ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ 'ପଥିକ' ଭାଗ - ୧

ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ "ପଥିକ"ର ଏକ ଆଲୋଚନା ।


'ପଥିକ' ହେଉଛି ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀ ପୁସ୍ତକ । ଏହା ୧୯୯୫ ମସିହାରେ ପ୍ରକାଶିତ । ଏହି ଆତ୍ମଜୀବନୀ ରଚନା ଦିଗରେ କଥାସାହିତ୍ୟ ଜଗତର ବରେଣ୍ୟ ସ୍ରଷ୍ଟା ବିଭୂତି ପଟ୍ଟନାୟକଙ୍କ ପ୍ରେରଣାକୁ ଅସ୍ବୀକାର କରାଯାଇ ପାରିବ ନାହିଁ । ଜୀବନର ଦୀର୍ଘ ଚଲାପଥର ଯାତ୍ରୀଟିଏ ଭାବି ହିଁ ଗୋପାଳ ଛୋଟରାୟ ସ୍ବକୀୟ ଆତ୍ମଜୀବନୀ ପୁସ୍ତକର ନାମ ରଖିଛନ୍ତି 'ପଥିକ' । ଏହି ଆତ୍ମଜୀବନୀ ସମ୍ପର୍କରେ ନିଜେ ଲେଖକ କୁହନ୍ତି " ଏଇ ରଚନାଟି ମୋର ଜୀବନୀ ନୁହଁ କି ଆତ୍ମଜୀବନୀ ନୁହେଁ । ଏଥିପାଇଁ ମୁଁ ବେଳାଭୂମିରୁ ଉପଳ ସଂଗ୍ରହ କରିନି କି ମହୋଦଧିରୁ ମୁକ୍ତା ଆହରଣ କରିନି । ମୋର ପ୍ରିୟ ସହର, ଲକ୍ଷ୍ମୀ ସହର କଟକର କିଛି ମାଟିଗୋଡି ସଂଗ୍ରହ କରି ସେଇଥିରେ ମୁଁ ପଥିକର କଳେବରକୁ ସୁସଜ୍ଜିତ କରିବାର ପ୍ରୟାସ କରିଛି ମାତ୍ର ।"

ଆତ୍ମଜୀବନୀ ଲେଖକ ନିଜର ବଞ୍ଚୁଥିବା ବର୍ତ୍ତମାନ ଯାଏ ଘଟିଥିବା ଘଟଣାଗୁଡିକୁ ହିଁ ଲେଖେ । ଘଟିବାକୁ ଥିବା ଘଟଣା ସମ୍ପର୍କରେ ସେ କିଛି ଜାଣେ ନାହିଁ । ଏହି ଦୃଷ୍ଟିରୁ ଦୁନିଆର ସମସ୍ତ ଆତ୍ମଚରିତ ଅସଂପୂର୍ଣ୍ଣ । କିନ୍ତୁ 'ପଥିକ' ଆତ୍ମଜୀବନୀକୁ ଆଉ ଗୋଟେ କାରଣରୁ ଅସଂପୂର୍ଣ୍ଣ କୁହାଯିବ । ସେହି କାରଣ ହଉଛି ଗୋପାଳ ଛୋଟରାୟ ଯେଉଁ ନାଟ୍ୟକାରର ପରିଚୟ ନେଇ ଓଡ଼ି‍ଆଙ୍କ ହୃଦୟରେ ଆଜିବି ଜୀବିତ ଅଛନ୍ତି ସେ ସଂପର୍କରେ 'ପଥିକ' ଆତ୍ମଜୀବନୀରେ ବିଶେଷ କିଛି ଉଲ୍ଲେଖ କରି ନାହାନ୍ତି । ଏ ସଂର୍ପକରେ ତାଙ୍କର ସୁଯୋଗ୍ୟ ପୁତ୍ର ଦେବଦାସ ଛୋଟରାୟ ଗୋପାଳ ଛୋଟରାୟଙ୍କ ଗ୍ରନ୍ଥାବଳୀର ପ୍ରଥମଭାଗ ଅବତାରଣରେ ଉଲ୍ଲେଖ କରିଥିବା ମନ୍ତବ୍ୟକୁ ଉଦ୍ଧାର କରାଯାଇ ପାରେ - "ବାପାଙ୍କୁ ମୁଁ ବହୁବାର ଅନୁରୋଧ କରିଥିଲି ଯେ ସେ ଯଦି ତାଙ୍କର ବିଭିନ୍ନ ନାଟକର ରଚନା ଓ ମଂଚନ ଅନ୍ତରାଳରେ ଯେଉଁ ସବୁ ଘଟଣା ଘଟିଥିଲା ବା ତାଙ୍କର ଅନୁଭୂତି ଓ ପ୍ରେରଣାର ଉତ୍ସ ସଂର୍ପକରେ ଲେଖନ୍ତି ତାହେଲେ ତାର କୌତୂହଳୀ ପାଠକ ହୁଅନ୍ତେ ଅଜସ୍ର । କିନ୍ତୁ ବାପା ଏ ସମ୍ପର୍କରେ ଥିଲେ ଏକାନ୍ତ ବୀତସ୍ପୃହ । ପଥିକ ବହିରେ ସେ ତାଙ୍କ ସମୟର କଟକର ହଜାରେ କଥା ଲେଖିଛନ୍ତି, କେବଳ ନିଜକଥା ବ୍ୟତୀତ ।"

ସାଧାରଣତଃ ଜଣେ ଯେକୌଣସି ଉଲ୍ଲେଖନୀୟ ଦିଗରେ ନାନାଦି ଉତ୍ଥ‍ାନ ପତନ ଦେଇ ଗତି କରି ଚରମ ସଫଳତା ଲାଭ କରିଥାଏ ସେଇ ଅନୁଭବକୁ ଆତ୍ମଜୀବନୀରେ ଉପସ୍ଥାପନ କରିଥାଏ । ପାଠକମାନେ ବି ଆତ୍ମଜୀବନୀ ପଢିବା ପୂର୍ବରୁ ସେହି ବ୍ୟକ୍ତିତ୍ବଙ୍କ ଉକ୍ତ ନିର୍ଦ୍ଦିଷ୍ଟ ଦିଗରେ ପାଇଥିବା ସଫଳତା ପଛର କାହାଣୀ ଶୁଣିବାକୁ କୌତୂହଳ ପ୍ରକାଶ କରିବା ସହ ତାଙ୍କ କିଛି ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ, ସାମାଜିକ ସ୍ପନ୍ଦନ ଓ ସମୟର ଭିନ୍ନ ଭିନ୍ନ ଆହ୍ବାନକୁ ଶୁଣିବାର ଅପେକ୍ଷା ରଖନ୍ତି । ଆତ୍ମଜୀବନୀ ବ୍ୟକ୍ତିଗତ ଜୀବନ ରହସ୍ୟରୁ ଆରମ୍ଭ ହୋଇ ସମୟ ,ସମାଜର ବିଭିନ୍ନ ଭାଷ୍ୟରେ ସମ୍ମିଳିତ ହେଲେ ପାଠକୀୟ ତୃପ୍ତଭାବ ଲାଭ କରେ । ମାତ୍ର କିଛି ଆତ୍ମଜୀବନୀ ଲେଖକ ନିଜର ସଫଳତାର କାହାଣୀ କହିବା ଅପେକ୍ଷା ନିଜ ସମୟ ଓ ସମାଜର କଥା କହିବାକୁ ପସନ୍ଦ କରନ୍ତି । ଗୋପାଳ ଛୋଟରାୟଙ୍କ 'ପଥିକ' ସେହିପରି ଏକ ଆତ୍ମଚରିତ ଗ୍ରନ୍ଥ । ୧୭୦ ପୃଷ୍ଠା ବିଶିଷ୍ଟ ପଥିକ ଆତ୍ମଜୀବନୀରେ ଲେଖକ ନିଜର ଘଟଣା ବହୁଳ ଜୀବନରୁ ଦୁନିଆର ଖବର ବିଷୟକୁ ନିର୍ବାଚନ କରିଛନ୍ତି । ଏହି ନିର୍ବାଚିତ ବିଷୟରେ ସମକାଳୀନ ରାଜନୀତି, ସାମାଜିକ ବିଧିବ୍ୟବସ୍ଥା, ତତ୍କାଳୀନ ପ୍ରମୁଖ ରାଜନୀତିଜ୍ଞ, କବି ଲେଖକ ଚିତ୍ରକର, ଖେଳ ଓ ଖେଳାଳି, ଦ୍ବିତୀୟ ବିଶ୍ବଯୁଦ୍ଧ, ଗାନ୍ଧୀ ଓ ଗୋପବନ୍ଧୁ, ଜରୁରୀକାଳୀନ ଅବସ୍ଥାର ଚିତ୍ର ଇତ୍ୟାଦିର ବ୍ୟାପକ ବର୍ଣ୍ଣନ ରହିଛି ।