ଦନ୍ତାହାତୀ ଓ ସ୍ୱର୍ଣ୍ଣପଦକ

ସ୍ମୃତିକଥା କେବଳ ଗୋଟେ ନିର୍ଦ୍ଦିଷ୍ଟ ଜୀବନ କାହାଣୀ କହେ ନାହିଁ, ଏହା ନିଜ ସମୟର ସଙ୍କେତମାନଙ୍କୁ ମଧ୍ୟ ପ୍ରକଟିତ କରିଥାଏ । ପ୍ରସନ୍ନ କୁମାର ହୋତାଙ୍କ ସ୍ମୃତିକଥାରେ ଆମେ ସମୟର ସେଇ ସଙ୍କେତମାନଙ୍କୁ ଦେଖିଚାଲିଛୁ ।


ଫଟୋ - ୱିକି କମନ୍ସ

୧୯୭୯ ମସିହାର ଜୁନ୍ ମାସରେ ମୋର କଟକ ଜିଲ୍ଲାରେ କଲେକ୍ଟର ଭାବରେ ନିଯୁକ୍ତି ହେଲା । ମୁଖ୍ୟମନ୍ତ୍ରୀ ମାନନୀୟ ନୀଳମଣି ରାଉତରାୟ ମୋର ମୟୁରଭଞ୍ଜ କଲେକ୍ଟର ହେବାର ଇଚ୍ଛାକୁ ପିଲାଳିଆମି ଭାବି ସମ୍ମାନଜନକ ବୃହତ୍ କଟକ ଜିଲ୍ଲାର ଜିଲ୍ଲାପାଳ କରି ମତେ ନିଯୁକ୍ତ କରିଦେଲେ । ୧୯୮୦ରେ ନିର୍ବାଚନରେ ଜନତା ଦଳ କେନ୍ଦ୍ରରେ ଆଭ୍ୟନ୍ତରୀଣ ବିବାଦ ହେତୁ ଦୁର୍ବଳ ହୋଇଗଲା । କେନ୍ଦ୍ରରେ କଂଗ୍ରେସ ସରକାର ବହୁମତରେ ଆସିଗଲେ । ଓଡ଼ିଶାରେ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀର ଦାୟିତ୍ୱ ଗ୍ରହଣ କଲେ । ମୁଁ ଜନତାଦଳ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲି । ସ୍ଥାନୀୟ କଂଗ୍ରେସର କିଛି ଆଶଙ୍କା ଥିଲା ଯେ ସେମାନଙ୍କ ଦଳ ଏମର୍ଜେନ୍ସି ସମୟରେ ଯେଉଁ ମାତ୍ରାଧିକ୍ୟ କାମ କରିଥିଲେ, ବିରୋଧୀଦଳର ମାନ୍ୟଗଣ୍ୟ ନେତୃତ୍ୱଙ୍କୁ ଜେଲରେ ରଖିଥିଲେ ଆଦି … ମତେ କଟକରେ ପୋଷ୍ଟିଂ କରାଯାଇଛି ପ୍ରତିଶୋଧ ନେବାକୁ ପ୍ରଶାସନକୁ ବ୍ୟବହାର କରିବାକୁ । କିନ୍ତୁ ଶ୍ରୀଯୁକ୍ତ ରାଉତରାୟ ଥିଲେ ମାନବିକତାର ଏକ ଉଜ୍ଜ୍ୱଳ ମାପଦଣ୍ଡ । ସେ କେବେହେଲେ ମତେ ଏପରି କିଛି ସୁକର୍ମ ବା ଦୁଷ୍କର୍ମ କରିବାକୁ ଇଙ୍ଗିତ ଦେଇନଥିଲେ । ତାଙ୍କ ସ୍ନେହୀ ପୁତ୍ର ବିଜୟଶ୍ରୀ ବାପାଙ୍କ ମତାଦର୍ଶରେ ପରିଚାଳିତ; ଯୌବନ ଉନ୍ମାଦନାରେ ୟାକୁ ବାନ୍ଧ୍ ତାକୁ ଧର୍ ଆଦି କରିବାକୁ କେବେହେଲେ ମତେ କହିବାକୁ ଚେଷ୍ଟା କରିନଥିଲେ । ମୁଁ ନିଶ୍ଚିନ୍ତ ହୋଇ ସମସ୍ତଙ୍କ ସାଙ୍ଗରେ ସମ୍ୟକ ବ୍ୟବହାର କରି କାର୍ଯ୍ୟ ଚଳାଇଥିଲି ।

ପ୍ରଥମଥର ୧୯୭୯ ଅଗଷ୍ଟରେ କଂଗ୍ରେସର କିଛି ଜିଲ୍ଲାସ୍ତରୀୟ ନେତା ଯଥା ଶ୍ରୀଯୁକ୍ତ ପ୍ରହଲ୍ଲାଦ ମଲ୍ଲିକ, ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ, ଶ୍ରୀଯୁକ୍ତ ଅକ୍ଷୟ ପଣ୍ଡା ଆଉ ପାଞ୍ଚ ଛଅଜଣ ଆସି ମୋ ଛୋଟ ରେସିଡେନ୍ସ ଅଫିସରେ ମତେ ଭେଟିବାକୁ ଚାହିଁଲେ । ମୁଁ ତାଙ୍କ ଅନୁରୋଧ ଷ୍ଟେନୋବାବୁଙ୍କଠାରୁ ଜାଣି ତତକ୍ଷଣାତ୍ ଡକାଇଲି । ସେମାନେ ପ୍ରକୋଷ୍ଠ ଭିତରକୁ ଆସି ମତେ ସଭକ୍ତି ନମସ୍କାର ଜଣାଇଲେ । ମତେ ହସ ମାଡ଼ିଲା ଓ ଅସହଜ ମଧ୍ୟ ଲାଗିଲା । ମୁଁ ସେମାନଙ୍କୁ ରାଜ୍ୟସ୍ତର ଆଦିରେ ବିଦିତ ବୋଲି ଜାଣିଥିଲି । ସେମାନେ ଛିଡ଼ା ହୋଇଥାନ୍ତି । ମୁଁ ଧଡ଼୍ କରି ଚୌକିରୁ ଉଠିପଡ଼ିଲି । ହାତ ଉଠାଇଲି ପ୍ରତି ନମସ୍କାର ଜଣାଇବା ପାଇଁ । ତାଙ୍କ ଭିତରୁ ଜଣେ ଅଚିହ୍ନା ଆଗତୁରା ହୋଇ କିଛି ବକ୍ତବ୍ୟ ଆରମ୍ଭ କରିଥିଲେ । ଏସବୁ ଗୋଟିଏ ମିନିଟରୁ କମ ସମୟର କଥା । ମତେ ଲାଗିଲା ଯେ କୌଣସି କାରଣ ପାଇଁ ଏ ଅଚିହ୍ନା ବ୍ୟକ୍ତି ହେଉଛନ୍ତି ଏ ବିଦିତ ଦଳର ମୁଖ୍ୟବକ୍ତା । କିନ୍ତୁ ସେ ମୋ ଉଠିପଡ଼ିବାରେ ଚମକି ପଡ଼ି ଶ୍ରୀଯୁକ୍ତ ଅକ୍ଷୟ ପଣ୍ଡାଙ୍କୁ ଆଗକୁ କରି ନିଜେ ପଛକୁ ଘୁଞ୍ଚିଗଲେ । ମୋର ସହାସ୍ୟବଦନରେ ନମସ୍କାର ଓ ସମସ୍ତଙ୍କୁ ସମ୍ମାନର ସହିତ ବସାଇବା ପରେ ସେମାନେ ଆଶ୍ୱସ୍ତ ହୋଇ ସେମାନଙ୍କର ବକ୍ତବ୍ୟ ପୂର୍ବୋକ୍ତ ଅପେକ୍ଷାକୃତ ଯୁବନେତାଙ୍କ ମାଧ୍ୟମରେ କହିଲେ - ନେତା ହେଲେ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ । ରାଜନୀତିରେ ପ୍ରାୟ ନୂତନ, କିନ୍ତୁ ସାଙ୍ଗଠନିକ ଦକ୍ଷତା ଓ ଜାନକୀସାରଙ୍କ ସହ ଅତି ଘନିଷ୍ଠ ମିତ୍ରତା ହେତୁ ନୂତନ କଂଗ୍ରେସରେ ଅଗ୍ରଗାମୀ ପଦରେ ଆରୂଢ଼ । ଅଳ୍ପଦିନରେ ସବୁ କଥାରେ ତାଙ୍କ ନେତୃତ୍ୱ କଟକ ଜିଲ୍ଲା କଂଗ୍ରେସରେ ସ୍ୱୀକୃତ ହେବା ଜଣା ପଡ଼ିଲା ।

ଏତେ ଲମ୍ୱେଇ ବର୍ଣ୍ଣନା କରିବାର କାରଣ ଯେ ମୁଁ ମଧ୍ୟବିତ୍ତ ପରିବାରର ଏକ ସାଧାରଣ ଯୁବକ, କିନ୍ତୁ କଟକର କଲେକ୍ଟର ହେବା କ୍ଷଣି ମୋ ପରିଚୟରେ କିଛି ପରିବର୍ତ୍ତନ ଆସିଲା । ଅହଂକାର ମୁକ୍ତ ହୋଇ ବୁଦ୍ଧିମତ୍ତାର ସହ ସେ ପରିଚୟର ସଦୁପଯୋଗ କରି ପାରିଲେ କର୍ମକ୍ଷେତ୍ରରେ ଅଭୂତପୂର୍ବ ସହଯୋଗ ମିଳେ । ଏବଂ ସହଯୋଗ ହିଁ ସଫଳତାର ମୂଳମନ୍ତ୍ର । କିଛିଦିନରେ ମୁଁ ଜନପ୍ରିୟ ହୋଇଗଲି । ରାଜନୀତିର ପଶାପାଲି ଓଲଟିଲା - କେତେଜଣ ଭାବିଲେ ମୋର ପଦ ପରିବର୍ତ୍ତନ ଘଟିବ । କିନ୍ତୁ ମୋର କାର୍ଯ୍ୟଦକ୍ଷତା ଓ ନିରପେକ୍ଷ କର୍ମପ୍ରଣାଳୀ କଂଗ୍ରେସବାଲା ମଧ୍ୟ ପସନ୍ଦ କରିଥିଲେ । ମୁଁ ଜାନକୀସାରଙ୍କ ଅଧୀନରେ ମଧ୍ୟ କଟକ କଲେକ୍ଟର ରହିଲି ।

ତେବେ ଦକ୍ଷ ଜିଲ୍ଲାପାଳ - ସେ ପୁଣି ଅବିଭକ୍ତ କଟକ ଜିଲ୍ଲାର - ହେବାକୁ ହେଲେ ସକାଳ ସାଢ଼େ ଛଅଟାରୁ ରାତି ବାର ପର୍ଯ୍ୟନ୍ତ କାମ କରିବାକୁ ପ୍ରସ୍ତୁତ ରହିବା ଦରକାର । କେତେବେଳେ କେଉଁ ଆପଦକାଳୀନ ପରିସ୍ଥିତି ଜିଲ୍ଲାର କେଉଁଠାରେ ଘଟିପାରେ ତା’ର କିଛି ପୂର୍ବାଭାସ ନ ଥାଏ ।

ଗୋଟିଏ ରବିବାର ଅପରାହ୍ନରେ ଏପରି ଏକ ଚମକପ୍ରଦ ଘଟଣାର ସୂତ୍ରପାତ ହେଲା । ରବିବାର, ସମୟ ପ୍ରାୟ ଅପରାହ୍ନ ସାଢ଼େ ଚାରିଟା ହେବ । ମୁଁ ରେସିଡେନ୍ସ ଅଫିସରେ ବସି ବାକିଆ ଫାଇଲ କାମ ସାରିବାକୁ ଚେଷ୍ଟା ଚଳାଇଥାଏ । ଏହି ସମୟରେ ଫୋନ ବାଜିଲା, - ଷ୍ଟେନୋ ପ୍ରଫୁଲ୍ଲବାବୁ କହିଲେ, ‘ସାର୍ ବିରଜା ମିଶ୍ର କଥା ହେବାକୁ ଚାହୁଁଛନ୍ତି । ମୋ କଲେଜ ବେଳର ସାଙ୍ଗ ଶ୍ରୀ ବିରଜା ମିଶ୍ର, ପ୍ରସିଦ୍ଧ ଆଡଭୋକେଟ୍ ମାନବୀୟ ଶ୍ରୀନିବାସ ମିଶ୍ରଙ୍କ ପୁଅ । ବିରଜା ହାସ୍ୟରସର ଏକ ସ୍ୱୟଂସଂପୂର୍ଣ୍ଣ ଅବତାର । ତାଙ୍କର କୌଣସି କଥାରେ ଚିନ୍ତା ନଥାଏ ଏବଂ ସେ କେବେହେଲେ ମତେ ଅନୁଚିତ ଅନୁରୋଧ କରିନଥାନ୍ତି । ରବିବାରରେ କାମ କରି କରି ମୁଁ କିଛିଟା କ୍ଳାନ୍ତି ଅନୁଭବ କରୁଥାଏ । ବିରଜାଙ୍କ ସଙ୍ଗେ ବାର୍ତ୍ତାଳାପ ହେଲେ କିଛି ଆନନ୍ଦ ହେବ ବୋଲି ମୁଁ ସାଙ୍ଗେ ସାଙ୍ଗେ ଫୋନ ଧରିଲି । ସେ କହିଲେ, ‘ଏ କଲେକ୍ଟର ସାର୍, ରକ୍ଷା କରନ୍ତୁ । ଭଗବାନଙ୍କ ସୃଷ୍ଟିର ବିଶିଷ୍ଟ ଜୀବ - ବନ୍ୟାପାଣିରେ ହାତୀ ଛୁଆଟିଏ ଭାସି ଆସିଛି । ପୁରୀଘାଟରେ ଉଠିବାକୁ ଚେଷ୍ଟାକଲା, ପାରିଲା ନାହିଁ । ପହଁରି ପହଁରି ଥକିଗଲାଣି । ଶୀଘ୍ର କିଛି କର ।’ ମୁଁ ଅଧା ହସ ଓ ଅଧା ବିରକ୍ତିରେ କହିଲି,- ‘ଆରେ ସବୁ କ’ଣ ମୁଁ କରିବି; ଅବା ପାରିବି । ତୁମେ ଏସ୍.ପି. ବା ଫାୟାର ଅଫିସରଙ୍କୁ ଫୋନ କର ।’ ଡି.ଏଫ୍.ଓ. ଙ୍କ କଥା ଭାବିବା କଥା । କିନ୍ତୁ ନା ସେ ମତେ ଦେଖା କରିଥାନ୍ତି, ନା ମୁଁ ତାଙ୍କ ବିଷୟରେ କିଛି ଜାଣିଥାଏ । ସେବର ସମୟରେ ପ୍ରଶାସନ ପାଖରେ ଏତେ ସୁବିଧା ବି ନଥିଲା - ଯଥା ଟ୍ରାଙ୍କୁଲାଇଜର୍ ଗନ୍ ଆଦି । ଅନ୍ତତଃ ମୁଁ ଏ ସବୁ ବିଷୟରେ ଜାଣି ନଥିଲି । ପରେ ଅବଶ୍ୟ ମୁଁ ଫରେଷ୍ଟ ଅଫିସରଙ୍କ ପ୍ରିୟପାତ୍ର ହୋଇଗଲି । କାରଣ ଭିତରକନିକା କୁମ୍ଭୀର ସଂରକ୍ଷଣ ଯୋଜନାରେ ଫରେଷ୍ଟ ଷ୍ଟାଫ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଭୀଷଣ ତିକ୍ତତା ଆରମ୍ଭ ହୋଇଯାଇଥିଲା । ଗ୍ରାମବାସୀମାନେ ଉତକ୍ଷିପ୍ତ ହୋଇ ଫରେଷ୍ଟ ଗାର୍ଡମାନଙ୍କୁ ମାରଧର କରିଥିଲେ । ମୁଁ ପରେ ଆସିଥିବା ଏସ୍.ପି. ଶ୍ରୀ ରାଜେନ୍ଦ୍ର ସାଚାରଙ୍କ ସଙ୍ଗେ ଚାନ୍ଦବାଲି ବାଟେ ଦୀର୍ଘ ପାଞ୍ଚଘଣ୍ଟା ଉଜାଣି ଜୁଆର ବିପକ୍ଷରେ ମୋଟର ଲଞ୍ଚରେ ଧୀରେ ଧୀରେ ଯାଇ, ମାତ୍ର ଅଧ ଘଣ୍ଟାଏ କଥା ହୋଇ ହସଖୁସିରେ ସବୁ ସମାଧାନ କରିଦେଲି । ଉଭୟ ପକ୍ଷ ଭୁଲ ମାନିଲେ । କିଛି ଖିଆପିଆ ହେଲା । ସ୍ଥାନୀୟ ସ୍କୁଲଗୃହ ନୂଆ ଶ୍ରେଣୀ ରୁମ୍, ପୋଖରୀ, ରାସ୍ତା ଆଦିର ନିର୍ମାଣ କାମ ପନ୍ଦରଦିନ ଭିତରେ ଆରମ୍ଭ ହେବ ଶୁଣି ଗ୍ରାମବାସୀମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଏ ସବୁ କିନ୍ତୁ ପରବର୍ତ୍ତୀ ସମୟର କଥା । ମୁଁ ଯେଉଁ ରବିବାର ଅପରାହ୍ନ କଥା କହୁଛି ତାହା ଏହାର ପ୍ରାୟ ଦେଢ଼ବର୍ଷ ପୂର୍ବର କଥା ।

ହାତୀଛୁଆ ପାଣିରେ ଭାସି ଆସିଛି । ପୁରୀଘାଟଠାରୁ ଖାନନଗର ପର୍ଯ୍ୟନ୍ତ କାଠଯୋଡ଼ି ବନ୍ଧ ଲୋକାରଣ୍ୟ । ବିରଜାଙ୍କ ଭାଷାରେ କଟକର ସ୍ନେହୀ ଜନତା ଆଉ କାହାକୁ ଜାଣି ନାହାନ୍ତି... କଲେକ୍ଟର ପ୍ରସନ୍ନ ହୋତା ହିଁ ଯାଇ ଘୋର ଜଳରୁ ଗଜ ଉଦ୍ଧାର କରିବେ ।

ସେ ଫୋନ ରଖିବାର ଅଧଘଣ୍ଟା ଖଣ୍ଡେ ହୋଇଛି । ମୁଁ କିଛି କାହାକୁ ଫୋନ ନ କରି ଷ୍ଚେନୋବାବୁଙ୍କୁ କହି ଦେଇଥାଏ ଯେ ସେ ପୁରୀଘାଟ ପୋଲିସ ଷ୍ଟେସନ ବା ଫାଣ୍ଡିକୁ ଫୋନ କରି ଜଣାଇ ଦିଅନ୍ତୁ ଯେ କାଠଯୋଡ଼ିରେ ଗୋଟିଏ ହାତୀଛୁଆ ଭାସିଯାଉଛି । ପୁଣି ବିରଜାଙ୍କ ଫୋନ, ‘ଆରେ ହୋତା ସାହେବ, ଏଟା ଦନ୍ତାଟେ, ବଡ଼ ହାତୀ । ଏ ବୋପା - ଖାନନଗର ପାଖରେ ବନ୍ଧକୁ ଚଢ଼ିବାକୁ ଚେଷ୍ଟା କରୁଛି । ସହରରେ ପଶିଯିବ ।’

ଏତେବେଳକୁ ମତେ ମଧ୍ୟ କିଛିଟା ଆତଙ୍କ ଲାଗିଲା । ଖାନନଗର ବନ୍ଧ ଚଢ଼ିଗଲେ, କିଛି ଖାଲ ତା’ପରେ ବାଦାମବାଡ଼ି ବସଷ୍ଟାଣ୍ଡ । ଲୋକାରଣ୍ୟ । ମୁଁ ଏସ୍.ପି. ଶ୍ରୀ ଅନାଦି ସାହୁଙ୍କୁ ଫୋନ କଲି । ତାଙ୍କୁ କହିଲି, ‘ଆପଣଙ୍କ ପାଖେ ହାତୀ ଅଟକେଇବାକୁ ରାଇଫଲ୍ ନାହିଁ । ଦେଖି ଚାହିଁ କାମ କରିବେ । ମୁଁ ଆସୁଛି । କିନ୍ତୁ ଆପଣ ଶୀଘ୍ର ବାଦାମବାଡ଼ି ଯାଇ ହଟ୍ଟଗୋଳ କରି ଫୋର୍ସ ସହିତ ହାତୀକୁ ପୁନର୍ବାର ନଦୀମୁହାଁ କରିବାକୁ ଚେଷ୍ଟା କରନ୍ତୁ ।’ ମୁଁ ତୁରନ୍ତ ବାହାରି ପଡ଼ିବାକୁ ଠିଆ ହେଲି । ପୁଣି ଫୋନ୍ । ଏଥର ଭୁବନେଶ୍ୱରରୁ ଖୋଦ୍ ମୁଖ୍ୟମନ୍ତ୍ରୀ - ‘ଆରେ ପ୍ରସନ୍ନ, ତୁମ କଟକରେ କ’ଣ ହାତୀ ପଶିଲାଣି ! ଦେଖ ଦେଖ, ସମ୍ଭାଳ ।’

ମୁଁ ତାଙ୍କ ସଙ୍ଗେ କଥା ନ ଲମ୍ୱାଇ କାରରେ ଧାଇଁଲି କାଠଯୋଡ଼ି ବନ୍ଧ ଆଡ଼କୁ । କୌଣସିମତେ ପୁରୀଘାଟରୁ ଅସମ୍ଭବ ଜନତାଙ୍କ ଭିଡ଼ ଭିତରେ କଲେକ୍ଟରଙ୍କ ଗାଡ଼ି -‘ପ୍ରସନ୍ନ ହୋତା ଆସିଗଲେ’ ବୋଲି ଆନନ୍ଦମିଶ୍ରିତ ଚିତ୍କାର ସମୂହ ଭିତରେ କାର୍ ଆଗେଇଲା । ମୁଁ ଡାହାଣ ପଟକୁ ଚାହିଁଲି - ଲୋକ ଆଉ ଲୋକ ଓ ଦୂରଦିଗବଳୟ ନଦୀପାଣି ଲୋକାରଣ୍ୟରେ ଅଦୃଶ୍ୟ । ବାମ ପଟକୁ ଚାହିଁଲି, କାଳେ କାହା ଦେହରେ ଆମ ଗାଡ଼ି ବାଜିଯିବ ବୋଲି - କାନ୍ଥରେ ଲେଖା ବିଜ୍ଞାପନ ନଜରରେ ପଡ଼ିଲା - ‘ନକଲିକୁ ସାବଧାନ ।’ ‘ଅସଲ ସାରିବାଦି ସାଲସା ଖାଆନ୍ତୁ, ହାତୀର ବଳ ପାଇବେ ।’ ତେବେ ଶୀଘ୍ର ଅସଲ ସାରିବାଦି ସାଲସା ବା ସିନ୍ଧୁସୁଧା ପିଇ ହାତୀବଳ ହାସଲ କରି ଦନ୍ତା ସଙ୍ଗେ ଲଢ଼ିପାରିବି ବୋଲି ଏପରି ଅବିମୃଶ୍ୟକାରିତାର ବଶବର୍ତ୍ତୀ ନହୋଇ ମୁଁ ଆଗେଇ ଚାଲିଲି । ବୋଧେ ଅକ୍ଟୋବର ମାସ ଆରମ୍ଭ । ଶୀଘ୍ର ସଂଧ୍ୟା ହୋଇଯାଏ । ମୁଁ ରାଜାବଗିଚା ବାଙ୍କ ପାଖକୁ କୌଣସିମତେ କାରରେ ଯାଇ ପହଞ୍ଚିଲି । ତା’ପରେ ପୈଦଲ ଚାଲିବାକୁ ପଡ଼ିଲା, କାରଣ ଏତେ ଲୋକ ଜମା ହୋଇଥାନ୍ତି ଯେ ସନ୍ତୋଷଟ୍ରଫି ଫାଇନାଲ ବା ବାଲିଯାତ୍ରା ପ୍ରଥମ ସଂଧ୍ୟାର ଭିଡ଼ ପରି ଭିଡ଼; ସୋରିଷ ପକାଇବାକୁ ଜାଗା ନାହିଁ ।

ମୁଁ ଆଶଙ୍କାରେ ଅଭିଭୂତ ହୋଇଗଲି । ଏତେ ଲୋକଙ୍କୁ ଦେଖି ହାତୀ ଯଦି ନିଜେ ଭୟଭୀତ ହୋଇ ମାଡ଼ି ଆସିବ, ତା’ ପାଦତଳେ କେତେ ଲୋକ ଯେ ଦଳିହୋଇ ମରିବେ ତା’ର ସୀମା ନାହିଁ । ଏବଂ ହାତୀ ମାଡ଼ି ଆସିଲେ ପ୍ରାଣ ବଞ୍ଚାଇବାକୁ ଧାଇଁବାରେ ଲୋକେ ଦଳାଚକଟା ହୋଇ ମରିବାର, ଖଣ୍ଡିଆଖାବରା ହେବାର ମଧ୍ୟ ସମ୍ଭାବନା ବହୁତ ।

ମୁଁ ସବୁ ଶାଳୀନତା ଭୁଲିଯାଇ ପୂରା କଟକିଆ ଦୋଅକ୍ଷରି କୁଭାଷା ପ୍ରୟୋଗ କରିବା ଆରମ୍ଭ କଲି । ଏପରି ଭାଷା କାହାକୁ ବି ଶୋଭା ଦେବ ନାହିଁ । ଜଣେ କଲେକ୍ଟରଙ୍କଠାରୁ କିଛି ତ ଶାଳୀନତା ଆଶା କରାଯାଏ ! ମୋ ପାଖେ କିନ୍ତୁ ମାଇକ୍ ଆଦି କିଛି ନଥାଏ । ସାଥୀ ସହଯୋଗୀ କେହି ନ ଥାନ୍ତି । ମୁଁ ଯାଚ୍ଛାତା ଭାଷାରେ ଲୋକଙ୍କୁ ଗାଳି ଦେବାକୁ ଆରମ୍ଭ କଲି, ଚିତ୍କାର କରି କହି ଚାଲିଲି - "ଘରକୁ ପଳାଅ, ପଛକୁ ଏବେଠାରୁ ପଳାଇ ଆସ । ହାତୀ ଆସିଗଲେ ପ୍ରାଣ ଯିବ । ଦନ୍ତା ହାତୀ ବହୁତ ବଦରାଗୀ ।" ଲୋକେ ମୋ ବାଚାଳତା ଦେଖିଶୁଣି ପ୍ରତିବାଦ କରିବା ବା ରାଗିବା ପରିବର୍ତ୍ତେ ଆହୁରି ଆମୋଦିତ; ପଛ ଆଡ଼ୁ କିଏ ଟୋକାଟାକଳିଆ ଧୀରେ କହିଲା, "ସ୍ୟାଡ଼େ ହାତୀ, ୟାଡ଼େ କଲେକ୍ଟର ପ୍ରସନ୍ନ ହୋତା ମାତିଲାଣି, କ’ଣ କରିବା ..?" ମତେ ହସ ଲାଗିଲା, ରାଗ ବି ଲାଗିଲା; ମୁଁ ପୁଣି ଚିତ୍କାର କରି ଗାଳିଦେବା ଆରମ୍ଭ କଲି, କାଳେ ଲୋକ ଘଟଣାର ଗୁରୁତ୍ୱ ଜଲଦି ଜଲଦି ଅନୁଭବ କରିବେ ! ଆଉ ଦଳେ ଦରବୁଢ଼ା ରୋଳ କରି କହିଲେ, ‘ସାର୍ ଆଜି ଯେତେ ଗାଳି ଦେବେ ଦିଅନ୍ତୁ, ଆଜି ମଲେ ମରିବୁ, କିନ୍ତୁ ହାତୀ ଦେଖି ମରିବୁ ।’ ଆଉ ଜଣେ କହିଲା, ‘ଆଜ୍ଞା, ମୋ ଘର ଏଇ ପାଖ ରାଜାବଗିଚାରେ । ହାତୀ ନଦେଖି ଫେରିଗଲେ ଘରବାଲି ମାଇଚିଆ କହି ଘରେ ପୂରେଇ ଦେବ ନାହିଁ ।’

ମୁଁ ହସିବି କି କାନ୍ଦିବି ଜାଣି ପାରିଲି ନାହିଁ । ଭାଗ୍ୟକୁ ସେତେବେଳକୁ ଦିଲ୍ଲୀରେ ମୋ କଲେଜ ବେଳର ସାଙ୍ଗ ଏବଂ ପରେ ସହକର୍ମୀ ସିଟି ଡି.ଏସ୍.ପି. ଶ୍ରୀଯୁକ୍ତ ହରିହର ପଣ୍ଡା ଆସି ଜିପରେ ପହଞ୍ଚିଗଲେ । ମୁଁ ତାଙ୍କୁ ତୁରନ୍ତ ଅନୁରୋଧ କଲି - ‘ପଣ୍ଡା ସାର୍ ! ଯାଆନ୍ତୁ କଟକ କ୍ଲବରେ ଡି.ଆଇ.ଜି. ଏ.ପି. ମହାନ୍ତି ବ୍ରିଜ୍ ଖେଳିବା ପାଇଁ ବସିଥିବେ । ତାଙ୍କ ପାଖରେ ହାତୀକୁ ଅଟକାଇବା ରାଇଫଲ୍ ଅଛି । ଆପଣ ରାଜକୃଷ୍ଣ ବୋଷଙ୍କ ପୁଅ ଯିଏ ବଡ଼ ଶିକାରୀ, ତାଙ୍କୁ ବି ଡାକିବାକୁ କେଉଁ ଇନିସପେକ୍ଟର ବା ଆଉ କାହାର ଡ୍ୟୁଟି ଲଗାନ୍ତୁ । ସେ ରାଇଫଲ୍ ଧରି ଆସିବେ ଏବଂ ମୁଁ ଶୁଣିଛି ଚିଫ୍ ଇଞ୍ଜିନିୟର ଶ୍ରୀ ବଳରାମ ମିଶ୍ରଙ୍କ ପାଖେ .375 ରାଇଫଲ୍ ଅଛି । ଭାରତୀୟ ହାତୀ ସେଥିରେ ଅଟକିପାରେ । ( ମୁଁ ବଡ଼ଭାଇ ପୂର୍ଣ୍ଣ ଚନ୍ଦ୍ର ହୋତା ମୁଁ ଷଷ୍ଠ ଶ୍ରେଣୀ ପଢଥିବାବେଳେ RDC ଶ୍ରୀ ବ୍ରଜ ସୁନ୍ଦର୍ ମହାନ୍ତିଙ୍କ ଘରୁ ଆଣିଥିବା ବିଦିତ ଶିକାର କାହାଣୀ 'Hunter' ଲେଖକ ଜନ ହଣ୍ଟର୍ ଆମୂଳଚୁଳ ବାରମ୍ବାର ପଢ଼ିଥିଲି । Hunter ୧୪୦୦ ସିଂହ ଓ ହଜାରେ ଆଫ୍ରିକାନ ହାତୀ ମାରିଥିଲେ । ତାହା ପଢି ମୁଁ ଜାଣି ଥିଲି ଯେ ଆଫ୍ରିକାନ ହାତୀ ପାଇଁ ହେଭୀ 505 ବା ଅତିକମ୍ ରେ .475 Magum ରାଇଫଲ୍ ସରକାର । ଏସିଆ ହାତୀ ଅପେକ୍ଷାକୃତ ଛୋଟ, କିନ୍ତୁ ତାକୁ ଧରାଶାୟୀ କରିବାକୁ ଅନ୍ତତଃ .375 Magnum rifle ଦରକାର୍।) ଆପଣମାନଙ୍କ ପୁରୁଣା 303 କିଛି କାମ ଦେବ ନାହିଁ ।’ ସେ ସଦାସର୍ବଦା କର୍ମତତ୍ପର; କୌଣସି ଯୁକ୍ତି ଆଦି ନକରି ସଙ୍ଗେ ସଙ୍ଗେ ସେ ଜିପ୍ ବୁଲାଇ କାମରେ ଧାଇଁଲେ । ମୁଁ ଚାଲି ଚାଲି ଖାନନଗର ଆଡ଼କୁ ଆଗେଇଲି । ମୋ ପଛରେ ଓ ଆଗରେ ଟୋକା ଓ ଦରବୁଢ଼ାଙ୍କ ଦଳ । ମୁଁ ତାଙ୍କୁ ପୁଣି ମନାକଲାରୁ ଏଥର ସେମାନେ ନ ହଟି ଗମ୍ଭୀର ସ୍ୱରରେ କହିଲେ, ‘ଆମେ ଆପଣଙ୍କୁ ଏକୁଟିଆ କିପରି ଛାଡ଼ିବୁ ? ଆପଣଙ୍କ ଆଡ଼କୁ ଯଦି ହାତୀ ଆସେ ତାକୁ ଆଗେ ଆମ ସଙ୍ଗେ ମୁକାବିଲା କରିବାକୁ ପଡ଼ିବ ।’ ମୁଁ ଆଉ କ’ଣ କହିବି - ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ବେଳ ବି ନାହିଁ । ଯାହା ଘଟୁଛି, ତାହା ତୁରନ୍ତ ଘଟିଯାଉଛି । ଭାଗ୍ୟକୁ ଭରସା କରି ଆଗେଇବା କଥା । ଦୁଇ ତିନି ଶହ ଗଜ ଆଗେଇଛି କି ନାହିଁ, ‘ହାତୀ ହାତୀ’ ବୋଲି ଚିତ୍କାର ଆରମ୍ଭ ହୋଇଗଲା । ହାତୀ ଦେହରେ ବାଜି ସେ ଅଞ୍ଚଳର ରାସ୍ତା ଖୁମ୍ବ ଉପୁଡ଼ି ଆଲୋକ ବନ୍ଦ । ଅନ୍ଧାରରେ ଦେଖାଗଲା ଏକ କଳା ଅତିକାୟ ଜୀବ ବାଦାମବାଡ଼ି ପଛପଟ ଖାଲ ଆଡୁ ବନ୍ଧ ଉପରକୁ ଚଢ଼ି ଆସି ନଦୀରେ ପାଣି ଭିତରକୁ ଗଡ଼ିପଡ଼ିଲା । ମୁଁ ଆଗେଇଲି । ଦେଖେ କାହାକୁ …. ମାନ୍ୟବର ଏସ୍.ପି. ମହୋଦୟ ହସି ହସି ଧାଇଁଛନ୍ତି । ମତେ ଦେଖି କରମର୍ଦ୍ଦନ କରି କହିଲେ, ‘ହାତୀକୁ ମାରିଦେଲୁ । ତା’ କାନରେ ଗୁଳି ବାଜିଛି, ପିଚପିଚ ହୋଇ ରକ୍ତ ବାହାରୁଛି । ସେ ପାଣିରେ ପଡ଼ି ମରିଯିବ ।’

ମୁଁ ତାଙ୍କ ଆନନ୍ଦରେ ବାଧା ଦେବାକୁ ଚାହିଁଲି ନାହିଁ । ଶ୍ରୀ ହରି ପଣ୍ଡାଙ୍କୁ ଭି.ଏଚ୍.ଏଫ୍. ରେ ପାଇ କହିଲି, ‘ସମସ୍ତଙ୍କୁ ଡାକି ଆଣ । ଗୋଟିଏ ଅଧିକ ଜିପ୍ ଲୋଡ୍ ରାଇଫଲଧାରୀ ପୋଲିସ ଧରି କାଠଯୋଡ଼ି ପୋଲ ଉପରକୁ ସମସ୍ତଙ୍କୁ ଆସିବାକୁ କୁହ । ଆମର ସେଠି ଭେଟ ହେବ ।’ ଶ୍ରୀ ଅନାଦି ସାହୁ ଦକ୍ଷ, କିନ୍ତୁ ନିଜ ମତରେ ଗଭୀର ବିଶ୍ୱାସ । ତଥାପି ତାଙ୍କୁ କିଛି ପ୍ରବର୍ତ୍ତାଇବାରୁ ସେ ମଧ୍ୟ ମୋ ସଙ୍ଗେ କାଠଯୋଡ଼ି ପୋଲ ଉପରକୁ ଚାଲିଲେ । ଫୋକସ୍ ଲାଇଟ ଆଦି ନାହିଁ, ଅସ୍ପଷ୍ଟ ଜହ୍ନ ଆଲୋକରେ ହାତୀ ଅଧା ଭସା ଓ ଅଧା ପହଁରିବା ପରି ଦେଖାଗଲା । ମୁଁ କହିଲି, ‘ସେ ଭାସି ଭାସି କାଠଯୋଡ଼ି ପୋଲ ତଳ ଦେଇ ଯିବ । ସେଠି ଆମେ ତାକୁ ଆଉଥରେ ମାରିବାକୁ ଚେଷ୍ଟା କରିବା । ଜଖମି ହାତୀ ଅତି ଭୟାନକ । ଯଦି କୌଣସି ଗାଁଗଣ୍ଡାରେ ପଶିବ, ଅବସ୍ଥା ଅସମ୍ଭାଳ ହେବ ।’

ଅନାଦି ସାହୁ ମାନିବାକୁ ପ୍ରାୟ ନାରାଜ । ତାଙ୍କ ମତରେ ହାତୀ ମରି ସାରିବଣି । ମୁଁ ତାଙ୍କ କଥାକୁ ନ କାଟି କହିଲି, ‘ଅଧିକନ୍ତୁ ନ ଦୋଷାୟ ! ଚାଲନ୍ତୁ ଯିବା, ପୋଲ ଉପରୁ ସବୁ ଦେଖିବା ।’ ଅଗତ୍ୟା ସେ ମଧ୍ୟ ରାଜି ହୋଇ ଚାଲିଲେ । ତାଙ୍କ ସଙ୍ଗେ ଥିବା ଜଣେ ପୋଲିସ କର୍ମୀ ଉତ୍ସାହରେ ଦୂରରେ ଭାସି ଯାଉଥିବା ହାତୀ ଆଡ଼େ ଲକ୍ଷ୍ୟ କରି ରାଇଫଲ୍ ଚଳାଇଲେ । ମୁଁ ତାଙ୍କ ହାତଧରି ଅଟକାଇ କହିଲି, ‘ଅନ୍ଧାରରେ କେଉଁଠି ବାଜିବ, ନ ବାଜିବ । ପାଣିର ଅଳ୍ପ ଆଙ୍ଗଲରେ ବାଜିଲେ ଗୁଳି ଦୁଇତିନି କିଲୋମିଟର ବି ଯାଇ ନଈ ଆରପାଖରେ କୌଣସି ନିରୀହ ଲୋକ ଦେହରେ ବାଜିବାର ସମ୍ଭାବନା ବି ଅଛି । ଧୈର୍ଯ୍ୟ ଧରନ୍ତୁ । ଏସ୍.ପି.ଙ୍କ ଅର୍ଡରକୁ ଅପେକ୍ଷା କରନ୍ତୁ ।’

କିଛି ଆଗେଇବାରୁ ଖାନନଗର ଶେଷ ବେଳକୁ ରାସ୍ତାରେ ଲୋକେ ଗାଡ଼ି ଅଟକାଇଲେ। ରାସ୍ତା କଡ଼ରେ ମେଞ୍ଚା ହୋଇ ଗୋଟିଏ ମୃତ ଲୋକ । ଲୋକଙ୍କ ନିକଟରୁ ଜଣାଗଲା ଯେ ସେ ଆଭାଗା ସାଇକେଲ ଚଳାଇ ଆସୁଥିଲା । ହାତୀ ସେତେବେଳେ ସଦ୍ୟ ନଈ ସୁଅରୁ ଉଠି ଚଢି ବନ୍ଧ ଉପରେ ହାଲିଆ ହୋଇ ଠିଆ ହୋଇଥାଏ । କାହା ଆଡକୁ କିଛି ଗର୍ଜନ ବା ଧମକ ଆଦି କରିନଥାଏ । ଏ ବାବୁ ଆସିବାରୁ ଲୋକେ ତାକୁ ରୋକିଲେ, କହିଲେ - ହାତୀ ଠିଆ ହୋଇଛି, ଯାଆ ନା । ଯଦି ଯିବୁ, ତଳ ବାଟେ ଓହ୍ଲାଇ ଟପି କରି ଯା । ସେ ଦୁଃସାହସୀ ହାତୀ ବାଟ ଦେଇ ସାଇକେଲ ଗଡାଇ ଗଲା। ସ୍ବଚ୍ଛନ୍ଦରେ ଟପି ବି ଗଲା । ତା' ବାଟେ ଘରକୁ ଯାଇ ଥାଆନ୍ତା । ଦୁର୍ବୁଦ୍ଧି ଡାକିଲା, ସେ ଫେରିଆସି ବାହାଦୂରୀ ଦେଖାଇବାକୁ ହାତୀ ଲାଙ୍ଗୁଡକୁ ଟାଣି ଦେଲା । ହାତୀ ବୁଲି ପଡ଼ି ତାକୁ ଏକ ପାହୁଲରେ ତଳେ ପକାଇ ଦଳି ଦେଲା । ମୁଁ ସେଠାରେ ଅଟକି କିଛି ସମବେଦନା ଜଣାଇ, ମୃତକଙ୍କ ପରିବାରବର୍ଗଙ୍କୁ ଦୁଇ ହଜାର ଟଙ୍କା ସାହାଯ୍ୟ ଘୋଷଣା କଲି । ଉପସ୍ଥିତ ବୁଦ୍ଧି ଥିଲା, ଏହି ସାହାଯ୍ୟ ରାଜସ୍ବ ମନ୍ତ୍ରୀଙ୍କ ତରଫରୁ କହିଦେଲି ।

ଆମେ ଦଳବଳ କୋଠଯୋଡ଼ି ପୋଲ ଉପରକୁ ଚାଲିଲୁ । ଦୁଇ ବିଦିତ ଶିକାରୀ ପହଞ୍ଚିଗଲେ । ହରି ପଣ୍ଡାଜୀଙ୍କ ସାଙ୍ଗରେ ଆସିଛନ୍ତି ଶ୍ରୀଯୁକ୍ତ ବଳରାମ ମିଶ୍ରଙ୍କ ପୁଅ ଗୋପାଳ ଏବଂ ରାଜକୃଷ୍ଣ ବୋଷଙ୍କ ବଡ଼ପୁଅ । ହାତୀ ସେତେବେଳେ ଠିକ୍ ପୋଲତଳେ ଭାସିଗଲା । ଏମାନେ ଓହ୍ଲାଇ ତାକୁ ଦେଖୁ ଦେଖୁ ସେ ଆଗକୁ ଭାସିଗଲା । ଦୁଇ ତିନିଥର 303 ରାଇଫଲ ପୋଲିସଦଳ ଫୁଟାଇଲେ । ହାତୀ ଆଗେଇ ଯିବାରୁ ମୁଁ ତାଙ୍କୁ ଆଉ ଗୁଳି ଚାଳନାରୁ କ୍ଷାନ୍ତ କଲି । ଶ୍ରୀ ଅନାଦି ସାହୁ ଶତକଡ଼ା ଶହେ ମତରେ ଥାଆନ୍ତି ଯେ ହାତୀ ମୃତ । ତଥାପି ମୁଁ କହିବାରୁ ସେ କିଛି ପ୍ରତିବାଦ କଲେ ନାହିଁ । ଗୋଟିଏ ଜିପରେ ଶ୍ରୀଯୁକ୍ତ ହରି ପଣ୍ଡା, ଦୁଇ ଶିକାରୀ ଓ ଜଣେ ରାଇଫଲଧାରୀ ହାବିଲଦାର ବସିଲେ । ଅନ୍ୟ ଜିପରେ ପୋଲିସ ଭାଷାରେ ୱାନ୍ - ଫୋର୍ ଫୋର୍ସ ବସିଲେ । ମୁଁ ସେମାନଙ୍କୁ ଅନୁରୋଧ କଲି ଯେ ସେମାନେ ପୋଲ ଟପି ଆରପଟ ବନ୍ଧରାସ୍ତାରେ ହାତୀକୁ ପିଛା କରିବେ । ‘ହାତୀ ଯଦି ପ୍ରକୃତରେ ମରିଯାଇଛି, ଯେହେତୁ ତାହା ଏକ ଦନ୍ତା ହାତୀ, ତା’ର ବଡ଼ବଡ଼ ଦାନ୍ତ ଅଛି; ହାତୀର ବଡିକୁ ଓ ଦାନ୍ତକୁ ପୋଲିସକୁ ନିଜ ଆୟତ୍ତରେ ରଖିବାକୁ ହେବ । ସାବଧାନ ରହିବେ । ହାତୀର କ’ଣ ହେଲା ମତେ ଜଣାଇବେ ।’ ସେତେବେଳକୁ ରାତି ଆଠଟା ପାଖାପାଖି । ଶ୍ରୀଯୁକ୍ତ ହରିହର ପଣ୍ଡା ଦୁଇ ଜିପରେ ଆଗେଇଲେ । ଆମେ ଦଳବଳ ଘରକୁ ଫେରିବାକୁ ବାହାରିଲୁ । କାଠଯୋଡ଼ି ପୋଲ ଗଡ଼ାଣିରୁ ଗଡ଼ିଲା ବେଳକୁ କ୍ୟାପଟେନ ଏ.ପି. ମହାନ୍ତିଙ୍କ ସଙ୍ଗେ ଦେଖାହେଲା । ସେ ନିଜ ବିଶିଷ୍ଟ ରାଇଫଲ୍ ଧରି ଆସିଥାନ୍ତି । ଶ୍ରୀଯୁକ୍ତ ଅନାଦି ସାହୁ ତାଙ୍କୁ ତତକ୍ଷଣାତ୍ କହିଲେ, ‘ସରି ସାର୍ । ହାତୀକୁ ଆମେ ମାରିଦେଲୁ । ସେ ଭାସିଗଲା । ହରି ପଣ୍ଡା ପିଛା କରି ଯାଇଛନ୍ତି ।’ ମହାନ୍ତି ସାହେବ ଶ୍ରୀସାହୁଙ୍କୁ ପଚାରିଲେ, ‘କେଉଁଥିରେ ମାରିଲେ ? ପୋଲିସର 303 ରେ?’ ସେ ଉତ୍ସାହର ସହିତ ହଁ କହିଲେ । ମହାନ୍ତି ସାହେବ ଆଉ କିଛି ନକହି ଘରକୁ ବାହୁଡ଼ିଗଲେ ।

ମତେ ଧାଇଁବାକୁ ହେଲା ସର୍କିଟ ହାଉସ । ରାଜସ୍ବ ମନ୍ତ୍ରୀ ଶ୍ରୀ ବାସୁଦେବ ମହାପାତ୍ର, ମୁଖ୍ୟ ଅତିଥି ଓ ମୁଁ ଅତିଥି । ମୁସଲିମ ଇଉଥ ଆସୋସିଏସନର ଇଦ୍ ମିଳନ ବିରିୟାନି ଉତ୍ସବ । ମୁଁ ପହଞ୍ଚିଲା ବେଳକୁ ରାଜସ୍ବ ମନ୍ତ୍ରୀ ବହୁ ଆଗରୁ ପହଞ୍ଚି କ୍ରୋଧରେ ଅସ୍ଥିର । କଲେକ୍ଟର ଗଲା କୁଆଡେ଼ ! କ୍ରୋଧ ଭୋକ ପାଇଁ ବଢ଼ିଗଲା । ଦୁଷ୍ଟ ଉଦ୍ୟୋକ୍ତା ଦଳ କଲେକ୍ଟର ଆସି ନାହାନ୍ତି ବୋଲି ଖାଇବା ବାଢ଼ୁ ନ ଥାନ୍ତି । ମୁଁ ପହଞ୍ଚି ସରୁ ନମସ୍କାରଟିଏ ପକାଇଲି। କାମ ଦେଲା ନାହିଁ । ମନ୍ତ୍ରୀ ଗର୍ଜି ଉଠିଲେ, 'ମତେ ଏପରି ଅପେକ୍ଷା କରାଇବା ମାନେ…?' ମୁଁ ସାଙ୍ଗେ ସାଙ୍ଗେ କହିଲି, 'ସାର୍, ଆପଣଙ୍କ କାମ କରୁଥିଲି । ଆପଣ ଦୁଇ ହଜାର ଟଙ୍କା ସାହାଯ୍ୟ ଦେଇଛନ୍ତି ବୋଲି ସର୍ବସାଧାରଣ ଜାଣିବେ । କାଲି ଖବକାଗଜମାନଙ୍କରେ ବାହାରିବ । ଏଵଂ ତାଙ୍କୁ ହାତୀ କଥା ସବିସ୍ତୃତ କହିଲି ।

ମୁଁ ଘରେ ପହଞ୍ଚିଲି, ରାତି ଏଗାର । ଶୋଇଲି । ଆଖି ଲାଗିଛି କି ନାହିଁ, (ବା ସେପରି ଜଣାପଡ଼ିଲା … କାରଣ କାନ୍ଥଘଣ୍ଟା ରାତି ସାଢେ଼ ବାରଟା ବାଜିଥିବା ଦେଖା ଯାଉଥିଲା ।) ଫୋନ୍ ବଜର୍ ବାଜିଲା, ‘ସାର୍, ମିସେସ୍ ମିଶ୍ର କଥା ହେବେ ।’ ଶ୍ରୀଯୁକ୍ତ ବଳରାମ ମିଶ୍ରଙ୍କ ସ୍ତ୍ରୀ ଫୋନରେ - ସ୍ନିଗ୍ଧ ଚେହେରା, କିନ୍ତୁ ସେତେବେଳେ ମାତୃତ୍ୱର ଦମ୍ଭଭରା ବ୍ୟକ୍ତିତ୍ୱ - ‘ଦେଖନ୍ତୁ କଲେକ୍ଟର ସାହେବ, ହାତୀ ମାରିବା ଗୋଲ୍ଡ ମେଡାଲ୍ ମୋ ପୁଅକୁ ଯେପରି ମିଳିବ ! ଆଉ କାହାର ସେଥିରେ ହକ୍ ନାହିଁ । ଆପଣ ମୋ ପୁଅକୁ ଗୋଲ୍ଡ ମେଡାଲ ଦେବେ ।’ ରାତି ସାଢ଼େବାର ବେଳେ ସ୍ୱର୍ଣ୍ଣପଦକ କଥାକୁ ଆଗକୁ ନ ବଢ଼ାଇବାକୁ ମୁଁ କହିଲି, ‘ପୁଅଙ୍କୁ କାଲି ଦ୍ୱିପ୍ରହରରେ ମୋ ଅଫିସକୁ ପଠାଇବେ । ନମସ୍କାର ।’

ମୁଁ ତା’ ଆରଦିନ ସକାଳ ଦଶରୁ ଯାଇ ଅଫିସରେ ହାଜର । ପ୍ରଥମେ କିନ୍ତୁ ରେସିଡେନ୍ସ ଅଫିସରେ ସକାଳ ୯ଟା ବେଳେ ଶ୍ରୀଯୁକ୍ତ ହରି ପଣ୍ଡାଙ୍କ ସଙ୍ଗେ ଦେଖା । ସେ ଡ୍ରେସ ଆଦି ପିନ୍ଧି ଆସି ମତେ ଗୋଟିଏ ସ୍ମାର୍ଟ ସାଲ୍ୟୁଟ୍ ପକାଇଲେ । (ମତେ ସାଲ୍ୟୁଟ୍ ନ କରିବାକୁ ତାଙ୍କୁ ଏକାନ୍ତରେ କହିଥିଲି, ସେ ପ୍ରାୟ ବନ୍ଦ କରି ଦେଇଥିଲେ ।) କହିଲେ, ‘ଆପଣ ମୋ ସାଙ୍ଗ ବୋଲି ସମସ୍ତଙ୍କୁ ଅଯଥାରେ କହିଛନ୍ତି । କାଲି ରାତିରେ ମୋ ସ୍ତ୍ରୀ ବିଧବା ହୋଇ ଯାଇଥାନ୍ତା । ଆପଣ କାଲି ମତେ ମରଣ ମୁହଁକୁ ପେଲି ଦେଇଥିଲେ ।’ ମୁଁ ତାଙ୍କୁ କୌଣସି ମତେ ମିଠା କଥା କହି ସବୁକଥା ଆଦାୟ କଲି । ସେମାନେ ଦୁଇ ଜିପରେ ହାତୀ ସଙ୍ଗେ ସଙ୍ଗେ ଯାଇଥିଲେ । ହାତୀ ନଦୀରେ ପ୍ରାୟ ଏକ କିଲୋମିଟର ତଳକୁ ଭାସି ଯାଇ କାଦୁଅରେ ଲାଗିଗଲା । ଜିପରେ ଜଣେ ଫଟୋଗ୍ରାଫର ମଧ୍ୟ ସଚିତ୍ର ବିବରଣୀ ସଂଗ୍ରହ କରିବାକୁ ଆଗଭର ହୋଇ ଯାଇଥିଲେ । ହାତୀ କୂଳରେ ଲାଗିବାରୁ ଶ୍ରୀଯୁକ୍ତ ପଣ୍ଡା ଉତ୍ସାହରେ ମଲାହାତୀ ବୋଲି ଭାବି ଚାରି କନେଷ୍ଟବଳଙ୍କ ସଙ୍ଗେ ଯାଇ ହାତୀକୁ ଦଉଡ଼ିରେ ବାନ୍ଧି ଉପରକୁ ଟାଣିବେ ବୋଲି ହାତୀର ପାଖାପାଖି ହେଲାବେଳକୁ ହାତୀ ଉଠିପଡ଼ି ଶୁଣ୍ଢଟେକି ଅଦ୍ଭୁତ ଗର୍ଜନ କରି ବନ୍ଧ ଉପରକୁ ଚଢ଼ି ଆସିଲା । ସେତେବେଳେ ରାଜକୃଷ୍ଣ ବୋଷଙ୍କ ବଡ଼ପୁଅ ତାଙ୍କ ରାଇଫଲରେ ତିନୋଟି ଗୁଳି ମାରିଲେ । ଶେଷ ଶଟ୍ ହାତୀ ମୁଣ୍ଡକୁ ଲକ୍ଷ୍ୟ କରି ମାରିଲେ । ପ୍ରଥମ ଦୁଇଥର ବୁଲେଟ୍ ଧକ୍କାରେ ହାତୀ ପଛକୁ ଘୁଞ୍ଚି ଯାଉଥାଏ । ପୁଣି ପ୍ରବଳ ପରାକ୍ରମରେ ବନ୍ଧ ଉପରକୁ ଚଢ଼ି ଆସିବାକୁ ଚେଷ୍ଟା କରୁଥାଏ । ଶ୍ରୀଯୁକ୍ତ ପଣ୍ଡା ସ୍ୱୀକାର କଲେ ଯେ ସେ ଏବଂ ସମଗ୍ର ଫୋର୍ସ ଗୋଟେ ବଡ଼ ବରଗଛ ଆଢ଼ୁଆଳକୁ ଦୌଡ଼ି ଛପି ଯାଇଥିଲେ । ଏକମାତ୍ର ଶ୍ରୀଯୁକ୍ତ ବୋଷ ଗୁଳି ପରେ ଗୁଳି ମାରି ହାତୀକୁ ଧରାଶାୟୀ କରିଦେଲେ । ସେ ନ ହଟିବାରୁ ଗୋପାଳ ମିଶ୍ର ମଧ୍ୟ ଯାଇ ଗୋଟିଏ ଫାୟାର କଲେ । କିନ୍ତୁ ଶ୍ରୀଯୁକ୍ତ ହରି ପଣ୍ଡା ପ୍ରତ୍ୟକ୍ଷଦର୍ଶୀ ହିସାବରେ କହିଲେ, ଶ୍ରୀ ବୋଷ ହାତୀକୁ ଆୟତ୍ତ କଲେ । ବାକୀ ସମସ୍ତେ ହାତୀର ପ୍ରକୋପ ଦେଖି ପୃଷ୍ଠଭଙ୍ଗ ଦେଇଥିଲେ ।

ତା’ ପରବର୍ତ୍ତୀ ଦୃଶ୍ୟ ବହୁ ଅନୁସନ୍ଧାନ କରି ଆଦାୟ କଲି । ଶ୍ରୀ ବୋଷ ବଡ଼ ଚୁପଚାପିଆ ଧୀରସ୍ଥିର ଯୁବକ । ମୋଠାରୁ ବୟସରେ ବଡ଼, ନିଜ କୃତିତ୍ୱ ବଖାଣିବାକୁ ନାରାଜ । ତେବେ ତଥ୍ୟ ଅନୁସାରେ ପରବର୍ତ୍ତୀ ଦୃଶ୍ୟ କିଛି ଏପରି । ଶ୍ରୀ ବୋଷ ଡାକ ପକାଇଲେ, ‘ହାତୀ ମରିଗଲା, ସମସ୍ତେ ଆସ । ହାତୀକୁ ବାନ୍ଧିବା ନହେଲେ ପାଣିରେ ଭାସିଯିବ ।’ ସେତେବେଳେ ପ୍ରଥମେ ଗୋପାଳ ମିଶ୍ର ଆସି ମଲାହାତୀକୁ ସଂପୂର୍ଣ୍ଣ ମୃତ ବୋଲି ନିଶ୍ଚିତ କରିବାକୁ ତାଙ୍କ ପ୍ରଥମ ଗୁଳି ଚାଳନା କଲେ । ହରି ପଣ୍ଡାଜୀଙ୍କ ଗୁରୁ ଦାୟିତ୍ୱ । ତଥାପି ଭୟ କାଳେ ହାତୀ ପୁଣି ହୁଙ୍କାର କରି ଉଠିଆସିବ । ସନ୍ତର୍ପଣରେ ସବୁ ଫୋର୍ସ ଏକାଠି ହେଲେ, କିନ୍ତୁ ହାତୀ ପାଖକୁ ଯିବାକୁ କେହି ମଙ୍ଗୁ ନ ଥାନ୍ତି । ଅଗତ୍ୟା ଶ୍ରୀ ବୋଷ ଜଣେ କନେଷ୍ଟବଳ ଅଣ୍ଟାରେ ବାନ୍ଧିଥିବା ପତଳା ଗାମୁଛା ପିନ୍ଧି ନିଜ ସାର୍ଟ ପ୍ୟାଣ୍ଟ ଶୁଖିଲାରେ ରଖି ହାତୀ ଶୁଣ୍ଢ ପାଖକୁ ଚାଲିଲେ ଏଥିପାଇଁ ଯେ ଶୁଣ୍ଢକୁ ବାନ୍ଧି ମୁଣ୍ଡ ଚାରିପାଖେ ଦଉଡ଼ି ବୁଲାଇ ଦେଲେ ହାତୀ ଆଉ ଭାସିଯିବ ନାହିଁ, ସମସ୍ତେ ମିଶି ଟାଣି ଟାଣି ହାତୀକୁ ଉପରକୁ ଆଣିବେ । ସେ ଶୁଣ୍ଢକୁ ଯତ୍ନରେ ବାନ୍ଧିଲେ; ଏବଂ ତାପରେ ନିବିଷ୍ଟ ଚିତ୍ତରେ ଦଉଡ଼ିକୁ ହାତୀମୁଣ୍ଡ ଚାରିପଟେ ବୁଲାଇ ଟାଣିବାକୁ ଚେଷ୍ଟାକଲେ । ଜମା ହଲି ପାରିଲେ ନାହିଁ ବା ହଲାଇ ପାରିଲେ ନାହିଁ । କାରଣ କ’ଣ ବୋଲି ଭାବିବାବେଳକୁ ବିଜୁଳି ଝଲକ ପରି ଦୁଇତିନି ଝଲକ ତାଙ୍କୁ ଆବାକାବା କରିଦେଲା । ସେ ପ୍ରକୃତିସ୍ଥ ହୋଇ ବୁଲିପଡ଼ି କାରଣ ଦେଖିଲେ ଯେ ବନ୍ଧ ଉପରୁ ଫଟୋଗ୍ରାଫର ଫଟାେ ଉଠାଉଛନ୍ତି । ହାତୀର ପୃଷ୍ଠଦେଶରେ ଶ୍ରୀଯୁକ୍ତ ହରି ପଣ୍ଡା, ଶ୍ରୀ ଗୋପାଳ ମିଶ୍ର ଓ ପାଞ୍ଚଛଅଜଣ ପୋଲିସକର୍ମୀ ଚଢ଼ି ଫଟାେ ଉଠାଇବାକୁ ଉଦ୍ୟତ ରାଇଫଲ୍ ଉଠାଇ ଛିଡ଼ା ହୋଇଛନ୍ତି ।

ଆପଣଙ୍କୁ ପୂର୍ବରୁ ଲମ୍ୱାଇ ଆପାତତଃ ଅସଂଲଗ୍ନ କଥାରୁ ବର୍ଣ୍ଣନା ଆରମ୍ଭ କରିଥିଲି ….ସୁଧୀବୃନ୍ଦ ବିରକ୍ତ ହୋଇଥିବେ । କିନ୍ତୁ ସେ କାଳରେ ଅବିଭକ୍ତ କଟକ ଜିଲ୍ଲାର କଲେକ୍ଟର କହିଲେ ଜଣକୁ ବୁଝାଉଥିଲା ଯେ ସେ ସଫଳ ଶିକାରୀଙ୍କୁ ସ୍ୱର୍ଣ୍ଣପଦକ ଦେଇ ସମ୍ୱର୍ଦ୍ଧିତ କରି ପାରିବେ । କିନ୍ତୁ ତହବିଲରେ ଏପରି କିଛି ବ୍ୟବସ୍ଥା ନଥିଲା । କିଛି Letter of Gratitude on behalf of Citizens of Cuttack ଲେଖି କାର୍ଯ୍ୟ ସମାପ୍ତ କଲି । ମିସେସ୍ ମିଶ୍ର କିଛିଦିନ କେଉଁ ସାମାଜିକ କାର୍ଯ୍ୟାନୁଷ୍ଠାନରେ ଦେଖାହେଲେ କଥାବାର୍ତ୍ତା କଲେନାହିଁ; ଭାବିଲେ ମୁଁ ଆଉ କାହାକୁ ସ୍ୱର୍ଣ୍ଣପଦକ ଦେଇଦେଲି ଆଉ ତାଙ୍କ ପୁଅଙ୍କୁ ଶୁଖିଲା ଚିଠି ଧରାଇ ଦେଲି …..।