ନଗଡା ନାନାବାୟା, କବି - ପଞ୍ଚାନନ ନାୟକ, ପ୍ରକାଶକ – ଟାଇମ୍‌ପାସ୍, ମୂଲ୍ୟ – ୧୧୫ଟଙ୍କା

ସମ୍ବିଧାନର ତରାଜୁରେ ତଉଲ ହୁଏ ଭୋକ ଆଉ ଶୋଷ । ବଡବଡିଆଙ୍କ ଲହ ଲହକା ଜିଭରେ ମପାହୁଏ ଦୀର୍ଘଶ୍ୱାସ । ବଡବଡିଆଙ୍କ ମନୋରଂଜନ ପାଇଁ ଗୀତାର୍ କରି ବଜାଯାଏ ପେଟ/ପିଠି ଲାଗିଯାଇଥିବା ଲୋକର ପିଞ୍ଜରାହାଡ । ତଥାପି ତଳ ଶ୍ରେଣୀର ଲୋକ କହେ ବଡବଡିଆ ହୋ କାଳେ ଥକି ଯାଇଥିବ ମୁଁ ଜହ୍ନ ଆଲୁଅରେ ଆଉଟିଥିବା ଜାଉକୁ ଖାଇ ଖୋଲା ଆକାଶତଳେ ମୋ ପରି ଟିକେ ମାର ନିଶ୍ୱାସ । ଏକଥା ମୁଁ କହୁନି ଏକଥା କହିଛନ୍ତି ଏହି କବିତା ବହିର କବି ପଞ୍ଚାନନ ନାୟକ । କବିତା ବହିଟିରେ ସର୍ବମୋଟ୍ ୩୩ଟି କବିତା ରହିଥିବାବେଳେ ପ୍ରତ୍ୟେକ କବିତା ଆରକୁ ଏରକ ।

ଏହି ବହିକୁ ନେଇ କବି ଏକଥା ସ୍ୱୀକାର କରିବେ କି ନାହିଁ ମୁଁ ଜାଣିନି । ମୋ ମତରେ ବହିଟିରେ ସିନା ୩୩ଟି କବିତା ଅଛି କିନ୍ତୁ ଏହା ୩୩ଟି କବିତା ନୁହଁ ବରଂ କହିବାକୁ ଗଲେ ଏହା ଗୋଟିଏ ଦୀର୍ଘ କବିତା । ଝାଳବୁହା, ନାଳବୁହା, ଦୁଃଖ ଆଉ ଦରଜକୁ ବୋହୁଥିବା ତଳଶ୍ରେଣୀ ମଣିଷର କଥା ସମୟ ସମୟରେ ଭିନ୍ନ ଭିନ୍ନ ଆବେଗରେ ଜୀବନ ପରି ଗତିଶୀଳ ହୋଇଛି । କବି ଏହି ବହିଟିକୁ ନଗଡାର ଚିତ୍ର ଆଉ ଚରିତ୍ରକୁ ଉତ୍ସର୍ଗ କରିଥିବାବେଳେ ମୁଖବନ୍ଧରେ ସଂକ୍ଷେପରେ ଯାହା କହିଛନ୍ତି ସେଥିରୁ ଆପଣ ନିଶ୍ଚିତ ହୋଇଯିବେ ଯେ ଏହି ବହିଟି ନଗଡାବାସୀଙ୍କୁ ନେଇ ଲେଖାଯାଇଛି ।

କବି ଜଣେ ଗୀତିକାର ହୋଇଥିବାରୁ ସାଙ୍ଗୀତିକତାରେ ସିଦ୍ଧହସ୍ତ ଥିବାରୁ ଦୁଃଖ, ଭୋକ, ଶୋଷ, କ୍ଷୋଭ ଆଉ ପ୍ରତିବାଦକୁ ଏପରି ପରସି ଦେଇଛନ୍ତି । ଲାଗିବ ଯେମିତି ମୃତ୍ୟୁ ଆସି ଶୁଙ୍ଘଉଛି ମଲ୍ଲୀଫୁଲଟିଏ, କଂଟାରେ କ୍ଷତାକ୍ତ କରି ଗୋଲାପ କହୁଛି ଫୁଟିବି ଫୁଟିବି ତୋ ଦେହରେ ମୋତେ ଟିକେ ଯାଗା ଦେ, ଜହ୍ନ ଆସି ମାଟିକୁ ଚୁମୁଛି ମାଟିର ଥନରୁ ଦୁଧ/କ୍ଷୀର ପିଇ ଅନ୍ଧାରକୁ ଲାଉକରି ଆକାଶେ/ଶୂନ୍ୟରେ ବୁଲୁଛି, ଭୋକ ଭୁଲିଯାଉଛି ଭାତର ଠିକଣା, ଟାକୁଆଟା ରସ ଆଉ ଶସ ଖୋଜିଖୋଜି ଜଙ୍ଗଲରେ ହେଇଯାଉଛି ବାଟବଣା ।

କିଏ ଜଣେ କହିଥିଲେ ଯେଉଁ ସୃଷ୍ଟି ଆଉ ଗୋଟେ ସୃଷ୍ଟିକୁ ଜନ୍ମଦିଏ ତାହାହିଁ ସଫଳ ବା ଏକ ପରିପୂର୍ଣ୍ଣ ସୃଷ୍ଟି, ଏଠି କବିଙ୍କ କ୍ଷେତ୍ରରେ ଏହି ଉକ୍ତିଟି ହିଁ ପ୍ରଯୁଜ୍ଯ । ଏ ବହିଟିକୁ ପଢିସାରିବା ପରେ ଆପଣଙ୍କ ଭିତରେ ଅନେକ ଭୃଣ ଜନ୍ମି ଆପଣଙ୍କୁ ଅସ୍ତବ୍ୟସ୍ତ କରିଦେବେ ଗୋଟିଏ ଆକାର ପାଇଁ, ତେଣିକି ଆପଣଙ୍କ ଇଛା ଆପଣ ତାକୁ ଏକ ରୂପ ଦେବେ ନା ହତ୍ୟା କରିଦେବେ ।

କବିତା ବହିଟିରେ ସବୁଠାରୁ ଭଲ ଦିଗ ହେଲା ବେଶ୍ ସରଳ ଆଉ ସାବଲୀଳ ଭାଷାରେ ଚଳନ୍ତି ସମୟର ନିଚ୍ଛକ କଥାକୁ କାବ୍ୟିକ ରୂପ ଦେଇଛନ୍ତି କବି । ବହିଟି ଆପଣଙ୍କୁ ଅନେକାଂଶରେ ଜହ୍ନର ଆଲୁଅ ପରି ଶୀତଳ ଜ୍ଯୋତ୍ସ୍ନା ପରସି ଦେବା ସମୟରେ କେତେକାଂଶରେ ସୂର୍ଯ୍ୟଙ୍କ ଆଲୁଅ ହେଇ ଦେହମୁଣ୍ଡ ଜାଳି ପକାଇବ । ମୋଟାମୋଟି ଭାବରେ କହିବାକୁ ଗଲେ ବହିଟି ଆପଣଙ୍କୁ ନିଶ୍ଚିତ ଭାବରେ ଛୁଇଁବ କିନ୍ତୁ କେତେକାଂଶରେ ଚାଲାକି ଭାବ ଆଉ ଶବ୍ଦ ପ୍ରୟୋଗ ହେତୁ ସାମାନ୍ୟ କିଛିଟା ନିରାଶ କରିବ । ତଥାପି ଜୋର ଦେଇ କହିହେବକି ଏ କବିତା ବହିକୁ ଶୋଷରେ ଢକଢକ କରି ପାଣି ଗିଲାସେ ପିଇଲା ପରି ଏକା ନିଶ୍ୱାସରେ ପିଇଦେଇ ହେବ ।