ଫଟୋ - ୱିକି କମନ୍ସ

ସଂଧ୍ୟାରେ ଅଳ୍ପ ସମୟ ପାଇଁ ଜୋର କୁଟିଲା ବର୍ଷା । ଗଳିର ଏକ ଟିଣ ଛପର ଘରର କୋଣକୁ ଆଶ୍ରୟ ନେଲାବେଳକୁ ମୁଁ ଓ ଚାରୋଟି ପରବାଲା ପିମ୍ପୁଡ଼ି ସରସର ଓଦା ।

ବର୍ଷା ଛାଡ଼ିଲା, ଆସିଲା ରାତି । ଅସଫା ଆକାଶରେ ଦିଶିଲା ଫାଳେ ଜହ୍ନ, ଯଥେଷ୍ଟ ନଥିଲା ଯା’ର ଜୋଛନା ଛୁଇଁବାକୁ ମୋର ବସ୍ତ୍ର । ମୋର ଥାକ ଥାକ ବସ୍ତ୍ର; କନା, ଚମ, ହାଡ଼ ଓ କପଟତା । ପରବାଲା ପିମ୍ପୁଡ଼ିମାନେ ଉହୁଲିଗଲେ ନାଳରେ ।

ଦଳେ ମୌନ କୁକୁର ଗୋଟେ ମାଈ କୁକୁରର ପଛକୁ ଶୁଂଘି ଶୁଂଘି ଖୋଜୁଥାନ୍ତି ତାଙ୍କର ହଜିଯିବାର ଠିକଣା । ମୋର ଆଗରେ କେହି ନାହିଁ, ଓଲଟି ଚାହିଁଲି ପଛରେ ବି କେହି ନାହିଁ । କେମିତି ପାଇବି ମୋ ଘରର ଠିକଣା ?

ଦୂରରେ ବୋଧହୁଏ ଏକ ଗୀର୍ଜାଘର, ବାଜୁଛି ଘଣ୍ଟି । ବା ଯଦି ବାଜୁ ନଥାଏ ? ସହରରେ ଆଲୁଅ ନାହିଁ । କଣ ହେବ ଆଲୁଅ ? ମୁଁ ଯାହାକୁ ଖୋଜୁଛି ସେ ଆଲୁଅରେ ଦିଶେ ନାହିଁ । ସେ ମତେ ପିଛା କରୁଥାଏ, ଆଜି କରୁନାହିଁ ।

ସହରରେ ଆଜି ହିଁ ଢିଲା ହୋଇଛି କର୍ଫ୍ୟୁ । ଭୟଭୀତ ଲୋକମାନେ କବାଟ ଝରକା ଖାପି ଲୁଚିଛନ୍ତି ନିଜ ନିଜ ଘରେ । ବା ଯଦି ଘର ଭିତରେ ନ ଥାନ୍ତି ? କାହାକୁ ପଚାରିବି ମୋର ଘର କେଉଁଠି ?

ଅନ୍ୟମନସ୍କ କୁକୁରମାନେ ହଜିଗଲେ ରେଳଲାଇନ ଆର କଡ଼ରେ ।

ମୁଁ ମୋର ଘରକୁ ଚିହ୍ନେ, ପୃଥିବୀ ପରି ମେଲା ଯାହାର ଛାତି । ଦୁଇଟି ସ୍ତନ, ଏକରୁ ଝରୁଥାଏ ମଧୁର କ୍ଷୀର, ଆନରୁ ଅଭିସନ୍ଧି । ମୁଁ ତାକୁ ଚିହ୍ନେ, ଯିଏ ଛୁରିରେ କାଟୁଥାଏ ହସ; ମୋର ଘର ।

ହେଲେ କେମିତି ପାଇବି ମୁଁ ତା’ର ଠିକଣା ?

ତିନି ହଜାର ବେଙ୍ଗ ଏକା ସାଂଗରେ ଆରମ୍ଭ କଲେ ରାବ । ଝିଙ୍କାରିମାନେ ଗୀତ ଗାଇଲେ ବା କାନ୍ଦିଲେ । ସେମାନେ ଜାଣନ୍ତି ମୋର ଘରର ଠିକଣା, ହେଲେ କହିବେ ନାହିଁ । ସେମାନେ ଆତ୍ମଗର୍ବୀ, ପେଟ ଫୁଲାଇ ଶୃଂଗାର ରଚନ୍ତି ।

ମୋର ଜୋତା ଭିତରେ ପଶିଯାଇଛି ପାଣି, ବିକଟାଳ ମଚ୍ ମଚ୍ ଗର୍ଜୁଛି ଚାଲିଲାବେଳକୁ । ବସୁଧା ଚମକୁ ନାହିଁ, ସେ କାଲ । ସହର ପାଖ ନଈ ଠେଲିଠେଲି ଘଉଡ଼ାଉଛି ସ୍ରୋତକୁ । ଶୁଖିଲା ଭାଗ୍ୟ ତା’ର ଆତ୍ମାର ଡାକ । ମୋର ଯାଆଁଳା ପାଦ, ଛେଉଣ୍ଡ ।

ମୋର ଘର ଏମିତି, ଡାକିଲେ ଶୁଣିପାରେ ନାହିଁ, ଉଭା ହେଲେ ଦେଖିପାରେ ନାହିଁ । ପେଟ ପୂରା ଅମୃତ ପିଲାଏ, ରାତି ହେଲେ ଅଭିସନ୍ଧି ରଚେ । ଧୂମ ଧୂମ ଜୋଛନାରେ ଆଲୋକିତ ଦିଶେ, ଅଂଧାରରେ ଥାଏ ।

ମୋର ଘର, ମୋର ଇ ଘର । ଗର୍ଭରେ ବୁଢାଛୁଆର ଲାତ ସମ୍ଭାଳେ, ଖେଳେ, ଖେଳାଉଥାଏ ।

ହେଲେ କେଉଁଠି ମୋର ଘର !!!