ସମ୍ପତ୍ତି ବିପତ୍ତି ନହେଉ

୧୯୮୪ ମସିହାରେ ଭାରତ ସରକାରଙ୍କର ନିଷ୍ପତ୍ତି କ୍ରମେ ୧୯୮୫ ମସିହାରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିବସ ୧୨ ଜାନୁଆରୀକୁ ଜାତୀୟ ଯୁବଦିବସ ରୂପେ ପାଳନ କରାଯାଉଛି । ଯେଉଁ ଦେଶର ଯୁବସମାଜ ଯେତେ ଶକ୍ତିଶାଳୀ ଓ ଉନ୍ନତ, ସେ ଦେଶ ସେତେ ପ୍ରଗତିଶୀଳ ।


ଫଟୋ - ୱିକି କମନ୍ସ

ବିଂଶ ଶତାବ୍ଦୀଠାରୁ ଏଯାବତ୍ ଭାରତୀୟମାନଙ୍କୁ ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସବୁଠାରୁ ବିଶେଷ ଭାବେ ପ୍ରଭାବିତ କରିଥିବା ତିନିଜଣ ବ୍ୟକ୍ତିତ୍ଵ ହେଲେ - ଗୌତମ ବୁଦ୍ଧ, ସ୍ବାମୀ ବିବେକାନନ୍ଦ ଓ ଜାତିର ଜନକ ମହାତ୍ମା ଗାନ୍ଧୀ । କେବଳ ଭାରତୀୟମାନେ କାହିଁକି, ସାରା ବିଶ୍ବବାସୀ ଏହି ତିନିଜଣଙ୍କ ଦର୍ଶନରେ ଉଦବୁଦ୍ଧ।

୧୯୮୪ ମସିହାରେ ଭାରତ ସରକାରଙ୍କର ନିଷ୍ପତ୍ତି କ୍ରମେ ୧୯୮୫ ମସିହାରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିବସ ୧୨ ଜାନୁଆରୀକୁ ଜାତୀୟ ଯୁବଦିବସ ରୂପେ ପାଳନ କରାଯାଉଛି । ଯେଉଁ ଦେଶର ଯୁବସମାଜ ଯେତେ ଶକ୍ତିଶାଳୀ ଓ ଉନ୍ନତ, ସେ ଦେଶ ସେତେ ପ୍ରଗତିଶୀଳ । ବିଶ୍ଵର ସମସ୍ତ ଦେଶ ଭିତରେ ଭରତବର୍ଷର ଯୁବଶକ୍ତି ଉଭୟ ଅନୁପାତିକ ଏବଂ ସଂଖ୍ୟା ଦୃଷ୍ଟିରୁ ଅଧିକ।

ଭାରତର ଏହି ବିଶାଳ ଶକ୍ତିର ଉତ୍ସ - ଯୁବକମାନଙ୍କୁ ସ୍ବାମୀ ବିବେକାନନ୍ଦଙ୍କର ଦର୍ଶନ, ମୂଲ୍ୟବୋଧ, ମହାନ୍ ଭାରତୀୟ ପରମ୍ପରାର ଦାୟାଦ ହିସାବରେ ଆପଣେଇଥିବା କାର୍ଯ୍ୟପନ୍ଥାକୁ ଅନୁପ୍ରାଣିତ କରୁ, ନିଜର ଅନ୍ତର୍ନିହିତ ଶକ୍ତି ସହ ଯୁବକମାନେ ପରିଚିତ ହୁଅନ୍ତୁ, ସ୍ବାବଲମ୍ବୀ ହେବା ସହ ନିଜକୁ ମାନବଜାତିର ସେବାରେ ନିୟୋଜିତ କରାନ୍ତୁ, ସମୃଦ୍ଧ ଏକ ସମାଜଗଠନରେ ସେମାନଙ୍କର ଭାଗିଦାରୀ ରହୁ - ଏହି ଉଦ୍ଦେଶ୍ୟ ରଖି ପ୍ରତିବର୍ଷ ନିର୍ଦ୍ଧିଷ୍ଟ ଏକ ଗୁରୁତ୍ବପୂର୍ଣ୍ଣ ଓ ଆବଶ୍ୟକୀୟ ବିଷୟ ଓ ପ୍ରସଙ୍ଗ ଉପରେ ଆଲୋଚନା ସହ ଯୁବକମାନଙ୍କୁ ସଚେତନ କରାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସାରାଦେଶରେ ଏହି ଦିବସ ପାଳନ କରାଯାଏ ।

ମହାତ୍ମା ଗାନ୍ଧୀ ଯୁବଶକ୍ତି ଉପରେ ଗଭୀର ଆସ୍ଥା ରଖି କହିଥିଲେ - "ମୁଷ୍ଟିମେୟ କେତେଜଣ ସଂକଳ୍ପବଦ୍ଧ ସାଧକ ଯଦି ସେମାନଙ୍କର ଆଦର୍ଶରେ ଅବିଚଳିତ ବିଶ୍ୱାସ ରଖନ୍ତି, ତାହେଲେ ସେମାନେ ଇତିହାସର ମୋଡ଼ ବଦଳାଇ ଦେଇପାରିବେ।"

ଅନୁରୂପ ଭାବେ ସ୍ବାମୀ ବିବେକାନନ୍ଦ ପୁରାଣ ବର୍ଣ୍ଣିତ ନଚିକେତାଙ୍କୁ ଦୃଷ୍ଟିରେ ରଖି ଯୁବକମାନଙ୍କ ଉପରେ ଆସ୍ଥା ପ୍ରକଟ କରି ଆହ୍ବାନ କରିଥିଲେ - "ନଚିକେତାର ବିଶ୍ୱାସ ଭଳି ନିଜ ଉପରେ ପ୍ରଚଣ୍ଡ ବିଶ୍ୱାସ ରଖୁଥିବା ଦଶ ବାର ଜଣ ଯୁବକ ଯଦି ମୁଁ ପାଇପାରନ୍ତି, ନିଶ୍ଚିତ ଭାବେ ମୁଁ ଏ ଦେଶର ଭାବନା ଓ ସ୍ୱରୂପକୁ ନୂତନ ଏକ ଦିଗରେ ନେଇପାରନ୍ତି ।"

ବିବେକାନନ୍ଦ ତାଙ୍କର ଯୁବକ ସମୟରେ ସାରା ବିଶ୍ୱରେ ଆଧ୍ୟାତ୍ମିକ ନେତୃତ୍ୱ ନେବାର କ୍ଷମତା ରଖିଥିଲେ । ତାଙ୍କର ଦର୍ଶନରେ ଚମକୃତ ହୋଇପାରିଥିଲେ ବିଶ୍ୱବାସୀ । ବର୍ତ୍ତମାନ ସମୟରେ ଭାରତୀୟ ଯୁବକମାନେ ମଧ୍ୟ ପ୍ରଯୁକ୍ତି ବିଦ୍ୟାରେ ପାରଙ୍ଗମ ହୋଇ ବିଶ୍ଵର ପ୍ରମୁଖ କର୍ପୋରେଟ କ୍ଷେତ୍ରରେ ଶୀର୍ଷତ୍ଵ ବଜାୟ ରଖିଛନ୍ତି । ଆଗାମୀ ଦିନରେ ବିଶ୍ଵ ପ୍ରଗତିରେ ସେମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ।

ବର୍ତ୍ତମାନର ଯୁବକ ଆଗରେ ଅନେକ ଆହ୍ୱାନ:

  • ପର୍ବତ ସମସ୍ୟା ପରି ଜଳବାୟୁ ପରିବର୍ତ୍ତନ
  • ମହାମାରୀ ପରି ମାଡ଼ି ଯାଇଥିବା ଦୁର୍ନୀତି ଅପରାଧ
  • ଯୁବକମାନଙ୍କର ନିଶାସେବନ
  • ଇଣ୍ଟରନେଟର ଅପବ୍ୟବହାର
  • ମାଟି - ପାଣି - ପବନର ଅବକ୍ଷୟ

ଏହି ସମସ୍ୟାସବୁକୁ ସମାଧାନ କରିବାରେ ଯୁବକମାନଙ୍କର ଅହମ୍ ଭୂମିକା ରହିଛି । କାରଣ ଯୁବକ ଚାହିଁଲେ ସବୁ ଅସମ୍ଭବକୁ ସମ୍ଭବ କରିପାରିବ । ତାର ଅଦମ୍ୟ ସାହସ, ଉଦ୍ଦାମ ଶକ୍ତି ଆଉ ପ୍ରବଳ ଇଚ୍ଛା ସହ ଭାଗିଦାରିତା ଓ ସଂପୃକ୍ତି ହିଁ ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ । କୋଭିଡ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଆମ ଦେଶର ଯୁବକମାନଙ୍କର ନିଜ ଜୀବନକୁ ଖାତିର ନକରି ଅସହାୟ ଓ ପୀଡିତମାନଙ୍କର ଆବଶ୍ୟକ ମୁତାବକ ସାହାଯ୍ୟ ଓ ସେବାକରିବା ଖୁବ୍ ଉତ୍ସାହପଦ ଓ ବିଶ୍ୱାସ ଜନ୍ମାଏ ଯେ - ଭାରତବର୍ଷ ସେମାନଙ୍କ ହାତରେ ସୁରକ୍ଷିତ ।

ଯୁବକମାନଙ୍କ ଆଗରେ ଆଜି ପ୍ରମୁଖ ସମସ୍ୟା ରହିଛି - ବେରୋଜଗାରୀ । ଚାକିରି ପାଇଁ ସେମାନଙ୍କୁ ଧାଡ଼ିରେ ଠିଆ ହେବାକୁ ପଡୁଛି । ସରକାରଙ୍କର ନିଯୁକ୍ତିଜନିତ ପ୍ରତିଶ୍ରୁତି ଏକ ବୃଥା ଆସ୍ଫାଳନ ମାତ୍ର । ଆମ ଦେଶର ଯୁବଶକ୍ତି ବିଶ୍ଵର ସବୁଠାରୁ ଅଧିକ, ଯାହାର ପୂର୍ଣ୍ଣ ବିନିଯୋଗରେ ଦେଶ ପ୍ରଗତିର ଶିଖରକୁ ଛୁଇଁ ପାରିବ ତାହା ଠିକ୍ ମାତ୍ର ଯଦି ଯୁବଶକ୍ତିକୁ ଠିକରେ ଦିଗଦର୍ଶନ ନ ଦେଇପାରିଲେ ତାହା ପଥଭ୍ରଷ୍ଟ ହେବ ଓ ଦେଶ ପାଇଁ ବଡ଼ ଏକ ବିପତ୍ତି ହୋଇ ଠିଆ ହେବ । ତେଣୁ ସରକାର ଓ ସମାଜ ଏ ଦିଗରେ ସେମାନଙ୍କର କର୍ତ୍ତବ୍ୟକୁ ଭୁଲିଯିବା ଉଚିତ ନୁହେଁ । ଆମର ସାମର୍ଥ୍ୟ ଆମ ପ୍ରତି ବିପଦ ନ ହେଉ ।