ନିଜକୁ ନୀଳ ମାଷ୍ଟ୍ରାଣୀ ମନେ କରି

ପ୍ରେମ କି ବୁଝେ ନୀତି ଅନୀତିର ମୂଲ୍ୟ । ଦେହ କି ମାନେ ବିଧାନର ଶୃଙ୍ଖଳ । ଭାରତଲୀଳାର ଅର୍ଜୁନ ମଦନା ସେଠୀର ଲକ୍ଷ୍ୟଭେଦରେ ନୀତିନିୟମର ଶୃଙ୍ଖଳ ଡେଇଁଗଲି । ଚାକିରି ଗଲା, ଭାଇ ପ୍ରେମଗଲା, ସମାଜର ବନ୍ଧନ ଗଲା ।


ମୁଁ ନୀଳ, ନୀଳମାଷ୍ଟ୍ରାଣୀ !

ଆପଣମାନେ ସମସ୍ତେ ମୋତେ ଚିହ୍ନିଥିବେ ସ୍ରଷ୍ଟା ଗୋଦାବରୀଶ ମହାପାତ୍ରଙ୍କ ଗଳ୍ପ ନାୟିକା ଭାବରେ । ମୋ ମରମ ତଳେ ଲୁଚି ଥିବା ଦରଜକୁ ଅନେକ ଥର ଶୁଣିଥିବେ । ଆହାଃ ପଦରେ ମୋ ପାଇଁ ହୁଏତ କେତେ ଲୁହ ଢାଳି ଅକ୍ଷରରେ ଗଢ଼ା ଶରୀରକୁ ଓଦାକରି ପକାଇଥିବେ । ମୋର ଦୁଃଖମାନଙ୍କର କଳାତ୍ମକ ପରିପ୍ରକାଶ ଘଟାଇ ପାରିବାର ସକଳ କଳା କୌଶଳ ପାଇଁ ଲେଖକଙ୍କ ପ୍ରଂଶସାରେ ଶତମୁଖ ହୋଇ ଗୁଣଗାନ କରିଥିବେ । ତଥାପି ପ୍ରାଣର ମୁକୁଳା ଅଭାବବୋଧଟିଏ ମୋ ଛାତିକୁ ରୁନ୍ଧିଦିଏ । ଲେଖଙ୍କ ପ୍ରତି ରହିଥିବା ଅଭିମାନ ଓ ଅଭିଯୋଗର କେତୋଟି ଅବ୍ୟକ୍ତ ଶବ୍ଦ ହାଣ୍ତିକୁ ଲୁଣ ଖାଇଗଲା ପରି ମୋତେ କ୍ରମଶଃ ଖାଇ ଖାଇ ଯାଏ । ଲାଗେ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ, ଶତାବ୍ଦୀ ପରେ ଶତାବ୍ଦୀ ବିତିଗଲା ଭିତରେ ମୋର ଦୁଃଖମାନେ ପ୍ରଶମିତ ହେବା ବଦଳରେ ଆହୁରି କାଳୋତୀର୍ଣ୍ଣ ହୋଇ ଉଠୁଛନ୍ତି । ହେ ଚିରମୌନୀ ଚିରବିପ୍ଲବୀ କଲମଧରାଳି ସ୍ରଷ୍ଟା ମୋର ଅଭିମାନକୁ ଉଦାର ଚିତ୍ତରେ ସହିଯାଅ ଆଉଥରେ, ଅବ୍ୟକ୍ତ କଥା ଯେତେ ମୋତେ ବ୍ୟକ୍ତ କରିବାର ସୁଯୋଗ ଦିଅ ...

ସେଦିନ କୁଞ୍ଜବିହାରୀ ବାବୁଙ୍କ ସହ ମୋ ପାଖକୁ ଆସିଥିଲେ ଛାନ୍ଦସିକ କବି ପଶୁପକ୍ଷୀର ମର୍ମକୁ ବୁଝିପାରୁଥିବା ମହାକବି ରାଧାମୋହନ ଗଡନାୟକ । କେଜାଣି କୋଉ ନ୍ୟାୟର ଆଶାରେ ମୋର କଠିନ କୋହର ବରଫଖଣ୍ତ ସବୁ ସେ ତେଜମୟ କାବ୍ୟପୁରୁଷ ଆଗରେ ତରଳିଗଲେ ଲୁହ ହୋଇ । ସେ କବି ପ୍ରତିଭାର ଆତ୍ମାରେ ଗୋଟେ ଆକର୍ଷଣୀ ଶକ୍ତି ଥିଲା ଯାହା ମୋ ଛାତିର ସବୁ ଦୁଃଖକୁ ନିଜ ଭିତରକୁ ସଞ୍ଚରାଇ ନେଇ ଗଲା ଅକ୍ଲେଶରେ । ତମକୁ ସେ ହିଁ ତ ପ୍ରଥମ ଥର ପାଇଁ ମୋ ସହ ପରିଚିତ କରାଇଥିଲେ । କାହିଁକି ଜାଣ ? ତୁମେ ହିଁ ଭରିଥିଲ ମୃତ ଗୌରବ ଭିତରେ ହୃତ ସଉରଭ ରାଜି, କଙ୍କାଳ ଦେହରେ ପ୍ରାଣ ସଞ୍ଚାର କରିଥିଲ କବି କଲମର ରଣହୁଙ୍କାରରେ । ତୁମର ପୋଷା କଲମ ଜାଗ୍ରତ କରି ଉଦ୍ୟତ କରି ମୁକତିର ଦ୍ବାର ଖୋଲିବାର ସାହାସ ରଖୁଥିଲା । ବୋଧେ ସେଥିପାଇଁ !

ମୁଁ ଜାଣେ ତୁମେ ଗଳ୍ପ ଲେଖିବାର ପ୍ରଣାଳୀକୁ ଗୁରତ୍ବ ଦିଅନା । ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ସମାଜ ଓ ରାଜନୀତି ଅଢୁଆଳରେ, ମାନବଚିତ୍ତର ପ୍ରେମ ପ୍ରୀତି ସୋହାଗ ଭିତରେ ଜୀବନର ସୁଃଖ ଦୁଃଖ ସଂଘର୍ଷରେ ତୁମେ କାହାଣୀ ଖୋଜ । ଗଳ୍ପମୟ ପୃଥିବୀର ସତ ଜୀବନକୁ ରଙ୍ଗେଇ ମଣିଷର ସ୍ବରକୁ ଦୃଢ଼କର । ତମର ଚରିତ୍ରମାନେ ସ୍ବାଭିମାନର ଅସ୍ତ୍ରକୁ ପାଥେୟ କରି ସମାଜର ସାରଶୂନ୍ୟ ଶୃଙ୍ଖଳକୁ ଛିନ୍ନ ବିଚ୍ଛିନ୍ନ କରି ଆପଣା ପାଇଁ ଗଢି଼ପାରନ୍ତି ଗୌରବମୟ ସ୍ବର୍ଗପୁର ଏବଂ ତହଁରେ ନିଜକୁ ଅଭିଷିକ୍ତ କରାନ୍ତି ମଣିଷପଣରେ ଗଢା ସିଂହାସନରେ । ତୁମେ କଙ୍କାଳର ପ୍ରାଣରେ ଭରିଦେଇପାର ଉଦବୋଧନୀର ଜୀବନ ସଞ୍ଜିବନୀ ।

ହେଲେ ମୋ ପାଇଁ ସ୍ବର ଗଢିଲାବେଳେ ଏମିତି କାଇଁ କଲ ସ୍ରଷ୍ଟା । ସତସତିକା ଜୀବନରେ ଅନବରତ ଲଢେଇ କରି ହାରି ସାରିଥିବା ଏ ଅଭାଗିନୀକୁ ପୁଣି କଲମ ମୂନରେ କାହାଣୀ ରଚି ପରାଜିତ ଘୋଷିତ କରି କାେଉ ଯଶବାନା ଉଡାଇଲ । ମୁଁ ପାଠକର ରୋମାଣ୍ଟିକ୍ ଦୁଃଖ ହୋଇ ସମ୍ବେଦନା ନାମରେ ଦି ଚାରି ଟୋପା ଲୁହରେ ବତୁରିବାକୁ ଚାହିଁ ନଥିଲି କି କାଳାେତ୍ତୀର୍ଣ୍ଣ ଜୀବନଶକ୍ତିଧାରୀଣି ଚରିତ୍ରସତ୍ତା ହେବାକୁ ଚାହିଁ ନଥିଲି ମୁଁ କେବଳ ମଣିଷ ହିସାବରେ ମଣିଷର ଅଧିକାର ଚାହିଁଥିଲି । ସମାଜର କଣ୍ଟାଳିଆ ଜିଭ ଜୀବନର କଳାତ୍ମକ ଦେହର ଲାବଣ୍ୟ ଓ ମନର ମୁକ୍ତ ମାନଚିତ୍ରକୁ ଚାଟିପକାଇବାର ପ୍ରବଣତା ବିପକ୍ଷରେ ସଶକ୍ତ ଆତ୍ମୀୟ ସ୍ବରଟିଏ ହିଁ ଚାହିଁଥିଲି । ହେଲେ ମୁଁ ଯେତେ ବିପ୍ଳବର ଗୀତ ଗାଇଲି ସେ ତ ଶେଷରେ କାନ୍ଦଣା ସାଜିଲା ସ୍ରଷ୍ଟା ।

ମିଛିମିଛିକା ଷଢେଇରେ ମିଛିମିଛିକା ଭାତ ଫୁଟେଇବା ଭିତରେ ମୋ ବନ୍ଦନା ଲୁଗାରେ ନିଆ ଲାଗି ସାରିଥିଲା । ଆଖିର ଲୁହରେ କପାଳ ପଖାଳିବାର ଅବସର ନ ପାଇ ବି ମୁଁ ବିଧବା ସାଜିଲି । ଲୋକଙ୍କଠୁ ଯାହା ଶୁଣିଲି ସେତକରୁ ଜାଣିଲି ଅଜାଣତରେ ବିଧାନଟିଏ ଲେଖା ସରିଛି ମୋ ଅନିର୍ଦ୍ଦିଷ୍ଟ ଆଗାମୀ ଭବିଷ୍ୟତ ପାଇଁ । ସେ ବିଧାନର ସାରାଂଶ ହେଉଛି ମୋର ନିରାଭରଣ ଅଙ୍ଗ ସୈଷ୍ଠବ ସକାଳେ ଝଡିପଡିଥିବା ଫୁଲପରି ପଡିରହିଯିବ ପଛେ କେହି ତାକୁ ସାଉଁଟି ନେଇ ଅର୍ଘ୍ୟ ଦେବେନି ଦେବତା ମସ୍ତକରେ । କିଏ ସେ ଯିଏ ଏଇ ବିଧାନ ଗଢିଲା ? ଜଗତରେ ଜୀବନ ବଡ ନା ବିଧାନ ? ଏଇମିତି ପ୍ରଶ୍ନର କୋଳାହଳ ପୂର୍ଣ୍ଣ ଗଳିରେ ମୁଁ କ୍ରମଶଃ ନୀରବ ପାଲଟୁଥିଲି । କିଛି ପ୍ରଶ୍ନ ଉଜ୍ଜୀବିତ କରିବାର ନଥିଲା କି ତୁମକୁ ସ୍ରଷ୍ଟା ହିସାବରେ ?

ଜାଗରଣର ସ୍ରୋତରେ ଭାସିଯାଇ ମୁଁ ସିଲେଇ ଶିଖିଲି 'ପାଠ ପଢିଲି, ଲେଖିଲି, ହିସାବ ଜାଣିଲି, ମାଷ୍ଟ୍ରାଣୀ ହେଲି । ମୋର ନୀଳରୁ ନୀଳମାଷ୍ଟ୍ରାଣୀ ହେବାର ରୂପାନ୍ତରକୁ ବୁଢାମାନେ ନିନ୍ଦାକଲେ, ଯୁବକମାନେ ପ୍ରଶଂସା କଲେ, ଛୁଆମାନେ ମାଆ ପରି ଦେଖିଲେ । ବାପା ଆଉ ନଥିଲେ । ଭାଇକୁ ମଣିଷ କରିବାର ଦାୟିତ୍ବ ଗୋଟାପଣେ ମୋ ଉପରେ ।

ପ୍ରେମ କି ବୁଝେ ନୀତି ଅନୀତିର ମୂଲ୍ୟ । ଦେହ କି ମାନେ ବିଧାନର ଶୃଙ୍ଖଳ । ଭାରତଲୀଳାର ଅର୍ଜୁନ ମଦନା ସେଠୀର ଲକ୍ଷ୍ୟଭେଦରେ ନୀତିନିୟମର ଶୃଙ୍ଖଳ ଡେଇଁଗଲି । ଚାକିରିଗଲା, ଭାଇ ପ୍ରେମଗଲା, ସମାଜର ବନ୍ଧନ ଗଲା । ଲୋକ ଅପବାଦକୁ ଡରିଲି ନାହିଁ ସମାଜର ବନ୍ଧନକୁ ମାନିଲି ନାହିଁ ଗାଁବାଲାଙ୍କ କଥା ଶୁଣିଲିନାହିଁ । ମଦନା ସେଠୀର ପଛେ ଚାଲୁଚାଲୁ ଦେଖିଲି ନୂଆ ଜୀବନର ସ୍ବପ୍ନ । ଏଇଠି ମୋତେ ଏତିକି କେବଳ ସତ କହିବ ସ୍ରଷ୍ଟା ସତରେ କ'ଣ ମୁଁ ଏକ ଅକ୍ଷମଣୀୟ ଭୁଲ୍ କରିପକାଇଲି । ବିଧବାର ବିବାହ, ଅନ୍ୟଜାତିରେ ବିବାହ ପରି ଯେଉଁ ସବୁ ଭୁଲକୁ ମୋ ଉପରେ ଥାପି ଦିଆଯାଉଛି ସେ ସବୁ ତ ମୁଁ ଗଢି ନଥିଲି କି ତାକୁ ମାନିବାକୁ ଲିଖିତ କିଛି ଚୁକ୍ତିପତ୍ର କରି ନଥିଲି । ଆଉ କାହାର ଶଗଡଗୁଳାର ନିୟମରେ ମୁଁ କାହିଁ ଚାଲିଥାନ୍ତି ସ୍ରଷ୍ଟା ।

ଯେଉଁ ବିବାହର ମୂଲ୍ୟ ବୁଝି ହିଁ ନଥିଲି ସେ ତଥାକଥିତ ସ୍ବାମୀର ମୃତ୍ୟୁର ଶୋକକୁ ନେଇ କେମିତି ତମାମ୍ ଜୀବନ ଦେହରେ ନାମାବଳୀ ଗଳାରେ ତୁଳସୀମାଳା କାନ୍ଧରେ ଶ୍ରୀକପଡା ହାତରେ ପୂଜାଥାଳ ଧରି ତୁଳସୀ ଚଉରା ମୂଳେ ମୋକ୍ଷର ପ୍ରାର୍ଥନା ଗାଇଥାନ୍ତି । ମନର ଗୋପନ କଥା ସବୁ କହିଦେବା ପାଇଁ ଏ ଦୁନିଆରେ ମନମଣିଷଟେ ଲୋଡା ପଡେ ବୋଲି ମଦନାର ହାତ ଧରିଲି । ହେଲେ ମୋର ତ ବିଧାତା ବାମ । ମଦ୍ୟପ ସ୍ବାମୀର ମାତାଲ୍ ପଣରେ ସ୍ବପ୍ନର କାରୁକାର୍ଯ୍ୟରେ ଗଢା ସୁନାର ସଂସାର ଧୂଳିସାତ୍ ହେଲା । ମୁଁ ନିଜକୁ ଆବିଷ୍କାର କଲି ମଇଳା ଲୁଗା କାଚୁଥିବା ଧୋବାତୁଠରେ । ନୀଳମାଷ୍ଟ୍ରାଣୀରୁ ହେଲି ନୀଳଧୋବଣୀ । ମୋ ଶିରାପ୍ରଶିରାରେ ମଇଳା ସବୁ ଜମାଟ ବାନ୍ଧିଥିବା ସତ୍ତ୍ବେ ଦୁନିଆର ମଇଳା କପଡା ସଫା କରିବାର ନୂଆ ଭୂମିକାକୁ ସ୍ବୀକାରି ନେଲି । ଯାେଉଦିନ ଭାଉଜର ବଉଳପାଟକୁ ନବା ପାଇଁ ଶତ ବାରଣ ସତ୍ତ୍ବେ ଭାଇ ଆସି ମୋ ଦୁଆରରେ ପାଦ ଦେଲା ମୋ ଛାତି ଶୁଖିଗଲା । ନିଜେ ଜାତି ହରାଇ ଅପବାଦ ସହିଲି ବୋଲି ଭାଇକୁ ସେ ନିନ୍ଦା ଅପବାଦକୁ ଠେଲି ଦେଲି । ଅନେକ ଦିନରୁ ଚାହିଁ ନଥିବା ତା ମୁହଁକୁ ଅନାଇ କହିଲି ମୁଁ ଚାଲି ଆସିଲି ବୋଲି ତୁ ଚାଲି ଆସିଲୁ ? ଲୋକେ ବୋଲିବେ କଣ ? ତୁ ବି କୁଳରେ କଳଙ୍କ ଲଗାଇବୁ ।ଫେରିଯାଆ ଫେରିଯାଆ । ବଉଳପାଟ ଦେହରେ ଆଖିର ଦି ଟୋପା ଲୁହ ବ୍ୟତୀତ ଆଉ କିଛି ଦେଇପାରିଲିନି ଭାଇକୁ । ୟେ ଲୁହ ଅନୁତାପର ନିଶ୍ଚୟ । ସମାଜର ସେହି ଅଦୃଶ୍ୟ ବିଧାନ ସବୁକୁ ଭାଙ୍ଗି ନପାରିବାର ଅନୁତାପ । ପାଠପଢାଇ ଜାଗରଣ ତିଆରି କରି ନପାରିବା ଅନୁତାପ । ମଦନ ସେଠୀ ପରି ମଦ୍ୟପଙ୍କୁ ନିଶାରୁ ମୁକ୍ତ ନକରିପାରିବାର ଅନୁତାପ । ତୁମେ ଚାହିଁଥିଲେ କଣ ଏ ସବୁ ସମ୍ଭବ ହୋଇ ନଥାନ୍ତା ? ସ୍ବାଭିମାନ ଘେନି ମୁଁ ଜୀବନଟିଏ ବଞ୍ଚି ପାରି ନଥାନ୍ତି ଯେମିତି ତୁମର ବେଣୁଧର ମାଗୁଣିମାନେ ବଞ୍ଚିଲେ । ଯେଉଁ ରାସ୍ତାରେ ଅନ୍ଧକାର ରନ୍ଧ୍ରହୀନ ସେଠାରେ ଆଲୁଅର ରଶ୍ମିଟିଏ ପହଞ୍ଚାଇ ପାରି ନଥାନ୍ତି କି ସ୍ରଷ୍ଟା ।

ପଚା ଅନ୍ଧାର ଭିତରେ ମୋର ହଳେ ଆଖି ଗହଗହ ଚାହାଣିରେ ଆପଣଙ୍କ ପାଦକୁ ନତମସ୍ତକରେ ଚାହିଁଛନ୍ତି , 'ଅହି ସିନ୍ଦୁର ବିରାଜୁ ଥାଉ କହି' ଆଶୀର୍ବାଦ କରିବେନି ଏ ନୀଳମାଷ୍ଟ୍ରାଣୀକୁ ?