ବେଳେବେଳେ ମତେ ତୁମ ପାଦଶବ୍ଦ ଶୁଭେ
ସନ୍ତର୍ପିତ, ସତର୍କ
ଦୁଆର ପାଖକୁ ଆସି ଫେରିଯାଏ ।
ଦୁଆର ବନ୍ଦ ।
ମୁଁ ଖୋଲିବାକୁ ଚାହେଁ
ହେଲେ
ଗଲା କିଛିଦିନ ମୁଁ ନିରୁଦ୍ଦିଷ୍ଟ,
ଦୁଆର ଖୋଲିବା ପାଇଁ ଘରେ ନାହିଁ ।

ବେଳେବେଳେ ତୁମେ ମୋ ଶେଜ ପାଖକୁ ଆସ ।

ମୋ କପାଳ ଛୁଇଁବାକୁ ଚେଷ୍ଟା କରେ
ତୁମ ନିଃଶ୍ବାସ ।
ମୁଁ କିନ୍ତୁ ନିଦରେ ଥାଏ ।
ନିଦରେ...
ସ୍ୱପ୍ନରେ ନୁହେଁ ।

ମୋ ସ୍ୱପ୍ନ ଭାଙ୍ଗିଛି ସେବେଠୁ ଯେବେ ତୁମେ ଆଖିରୁ ବାହାରି ଗଲ ।
ଏବେ ମୁଁ ଗଭୀର ନିଦରେ ।

ବେଳେବେଳେ ତୁମେ ଏକା ରାସ୍ତା ପାରି ହୁଅ
ତୁମ ହାତ, ମୋ ହାତ ଖୋଜେନି ।
ମୁଁ ଟିକେ ପଛରେ ରହିଯାଇ ନିଜ ହାତକୁ ଅନାଏ
ଧୁଆଁ ଧୁଆଁ ବାୟବୀୟ ହାତ ।
କେବଳ ପାଦର ଦୃଢ଼ତା ହିଁ ସାଥି ।
ମୁଁ ପାଦ ପୋତେ ମାଟିରେ, ଗଛ ହେଇଯାଏ ।

ବେଳେବେଳେ ତୁମେ ମୋର ସନ୍ତାନ ହବାକୁ ଚାହଁ ।
ମୁଁ ବି କ୍ଷୀରି ଟେକିଦିଏ
କିନ୍ତୁ ସୁଜାତା ହୁଏନି ।
ମୁଁ ବନ୍ଧ୍ୟା ନୁହଁ, ମୋ ପାଇଁ ଲୋଡ଼ା ନାହିଁ ଯଜ୍ଞର ଚରୁ
ମୁଁ ଖାଲି ମୁକ୍ତି ଦେଇଛି ମୋ ଜରାୟୁକୁ
ଏବେ ମୁଁ ଆକାଶ ହେଇଛି ପୁଷ୍ପ ନିବୃତ୍ତିରେ ।