ସପ୍ତାହେ ତଳେ ଗୋଟେ ନୂଆ ସାଇକେଲ୍ ଫ୍ଲିପ୍ କାର୍ଟରୁ କିଣିଲି । ଏଇଟି ମୋ ଜୀବନର ତୃତୀୟ ସାଇକେଲ୍ । ପ୍ରଥମଟି ଗୋଟେ ପୁରୁଣା ସାଇକେଲ୍ ଥିଲା । ଦ୍ୱିତୀୟ ସାଇକେଲ୍ ବାଣୀବିହାରରେ ପଢୁଥିଲାବେଳେ କିଣା ହେବାର ଠିକ୍ ସପ୍ତାହେ ପରେ ଚୋରି ହେଇଯାଇଥିଲା । ପୂର୍ବରୁ କିଣା ଯାଇଥିବା ସାଇକେଲ୍ ଦୁଇଟିର ବ୍ୟବହାରଠାରୁ ଏବର ସାଇକେଲ୍ ବ୍ୟବହାର ଅଲଗା । ଏବର ସାଇକେଲ୍ ସମ୍ପୂର୍ଣ୍ଣ ଭାବରେ ସ୍ୱାସ୍ଥ୍ୟରକ୍ଷା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ।

ଆଜିକାଲି ସହରମାନଙ୍କରେ ସାଇକେଲ୍ ବହୁତ ବିକ୍ରି ହେଉଛି । ଲୋକେ ସାଇକେଲ୍ ଚଲେଇବାକୁ ଭଲପାଉଛନ୍ତି । ସରକାର ବି ଚାହୁଁଛନ୍ତି ଲୋକେ ସାଇକେଲ୍ ଚଲାନ୍ତୁ । ହକି ବିଶ୍ୱପ୍ରତିଯୋଗିତା ବେଳେ ସରକାର ସାରା ଭୁବନେଶ୍ୱର ରସ୍ତାକଡରେ ନାଲି ରଙ୍ଗ ବୋଳି ସାଇକେଲିଆମାନଙ୍କ ସ୍ଥାନ ପାଇଁ ସଂରକ୍ଷିତ କଲେ । ଯାହାକି ଆଜିକାଲି ଫୁଟ୍‌ପାଥ୍‌ର ବୁଲା ବିକାଳି, ଷଣ୍ଢ, ଗାଈ ଓ ବାଲି ଏବଂ ଧୂଳିର ଅକ୍ତିଆରରେ । ମୋ ସାଇକେଲ୍ ଯୋଜନାରେ ସହରର ଅନେକ ଜାଗାରେ ନୂଆ ଚକଚକିଆ ସାଇକେଲ୍ ସବୁ ରହିଲା । ଲୋକେ ମୋବାଇଲ୍ ଆପ୍ ଡାଉନଲୋଡ୍ କରି ତା’ ସାହାଯ୍ୟରେ ମାଗଣାରେ ସାଇକେଲ୍ ଧରି ଯିବା ଆସିବା କଲେ । ତାପରେ ସାଇକେଲ୍ ବ୍ୟବହାର ପାଇଁ ଅଳ୍ପ ପଇସା ପଡିଲା । ତାପରେ ଧିରେ ଧିରେ ମୋ ସାଇକେଲ ଆଉ କାହା ସାଇକେଲ ହେଇଗଲା । ଦେଖାଗଲା ସାଇକେଲ କେବେ ଗଛ ଉପରେ ତ କେବେ ପରିତ୍ୟକ୍ତ ବୁଦା ଆଢୁଆଳରେ, ପୁଣି କେବେ ନାଳ ନର୍ଦ୍ଦମା ପାଖରେ ପଡି ସୁକୁ ସୁକୁ ହେଉଛନ୍ତି । କିଛି ଦିନ ତଳେ ଶେଷରେ ଖବର ବାହାରିଲା ମୋ ସାଇକେଲ କବାଡି ବାଲାର ସାଇକେଲ ହେଇଗଲାଣି ।

୧୯୮୯ - ୯୦ ବେଳକୁ ଭୁବନେଶ୍ୱର ବିଭୁତି କାନୁନଗୋ କଳା ମହାବିଦ୍ୟାଳୟରେ ପଢିବାକୁ ଆସିଲାବେଳେ ସାଇକେଲ୍ ଖଣ୍ଡେ ମୋର ନିତ୍ୟାନ୍ତ ଦରକାର ଥିଲା । ବାପା ତ ମୋ କଳା ମହାବିଦ୍ୟାଳୟରେ ପାଠପଢ଼ା ସପକ୍ଷରେ ନଥିଲେ, ତେଣୁ ନୂଆ ସାଇକେଲ୍ କିଣାଯିବା ପ୍ରଶ୍ନ ନଥିଲା । ଗୋଟେ ସାଙ୍ଗର ପ୍ରଚେଷ୍ଠାରେ ପାଖ ଗାଁର ଗୋଟେ ପୁରୁଣା ସାଇକେଲର ସନ୍ଧାନ ମିଳିଲା । ଯାଇଁ ଦେଖିଲାବେଳକୁ ସାଇକେଲ ବିକାଳି ଜଣକ ମୋ ହାଇସ୍କୁଲ ସାଙ୍ଗ । ଚିହ୍ନା ପରିଚୟ ପାଇଁ ଓ ବନ୍ଧୁ ଖାତିରରେ ଧାର୍ଯ୍ୟ ଦର ଦୁଇଶହ ଟଙ୍କାରୁ ସେ ପୂରା ଦଶ ଟଙ୍କା କାଟିଦେଲା । ପାଖ ହାଟରେ ସାଇକେଲ୍ ଅଏଲିଙ୍ଗ୍ ହେଇ ନୂଆ ରଙ୍ଗ ହେଲା । ସେଠିବି ଟଙ୍କା ଶହେ ଖର୍ଚ୍ଚ ହେଲା । ସେଇ ସାଇକେଲ୍କୁ ପ୍ରଥମେ ଟ୍ରକ୍ ଓ ତାପରେ ବସ୍ ଉପରେ ପକେଇ ମୁଁ ଭୁବନେଶ୍ୱର ଆଣିଲି ।

ଭୁବନେଶ୍ୱରରେ ସାଇକେଲ ଚଲେଇବାର ଅନୁଭୂତି ହେଲା କଭି ଖୁସି କଭି ଗମ୍ । କାରଣ ତୁମେ ଯୁଆଡେ଼ ବି ଗଲେ ସବୁବେଳେ ଗୋଟେ ଉଠାଣି ଆସିବ ଓ ତାପରେ ପରେ ଗଡାଣି । ବହୁ ପରେ ଜାଣିଲି ଜୀବନ ଠିକ୍ ଭୁବନେଶ୍ୱରିଆ ରାସ୍ତା ପରି । ଯଦିଓ ଗଡ଼ାଣିର ଆନନ୍ଦଠାରୁ ଉଠାଣିର କଷ୍ଟ ସବୁବେଳେ ଅଧିକା । ସେତେବେଳେ ଭୁବନେଶ୍ୱର ରାସ୍ତାରେ ମାଳ ମାଳ ସାଇକେଲ । ଚାରିଚକିଆ ଓ ସ୍କୁଟରଙ୍କଠାରୁ ସାଇକେଲ ଅଧିକା ଆଖିରେ ପଡୁଥିଲା । ଅନବରତ ବିଭିନ୍ନ ପ୍ରକାର ଯାନ୍ତ୍ରିକ ଶବ୍ଦର ବିରକ୍ତିକର ସଙ୍ଗୀତ ପରିବେଷଣ କରୁଥିବା ମୋ ସାଇକେଲରେ ମୁଁ ସାରା ଭୁବନେଶ୍ୱର ପ୍ରବଳ ପରିକ୍ରମା କରୁଥିଲି । ସକାଳୁ ୱାଟର୍ କଲର୍ କରିବା ପାଇଁ ରଙ୍ଗ, କାଗଜ ଓ ବୋର୍ଡ ଧରି ବାହାରୁଥିଲି । ତାପରେ କଲେଜ ହୋଇ ସ୍କେଚ୍ ପାଇଁ ରେଲୱେ ଷ୍ଟେସନ ଯାଉଥିଲି । ତାପରେ କିଛି ସାଙ୍ଗଙ୍କ ସାଙ୍ଗରେ କେବେ ରବୀନ୍ଦ୍ର ମଣ୍ଡପ ତ କେବେ ସୂଚନା ଭବନ । ପୁରୁଣା ଭୁବନେଶ୍ୱର, ନନ୍ଦନକାନନ, ଧଉଳି, ଖଣ୍ଡଗିରୀଠାରୁ ଭୁବନେଶ୍ୱରର ଅନେକ ଗଳିକନ୍ଦି ସେଇ ସାଇକେଲରେ କେବେ ଏକା, କେବେ ସାଙ୍ଗମାନଙ୍କ ସହ ପ୍ରବଳ ବୁଲିଛି । ସେ ସାଇକେଲଟି କ’ଣ ହେଲା ଓ କୁଆଡେ ଗଲା ମୋର ଆଉ ଏବେ ମନେ ନାହିଁ ।

ଯାହା ଶୁଣିଛି ମୋ ମାଆ ସାନ ଥିବାବେଳେ ତା’ ବଡ଼ବାପା କେନ୍ଦ୍ରାପଡ଼ା କଚେରୀରେ କାମ କରୁଥିଲେ ଓ ସବୁଦିନେ ଗାଁରୁ ସାଇକେଲ୍‌ରେ ଯିବା ଆସିବା କରୁଥିଲେ । ସେତେବେଳେ କୁଆଡେ଼ ତାଙ୍କ ପୂରା ଅଞ୍ଚଳରେ ମାତ୍ର ଦୁଇ ତିନୋଟି ସାଇକେଲରୁ ବଡ଼ ଅଜାଙ୍କ ସାଇକେଲ ଗୋଟେ ଥିଲା ।

ଆମବେଳେ ରାଲେ, ହରକୁଲେସ୍, ଏଭନ, ହିରୋ, ବିଏସ୍ସି ଆଦି କମ୍ପାନୀଙ୍କ ସାଇକେଲ ମିଳୁଥିଲେ । ମୋ ପିଲାଦିନେ ଆମ ଗାଁରେ ମାତ୍ର ଚାରି ପାଞ୍ଚଟା ସାଇକେଲ୍ ଥିଲା । ସେଥିରୁ ଗୋଟେ ଆମ ଘରେ ଥିଲା । କକା ଆମର ଆମ ଗାଁ ପାଖ ଆଉ ଗୋଟେ ଗାଁର ମାଇନର୍ ସ୍କୁଲ୍‌ରେ ହେଡମାଷ୍ଟର ଥିଲେ ଓ ସାଇକେଲ ଧରି ସବୁଦିନ ଯିବାଆସିବା କରୁଥିଲେ । ଆମ ଘରେ ସାଇକେଲ ଗୋଟେ ଥିଲା ବୋଲି ମୋର ମୋ ସାଙ୍ଗମାନଙ୍କ ଭିତରେ ବଡ଼ ଗୋଟେ ଭାଉ ବି ଥିଲା । ସେ ସମୟରେ ବାହାଘରରେ ଜୁଆଁଇକୁ ଯଉତୁକ ଭାବରେ ସାଇକେଲ, ହାତ ଘଣ୍ଟା ଓ ରେଡିଓ ଗୋଟେ ନିଶ୍ଚୟ ଦିଆଯାଉଥିଲା । କିଛି ନୂଆ ନୂଆ ବାହା ହେଇଥିବା କେଆରଫୁଲିଆ ଟୋକା ଯଉତୁକରେ ମିଳିଥିବା ଏଚ.ଏମ୍.ଟି ଘଣ୍ଟାକୁ ଡାହାଣ ହାତରେ ପିନ୍ଧି, କାନ୍ଧରେ ଫିଲିପ୍‌ସ କମାଣ୍ଡର ରେଡିଓ ଝୁଲେଇ, ଅର୍ଖ ନୂଆ ରାଲେ ସାଇକେଲକୁ ଚଢି ମାଗଣାଟାରେ ଏ ଗାଁ ସେ ଗାଁ ହୁଅନ୍ତି । ସାଇକେଲ ବି କିଛି କମି ସଜବାଜ ହେଇନଥାଏ । ସାଇକେଲ୍ ଆଗକୁ ଚଢେଇ ଥଣ୍ଟ ପରି ଗୋଟେ ଡାଇନେମା ଆଲୁଅ ଲାଗିଥାଏ । କାହାର କାହାର ଆଗକୁ ଗୋଟେ ବାସ୍କେଟ୍ ବି ଲାଗିଥାଏ । ହ୍ୟାଣ୍ଡଲ୍ ର ମୁଠାରୁ ଝର ଝର ହେଇ ତଳକୁ ଝୁଲି ରହିଥାଏ ପୁଳାଏ ଲେଖା ପୁରୁଣା କ୍ୟାସେଟ୍‌ର ବ୍ରାଉନ୍ ରଙ୍ଗର ଫିତା । ଦୁଇ ଚକ ଭିତରେ ଥାଏ ଲାଲ୍, ହଳଦୀ ଓ ବାଇଗଣୀ ରଙ୍ଗର ଫୁଲ । ସାଇକେଲ୍ ଗଡିଲା ବେଳକୁ ସବୁ ରଙ୍ଗ ଏକାକାର ହେଇ ଚମତ୍କାର ଦିଶେ । କେହି କେହି ପୁରୁଣା ଏଭରେଡି ବ୍ୟାଟେରୀ ଭାଙ୍ଗି ତା’ ମୁଣ୍ଡରେ ଥିବା ଲାଲ୍ ରଙ୍ଗର ଚକିକୁ ସ୍ପୋକ୍‌ ର ସନ୍ଧି ମାନଙ୍କରେ ଖୋସି ଦିଅନ୍ତି । ସାଇକେଲ୍‌ର ପଛରେ ନିଶ୍ଚୟ ଗୋଟେ କ୍ୟାରିଅର ଲାଗିଥାଏ । କିଏ ବି ଆଗ ହ୍ୟାଣ୍ଡଲ୍ ଉପରେ ଛୋଟ କ୍ୟାରିଅର୍ ଲଗେଇଥା’ନ୍ତି । ଘରେ ସାନପିଲା ଥିଲେ ସାଇକେଲ୍‌ର ଆଗ ରଡରେ ଗୋଟେ କୁନି ସିଟ୍ ଲଗାଯାଏ । ଛୋଟ ମୋଟ କରି ଆହୁରି କେତେ କଅଣ ଛୋଟ ମୋଟ ଜିନିଷ ଲୋକେ ସାଇକେଲରେ ଖୁନ୍ଦି ଦିଅନ୍ତି ।

ରାସ୍ତା ଘାଟରେ ସାଇକେଲ୍ ରିପାଏରିଂ ଦୋକାନ ସହଜରେ ମିଳିଯାଏ । ଜଣେ ଜଣେ ସେ କାମ ଘରେ ସରଞ୍ଜାମ ରଖି ନିଜେ ନିଜେ ସମ୍ପାଦି ପାରନ୍ତି । ମୋ ଗାଁର ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷକ ଓ ହିସାବରେ ମୋର ବଡ଼ବାପା ନିଜ ସାଇକେଲ୍ ସବୁବେଳେ ନିଜେ ସଜାଡୁଥିଲେ । ତାଙ୍କ ପୁଅ ମୋ ସାଙ୍ଗ । ତା’ ପାଖରୁ ଥରେ ଯନ୍ତ୍ରପଟା ଆଣି କକା ଆଣିଥିବା ଗୋଟେ ନୂଆ ଟ୍ୟୁବ୍‌କୁ ପକେଇବାକୁ ଚେଷ୍ଟା କରି ସେ ଟ୍ୟୁବ୍‌ରେ ଦଶଟା କଣା କରିପକେଇଲି । ତା’ ପରଠୁ ସାଇକେଲ୍ ମିସ୍ତ୍ରୀ ହେବାକୁ ଆଉ ଚେଷ୍ଟା କରିନି । ସାଇକେଲ୍ ଚଲେଇବା ସର୍କସ୍ ଠାରୁ କିଛି କମ୍ କଥା ନୁହେଁ । ଅଭ୍ୟାସ ବଳରେ ହିଁ ଏହି ଅସାଧ୍ୟ ସାଧନ କରାଯାଏ । ନଜାଣିଥିବା ଲୋକ ସାଇକେଲ ଚଲେଇବ କ’ଣ ନିରୋଳା ଗାଡି ଚଲାଇବା ବି ତା’ ପାଇଁ କାଠିକର ପାଠ । ନହେଲେ ଭାବି ଦେଖନ୍ତୁ ତ ମାତ୍ର ଦୁଇ ଚକରେ ଆପେ ଠିଆ ହେଇପାରୁନଥିବା ଗାଡିକୁ ଜଣେ ମଣିଷ ଚଲେଇବା କ’ଣ କମି କଥା ? ସାଇକେଲ୍ ଚଲା ଶିଖିବାର ପ୍ରଥମ ସୋପାନ ହେଲା ସାଇକେଲ୍ ଗଡେଇବା । ତାପରେ ଗୋଡଗଳା ଶିଖିବା । ଆଗରୁ ସାନ ପିଲାଙ୍କ ପାଇଁ ସ୍ୱତନ୍ତ୍ର ସାଇକେଲ୍ ଗାଁକୁ ଆସିନଥିଲା । ଅବଶ୍ୟ ମାମୁଁଘର ଗାଁ ସ୍କୁଲ୍ ରେ ଷଷ୍ଠ ସପ୍ତମ ପଢିଲା ବେଳକୁ କିଛି ଧନୀ ଘରର ଝିଅ ଲେଡିଜ୍ ସାଇକେଲ୍ ଧରି ସ୍କୁଲ ଆସୁଥିଲେ । କିନ୍ତୁ ମୋ ଗାଁ ପଟରେ ଝିଅମାନେ ବିନା ସାଇକେଲ୍‌ରେ ଚାଲି ଚାଲି ସ୍କୁଲ୍ ଆସୁଥିଲେ । ଆମମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ସାନ ସାଇକେଲ୍ ନଥିବାରୁ ଆମେ ପିଲାଏ ବଡ଼ମାନଙ୍କ ସାଇକେଲ୍‌ର ମୁଖ୍ୟ ତ୍ରିଭୂଜାକୃତି ଫ୍ରେମ୍ ଭିତରେ ଦୁଇ ଗୋଡ଼ ପୁରେଇ ଏକ ବିଚିତ୍ର ଢଙ୍ଗରେ ସାଇକେଲ୍ ଚଲଉଥିଲୁ । ଆମେ ତାକୁ ଗୋଡ଼ ଗଳା ସାଇକେଲ ଚଲା କହୁଥିଲୁ । ମୋର ଅନ୍ୟ ସାଙ୍ଗମାନେ ବେଶ୍ ଅଧ୍ୟବସାୟ କରି ଖୁବ୍ ଶୀଘ୍ର ଗୋଡ଼ ଗଳାରୁ ସିଟ୍ ରେ ବସି ସାଇକେଲ୍ ଚଲେଇଲେ । ଷଷ୍ଠରେ ପଢୁଥିବାବେଳେ ଆମର ଜଣେ ସାଙ୍ଗ ତା’ ମାମୁଁର ସାଇକେଲରେ ବସିପଡି ସିଧା ଉଚ୍ଚା ରାସ୍ତା ଉପରୁ ତଳକୁ ଗଡେ଼ଇ ଦେଲା ଯେ ଏକାଥରେ ଚଲା ଶିଖିଗଲା । ଅନ୍ୟମାନେ କିଏ କୋଉ ବାଟରେ ସିଟ୍ ବସା ଚଲା ଶିଖିଗଲେ । ମୁଁ କିନ୍ତୁ ଥରେ ଦୁଇଥର ସିଟ୍‌ରେ ବସିବାର ଅସଫଳ ପ୍ରୟାସ ଓ ଭଲ କରି କେଇଟା ବ୍ରହ୍ମକଚଡା ଖାଇଲା ପରେ ସେମିତି ଗୋଡଗଳା ସାଇକେଲ ଚଲା ଅବ୍ୟାହତ ରଖିଲି । ସେଇ ଗୋଡ଼ଗଳା ଚଲାଇବାବେଳେ ଥରେ ଆଗରୁ ଆସୁଥିବା ଷଣ୍ଢ ଭୟରେ କଣ୍ଟା ବାଉଁଶ ବାଡ଼ ଭିତରକୁ ସାଇକେଲ ଗଡେ଼ଇ ଲହୁଲୁହାଣ ହେଇ ଏମିତି ପଡ଼ିଲି ଯେ ଲୋକେ ଦୌଡ଼ାଦୌଡ଼ି ହେଇ ଆସି ମୋତେ ଉଦ୍ଧାର କଲେ ।

ଷଷ୍ଠ ଶ୍ରେଣୀରୁ ଗୋଡ଼ ଗଳା ଶିଖିଥିଲେ ମଧ୍ୟ ମୋର ସିଟ୍ ବସା ହେଲା ଯାଇଁ ମ୍ୟାଟ୍ରିକ୍ ପରୀକ୍ଷା ପରେ । ସେଥର ମୋର ଦୁଇ ଅନ୍ତରଙ୍ଗ ସାଙ୍ଗ ବଦ୍ଧ ପରିକର ହେଲେ ଯେମିତି ହେଲେ ମୋତେ ସାଇକେଲ ଶିଖାଇବେ । କାରଣ ଯୁଆଡେ଼ ଗଲେ ସେମାନଙ୍କୁ ମୋତେ ଆଗ ପଟେ ନହେଲେ ପଛ ପଟେ ବସେଇ ସାଇକେଲ୍ ଚଲେଇବାକୁ ହେଉଥିଲା । ତେଣୁ ମୋ ପରି ବୋଝ ହାବୁଡ଼ରୁ ମୁକ୍ତି ପାଇଁ ସେମାନେ ଚାହୁଁଥିଲେ ମୁଁ ଯେତେ ଶୀଘ୍ର ଚଲା ଶିଖିବି ସେତେ ଭଲ । ଆମ ଗାଁ ଓ ପାଖ ଗାଁ ମଝିରେ ଗଣ୍ଡ ପଡିଆ ନାମରେ ବେଶ୍ ସମତୁଲ ଛୋଟିଆ ପଡିଆ ଗୋଟେ ଥାଏ । ସେ ଦୁହେଁ ମୋତେ ଗୋଟେ ସାଇକେଲ ସହ ସେଇ ପଡିଆକୁ ଡାକିନେଲେ । ମୁଁ ସର୍ତ୍ତ ରଖିଲି ଯେ ସେ ଦୁହେଁ ସାଇକେଲ୍‌ର ପଛ ପଟରୁ ଜବର କରି ଧରିଲେ ଯାଇଁ ମୁଁ ସିଟ୍‌ରେ ବସିବି ଓ ଦୁହେଁ ସେମିତି ଧରି ଧରି ମୋ ପଛରେ ଚାଲିଲେ ଯାଇଁ ମୁଁ ପେଡାଲ୍ ମାରିବି । ସେମାନେ ରାଜି ହେଲେ ଓ ମୁଁ ସାଇକେଲ୍‌ରେ ବସିଲି । ସାଇକେଲ୍ ଆଗକୁ ଗଡିଲା । ମୁଁ ଯୁଗପତ୍ ଆନନ୍ଦ ଓ ଭୟରେ ଆଗକୁ ଯାଉଥାଏ ଓ ସାଙ୍ଗ ଦୁହିଁଙ୍କୁ ବାର ବାର ତାଗିଦ କରୁଥାଏ ଯେ ସେମାନେ ଯେମିତି ସାଇକେଲ୍‌କୁ କସ୍ମିନ୍ କାଳେ ନ ଛାଡ଼ନ୍ତି । ମୁଁ ପଡିଆର ଅନ୍ୟ ଏକ ପ୍ରାନ୍ତରରେ ପହଞ୍ଚି ବେଶ୍ ଗୋଟେ ବଡ଼ ଚକ୍କର କାଟିଲା ପରେ ସାମ୍ନାକୁ ଅନେଇଲା ବେଳକୁ ଦେଖିଲି ସାଙ୍ଗ ଦୁହେଁ ମୋର ଛିଡା ହେଇଛନ୍ତି ଯେଉଁଠୁ ମୁଁ ଯାତ୍ରା ଆରମ୍ଭ କରିଥିଲି ଠିକ୍ ସେଇଠି । ମାନେ ସେ ଦୁଇ ପାଜି ମୋର ସାଇକେଲ୍ ଚଲେଇ ଅତିକ୍ରମ କରିଥିବା ଯାତ୍ରାରେ ସାଥ୍ ଲିଭାଇବାର କଥା ଦେଇ ପ୍ରଚଣ୍ଡ ଧୋକା ଦେଇଛନ୍ତି । ମାନେ, ଏତେ ବାଟ ଓ ବିରାଟ ଚକର ମୁଁ ନିଜେ ବିନା ସହାୟତାରେ ହିଁ ଅତିକ୍ରମ କରିପାରିଛି ? ଏତକ ଭାବିଲା ପରେ ଆଉ କାହାର ମନ ଆତ୍ମବିଶ୍ୱାସରେ ଉଛୁଳି ପଡିଥାନ୍ତା ହୁଏତ । କିନ୍ତୁ ଏକଥା ଭାବି ମୋର ମୁଣ୍ଡ ଘୂରେଇ ଦେଲା ଓ ତତକ୍ଷଣାତ୍ ସାଇକେଲ୍ ସହ ଓଜାଡି ହେଇ ପଡିଲି ମୁଁ ।

ତାପରେ ଡର କିନ୍ତୁ କିଛିଟା କଟିଗଲା ଓ ମୁଁ ବି ବୟସ ଅନୁସାରେ ଟିକେ ଡେଙ୍ଗା ହେଇଗଲି । ପାଦ ତଳକୁ ସାମାନ୍ୟ ଛୁଇଁଲା ପରେ ଧିରେ ଧିରେ ସିଟ୍‌ରେ ବସି ଚଲା ଶିଖିଗଲି । ସାଇକେଲ୍ ଚଲାଇଲାବେଳେ ଆମେ ସବୁ ଭାବୁଥିଲୁ ଗାଡି ଗୋଟେ ଚଲେଇବାକୁ କି ବସିବାକୁ ମିଳିଗଲେ ଜୀବନ ଧନ୍ୟ ହେଇଯିବ । ପରେ ଗାଡି ଚଲେଇବା ଓ ଗାଡିରେ ବସିବାର ସୁଯୋଗ ମିଳିଲା । ହେଲେ ଆମେ ପୁଣି ଥରେ ସାଇକେଲ୍ ପାଖକୁ ଫେରୁଛେ । ସ୍ୱାସ୍ଥ୍ୟ ରକ୍ଷା ଓ ପ୍ରଦୂଷଣ ପାଇଁ ସାଇକେଲ୍ ପୁଣି ଥରେ ଲୋକମାନଙ୍କ ଜୀବନକୁ ଫେରି ଆସୁଛି । ଆଜିକାଲି ବଜାରରେ ଭଳିକି ଭଳି ସାଇକେଲ୍ । ସାଇକେଲ୍ ବିଭିନ୍ନ ରଙ୍ଗର ବିଭିନ୍ନ ଢଙ୍ଗର । ସାଇକେଲ୍‌ରେ ଗିଅର୍ ବି ଖଞ୍ଜା ହେଇଛି । ତଥାପି ମୋତେ ଆମେ ଆଗରୁ ଚଲାଉଥିବା ସାଇକେଲ୍ ଏବେବି ଭଲଲାଗୁଛି ।

ସାଇକେଲ୍‌ର ଇତିହାସ, ସାଇକେଲ୍ ବିଷୟରେ ଅନେକଗୁଡେ଼ ତଥ୍ୟ ଯୋଗାଡ଼ କରିଥିଲି । ନିଜ କଥା ଲେଖୁ ଲେଖୁ ସେସବୁ କଥା ଲେଖିବାକୁ ସୁଯୋଗ ହେଲାନି । ସେ ବିଷୟରେ ଆଉ କେବେ ।