ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ 'ପଥିକ' ଭାଗ - ୨

ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ "ପଥିକ"ର ଏକ ଆଲୋଚନା । ଦ୍ଵିତୀୟ ଭାଗ ।


ଫଟୋ - "ପଥିକ ପ୍ରଚ୍ଛଦ"

ଏହା ପୂର୍ବରୁ ଆମେ ନାଟ୍ୟଶିଳ୍ପୀ ଗୋପାଳ ଛୋଟରାୟଙ୍କ ଆତ୍ମଚରିତ 'ପଥିକ' ସଂପର୍କରେ ସାମାନ୍ୟ ସୂଚନା ପାଇଥିଲେ । ଏବେ ସେହି ଆତ୍ମଜୀବନୀକୁ ଅବଲମ୍ବନ କରି ନାଟ୍ୟକାର ନିଜର ଜୀବନଯାତ୍ରାର ଯେଉଁ ସବୁ ଦିଗବିଦିଗକୁ ପ୍ରତିଫଳିତ କରିପାରିଛନ୍ତି ତାକୁ ଦେଖିବାର ପ୍ରୟାସ କରିବା ।

ଓଡ଼ିଆ ସାହିତ୍ୟ ପଥରେ ପଥିକ -

ପଥିକରେ ଗୋପାଳ ଛୋଟରାୟଙ୍କ ସ୍ବକୀୟ ସାହିତ୍ୟ ସୃଜନ ସମ୍ପର୍କିତ କିଛି ତଥ୍ୟ ପାଠକକୁ ନଦେଲେ ମଧ୍ୟ ଏଥିରେ ଏମିତି କିଛି କଥା ଆମ ସାହିତ୍ୟକୁ ନେଇ ରହିଛି ଯାହାକୁ ପଢିଲେ ଉତ୍କଳୀୟତାର ଗୌରବବୋଧକୁ ଅନୁଭବ କରିହୁଏ । ଆତ୍ମଜୀବନୀରେ ସଂଯୋଜିତ କାଠଯୋଡି ହଷ୍ଟେଲ୍ ଓ ଆନନ୍ଦ ଲହରୀ ଉପନ୍ୟାସମାଳା, ଭାଷାକୋଷ ବିଶ୍ବକୋଷ, ବିଚ୍ଛନ୍ଦଚରଣ, କଳିଙ୍ଗଭାରତୀ ଓ ବାଳକୃଷ୍ଣ ଦାସ ଇତ୍ୟାଦି ବିଷୟରୁ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କିତ କିଛି ଅବଧାରଣା ପାଇବା । 'ବିଛନ୍ଦଚରଣ, କଳିଙ୍ଗ ଭାରତୀ ଓ ବାଳକୃଷ୍ଣ ଦାସ' ଘଟଣାଟିକୁ ପଢିଲେ ଭାଷା ସାହିତ୍ୟ ଓ ସଂସ୍କୃତିକୁ ନେଇ ତତ୍କାଳୀନ ସମୟର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଅହେତୁକ ଶ୍ରଦ୍ଧା ଓ ଭଲପାଇବାକୁ ମର୍ମେମର୍ମେ ଅନୁଭବ କରିହୁଏ । ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ତଥା ରୀତିସାହିତ୍ୟକୁ ଆଲୋଚନା ପର୍ଯ୍ୟାୟଲୋଚନା କରିବା ଦିଗରେ ବିଚ୍ଛନ୍ଦଚରଣ ପଟ୍ଟନାୟକ ଡକ୍ଟର ବନବିହାରୀ ପଟ୍ଟନାୟକଙ୍କ ଉଦ୍ୟମ ସଂପର୍କରେ ପଥିକ ଆତ୍ମଜୀବନୀରେ ଲେଖକ ଉଲ୍ଲେଖ କରିଛନ୍ତି - "ବାସ୍ତବରେ ସେତେବେଳେ ସୁଶିକ୍ଷିତ ଓ ସୁବକ୍ତା ବିଚ୍ଛନ୍ଦଚରଣ ପଟ୍ଟନାୟକ ଓ ଡକ୍ଟର ଶ୍ରୀଯୁକ୍ତ ବନବିହାରୀ ପଟ୍ଟନାୟକ ଥିଲେ ଭଞ୍ଜ ସାହିତ୍ୟ ପ୍ରଚାର ଓ ପ୍ରସାରଣର ଦୁଇ ମୁଖ୍ୟ କର୍ଣ୍ଣଧାର । ଏଇମାନଙ୍କର ପ୍ରଚେଷ୍ଟାରେ ହିଁ ସେବେଳର କଲେଜ ଛାତ୍ର ଶ୍ରୀ ରଜତ କର, ଶ୍ରୀ ଶରତ କର, ଶ୍ରୀ ପ୍ରଭାତ କର, ଶ୍ରୀ ଶୈଳେଶ୍ବର ନନ୍ଦ, ଶ୍ରୀ ହୃଦାନନ୍ଦ ରାୟ, କବି ପ୍ରସାଦ ମିଶ୍ର ପ୍ରଭୃତି କେବଳ ଭଞ୍ଜସାହିତ୍ୟରେ ନୁହନ୍ତି, ଓଡ଼ିଆ ତଥା ଇଂରାଜୀରେ ଜଣେ ଜଣେ ସମ୍ମାନୀୟ ବକ୍ତା ହେବାର ଯୋଗ୍ୟତା ହାସଲ କରିପାରିଛନ୍ତି । ଏମାନଙ୍କୁ ସେବେଳର କଳିଙ୍ଗଭାରତୀର ଯୋଗ୍ୟ ସୁପୁତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟଦିଗରେ ବିଚ୍ଛନ୍ଦ ପଟ୍ଟନାୟକ ଯେ କେବଳ ଏ ତରୁଣ ଗୋଷ୍ଠୀର ଶିକ୍ଷାଦାତା ଥିଲେ ତାହା ନୁହଁ, ସେ ଥିଲେ ରୀତିଯୁଗର ସେଇ ସବୁ ଓଡିଶୀ, ଛାନ୍ଦ, ଚମ୍ପୂ ଓ ଚୌପଦୀ ପ୍ରଭୃତି ମଧ୍ୟଯୁଗୀୟ ଗୀତିସାହିତ୍ୟର ସଂକଳ୍ପବଦ୍ଧ ପିତାମହ ।" (ପୃ - ୪) ପୁଣି, ଏଇ ବିଷୟ ବା ଘଟଣାଟିରେ ଆକାଶବାଣୀରେ ବାଳକୃଷ୍ଣ ଦାସଙ୍କ କଣ୍ଠରୁ ହିନ୍ଦୁସ୍ଥାନୀ ଧାରାରେ ଓଡିଶୀ ସଙ୍ଗୀତ ଶୁଣି ସଙ୍ଗେ ସଙ୍ଗେ ରିକ୍ସାରେ ବସିପଡି ବେତାର କେନ୍ଦ୍ରକୁ ପହଞ୍ଚି ବିଚ୍ଛନ୍ଦଚରଣ ଅଶ୍ରୁପୂର୍ଣ୍ଣ ଚକ୍ଷୁରେ 'ଆପଣ କୁହନ୍ତୁ ଗୋପାଳ ବାବୁ, ବାଳକୃଷ୍ଣ ବାବୁ ଯଦି ହିନ୍ଦୁସ୍ଥାନୀ ଢଙ୍ଗରେ ଓଡିଶୀ ଗାଇବେ ତାହେଲେ ଏ ଦେଶର ଅବସ୍ଥା କଣ ହେବ' କହି ଅଭିଯୋଗ କରିବା ଏବଂ ନିଜର ଭୁଲକୁ ବାଳକୃଷ୍ଣ ଦାସ ନିସଂକୋଚରେ ସ୍ବୀକାର କରି ନବା ଭିତରେ ଉତ୍କଳୀୟ ପ୍ରାଣ ମଣିଷଙ୍କ ଉଦାରତା ଓ ପ୍ରତିବଦ୍ଧତା ସ୍ପଷ୍ଟ ହୁଏ ।

ଏହି 'ପଥିକ' ଆତ୍ମଜୀବନୀ ବାଳକୃଷ୍ଣ କରଙ୍କ ଆନନ୍ଦଲହରୀ ଉପନ୍ୟାସମାଳାର ସାକ୍ଷ୍ୟ ଦିଏ । ସାରସ୍ବତ ଭଣ୍ତାରର ମାଲିକ ସୁସାହିତ୍ୟିକ ସ୍ବର୍ଗତ ବାଳକୃଷ୍ଣ କର ଓଡ଼ିଆ ଉପନ୍ୟାସ ପ୍ରକାଶନ ପାଇଁ କରିଥିବା ଯୋଜନା ଏବଂ ବର୍ଷର ପ୍ରତିମାସରେ ଖଣ୍ତିଏ ଲେଖା ଅର୍ଥାତ ବାରମାସକୁ ବାରଟି ଉପନ୍ୟାସ ପ୍ରକାଶ କରିବା ସାହସପୂର୍ଣ୍ଣ ସଂକଳ୍ପକୁ ଗୋପାଳ ଛୋଟରାୟ ଶ୍ରଦ୍ଧା ଓ ସମ୍ମାନ ଜଣାଇଛନ୍ତି । ଓଡିଆ ଉପନ୍ୟାସର ମରୁଡି ସମୟରେ ବାଳକୃଷ୍ଣଙ୍କ ଏହି ଅବଦାନ ବାସ୍ତବିକ ପ୍ରଶଂସାଯୋଗ୍ୟ । ଏ ସଂପର୍କରେ ପଥିକରେ କହିଛନ୍ତି "ଆଜି ଏଇ ଉଣେଇଶିଶହ ବୟାନବେ ମସିହାରେ ଯେତେବେଳେ ପଇସା ଧୂଳିମାଟି ପରି ଉଡୁଛି ଓ ସଂଖ୍ୟାହୀନ ଭାବରେ ଲେଖକ ବଢି ଚାଲିଛନ୍ତି, ସେତେବେଳେ ଆମେ ଶୁଣିବାକୁ ପାଉଛୁ ଯେ ବର୍ତ୍ତମାନ ଓଡିଆ ଗଳ୍ପ ଉପନ୍ୟାସ ଓ କବିତା ପ୍ରଭୃତି ସାଧାରଣ ପୁସ୍ତକର ବିକ୍ରୟ ନାହିଁ । କିନ୍ତୁ ଆଜିକୁ ବାଆଷଠି ବର୍ଷ ତଳେ ଯେତେବେଳେ ମାତ୍ର କେତେଜଣ ହାତଗଣତା ଲେଖକ ଥିଲେ ଓ ସେତେବେଳର ଗୋଟିଏ ପଇସାର ତିନିଭାଗରୁ ଭାଗେ ଗୋଟେ ପାହୁଲାକୁ ଗୃହସ୍ଥମାନେ ସାତଗଣ୍ଠି ପକାଇ ସାଇତି ରଖୁଥିଲେ, ସେତେବେଳେ ବାଳକୃଷ୍ଣ କର ତାଙ୍କର ସତସାହସ ପ୍ରୟୋଗ କରି ବର୍ଷକୁ ବାରଖଣ୍ତ ଉପନ୍ୟାସ ପ୍ରକାଶ କରିବାର ଏକ ପ୍ରଶଂସାଯୋଗ୍ୟ ଯୋଜନା ପ୍ରସ୍ତୁତ କରିପାରିଥିଲେ । ତାଙ୍କୁ ଆମର କୋଟି ନମସ୍କାର ।" (ପୃ - ୨୫)

ପୁଣି ଭାଷାକୋଷ ବିଶ୍ବକୋଷରେ ଓଡ଼ିଆ ଭାଷା ଭାସ୍କର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଓ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସହ ତାଙ୍କ ସହକର୍ମୀଙ୍କ ନିଷ୍ଠା କଥା ପଥିକରେ ରହିଛି । ଓକିଲାତି ଛାଡି ଓଡିଆ ଭାଷାକୋଷ ସଂକଳନରେ ପ୍ରହରାଜଙ୍କ ଉତ୍ସର୍ଗୀକୃତ ଭାବନା ତା'ର ପ୍ରକାଶନ ପାଇଁ ଗଡଜାତର ରାଜା ମହାରାଜାଙ୍କ ସମର୍ଥନ ଓ ସହଯୋଗ, ମୟୁରଭଞ୍ଜ ତରୁଣ ରାଜା ପୂର୍ଣ୍ଣଚନ୍ଦ୍ରଙ୍କ ସାହାଯ୍ୟ ଓ ଭାଷାକୋଷର ନାମକରଣ ଇତ୍ୟାଦି ସଂପର୍କରେ ଏଥିରେ ଉଲ୍ଲେଖିତ । ଏହା ସହ ଭାଷାକୋଷକୁ ନେଇ ସେ ସମୟରେ ଘଟିଥିବା କ୍ରିୟା ପ୍ରତିକ୍ରିୟା ମଧ୍ୟ ପଥିକରେ ପ୍ରତିଫଳିତ ହୋଇଛି । ନୀଳକଣ୍ଠ ଦାସଙ୍କ ସଂପାଦିତ ନବଭାରତରେ ବ୍ୟଙ୍ଗଧର୍ମୀ ରଚନା 'ସ୍ବପ୍ନରେ ରାଜଯୋଗ' ଗୋଦାବରୀଶ ମହାପାତ୍ରଙ୍କ 'ଅର୍ଦ୍ଧଚନ୍ଦ୍ର ଦେଢିଆ ପାଳକୋଷ' ଇତ୍ୟାଦି ସମାଲୋଚନା ଓ କଟାକ୍ଷ ସଂପର୍କରେ ପଥିକରେ ଉଲ୍ଲିଖିତ । ଓଡିଆଙ୍କ ଗୌରବ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସ୍ବତନ୍ତ୍ରତା ସଂପର୍କରେ ଗୋପାଳ ଛୋଟରାୟଙ୍କ ମନ୍ତବ୍ୟ ହେଉଛି - "ଭାଷାକୋଷରେ ଓଡିଆ ଭାଷାର ନିପଟ ଗ୍ରାମାଞ୍ଚଳଠୁ ଆରମ୍ଭ କରି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ଓଡିଆ ଭାଷାର ସମସ୍ତ ଶବ୍ଦସ୍ଥାନ ପାଇଥିଲା । ଗ୍ରାମାଞ୍ଚଳରେ ପ୍ରଚଳିତ ଯେଉଁ ସବୁ ଶବ୍ଦ ଭାଷାକୋଷରେ ସ୍ଥାନ ପାଇଛି, ସେଥିରୁ କେତୋଟି ଶବ୍ଦ ମୁଁ ଏଠାରେ ଉଦ୍ଧାର କରୁଛି । ଲକ୍ଷ୍ୟ କରିବାର କଥା ସମଅର୍ଥବୋଧକ ଏକାଧିକ ଶବ୍ଦ ଏଠି ସ୍ଥାନ ପାଇଛି । ଏ ଶବ୍ଦଗୁଡିକ ହେଲା ଅଇକା, ଅଇକ୍ଷଣି, ଅଇକ୍ଷଣିକା, ଅଇକ୍ଷିଣି, ଅଇକ୍ଷିଣିକା, ଅଇଛୁଣି, ଅଇଛୁଣିକା, ଅଇଛିକା, ଅଇଛଣି, ଅଇଛଣିକା, ଏଇକ୍ଷଣି, ଏଇକ୍ଷଣିକା, ଏଇକ୍ଷିଣି, ଏଇକ୍ଷିଣିକା, ଏଇଖଣି, ଏଇଖଣିକା, ଏଇଛୁଣି, ଏଇଛୁଣିକା ଇତ୍ୟାଦି ଇତ୍ୟାଦି । ଏ ସମସ୍ତ ଶବ୍ଦର ଅର୍ଥ ହେଲା 'ବର୍ତ୍ତମ‍ାନ' ବା ଏବେ । ୧୯୩୧ ମସିହାରେ ପ୍ରକାଶିତ ଭାଷାକୋଷର ପ୍ରଥମଖଣ୍ତରେ ସ୍ଥାନ ପାଇଥିବା ଏ ଶବ୍ଦ ସବୁ ପଢି ମୁଁ ବିସ୍ମିତ ଅଭିଭୂତ ହୋଇ ପଡିବା ସଙ୍ଗେ ସଙ୍ଗେ ବେଶ୍ ଆମୋଦ ମଧ୍ୟ ଅନୁଭବ କରୁଥିଲି ।"(ପୃ - ୩୧) ଏ ଘଟଣା ସହ ବିନୋଦ କାନୁନଗୋଙ୍କ ଜ୍ଞାନମଣ୍ତଳ ପ୍ରସଙ୍ଗକୁ ମଧ୍ୟ ପଥିକରେ ଯୋଡାଯାଇଛି ।

ମୋଟାମୋଟି ଭାବରେ ପଥିକ ଆତ୍ମଜୀବନୀରେ ବର୍ଣ୍ଣିତ ସମକାଳୀନ ସାହିତ୍ୟିକ ପରିବେଶର କିଛି ଘଟଣା ଆଜି ଆମ ପାଇଁ ଇତିହାସ । ଭାଷାକୋଷ ହେଉକି ବିଶ୍ବକୋଷ ଜ୍ଞାନମଣ୍ତଳ ହେଉ, ସେମାନେ ଆମ ଓଡିଆଙ୍କର ଅସ୍ମିତାର ପରିଚୟ ବହନ କରିଛନ୍ତି । ଏହିପରି ଗୌରବ କାହାଣୀର ଅଂଶୀଦାର ହୋଇପାରିବାର ସୌଭାଗ୍ୟକୁ ଗୋପାଳ ଛୋଟରାୟ ଅନୁଭବ କରିଛନ୍ତି । ବିନୋଦ କାନୁନଗୋଙ୍କୁ 'ଆପଣ ପାରିବେ' କହିଥିବା ଗୋପାଳ ଛୋଟରାୟ ଯେତେବେଳେ ଜ୍ଞାନମଣ୍ତଳକୁ ଦେଖିଥିବେ କେତେ ଆନନ୍ଦ ପାଇ ନଥିବେ ସତେ । କିଛି ନହେଲା ନାହିଁ କଥା ପଦୁଟିଏ ସାହା ହୋଇଥିଲେ ତ । ଇତିହାସ ସବୁ ସେମିତି ହିଁ ଗଢିହୋଇଯାନ୍ତି ।

ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ 'ପଥିକ' ଭାଗ - ୧