ଚିତ୍ର - ୱିକି କମନ୍ସ

ସମସ୍ତ କୀଟ ପତଂଗ ପଶୁ ପକ୍ଷୀ
ଭୂତ ପ୍ରେତ ପିଶାଚ ଯକ୍ଷ କିନ୍ନର
ଅସୁର ମଣିଷ ଦେବତା:
ସମଗ୍ର ଜଂଗମ ଜଗତ୍ ନିଶ୍ଚିହ୍ନ ହୋଇଯିବ - ଏକଥା ଜଣା ଥିଲା ।

କେବଳ ଗୋଟିଏ ସଂଭାବନା ବିଷୟରେ ସେ
ନିଶ୍ଚିତ ନ ଥିଲା ।
ସଂଭାବନାର ସଂଜ୍ଞା ତ ସେଇଆ:
ନ ଘଟିପାରେ, ଘଟିପାରେ ।

ବର୍ତିଯିବାର ସୂତ୍ରଟି କେବଳ ତା'କୁ ଇ ଜଣା ଥିଲା,
ତା'କୁ ଇ ।
ସଂଗୁପ୍ତ ଅଂତର୍ଧାନର ଆଶ୍ରୟସ୍ଥଳରୁ
ବାହାରି ଆସି ସେ ଦେଖିଲା,
ସମଗ୍ର ଜଂଗମ ଜଗତ୍ ନିଶ୍ଚିହ୍ନ ହୋଇଯାଇଛି
ସତକୁ ସତ ।

ନଗର, ଘର, ପଲ୍ଲବନ, ପ୍ରକୃତି
ସବୁ ଯେମିତି ଥିଲା ଠିକ୍ ସେମିତି
ସ୍ଥାବର ସୃଷ୍ଟିରେ ।
ପ୍ରାଣୀବିହୀନ ହୋଇଯାଇଛି ପୃଥିବୀ, ଅଥଚ
କୋଉଠୁ ହେଲେ ଶବଗଂଧ ତ ଆସୁନି ।

ଏକମାତ୍ର ଜଂଗମ ପାଇଁ କି ପ୍ରକାର ଆଚରଣ - ବିଧି ?

ପଡ଼ିଶା ଘର ଭିତରକୁ ସେ ପ୍ରବେଶ କଲା ପ୍ରଥମେ । ଫ୍ରିଜର ଖୋପରୁ ବାହାରକଲା ଲେଂତିଏ ଅଂଗୁର,
ଆଦର କଲା, ଦୁଇ ତିନୋଟି ଚାଖିଲା,
ଦ୍ରୁତ ପାଦରେ ବାହାରିଗଲାବେଳେ
କଲିଂ ବେଲ୍ ବଜାଇଗଲା ଦୁଇ ଥର ।

ରାସ୍ତାକଡ଼ର ବଉଳଗଛ ମୁଚୁମୁଚୁ ହସିଲା ତାକୁ ଦେଖି
ନ ଦେଖିଲା ପରି ସେ ଆଗେଇଗଲା,
ଆଡ଼ମୁହାଁ ।

ତାଂଡବର ଭଂଗୀ କରି ଠିଆହେଲା ସେ ଟ୍ରାଫିକ୍ - ପୀଠରେ...
ଜାତୀୟ ପତାକା ପୂର୍ଣ୍ଣନମିତ କରିଦେଲା ସଚିବାଳୟ ଚୂଡ଼ାରୁ...
ଟେଲିପ୍ରିଂଟର୍ ଭାଂଗିଦେଲା ମୂଷଳରେ ଛେଚି ଛେଚି ଛେଚି,
ସୀସାର ଅକ୍ଷର ସବୁ ମୁଠା ମୁଠା ବୁଣିଦେଲା
କର୍ଦମ ହ୍ରଦରେ,
ଟେଲିଫୋନରେ ଡାଏଲ୍ କରି ଚିତକାର କରିବାକୁ ଲାଗିଲା
ହାଲୋ ହାଲୋ ହାଲୋ ହାଲୋ...

ମାଧ୍ୟାକର୍ଷଣ ଦୁର୍ବଳତର ହେବାକୁ ଲାଗିଲା,
ଇଚ୍ଛାଗମନ ଆସିଲା ଶରୀରକୁ ।
ଏକ ଶାସ୍ତ୍ରୀୟ ରାଗର ସ୍ତିମିତ ଲହର ଖେଳିବୁଲିଲା ଆପେ ଆପେ ।
ଗ୍ରହ ନକ୍ଷତ୍ର ନୀହାରିକା
କିଛି ମନେ ହେଲାନାହିଁ ଦୂର ବା ଅଗମ୍ୟ ।
ଇଚ୍ଛାମତେ ସମୟ
ଦ୍ରୁତ, ବିଳଂବିତ, ସ୍ଥିର, ପ୍ରତୀକ୍ଷମାଣ ହେବାକୁ ଲାଗିଲା ।

ଏଣିକି ସେ ଅନୁମାନ କଲା,
ତାହା ଘଟିଯାଇଛି ବୋଧେ ।
ସଫଳ ହୋଇଛି ବହୁ ଜନ୍ମର ଗବେଷଣା -
ଆଂଶିକ ନୁହେଁ ସଂପୂର୍ଣ୍ଣ ଭାବରେ ।

ଅସଲ ସରଜମିନରେ ପହଂଚିଗଲା ସେ ଏଥର,
ତଦଂତ କରି ପହଂଚିବାକୁ ହେବ ଯେ ସିଦ୍ଧାଂତରେ ।
କ'ଣ ଘଟିଛି ସତରେ ?
ନା ମଣିଷ ନା ଅସୁର ନା ଦେବତା -
ନିଶ୍ଚିହ୍ନ ହୋଇଯାଇଛି ଜଂଗମ ଜଗତ୍ ।
କ'ଣ ଘଟିଛି ବୈକୁଂଠରେ ?
ଘଟିଛି ସତରେ ?

ବୈକୁଂଠ ବି ଈଶ୍ଵରବିହୀନ । ସଫଳତାର ଚରମ ।
ଈଶ୍ଵରଂକ ସାର୍ବଭୌମତାରୁ ବିମୁକ୍ତ ହୋଇଛି ସୃଷ୍ଟି ।
ଜଂଗମଶୀଳତାର ଦାସତ୍ଵ ଆଉ ନାହିଁ...
କର୍ମ କଷଣ ନାହିଁ...
ଜନ୍ମଚକ୍ର ଆଉ ନାହିଁ !

ନାହିଁ ? ନାହିଁ ? ନାହିଁ ?
ହଠାତ୍ ଅନୁଭବ କଲା ସେ: ଏକ ଅଦ୍ଭୁତ ଚେତନା ।
ଉଚ୍ଚାରଣ କରିଦେଲା "ଅଛି !"
ନିଜ ଦେହର ଓଜନ ଓ ଆକୃତିରେ ଏକ ବିଚିତ୍ର ବିଷମତା ।
କିଛି ଅଂଶ କାଢ଼ିଦେବାକୁ ହେବ ନିଜ ଭିତରୁ,
ନଚେତ୍ ବିସ୍ଫୋରିତ ହୋଇଯିବାକୁ ପଡ଼ିବ
ନିଜ ଦ୍ଵାରା ଉଦ୍ଭାବିତ ବୈଜ୍ଞାନିକ ସୂତ୍ରରେ !

ଯାହା ସେ ନିଷ୍କ୍ରମଣ କଲା ନିଜ ଭିତରୁ,
ଅନ୍ୟମନସ୍କ ଥାଇ ତାକୁ
ଜଂଗମ କରିପକାଇଲା ପ୍ରାଣପ୍ରକ୍ଷେପରେ ।
ଆଉ ତା'ର ନିସ୍ତାର ନାହିଁ ।

ଇଚ୍ଛା ତାକୁ ପରିଣତ କରିସାରିଥିଲା ଈଶ୍ଵରରେ ।
ଏଣିକି ଅପେକ୍ଷା କରି ରହିଥିବାକୁ ପଡ଼ିବ ।
ଥରେ ଈଶ୍ଵର ହୋଇଗଲେ
ଇଚ୍ଛାମୃତ୍ୟୁର ଇଚ୍ଛା ଜାଗ୍ରତ ହେବାକୁ ଲାଗିଯିବ
ଅନେକ ଅନେକ କଳ୍ପ ।
ପରବର୍ତୀର ପ୍ରତୀକ୍ଷା ଅତି ଦାରୁଣ ।

ସୃଷ୍ଟି ଦାଉରୁ ତ୍ରାହି ନାଇଁ ତା'ର ।।