସଂପର୍କରେ ନଥିଲା । ଏଥିରେ ଅଛି ଇଂଲଣ୍ଡ ଆମେରିକା, ଜର୍ମାନ ଜାପାନ ପରି ଦେଶର ରାଜନୀତିକ କ୍ରିୟାକର୍ମର ଦୃଶ୍ୟ । ଛାତ୍ର ଜୀବନରୁ ଗୋପାଳ ଛୋଟରାୟ କଂଗ୍ରେସ ସହ ଥିଲେ । ନିଜ ସାମର୍ଥ୍ୟ ଅନୁସାରେ ବିଭିନ୍ନ ଆନ୍ଦୋଳନରେ ସାମିଲ ହୋଇଥିବା କଥା ପୁଣି ସେଥିପାଇଁ ଖଦଡ ପିନ୍ଧି ଜେଲ୍ ଦଣ୍ତ ଭୋଗିଥିବା କଥା ବି ସେ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ଗୋପାଳ ଛୋଟରାୟ ନିଜକୁ ଜଣେ ସାହିତ୍ୟିକ ଭାବରେ ପରିଚୟ ଦବା ଅପେକ୍ଷା ଜଣେ କର୍ମୀ ଭାବେ ପରିଚୟ ଦବାକୁ ଗୌରବ ମଣିଛନ୍ତି । ସେଥିପାଇଁ ହୁଏତ ପଥିକରେ ରାଜନୀତିକ ଆନ୍ଦୋଳନ, ସଂଗଠନ କଥା ବେଶୀ ।

ଯୁଗଜନ୍ମାଙ୍କୁ ଭେଟେ ଯେବେ ପଥିକ -

ସଫଳ ମଣିଷମାନେ ଯେତେବେଳେ ସଚେତନ ହୁଅନ୍ତି ଯେ ତାଙ୍କ ଜୀବନ ସାଧାରଣ ଓ ବ୍ୟକ୍ତିଗତ ହୋଇ ଆଉ ନାହିଁ ତାହା ଅନନ୍ୟ ଓ ଅନ୍ୟକୁ ପ୍ରେରିତ କଲାପରି ହୋଇସାରିଛି ସେତେବେଳେ ଆତ୍ମଜୀବନୀ ରଚନା କରନ୍ତି । ସେଥିରେ ପରିବେଷିତ ତାଙ୍କର ଅଭୁଲା ସ୍ମୃତି, ଅକୁହା କାହାଣୀ ପାଠକଙ୍କୁ କୌତୁହଳ ଦିଏ ଆମୋଦିତ କରେ । ପାଠକଟିଏ ଯାହାର ଜୀବନ କାହାଣୀ ପଢୁଥାଏ ତା ସଂପର୍କରେ ଜାଣିବା ସହ ସେ ସମୟର ବିଶିଷ୍ଟ କିମ୍ବଦନ୍ତୀ ପୁରୁଷଙ୍କ ସହ ଆତ୍ମଜୀବନୀ ଲେଖକଙ୍କ ଭାବଗତ ସଂପର୍କକୁ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାଏ । ଯୁଗଜନ୍ମା ବ୍ୟକ୍ତିତ୍ବଙ୍କର ଉପସ୍ଥିତିରେ ଆତ୍ମଜୀବନୀର ପ୍ରାମାଣିକତା ଓ ଗୁରୁତ୍ବ ବୃଦ୍ଧି ପାଏ । ‍ଆଲୋଚ୍ୟ ପଥିକ ଆତ୍ମଜୀବନୀରେ ମଧ୍ୟ ଗୋପାଳ ଛୋଟରାୟଙ୍କ ସମକାଳୀନ ମହାପୁରୁଷଙ୍କ ସଂପର୍କରେ କିଛି ସ୍ମୃତି କିଛି ଅନୁଭୂତି ରହିଛି । ରହିବା ସ୍ବାଭାବିକ ମଧ୍ୟ, କାରଣ ସେମାନଙ୍କ ଅନୁପସ୍ଥିତିରେ 'ପଥିକ' ଦୁର୍ବଳ ମନେ ହୋଇଥାନ୍ତା । ପଥିକରେ ମଧୁସୂଦନ ଦାସ, ଉତ୍କଳମଣି, ରମାଦେବୀଙ୍କ ପରି ପୁଣ୍ୟାତ୍ମାଙ୍କୁ ନେଇ ଗୋପାଳ ଛୋଟରାୟଙ୍କ ଭାବଗତ ସଂପର୍କକୁ ଦେଖିଲେ ସେହି ପୁଣ୍ୟାତ୍ମାଙ୍କ ପ୍ରତି ଆପେ ଆପେ ମଥା ନତ ହୋଇଯାଏ ।

ପିଲାଦିନୁ ଗୋପବନ୍ଧୁ ଦାସଙ୍କୁ ଦେଖିବାର ଆଶା ପୋଷଣ କରିଥିଲେ ବି ବିଭିନ୍ନ କାରଣରୁ ଗୋପାଳ ଛୋଟରାୟଙ୍କ ସେ ଆଶା ପୂରଣ ହୋଇପାରି ନଥିଲା । ଶ୍ରୀଯୁକ୍ତ ଛୋଟରାୟଙ୍କ ପିତୃବିୟୋଗର ଦି'ମାସ ପରେ 'ସମାଜ'ରୁ ସେ ଜାଣିଲେ ଯେ ଗୋପବନ୍ଧୁ ଦାସ ଇହଧାମରେ ନାହନ୍ତି । ଶିଶୁଟିଏ ପରି କାନ୍ଦି ସେଦିନ ଗୋପାଳ ଛୋଟରାୟ ଯଉ କଥା ତାଙ୍କ ଅପାଙ୍କୁ କହିଥିଲେ ତାହା ଶୁଣି ଯେ କେହି ଅଭିଭୂତ ହୋଇଯିବେ । ଦେଖି ନଥିବା ଗୋଟେ ମଣିଷ ପ୍ରତି ଏତେ ନିବିଡତା ବାସ୍ତବିକ ଏକ ସ୍ବର୍ଗୀୟ ଅନୁଭବ । ଗୋପାଳ ଛୋଟରାୟଙ୍କ ସେଇ କିଛି ଧାଡି ଏଠି ଉଦ୍ଧାର କରାଯାଇପାରେ -"କଇଁ କଇଁ କାନ୍ଦି ଉଠି କହିଲି - ଦେଖ ଅପା, ଏଇ ଦୁଇ ମାସ ତଳେ ମାତ୍ର ବାଉନ ବର୍ଷ ବୟସରେ ବାପା ମରିଗଲା ଦିନ ଆମେ ସବୁ ଏଇଠି ଅଗଣାରେ ବସି, ବାପା ଆମକୁ ଅକୂଳରେ ଭସାଇ ଦେଇ ଚାଲିଗଲେ ବୋଲି ମୁଣ୍ତ ପିଟି ପିଟି କାନ୍ଦୁଥିଲୁ । ଆଜି ଏଇ ଦେଖ୍, ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସ ଆଉ ନାହାନ୍ତି । ତୁ ତ ଜାଣୁ ତାଙ୍କୁ, ଏଇ 'ସମାଜ'ରେ ବାହାରିଛି - ସାରା ଓଡିଶାରେ ସମସ୍ତଙ୍କୁ ସେଇ ବାଉନ ବର୍ଷ ବୟସରେ ଶୋକସାଗରରେ ଭସାଇ ଜଗନ୍ନାଥଙ୍କ ନେତ୍ରୋତ୍ସବ ଦିନ ଚାଲିଗଲେ । ବାପା ସିନା ଆମ ପରିବାରକୁ ଅନାଥ କରି ଯାଇଛନ୍ତି, ଉତ୍କଳମଣି ଆମ ସମସ୍ତଙ୍କୁ, ହଁ ଲୋ ଅପା, ଓଡିଶାର ଆମ ସମସ୍ତଙ୍କୁ ଅନାଥ କରି ଚାଲିଗଲେ । ଆମେ ସମସ୍ତେ ଅନାଥ ହେଇଗଲୁ । ମୁଁ ଥରେ ତାଙ୍କୁ ଦେଖି ପାରିଲି ନାହିଁ । "

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତି ଲେଖକଙ୍କ ସମ୍ମାନବୋଧ 'ପଥିକ'ରେ ପ୍ରତିଫଳିତ ହୁଏ । ଏଥିରେ 'ମି.ଦାସ୍ ଓ ମଧୁବାବୁଙ୍କ ଧଳାପଗଡି' ନାଁରେ ଦୁଇଟା ପରିଚ୍ଛେଦ ରହିଛି । ପ୍ରଥମଥର ପାଇଁ ମଧୁବାବୁଙ୍କୁ ଲେଖକ କାଠଯୋଡି ନଦୀବନ୍ଧରେ ଏକ ଶୀତଳ ସନ୍ଧ୍ୟାରେ ବୁଲାଚଲା କରୁଥିବା ସମୟରେ ଦେଖିଥିଲେ । ଉତ୍କଳରେ ମଧୁବାବୁଙ୍କ ପରିଚିତି ସଂପର୍କରେ ଲେଖିଛନ୍ତି - 'ମଧୁବାବୁ ଓଡିଶାରେ ତିନୋଟି ନାମରେ ପରିଚିତ ଥିଲେ । ଯଥା - ସହରର ଶିକ୍ଷିତ ମହଲରେ ସେ ଥିଲେ ମିଷ୍ଟର ଦାସ୍, ମଫସଲ ଅଞ୍ଚଳରେ ଥିଲେ ମଧୁବାରିଷ୍ଟର ଆଉ ସାଧାରଣରେ ମଧୁବାବୁ " । ମଧୁବାବୁଙ୍କ ବିଚକ୍ଷଣ ଆଇନ ଜୀବନର ଏକ ଶୁଣାକଥାକୁ ଚମତ୍କାର ଢଙ୍ଗରେ 'ପଥିକ'ରେ ଉପସ୍ଥାପନ କରାଯାଇଛି । ମଧୁବାବୁଙ୍କ ଧଳାପଗଡି ପ୍ରତି ଲେଖକଙ୍କ ଆକର୍ଷଣ ଏବଂ ଭକ୍ତି ଦେଖିଲେ ପାଠକଟିଏର ଛାତି ଗୌରବରେ ପୂରିଲା ପୂରିଲା ପରି ଲାଗେ । ଏକଦା ସହରରେ ବାସ କରୁଥିବା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବୟସ୍କ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଦିଆଗଲାବେଳେ ଉତ୍କଳଗୌରବଙ୍କ ସେଇ ଶୁକ୍ଳ ବସ୍ତୁର ପଗଡି ପ୍ରତ୍ୟେକଙ୍କ ମଥାରେ ପିନ୍ଧାଇ ଦିଆଯାଇଥିଲା । ସେହି ସମ୍ବର୍ଦ୍ଧନା ଉତ୍ସବରେ ଲେଖକ ମଧ୍ୟ ଜଣେ ଥିଲେ । ଏହାକୁ ତାଙ୍କ ଜୀବନର ଏକ ରୋମାଞ୍ଚ ଅନୁଭୂତି ଭାବରେ ଗୋପାଳ ଛୋଟରାୟ ଉଲ୍ଲଖ କରିଛନ୍ତି ।

ଉତ୍କଳଗୌରବ ମଧୁସୂଦନ ଦାସଙ୍କ କନ୍ୟା ତଥା ମହାଭାରତୀୟ ସ୍ବାଧିନତା ସଂଗ୍ରାମର ଅନ୍ୟତମ ନାରୀନାୟକ ରମାଦେବୀ ସକଳ ସଂଭ୍ରାନ୍ତପଣକୁ ବେଖାତିର କରି ଦେଶ ସେବା ମାନବ ସେବାରେ ବ୍ରତୀ ହବା କଥା ମଧ୍ୟ 'ପଥିକ' ଜୀବନୀ ଗ୍ରନ୍ଥରେ ରସୋତୀର୍ଣ୍ଣ ଭାବରେ ଲିପିବଦ୍ଧ ହୋଇଛି ।" "ତାଙ୍କୁ ଆଜି ମୁଁ କି ବେଶରେ ଦେଖୁଛି, ଏଥିରେ ମୋ ଆଖି ଲୁହ ଛଳ ଛଳ ହୋଇଯିବ, ନା ତାଙ୍କ ଏ ଦେଶ ସେବା ପାଇଁ ଆନନ୍ଦରେ ମୁଁ ଉଲ୍ଲସି ଉଠିବି ।"

ଏହିପରି ଭାବରେ ଅନେକ କିମ୍ବଦନ୍ତୀ ପୁରୁଷଙ୍କ ଛୁଆଁରେ ପଥିକ ଆତ୍ମଜୀବନୀର ଗୁରୁତ୍ବ ବୃଦ୍ଧି ପାଇଛି । ଯୁଗଜନ୍ମା ତଥା ରାଷ୍ଟ୍ରନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ପବିତ୍ର ଆତ୍ମାମାନଙ୍କ ଉପସ୍ଥିତିକୁ ଓ ଜାତୀୟ ଅସ୍ମିତାକୁ ଲେଖକ ନିଜର ଆତ୍ମଜୀବନୀରେ ସତେଜ ରଖିଛନ୍ତି । ସେହିଦୃଷ୍ଟିରୁ 'ପଥିକ'ର ବହୁ ମାତ୍ରାରେ ଶ୍ରୀଯୁକ୍ତ ହୋଇ ପାରିଛି ।

ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ 'ପଥିକ' ଭାଗ - ୨