ଫଟୋ - ବାଟୋଇ ସ୍ପେସ

କେବଳ କରି କୀର୍ତ୍ତିଗାନ
ଏବେ ରହିଛୁଁ ଉଦାସୀନ
ହେଲେ ହେଁ ସମୃଦ୍ଧ, ପ୍ରାଚୀନ
ଘଟୁନି ଭାଷା ଉନ୍ନୟନ

ଅତୀତ ଗୁଣଗାନ କରି
କର୍ତ୍ତବ୍ୟ ଦେଉଛୁଁ ପାସୋରି
ଏ ଭୟଂକର ମନୋବୃତ୍ତି
କରିଚାଲିଛି ବହୁ କ୍ଷତି

ଅତ୍ୟଧିକ ଅତୀତ ପ୍ରୀତି
ପୋଷିଲେ ବ୍ୟକ୍ତି ଆଉ ଜାତି
ଚଳିତ କାଳର କଷଣ
ଆପେ ହେବନି ଅଂତର୍ଦ୍ଧାନ

ଏବେ ନ ବଦଳିଲେ ମତି
ଆଗକୁ ଭାଷାର ପ୍ରଗତି
ହୋଇବ ବେଶି ବିଳଂବିତ
ବୁଝୁ ଏ ଭାଷୀଂକର ଚିତ୍ତ

ମୁହିଁ ସାମାନ୍ୟ ଭାଷାପ୍ରେମୀ
ଅଟେଁ କାଳର ଅନୁଗାମୀ
ପଛକୁ ଅନାଇବା ପାଇଁ
ବେଳ କି ବଳ ପାଉନାହିଁ

ଐତିହ୍ୟ ହେଲେ ହେଁ ଉତ୍ତମ
ଏବେ ନ କଲେ ପରିଶ୍ରମ
ତାହାର ରକ୍ଷଣାବେକ୍ଷଣ
ଆପେ ହେବନି ସଂପାଦନ

ଏବେ ହୋଇଲେ ଆତ୍ମଭୋଳା
ବୁଡ଼ିବ ସ୍ବଭାଷାର ଭେଳା
ଆଗକୁ ବଢ଼ିବ ଦୁର୍ଦ୍ଦଶା
ତୁଟିବ ଭରସା ସହସା

ଅମୃତ ଅଥବା ଗରଳ
କଠିନ ଅଥବା ସରଳ
ଏବେ ଆମେ କରିବା ଯାହା
ଆମର ଭାଷା ହେବ ତାହା

ଭାଷାରେ ଶୁଭେ ଜନସ୍ବର
ନାହାଂତି କେହି ଭାଷେଶ୍ବର
ସ୍ବେଚ୍ଛାରେ ଦାୟିତ୍ବ ବହନ
କରିଲେ, ବଢ଼ଇ ସମ୍ମାନ

ପୁନର୍ଲିଖନ ଭଳି କାମ
କରିବାର ଏ ପରିଣାମ
ସହିଯାଆଂତି ଏଠି ବ୍ୟକ୍ତି
ଭାଷାକୁ ମିଳୁନାହିଁ ଶକ୍ତି