ଜୀବନ ଦୁଃଖସୁଖରେ ଭରା । ଆଇ.ଏ.ଏସ୍ . ଅଫିସର ହେଲେ କିଛି କାଇଦା କଟକଣା ଭିତରେ ଚଳିବାକୁ ହୁଏ । କେତେକ ଚାକିରିରେ କିଛି ବିସ୍ମୟକର ଘଟଣା ବି ଘଟେ । ଏବେ ଭାବିଲେ ସତରେ ଏପରି ଘଟଣା ଘଟିଥିବା ପରି ନିଜର ବି ବିଶ୍ୱାସ ହୁଏ ନାହିଁ, ପାଠକମାନେ ଏବେ ପଢ଼ି କିପରି ବିଶ୍ୱାସ କରିବେ ! କିନ୍ତୁ ବେଳେବେଳେ ଜୀବନ ଗୋଟାଏ ସର୍କସ ପରି ହୋଇଯାଏ; ନିଜେ ମୁଖ୍ୟ ବିଦୂଷକ ବା ଜୋକରର ଭୂମିକା ଅଜାଣତରେ ତୁଲେଇ ହୋଇଯାଏ ।

ମୁଁ ୧୯୭୯ ରେ ମାନନୀୟ ନୀଳମଣି ରାଉତରାୟଙ୍କ ଦ୍ୱାରା କଟକ କଲେକ୍ଟର ରୂପେ ବଛା ହେଲି । ମୋର ନିଜ ମନରେ ଥିଲା ମୋର ପିଲାଦିନର ବାରିପଦା ସହରକୁ ଯିବାକୁ, ମୟୁରଭଞ୍ଜ ଜିଲ୍ଲା କଲେକ୍ଟର ହେବାକୁ । କିନ୍ତୁ ରାଉତରାୟ ସାର ଅଳ୍ପକଥା କହିବାରେ ଦକ୍ଷ - ମୁଁ ଯେତେ ବନେଇ ଚୁନେଇ କହିଲି - ସେ ଗୋଟିଏ ଶବ୍ଦ କହିଲେ - କଟକ । ଅଗତ୍ୟା ସପରିବାର ଆମେ କଟକ ଚାଲିଲୁ । ଭଲ ଘର, କଲେକ୍ଟର କୋଠୀ । ସବୁ ସୁବିଧା । କିନ୍ତୁ ଚବିଶି ଘଣ୍ଟା କାମ ଆଉ କାମ । ସେତେବେଳର ଅବିଭକ୍ତ କଟକ ଜିଲ୍ଲାରେ ୪୬ଟା ବ୍ଲକ୍, ୫୦ ଲକ୍ଷ ଜନସଂଖ୍ୟା । କଟକ ଠିକ୍ ଠାକ୍ ଚାଲିବା ଦରକାର । ଶ୍ରୀଯୁକ୍ତ ରାଉତରାୟ ପୁଅ ବିଜୟଶ୍ରୀଙ୍କ ମାଧ୍ୟମରେ ବୁଝାଇଦେଇଥିଲେ - 'ପ୍ରସନ୍ନକୁ କହିବ, କଟକ କଲେକ୍ଟର ଥିଲାବେଳେ ବସାରେ କୁକୁର ରଖିବ ନାହିଁ ।' ଏତିକିରୁ ବୁଝିବା ଲୋକ ବୁଝିଯିବ - ଯାହା ମସୋରୀରେ ଟ୍ରେନିଙ୍ଗରେ ବି ଶିଖା ହୋଇନଥିଲା - ପଦେ କଥାରେ ମଞ୍ଜକଥାଟି ଜାଣିହେଲା । କଟକର ସଫଳ ଜିଲ୍ଲା ମାଜିଷ୍ଟ୍ରେଟ୍ ହେବାକୁ ହେଲେ ତୁମ ଓ ଲୋକଙ୍କ ଭିତରେ କୌଣସି ଆଡ଼ମ୍ୱର ବ୍ୟବହାର ଚଳିବ ନାହିଁ । କୁକୁର ପୋଷିବା ଜିଲ୍ଲାପାଳ ପାଇଁ ଲୋକଙ୍କଠାରୁ ଦୂରେଇଯିବା ପରି ଘଟଣାର ସୂତ୍ରପାତ କରିପାରେ । ତେବେ ପିଲାଦିନୁ ଆମ ଗୋସେଇଁବାପା ପଣ୍ଡିତ କୃପାସିନ୍ଧୁ ହୋତା ଯିଏ ଥିଲେ ବିଶିଷ୍ଟ ଭୂଦାନନେତା; ସେ ମଧ୍ୟ ଏହି କଥା ବାରମ୍ୱାର କହୁଥିଲେ ।

କଟକରେ ସବୁକାମ ସୁରୁଖୁରୁରେ ଚାଲିଲା । ସମସ୍ତଙ୍କ ସ୍ନେହ ସମର୍ଥନରେ ମୁଁ କାର୍ଯ୍ୟ ତୁଲାଇବାରେ ଲାଗିଲି । ତେବେ କାମର ସମୟ ନିର୍ଘଣ୍ଟ କିଛି ନଥାଏ । ସବୁଦିନ ସକାଳ ଛ’ ସାଢ଼େ ଛ’ଟାରୁ ଆରମ୍ଭ କରି ରାତି ବାରଟା ପର୍ଯ୍ୟନ୍ତ, ଏମିତି ସପ୍ତାହ ଓ ମାସ ସାରା କାମ । ଖାଇବାକୁ ବସିଥିବ ଜରୁରୀ ଫୋନ ଆସିବ କି ଏମିତି ଘଟଣା ଘଟିବ - ଯାହା କୁହନ୍ତି ନାକରେ କାନରେ ଖାଇବା ଦି’ଟା ଗୁଞ୍ଜି ଦେଇ କୌଣସି ମତେ ପ୍ରାଣଧାରଣ କରିବା କଥା ।

କେତେବେଳେ ଜଗତସିଂହପୁରରେ ବନ୍ଧଭାଙ୍ଗି ପାଣି ପଶିଗଲାଣି, ତ କେତେବେଳେ କଟକ ସହର ବାଦାମବାଡ଼ିରେ ବନ୍ୟାପାଣିରେ ଭାସିଆସି ବଣୁଆ ଦନ୍ତାହାତୀ ଉପଦ୍ରବ କଲାଣି । ତେବେ ଭଗବତ୍ କରୁଣାରୁ ଭଲମନ୍ଦ ସବୁ ଅବସ୍ଥା ସମ୍ଭାଳି ହୋଇ ଚାଲିଥାଏ । ପ୍ରତିଦିନ ଖବରକାଗଜରେ ଜିଲ୍ଲାପାଳଙ୍କ କିଛି ଗୁଣଗାନ ପ୍ରଚାର । ତାହା ପଢ଼ି ନିଜକୁ ବି ମଝିରେ ମଝିରେ ହସ ଲାଗୁଥାଏ । ଭାଗ୍ୟ ଭଲ, ପଦବୀର ମାୟା ମୁଣ୍ଡକୁ ଚଢ଼ିନଥାଏ । ମତେ ସ୍ପଷ୍ଟବାଦିତା ପାଇଁ କ୍ଷମା କରାଯାଉ - ମୁଁ ଦେଖିଛି ଉପରିସ୍ଥ ବା ମୋ ପରବର୍ତ୍ତୀ କିଛି ସହକର୍ମୀ ଜିଲ୍ଲାପାଳ ହୋଇ କିଛି ଅଦ୍ଭୁତ ଆଡମ୍ୱରପୂର୍ଣ୍ଣ ବ୍ୟବହାର କରନ୍ତି । ପଦବୀର ଅସାରତା ଓ ମାୟାକୁ ବୁଝିପାରନ୍ତି ନାହିଁ । ତେବେ ଛାଡ଼ନ୍ତୁ ସେ କଥା । ଆପଣମାନଙ୍କ ନିକଟରେ ସେବେଳର ଏକ ମଜାଦାର ଘଟଣାର କଥା କୌଣସି ଅସତ୍ୟର ବା କଳ୍ପନା ବିଳାସିତାର ଆଶ୍ରା ନ ନେଇ ବର୍ଣ୍ଣନା କରୁଛି ।

ମୋର କର୍ମକୁଶଳତା ଓ ପ୍ରଶଂସା ଆଦିରେ ହୁଏତ ମୋ ବାପା ଖୁସି ଥିଲେ । କିନ୍ତୁ ମୋର ସ୍ତ୍ରୀ ଓ ପିଲାମାନେ ଅବହେଳିତ ହୋଇଥିଲେ । ଦିନେ ରବିବାର; ସକାଳୁ ସକାଳୁ କଥା ଚରମ ସୀମାରେ ପହଞ୍ଚିଗଲା: 'ଆଜି ଆମେ ସମସ୍ତେ ମିଶି ସିନେମା ଦେଖିବାକୁ ଯିବୁ । ଆଜି କୌଣସି କାମ ବାହାନା ଚଳିବ ନାହିଁ । ନୂଆ ଛବି ଆସିଛି, ଦୁର୍ଗା ଟକିଜ୍ ବୋଲି ଟାଉନହଲ ଆଗକୁ ନୂଆ ସିନେମାହଲ୍ ଖୋଲିଛି । ଏବେଠାରୁ ଟିକଟ୍ କର । ଆଜି ସଂଧ୍ୟାରେ ଠିକ୍ ଟାଇମରେ ବାହାରି ଆମେ ସିନେମା ଦେଖିବା' । ‘ତଥାସ୍ତୁ’ କହିବା ଛଡ଼ା ମୋର ଗତ୍ୟନ୍ତର ନ ଥିଲା । କାହାକୁ ଜଣେ ପଇସା ଦେଇ ପଠାଇ ଚାରିଟା ଟିକଟ୍ ଅଣାହେଲା । କଲେକ୍ଟର ସପରିବାର ସିନେମା ଯାଉଛନ୍ତି ବୋଲି ଆଗରୁ ଜଣାଗଲେ ଅଯଥା ଗହଳି, ସିନେମା ମାଲିକ ମାତ୍ରାଧିକ୍ୟ ଆତିଥ୍ୟ ପ୍ରଦର୍ଶନ କରି ଅସହଜ ବାତାବରଣ ସୃଷ୍ଟି କରିବେ, ସହରର ଭଦ୍ରସମାଜର ଦୃଷ୍ଟିକଟୁ ହେବ ।

ପାଞ୍ଚଟା ବାଜିଲା; ସମସ୍ତେ ଘରେ ଭଲ ଲୁଗାପଟା ପିନ୍ଧି ତିଆର । ଗୋଟିଏ ନୂଆ ଫିଆଟ୍ କାର କିଣା ହୋଇଥାଏ । ଚାକିରିର ଦଶ ବର୍ଷ ପାର ପ୍ରଥମ ନୂଆ କାର୍ । ଡ୍ରାଇଭର ଗାଡ଼ି ଆଣି ପୋର୍ଟିକୋରେ ଲଗାଇଲେ । ସ୍ତ୍ରୀ ଓ ଅତ୍ୟୁତ୍ସାହୀ ପିଲା ଦୁଇଜଣ ଆଉ ମୁଁ ବାରଣ୍ଡାରୁ ଗାଡ଼ି ଆଡ଼କୁ ଆଗେଇଲୁ । ଠିକ୍ ଏହି ସମୟରେ ଘର ଫୋନ୍ ବାଜି ଉଠିଲା । ସ୍ତ୍ରୀ ବିରକ୍ତ ହୋଇ କହିଲେ, ‘ଫୋନ୍ ମୋଟେ ଧରନାହିଁ । ନିଶ୍ଚେ କେହି ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହୋଇଥିବେ; ଆମ ସିନେମା ଦେଖାରେ ଗଣ୍ଡଗୋଳ ହେବ ।’ ମୁଁ ତ କର୍ତ୍ତବ୍ୟର ଦାସ । ଫୋନ୍ ଅଡର୍ଲି ଧାଇଁ ଆସି କହିଲେ, ‘ମୁଖ୍ୟମନ୍ତ୍ରୀ’ ! ବାଧ୍ୟହୋଇ ଘର ଭିତରକୁ ଯାଇ ଫୋନ ଧରିଲି ।

‘ପ୍ରସନ୍ନ, ମୁଁ ଆଉ କିଛି ସମୟରେ କଟକ ଆସୁଛି । ଉତ୍କଳ ରଜକ ସମାଜଙ୍କ ବିଶିଷ୍ଟ ଉତ୍ସବ । ମୁଁ ମୁଖ୍ୟ ଅତିଥି । ଉତ୍କଳ ସାହିତ୍ୟ ସମାଜ ହଲରେ ହେବ । ତୁମେ, ଏସ୍.ପି. ଅନ୍ୟ ଅଫିସରମାନେ ଟିକେ ଉପସ୍ଥିତ ରହିବ ।’

ଅକାଳେ ବଜ୍ରପାତ ! ତେବେ ସିନେମା ???

ଆଗକୁ ଅଛି ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବାଇ ଇଲେକ୍ସନ୍ । ଭାବମୂର୍ତ୍ତି ଅକ୍ଷୁଣ୍ଣ ରହିବା ଦରକାର । ସମାଜର ସବୁ ଶ୍ରେଣୀର ଜନସାଧାରଣଙ୍କ ସମର୍ଥନ ଏକାନ୍ତ ଆବଶ୍ୟକ । 'ଅଲ୍ ଓଡିଶା ରଜକ ସମାଜ' ଏକ ପ୍ରଭାବଶାଳୀ ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ତାଙ୍କୁ ମନା କିପରି କରିବେ । ଏବଂ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ରଜକ ସମାଜର ସଭାପତି ଓ କର୍ମକର୍ତ୍ତାଙ୍କ ଆଗପଛରେ ଜିଲ୍ଲାପାଳ, ଏସ୍.ପି. ଆଦି ନ ଧାଇଁଲେ ରଜକ ସମାଜର କର୍ମକର୍ତ୍ତାଙ୍କ ଖାତିର କିପରି ଜଣାପଡ଼ିବ !! ତେଣୁ ସେ ସଭାରେ ଆମର ଏକ ଛଦାମର କାମ ନଥିଲେ ମଧ୍ୟ ସେମାନଙ୍କ ଅନୁରୋଧରେ ଖୋଦ ମୁଖ୍ୟମନ୍ତ୍ରୀ ମହୋଦୟ ଆଉ ଆମେ ସମସ୍ତେ ଉପସ୍ଥିତ ରହିବୁ ବୋଲି କହିଦେଲେ । ଏବଂ ଥରେ ସେ କହିଦେଲେ କେହି ଅନୁପସ୍ଥିତ ରହିବା ତାଙ୍କର ଅସମ୍ମାନ ….ଏବଂ ତା’ଠାରୁ ବଳି ….ରଜକ ସମାଜର ଅବମାନନା । ଏବେ ଭାବନ୍ତୁ ଜିଲ୍ଲାପାଳ ଯେ କି ତା ବ୍ୟକ୍ତିଗତ ଜୀବନରେ ଅନ୍ୟ ବିବାହିତ ପୁରୁଷଙ୍କ ପରି ଅଳ୍ପବହୁତ ଏକ ଗୃହପାଳିତ ପ୍ରାଣୀ, ସେ କରେ କଣ !! ଏହି ଦୁଇପାଞ୍ଚ ମିନିଟ ମଧ୍ୟରେ ବିଚକ୍ଷଣା ପତ୍ନୀ ଅବସ୍ଥା ଠଉରେଇ ସାରିଲେଣି । କହିଲେ, ‘କ’ଣ ଆଜିବି ସିନେମା ବନ୍ଦ, ଅବା ଆମେ ଏକୁଟିଆ ଯିବୁ ? ତୁମେ ଆମକୁ ସିନେମା ଦେଖାଇବ ନାହିଁ ? ’ମୁଁ କହିଲି, ‘ଆରେ ନା, ନା, ଗାଡ଼ିରେ ଯାଇ ବସ । ପିଲାମାନେ ପଛରେ ବସନ୍ତୁ, ତୁମେ ଆଗରେ ବସ । ମୁଁ ଗାଡ଼ି ଚଲାଇବି ।’

ସେ କହିଲେ, ‘କଣ ହେଲା ? ଘର ଗାଡ଼ି ତ ବ୍ୟବହାର ହେଉଛି । ତୁମ ସରକାରୀ ଗାଡ଼ି ନୁହେଁ । ଡ୍ରାଇଭର ଟିକେ ସାଙ୍ଗରେ ଗଲେ କଣ ମହାଭାରତ ଅଶୁଦ୍ଧ ହୋଇଯିବ !’

ମୁଁ କହିଲି, ‘ସେପରି କିଛି ନୁହେଁ ଯେ ...ସିନେମା ହଲକୁ କେତେପ୍ରକାର ଲୋକ ଆସିଥିବେ । ମୋର ବି ନିଜ ନୂଆ ଗାଡ଼ି ଚଲାଇବାକୁ ଟିକେ ଇଚ୍ଛା ।’ ଅଗତ୍ୟା ସମସ୍ତେ ବସିଲେ । ମୁଁ ଗାଡ଼ି ଷ୍ଟାର୍ଟ କଲି । ଅଳ୍ପକେ ଠାରରେ ବୁଝେଇଦେଲି; ଡ୍ରାଇଭର ବସନ୍ତ ସରକାରୀ ଧଳା ଆମ୍ୱାସାଡାର ଗାଡ଼ି ଧରି ପଛେ ପଛେ ଆସିଲେ । ସ୍ତ୍ରୀ କହିଲେ, ‘ସେ କାହିଁକି ପଛରେ ଆସୁଛନ୍ତି ?’ ମୁଁ କହିଲି, ‘ଆରେ ଆମ ଗାଡ଼ିଟା ନୂଆ । ପାର୍କିଙ୍ଗ୍ ସୁବିଧା ଅସୁବିଧା ହୋଇପାରେ । ଗାଡ଼ି ଉପରେ ଟିକେ ନଜର ରଖିବ । ଦରକାର ହେଲେ ସାହାଯ୍ୟ କରିବ ।’ ଏପରି ପରିବାରକୁ ବୁଝାଇ ଆମେ ପହଞ୍ଚିଗଲୁ ସିନେମା ହଲରେ । ବସନ୍ତ ଆମ ପଛେ ପଛେ । ନିଜ ଗାଡ଼ି ସୁବିଧାରେ ରଖାହେଲା । ସବୁ ସତର୍କତା ସତ୍ତ୍ୱେ ହଲ ମାଲିକଙ୍କୁ ଆମ ଆସିବା କଥା ଜଣାପଡ଼ିଯାଇଥିଲା । ସେ ଆମକୁ ପାଛୋଟି ନେଇ ବାଲକୋନୀ ଆଡ଼କୁ ଆଗେଇଲେ । ମୁଁ ତାଙ୍କୁ କହିଲି, ‘ଆପଣ ଟିକେ ପିଲାମାନଙ୍କୁ ବସାନ୍ତୁ । (ସେତେବେଳେ ପିଲାମାନଙ୍କୁ କହିଲେ ଭଦ୍ରସମାଜରେ ସ୍ତ୍ରୀ ଓ ପରିବାର ସମସ୍ତଙ୍କୁ ବୁଝାଯାଉଥିଲା ।) ମୁଁ ଟିକେ ଟଏଲେଟ୍ ଯାଇ ଆସୁଛି ।’ ସେମାନେ ଯେମିତି ସିଢ଼ିଚଢ଼ା ଆରମ୍ଭ କଲେ ମୁଁ ଦୌଡ଼ିଯାଇ ଗାଡ଼ିରେ ବସିଗଲି, ବସନ୍ତ ଯିଏକି ଗାଡ଼ି ବୁଲାଇ ଷ୍ଟାର୍ଟକରି ରେଡି ହୋଇ ରହିଥିଲେ, କହିଲି, ‘ଚଲାଅ ଟାଉନହଲ’; ଆଗକୁ ଆମେ ଧାଇଁଲୁ । ଉତ୍କଳ ସାହିତ୍ୟ ସମାଜ ହଲ ପାଖେ ପହଞ୍ଚି ଓହ୍ଲାଉ ଓହ୍ଲାଉ ଦେଖିଲି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଲାଗିଗଲାଣି । ମୁଁ ଜନତାଙ୍କ ଭିଡ଼ ଭିତରେ ଗଳିଯାଇ ତାଙ୍କ କାରର ଦ୍ୱାର ଖୋଲି ଠିଆ । ସେ ଓହ୍ଲାଇ ପଡ଼ି ଚାରିଆଡ଼େ ଟିକେ ଚାହିଁଲେ, କହିଲେ, 'କଲେକ୍ଟର କାହାନ୍ତି' ? ଆଗ ସିଟରେ ବସି ରଜକ ସମାଜର ସଭାପତି ତାଙ୍କ ଗାଡ଼ିରେ ଆସିଥିଲେ । ସେ ଓହ୍ଲାଇ କହିଲେ, ‘ସାର୍, ଜିଲ୍ଲାପାଳ ପରା ଆପଣଙ୍କ କାର ଦୁଆର ଖୋଲି ଠିଆ ହୋଇଛନ୍ତି ।’

ଜାନକୀ ପଟ୍ଟନାୟକ ସ୍ମିତହାସ୍ୟରେ କହିଲେ, ‘ହଁ ତ, ତୁମେ ଏଠି । ମୁଁ ଏଠି ସେଠି ତୁମକୁ ଖୋଜୁଛି ।’ ତାପରେ ତାଙ୍କ ସାଙ୍ଗେ ଆମେ ସମସ୍ତେ ସେ ହଲକୁ ଚାଲିଲୁ । ମୁଖ୍ୟମନ୍ତ୍ରୀ ମଞ୍ଚାସୀନ ହେଲେ । ରଜକ ସମାଜ ସଭାପତି ମୋ ପାଇଁ ଚୌକି ବ୍ୟବସ୍ଥା ଭାଗ୍ୟକୁ କରିନଥିଲେ । ‘ଆଣ ଚୌକି’ କହିବା ଭିତରେ ମୁଁ ତାଙ୍କୁ ‘ଆପଣଙ୍କ ସଭା ଭଲରେ ଚାଲୁ’ ବୋଲି ସମ୍ଭାଷଣ କରି ମଞ୍ଚରୁ ଚମ୍ପଟ ମାରିଲି । ବସନ୍ତ ପୂର୍ବପରି ଗାଡ଼ି ଘୂରାଇ ଷ୍ଟାର୍ଟ କରି ତିଆର । ଏସ୍.ପି. ବାହାରେ ଠିଆ - ଶ୍ରୀଯୁକ୍ତ ପୂର୍ଣ୍ଣେନ୍ଦୁ ସେନାପତି । ଆଡିସନାଲ୍ ଏସ୍.ପି. ଶ୍ରୀଯୁକ୍ତ ମନମୋହନ ପ୍ରହରାଜ ଏବଂ ଆମ ଦକ୍ଷ ଏସ୍.ଡି.ଓ. ଶ୍ରୀଯୁକ୍ତ ଜି.ସି.ଦାସ । ପୂର୍ଣ୍ଣେନ୍ଦୁ କହିଲେ, ‘ଆମର ଏଠି କି କାମ !’ ମୁଁ କହିଲି, ଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କଣ କରିବା । ଟିକେ ଧୈର୍ଯ୍ୟ ଧରନ୍ତୁ ।’ ରାସ୍ତା ଉପରେ ସେ ତିନିଜଣ ଅଗତ୍ୟା ଠିଆ ହୋଇ ଗପିଲେ । ମୁଁ ଧାଇଁଲି ସିନେମା ଘରକୁ । ଧଇଁସଇଁ ହୋଇ ସିଟ ଖୋଜି ପିଲାଙ୍କ ପାଖେ ବସିଗଲି । ସ୍ତ୍ରୀ କହିଲେ, ‘ସିନେମା ଆରମ୍ଭ ହୋଇଗଲା । ଏପର୍ଯ୍ୟନ୍ତ କଣ କରୁଥିଲ । ଏ ପାନ ବଦଭ୍ୟାସଟା ଛାଡ଼ ତ । ପଇସା ଦେଇ ଟିକେଟ କିଣି ଆସିଛ । ପୂରା ସିନେମା ଦେଖିବା କଥା ।’ ମୁଁ ତାଙ୍କ ସଙ୍ଗେ ତର୍କ ନ କରି ସୁନାପିଲା ପରି ବସି ସିନେମା ଦେଖିଲି !

ସୌଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀଙ୍କ ହଲଠାରୁ ସିନେମାହଲ ପାଖାପାଖି ୪୦୦ ମିଟର ଦୂର ମାତ୍ର ଥିଲା । ହାଫ୍ ଟାଇମ୍ ପାଖେଇଲା । ହିନ୍ଦୀ ସିନେମା ଦେଖି ଦେଖି ମୋର ଅନୁମାନ ହୋଇଯାଇଥାଏ, କାହାପରେ କଣ ହେବ । ସିନେମା ହଲ ମାଲିକ ଲସି ପଠାଇଛନ୍ତି । ତାକୁ ପିଇ ସମସ୍ତେ ସିନେମା ଦେଖୁଥାନ୍ତି । ମୁଁ ଉଠି ଛିଡ଼ାହେଲି । ସ୍ତ୍ରୀ ଚାପାଗଳାରେ ପଚାରିଲେ, ‘ଆରେ ସିନେମା ମଝିରୁ କେଉଁଆଡ଼େ ବାହାରିଲ ?’

ମୁଁ କହିଲି, ‘ବାଥରୁମ’ । ଧାଇଁଲି; ବସନ୍ତ ରେଡି । ପୁଣି ଗାଡ଼ିରେ ବସି ଦୁହେଁ ପହଞ୍ଚିଲୁ ମିଟିଙ୍ଗ୍ ହଲ ପାଖରେ । ସେତେବେଳକୁ ତିନି ସହକର୍ମୀ ହାଇମାରି ଅସ୍ଥିର । ମତେ ଦେଖି ପଚାରିଲେ, ‘ଆପଣ କୁଆଡ଼େ ଯାଇଥିଲେ ?’ (ସେତେବେଳେ ମୋବାଇଲ ଯୁଗ ଆରମ୍ଭ ହୋଇ ନ ଥାଏ ।) ମୁଁ ହସିଦେଇ କିଛି ନ କହି ସଭାସ୍ଥଳକୁ ଗଲି । ଏପରିକି କିଛି ବାହାନା କରି ମୁଖ୍ୟମନ୍ତ୍ରୀଙ୍କ ପାଖଦେଇ ଚାଲିଗଲି । ସେ ମତେ ଦେଖିଲେ । ଇଙ୍ଗିତରେ ସବୁ ଠିକ ଅଛି ବୋଲି ଜଣାଇଲେ । ତାଙ୍କ ଭାଷଣ ଆରମ୍ଭ ହୋଇ ନ ଥାଏ । ରଜକ ସମାଜର ବିଭିନ୍ନ କର୍ମକର୍ତ୍ତାମାନେ ତାଙ୍କୁ ସାଦର ସମ୍ଭାଷଣ ଜାରି ରଖିଥାନ୍ତି । ପୁଣି ବସନ୍ତ, ପୁଣି ଗାଡ଼ି, ପୁଣି ସିନେମା ହଲ । ଦ୍ୱିତୀୟାର୍ଦ୍ଧ ଆରମ୍ଭ ହୋଇଯାଇଥାଏ । ମୁଁ ବସୁ ବସୁ କହିଲି, ‘ହିରୋର ମା ହସପିଟାଲରେ ନା !’ ସ୍ତ୍ରୀ ସନ୍ଦେହରେ ଚାହିଁଲେ । ମୁଁ କହିଲି, ‘ମୋ ଅଣ୍ଟା ଟିକେ ଦରଜ ଲାଗୁଥିଲା ତ ! ମୁଁ ପଛଆଡ଼େ ଠିଆହୋଇ ଦେଖୁଥିଲି ।’ ସିନେମା ଚାଲିଲା । ଭିଲିୟାନ୍ ଶେଷରେ ହିରୋ ହାତରୁ ପ୍ରହାର ଖାଇଲା । ମୁଁ ପିଲାଙ୍କୁ କହିଲି, ‘ଏଠି କାହାଣୀ ସରିଲା, ସିନେମାରେ ଏବେ ପୋଲିସ ଆସି ପହଞ୍ଚି ଭିଲିୟାନକୁ ବାନ୍ଧିନେବ । ଚାଲ ଘରକୁ ଯିବା ।’ ସ୍ତ୍ରୀ ପୁଣି ରାଗିଗଲେ; କହିଲେ, ‘ଏ କି ନାଟ ଲଗେଇଛ ମ, ସିନେମା ନ ସରୁଣୁ ଆମକୁ କାହିଁକି ଘୋଷାଡୁଛ ?’

ମୁଁ କହିଲି, ‘ଦେଖ କେତେ ଗହଳି । ସିନେମା ସରିଗଲେ ତଳେ ଲୋକଙ୍କ ଭିଡ଼ ହୋଇଯିବ । ମୁଁ ଟିକେ ଭୁଲ୍ କଲେ ଗହଳିରେ ଗାଡ଼ିରେ ଦାଗ ଲଗି ଯିବ’ । ଏତକ ଶୁଣି ସ୍ତ୍ରୀ ମଧ୍ୟ ସମର୍ଥନ କରି ପିଲାଙ୍କୁ ଧରି ଶୀଘ୍ର ତଳକୁ ଚାଲି ଆସିଲେ । ତାଙ୍କୁ ପଛ ସିଟରେ ପିଲାଙ୍କ ସହ ବସାଇଦେଲି । ଗହଳି ବଢ଼ିବ ଭାବି ସେ ପ୍ରତିବାଦ ନକରି ବସିଗଲେ । ମୁଁ ଗାଡ଼ି ଡ୍ରାଇଭ କଲି । ଠିକ ମୁଖ୍ୟମନ୍ତ୍ରୀଙ୍କ ମିଟିଙ୍ଗ ହଲ ପୂର୍ବରୁ ବସନ୍ତ ବି ଗାଡ଼ି ରଖି ଅପେକ୍ଷା କରିଥିଲେ । ମୁଁ ଘର ଗାଡ଼ି ଦାୟିତ୍ୱ ତାକୁ ଧରାଇଦେଇ ମିଟିଙ୍ଗ ହଲ ଗେଟ ପାଖକୁ ଚାଲିଲି । ଏସ୍.ଡି.ଓ. ଙ୍କ ଜିପ୍ ମୋ ଘରଗାଡ଼ି ପଛେ ପଛେ ଯାଇ ବସନ୍ତଙ୍କୁ ଆଣିବାକୁ ଗଲା । ମୁଁ ଏସ୍.ଡି.ଓ.ଙ୍କୁ ସିନେମା ଦେଖା କଥା ବିଶ୍ୱାସରେ କହିଥିଲି । ସେ ଏତେ ବଡ଼ ରାଷ୍ଟ୍ର ରହସ୍ୟ ନିଜ ପେଟ ଭିତରେ ହଜମ ନ କରିପାରି ଆଡିସନାଲ ଏସ୍.ପି.ଙ୍କୁ କହି ସାରିଥିଲେ । କିନ୍ତୁ ଉଭୟେ ଏସ୍.ପି.ଙ୍କୁ କିଛି କହିନଥାନ୍ତି । ମତେ ହଲ୍ ଗେଟ ପାଖେ ଦେଖି ପୂର୍ଣ୍ଣେନ୍ଦୁ ସାର କହିଲେ, ‘ତୁମେ କୁଆଡ଼େ ଯାଉଛ; ଆସୁଛ । ଏଠି ତ କିଛି କାମ ନାହିଁ; ମୁଁ ଠିଆ ହୋଇ, ବସି ବସି ବୋର୍ ହୋଇଗଲିଣି । ଆଜି ମୋ ଶ୍ୱଶୁର ଘରେ ଭୋଜି ନିମନ୍ତ୍ରଣ । ମୁଁ ଏବେ ଯାଉଛି ।’

ମୁଁ କହିଲି, ‘ଦେଖ ଭାଇ । ସେ କଥା ତୁମେ ସ୍ଥିର କରିବ । ମୁଖ୍ୟମନ୍ତ୍ରୀ କହିଥିଲେ, ତେଣୁ ମୁଁ ତୁମକୁ କହିଥିଲି । ତୁମ ଇଚ୍ଛା । ମୁଁ ସମ୍ଭାଳିବାକୁ ଚେଷ୍ଟା କରିବି ।’ ସେ ଗୁଁ ଗୁଁ ହୋଇ ଆଉ ପାଞ୍ଚ ମିନିଟ ରହିଲେ । ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଆରମ୍ଭ ହୋଇଯାଇଥିବା ମୁଁ ଶୁଣି ପାରୁଥିଲି । ଏସ୍.ପି. ବାହାରି ଗଲେ । ଦୁଇତିନି ମିନିଟ ପରେ ମୁଖ୍ୟମନ୍ତ୍ରୀ ହଲରୁ ବାହାରି ଆସିଲେ । ମତେ ଦେଖିଲେ, ‘କହିଲେ, ଆରେ ଆପଣ ସେତେବେଳଠୁ ଏଠି ଠିଆ ହୋଇଛନ୍ତି, ଭିତରେ ବସିଥାନ୍ତେ ସିନା । ଆଉ ଏସ୍.ପି. କେଉଁଆଡ଼େ ଗଲେ ?’ ଏତିକି କହି ସେ ଗାଡ଼ିରେ ବସି ଭୁବନେଶ୍ୱର ଅଭିମୁଖେ ଚାଲିଲେ । ଆଡିସନାଲ ଏସ୍.ପି. ପ୍ରହରାଜ, ଏସ୍.ଡି.ଓ. ଜି.ସି.ଦାସ ହସି ହସି ରାସ୍ତାରେ ବସି ପଡ଼ିଲେ । କହିଲେ, ‘ସାର୍, ଏସ୍.ପି. ପୂରା ଅଢ଼େଇ ଘଣ୍ଟା ଠାଏଁ ଅଟକି ରହିଲେ । ଏବେ ମାତ୍ର ଗଲେ । ଆପଣ ଏବେ ଆସିଲେ ….ଭାଗ୍ୟଦେବୀ ବି ଆପଣଙ୍କ ସାଥିରେ । ଆପଣଙ୍କୁ କେହି ପାରିବେନି ।’

ଯାହା କୁହନ୍ତି, ‘କଦଳୀ ବିକା ଓ ଠାକୁର ଦେଖା’ ଏକାଠି ସଂପନ୍ନ ହୋଇଗଲା ।

(ଅନେକ ଦିନ ପରେ ଫେସବୁକ୍ ରେ ଶ୍ରୀଯୁକ୍ତ ମନମୋହନ ପ୍ରହରାଜଙ୍କ ଫଟୋ ଦେଖିଲି । ପୁରୁଣା ଦିନ କଥା ମନେ ଆସିଲା । ପାଠକ ବୃନ୍ଦ କଟକି ଗୁଲିଖଟି ଭାବି ହସି ଦେଲେ ଶ୍ରମ ସାର୍ଥକ ବୋଲି ଏ ପରିଣତ ବୟସରେ ଟିକେ ଖୁସି ହୋଇଯିବି ।)