ନିଦହରା

ଶବ୍ଦକୁ ଚିତ୍ରରେ ରୂପାନ୍ତରିତ କରିପାରିବାର କଳା କୌଶଳ ଏ କବିତାରେ ଅତ୍ୟନ୍ତ ସ୍ଵାଭାବିକ ।


ଫଟୋ - ୱିକି କମନ୍ସ

ଡେଣାରେ ଥଣ୍ଟ ବୁଡ଼େଇ
ଏକେଲା କାଉଟିଏ ଖରା ଚାଟେ ।

ଅଗଣାରେ ଗଡ଼ୁଥାଏ
ଭଙ୍ଗା ମାଠିଆ,
ଗଡ଼ୁଥାଏ ଗୋଟେ ଶୁଖିଲା କୂଅ
ଆଉ ମୁଁ ପାରି ଚାଲିଥାଏ ବାଲିର ଗହଣା ବଡ଼ି ।

ମୁଁ ଜାଣେ ଯେ କାଉଟା ଶୋଷିଲା
ହେଲେ ତା'ଠାରୁ ଅଧିକ ଶୋଷିଲା ମୁଁ
ମୋ ଘରେ ମରୁଭୂମି ।

ମୋ ବିଛଣା ପାଖରେ ଚୁପଚାପ ଶୋଇଥାଏ ଖରା
କି ଦିନ, କି ରାତି
ଯେତେ ଚାଟିଲେ ବି ପୋଛି ହୁଏନା ଡେଣାରୁ ।

ଚାରିକୋଣିଆ ଗାର କାଟି
ତା ଭିତରେ ସଜାଡ଼ି ବସିଲେ ଜୀବନ
ଯୋଉ ବାଗରେ ହେଲେ
ଛିଟିକି ଯାଏ ଗାର ବାହାରକୁ ।

ଫୁଲ ପକା ମଶାରୀରୁ ରାତାରାତି ଉଭାନ ହେଇପାରେ
ଦେହ
ମୁଁ ମାନେ କି ନ ମାନେ ।

ମୁଁ ମାନେ କି ନ ମାନେ,
ପ୍ରେମ ଆଉ ଶରୀର ଖୋଜେନା ।
ଭାରି ବିଡମ୍ବନା
ଅଶରୀରୀ ପ୍ରେମ ଦେବି ତ ଦେବି କାହାକୁ !

ଆଖି ଖୋଲା ରଖି ରଖି ଅନିଦ୍ରା ରୋଗ ଧରେ
କାଗଜ ଯୋଉ ଧଳାକୁ ସେଇ ଧଳା
ବୁନ୍ଦାଏ କବିତା ପାଇଁ କେତେ ଆଉ ଘୋଷାରିବି ଦୁଃଖ ?
ଶୋଷକୁ ମାନିନେଲେ
ନିଦ ତକ ଫେରି ପାଆନ୍ତି ଭଲା ।