ଓଃ, ପ୍ରଜାପତି

ପ୍ରଜାପତି ପାଇଁ ଦୁଃଖ କରନାହିଁ ବଂଧୁମାନେ - ଆମ ସମୟର କବିତାରେ ଏ କବିତା ସବୁଠୁ ସୂକ୍ଷ୍ମ ରାଜନୈତିକ ଶ୍ଲେଷର ଇସ୍ତାହାର ।


ଫଟୋ - ୱିକି କମନ୍ସ

ଯାଅ, ରାତି ଅଂଧାରରେ
ଶୋଇ ପଡିଥିବା ପ୍ରଜାପତିମାନଙ୍କୁ ଧରିଆଣ ।

ନେଇଯାଅ
ଆଫ୍ରିକୀୟ ଫାଶ, ଚାଇନା ଟର୍ଚ୍ଚ ଓ
ଆମେରିକୀୟ ଦୂରବୀଣ ।

ଆସନ୍ତାକାଲି ସକାଳୁ
ପାଳନ ହବ ଯେ ଶୁଭ ଜନ୍ମଦିନ ।

ପ୍ରଜାପତିମାନେ ଆଗ ବଶ୍ୟତା ସ୍ୱୀକାର କର
ତା'ପରେ ଯାଅ, ଉଡିଯାଅ ।

ଫୁର୍ରୁ ଫୁର୍ରୁ ଫୁର୍ରୁ ......
କ୍ୟାମେରା କଣିକାର ପଥ ଦେଇ
ପ୍ରଜାପତିମାନେ ଉଡିଗଲେ,
ଯେମିତି କି ହୃଦୟର ବନ୍ଦଦ୍ୱାର ଦେଇ
ଖୋଲିଗଲା ମୁକ୍ତିର ଦ୍ବାର !
ତୁମେ କାହୁଁ ଜାଣିବ
ଯେଉଁମାନେ ଶାଗୁଆ ପୃଥିବୀର ଶୋଭା ବଢାନ୍ତି
ପତ୍ରରେ, ପାଖୁଡାରେ, ଡେଣାରେ
ଯେଉଁମାନଙ୍କ ନୀଳ - ଧମନୀ ଦେଇ
ରକ୍ତ ବଂଶୀବଜାଏ ପୃଥିବୀର ଦୁକୁଦୁକିରେ !
ତମେ କାହୁଁ ବୁଝିବ
ଫୁଲ ଓ ପ୍ରଜାପତିଙ୍କ ପରାଗ, ପତ୍ରଙ୍କ ରାସ !
ତୁମର ତ ଗେରୁଆ ବେଶ ।

ରାଜଯୋଗୀ ହୋଇ ପ୍ରଜାପତି ଉଡେଇବା
କେତେ ସହଜ ସତେ !
କେତେ ଯେ କଷ୍ଟ
ଜଟାଧାରୀ ହୋଇ
ନଦ - ନଦୀ, କ୍ଷେତ, ପାହାଡ ଓ ପାଳଭୂତ ସହ
ନିଜକୁ କ୍ଷରଣ କରିବା ତପରେ !
ପ୍ରଜାପତିମାନେ ଫାଶଜାଲରୁ ଯେତେକ ବଂଚିଲେ
ଚନ୍ଦ୍ରଯାନରେ ଉଡିଗଲେ କି ଚନ୍ଦ୍ରକୁ,
ପ୍ରସ୍ତରୀଭୂତ ଛାତିରେ ଗଜୁରି ଉଠିଲା କି
ମାଟି, ପାଣି, ପବନ ଓ ପତ୍ରଳ ଗଛବୃଚ୍ଛ ?
ପ୍ରଜାପତିମାନେ ଫାଶଜାଲରୁ ଯେତେକ ମଲେ
ଇମ୍ରାନ୍ ପାଖକୁ ପଠାଇ ଦିଆଗଲା କି
ପ୍ରଜାପତିଙ୍କ ମୁଣ୍ଡ
ଟ୍ରମ୍ପ ପାଖକୁ ପଠାଇ ଦିଆଗଲା କି
ଫୁଲଙ୍କ କଟାସ୍ତନ
ହସନ୍ତ ବିମାନରେ ?

ମଲା ଡେଣାସବୁକୁ
ସ୍ୱଚ୍ଛଭାରତର ଅଳିଆସଫା ଝୁଡିରେ
ମୋକ୍ଷ ଲଭିବାକୁ
ଉଝେଇ ଦିଆଗଲା କି ଦୂଷିତ ଗଙ୍ଗାରେ ?

ପ୍ରଜାପତିମାନଙ୍କର ଆଉ କ'ଣ ଆବଶ୍ୟକତା ଅଛି
ଡିଜିଟାଲ୍ ଇଣ୍ଡିଆରେ,
ନାନୋ ଟେକ୍ନୋଲୋଜିରେ
ଖୁବ୍ ସୂକ୍ଷ୍ମ ଓ ସୁନ୍ଦର ପ୍ରଜାପତିମାନଙ୍କର ଜନ୍ମ ଘଟିବ
ନୂଆ ଭାରତରେ !
ପ୍ରଜାପତି ପାଇଁ ଦୁଃଖ କରନାହିଁ ବଂଧୁମାନେ ।